ଫଟୋ - ୱିକିପିଡିଆ

କାହାଣୀ ସମାଜର ବାସ୍ତବ ଚିତ୍ର ଦେଖାଇଥାଏ । ସାମ୍ପ୍ରତିକ ଘଟଣାବଳୀ ଓ ସାମାଜିକ ସମସ୍ୟାକୁ ନେଇ କାହାଣୀମାନ ଗଢିଉଠିଥାଏ । ଔପନ୍ୟାସିକ ତଥା ଲେଖକମାନେ ସେମାନଙ୍କ କୃତିରେ ସମାଜକୁ ବାଟ ଦେଖାଇଥାନ୍ତି । ଏହି କାହାଣୀସବୁକୁ ନେଇ ସିନେମା ତିଆରି ହୁଏ । ଯଦିଓ ସିନେମାଗୁଡିକରେ ମୂଳ କାହାଣୀ ସହ କିଛି ଯୋଡ଼ା ଯାଏ, ତେବେ ଆମ ସମୟର ଏମିତି କିଛି ସିନେମା ରହିଛି ଯାହା କ୍ଲାସିକ ଉପନ୍ୟାସର ପ୍ରତିଛବି । ଆମେ ଆଜି ଏମିତି କିଛି ସିନେମାର ଚର୍ଚ୍ଚା କରିବା ଯାହା ଲୋକପ୍ରିୟ ଉପନ୍ୟାସ ଛାୟାରେ ନିର୍ମିତ ହୋଇ କାଳକାଳ ପାଇଁ ଅମର ହୋଇ ରହିଛି ।

ଓଡ଼ିଆ ସିନେମା ଇତିହାସରେ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ଅଧିକ ଉପନ୍ୟାସକୁ ପରଦାରେ ଦେଖାଯାଇଛି | ସେହିପରି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, ବସନ୍ତ କୁମାରୀ ପଟ୍ଟନାୟକଙ୍କ ‘ଅମଡ଼ା ବାଟ’, ଉପେନ୍ଦ୍ର କିଶୋରେ ଦାସଙ୍କ ‘ମଲା ଜହ୍ନ’, ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ‘କନକ ଲତା’, କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ‘ଅଦିନ ମେଘ’, ବିଭୁତି ପଟ୍ଟନାୟକଙ୍କ ‘ବଧୂ ନିରୂପମା’, ‘ମାୟା ମିରିଗ’, ପ୍ରତିଭା ରାୟଙ୍କ ‘ଅପରିଚିତା’, ‘ମୋକ୍ଷ’, ଗାୟତ୍ରୀ ବସୁ ମଲ୍ଲିକଙ୍କ ‘କାବେରୀ’, ମନୋଜ ଦାସଙ୍କ ଗଳ୍ପ "ଲକ୍ଷ୍ମୀର ଅଭିସାର", ଗୋଦାବରିଶ ମହାପାତ୍ରଙ୍କ 'ନୀଳ ମାଷ୍ଟ୍ରାଣୀ' ଓ ଫକୀର ମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ ପ୍ରମୁଖ କାହାଣୀ ଆମ ଓଡ଼ିଆ ସିନେଜଗତରେ କ୍ଲାସିକ ସିନେମା ସୃଷ୍ଟି କରିଛି ।

ଆମର ଲୋକପ୍ରିୟ ଔପନ୍ୟାସିକଙ୍କ ଉପନ୍ୟାସକୁ ନେଇ ତିଆରି ହୋଇଥିବା ଓଡ଼ିଆ ଫିଲ୍ମଗୁଡିକ ସମ୍ପର୍କରେ ଆମେ ଆଲୋଚନା କରିବା । ଏହି କ୍ରମରେ ସିନେମା ରୂପେ ମୁକ୍ତିଲାଭ କରିଥିବା ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ଉପନ୍ୟାସଗୁଡିକ ।

ପ୍ରଖ୍ୟାତ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତି ତାଙ୍କ ଜୀବନର ୬୨ ବର୍ଷ ମଧ୍ୟରେ ୬୦ଟି ଉପନ୍ୟାସ ଲେଖିଛନ୍ତି । ଏହି ମହାନ ଔପନ୍ୟାସିକ କା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି | ତାଙ୍କର କାହାଣୀ ଗୁଡିକ ପ୍ରାୟତଃ ପରଦାରେ ପ୍ରଦର୍ଶିତ ହୋଇଛି । ତେବେ ତାଙ୍କର କା, ଅଭିନେତ୍ରୀ, ଶାସ୍ତି, ତୁଣ୍ଡବାଇଦ ରୂପେଲି ପରଦାରେ ପ୍ରଦର୍ଶିତ ହୋଇ ଅନେକ ସମମାନ ପାଇଛି ।

କା: ପ୍ରଖ୍ୟାତ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ଉପନ୍ୟାସ ଆଧାରରେ ନିର୍ମିତ ଏହି ଫିଲ୍ମଟି ୧୯୬୬ର ପରଦାକୁ ଆସିଥିଲା । ସାରଦା ପ୍ରସନ୍ନ ନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଗୌର ଘୋଷ ଓ ପାର୍ବତୀ ଘୋଷ । ତେବେ ଏହି ଫିଲ୍ମରେ ଅଭିନେତ୍ରୀ ଗୀତାରାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଥିଲେ । ସେହିପରି ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ମଣିମାଳା ଦେବୀ, ଚନ୍ଦନା, ପୂର୍ଣ୍ଣଚନ୍ଦ୍ର ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମା ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ୬ ମିନିଟର ଏକ ନୃତ୍ୟ ପ୍ରଦର୍ଶନ କରିଥିଲେ । ବନ୍ଧ୍ୟାତ୍ବ ଓ ମାତୃମୃତ୍ୟୁ ବିଷୟକୁ ନେଇ ସିନେମାଟି ଗଢି ଉଠିଥିଲା ।

ଏଇ ସିନେମାରେ ସୁନନ୍ଦ ଭୂମିକାରେ ଗୌର ଘୋଷ ଅଭିନୟ କରିଥିବାବେଳେ ନନ୍ଦିକା ଚରିତ୍ରରେ ପାର୍ବତୀ ଘୋଷ ଓ ଲଳିତା ଚରିତ୍ରରେ ଗୀତାରାଣୀ ଅଭିନୟ କରିଥିଲେ । ସିନେମା ନିର୍ମାଣରେ ୧ଲକ୍ଷ ୧୨ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ।

ସିନେମାର କାହାଣୀଟି ନନ୍ଦିକା ଆଉ ସୁନନ୍ଦଙ୍କୁ ନେଇ ଗଢି ଉଠିଛି । ସୁନନ୍ଦ ନିଜ ସ୍ତ୍ରୀ ନନ୍ଦିକା, ମା ଓ ଭଉଣୀ ସହିତ ପିଇଟ୍ରୁକ ଘରେ ଖୁସିରେ ରହୁଛି । କିନ୍ତୁ ବିବାହର ସାତ ବର୍ଷ ପରେ ବି ନନ୍ଦିକା ମା ହୋଇପାରିନାହିଁ, ଯାହାକୁ ନେଇ ସେ ସଦା ସର୍ବଦା ଲାଂଛିତ ଓ ନିର୍ଯ୍ୟାତିତ । ବହୁ ଅପମାନ ସହିବା ପରେ ନନ୍ଦିକା ସନ୍ତାନ ପାଇଁ ନିଜ ସ୍ୱାମୀର ଆଉଥରେ ବିବାହ କରାଇବାକୁ ଚେଷ୍ଟା କରିଛି । ମା ଓ ସ୍ତ୍ରୀର ବହୁ ଅନୁନୟ ପରେ ସୁନନ୍ଦ ଲଳିତା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଛି । ମାତ୍ର ଲଳିତା ସୁନନ୍ଦଙ୍କୁ ଘର ଛାଡି ସହରରେ ତା ସହ ରହିବାକୁ ଜିଦ କରିଛି । ଠିକ ଏତିକିବେଳେ ପରିସ୍ଥିତି ବଦଳିଯାଇଛି ନନ୍ଦିକା ଗର୍ଭବତୀ ହୋଇଛି । ମାତ୍ର ପରବର୍ତ୍ତୀ ସମୟରେ ନନ୍ଦିକା ସନ୍ତାନ ଜନ୍ମ ଦେଇ ମୃତ୍ୟୁବରଣ କରିଛି ଏବଂ ଲଳିତା ସେଇ ସନ୍ତାନକୁ ନିଜର ସନ୍ତାନ ଭାବେ ଗ୍ରହଣ କରିଛି । ତତ୍କାଳୀନ ସମାଜରେ ଥିବା ମହିଳା ପ୍ରତି ଆକ୍ଷେପ ତଥା ବଂଶରକ୍ଷାକୁ ନେଇ ରହିଥିବା ରୂଢିଵାଦୀ ଚିନ୍ତାଧାରାକୁ ଏଠାରେ ଦର୍ଶାଯାଇଛି ।

ସିନେମାରେ ରହିଥିବା ଗୀତଗୁଡିକ ବେଶ ଉଚ୍ଚକୋଟୀର ରହିଥିଲା । ଦେବଦାସ ଛୋଟରାୟ ଓ ନୃସିଙ୍ଗ ମହାପାତ୍ରଙ୍କ ରଚିତ ଗୀତ ଗୁଡିକୁ ସଂଗୀତରେ ସ୍ଵରବଦ୍ଧ କରିଥିଲେ ଭୁବନେଶ୍ୱର ମିଶ୍ର । ଗୀତଗୁଡିକରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ, ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ, ରଘୁନାଥ ପାଣିଗ୍ରାହୀ ପ୍ରମୁଖ ।

ଏହି ସିନେମାରେ ରହିଥିବା ଗୀତଗୁଡ଼ିକ ମଧ୍ୟରେ ଅଦିନ ବଉଦ ଅଦିନ କୁହୁଡ଼ି…, ମଉନାବତୀ ମଉନା କିଆଁ ଲଗେଇ ଦେଇ ମନରେ ଆଦି ଦୁଇଟି ଗୀତକୁ ଅକ୍ଷୟ ମହାନ୍ତି ଗାଇଥିଲେ । ସନ୍ଧ୍ୟା ମୁଖାର୍ଜୀଙ୍କ କଣ୍ଠରେ ଲିଭି ଲିଭି ଯାଏ ଆଖି ଲୁହ...ଅତ୍ୟନ୍ତ ଚମତ୍କାର ଥିଲା । ସେହିପରି ନିର୍ମଳା ମିଶ୍ର ଓ ପ୍ରଣବ ପଟନାୟକଙ୍କ କଣ୍ଠରେ ତମେ ଜାନନା ଜାନନା ମୁଁ ଜାନନା... ଓ ନିର୍ମଳାଙ୍କ କଣ୍ଠରେ ମଧୁର ଏଇ ଚାନ୍ଦ ରାତି ହସେ ତାରା ... ଏବଂ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଚୋରା ଚୋରା ଚାହାଁଣିରେ ... ଆଦି ଗୀତ ଗୁଡିକ ମନୋମୁଗ୍ଧକର ଥିଲା । ଫିଲ୍ମଟି ଜାତୀୟ ଫିଲ୍ମ ପୁରସ୍କାର ସହ ରାଷ୍ଟ୍ରପତିଙ୍କୁ ଠାରୁ ରୌପ୍ୟ ମେଡାଲ ପ୍ରାପ୍ତ କରିଥିଲା ।

ଅଭିନେତ୍ରୀ: ୧୯୬୫ରେ ପରଦାକୁ ଆସିଥିବା ସିନେମା ‘ଅଭିନେତ୍ରୀ’ ମଧ୍ୟ ପ୍ରଖ୍ୟାତ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ଅନ୍ୟତମ ଉପନ୍ୟାସ । ଅମର ଗାଙ୍ଗୁଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସର୍ବପ୍ରଥମେ ଦ୍ୱୈତ ଭୂମିକା ଦେଖିବାକୁ ମିଳିଥିଲା । ଏହି ସିନେମାରେ ଅଭିନେତ୍ରୀ ଝରଣା ଦାସ ଦ୍ୱୈତ ଭୂମିକା ଅର୍ଥାତ ଡବଲ ରୋଲରେ ନଜର ଆସିଥିଲେ । ସେ ଏଥିରେ ଉଭୟ ଛାୟା ଓ ମାୟା ଚରିତ୍ରରେ ଅଭିନୟ କରିଥିଲେ । ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଧୀର ବିଶ୍ୱାଳ, ବିମଲ ଦଶ, ହୃଦୟ ରଞ୍ଜନ ମହାନ୍ତି, ଡ. ରଜନୀ କୁମାର ମହାନ୍ତି, ମଣିମାଳା ଦେବୀ ଓ ଲକ୍ଷ୍ମୀପ୍ରିୟା ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମାରେ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ତୁଣ୍ଡ ବାଇଦ: କାହ୍ନୁଚରଣ ମହାନ୍ତିଙ୍କ ଅନ୍ୟତମ ଉପନ୍ୟାସ ‘ତୁଣ୍ଡ ବାଇଦ’କୁ ୧୯୮୭ ମସିହାରେ ପରଦାରେ ପ୍ରଦର୍ଶନ କରାଇଥିଲେ ଗୋବିନ୍ଦ ତେଜ । ଏହି ଫିଲ୍ମର ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଭାର ନେଇଥିଲେ ଗୋବିନ୍ଦ ତେଜ । ଗୋବିନ୍ଦ ତେଜ ଓ ସୁବୋଧ ପଟ୍ଟନାୟକଙ୍କ ରଚିତ ସଂଳାପର ଏହି ଫିଲ୍ମରେ ଅପରାଜିତା ମହାନ୍ତି , ଉତ୍ତମ ମହାନ୍ତି, ଅଜିତ ଦାସ, ଜୟୀରାମ ସାମଲ, ବିଜୟ ମହାନ୍ତି, ସୁଜାତା, ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମରେ ଓଡ଼ିଆ ଲୋକବାଣୀ ‘ତୁଣ୍ଡ ବାଇଦ’ର ପ୍ରଭାବକୁ ଦେଖିବାକୁ ମିଳିଛି । ତୁଣ୍ଡ ବାଇଦ ସହଶ୍ର କୋଷ ପରି କେମିତି ଏକ କାନଶୁଣା କଥାଟି ପ୍ରଘଟ ହୋଇ ଦୁଇଜଣକ ଜୀବନରେ ଝଡ଼ ଆଣିଛି ତାହା ଦେଖିବାକୁ ମିଳିଛି । ତତ୍କାଳୀନ ସମାଜରେ ରହିଥିବା ଭାଉଜ ଆଉ ଦିଅର ସମ୍ପର୍କରେ କେମିତି ଫାଟ ସୃଷ୍ଟି କରିଛି ତାହା ଏଥିରେ ବର୍ଣ୍ଣିତ ହୋଇଛି । ଏହି ସିନେମାରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚିତ ଗୀତଗୁଡିକୁ ସଂଗୀତରେ ସଜ୍ଜାଇ ଥିଲେ ଅକ୍ଷୟ ମହାନ୍ତି । ସେହିପରି ଏଥିରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସୁରେଶ ୱାଡେକର, ଅନୁରାଧା ପୌଡ଼ୱାଲ ।

ଶାସ୍ତି: ସୁଧାଂଶୁ ମିଶ୍ରଙ୍କ ପ୍ରଯୋଜିତ ତଥା ବୃନ୍ଦାବନ ଜେନାଙ୍କ ନିର୍ଦେଶିତ ଏଇ ଫିଲ୍ମଟି 1989ରେ ପରଦା ଆସିଥିଲା । ଏହି ସିନେମାରେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ହେମନ୍ତ ଦାସ, ମିହିର ଦାସ, ଅପରାଜିତା ମହାନ୍ତି, ସ୍ନିଗ୍ଧା ମହାନ୍ତି, ବିଜୟ ମହାନ୍ତି, ଗୀତା ରାଓ, ଦୁଖୀରାମ ସ୍ୱାଇଁ ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ବୃନ୍ଦାବନ ଜେନା| ଗୁରୁ ଗୋପୀକୃଷ୍ଣ ବେହେରା ଏଥିରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଅତିସ ମଜମୁଦାରଙ୍କ ସଂଗୀତରେ ତୃପ୍ତି ଦଶ କଣ୍ଠଦାନ କରିଥିଲେ ।

ଦୁର୍ଭିକ୍ଷ ଓ ମହାମାରୀ ପୃଷ୍ଠଭୂମିରେ ରଚିତ ଏହି କାହାଣୀରେ ତତ୍କାଳୀନ ସମାଜରେ ରହିଥିବା ସାମାଜିକ ଓ ମାନବିକ ସମସ୍ୟାକୁ ଏଥିରେ ଦର୍ଶାଯାଇଛି । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟର କାହାଣୀ ଦର୍ଶାଯାଇଛି । କାହାଣୀରେ ଜାତି ଯୋଗୁଁ ପ୍ରେମୀ ଯୁଗଳଙ୍କ ବିଛେଦ ଆଉ ବଂଚିବା ଲାଗି ସମାଜ ସହିତ ସଂଘର୍ଷ ଆଦିକୁ ଦେଖାଯାଇଛି । ପିଲା ଦିନର ସାଥି ସନିଆ - ଧୋବୀ ପରସ୍ପରକୁ ଭଲ ପାଉଥିବା ସତ୍ୱେ ବିବାହ କରିପାରିନାହାନ୍ତି । ଜାତିଗତ ବିଭେଦ କାରଣରୁ ଧୋବୀ ଅନ୍ୟତ୍ର ବିବାହ କରିଛି । କିନ୍ତୁ କାହାଣୀରେ ମୋଡ ଆସିଛି ସେତେବେଳେ, ଯେତେବେଳେ ଦୁର୍ଭିକ୍ଷ ପରେ ସନିଆ କଙ୍କାଳ ଶରୀରକୁ ନେଇ ନିଜ ଭିଟାମାଟିକୁ ଫେରିଛି ଆଉ ଅପରପକ୍ଷରେ ଧୋବୀ ଵିଧବା ହୋଇ ବାପ ଘରକୁ ଫେରିଛି । ସନିଆ ଧୋବୀକୁ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛି , ମାତ୍ର ସମାଜର ନୀତି ନିୟମକୁ ଡରି ଧୋବୀ ବିବାହ କରିବାକୁ ମନା କରିଛି । ପୁଣି ଏହି କାହାଣୀରେ ଧୋବୀ ପିତା ନିରୀହ ସରଳ ସନିଆ ଉପରେ ଜୁଲୁମକୁ ଦେଖିବାକୁ ମିଳିଛି । ଏପରିକି ନିଜ ଗ୍ରାମରୁ ସନିଆ ନିର୍ବାସିତ ହେବାକୁ ପଡିଛି । କିନ୍ତୁ ସମାଜର ଏହି କଠୋର ନିୟମ ଆଗରେ ସନିଆ ହାରି ଯାଇନାହିଁ । ସେ ନିଜର ବଂଚିବାର ଇଛାକୁ ଦମନ ନ କରି ତତ୍କାଳୀନ ସମାଜ ବିରୁଦ୍ଧରେ ସଂଘର୍ଷ କରିଛି ।