ଚିତ୍ର - ୱିକି କମନ୍ସ

କେହି କ'ଣ ଏତେ ନିଜର ହେଇପାରେ କେବେ !

ଅଧାରାସ୍ତାରୁ ବାଟ ଭାଙ୍ଗି ଚାଲିଗଲେ ସିଏ,
ବାକିତକ ରାସ୍ତା କେବଳ
ଔପଚାରିକତାରେ ଚାଲିବାକୁ ହୁଏ

ହାତ ପାପୁଲିରୁ ତା' ହାତର ଉଷୁମ ଅପସରିଗଲେ
ଏକୁଟିଆ ଆକାଶ ତଳେ ଆଖି ଯାହା ଦେଖେ,
ସେସବୁ କେବଳ ଦୃଶ୍ୟ ହେଇ ରହେ,
ସ୍ମୃତିଟିଏ ହେଇ ଉଚ୍ଛୁଳିପଡେନି ଆଖିରୁ,
ଗୀତ ହେଇ ଝରିଯାଏନି ଓଠରୁ...

ତା ଅବର୍ତ୍ତମାନରେ
କେବଳ ଓଠ ହସେ, ଆଖି ନୁହେଁ
କେବଳ ନିଃଶ୍ୱାସର ଡୋରି ଲମ୍ବିଥାଏ,
ଜୀବନ କିନ୍ତୁ ଥମ୍ ହେଇ ବସେ
କେବଳ ଦେହକୁ ଆବୋରିଯାଏ ବସନ୍ତର ଛଟା
ମନଫୁଲ ଶୀତଛୁଇଁ ଜଳି ମରିଥାଏ

କେବଳ, କାଗଜର ପୃଥିବୀରେ ସମୟ ବଦଳେ
ଛାତି ତଳେ, ଜୀବନର ଘଡି,
ବନ୍ଦ ପଡିଥାଏ

କେବଳ, ଦର୍ପଣରେ ନିଜ ପ୍ରତିବିମ୍ବ ଅଣନିଃଶ୍ୱାସୀ
କରେ ବୋଲି, ମୁଖାଟିଏ ପିନ୍ଧିବାକୁ ହୁଏ |

କେବଳ, ଜିଇବାର ଅଭ୍ୟାସରେ ଜିଇବାକୁ ହୁଏ |

ଜଣେ ମଣିଷ, କ'ଣ ସତରେ
ଏତେ ନିଜର ହେଇପାରେ !