ଫଟୋ - "ଇନ୍ ଦ ଆବସେନ୍ସ ଅଫ୍ ଜଗନ୍ନାଥ" ପୁସ୍ତକ

ଓଡ଼ିଆ ପାଞ୍ଜି ଅନୁସାରେ ଜ୍ୟେଷ୍ଠପୂର୍ଣ୍ଣିମା ହେଉଛି ଦେବସ୍ନାନ ପୂର୍ଣ୍ଣିମା । ଗାଁ ଗହଳରେ ଦେ ସିନାନ ପୁନେଇଁ ବି କୁହନ୍ତି । ରତ୍ନବେଦୀରୁ ବାହାରି ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନ ସ୍ନାନ ବେଦୀରେ ସ୍ନାନ କରନ୍ତି । ଅଧିକା ଗାଧେଇବା ଦ୍ୱାରା ଦିଅଁ ମାନେ ଅସୁସ୍ଥ ବି ହେଇ ପଡ଼ନ୍ତି । ଦିଅଁ ମାନଙ୍କୁ ଜ୍ୱର ହେଇଯିବାରୁ, ସେମାନେ ଅଣସରରେ ପୁରା ପନ୍ଦରଦିନ ରୁହନ୍ତି । ଔଷଧ ମୂଳିକା ଖାଇବାକୁ ଦିଆଯାଏ । ଗୁପ୍ତ ସେବା ଚାଲେ । ଏଇ ପନ୍ଦରଦିନ ସମୟ ତକ ଠାକୁରମାନଙ୍କୁ ଦର୍ଶନ କରାଯାଇ ପାରେନି ।

ରାଜା ଅନଙ୍ଗଭୀମ ଦେବ ତାଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିରରେ ଛତିଶ ନିଯୋଗ ସେବକମାନଙ୍କ ନିଯୁକ୍ତି କରିଥିଲେ ବୋଲି କୁହାଯାଏ । ରାମଚନ୍ଦ୍ର ଦେବ (୧ମ)ଙ୍କ ରାଜତ୍ୱ କାଳରେ ଲେଖାଯାଇଥିବା ଶ୍ରୀ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ସେବକ ଖଟଣି ନିଯୋଗ କର୍ମାଙ୍ଗୀରେ ଛତିଶ ନିଯୋଗ ସେବା ସମ୍ପର୍କରେ ଅନେକ କଥା ଲେଖାଯାଇଛି । ପାଟ୍ଟଯୋଷୀ ହେଉଛନ୍ତି ଛତିଶ ନିଯୋଗର ନାୟକ । ଇଂରେଜମାନେ ଓଡ଼ିଶା ଆସିଲା ବେଳକୁ ଏଇ ସେବା ସଂଖ୍ୟା ୨୫୦ ହେଇସାରିଥିଲା । ଶ୍ରୀମନ୍ଦିରର ସେବା ମଧ୍ୟରୁ ଅଧିକାଂଶ ବଂଶାନୁକ୍ରମିକ । ତାଲିକାରେ ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୂଦ୍ର ବର୍ଣ୍ଣର ସେବକ ଅଛନ୍ତି । ୧୯୫୨ ରାଜ୍ୟ ସରକାରଙ୍କ ତାଲିକା ଅନୁସାରେ ତାଲିକାରେ ୧୧୯ ସେବା ଓ ସେବକ ଅଛନ୍ତି । ସେଇ ତାଲିକା ଭିତରେ ଚିତ୍ରକାର ସେବା ମଧ୍ୟ ରହିଛି । ଶ୍ରୀ ଜଗନ୍ନାଥ ମନ୍ଦିର ଅଧିକାର - ଅଭିଲେଖ (ତୃତୀୟ ଭାଗ)ରେ ୮୭ ନମ୍ବର ସେବା ତାଲିକାରେ ଚିତ୍ରକର ସେବାର ଉଲ୍ଲେଖ ରହିଛି । ଚିତ୍ରକାରମାନେ ହେଲେ ଶାଢ଼ୀବନ୍ଧା ଶୂଦ୍ର ସେବକ । ସାରା ବର୍ଷ ମନ୍ଦିରରେ ସେମାନଙ୍କର କିଛି ନା କିଛି ସେବା ଥାଏ ।

ଅଣସର ସମୟରେ ପଟି ଦିଅଁ ମାନଙ୍କର ପୂଜା କେତେ ପ୍ରାଚୀନ ତାହା ନିର୍ଦ୍ଧିଷ୍ଟ ଭାବରେ କୁହାଯାଇ ନପାରିଲେ ମଧ୍ୟ ସପ୍ତଦଶ ଶତାବ୍ଦୀରେ ରଚିତ ‘ନୀଳାଦ୍ରୀ ମହୋଦୟ’ରେ ଏ ନେଇ ବର୍ଣ୍ଣନା ରହିଛି । ‘ନୀଳାଦ୍ରୀ ମହୋଦୟ’ରେ ସୁଦର୍ଶନଙ୍କ ସୂଚନା ଥିଲେ ମଧ୍ୟ ଅନେକ ବର୍ଷ ହେଲାଣି ଅଣସର ପଟିରେ ସୁଦର୍ଶନ ଅନୁପସ୍ଥିତ ଅଛନ୍ତି ।

ଚିତ୍ରକାରମାନେ ଅନ୍ୟ ଚିତ୍ରକାମ କରୁଥିଲେ ମଧ୍ୟ ଦାରୁ ବିଗ୍ରହମାନଙ୍କୁ ଚିତ୍ରେଇବାର ଅଧିକାର ପାଇନାହାନ୍ତି । ଏ ସେବା ସବୁ ମୁଖଶିଙ୍ଗାର ସେବକମାନଙ୍କ ଦ୍ୱାରା ସମ୍ପାଦିତ ହୁଏ । ସେମାନଙ୍କୁ ଦତ୍ତ ମହାପାତ୍ର ସେବକ ବୋଲି କୁହାଯାଏ । ସେମାନେ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ଓ ଚିତ୍ର କାମ କରିଥା’ନ୍ତି । କୁହାଯାଏ ଆଗରୁ ଚିତ୍ରକାରମାନେ ଏଇ ସେବାଟି କରୁଥିଲେ । କିନ୍ତୁ ଥରେ କୁଆଡେ଼ ଜଣେ ଚିତ୍ରକର ସେବକ ମଦ୍ୟପାନ କରି ଓ ଆମିଷ ଭକ୍ଷଣ କରି ଶ୍ରୀମୁଖ ଶୃଙ୍ଗାର କଲେ । ସେଦିନ ରାତିରେ ସ୍ୱୟଂ କଳା ଠାକୁର ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ଯେ, ଏଣିକି ତାଙ୍କର ଏ ଗୁପ୍ତ ସେବା ଦତ୍ତ ମହାପାତ୍ର କରିବେ । ନୀତି ନିୟମ ମାନୁନଥିବା ଚିତ୍ରକାରଙ୍କୁ ଏଇ ଗୁପ୍ତ ସେବାରୁ ଅନ୍ତର କରାଯାଉ । ସେଦିନରୁ ଶୁଦ୍ର ଚିତ୍ରକାରମାନଙ୍କୁ ଶ୍ରୀଅଙ୍ଗ ସ୍ପର୍ଶର ଅଧିକାର ଆଉ ମିଳିଲାନି । ଦତ୍ତ ମହାପାତ୍ର ହେଲେ ଦଇତା ଶ୍ରେଣୀର ସେବକ । ଦତ୍ତ ମହାପାତ୍ରଙ୍କ ସେବା କଥା କର୍ମାଙ୍ଗୀରେ ଲେଖା ଅଛି । ଏମାନେ ପ୍ରତି ରବିବାର ମଙ୍ଗଳ ଆଳତୀ ପରେ ଅଧର ପୋଛା ନୀତି ସେବା କରନ୍ତି ଓ ପ୍ରତି ଗୁରୁବାର ଅବା ବୁଧବାର ମଧ୍ୟାହ୍ନ ଧୂପ ଓ ଦିବାପହୁଡ଼ ଆଳତୀ ପରେ ବନକଲାଗି ନୀତି କରନ୍ତି । ଆଠଟି ରୂପା ଶଢେ଼ଇରେ ଶଙ୍ଖ, କଳା, ହେଙ୍ଗୁଳ ଓ ହରିତାଳରେ କଇଥ ଅଠାର ମିଶ୍ରଣ କରାଯାଏ । ପ୍ରଥା ଅନୁସାରେ ପ୍ରଥମେ ବଳଭଦ୍ର, ତାପରେ ଜଗନ୍ନାଥ ଓ ତାପରେ ମା ସୁଭଦ୍ରାଙ୍କ ବନକ ଲାଗି କାର୍ଯ୍ୟ ସମ୍ପନ୍ନ କରାଯାଏ । ଅଣସର ସମୟରେ ତ୍ରୟୋଦଶୀର ରାତିରେ ପୁରା ତିନି ଦିନ ଧରି ବନକ ଲାଗି ସେବା କରାଯାଏ । ସ୍ନାନପୂର୍ଣ୍ଣିମା ପରଠୁ ଦିଅଁମାନଙ୍କୁ ଆଉଥରେ ଚିତ୍ରାଇ ପ୍ରସ୍ତୁତ କରାଯାଏ । ବନକ କାମ ଶେଷ ହେଲା ପରେ ଦାରୁ ଦେବତାମାନଙ୍କୁ ଭକ୍ତମାନେ ଦର୍ଶନ କରନ୍ତି । ତାହାକୁ ନବ ଯୌବନ ଦର୍ଶନ କୁହାଯାଏ । ତାପରେ ରଥଯାତ୍ରା ।

ଅଣସର ସମୟରେ ଠାକୁରମାନେ ଅଣସର ପିଣ୍ଡିରେ ଚିତ୍ରିତ ହେଉଥିବା ବେଳେ ଚନ୍ଦନ ଅର୍ଗଳୀ ଠାରେ ତିନି ଠାକୁରଙ୍କ ଚିତ୍ର ବା ପଟି ଦିଅଁ ପୂଜା ପାଉଥା’ନ୍ତି । ପଟି ଉପରେ ଅଙ୍କିତ ଦେବତାମାନଙ୍କୁ ପଟି ଦିଅଁ କୁହାଯାଏ । ଦାରୁ ଦେବତା ଅସୁସ୍ଥ ହେଇ ଅଣସରରେ ଥିବାରୁ ଭକ୍ତମାନେ ପଟି ଦିଅଁଙ୍କୁ ଦର୍ଶନ କରନ୍ତି । ଚିତ୍ରକାରମାନଙ୍କୁ ସ୍ନାନପୂର୍ଣ୍ଣିମାର ଦୁଇ ସପ୍ତାହ ଆଗରୁ ମନ୍ଦିର ପକ୍ଷରୁ ଅଣସର ପଟି ତିଆରିବାକୁ ଦାୟିତ୍ୱ ଦିଆଯାଇଥାଏ । ସେଥିପାଇଁ ମୂଖ୍ୟ ଚିତ୍ରକାର ସେବକଙ୍କ ଶାଢ଼ୀବନ୍ଧା ହୋଇଥାଏ । ଗଜପତି ରାଜାଙ୍କ ରାଜଗୁରୁ ବରିଷ୍ଠ ଚିତ୍ରକାରଙ୍କ ମଥାରେ ଶାଢ଼ୀ ବାନ୍ଧି ପଟି ଅଙ୍କାର ଦାୟିତ୍ୱ ଦେଇଥା’ନ୍ତି ।

ପୁରୀ ସହର ଓ ତା’ର ଆଖପାଖରେ ଅନେକ ଚିତ୍ରକାର ପରିବାର ରହୁଥିଲେ ମଧ୍ୟ କେବଳ ତିନି ପରିବାରକୁ ମନ୍ଦିରରେ ସେବା କରିବାର ସୁଯୋଗ ମିଳିଥାଏ । ଅକ୍ଷୟ ତୃତୀୟା ଦିନ, ଯେଉଁଦିନ ରଥ ଗଢ଼ା ଅନୁକୁଳ ହୁଏ ସେହିଦିନରୁ ଅଣସର ପଟି ଅଙ୍କାର ପକ୍ରିୟା ଆରମ୍ଭ ହୁଏ । ଚିତ୍ରକାରମାନଙ୍କୁ ଚିତ୍ର କରିବା ପାଇଁ ମନ୍ଦିରରୁ ଧଳା କପଡ଼ା ଓ ଅଳ୍ପ କିଛି ଅର୍ଥ ଦିଆଯାଏ ।

ପଟି ଦିଅଁଙ୍କ ଚିତ୍ର ଅଙ୍କନ ସମୟରେ ଚିତ୍ରକାରମାନଙ୍କୁ ଅନେକ ଗୁଡେ଼ ନୀତି ନିୟମ ଓ ସଞ୍ଜମତା ଆଚରଣ କରିବାକୁ ହୁଏ । ମୁଖ୍ୟ ଚିତ୍ରକାର ଓ ତାଙ୍କ ପତ୍ନୀ ମିଶି ତେନ୍ତୁଳି ମଞ୍ଜି ଅଠା ଓ ଖଡ଼ି ମିଶାଇ ମନ୍ଦିରରୁ ମିଳିଥିବା ଧଳା କପଡ଼ାରେ ପାରମ୍ପରିକ ଉପାୟରେ ପଟି ତିଆରି କରନ୍ତି । ପରମ୍ପରା ଅନୁସାରେ ଚିତ୍ରକାରଙ୍କ ପତ୍ନୀ ଶାମୁକାରୁ ଧଳା ଓ ଦୀପରୁ କଳା ରଙ୍ଗ ତିଆରି କରିଥା’ନ୍ତି । ଘର ଧୂଆ ପୋଛା ହୁଏ । ପକ୍କା ଘର ଚୁନ ଧଉଳା ଯାଏ ଓ ମାଟି ଘର ଲିପା ଯାଏ । ଅଣସର ପଟି ତିଆରି ସମୟରେ ଚିତ୍ରକାର ବିନା ବିଛଣାରେ ତଳେ ଶୁଅନ୍ତି, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଶାରିରୀକ ସମ୍ପର୍କ, ଆମିଷ ଓ ନିଶା ଦ୍ରବ୍ୟ ସେବନ ମଧ୍ୟ ନିଷେଧ ଥାଏ । ଏମିତିକି ଖାଦ୍ୟରେ ପିଆଜ ଓ ରସୁଣ ବ୍ୟବହାର ହୁଏନି । ଚିତ୍ର ପାଇଁ ରଙ୍ଗ ତିଆରିରେ ଘରର ମହିଳାମାନଙ୍କର ବିଶେଷ ଭୂମିକା ଥିଲେ ମଧ୍ୟ ଚିତ୍ର ଅଙ୍କା ସମୟରେ ସେମାନେ ଉପସ୍ଥିତ ରହିବା ନିଷେଧ ରହିଛି । ବିଶ୍ୱାସ କରାଯାଏ, ଏହି ସମୟରେ ସ୍ୱୟଂ ଠାକୁରମାନେ ଚିତ୍ରକାରଙ୍କ ଘରେ ବିଜେ ହୁଅନ୍ତି । ଚିତ୍ର ଅଙ୍କନ ପାଇଁ ତିଆରି ପଟିକୁ ନିର୍ଦ୍ଧିଷ୍ଟ ଆକାରରେ କଟାଯାଏ । ପୁରୀରେ ଅଙ୍କିତ ଅଣସର ପଟି ତିନୋଟିର ଆକାର ପାଖାପାଖି ୧୧୮ ଗୁଣନ ୯୭ ସେଣ୍ଟିମିଟର ହେଇଥାଏ । ପଟିର ଆକାର ଚିତ୍ରକାରଙ୍କ କାନ୍ଥରେ ଆଗରୁ ଚିହ୍ନଟ ହୋଇ ରହିଥାଏ । ତାପରେ ଚିତ୍ରକାର ପଟି ଉପରେ ଦିଅଁ ମାନଙ୍କର ପ୍ରାରମ୍ଭିକ ସ୍କେଚ୍ ବା ଟିପଣା କରନ୍ତି । ମୁଖ୍ୟ ଚିତ୍ରକାରଙ୍କୁ ତାଙ୍କ ପରିବାରର ଅନ୍ୟ ପୁରୁଷ ସଦସ୍ୟମାନେ ଓ ଅନ୍ୟ ଚିତ୍ରକାରମାନେ ସହଯୋଗ କରନ୍ତି । ଚିତ୍ରରେ କେବଳ ପାରମ୍ପରିକ ରଙ୍ଗ ହିଁ ବ୍ୟବହାର କରାଯାଏ । ପୁରୀ ଭିନ୍ନ ଅନ୍ୟ ସ୍ଥାନରେ କିନ୍ତୁ ପଟିର ଆକାର ଯଥେଷ୍ଟ ସାନ ହେଇଥାଏ ।

ଅଣସର ପଟି ସବୁ ଜଗନ୍ନାଥ ମନ୍ଦିରକୁ ଯିବା ଆଗରୁ ଚିତ୍ରକାରଙ୍କ ଘର କାନ୍ଥରେ ଟଙ୍ଗାଯାଏ । ସ୍ନାନ ପୂର୍ଣ୍ଣିମାରେ ଯାଇଁ ମୁଖ୍ୟ ଚିତ୍ରକାରଙ୍କ ଦ୍ୱାରା ଦିଅଁଙ୍କର ଚକ୍ଷୁଦାନ କରାଯାଏ । ସେଇଠି ବ୍ରାହ୍ଣଣଙ୍କ ଦ୍ୱାରା ପୂଜା ଅର୍ଚ୍ଚନା ମଧ୍ୟ କରାଯାଏ । ଘରର ସମସ୍ତ ପୁରୁଷ ଓ ନାରୀମାନେ ମିଶି ଭୋଗ ରାଗ ଓ ଧୂପ ଦେଇ ଦିଅଁଙ୍କ ପୂଜାରେ ଭାଗ ନିଅନ୍ତି । ସେଦିନ ସଞ୍ଜରେ ଶ୍ରୀମନ୍ଦିରରୁ ଛତ୍ରୀ, ଘଣ୍ଟା, କାହାଳୀ ଓ ଆଜ୍ଞା ମାଳ ଧରି ଅନ୍ୟ ସେବକ ମାନେ ପହଞ୍ଚନ୍ତି । ସେମାନେ ଚିତ୍ରକାରଙ୍କ ପାଇଁ ମନ୍ଦିରରୁ ପ୍ରସାଦ ଆଣିଥା’ନ୍ତି । ଏଥର ମୂଖ୍ୟ ଚିତ୍ରକାର ଘରର କାନ୍ଥରେ ଶୋଭା ପାଉଥିବା ଦିଅଁଙ୍କୁ କାନ୍ଥରୁ ଓହ୍ଲାଇ ଯତ୍ନର ସହ ଗୁଡେ଼ଇ ଧରି ଅନ୍ୟମାନଙ୍କ ସହ ମନ୍ଦିରକୁ ଚାଲନ୍ତି । କାହାଳୀ ଓ ଘଣ୍ଟା ବାଜେ ଓ ଚିତ୍ରକାର ଛତ୍ରୀ ତଳେ ପଟି ଦିଅଁଙ୍କୁ ହାତରେ ଧରି ବାଟ ଚାଲନ୍ତି ।

ପୁରୀରେ ଅଲଗା ଅଲଗା ଚିତ୍ରକାର ଅଲଗା ଅଲଗା ପଟି ଦିଅଁ ଅଙ୍କନ କଲାବେଳେ ପୁରୀ ଭିନ୍ନ ଅନ୍ୟ ଗଡ଼ଜାତିଆ ଜଗନ୍ନାଥ ମନ୍ଦିରମାନଙ୍କରେ ଜଣେ ଜଣେ ଚିତ୍ରକାରଙ୍କୁ ସବୁ ଦିଅଁଙ୍କ ଚିତ୍ର କରିବାକୁ ହୁଏ । ପ୍ରାୟତଃ ଏହି ଚିତ୍ରକାରମାନେ ଆଜିକାଲି କେବଳ ମନ୍ଦିର ସେବା ଭାବରେ ବର୍ଷକୁ ଥରେ ଅଣସର ପଟି ତିଆରି କରନ୍ତି ଓ ନାମକୁ ମାତ୍ର ପାରିଶ୍ରମିକ ପାଆନ୍ତି । କିଛିମାସ ତଳେ ଚିତ୍ରଶିଳ୍ପୀ ରାମହରି ଜେନା ଦିଗପହଣ୍ଡି ଯାଇଥିଲେ ଓ ସେଠାର ଚିତ୍ରଶିଳ୍ପୀଙ୍କ ସହ ମିଶିଥିଲେ । ସେ ମଧ୍ୟ ସେଇ ଏକା କଥା କହୁଥିଲେ । ସେଠି ସେ ଶିଳ୍ପୀ ଜଣକ ବର୍ଷକୁ ଥରେ ମାତ୍ର ଏଇ ଅଣସର ପଟି ଆଙ୍କୁଛନ୍ତି । ପାରିଶ୍ରମିକ ପାଇଁ ନୁହେଁ, କେବଳ ଦିଅଁଙ୍କ ସେବା ବୋଲି କରିବା କଥା । କିନ୍ତୁ ପର ପିଢ଼ୀର ପିଲାଏ ଆଉ ଏ ପରମ୍ପରାକୁ ଆଗକୁ ନେବାକୁ ଇଚ୍ଛା କରୁନାହାଁନ୍ତି ।

ପଟି ଦିଅଁମାନେ ଶ୍ରୀ ମନ୍ଦିରରେ ପହଞ୍ଚିଲା ପରେ ସେମାନଙ୍କୁ ବାଉଁଶ ତାଟିରେ ଦରଜୀ ସେବକଙ୍କ ଦ୍ୱାରା ଝୁଲାଇ ଦିଆଯାଏ । ପଟି ଦିଅଁଙ୍କୁ ମନ୍ତ୍ର ସ୍ନାନ କରାଇ ସେଥିରେ ପ୍ରାଣ ସଞ୍ଚାର କରାଯାଏ । ପ୍ରାଣ ସଞ୍ଚାର ପରେ ଏଥର ପଟି ଦିଅଁମାନେ ପୁରା ଦୁଇ ସପ୍ତାହ ପାଇଁ ମୁଖ୍ୟ ଦେବତା ହୋଇଯାଆନ୍ତି । ସେପଟେ ଅଣସର ପିଣ୍ଡିରେ ଦାରୁ ଦେବତା ମାନଙ୍କୁ ଜ୍ୱରରୁ ସୁସ୍ଥ କରିବାକୁ ବିଭିନ୍ନ ଔଷଧି ଦିଆଯାଉଥାଏ ।

ଦାରୁ ଦିଅଁ ମାନଙ୍କର ହାତ ଗୋଡ଼ ନଥିବା ବେଳେ ପଟି ଦିଅଁ ମାନେ ପଦ୍ମାସନା । ପଟିଦିଅଁରେ ଜଗନ୍ନାଥ ହେଉଛନ୍ତି ନାରାୟଣ, ବଳଭଦ୍ରଙ୍କୁ ବଳରାମ ବା ଶେଷଦେବ ଓ ସୁଭଦ୍ରାଙ୍କୁ ଭୂବନେଶ୍ୱରୀ କୁହାଯାଏ । ତିନି ବଡ଼ ପଟିଙ୍କ ସହ ପତିତପାବନଙ୍କ ପାଇଁ ମଧ୍ୟ ଏକ ସାନ ଆକାରର ପଟି ଅଙ୍କନ କରାଯାଇଥାଏ ।

ନାରାୟଣ ପଟିରେ ଦିଅଁଙ୍କ ଦେହ କଳା ରଙ୍ଗରେ ଚିତ୍ରିତ ହେଇଥାଏ । ଠାକୁର ପଦ୍ମାସନରେ ବସନ୍ତି । ଚାରି ହାତରେ ସେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥା’ନ୍ତି । ଗୋଲ ମୁହଁରେ ସମ୍ୟକ ଦାଢ଼ି ଓ ଅଗ୍ନିଶିଖା ପରି ନିଶ ଧଳା ରଙ୍ଗରେ ଅଙ୍କାଯାଇଥାଏ । ବିଭିନ୍ନ ଅଳଙ୍କାର ଶୋଭିତ ହୋଇ ସେ ହଳଦୀ ରଙ୍ଗର ଧୋତି ପରିଧାନ କରିଥା’ନ୍ତି । ଅଳଙ୍କାର ପତ୍ର ହଳଦୀ ଓ ଲାଲ ରଙ୍ଗରେ ଅଙ୍କାଯାଏ । କପାଳରେ ରୁହେ ବିଷ୍ଣୁ ଚିତା ଓ ନାକ ଉପରେ ରୁହେ ରାମାନନ୍ଦୀ ଚିତା । ଛାତିରେ ଅଙ୍କା ଯାଇଥାଏ ଶ୍ରୀବସô ପାଦ, କାନ୍ଧରେ ନଅ ଖିଅ’ର ପଇତା । ପଟିର ନିମ୍ନ ଭାଗରେ ସାତ ଜଣ ଭକ୍ତ ସାଧୁ ଦଣ୍ଡାୟମାନ ହୋଇ ଠାକୁରଙ୍କୁ ପ୍ରାର୍ଥନା କରନ୍ତି ।

ସୁଭଦ୍ରା ବା ଭୁବନେଶ୍ୱରୀ ଅଙ୍କା ଯାଇଥା’ନ୍ତି ହଳଦୀ ଗୁରୁ ଗୁରୁ ହରିତାଳରେ । ସେ ସବୁଜ ଧଡ଼ି ଥିବା ଧଳା ରଙ୍ଗର ଶାଢ଼ୀ ପରିଧାନ କରି ପଦ୍ମାସନରେ ବସିଥା’ନ୍ତି । ଚାରି ହାତରୁ ଉପର ଦୁଇ ହାତରେ ମା ଭୂବନେଶ୍ୱରୀ ଧଳା ପଦ୍ମ ଧରିଥା’ନ୍ତି ଓ ତଳକୁ ଥିବା ଦୁଇ ହାତ ବରଦା ଓ ଅଭୟ ମୁଦ୍ରାରେ ରଖିଥା’ନ୍ତି । ପଟିର ବାମ ଓ ଦକ୍ଷିଣ ତଳକୁ ଜଣେ ପଙ୍ଖା ଓ ଅନ୍ୟ ଜଣେ ଚାମର ସେବା କରୁଥିବା କ୍ଷୁଦ୍ର ଆକାରର ଦୁଇ ନାରୀ ଅଙ୍କିତ ରୁହନ୍ତି । ଚିତ୍ରକାର ଭୁବନେଶ୍ୱରୀଙ୍କ ବାମ ପଟ ଚକ୍ଷୁକୁ ସାମାନ୍ୟ ସାନ କରି ଆଙ୍କିଥା’ନ୍ତି ।

ବଳଭଦ୍ର ବା ଅନନ୍ତଙ୍କ ପଟିରେ ଦିଅଁ ଧଳା ରଙ୍ଗରେ ଅଙ୍କା ଯାଆନ୍ତି । ଅନନ୍ତଙ୍କ ନାକରେ ନାରାୟଣଙ୍କ ପରି ତିଳକ ରୁହେନି । ଉପର ଦୁଇ ହାତରେ ସେ ଶଙ୍ଖ ଓ ଚକ୍ର ଧରିଥିବା ବେଳେ ତଳକୁ ଥିବା ଦୁଇ ହାତରେ ମୁଷଳ ଓ ଲଙ୍ଗଳ ଧାରଣ କରିଥା’ନ୍ତି । ମୁଣ୍ଡ ମୁକୁଟ ଉପରେ ସାତ ଫଣାର ନାଗ ଚିତ୍ର ରୁହେ । ଅନନ୍ତଙ୍କ ଲୁଗାର ବର୍ଣ୍ଣ ନୀଳ । ବାମ ଓ ଦକ୍ଷିଣ ତଳକୁ ଯୋଡ଼ ହସ୍ତରେ ମହାଦେବ ଓ ନାରଦ ଦଣ୍ଡାୟମାନ ରୁହନ୍ତି । ତିନି ଦିଅଁ କାଠ ତିଆରି କୁଞ୍ଜ ଭିତରେ ବସନ୍ତି । କୁଞ୍ଜର ଉପରି ଭାଗରେ ପଦ୍ମ କଳସ ପାଖରେ ଶୁଆ ଓ ତା’ ତଳ ପିଢ଼ରେ ଧଳା ରଙ୍ଗର ଚାରୋଟି ଧଳା ପାରା ବସନ୍ତି । ତଳକୁ ଦୁଇ ପାଖରେ ଦୁଇ ମକର ମୁଣ୍ଡ ଅଙ୍କା ଯାଇଥାଏ । ବିମାନ ପଛରେ ଅଳ୍ପ ଦିଶୁଥାଏ ତାରା ଭରା ଆକାଶ । ପଟି ମାନଙ୍କର ଉପରି ଦୁଇ ପଟରେ ଦୁଇ ଅର୍ଦ୍ଧ ପଦ୍ମ ଅଙ୍କା ଯାଏ ।

ଜେ.ପି ଦାସ ତାଙ୍କର ପୁରୀ ପେଣ୍ଟିଂ ବହିରେ ମତ ଦେଇଛନ୍ତି ଯେ, ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ଚିତ୍ରକର ସେବା ବହୁ ପ୍ରଚୀନ । ପରେ କେନ୍ଦ୍ରୀୟ ଶାସନ ହୁଗୁଳା ହେଲା ପରେ ଓଡ଼ିଶାରେ ଅଠରଟି ଗଡ଼ଜାତ ହେଲା । ମୁଖ୍ୟତଃ ଅଷ୍ଟାଦଶ ଶତାବ୍ଦୀ ବେଳକୁ ସେଠାରେ ସବୁ ଗୋଟେ ଗୋଟେ ଜଗନ୍ନାଥ ମନ୍ଦିର ଗଢ଼ି ଉଠିଲା । ନୂଆ ନୂଆ ଜଗନ୍ନାଥ ମନ୍ଦିର ପାଇଁ ଚିତ୍ରକର ସେବାୟତ ଦରକାର ହେଲାରୁ ପୁରୀରୁ କିଛି କିଛି ଚିତ୍ରକାର ପରିବାର ଗଡ଼ଜାତ ଗଲେ ଓ ସେଇଠି ରହିଗଲେ । ପୁରୀ ପେଣ୍ଟିଂ ବହିରେ ଅଣସର ପଟି ଓ ପୁରୀର ଚିତ୍ରକାର ସେବା ବିଷୟରେ ବିଷଦ ଆଲୋଚନା ହେଇଛି ।

ଚିତ୍ରଶିଳ୍ପୀ ଓ କଳା ଐତିହାସିକ ଡକ୍ଟର ଦିନନାଥ ପାଠୀ ଓ ତାଙ୍କର ସୁଇସ୍ ଗବେଷକ ବନ୍ଧୁ ଏବରହାର୍ଡ ଫିସର ପୁରୀ ଓ ଦକ୍ଷିଣ ଓଡ଼ିଶାର ପଟି ଦିଅଁ ପରମ୍ପରା ଉପରେ ‘ଇନ୍ ଦ ଆବସେନ୍ସ ଅଫ୍ ଜଗନ୍ନାଥ’ ନାମରେ ଖଣ୍ଡିଏ ବହି ଲେଖିଛନ୍ତି । ବହିଟି ଦିଲ୍ଲୀର ନିୟୋଗୀ ବୁକ୍ସ ଦ୍ୱାରା ୨୦୧୨ ମସିହାରେ ପ୍ରକାଶିତ ହୋଇଛି । ବହିରେ ଅଣସର ପଟି ପରମ୍ପରା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ତୁଳନାତ୍ମକ ତଥ୍ୟ ରହିଛି ।

ଜେ.ପି ଦାସ ବହୁ ବର୍ଷ ତଳେ ଏ ସମ୍ପର୍କରେ ଗବେଷଣା କରିଥିଲେ ଓ ତାଙ୍କ ବହି ୧୯୮୨ ମସିହାରେ ପ୍ରକାଶିତ ହେଇଥିଲା । ‘ଇନ୍ ଦ ଆବସେନ୍ସ ଅଫ୍ ଜଗନ୍ନାଥ’ ବହି ପାଇଁ ଗବେଷକ ଦ୍ୱୟ ୧୯୭୭ ରୁ କାମ ଆରମ୍ଭ କରିଥିଲେ । ବହିରେ ୨୦୧୧ ମସିହାରେ ସଂଗ୍ରହ କରାଯାଇଥିବା ଫଟୋ ଓ ତଥ୍ୟ ରହିଛି ।