ଚିତ୍ର - ୱିକି କମନ୍ସ

**କବି ଜ୍ୟୋତି ମିଶ୍ରଙ୍କୁ ଆପଣ ଜାଣନ୍ତି ? ଏ ପ୍ରଶ୍ନର ଉତ୍ତର ବହୁ ଲୋକଙ୍କ ପାଖରେ ନାଇଁ । ଜ୍ୟୋତି ମିଶ୍ରଙ୍କ ଜନ୍ମ କେବେ, କେବେ ସେ ମରିଥିଲେ, ତାଙ୍କ କବିତା ସବୁ ଏବେ କେଉଁଠି - ଏ ସବୁ ପ୍ରଶ୍ନର କିଛି ଉତ୍ତର ନାଇଁ । ପ୍ରାୟ ୧୨/୧୪ ବର୍ଷ ତଳୁ ସେ ମରିଗଲେଣି । ଗୋଟେ ତାରୁଣ୍ୟ ନଷ୍ଟ ହୋଇଗଲା , ନଷ୍ଟହେବାର ମୋହରେ । ହଁ, ଜ୍ୟୋତି ମିଶ୍ର ନିଜେ ନଷ୍ଟ ହେବାକୁ ଚାହିଁଥିଲେ । ଆଜି ତାଙ୍କୁ ନେଇ କିଛି ଲେଖା ଓ ତାଙ୍କର କିଛି କବିତା ।

ଜ୍ୟୋତି ମିଶ୍ରଙ୍କୁ ପ୍ରବଳ ମାଡ଼ ମାରି ସେମାନେ ଫୋପାଡ଼ି ଦେଇଥିଲେ ସମୁଦ୍ର କୂଳରେ । ସକାଳୁ ସକାଳୁ ଶ୍ୟାମପ୍ରକାଶ ମୋତେ ଟେଲିଫୋନ୍‌ରେ ଜଣାଇ ଦେଇଥିଲା ଏଇ ସାଂଘାତିକ ଖବର । ମୁଁ ସମୁଦ୍ରକୂଳ ସାରା ଖୋଜାଖୋଜି କଲି ଜ୍ୟୋତିକୁ । ତାଙ୍କର କିଛି ପତ୍ତା ନଥିଲା । ହୁଏତ ନିଶା ଫାଙ୍କିଗଲା ପରେ ସେ ଖଣ୍ଡିଆ ଖାବରା ଶରୀରକୁ ଘୋଷାଡ଼ି ପୁଣି କୁଆଡ଼େ ଗୋଟେ ଚାଲିଯାଇଥିବେ । ନିଶା ଖାଇବା ପାଇଁ ପୁଣି କେଉଁଠି ଭିକ ମାଗୁଥିବେ । ନଚେତ୍ ଚୋରି କରି ମାଡ଼ ଖାଇଥିବେ ।

ଜ୍ୟୋତି ମିଶ୍ର କବି । ଖାଲି କବି ନୁହେଁ ସେ ଜଣେ ଚମତ୍କାର କବି । ତାଙ୍କ କବିତାରେ ଥାଏ ଅଭିବ୍ୟକ୍ତିର ପରିପୂର୍ଣ୍ଣ ପ୍ରକାଶ । ତାଙ୍କର ଜୀବନବୋଧର ଛଳଛଳର କବିତା ସବୁ ପ୍ରକାଶିତ ହୋଇଥିଲା ଓଡ଼ିଶାର ପ୍ରତିଷ୍ଠିତ ପତ୍ରପତ୍ରିକାମାନଙ୍କରେ । କବି ବାହାରେ ସେ ଥିଲେ ଚମତ୍କାର ବକ୍ତା । କବିତା ପାଠ କଲାବେଳେ ତାଙ୍କର ସ୍ପଷ୍ଟ ଓ ମଧୁର ଉଚ୍ଚାରଣ ଥିଲା ପ୍ରାଣସ୍ପର୍ଶୀ । ଆମ ପାଇଁ ସେ ଥିଲେ ସବୁଠୁ ଈର୍ଷଣୀୟ କବି । ସେ ମଝିରେ ମଝିରେ ମଦ ପିଉଥିଲେ, କିନ୍ତୁ ମଦୁଆ ନଥିଲେ । ତାଙ୍କ ବାପା ଥିଲେ ପୋଲିସ୍ ବିଭାଗର ଜଣେ ପଦସ୍ଥ ପଦାଧିକାରୀ । ତେଣୁ ବ୍ୟକ୍ତିଗତ ଭାବେ ଖାସ୍ କିଛି ଅଭାବ-ଅସୁବିଧା ନଥିଲା ।

ଜ୍ୟୋତି ବିହାରରୁ ଏମ୍‌.ଫିଲ୍ ସାରିଲା ବେଳକୁ ଜ୍ୟୋତି ମିଶ୍ର ଓଡ଼ିଆ କବିତାର ନୂଆ ପିଢିର ଜଣେ ପ୍ରଭାବଶାଳୀ କବି । କବିତା ଲେଖିବା ଏବଂ କବି ହେବା, ଦୁଇଟି ଅଲଗା କଥା ବୋଲି କୁହାଯାଏ । ଦୁର୍ଭାଗ୍ୟବଶତଃ ଜ୍ୟୋତି କବି ହେଲେ ଓ କବିତା ଲେଖିଲେ । ସ୍ୱାଭିମାନ ଓ ସ୍ୱାଧୀନତାର ସହ ବଞ୍ଚିବେ ବୋଲି ଚାକିରି କଲେ ନାହିଁ । ବାପାଙ୍କ ପଇସାରେ ବେପାର କରିବାକୁ ଯାଇ ବୁଡ଼ିଗଲେ । ତାଙ୍କ ଲେଖାଲେଖିକୁ ଆଧାର କରି ବଞ୍ଚିବାର ପ୍ରଶ୍ନ ନଥିଲା । ଆସ୍ତେ ଆସ୍ତେ ଜ୍ୟୋତି ମିଶ୍ର ନଷ୍ଟ ହୋଇଗଲେ । ଆମ ସାଙ୍ଗର ଦେଖା ହେଲେ ସିଏ ପଇସା ମାଗିଲେ ନିଶା ଖାଇବା ପାଇଁ । ଆମେ ସବୁ ତାଙ୍କୁ ଦେଖିଲେ ଲୁଚିବା ଆରମ୍ଭ କଲୁ । ଅକସ୍ମାତ୍ ତାଙ୍କ ନିଜ ସହର ବଲାଙ୍ଗୀରରୁ ଜ୍ୟୋତି ମିଶ୍ର ଦିନେ ଉଦ୍ଭାନ ହୋଇଗଲେ ।

ମଝିରେ ମଝିରେ ଜ୍ୟୋତି ମିଶ୍ର ବିଷୟରେ ଉଡ଼ା ଖବରମାନ ଶୁଣିବାକୁ ମିଳୁଥିଲା । କିଏ କହିଲା, ସେ ଜ୍ୟୋତିକୁ ଦେଖିଥିଲେ ଗୋଟେ ଢାବାରେ, ସେଠି ସିଏ ବାସନ ମାଜୁଥିଲେ । ଆଉ କିଏ କହିଲା, ଜ୍ୟୋତି ଏବେ ଭିକ ମାଗୁଛି ଝାରସୁଗୁଡ଼ା ରେଳଷ୍ଟେସନରେ । ଆହୁରି ବି ଶୁଣାଗଲା , କେହିଜଣେ ଉଦ୍ଧାର କରିଥିଲେ ଜ୍ୟୋତିକୁ ଗୋଟେ ସାନ୍ତାଳ ବସ୍ତିରୁ ମାଡ଼ ଖାଉଥିବାବେଳେ । ଏମିତି ଆସ୍ତେ ଆସ୍ତେ ଆମ ପାଇଁ ଜ୍ୟୋତି ମିଶ୍ର ନଷ୍ଟମଣିଷର ଜୀଅନ୍ତା କିମ୍ବଦନ୍ତୀ ପାଲଟି ଯାଉଥିଲେ । ଅକସ୍ମାତ୍ ଜ୍ୟୋତି ମିଶ୍ରଙ୍କ ସାଙ୍ଗରେ ମୋର ଦେଖାହେଲା ପୁରୀ ବଡ଼ଦାଣ୍ଡରେ, ସୁଭଦ୍ରା ହୋଟେଲ୍‌ରେ । ଏଇଟା ୧୯୯୪ କି ୯୫ ମସିହାର କଥା । ତାଙ୍କ ଚେହେରା କଳାକାଠ ପଡ଼ିଯାଇଥିଲା । ଦେହ-ମୁହଁ ଫୁଲି ଯାଇଥିଲା । ବୋଧେ ଅନେକ ଦିନ ହେଲା ସେ ଗାଧୋଇ ନଥିଲେ । ଦେହ ଗନ୍ଧଉଥିଲା । ପାଟିରୁ ଆସୁଥିଲା ଦେଶୀ ମଦର ବାସ୍ନା । ମୋତେ ଦେଖୁ ଦେଖୁ ଜ୍ୟୋତି କହିଲେ - "ଶୁଣ୍ ! ମୁଁ ଏବେ ଗୁଡ଼ାଏ ଚମତ୍କାର କବିତା ଲେଖିଛି । ଓଡ଼ିଆ କବିତାରେ ମୋ କବିତା ନୂଆଁ ଗୋଟେ ଇତିହାସ ସୃଷ୍ଟି କରିବ । ତା'ପରେ ଗଳ ଗଳ ଗାଇବା ଆରମ୍ଭ କଲେ କବିତା । ଜ୍ୟୋତି ମିଶ୍ର ସବୁଦିନ ଏମିତି । ଭାବଭୋଳା ପାଗଳ କବିଟିଏ । ତାଙ୍କ କବିତ୍ୱର ସିଂହାସନରୁ ଓହ୍ଲାଇଲା କ୍ଷଣି ନିଶାଖୋର୍‌, ଚୋର, ବଦମାସ୍‌, ପ୍ରବଞ୍ଚକଟିଏ । ତା'ପରେ ଜ୍ୟୋତି ଦା' ମୋ'ଠୁ କିଛି ପଇସା ନେଇ କୁଆଡ଼େ କା ଘର ସାମ୍ନାରେ ମଦ ପିଇ ପାଟିତୁଣ୍ଡ କଲେ । ସେମାନେ ତାଙ୍କୁ ନିସ୍ତୁକ ମାଡ଼ ଦେଇ ସମୁଦ୍ର କୂଳରେ ଫୋପାଡ଼ି ଦେଇଥିଲେ । ତା'ପରଠୁ ଜ୍ୟୋତି ବିଷୟରେ ଏମିତି ଖବର ସବୁ ମିଳୁଥାଏ । ୟା' ଭିତରେ ଜ୍ୟୋତି ମିଶ୍ର ମରି ସାରିଛନ୍ତି ରାସ୍ତାରେ ଶସ୍ତା ମଦ ପିଇ । ଆଜି ହଠାତ୍ ଜ୍ୟୋତି ମିଶ୍ରଙ୍କ କଥା କହିବା ଓ ତାଙ୍କ କବିତା ପଢିବାର ଏ ସୁଯୋଗ ପାଠକଙ୍କ ସହ ଆମେ ବାଣ୍ଟୁଛୁ ।

ଜ୍ୟୋତି ମିଶ୍ରଙ୍କ କବିତା

ଯାତ୍ରୀ

ଫେରି ଆସିବାର କୌଣସି ସର୍ତ୍ତ ନଥାଏ ମୋର ।

ସେ ଭୂମି ହେଉ କି ହୃଦୟ
ଥରେ ବଢେଇ ସାରିଲା ପରେ ପାଦ
ସେଠି ଖାଁ ଖାଁ ରଟେ
ଇତିହାସର ଧୂସର ପାକୁଳି,
ସମୟର କାତର ହାତ
ଛୁଇଁପାରେନି କିଛି
ପବନ ହିଁ ସାଉଁଟିନିଏ ଏସବୁ ନୀରବରେ,
ମୋର ଅନୁପସ୍ଥିତିରେ ଜନ୍ମନିଏ ଗୋଟେ ମରୁଭୂମି !

କୌଣସି ବି ଉଜ୍ଜ୍ୱଳ ଭୋର
ଅଟକେଇ ପାରିନି ମତେ,
ସ୍ଥିର ରଖିପାରିନି
କୌଣସି ବି ମହୁଆ ଆଲିଙ୍ଗନ,
ଅହଂକାରୀ ଏକାକୀତ୍ୱକୁ ନେଇ
ଥରେ ଯାଇସାରିଲା ପରେ
ମୋ’ ପଛରେ ଢ଼େଉ ଭାଙ୍ଗେ
ଗତିହୀନ କିଛି କ୍ଲାନ୍ତ ଅନ୍ଧାର ।

ଆରମ୍ଭରୁ ଆରମ୍ଭହୀନ ମୁଁ ।

ନା’ ଘୃଣା, ନା’ ଆଶୀର୍ବାଦ
ଆରମ୍ଭରୁ ମୁଁ କିଛି
ଝଡ଼ ଓ ରହସ୍ୟ ।

ମୋ’ ଭିତରେ କେଉଁଟି ଗୋଟେ ଅରଣ୍ୟ,
ଯେଉଁଠି ଅନବରତ
ଗୋଟେ ଅଦୃଶ୍ୟ ଅଧିଷ୍ଠାନ,
ଯେଉଁଠି ହେଣ୍ଟାଳ ଓ କୁହୁତାନ,
ମୁଁ ପାଦ କାଢ଼ିବା ମାନେ
ଅନିବାର୍ଯ୍ୟ ଗୋଟେ ବିସ୍ଫୋରଣ !

ଏ ଗ୍ରହ ସହ
ମୋର କିଛି ରାଜିନାମା ନାହିଁ,
ଏଇ ପ୍ରତିନିୟତ
ଧ୍ୱଂସ ଆଡ଼କୁ ଚାଲୁଥିବା ଦେଶରେ
ମୋର ଲକ୍ଷ୍ୟସ୍ଥଳ ନାହିଁ,
ନାହିଁ ଏଇ କାଠ ଓ ପଥରର
ନିଷ୍ପ୍ରାଣ ମୁଖା ଆଗରେ
ମୋର କୌଣସି ପ୍ରାର୍ଥନା ।

ମୁଁ ତୁମର ନୁହେଁ
ପାଦହୀନ ଧୂଆଁ - ମଣିଷ ମାନେ,
ମତେ ରଖିବାକୁ ଚେଷ୍ଟା କର ନାହିଁ
ଗୈରିକ ନପୁସଂକ ଶ୍ଲୋକମାନେ ।
ମୁଁ କିଛି ନୀଳାଭ ଶୋଷ
ଆକାଶ ଉପରର ଆକାଶରେ
ମୋର କାଂକ୍ଷିତ ମେଘ,
ମୁଁ କିଛି ଅଦମ୍ୟ କ୍ଷୁଧା
ମାନଚିତ୍ର ପରର ମାନଚିତ୍ରରେ
ମୋର ଇପ୍‌ସାର ମୃଗୟା !

କେବେହେଁ ମରୁ ନ ଥିବା
ଆରମ୍ଭହୀନ ମୁଁ ଗୋଟେ ଭ୍ରୂଣ ,
କେବେହେଁ ଥକୁ ନ ଥିବା
କିନାରାହୀନ ମୁଁ ଗୋଟେ ଯାଯାବର,
କେବେହେଁ ପାହୁନଥିବା
ସମ୍ବିଧାନହୀନ ମୁଁ ଗୋଟେ ଭୋର୍‌,
କେବେହେଁ ସରୁନଥିବା
ମାନଚିତ୍ରହୀନ ମୁଁ ଗୋଟେ ଅନ୍ଧାର ।

ମତେ ଆଉ ଡାକ ନାହିଁ
ଦେଶ କି ମଣିଷ
ତୁମର ସୀମା ଓ ସଂକୀର୍ଣ୍ଣତାକୁ
ଯେହେତୁ ଥରେ ପାଦ କାଢିବା ପରେ
ଫେରି ଆସିବାର
କୌଣସି ସର୍ତ୍ତ ନଥାଏ ମୋର !

ମହ୍ଲାର

ଏଥର ଆସ
ଦୁରଂତ ମେଘକୁ ଡାକିବା
ଅର୍ପଣ କରିବା ଦୀର୍ଘଶ୍ୱାସ
ସମ୍ମୋହନର ଶୀର୍ଷାୟନରୁ ଉତ୍ସର୍ଗ କରିବା ଆୟୁଷ ଏ ମେଘ
ଆମ ପୂର୍ବଜଙ୍କର ଶିଳ୍ପୀଭୂତ ସ୍ୱପ୍ନ ଓ
ନଷ୍ଟ ଅତୀତର ହସ୍ତାକ୍ଷର ଏ ମେଘ ଇ ଗର୍ଭଗୃହ
କାଂକ୍ଷିତ କାରାବାସ
ପୁର୍ନଜନ୍ମର ପାପ କ୍ଷୁଧାର ଧୂସର ପରଂପରା
ଏଥର ଆସ
ମେଘ ମଂଥନ କରିବା
ଅପେକ୍ଷାହୀନ ଆକ୍ରୋଶ ରହୁ
ମେଘ ମାନେ ମରୁଭୂମି
ମାନେ ମହାକାଶ
ଏଇ ମଧୁର ଭ୍ରମର ଭ୍ରୁଣ ରହୁ
ମଂଥନ ପ୍ରତିଦାନ ଦେଉ
ବର୍ଷା କି ବିଭୀଷିକା
ଆଲିଂଗନର ଅଂଧ ଅଂଗୀକାର ବି ରହୁ !!

ନିର୍ଜନପଣ

ଅପେକ୍ଷାମାଣ ଜ୍ୱଳାମୁଖୀଟେ ମୁଁ
କେବେ ବିସ୍ଫୋଟ ହେବି ତ
ଜାଳିଦେବି ଅଜସ୍ର ମୁଖା
ଓ ମତେ !

ଏଠି ଜୀବନସହ ରାଜିନାମା ନାହିଁ
ପ୍ରସଙ୍ଗର ଅଭାବ ହିଁ
ମତେ ଅଟକେଇ ଦିଏ
ତୁମକୁ କିଛି ଲେଖିବାକୁ
କ’ଣ ଲେଖିବି ସତରେ ?

କେତେମାସ ହେଇଗଲା
ତୁମ ସହ ଖୋଲାଖୋଲି ଗପିନି ମୁଁ
ମୋ ଭିତରର
ସୁଗନ୍ଧିତ ଅଭାବବୋଧଟେ ତମେ
ତୁମେ ନାହିଁ ବୋଲି
ମୁଁ ବଂଚୁଛି କିଛି ଧୂସର ଅତୀତ
ଓ ନିରୋଳା ସ୍ମୃତିର ଉପାସନାରେ ।

ଏଠି ରାତିଅଧିଆ ଟ୍ରେନ୍‌ର
ହ୍ୱିସିଲ୍ ମତେ ଅନ୍ୟମନସ୍କ କରେ
ମୁଁ ଖୁବ୍ ଏକା ବଂଚେ
ମୋର ନିର୍ଜନପଣ, ନିରୀହ ଅହଂକାରରେ !

(ବହୁ ଚେଷ୍ଟା କରି ବି ଜ୍ୟୋତି ମିଶ୍ରଙ୍କ ଫଟୋଟିଏ ଯୋଗାଡ କରିହେଲା ନାଇଁ । ତାଙ୍କ କବିତା ଇ ତାଙ୍କର ଫଟୋଗ୍ରାଫ ବୋଲି ଧରି ନିଆଯାଉ ।)