ଫଟୋ - ୱିକିପିଡିଆ

ପ୍ରଣମ୍ୟ କବି ଜୟନ୍ତ ମହାପାତ୍ର ଏହି କବିଙ୍କର ଏକ ସଦ୍ୟ ପ୍ରକାଶିତ କବିତା ସଂକଳନର ମୁଖବନ୍ଧ ଲେଖିଛନ୍ତି । ସେଥିରେ କହିଛନ୍ତି: To me, Siva Reddy is a poet who uses language with the utmost care, almost as if he writes in whispers. xxx He talks from the heart. A humane voice indeed. ଏଇ କବି ହେଉଛନ୍ତି ଆମ ପ୍ରତିବେଶୀ ତେଲୁଗୁ ଭାଷାର ଯଶସ୍ଵୀ କବି କେ. ଶିବା ରେଡ୍ଡୀ (୧୯୪୩, ଗୁଣ୍ଟୁର) । ଇଂରାଜୀ ଭାଷା ସାହିତ୍ୟ ଅଧ୍ୟାପନାରୁ ସେବା ନିବୃତ । ୧୯୯୦ ମସିହାରେ "ମୋହନା, ଓଃ ମୋହନା" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୮ ମସିହାରେ "ପାକ୍କାକି ଓଟିଗିଲିତେ" (ନଇଁ ନଇଁ ବାଙ୍କଚାହାଣି) ସକାଶେ ସରସ୍ଵତୀ ସମ୍ମାନ ସହ କବୀର୍ ସମ୍ମାନ, ସମ୍ବଲପୁର ବି.ବିରୁ ଗଙ୍ଗାଧର ମେହେର ଜାତୀୟ ପୁରସ୍କାର ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ପୂର୍ବରୁ ତାଙ୍କ ଉପରେ ଫିଚର୍ ଲେଖିଛି, ତାଙ୍କର ବେଶ କେତୋଟି କବିତାର ଅନୁବାଦ କରିଛି । ଏବେ ତାଙ୍କରି ସସ୍ନେହ ସଦିଚ୍ଛା ଓ ସହମତିରେ ତାଙ୍କରି ନୂଆ କବିତା ସଙ୍କଳନରୁ ପାଞ୍ଚଟି କବିତାର ଅନୁବାଦ ଉପସ୍ଥାପନ କରୁଛି । - କ୍ଷୀରୋଦ ପରିଡା

ଟିକିଏ ସ୍ଵାଧୀନତା ଲୋଡ଼ା

ଲୋଡ଼ା ଟିକିଏ ସ୍ଵାଧୀନତା
ଝାପଟାଇବା ପାଇଁ ନିଜର ଡେଣା ଦୁଇଟି,
ଓଦା ପରଗୁଡ଼ିକରୁ ଚଞ୍ଚୁରେ ଝାଡ଼ିଦେଇ ବର୍ଷାପାଣି
ତିଆରି ହୋଇଯିବାକୁ ହେବ ଉଡ଼ାଣ ପାଇଁ

ଏପଟ ସେପଟ ଛାଟି ଗୋଡ ଦୁଇଟି
ଉପରକୁ ମୁଣ୍ଡ ଟେକିଦେଇ ଚାହିଁବା ପାଇଁ
ଗଛ ଗୁଡ଼ିକର ପତ୍ର ଆଡ଼କୁ
ମୁଣ୍ଡ ଉପରେ ପଡୁଥିବା ବେଳେ
ବର୍ଷା ବିନ୍ଦୁମାନ ଟୁପ୍ ଟାପ --
ଟିକେ ଚଉଡ଼ା କରିଦେବାକୁ ନାକପୁଡ଼ା
ଆଉ ଧୀରେ ଧୀରେ ବହୁଥିବା ପବନରୁ
ଟାଣି ନେବାକୁ ନିଃଶ୍ୱାସ ପ୍ରଶ୍ୱାସ ପାଇଁ
ଲୋଡ଼ାଥିବା ବାୟୁ --
ଲୋଡ଼ା ଟିକିଏ ସ୍ଵାଧୀନତା

ଟିକିଏ ସ୍ଵାଧୀନତା ଲୋଡ଼ା --
ଖାଲି କହିଦେବା ପାଇଁ
ମଣିଷକୁ ମଣିଷ
ପଶୁଟିକୁ ପଶୁ
ଲୋଡ଼ା ଟିକିଏ ସ୍ଵାଧୀନତା
ରାତିକୁ କହିବାକୁ ରାତି
ଦିନକୁ କହିବାକୁ ଦିନ --

ଲୋଡ଼ା ଟିକିଏ ସ୍ଵାଧୀନତା
ଝପଟାଇବା ଦେବା ପାଇଁ ଡେଣା ଦୁଇଟି
ଆକାଶରେ ଆରମ୍ଭ କରିବାକୁ ଉଡ଼ାଣ --

କାଦୁଅ

କାଦୁଅର ନାହିଁ
ମରଣର ବି ଅଧିକାର
ସେ ବଞ୍ଚିରହିବାକୁ ବାଧ୍ୟ
ଅପନ୍ତରାରେ,
କାଦୁଅ ଜାଣଇ ଶ୍ରମର ସୌନ୍ଦର୍ଯ୍ୟ
ତାହାର ନାହିଁ ମୂକ ହୋଇଯିବାର କ୍ଷମତା
ନାହିଁ ବି ଅଧିକାର ନୀରବତାର ।

କାଦୁଅ ହିଁ ତିଆରି କରେ ନାଳ
କ୍ଷେତ ମୁହଁରେ ଖେଳାଇ ଦେବାକୁ ହସର ଜୁଆର
ଲଙ୍ଗଳକୁ ଦିଏ ଛୋଟ ଏକ ଅର୍ଥ - ଅଧିକାର
କେବେ ବି କୋଉ ଲୋକର
କର୍ତ୍ତୃତ୍ଵକୁ କରେନାହିଁ ଅସ୍ୱୀକାର,
କାଦୁଅ - ନିଜ ହାତଗୋଡ ବାନ୍ଧି
ସାରା ଜଗତକୁ କରିଥାଏ ପ୍ଲାବିତ
ଆଉ ନିଜେ କେବେ ବି କରେନାହିଁ ଜାହିର ଯେ
ସେ ହେଉଛି ପାଣିର ମୂଳ ସୂତ୍ରଧର

ଏ ପୃଥ୍ୱୀ
ବଞ୍ଚି ରହେ, ବଢି ଚାଲେ
ତିଷ୍ଠି ରହେ ସାରା ପ୍ରାଣୀ ଜଗତ
ଗଛବୃକ୍ଷ, ମୂର୍ତ୍ତ ଅମୂର୍ତ୍ତ
ସବୁରି ରହିଛି ଦାବି
ଭରପୂର ବଞ୍ଚି ରହିବାର,
କାହାରି ବି ନାହିଁ ଜୀବନ ଛଡାଇ ନେବାର
ସାମାନ୍ୟତମ ଅଧିକାର ।

କୁକୁର

ଭୁକିବା ତାଙ୍କରି ପ୍ରକୃତି
ଆମକୁ ଦିଶେନି ପୃଥ୍ୱୀ
ସେମାନଙ୍କୁ ଦିଶିଥାଏ ବିପତ୍ତି
ସେମାନେ ରହନ୍ତି ଜାଗ୍ରତ
ସେମାନେ ଉଠାଇ ଦିଅନ୍ତି ଆମକୁ
ନିଦରେ ଘଟାଇ ବ୍ୟାଘାତ --

ସତକଥା, ସେମାନେ ଆମ ନିଦ ପାଇଁ
ହୋଇଥାନ୍ତି ଶରବ୍ୟ,
ସେମାନେ କିନ୍ତୁ କରିଚାଲିଥାନ୍ତି
ତାଙ୍କରି କର୍ତ୍ତବ୍ୟ

ଏଇ କୃତଘ୍ନ ପୃଥ୍ଵୀରେ
ସେମାନେ ହିଁ କେବଳ କୃତଜ୍ଞ

ସେମାନେ ଲେଖନ୍ତି
କେତେ ଚମତ୍କାର କବିତା,
ଆମେ ଯଦି ସେସବୁ ବୁଝି ପାରନ୍ତେ
ସତରେ କେତେ ଭଲ ହୁଅନ୍ତା !!

ସଜୀବ ସତ୍ତା

ହାତ ମୁଠାରେ ଛୋଟିଆ ବହି ଖଣ୍ଡେ
ଟିକି ଚଢ଼େଇଟିଏ ପରି
ତାକୁ ପଢ଼ିବା ପାଇଁ ନୁହେଁ,
ସେ ତ ପ୍ରବାହିତ ହୋଇଯାଏ ସାରା ଦେହରେ
ବିଜୁଳି ସ୍ରୋତ ପରି --
ଏ ବିଜୁଳିର ରହିଛି ଏକ ଭାଷା
ରହିଛି ତାହାର ଆଳାପଚାରିତାର କ୍ଷମତା
ଯଦି ଚାହିଁବ ତାକୁ ପଢ଼ିବାକୁ
ସହଜରେ ବୁଝି ହୋଇଯିବ ସବୁତକ କବିତା ।

ଯେଉଁ ଭାଷାର ଭାଷା ଇ ନାହିଁ
ତହିଁରେ ବି ବୁଝି ଯାଇହେବ
ନୀରବତାର କଥୋପକଥନ,
କବିତା ନୁହଁଇ କେବେ ଏକ ଅଳଙ୍କାର
ଇଏ ତ ଏକ ସତ୍ତା ମଣିଷର !!

ତମେ ଲେଖିଲ କବିତାଟିଏ

ତମେ ଲେଖିଲ କବିତାଟିଏ
ତାହା ଉଡ଼ିଗଲା ଆକାଶକୁ
ମୁଁ କେମିତି ଅବା ପଶି ପାରିଥାନ୍ତି ତା ଭିତରକୁ
କଳ୍ପନାର ଡେଣା ବ୍ୟତୀତ --

ତମେ ଯଦି ଲେଖିଥାନ୍ତ ତାହାର ଅର୍ଦ୍ଧେକ
ମୋତେ ପୂରଣ କରିବାକୁ ହୋଇଥାନ୍ତା
ତାହାର ଶେଷାର୍ଦ୍ଧ ।

ପ୍ରତିଟି କବିତା ଅପୂର୍ଣ୍ଣ
ମୋତେ ଦେବାକୁ ହୋଇଥାଏ ତାହାରି ପରିପୂର୍ଣ୍ଣତା
କେହି ଜଣେ ଯାହା ବି କିଛି ଦିଏ,
ତହିଁରେ ଥାଏ ଅପୂର୍ଣ୍ଣତା
ଆମକୁ କରିବାକୁ ହୁଏ ତାହାକୁ ପୂର୍ଣ୍ଣ
ବୁଝିବାକୁ ହୁଏ ତାହାରି ଜୀବନ !

ଏଇଠି ରହିଛି ଶବ୍ଦଟିଏ
ଉଠାଇ ନିଅ ତାକୁ
ସେଥିରେ ତିଆରି କର ବସାଟିଏ
ଯେଉଁଠି ଉସୁମାଇବାକୁ ହେବ ଅଣ୍ଡା
କେହି ଜଣେ, ଅବା ବହୁ ଲୋକଙ୍କ ଦ୍ୱାରା
ଯେତେବେଳେ ହେବ ସେ ଲାଳିତ
ସେ ଉତୁରି ଠିଆ ହୋଇଯିବ ଯୌବନରେ
ଆଉ ଆରମ୍ଭ କରିଦେବ ଗାଇବାକୁ
ତାହାରି ଜୀବନ ସଙ୍ଗୀତ ।

ଅଧରାତି

ଅଧରାତିରେ ଯେତେବେଳେ ଢୁଳାଇ ପଡ଼ନ୍ତି
ଗଛ ଗୁଡ଼ିକ ଅନ୍ଧାରରେ, ମୋତେ ଖୁବ୍ ଭଲ ଲାଗେ
ପାଣି ଭିତରେ ଜହ୍ନ ଆଲୁଅରେ ଅଙ୍କାବଙ୍କା ହୋଇ
ତିଆରି ହୋଇଯାଏ ତାଙ୍କରି କେତେ ନୂଆ ଝଲକ --
ଏକ ନୂଆ ଛାଇ ଆଲୁଅର ଖେଳ

ମୋରି ସମୟ ନିଅଣ୍ଟ ବେଳରେ
ଏମିତି ପାଣି ବୁନ୍ଦା, ଗଛର ପତ୍ରଫାଙ୍କ,
ପିଲାଙ୍କ ଓଠରେ କ୍ଷୀରପାନର ସ୍ବପ୍ନ ପାଇଁ
ମୁଁ କରିଥାଏ ପ୍ରାର୍ଥନା ସେତିକିବେଳେ
ସଦାବେଳେ କେହି ଖେଳୁଥାଏ
ଫାଟକ ସହ କୌତୁକରେ
ଫାଟକର ଦୁଇ ଖୁମ୍ବ ଉପରେ ଜଳୁଥାଏ
ଦୁଇଟି ବତି -- ଠିକ୍ ଦୁଇଟି କବିତା ପରି,
ମୃଦୁ ପବନରେ ଦୁଇଟି ପାଚିଲା ଡାଳିମ୍ବ ପରି
ଦୋହଲୁଥାଏ ମୋ ସହିତ ତାଳ ଦେଇ
ସାମାନ୍ୟ ବିରତିରେ
ଆଉ ପବନ ସଜୀବ ପ୍ରାଣୀଟିଏ ପରି
ଗାଉଥାଏ ଆପଣା ସଙ୍ଗୀତ

କାହାରି ସହ ଅନ୍ତରଙ୍ଗ ନ ହୋଇ
ମୁଁ ହୋଇଯାଏ ଏକାନ୍ତ ତାହାରି
କହି ଦେଇଥାଏ, ଦେଖ, ମୋର ନାହିଁ
କିଛି ଇ ପ୍ରତ୍ୟାଶା -- କାହାରି ଠାରୁ କିଛି ବି
ମୋର କେବଳ ଅଭିପ୍ସା ଭାଙ୍ଗି ଦେବାକୁ
ଗୋଟିଏ ଗୋଲକ ଦୁଇ ଖଣ୍ଡରେ
ମୁଁ ବସିଥାଏ ଖୁବ୍ ସ୍ବଛନ୍ଦରେ
ମୋରି ଗୋଟେ ପଟେ ସୂର୍ଯ୍ୟ
ଆଉ ଆରେକରେ ଥାଆନ୍ତି ଚନ୍ଦ୍ର

ଅଧରାତିରେ ଗଛସବୁ ଢୁଳାଇ ପଡ଼ିଲେ
ମୁଁ ଭରୁଥାଏ ପାଣି ଆଞ୍ଜୁଳା ଆଞ୍ଜୁଳା
ଆଉ କବିତାଟିଏ ଉଠି ଆସୁଥାଏ
ସଜଳ ସତେଜ ହୋଇ
କୌତୁକରେ ପାଣି ଭିତରୁ !!