ଫଟୋ ସୌଜନ୍ୟ - କେଦାର ମିଶ୍ର

ଅଞ୍ଜଳିବଦ୍ଧ ହୋଇ ମୋର ହାତଯୋଡ଼ିକ ଯଦି କଟାଳ କରନ୍ତି ଯେ, ସେମାନଙ୍କର ଚରମ ଅଭିଳାଷ ଚରିତାର୍ଥ କରିବାକୁ ସେମାନେ ପ୍ରଭୁର ଗରୁଡ଼ଖମ୍ବକୁ ଥରେ କୁଣ୍ଢାଇବେ; ଗୋଡ଼ଯୋଡ଼ିକ ଥାଇ କହନ୍ତି ଯେ, ଶରଧା ବାଲିରେ ଘଡ଼ିଏ ମାତ୍ର ଠିଆହେବେ ଏବଂ ଆଖିଯୋଡ଼ିକ ଅପଲକ ଶୂନ୍ୟକୁ ଚାହିଁ ଯାଚନା କରନ୍ତି ଯେ, ପ୍ରଭୁର ଚକାନୟନରେ ଥରେ ପଖାଳି ହେବେ - ତେଣିକି ମୋର ଆଉ କ'ଣ ଆୟତ୍ତ ଥାଇପାରେ ? ମୋ ବଚନ ସତ୍ୟ, ସୁଧୀଜନେ ! ମୋ ଅଙ୍ଗେ ଅଙ୍ଗେ ଉତ୍କଣ୍ଠା, ରୋମେ ରୋମେ ଉନ୍ମୁଖତା, ମୋର ଶାଖାରେ ଶାଖାରେ ଗୋଟିଏ ମାତ୍ର ଶ୍ୟାମଳ ସତ୍ୟ ପଲ୍ଲବିତ ! ମୁଁ କ୍ଷେତ୍ର ଯିବି ସୁଧିଜନେ, ମୋତେ ବାଟ କାଢି ନେଇଯାଅ ! ସଂସାର, ହୁଗୁଳି ଯାଅ ମୋ ପାଦରୁ, ମୋତେ ମୁକ୍ତକର ! କର୍ମ - ଜଞ୍ଜାଳ ଖସିପଡ଼ ମୋ' ହାତଯୋଡ଼ିକରୁ, ମୋତେ ସ୍ୱଚ୍ଛନ୍ଦ କର, ସହଜ କର ! ମୋ ଆଖିଯୋଡ଼ିକରୁ ପୋଛି ହୋଇଯାଉ ମୋହାଞ୍ଜନ । ମୋତେ ଦୃଷ୍ଟିଦିଅ । ହେ, ଦଶଦିଗପାଳ, ମୋତେ ଧରି ରଖ ! ଦେବତା, ଗନ୍ଧର୍ବ, ଯକ୍ଷରକ୍ଷାଦି ମୋତେ ବେଢିରହ । ହେ ମୋର ଅଗଣିତ ପିତୃପୁରୁଷ, ମୋ ପଛରେ ଠିଆ ହୁଅ! ମୁଁ କ୍ଷେତ୍ର ଯିବି । ମୁଁ କ୍ଷେତ୍ର ଯିବି !!

ଅଝଟ ଶିଶୁ ପରି ଯେ ଏଭଳି ରୋଦନ କରି ଜାଣେ, ସେ କବି । ସେ ମହାପୁରୁଷ । ସେ ଅବଶ୍ୟ କ୍ଷେତ୍ର ଯିବ । ତାକୁ କେହି ରୋଧିପାରିବେ ନାହିଁ । ତା' ସୂକ୍ଷ୍ମପୁରୁଷ ହୁଏତ ସର୍ବଦା କ୍ଷେତ୍ରବାସୀ । ତା'ର ଅବୟବଗୁଡ଼ିକୁ କେବଳ ଗଡ଼େଇନେବା କଥା । ସେଭଳି ଅନନ୍ୟଚେତା ପାଇଁ ସବୁ ସମ୍ଭବ । ତାକୁ ସିଂହଦ୍ୱାର ବାରଣ ହେଲେ ବଡ଼ଦାଣ୍ଡରେ ଥାଇ ସେ ତା'ର ଶ୍ରୀଫଳ ଅର୍ଘ୍ୟ ଟେକି ଦେଇପାରେ । ଜନେ କହନ୍ତି ଯେ ନୀଳଚକ୍ର ଉପରୁ ବିପୁଳ ଭୁଜ ବିସ୍ତାରକରି ପ୍ରଭୁ ତାହା ତୋଳିନିଏ । ଅଥବା ସାତ ଶ' ପଞ୍ଚାଶ (pacāśa) କୋଶ ଦୂରରେ ଥାଇ ସେ ଅଳି କରିପାରେ ଏବଂ ସେ ଆସିବାଯାକେ ପ୍ରଭୁ ନନ୍ଦିଘୋଷରେ ବିଜେ କରି ରହିଥାନ୍ତି । ଝଲମଲ କରୁଥାନ୍ତି ମୁକୁତାର ଝରା । ଝଲୁଥାନ୍ତି ଚକାନୟନ, କିନ୍ତୁ ଘୁଞ୍ଚନ୍ତି ନାହିଁ । କାରଣ କବି ମହାପୁରୁଷ ଆସିନାହିଁ । ଭକ୍ତ ମହାପୁରୁଷ ଆସିନାହିଁ । ଭକ୍ତ - ବାନ୍ଧବ ବନ୍ଧୁ ଆସିନାହିଁ । ଘୁଞ୍ଚିବେ କିପରି ? .... ସୁଧିଜନେ କହନ୍ତି ଯେ ଏହା ଅଲୌକିକ ବ୍ୟାପାର । ଘେନାଘେନି ରସଘନ ବ୍ୟାପାର । ଏଠି ସେ ମହାର୍ଘ "ପାଟଡ଼ୋର'ଟି କାହାର କହି ହେବ ନାହିଁ । କହି ହେବ ନାହିଁ ବେଦପ୍ରଥିତ ପୁରୁଷୋତ୍ତମ ସ୍ୱୟଂ ଆକୃଷ୍ଟ ହୋଇ ଏ ପୁରୀକୁ ପରିପୂର୍ଣ୍ଣ କରନ୍ତି ନା ପରମତୀର୍ଥ ଭକ୍ତଗଣ ଏ ସିନ୍ଧୁତୀରକୁ ଟାଣି ହୋଇ ଆସି ଏ ଭୂଖଣ୍ଡର ରେଣୁଗୁଡ଼ିକୁ ତୀର୍ଥାୟିତ କରନ୍ତି ।

ଉଭୟ ସତ୍ୟ । ମହାଭାବ - ସମୃଦ୍ଧ ଓ ସୂକ୍ଷ୍ମାତିସୂକ୍ଷ୍ମ ଆବେଗ ଭୂମିରେ ଦିଗ ବାରିବା ସହଜ ନୁହେଁ । ବେଗ ବାରିବା ସହଜ ନୁହେଁ । ସ୍ଥିତି ଏବଂ ଗତିକୁ ପୃଥକ୍ କରିବା ମଧ୍ୟ ସହଜ ନୁହେଁ । ଯୁଗ ଯୁଗ ଧରି ଜିଜ୍ଞାସାର ଯୋଡ଼ିଏ ଆଖି ଆକାଶକୁ ଚାହିଁ ଚାହିଁ କ୍ଲାନ୍ତ ହେଲା ପରେ ପରମ ବିସ୍ମୟ ଏବଂ ବିଶ୍ୱାସରେ ଦିନେ କେରାଏ ପାଟଡ଼ୋର ଫିଙ୍ଗି ଦେଇଥିଲା ଅପ୍ରାକୃତ ଶୂନ୍ୟମଣ୍ଡଳକୁ । ଏ ଦିବ୍ୟବସ୍ତୁ ସେ ପାଇଲା କିପରି ଏବଂ କେଉଁଠୁ ପାଇଲା ତାହା ଏକ ରହସ୍ୟ । ତା'ର ସୃଷ୍ଟିଶୀଳ ଆତ୍ମକୀଟ ବୋଧହୁଏ ଅହରହ ନିଜ ରସ କ୍ଷରଣରେ କୌଣସି ଏକ ମାଧ୍ୟମ ସର୍ଜନା କଲା, ଯାହା ବଳରେ ଅରୂପକୁ ବାନ୍ଧି ହେବ; ଅମୂର୍ତ୍ତ ଅପ୍ରକଟକୁ ଅନୁଭବ କରିହେବ । ଏ ଅଦ୍ଭୁତ ତନ୍ତୁଟି ପ୍ରେମ ଏବଂ ବିଶ୍ୱାସର ବିଶୁଦ୍ଧତମ ଉପାଦାନ । ଏଇ ସେହି ପାଟଡ଼ୋର ଯେଉଁଥିରୁ ଗୋଟିଏ କେରା ସେ ଫିଙ୍ଗିଦେଲା ଶୂନ୍ୟକୁ ଏବଂ ଚାହିଁରହିଲା ନିରବଚ୍ଛିନ୍ନ ପ୍ରତୀକ୍ଷାରେ । ସେ ପ୍ରତୀକ୍ଷା ଗଭୀର ଉଦ୍‌ବେଗମୟ, ଆତୁର ବେଦନାମୟ ଏକ ଲୋତକାପ୍ଲୁତ ତପସ୍ୟା । ଯୁଗାବ୍ଧି ବ୍ୟାପୀ ଅଖଣ୍ଡ ତପସ୍ୟା । ଲକ୍ଷେ ଯୋଜନରେ ଥାଇ ଆକଣ୍ଠ-ମଜ୍ଜମାନ ଗଜରାଜର ତପସ୍ୟା । ତା'ପରେ ପାଟଡ଼ୋରରେ ଅକସ୍ମାତ ଦିନ ଟାଣ ଅନୁଭବ ହେଲା । ମହାଶୂନ୍ୟର କୌଣସି ଏକ ଅଜ୍ଞାତ କମ୍ପନରେ ତାହା ସ୍ପନ୍ଦିତ ହେଲା । ଅରୂପ ହୁଏତ ସ୍ୱଇଚ୍ଛାରେ ରସମୟ ହେଲା ଦ୍ରବୀଭୂତ ହେଲା ଏବଂ ହଠାତ୍ ପ୍ରକଟିତ ହେଲା ଅର୍ଦ୍ଧକାଶରେ । ତା' ଅଣ୍ଟାରେ ପ୍ରେମାଶ୍ରୁସିକ୍ତ ପ୍ରସ୍ତ ପ୍ରସ୍ତ ପାଟଡ଼ୋର । ଘନକୃଷ୍ଣ ମେଘ ଉହାଡ଼ରୁ ତା'ର ଚକିତ ଯୋଡ଼ିଏ ଆଖି ଖୋଜିଗଲା ସେ ଅଦ୍ଭୁତକର୍ମାକୁ, ଯେ ସୂର୍ଯ୍ୟ ଚନ୍ଦ୍ର ନ ଥିବା ରାଜ୍ୟରୁ ପରମଚେତନାକୁ ଟାଣିଆଣିଲା ଫାଶ ପକେଇ । କିଏ ସେ ଉଦ୍ଦଣ୍ଡ ନର୍ତ୍ତନ କରୁଥିବା ଗୌରକାନ୍ତ ପୁରୁଷ ? କିଏ ସେ ମତ୍ତ ବଳରାମ ? ସେ ବନ୍ଧୁ ମହାନ୍ତି ? ପ୍ରେମରେ ଟାଣି ହୋଇ ଆସିଥିବା ଭଗବାନଙ୍କ ପାଇଁ ଭକ୍ତ ଏକ ବିସ୍ମୟ ।

ଆଉ ଦିନେ ନିର୍ମମ ସଂସାରରେ ଦାନାକନା ସଂଘର୍ଷ ଭିତରେ କ୍ଷତବିକ୍ଷତ ହୋଇ ପଡ଼ିଥିଲାବେଳେ କେହି ଜଣେ ଉଠି ବସିଲା ରାତିଅଧରେ । ପବନରେ ଏକ ଅଦ୍ଭୁତ ଶୀତଳ ସ୍ପର୍ଶ ତାକୁ ଖୁବ୍ ଆପଣାର ବୋଧହେଲା । ତା' ଆଖିରୁ ଅବାରିତ ଲୁହ ଝରିଗଲା । ତା' ଭିତରେ ଗୋଟିଏ କୋମଳ ସୂର୍ଯ୍ୟ ପଦ୍ମ ପରି ଫୁଟିଗଲା । ସେ ଅନୁଭବ କଲା ଉତ୍କଣ୍ଠିତ ଉଚ୍ଚାଟ କେହି ହୁଏତ ତାକୁ ଡାକୁଛି ! ନୀରବରେ ଟାଣୁଛି ! ସେ ଟାଣି ହୋଇଗଲା ସେହି ଆଶ୍ଚର୍ଯ୍ୟବତ୍ ଦିଗରେ । ସାତଶ' ପଞ୍ଚାଶ କୋଶ ଭିଡ଼ି ହୋଇଗଲା । କୋମଳ ଅଥଚ ଅନୁପେକ୍ଷ୍ୟ ସେ ଆକର୍ଷଣରେ ପାଟଡ଼ୋରକୁ ଆଉଜି, ତା' ଉପରେ ଓହଳିପଡ଼ି ସେ ଆସି ହର୍ଷ ଗଦ୍‌ଗଦ୍ ଠିଆହେଲା ବିପୁଳ ବଡ଼ଦାଣ୍ଡ ମଝିରେ ଏବଂ ଚାହିଁଲା ଅର୍ଦ୍ଧାକାଶକୁ । ତା'ର ପ୍ରତ୍ୟେକ ରୋମ ଉନ୍ମୁଖ ହୋଇ ଚାହିଁଲେ ନନ୍ଦିଘୋଷର ଗର୍ଭକୁ । ପାଟଡ଼ୋରରେ ଉତ୍କଟ ସଂସାରରୁ ଟାଣି ହେଇ ଆସିଥିବା ଏ ଭାଗ୍ୟବନ୍ତ ଭକ୍ତ ପାଇଁ ଭଗବାନ ଏକ ପ୍ରଗାଢ ବିସ୍ମୟ । ... ଏହିପରି ଉଭୟ ପାକ୍ଷିକ ଏ ପାଟଡ଼ୋର । ଏହାର ଦୁଇଟି କେରା ସୂକ୍ଷ୍ମ ଅଦ୍ଭୁତ ଛନ୍ଦରେ ଆତଯାତ ହେଉଥା'ନ୍ତି, ଦୁଇଟି ସମନ୍ତରାଳ ଧାରାରେ ପ୍ରେମ ଓ କରୁଣାର, ଭାବ ଓ ଭାବମୟତାର ରସ ସୃଷ୍ଟିକରି ।

"ମୋର ସଞ୍ଜ ହୋଇଗଲା । ମାଲିକେ, ମୋତେ ବାଟ ଛାଡ଼ିଦିଅ । ମୁଁ କ୍ଷେତ୍ର ଯିବି । ଏଇ ଜ୍ୟେଷ୍ଠକୁ ଚାରିକୋଡ଼ି ଭରିଗଲା । ଆଉ କ'ଣ ଗଛବୃଚ୍ଛ ହେବି କି ? ଏଇଥରକ ବାହୁଡ଼ିଗଲେ ଆଉ ନ ଦେଖିବି କଳାଶ୍ରୀମୁଖ । ଏ ଦିହକ ପାଇଁ ସରିଗଲା । ଏଥର ଝୁଲଣ ଗଲା । ଚନ୍ଦନ ଗଲା । ଏ ପୋଚା ଦେହ ଖଣ୍ଡ ବାଦ କଲା ମାଲିକେ, ଆସିପାରିଲି ନାହିଁ । ମୋ ନେତ୍ର ପବିତ୍ର କରିବି । ଆତ୍ମାକୁ କାରଣ କରିବି । ମୁନ୍ଦାଏ ଟଙ୍କତୋରାଣି ପିଇଦେଲେ ତେଣିକି ମରିଯାନ୍ତି । ବଡ଼ଦାଣ୍ଡରେ ଆଡ଼ ହୋଇ ଠିଆ ହେବି । ସେ ଭିଡ଼ ସମ୍ଭାଳିବାକୁ ଆଉ ବଳ ନାହିଁ । ସେଇଠି ଘଣ୍ଟ, ମର୍ଦ୍ଦଳ, କାହାଳୀ ବାଜୁଥିଲାବେଳେ ଦୁଲୁଦୁଲୁ ଚଳନ୍ତା ରଥରେ ସେ ମୋ ଆଡ଼ିକି ଟିକେ ଘୁଞ୍ଚିଆସନ୍ତା । ସେତିକି ଦେଖିଦେଲେ ମରିଯାନ୍ତି । ଏଇଟା ମୋ' ବଡ଼ନାତିର ସାନପୁଅ । ଲୋକନାଥଙ୍କ ଠେଇଁ ବାଳ ପକେଇବ । ମୁଁ ସେମିତି ଆସିଥିଲି ମୋ ଗୋସେଁଇ ବାପ ସାଙ୍ଗରେ । ଆମେ ଦିହେଁ ବାଇଶିପାହାଚରେ ଗଡ଼ିବୁ । ମୁଁ ପୁରୁଣା-ଗଡ଼ିଯିବି । ସେ ନୂଆ, ଏମିତି ଆଉ କିଛି କାଳ ଗଡୁଥିବ । ମୁଁ କ୍ଷେତ୍ର ଯିବି ମାଲିକେ, ମୋତେ ଛାଡ଼ିଦିଅ । ମୁଁ କ'ଣ ଆଉ ଥରେ ଆସି କଟାଳ କରିବି କି ?"

"ତାଙ୍କେ ସବୁ ପାରଳାରୁ ଆସିଛନ୍ତି ସାଆନ୍ତେ । ଆଉ ସେ ମାଇପି ଗଣ୍ଡାକ ଘୁମୁସର କୁଲାଡ଼ ଅଞ୍ଚଳର । ବାକିଯାକ ସବୁ ସାନଖେମୁଣ୍ଡି ଆଖପାଖ ପିତାତଳି, ଗଉଡ଼ଗାଁ, କୁକୁଡ଼ାଖଣ୍ଡି । ଆଉଯାକ ଆମ ଜଇପୁରୁ, ପାପଡ଼ାହାଣ୍ଡି, ଉମରକୋଟ । ଆମେ ସବୁ ମାଇକିନା ମର୍ଦ୍ଦ ମିଶି ପଞ୍ଚତିରିଶି ଜଣ । ଆସି ବରହମପୁରଠେ ମିଶିଲୁ । ଆମେ ତୀର୍ଥକୁ ବାହାରିଛୁ, ବଡ଼ ଭିଡ଼ଭାଡ଼ରେ ଆସିଛୁ ସାଆନ୍ତେ ! ପାଞ୍ଚ ପଇସା ଖର୍ଚ୍ଚ କରିବାକୁ ଧଇର୍ଯ୍ୟ ନାହିଁ । ଚାଲି ଚାଲି ଚିଲିକା କୂଳେ କୂଳେ ଆସିଛୁ ପୁରୁସ୍ତମ, ଥରଟେ ଦେଖିବୁ ଜଗନ୍ନାଥଙ୍କୁ ବୋଲି । ପ୍ରଭୁର କେତେ ପତିଆରା କବିସୂର୍ଯେ ବୋଲିଛନ୍ତି । ବଡ଼ ଗହଳି ଗୁରାଳି ଭିତରେ ଡେମ୍ଫନାଗରା ବାଜୁଥିବ । ଛତ୍ର ଚାମର ଟେକିଥିବେ । ବାଇଦ ବଡ଼କାଠ ବାଜୁଥିବ । ସେ ଭିତରେ ନିଳାଦ୍ରିସିଂହ ବିଜେ ହେବେ ନନ୍ଦିଘୋଷରେ । ସେ ପଟୁଆର ଟିକିଏ ଦେଖି ଏ ଚର୍ମ ଆଖି ପବିତ୍ର କରିବୁ । ସଂସାରରେ ଜନ୍ମ ଏକୁଟିଆ ଆଉ କିସ ସାଆନ୍ତେ ? ସମସ୍ତଙ୍କୁ ଘେନି ସିନା ସଂସାର ! ଏକୁଟିଆ ଗଳିଯିବାକୁ ସଜ ଥିଲେ ମହାପୁରୁଷଯାକ ଆମକୁ କାହିଁକି ଭିଡ଼ିଥାଆନ୍ତେ କହିଲେ ? ପରମ ପୁରୁଷ ନୀଳାଦ୍ରିରେ ବିଜେ କରିଛନ୍ତି, ନିଜେ ଦେଖିବା, ବନ୍ଧୁ ପରିଜନକୁ ଦେଖାଇବା । ସମସ୍ତଙ୍କୁ କଲ୍ୟାଣ ସିନା ଉଚିତ୍ ! ଆମେ କ୍ଷେତ୍ର ଯିବୁ । ଆମକୁ ବାଟ ଛାଡ଼ିଦିଅ" । 'କେହୁ ସରି କି, ପ୍ରଭୁପଣେ ନୀଳାଦ୍ରି କେଶରୀ କି । କେହୁ ସରି କି ... ।'

"ମୁଇଁ ଆସିତେ ମନ୍ କଲେ କି ହେବ - ଠାକୁର୍ ମନ୍‌କଲେ ସିନା ! କେତେଥର ବାହାରିଲା ପୁରୀ । ଏଇମାନେ ଯାଇତେ ଦେଲେ ନାହିଁ । କେବେ ସାନପୁଅର ବାହାଘର ତ କେବେ ନାତୁଣୀର ଭାତଖିଆ । ତୁଚ୍ଛା ମାୟାରେ ଭିଡ଼ିରଖିଲେ । ଶେଷକୁ ବିଧବା ହୋଇଗଲି ସିନା ପ୍ରଭୁର ଦର୍ଶନ ପାଇଲିନି । କେନେ ମତେ ଏମିତିନି ଏଇମାନେ ସାଧୁଛନ୍ତି । ହୁରି କଲି ମରିଯିବି ବୋଲି । ସବୁ ଆସି ଘେରିଗଲେ । ଏମାନେ ସବୁ ପରା ମୋର ରକ୍ତ । ଯଶିପୁର, ଚରୁଆଁ, ଚଁପୁଆ, ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର, ମେଦିନୀପୁର, ଚାଇଁବସା ଆର୍ କେନ୍ଦୁଝର । ମତେ ଏଇମାନେ ଟେକିନେବେ କି ମୁଇଁ ଏମାନଙ୍କୁ ଟେକିନେବି ନୁହେଁ ଆମକୁ ଗୋଟେ ଫାଶରେ ଠାକୁର ଟେକିନେବ ତ ନେବ, ନ ହେଲେ ନାଇଁ । ମନ୍‌ଟା ଭାରି ଉତଲା ଧରିଲାଣି । ଦଦରା ଡଙ୍ଗା ବତାସୀରେ ଥରୁଛି, ହେଲେ ତ ଏପାର୍ ନ ହେଲେ ସେପାର୍ । ମହାପାତକୀ ମୁଁ । ମତେ ପାରିକର ଠାକୁର୍ ! ଚାଲରେ ପିଲେ, ବାହାରିପଡ଼ । ମତେ ଆଉ ବେଳ ନାହିଁ । ମୁଁ କ୍ଷେତ୍ର ଯିବି" ।

"ଇ' ସଭେ ଆମର୍ ବାଟର୍ ଲୋକ୍ । ରେଢାଖୋଲ୍‌, ସମ୍ବଲପୁର, ସାଲେଭଟା, ତର୍ଭା ଆର ଛିନ୍‌ଛାନ୍ କଲାହାଣ୍ଡି ଭିତରେ ଧନେର୍ ଗାଁ । ଇ' ବାଟେ ବଲାଙ୍ଗେର୍‌, ସୋନପୁର, ବଉଦ୍‌, ଫୁଲବାନି ଆର୍ ସୁନ୍ଦରଗଡ଼ । ହେ ବାଟେ ଗଲାଯେ କାହିଁ, ରାଉରକେଲା ! ଆମେ ସଭେଁ ପୁରୀ ଯିମୁ । ଜଗନ୍ନାଥ ମହାପ୍ରୁକେ ଚମ୍ପା ଫୁଲ ଚଡ଼ାମୁ । ପଦମ୍ ଫୁଲର୍ ମାଲା ପିନ୍ଧାମୁ । ଆମର ଘରେ ମହାପ୍ରୁ ଆଛେ । ଆମର ଘରମାନକୁ ସେ ଯାଇଛେ । ଆମେ ତା'ର ଘରକେ ଆସିଛୁଁ । ଆମେ କୀର୍ତ୍ତନ କର୍‌ମୁ । ରଥ ଘିଚ୍‌ମୁ । ଆମେ ଜାନିଛୁ ଇ' ମହାପ୍ରୁ ବିଟ୍ ବିଟ୍ କଲିଆଟା ! ହେଲେ, ବଡ଼ା ଚିକନ୍ ଆର୍ ବଡ଼ା ସୁନ୍ଦରଟା ! ଥରେ ମନ୍ ଲାଗ୍‌ଲେ ଆର୍ ଛାଡ଼େନାଇଁ । ବାଟ୍ କହିଦିଅ ଗୁରୁ, ଆମେ କ୍ଷେତ୍ର ଯିମୁ" ।

ମହେନ୍ଦ୍ରଗିରିଠାରୁ ମେଘାସନ, ଋଷିକୁଲ୍ୟାଠାରୁ ସୁବର୍ଣ୍ଣରେଖା ଏବଂ କୋଣାର୍କଠାରୁ ହୀରାକୁଦ - ଏ ସମଗ୍ର ଭୂମିରେ ପାଟଡ଼ୋର ବିଛେଇ ହୋଇ ରହିଛି । ସେଥିରେ ପଡ଼ି ଟାଣି ହୋଇ ଆସୁଛନ୍ତି ନୀଳାଦ୍ରି କେନ୍ଦ୍ରକୁ ସହସ୍ର ସହସ୍ର ଅନୁଗତ ଭକ୍ତ । ଶତାବ୍ଦୀ ଶତାବ୍ଦୀ ଧରି ପୁରୁଷାନୁକ୍ରମେ ପ୍ରତ୍ୟେକ ପ୍ରାଣରେ ଗୋଟିଏ ମାତ୍ର ଆବେଦନ - ମୁଁ କ୍ଷେତ୍ର ଯିବି । ଏଠିକି ନ ଆସିଲେ ସତେ ବା ସେ ତା'ର ଆତ୍ମାକୁ ଚିହ୍ନିପାରୁନାହିଁ । ବିକଳ ହେଉଛି ଆର୍ତ୍ତ, ତୃଷାର୍ତ୍ତ ପକ୍ଷୀଟିଏ ପରି ।

ନୀଳାଦ୍ରି ଚୂଳରେ ନୂଆ ମେଘ ଟେକିଛି ଏବଂ ଦଶଦିଗରୁ କଳରବ କରି ପହଁରି ଆସୁଛନ୍ତି ଅକଳନ୍ତି ତୃଷାର୍ତ୍ତ ଚାତକ । ବଙ୍ଗଭୂମିରୁ ଶତ ଶତ ଭକ୍ତପରିବାର ନବଦ୍ୱୀପରୁ ମଧୁ ସଞ୍ଚୟ କରି ଆସିଛନ୍ତି ମଧୁଚକ୍ରର ସନ୍ଧାନରେ । ଇଚ୍ଛା - ପଣ୍ଡା ଗୁରୁଙ୍କର ପା' ଲାଗିହେବେ । ଦର୍ଶନ କରିବେ ଜଗନ୍ନାଥେର୍ ଚାନ୍ଦ୍ ବଦନ୍ । ଗଭର ଆପଣାପଣରେ କେହି କେହି ସୁଶ୍ରୀ ବଧୂ ହୁଏତ କହିବେ - "ଠାକୁର୍‌ଟି ବଡ଼ୋ ଭାଲେ - କିନ୍ତୁ କି ବିଶ୍ରୀ" ! ଆସିଛନ୍ତି ଆହାମିଆ ଜଗନ୍ନାଥେର ଦର୍ଶନ କରିବେ । ତାଙ୍କର ସୁମଧୁର ବିଳମ୍ବିତ କୀର୍ତ୍ତନରେ ନିବେଦନ କରିବେ ଆତ୍ମାର ଆକୁତି, ମେଘାଳୟ, ଅରୁଣାଚଳର ଗମ୍ଭୀର ପାର୍ବତ୍ୟ - ଭକ୍ତଗଣେ ସତେ ବା ବୁଝିଯାଇଛନ୍ତି ଆତ୍ମୀୟ ପରି ଏ ନୀଳାଚଳର ଅଧିବାସୀଙ୍କୁ । ହିମାଳୟର ତରାଇ ଅଞ୍ଚଳରୁ ସେଗୁଡ଼ିକ ହେଲେ ଘଡ଼ଉଆଲି - ସରଳ, ନିଷ୍କପଟ, ଜଗଦୀଶ - ପ୍ରେମୀ ଭକ୍ତଗୁଡ଼ିଏ । ହାତ ଧରାଧରି ହୋଇ, ବିଚ୍ଛିନ୍ନ ହୋଇଯିବାର ଏକାନ୍ତ ଭୟରେ, ଏକାସାଙ୍ଗରେ ଗୁୁଗୁମୁଣ୍ଡିଆ ଚାଲିଥିବା ଗୋଷ୍ଠୀଗୁଡ଼ିକ ଛତିଶ୍‌ଗଡ଼ୀ । ସଂଶ୍ଲିଷ୍ଟ ଶର୍କରାଖଣ୍ଡ ପରି ସେମାନଙ୍କର ମଧୁର ପ୍ରଭୁପ୍ରେମ ଓ ନିଷ୍ଠା । ପଶ୍ଚିମା, ଗୁର୍ଜରୀ, କଚ୍ଛୀ ଓ କର୍ଣ୍ଣାଟକୀ ସ୍ୱତନ୍ତ୍ର ସ୍ୱାଭିମାନରେ ବଡ଼ଦାଣ୍ଡକୁ ମଣ୍ଡନ କରିଛନ୍ତି । ଏ ବିପୁଳ କ୍ଷେତ୍ର ପରିପୂରିତ ହୋଇଛି ଭାରତ ଭୂମିର ଦୂରଦୂରାନ୍ତରୁ ଟାଣି ହୋଇ ଆସିଥିବାର ଆତୁର ତୃଷାର୍ତ୍ତ ଚାତକଙ୍କର କଳରବରେ । ଶ୍ରୀକ୍ଷେତ୍ରରେ ଚାରିଆଡ଼ୁ ସବୁ ଫାଙ୍କ, ଗଳି, କନ୍ଦି ଦେଇ ଝରିଆସୁଛି ଭକ୍ତି ଏବଂ ବିଶ୍ୱାସର ଅଫୁରନ୍ତ ଧାରା । ବିଭିନ୍ନ ଭାଷା, ଭାବ, ଭଙ୍ଗୀରେ ଏ ଧାରାରେ ପ୍ରତି ବିନ୍ଦୁରେ ପ୍ରତିଧ୍ୱନିତ ହେଉଛି ସେଇ ଗୋଟିଏ ଆକୁତି - "ମୁଁ କ୍ଷେତ୍ର ଯିବି" ।

ଏ ଆକୁତିରେ ଖଣ୍ଡିତ ବେଦନା ଝାସଦେବାକୁ ଚାହେଁ ପୂର୍ଣ୍ଣତାର ସମୁଦ୍ରରେ । ସଂସାର ଭିତରେ, ବନ୍ଧୁ ପରିବାର, ସୋଦର ଭିତରେ ଛାଣି ଯାହା ସେ ପାଇନାହିଁ, ସେହି ଅପରିମେୟ ଆପଣାପଣ ସେ ଖୋଜୁଛି ଏ କ୍ଷେତ୍ରରେ । ଖୋଜୁଚି ତା' ଆତ୍ମାର ବିପୁଳ ଉପାଦାନ । ସମଗ୍ର ଚାତକଟିର ବିନ୍ଦୁଏ ମାତ୍ର ତୃଷା । ସେ ଅଧୀର ଉଲ୍ଲାସରେ ଦୃଷ୍ଟି ନିବଦ୍ଧ ରଖିଛି ନୀଳାଚଳ ଚୂଳରେ । କେତେବେଳେ ଓହ୍ଲେଇ ଆସିବ ଏ ନବମୁଦିର ! ଦୃଷ୍ଟି ନିବଦ୍ଧ ରଖିଛି ଦେବାକୀର୍ଣ୍ଣ ସିଂହଦ୍ୱାର ଉପରେ ।

ଅମୃତ - କୁଣ୍ଡଳ ଦୋଳାୟିତ କରି ବଦ୍ଧାଞ୍ଜଳି ନମସ୍କାର - ମୁଦ୍ରାରେ ମନ୍ଦାର ପାଖୁଡ଼ା ପରି ଚହଟୁଥିବା ସେ ଦିବ୍ୟ ପୁରୁଷ ହେଉଛନ୍ତି ସୂର୍ଯ୍ୟ । ତାଙ୍କ ପାଖକୁ ରଜତ୍‌ଶଙ୍ଖ - ଶୁଭ୍ର ଶୀତଳ ମୂର୍ତ୍ତି ହେଉଛନ୍ତି ସୋମ । ଲୋହିତ, ଶ୍ୟାମଳ କନକାଦି ବର୍ଣ୍ଣର ଅନ୍ୟାନ୍ୟ ଗ୍ରହମାନେ ସେହିପରି ଯୋଡ଼ହସ୍ତ ଠିଆ ରହିଛନ୍ତି । ଇନ୍ଦ୍ର ଅଗ୍ନି ଯମାଦି ଦଶ ଦିକ୍‌ପାଳମାନେ ସସମ୍ଭ୍ରମେ ସ୍ତବଗାନ କରୁଛନ୍ତି । ଶିବଗଣଙ୍କ ଗହଣରେ କୈଳାସପତି ଏବଂ ପାଦଗାମୀ ହୋଇ ବେଦପତି ଅପେକ୍ଷା କରିଛନ୍ତି । ସାଶ୍ରୁଲୋଚନ ଭକ୍ତ ଏ ଅପୂର୍ବ ଦୃଶ୍ୟରେ ବିହ୍ୱଳିତ ହୋଇ ଡାକୁଛି - "ହେ ପ୍ରାଣପତି, ସିଂହଦ୍ୱାରେ ଉଭା ହୋଇଛନ୍ତି ଯତିପତି, ହେ ପ୍ରାଣପତି !" ଅନ୍ତତଃ ଏମାନଙ୍କ ଖାତିର୍‌ରେ ଓହ୍ଲେଇ ଆସ ପ୍ରଭୁ ! ନ ହେଲା ବା ମୋ ପାଇଁ ତୁମର ବିଚାର ନ ହେଲା !

କିନ୍ତୁ ଭକ୍ତର ସରଳ ପ୍ରେମ ଓ ସ୍ୱଚ୍ଛନ୍ଦ ସମର୍ପଣରେ ହିଁ ସେ ଅବତରଣ କରନ୍ତି । ମହାମିଳନର ପଥ ଏ ବଡ଼ଦାଣ୍ଡ ! ରୂପ, ରଙ୍ଗ, ଆକୃତି, ଭାଷା, ଭଙ୍ଗୀର ବୈଚିତ୍ର୍ୟମୟ ଏ ମାନବ - ସମୁଦ୍ରରେ ଗୋଟିଏ ମାତ୍ର ଭାବତରଙ୍ଗ ରଥାରୂଢ ବାମନଙ୍କର ଚରଣ ସ୍ପର୍ଶ କରୁଛି । ଏ ବିଭିନ୍ନତା କେବଳ ବହୁ ବିଚିତ୍ର, ବହୁ ରଙ୍ଗ-ରଞ୍ଜିତ ଗୋଟିଏ ପରିଧେୟ । ତାକୁ ପରିଧାନ କରିଛନ୍ତି ସର୍ବତ୍ର ବିରାଜିତା ଭାଗବତୀ ଭକ୍ତି । ତାଙ୍କ ସମ୍ମୁଖରେ ଏକମାତ୍ର ଭାଗବତପୁରୁଷ ବିରାଜମାନ । ଏ ମିଳନ ଘନିଷ୍ଠ, ପାରସ୍ପରିକ । ଜଣକର ଲଲାଟରେ ପ୍ରଭୁର ଚନ୍ଦନ ଲାଞ୍ଛନ ଏବଂ ଅନ୍ୟ ଜଣକର ବିପୁଳ ଭୁଜ-ଯୁଗଳ ଚେଳାଞ୍ଚଳ ଆବୃତ ।

ମୁଁ ମଧ୍ୟ କ୍ଷେତ୍ର ଯିବି ସାଧୁଜନେ ! କିନ୍ତୁ ସେ ମହାର୍ଘ ପାଟଡ଼ୋର ପାଇଁ ମୋର ପୁଣ୍ୟଧନ ନାହିଁ । ଦୀନବାନ୍ଧବ ହରିଙ୍କୁ କହିବ - ଯଦି ସେ ଅହେତୁକୀ ଅନୁଗ୍ରହ କରି ଏକ - ପାକ୍ଷିକ ପାଟଡ଼ୋରଟିଏ ଲଗେଇ ଟାଣି ନିଅନ୍ତି, ମୁଁ ଅବଶ୍ୟ ଯିବି । ମୁଁ କ୍ଷେତ୍ର ଯିବି !

ଗୋଡ଼ ଯୋଡ଼ିକ ଥାଇ ବୋଇଲେ
ସତ ମୋ ବଚନ ରାମା, ସତ ମୋ ବଚନ ।
ଜଗନ୍ନାଥଙ୍କ ଶରଧାବାଲି ଚାଲିବାକୁ ମୋ ମନ
ମୁଁ ତ କ୍ଷେତ୍ର ଯିବି -
ଜଗନ୍ନାଥଙ୍କ ଶରଧାବାଲି ନିତି ଚାଲୁଥିବି ।
ହାତ ଯୋଡ଼ିକ ଥାଇ ବୋଇଲେ
ସତ ମୋ ବଚନ ରାମା, ସତ ମୋ ବଚନ ।
ଜଗନ୍ନାଥଙ୍କର ଗରୁଡ଼ ଖୁମ୍ବ କୁଣ୍ଢାଇବାରେ ମୋ ମନ,
ମୁଁ ତ କ୍ଷେତ୍ର ଯିବି -
ଜଗନ୍ନାଥଙ୍କର ଗରୁଡ଼ ଖୁମ୍ବ ନିତି କୁଣ୍ଢାଉଥିବି ।
ତୁଣ୍ଡ ଗୋଟି ଥାଇ ବୋଇଲା
ସତ ମୋ ବଚନ ରାମା, ସତ ମୋ ବଚନ ।

ଜଗନ୍ନାଥଙ୍କର ବଗଡ଼ା ଅନ୍ନ ଖାଇବାକୁ ମୋ ମନ,
ମୁଁ ତ କ୍ଷେତ୍ର ଯିବି -
ଜଗନ୍ନାଥଙ୍କର ବଗଡ଼ା ଅନ୍ନ ନିତି ଖାଉଥିବି ।

ନାଳ ଗୋଟି ଥାଇ ବୋଇଲା
ସତ ମୋ ବଚନ ରାମା, ସତ ମୋ ବଚନ ।
ଜଗନ୍ନାଥଙ୍କର ବାସନା ଭୋଗ ଶୁଙ୍ଘିବାରେ ମୋ ମନ,
ମୁଁ ତ କ୍ଷେତ୍ର ଯିବି -
ଜଗନ୍ନାଥଙ୍କର ବାସନା ଭୋଗ ନିତି ଶୁଙ୍ଘୁଥିବି ।

ଆଖି ଯୋଡ଼ିକ ଥାଇ ବୋଇଲେ
ସତ ମୋ ବଚନ ରାମା, ସତ ମୋ ବଚନ ।
ଜଗନ୍ନାଥଙ୍କ ଚକାଡ଼ୋଳା ଦେଖିବାରେ ମୋ ମନ,
ମୁଁ ତ କ୍ଷେତ୍ର ଯିବି -
ଜଗନ୍ନାଥଙ୍କର କଳାଶ୍ରୀମୁଖ ନିତି ଦେଖୁଥିବି ।
କାନ ଯୋଡ଼ିକ ଥାଇ ବୋଇଲେ
ସତ ମୋ ବଚନ ରାମା, ସତ ମୋ ବଚନ ।
ଜଗନ୍ନାଥଙ୍କର ଘଣ୍ଟ - ମାଦଳ ଶୁଣିବାରେ ମୋ ମନ,
ମୁଁ ତ କ୍ଷେତ୍ର ଯିବି -
ଜଗନ୍ନାଥଙ୍କର ଘଣ୍ଟ - ମାଦଳ ନିତି ଶୁଣୁଥିବି ।

ସୌଜନ୍ୟ - ରଥ ସପ୍ତକ, ଗ୍ରନ୍ଥ ମନ୍ଦିର, କଟକ