କିଛି ବି ପାଇବନି ତା’ ଠୁ

ନା ପରଂପରାର ପୃଷ୍ଠା
ନା ଇତିହାସର ସାକ୍ଷୀ
ନା ପରିଚୟର ଦସ୍ତାବିଜ୍

କିଛି ବି ପାଇବନି ।

ଅତିବେଶୀରେ ଖୋଜିଲେ ପାଇପାର,
ତା’ ହାତରେ
ମେହେଂଦି ପ୍ରାୟେ ଲାଗି ରହିଥିବା
ତମ ଅଗଣାର ମାଛି ଭଣଭଣ
ଗଲାରାତିର ମଇଳା,

ସାରାଦିନ ଖଟିଖଟି
ତଥାପି ପରିବାରର
ପେଟ ପୁରେଇ ପାରିନଥିବା ମୁଁହରେ
ପାଉଡର ପ୍ରାୟେ ଲେପିହୋଇ ଥିବା
ଏକ ଉଦାସ ଚେହେରା

ତମର
ବୌଦ୍ଧିକ ମଗଜ ଗଢିବା ପାଇଁ
ଘରଘର ଖବର କାଗଜ ବାଣ୍ଟି
ପାହାଂତାରୁ ଦୌଡୁଥିବା ପାଦରେ
ମଉଜା ପ୍ରାୟେ ଲାଖି ରହିଥିବା
ସବୁଦିନିଆ ହାଲିଆ,

ଅଥବା
ଘର ଭିତରର ମନିପ୍ଲାଣ୍ଟଲତା ପ୍ରାୟେ
ଛାତିରେ ଗୁଡେଇ ହୋଇଥିବା
ଗୋଟିଏ ସ୍ବପ୍ନିଳ ଦମ୍ଭର ନିଆରା ।

ତହିଁକୁ
ପ୍ରତି ସଂଜରେ ଏ ଦମ୍ଭ
ଖଂଜଣୀ ବଜେଇ ଗାଉଥିବ
ଏ ସହର ମୋର
ଏ ଦେଶ ମୋର
ଏ ମାଟି, ଆକାଶ ମୋର
ସଭିଂକ ଭୋକ, ପ୍ରେମ ଏକାପ୍ରକାର
କେହି ନୁହେଁ ପର ।

ସହରର ଘୋ...ଘୋ .... ରାସ୍ତାକଡେ
କାହିଁ କେଉଁ କାଳୁ
ଯେଉଁ ଗଛଟି ଠିଆ ହୋଇଥିବ,
ତା’ରି ତଳେ ବିଛାଯାଇଥିବ
ଟାଇଲି ପ୍ରାୟେ ବୁଢାପଟା,
ଟଂଗାଯାଇଥିବ ଛିଣ୍ଡାଜରିର ଛାତ,
ରଖାଯାଇଥିବ
ମଇଳା ମଶିଣା ଓ କମ୍ବଳ ଥାକ,
କେବଳ ରାତି କାଟିବା ପାଇଁ, ସହୁଯାକ ।

ଧୂଳି ଧୂଆଁରେ ନିଆଁ ଫୁକି ଫୁକି
ସେକାଯାଉଥିବ ରୁଟି
ପରିବାରଯାକ ଖାଇ ଯାଉଥିବେ
ଶ୍ରଦ୍ଧାରେ ବାଣ୍ଟିକୁଣ୍ଟି, ଚାଟିଚାଟି

ଏବଂ ଖାସ କଥା ଯେ
ରାତିର ଘୁଂଗୁଡି ବେଳେ ବି
ପାଖରେ ଜଗିଥିବ, ପୋଷା କୁକୁର ପ୍ରାୟେ
ଏକ ଦମଦାର ମେହେନତି ।

ତମେ କେବଳ ଚିହ୍ନି ପାରିଲେ ହେଲା !

ନା ରାସନ୍, ଆଧାର, ପ୍ୟାନ୍ ର ନମୁନା
ନା ଘର, ପୋଷ୍ଟଅଫିସ୍, ଥାନାର ଠିକଣା !

କିଛି ବି ପାଇବନି ତା’ଠୁ.....।

କିଛି ବୋଲି କିଛି ବି ପାଇବନି ତା’ଠୁ

ହୁଏତ, ଏଇବେଳରେ ତତକ୍ଷଣାତ୍
ତମେ ଘୋଷଣା କରିପାର
ନାଗରିକ ପାଇଁ ୟେ ଫିଟ ନୁହେଁ ଦେଶକୁ ।