ଫଟୋ -ଜାଗରଣ ଯୋଶ ଡଟ କମ

ଇନ୍ଦୋରରେ ପହଞ୍ଚିଲା ପରେ ଆଉ ଡର-ଭୟ ନଥିଲା । ପୁରୁଣା ସାଙ୍ଗମାନଙ୍କ ସାଙ୍ଗରେ ଦେଖାହେଲା । ମଉଜ ମସ୍ତି ହେଲା । ପୁଣି ଥରେ ବହୁଦିନ ପରେ ସେ ଇନ୍ଦୋରର ଗଳିକନ୍ଦିରେ ଘୂରିବୁଲିଲା । ସ୍କେଚ୍ କଲା । ସାଇକେଲ୍ ଧରି ସହର ଠାରୁ ଦୂରକୁ ଯାଇ ୱାଟର୍ କଲରରେ ଲ୍ୟାଣ୍ଡସ୍କେପ୍ କଲା ।

ଇନ୍ଦୋରରେ କିଛିଦିନ ବି ଆରାମରେ କଟିଗଲା ସମୟ ମକବୁଲ୍ ର ।

କିଛିଦିନ ପରେ ପି.ସି. ବରୁଆ, ଅନେକ ଦିନ ହେଲା ଅଧା ଥିବା ଫିଲ୍ମ ‘ଜିନ୍ଦେଗୀ’କୁ ଶେଷ କଲେ । ଖୋଜାପଡ଼ିଲା ମକବୁଲ୍ । ମକବୁଲ୍ କୁ ବମ୍ବେ ମହାନଗରୀ ପୁଣିଥରେ ହାତଧରି ଟାଣିଲା । ଆଡଭାନ୍ସ ଆକାରରେ ଭଲ ପଇସା ବି ମିଳିଲା । ପଇସା ପକେଟରେ ପଡ଼ିଲା ପରେ ମକବୁଲ୍ ସିଧା ଚାଲିଲା ବଦରବଗର ମେହେମୁଦ୍ ବାଈର ଘରକୁ । ହଁ, ଯିବା ରାସ୍ତାରେ ଚା’ ଦୋକାନୀ ଆଉ ଧୋବାର ବାକିଆ ପଇସା ବି ତୁଟେଇ ଦେଲା ସେ । ମେହେମୁଦ୍ ବାଈର ଘରେ ପହଁଚି ବାକି ଶୁଝିଲା ପରେ ଆହୁରି ଆଗତୁରା ଦିଇମାସ ପାଇଁ ଟଙ୍କା ଆଡଭାନ୍ସ ବି ଦେଇଦେଲା ।

ପଇସା ପାଇଗଲା ପରେ ମେହେମୁଦ୍ ବାଈର ଲଫଙ୍ଗା ପୁଅର ଆଉ କିଛି କହିବାର ନଥିଲା । ସେ ତ ଭାବିଥିଲା ମକବୁଲ୍ ତା’ ଧମକା ପରେ ବମ୍ବେ ଛାଡ଼ି କୁଆଡେ ପଳେଇଗଲା । ହେଲେ ମେହେମୁଦ୍ ବାଈର ବିଶ୍ୱାସ ଥିଲା ମକବୁଲ୍ ପୁଣି ଥରେ ନିଶ୍ଚୟ ଫେରିବ । ମକବୁଲ୍ ଫେରିଆସିବା ନେଇ ସେଦିନ ସବୁଠାରୁ ଅଧିକ ଖୁସି ଯିଏ ହୋଇଥିଲା ସେ ହେଉଛି ମେହେମୁଦ୍ ବାଈର ଝିଅ ପଂଜିଲା । ସେଦିନ ମେହେମୁଦ୍ ବାଈ ହାତରେ ପଇସା ଧରେଇ ଦେଇ ସିଧା ଘରଭିତରୁ ବାହାରି ଆସି ସାମ୍ନା ଫୁଟପାଥ୍ ଉପରୁ ପଛକୁ ବୁଲି ଚାହିଁଲା ମକବୁଲ୍ । ବାଲ୍କୋନୀରେ ଚୁନୁରୀ କାମୁଡ଼ି ତାକୁ ହସ, ଲାଜ ଆଉ ଅଭିମାନଭରା ଆଖିରେ ଚାହିଁରହିଛି ପଂଜିଲା ।

‘ଜିନ୍ଦେଗୀ’ ସିନେମା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଲା ମକବୁଲ୍ କୁ । କିଛି ଅଧିକା ପଇସା ରୋଜଗାର ଚକ୍କରରେ ସେ ଆଉ କାହାର ସହଯୋଗ ନେଲାନି । ଏକା ଏକା ସବୁ ସମ୍ଭାଳି ନେବେ ବୋଲି ଠିକ୍ କରିଥିଲା । ‘ଜିନ୍ଦେଗୀ’ର କାମ ମିଳିଲା ପରେ କିଛି ମରାଠୀ ସିନେମାର ବିଲବୋର୍ଡ କାମ ବି ହୁଦସ୍ତ ଆସି ପହଞ୍ଚିଗଲା । ଗୋଟେ ଗୋଟେ ରାତିରେ ଗୋଟେ ଗୋଟେ ବିଲବୋର୍ଡ ଉଠେଇବାକୁ ପଡୁଥିଲା । ସେ ସାହାସ କରି କାମ ସିନା ଧରିଦେଇଥିଲା, ହେଲେ ଏତେ ବଡ଼ ବଡ଼ ବିଲବୋର୍ଡ ଆଙ୍କିବା ପାଇଁ ତା’ ପାଖରେ ଜାଗା ନଥିଲା । ଅଧରାତିରେ ସେଦିନର ଶେଷ ଟ୍ରାମ୍ ଗଲା ପରେ, ରାସ୍ତା ପୂରାପୂରି ଶୁନଶାନ୍ ହେଇଯାଉଥିଲା । ଟ୍ରାମ୍ ଗଲା ପରେ ପରେ ମକବୁଲ୍ ଫଟାଫଟ୍ କ୍ୟାନଭାସକୁ ରାସ୍ତା ଉପରେ ମେଲେଇ ଦେଇ କାମ ଆରମ୍ଭ କରୁଥିଲା । ଠିକ୍ ଚାରିଟା ବେଳକୁ ଦିନର ପ୍ରଥମ ଟ୍ରାମ୍ ଝୁଲି ଝୁଲି ସେ ରାସ୍ତାରେ ଆଗକୁ ଗଡ଼ିଯିବା ବେଳକୁ ସେ କାମ ଶେଷ କରୁଥିଲା । ବଡ଼ କାମ କରିବାକୁ ଏତିକିମାତ୍ର ସମୟ ମିଳୁଥିଲା ତାକୁ । ମକବୁଲ୍ ର କାମ ଧିରେ ଧିରେ ବଢ଼ି ବଢ଼ି ଯାଉଥିଲା । କାମ ବଢ଼ିଯିବାରୁ ଦି ପଇସା ଭଲ ରୋଜଗାର ବି ହେଉଥିଲା ତା’ର । ମେହେମୁଦ୍ ବାଈ ଘରକୁ ଗଲେ ପଂଜିଲା ଆଖିରେ ଆଖି ମିଶୁଥିଲା । କେବେ କେବେ କେହି ଘରେ ନଥିଲେ ପାରାପେଟିରେ ଥିବା ନାଲି ସାବୁନ୍ କେସ୍ ଦେଖି ତରତରରେ ଦୁଇ-ଚାରିପଦ କଥା ଆଉ ଗରମାଗରମ୍ କପେ ଚା' ଆଉ କେତେ ଦିନ ଚାଲିଥାନ୍ତା?

ଆଉ କ’ଣ ପାଇଁ ଅପେକ୍ଷା ଯେ?
ଦିନେ ଯାହା ପଛେ ହେଲେ ହେବ ଭାବି ମକବୁଲ୍ ସାହାସ ସଞ୍ଚୟ କରି ମେହେମୁଦ୍ ବାଈକୁ ସିଧାସଳଖ କହିଲା, ସେ ପଂଜିଲାକୁ ବାହା ହେବାକୁ ଚାହୁଁଛି । ମକବୁଲ୍ ଭାବିଥିଲା ମେହେମୁଦ୍ ବାଈର ଝିଅ ତା’ ମା’ ପରି ଦୟାବତୀ ଆଉ ହୃଦୟବତୀ ନିଶ୍ଚୟ ହେଇଥିବ । ତା’ର ତ ଠିକ୍ ଏମିତି ଝିଅଟିଏ ଦରକାର ଥିଲା ।

କେବଳ ମକବୁଲ୍ ଆଉ ପଂଜିଲା ପରସ୍ପରକୁ ଚାହୁଁଥିଲେ, ସେ କଥା ନୁହେଁ । ମେହେମୁଦ୍ ବାଈ ବି ଭିତରେ ଭିତରେ ଚାହୁଁଥିଲା ମକବୁଲ୍ ହିଁ ତା’ ଝିଅ ପାଇଁ ଠିକ୍ ହେବ । ତେଣୁ ମକବୁଲ୍ ସେଦିନ ନିଜ ବାହାଘରର ପ୍ରସ୍ତାବ ବାଢ଼ୁ ବାଢୁ ମେହେମୁଦ୍ ବାଈ ସାଙ୍ଗେ ସାଙ୍ଗେ ରାଜି ହେଇଗଲେ । ହେଲେ ଏ ପ୍ରସ୍ତାବରେ ଆଉ କେହିବି ଖୁସି ନଥିଲେ । ସାଇ-ପଡ଼ିଶା, ବନ୍ଧୁ-ବାନ୍ଧବଙ୍କ କଥା ଛାଡ, ପଂଜିଲାର ଭାଇ ତ ଆଦୌ ରାଜି ନଥିଲା, ଏମିତି ଗୋଟେ ଫୁଟପାଥିଆ ଆର୍ଟିଷ୍ଟ ସାଙ୍ଗରେ ନିଜ ଭଉଣୀର ବାହାଦେବାକୁ ।

ହେଲେ ମେହେମୁଦ୍ ବାଈ କାହାରି କଥା ଶୁଣିବାକୁ ରାଜିନଥିଲା । ସେ ୧୧ ମାର୍ଚ୍ଚ ୧୯୪୧ରେ ବିବାହ ତାରିଖ ଧାର୍ଯ୍ୟ କରିଦେଲା । ମକବୁଲ୍ ତା’ ବାପାଙ୍କ ପାଖକୁ ଖବର ପଠେଇଲା । ବାହାଘରରେ ତା’ ପରିବାର ଲୋକବି ଉପସ୍ଥିତ ରହିବା ଦରକାର ନା! ଠିକ୍ ବେଳାରେ ମକବୁଲ୍ ହରଡଘଣାରେ ପଡ଼ିଯାଇଥାଏ । ଏପଟେ ବାହାଘର ତାରିଖ ଠିକ୍ ହେଇଗଲା । ସେପଟେ ସେ ଧରିଥିବା ‘ଜିନ୍ଦେଗୀ’ ଫିଲ୍ମର କାମ ସରୁନଥାଏ । ଠିକ୍ ସମୟରେ ଯେମିତି ହେଲେ କାମ ତ ସାରିବାକୁ ହେବ । ଏମିତି ବେଳାରେ ମକବୁଲ୍ ର ମୁଣ୍ଡକୁ ଗୋଟେ ବୁଦ୍ଧି ଯୁଟିଗଲା । କ୍ୟାନଭାସ୍ ଉପରେ ସେ କଳା କ୍ରେଅନ୍ ଧରି ସିଧାସଳଖ ଡ୍ରଇଁ କରିବା ଆରମ୍ଭ କରିଦେଲା । ସିନେମାର ଦୃଶ୍ୟମାନଙ୍କୁ ସିଧାସଳଖ ଏମିତି ଡ୍ରଇଁରେ ରୂପାନ୍ତରିତ କରି ବିଲବୋର୍ଡ ପୋଷ୍ଟର କରିବା ଏକଦମ୍ ନୂଆ କଥା ଥିଲା । ଏମିତି ଏକ ଅଭିନବ ପ୍ରୟାସକୁ ଆଉ କେହି ହୁଏତ ମୂଳରୁ ନାପସନ୍ଦ କରିଦେଇଥାନ୍ତା, କିନ୍ତୁ ନ୍ୟୁ ଥିଏଟର ପ୍ରଡକ୍ସନ୍ ହାଉସ୍ ର ପି.ସି. ବରୁଆ, ନିତିନ୍ ବୋଷ ଓ ଦେବକୀ ବୋଷ ଆଦି ସୃଜନଶୀଳ ବ୍ୟକ୍ତିମାନେ ମକବୁଲ୍ କୁ ଯଥେଷ୍ଟ ସ୍ୱାଧୀନତା ଦେଇଥିଲେ କିଛି ନୂଆ ଚିନ୍ତା କରିବାକୁ ଓ କିଛି ନୂଆ କରି ଅଲଗାକରି ଦେଖାଇବାକୁ । ମକବୁଲ୍ ର ନୂଆ ପ୍ରୟାସ ସେମାନଙ୍କୁ ଭଲ ଲାଗିଲା । ମକବୁଲ୍ ବି ଭାବିଲା ଏଥର ସେ ଠିକ୍ ସମୟରେ ‘ଜିନ୍ଦେଗୀ’ର କାମ ସାରିଦେବ ।

ସେଦିନ ସନ୍ଧ୍ୟା ପାଞ୍ଚଟା ତିରିଶରେ ସେ ‘ଜିନ୍ଦେଗୀ’ର ପୋଷ୍ଟର କାମ ଶେଷ କରି ଠିକ୍ ୬ଟାରେ ବଦରବାଗରେ ପହଁଚିଲା । ସେଦିନ ମାର୍ଚ୍ଚ ଏଗାର । ମାନେ ମକବୁଲ୍ ମିଆଁର ବାହାଘର । ଏତେ ବ୍ୟସ୍ତତା ଭିତରେ ମକବୁଲ୍ ପୁରା ଭୁଲିଯାଇଥିଲା ଯେ ତା’ ପାଖରେ ଘର ନାହିଁ । ଏବେ ସେ ତା’ ସ୍ତ୍ରୀକୁ ଧରି ଫୁଟପାଥ୍ ରେ ଶୋଇପାରିବନି । ଅନ୍ତତଃ ବଖୁରିଏ ଘର ତ ନିଶ୍ଚୟ ଦରକାର! ଯା’ ହେଉ ଠିକ୍ ବେଳାରେ ତା’ର ଜଣେ ପୋଷ୍ଟମ୍ୟାନ୍ ସାଙ୍ଗ କହିଲା; -ମକବୁଲ୍ ତୁ ଆଜିଠୁଁ ମୋ ଘରେ ରହିବୁ । ମୋ ଘରେ ଦିଇଟା ବଖରା ଅଛି । ଗୋଟେ ତୋର, ଗୋଟେ ମୋର...

ପାଖ ଗଳିରେ ମକବୁଲ୍ ର ସେ ପୋଷ୍ଟମ୍ୟାନ୍ ସାଙ୍ଗର ଗୋଟେ ଚାଳିଥାଏ । ମକବୁଲ୍ ଏକଦମ୍ ଖୁସି ହେଇଗଲା । ଏବେ ତା’ ପାଖରେ ଗୋଟେ ଘର ଅଛି । ଅସ୍ଥାୟୀ ଚାଳି ହେଉପଛେ!ଏବେ ଗୋଟେ ବନ୍ଦ କୋଠରୀ ଭିତରେ ମକବୁଲ୍ ଆଉ ପଂଜିଲା । ମକବୁଲ୍ ର ଛାତି ଧଡ୍ ଧଡ୍ । ଭୟ, ଶଙ୍କା ଓ ଆନନ୍ଦର ମିଶାମିଶି ଭାବରେ ସେ ଝାଳରେ ଗୋଟାପଣ ଓଦା ହୋଇସାରିଥାଏ ।

ଜୀବନରେ ଥରେ ମାତ୍ର ସେ ଗୋଟେ ଝିଅକୁ ଛୁଇଁଥିଲା । ତାଙ୍କ ଘରର ଚାକରାଣୀର ଝିଅକୁ ଥରେ ସୁଯୋଗ ଦେଖି ସେ ପଛରୁ ଭିଡ଼ି ଧରିଥିଲା । ଅନେକ ଦିନ ଧରି ସେଇ ଅଲଗା ଅନୁଭବ ସାରା ଦେହରେ ଘୂରିବୁଲିଥିଲା ତା’ର । ହେଲେ କଥା ଆଉ ଆଗକୁ ବଢ଼ିନଥିଲା । ଯଦିଓ ଘଟଣାକୁ ଆଗକୁ ବଢ଼ାଇବା ପାଇଁ ତା’ ପାଖରେ ଢେ଼ର୍ ସୁଯୋଗ ଥିଲା । ଏମିତିତ ତା’ର ଗୋଟେ ସମ୍ପର୍କୀୟ ଭାଇ ସେ ଝିଅକୁ ବିଛଣା ପର୍ଯ୍ୟନ୍ତ ନେଇସାରିଥିଲା । ଥରେ ତା’ର ଦିଇଟା ଚୋର ସାଙ୍ଗ ତାକୁ ଗୋଟେ ବେଶ୍ୟା ପାଖକୁ ନେଇଯାଇଥିଲେ ଯେ ହେଲେ ମକବୁଲ୍ ଭୟ ଓ ଲାଜରେ ଠିଆ ହେଇ ହେଇ ସେଠୁ ଖସି ପଳେଇ ଆସିଥିଲା । ଜେ.ଜେ. ସ୍କୁଲ୍ ରେ ନ୍ୟୁଡ୍ ଷ୍ଟଡି ବେଳେ ସେ ନ୍ୟୁଡ୍ ମଡେଲକୁ ଦେଖି ବେଶ୍ ଉତ୍ତେଜିତ ଅନୁଭବ ଅବଶ୍ୟ କରୁଥିଲା । ମଡେଲ୍ ର ବଳିଷ୍ଠ ସୁନ୍ଦର ଲଙ୍ଗଳା ଚେହେରା ତା’ ମନ ଭିତରେ ଏତେ କାମ ଉତ୍ତେଜନା ଭରିଦେଉଥିଲା ଯେ ଷ୍ଟଡି କରିବାକୁ ଆବଶ୍ୟକୀୟ ଏକାଗ୍ରତା ତା’ର ଗୋଟାପଣ ଚହଲି ଯାଉଥିଲା ।

ଏବେ ସେ ଆଉ ପଂଜିଲା ଗୋଟେ ବନ୍ଦ ଘର ଭିତରେ । ତଥାପି ଏତେ ଭୟ କୋଉଠୁ ଆସୁଛି?

ପଂଜିଲାକୁ ତ ସେ ବାହା ହେବାକୁ ଚାହୁଁଥିଲା । ପ୍ରେମ କରୁଥିଲା । ଏବେ ପଂଜିଲା ତା’ ପାଖରେ । ଗୋଟେ ବନ୍ଦ ଘର ଭିତରେ । ହେଲେ ଏବେ ସୁରୟା କାହିଁକି ମନେପଡୁଛି ଯେ? ସୁରୟାକୁ ପନ୍ଦର ବେଳକୁ ମକବୁଲ୍ କୁ ଷୋହଳ । ସୁରୟାର ବଡ଼ଭାଇ ହମିଦ୍ ହେଉଛି ମକବୁଲ୍ ର ଭଲ ସାଙ୍ଗ । ସେଇ ସୂତ୍ରରେ ମକବୁଲ୍ ବାର ବାହାନା କରି ସୁରୟାର ଘରେ ପହଞ୍ଚି ଯାଉଥିଲା । କାହିଁକି କେଜାଣି ମକବୁଲ୍ କୁ ଲାଗୁଥିଲା କେବଳ ସେ ନୁହେଁ ସୁରୟା ବି ତାକୁ ପସନ୍ଦ କରେ । ହେଲେ କେହି କାହାକୁ କିଛି କହିପାରୁନଥିଲେ ।

ଦିନେ ମକବୁଲ୍ ଗୋଟେ ଚିଠି ଲେଖିଲା । ଜୀବନର ପ୍ରଥମ ପ୍ରେମପତ୍ର । ଉର୍ଦ୍ଧୁ ସାଏରୀ ଆଉ ପାର୍ସି କବିତା ସାଙ୍ଗକୁ କିଛି ଜୀବନ ଦର୍ଶନ ମିଶେଇ ମକବୁଲ୍ ର ପ୍ରେମପତ୍ର ଗୋଟେ ଭାରୀ ଗମ୍ଭୀର ପ୍ରବନ୍ଧ ପରି ହୋଇଗଲା । ପ୍ରେମପତ୍ରଟି ମକବୁଲ୍ ର ପକେଟରେ ଆରାମରେ ବହୁତ ଦିନ ରହିଲା । ପ୍ରେମପତ୍ରଟି ଗୋଟେ ନିରୋଳା ମୁହୂର୍ତ୍ତ ଦେଖି ସୁରୟା ହାତରେ ଧରାଇଦେବା ପାଇଁ ମକବୁଲ୍ ଅନେକ ଥର ସୁରୟାର ଘରକୁ ଗଲା । ଉପରେ ପଡ଼ି ତାଙ୍କ ଠିଆ ଆଇନାର ଚାରିକତି ଡାଳିପତ୍ର ଆଙ୍କିଲା । ତାଙ୍କ କାଠ ଆଲମିରାମାନଙ୍କରେ ଶୁଆ-ସାରୀ ଆଉ ପଦ୍ମଫୁଲ ଆଙ୍କିଲା । ଏମିତିକି ତାଙ୍କ ଝରକାର କାଚଠୁଁ ପୁରୁଣା ଟ୍ରଙ୍କ ପର୍ଯ୍ୟନ୍ତ ସବୁଥିରେ କିଛିନା କିଛି ଆଙ୍କିଲା ସିନା ହେଲେ ସୁରୟା ହାତରେ ସେ ଚିଠିଟିକୁ ଧରେଇ ଦେବାକୁ ସାହସ ସଞ୍ଚୟ ଥରୁଟେ ବି କରିପାରିଲାନି ।

ତା’ପରେ ସେ କୋଉ ସାହସରେ ବା ସୁରୟାର ବାପାଙ୍କୁ କହିଥାନ୍ତା- ମୁଁ ତମ ଝିଅକୁ ବାହାହବାକୁ ଚାହୁଁଛି? ତା’ପରି ଗୋଟେ ବାରବୁଲା ଛତରାକୁ କିଏବା ଝିଅ ଦେଇଥା'ନ୍ତା? ଦିନେ ହଠାତ୍ ସୁରୟାର ବାପା ଗୋଟେ ବେପାରୀ ଜ୍ୱାଇଁ ଖୋଜି ସୁରୟାକୁ ବାହାକରି ଘରୁ ବିଦା କରିଦେଲେ । ସୁରୟା ପାକିସ୍ତାନ ପଳେଇଲା ।

ମକବୁଲ୍ ଆଖି ଫେରାଇଲା ।

ତା' ଆଗରେ ଏବେ ପଂଜିଲା । ତା’ର ବର୍ତ୍ତମାନ ।

ଏବେ ସୁରୟା ଆଉ ଦିଶୁନି । ଦିଗବଳୟ ତଳେ ପୁଳେ କୁହୁଡ଼ିଘେରା ଲ୍ୟାଣ୍ଡସ୍କେପ୍ ପରି ଆଉ ଏତେ ସ୍ପଷ୍ଟ ଦିଶୁନି ସୁରୟାର ମୁହଁ ।

ମକବୁଲ୍ ତା’ ପାଇଜାମା ପକେଟରେ ହାତ ପୁରାଇଲା ଓ ପଂଜିଲା ହାତକୁ ବଢେ଼ଇଦେଲା ଗୋଟେ ଉପହାର ।

ଠିକ୍ ସେତିକିବେଳକୁ ସେଦିନ ଶେଷ ଟ୍ରାମ୍ ତା’ର ଘଣ୍ଟି ବଜେଇ ବଜେଇ ବାହାରେ ଯାଉଥିଲା ।

ମକବୁଲ୍ ହାତ ବଢେ଼ଇ ଆଲୁଅ ଲିଭେଇ ଦେଲା ।