ଚିତ୍ର - ଲାସ୍ୟ ଆର୍ଟ ଡଟ କମ

ନା ବହୁତ ହେଇଗଲା । ଆଉ ହେବନି । ମଣିଷକୁ ଟିକେ ବିଶ୍ରାମ ଲୋଡା । ମକବୁଲ୍ ଚୁପଚାପ୍ ବମ୍ବେରୁ ବାହାରି ଆସିଲା ଇନ୍ଦୋର । ଇନ୍ଦୋରରେ ତା’ ପରିବାର କିନ୍ତୁ ଆଉ ନଥା'ନ୍ତି । ତା’ ବାପାଙ୍କ ୱାରଙ୍ଗଲ୍ କୁ ବଦଳି ହୋଇସାରିଥିଲା । ପୁରା ପରିବାର ପଳେଇଥା'ନ୍ତି ୱାରଙ୍ଗଲ୍ । ଯା' ହେଉ ଜଣେ ସମ୍ପର୍କୀୟ ମକବୁଲ୍ ର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ତାକୁ ଘରେ ନେଇ ରଖିଲେ ଓ ହାତରେ ରାନ୍ଧି ଭଲରେ ଖୁଆଇ - ପିଆଇ ସୁସ୍ଥ କରେଇଲେ ।

ଧୀରେଧୀରେ ସୁସ୍ଥ ହେଇ ଆସିଲା ମକବୁଲ୍ ।

ଦେହକୁ ପୁରୁଣା ବଳ ଫେରିଆସିଲା । ବମ୍ବେ ମହାନଗରୀର ମାୟା ତାକୁ ଦୂରରୁ ହାତ ଠାରି ପୁଣି ଡାକିଲା । ତା’ଛଡା ଇନ୍ଦୋରରେ ଆଉ ଅଧିକା ସମୟ ରହିବାର କାରଣ ବି କିଛି ନଥିଲା ।

ଏଥର ବମ୍ବେରେ ପହଁଚିଲା ପରେ ମକବୁଲ୍ ଆଉ ସବାବ୍ ପାଖକୁ ଗଲାନି । ସିଧାସଳଖ ପହଁଚିଲା ବମ୍ବେର ସବୁଠାରୁ ନାମକରା ବିଲବୋର୍ଡ ଆର୍ଟିଷ୍ଟ ଭିଦେ ପାଖରେ । ଭିଦେ ସେତବେଳକୁ ବଲିଉଡ୍ ର ବିଖ୍ୟାତ ନିର୍ଦ୍ଦେଶକ ଭି.ଶାନ୍ତାରାମ୍ ଙ୍କ ପାଖରେ ତାଙ୍କ ପ୍ରଭାତ ଷ୍ଟୁଡ଼ିଓରେ କାମ କରୁଥା'ନ୍ତି । ବଣିଆ ଭଲ ସୁନାକୁ ଚିହ୍ନିଲା ପରି ଭିଦେ ଫଟାଫଟ୍ ମକବୁଲ୍ କୁ ଚିହ୍ନିଦେଲେ । ସେ ସେଦିନ ଠିକ୍ ବୁଝିଥିଲେ ମକବୁଲ୍ ଗୋଟେ ଲମ୍ବା ରେସ୍ ର ଘୋଡ଼ା ।

ସେତେବେଳେ ଯେତେଜଣ ବିଲବୋର୍ଡ ଆଙ୍କୁଥିଲେ ଭିଦେ ସମସ୍ତଙ୍କଠାରୁ ଅଲଗା ଥିଲେ । ମକବୁଲ୍ ତ ସେଇଆ ହିଁ ଚାହୁଁଥିଲା । କିଛି ଅଲଗା କରିବାକୁ । କିଛି ନୂଆ କରି ଦେଖାଇବାକୁ । ମକବୁଲ୍ ଯେତେଦିନ ଇନ୍ଦୋର୍ ଆର୍ଟ ସ୍କୁଲ୍ ରେ ପଢ଼ୁଥିଲା, ସେତେବେଳେ ସେଠାର ଡାଇରେକ୍ଟର ଦେବ ଲାଲିକର୍ ତାକୁ ଶିଖାଇଥିଲେ କ୍ୟାନଭାସ୍ କୁ କେମିତି ଆକ୍ରମଣ କରାଯାଏ । ଦେ.ବେ. ସ୍କୁଲ୍ ଅଫ୍ ଆର୍ଟର ପ୍ରିନ୍ସିପାଲ୍ ରେମ୍ବ୍ରାଁଙ୍କ ଛବି ଦେଖାଇ ଏକଦା ତାକୁ କହିଥିଲେ; ଦେଖ୍ ଯୋଉଠି ଦଶଟା ଷ୍ଟ୍ରୋକ୍ ଦରକାର ସେଠି ରେମ୍ବ୍ରାଁ କେମିତି ପାଞ୍ଚଟାରେ କାମ ସାରିଦେଇଛନ୍ତି । କମ୍ ରେ ବହୁତ କହିବା ହିଁ ବଡ଼କଥା । ଅଳ୍ପ ଷ୍ଟ୍ରୋକ୍ ରେ କେମିତି ପୋଟ୍ରେଟ୍ ମିଶିଯିବ, ସେକଥା ମକବୁଲ୍ ବହୁତ ଆଗରୁ ଅଭ୍ୟାସ କରିଥିଲା ।

ଭିଦେଙ୍କ ଷ୍ଟୁଡ଼ିଓରେ ପୁଣି ଗୋଟେ ନୂଆ ଜୀବନ ଆରମ୍ଭ ହେଲା ମକବୁଲ୍ ର । ପୁରା ରାତି - ଦିନ ଏକା କରିଦେଲା ସେ । ଏମିତିକି ବେଳ ପଡ଼ିଲେ ଏକା ଏକା ଗୋଟେ ଗୋଟେ ବିଲବୋର୍ଡକୁ ଗୋଟେ ରାତିରେ ଶେଷ କରିଦେଉଥିଲା ସେ । ଆଜିକାଲି ଭିଦେ ବଡ଼ ଖୁସି ମକବୁଲ୍ ଉପରେ ।

ସେ ଠିକ୍ ପିଲା ଚିହ୍ନି ଠିକ୍ କାମରେ ଲଗେଇ ପାରିଛନ୍ତି । ହେଲେ ମକବୁଲ୍ ର ମନରେ ଏତେ ସରାଗ ନାହିଁ । ତାକୁ ତ ଆହୁରି ଆହୁରି... ଆହୁରି ଆଗକୁ ଯିବାର ଅଛି । କିଛି ଗୋଟେ ନୂଆ କରିବାର ଅଛି ଏଇ ବିଲବୋର୍ଡରେ । ସେଇ ଏକା କଥା ଆଉ କେତେଦିନ ରଗଡ଼ିବାକୁ ହେବ ?

ହେଲେ ଭିଦେ ରାଜି ନୁହଁନ୍ତି । ଯେତିକି ନୂଆ ହଉଛି ବହୁତ ହଉଛି । ଆଉ ଅଧିକା ହଜମ ହେବନି ।

ଦିନେ ଷ୍ଟୁଡ଼ିଓରେ କିଛି କାମ ନଥିଲା । ହଠାତ୍ ମକବୁଲ୍ ର ମୁଣ୍ଡରେ କ’ଣ ପଶିଲା କେଜାଣି, ସେ ତରତରରେ ବାହାରିଗଲା ସେଇଠୁ । କାଖରେ ଗୁଡ଼ା ହେଇଥିବା ମେଞ୍ଚେ ଛବି ଧରି ସିଧାସଳଖ ହାଜର ହେଲା କଲିକତା ନିଉ ଥିଏଟର୍ ର ଡିଷ୍ଟ୍ରିବ୍ୟୁଟର୍ ଙ୍କ ଅଫିସ୍ ରେ । ସିଧାସଳଖ କହିଲା; ନୂଆ ଫିଲ୍ମର ବିଲବୋର୍ଡ କାମ ଦିଅ । ଭିଦେଙ୍କ ପାଖରେ କାମ କରୁଥିବା ମକବୁଲ୍ କୁ ଡିଷ୍ଟ୍ରିବ୍ୟୁଟର୍ ଆଗରୁ ଚିହ୍ନିଥିଲା ଅବଶ୍ୟ । ମକବୁଲ୍ ନିୟୁ ଥିଏଟର ପାଇଁ ଆଗରୁ କରିଥିବା କାମ ଦେଖାଇ କହିଲା; ଭିଦେ ନୁହେଁ... ଏ ସବୁ ମୁଁ କରିଛି ।

ମକବୁଲ୍ କୁ ଚାକିରି ମିଳିଗଲା ।

ଏଣିକି ସେ ନିୟୁ ଥିଏଟର୍ ର ଫିଲ୍ମ ପାଇଁ ବିଲବୋର୍ଡ ଆଙ୍କିବ । ପ୍ରଥମରୁ କିନ୍ତୁ ମକବୁଲ୍ କଥା ଛିଡେଇଲା ଯେ, ପୁରୁଣାକାଳିଆ ବିଲବୋର୍ଡ ଶୈଳୀ ଓ ଧାରାକୁ ବେଳ ପଡ଼ିଲେ ସେ ଭାଙ୍ଗି ନୂଆ କରି କିଛି କରିଦେଖାଇବ ।

ଦିନ କେଇଟାରେ ଭିଦେଙ୍କ ପଛକୁ ମକବୁଲ୍ ନାଁ ଆସିଗଲା । ଚିହ୍ନାରା ଲୋକେ କଥା ହେଲେ, ଟୋକା ମସ୍ତ ଆଙ୍କୁଛି ।

ସ୍ୱାଧୀନ ଭାବରେ କାମ କଲାରୁ ଏଣିକି ହାତକୁ ଭଲ ଦି’ ପଇସା ଆସିଲା । ହାତରେ ମୋଟା ଟଙ୍କା କିଛି ପଡ଼ିଗଲେ, ମକବୁଲ୍ ଏଥର ଅହମ୍ମଦାବାଦ ନହେଲେ ବରୋଦା ପଳେଇଯାଏ । ଆଖପାଖରେ ଗାଁ ବୁଲି ପ୍ରାକୃତିକ ଦୃଶ୍ୟ ଆଉ ଲୋକମାନଙ୍କର ଛବି କରିବାକୁ ତାକୁ ବହୁତ ଭଲ ଲାଗୁଥାଏ । ବରୋଦା ମୁ୍ୟଜିୟମ୍ ରେ ବସି ପ୍ରତିମୂର୍ତ୍ତିମାନଙ୍କର ଷ୍ଟଡି କରିବାକୁ ତାକୁ ବହୁତ ଭଲ ଲାଗୁଥାଏ ।

ପାଖରୁ ପଇସା ସରିଆସିଲାବେଳକୁ ନିୟୁ ଥିଏଟର୍ ଆଉ ଗୋଟେ ଫିଲ୍ମ ରିଲିଜ୍ କରିବାକୁ ସଜ ହେଉଥାଏ । ପୁଣି ଦରକାର ପଡେ଼ ନୂଆ ବିଲବୋର୍ଡ । ପୁଣି ଖୋଜା ପଡେ଼ ମକବୁଲ୍ । ମକବୁଲ୍ କାମରେ ଲାଗିଯାଏ ଆଉଥରେ । ପକେଟରେ ଟିକେ ପଇସା ରହିଲା ପରେ ମକବୁଲ୍ ଆଉ ଖିଚିଡ଼ିୱାଲାଙ୍କ ହୋଟେଲ୍ ର ଅସ୍ୱାଦକର ଖେଚୁଡ଼ି ନଖାଇ ଆଉ ଜଣଙ୍କ ଘରୋଇ ହୋଟେଲ୍ ରେ ଖାଇବା ଆରମ୍ଭ କଲା । ମେହେମୁଦ୍ ବାଈ ଜଣେ ବିଧବା ସ୍ତ୍ରୀ ଲୋକ । ଘରେ ପୁଅଟିଏ ଆଉ ଝିଅଟିଏ । ସେ ତାଙ୍କ ଘରେ ଅଳ୍ପ କେତେଜଣଙ୍କ ପାଇଁ ଘରୋଇଖାନା ପ୍ରସ୍ତୁତ କରୁଥିଲେ । ବାହାର ହୋଟେଲ୍ ରେ ହକ୍ ପଇସା ଦେଇ ଅସ୍ୱାଦକର ଖାଦ୍ୟଠୁଁ ଏ ଘରୋଇ ଖାଦ୍ୟ ଢେର୍ ଭଲ ଭାବି ମକବୁଲ୍ ଦିନେ ମେହେମୁଦ୍ ବାଈର ଘରେ ହାଜର ହେଇଗଲା । ତା’ପରେ ମେହମୁଦ୍ ବାଈ ହୋଟେଲ୍ ରେ ବାକି ଖାତାବି ଚଳୁଥିଲା । ମକବୁଲ୍ କୁ ସୁବିଧା ହେଲା । ବାଈ ବଡ଼ ସ୍ନେହୀ ଲୋକ । ମକବୁଲ୍ ର ପତଳା ଚେହେରା ଦେଖି ବଳେଇ ବଳେଇ ପାଖରେ ବସି ଖୁଆଇ ଦିଅନ୍ତି । ମକବୁଲ୍ ର ପିଲାଦିନ କଥା ମନେପଡେ଼ । ମୁହଁ ମନେ ନଥିବା ଆପଣା ଜନ୍ମକଲା ମା’ ମନେପଡେ଼ । ସେ ଆଉ ଦିଇ ଗୁଣ୍ଡା ଅଧିକା ଖାଇନିଏ ।

ହେଲେ ମେହେମୁଦ୍ ବାଈର ପୁଅ ଏ ସ୍ନେହ-ଶ୍ରଦ୍ଧା-ସମ୍ପର୍କ କିଛି ବୁଝେନି । ତା’ ପାଇଁ ଏ ହୋଟେଲ୍ ଧନ୍ଦା ହେଲା କେବଳ ନିରୋଳା ବେପାର । କେହି କେହି ଗରାଖ ଠିକ୍ ସମୟରେ ପଇସାପତ୍ର ନଦେଲେ ସେ ଧମକା ଚମକା ବି କରେ । ଲଫଙ୍ଗା ଗୁଣ୍ଡା ଭଳିଆ ପିଲାଟେ । ଠିକ୍ ସମୟରେ ପଇସା ଦେଇଦେଲେ ସବୁ ଠିକ୍ ଠାକ୍ ।

ମେହେମୁଦ୍ ବାଈ ଘରେ ବଢ଼ିଲା ଝିଅ ପଂଜିଲା । ମକବୁଲ୍ କୁ ସବୁଠାରୁ ପଂଜିଲା ହିଁ ଭଲ ଲାଗେ । କ’ଣ ପାଇଁ କେଜାଣି ପ୍ରଥମଦେଖାରୁ ମକବୁଲ୍ କୁ ପଂଜିଲା ଭଲ ଲାଗିଛି । ହୁଏତ ପଂଜିଲାକୁ ବି ମକବୁଲ୍ ଭଲଲାଗେ । କେବେ କେବେ ମା’ ଆଉ ଭାଇଙ୍କ ଆକଟକୁ ଫାଙ୍କି ଦୁହେଁ ଆଖିରେ ଆଖି ମିଶଉଥିଲେ । ଖାଇବାକୁ ମକବୁଲ୍ ଘରକୁ ଆସିଲେ ପଂଜିଲା କିଛିନା କିଛି କାମ ବାହାନାରେ ଏପାଖ ସେପାଖ ହେଉଥିଲା । ମକବୁଲ୍ ବୁଝିପାରୁଥିଲା ଏବେ ତାକୁ କ’ଣ କରିବାକୁ ହେବ ।

ଏଣିକି ମକବୁଲ୍ କୁ ଟିକେ ଅନ୍ୟମନସ୍କ ଅନ୍ୟମନସ୍କ ଲାଗିଲା । ଲାଗିଲା ସେ ଆଙ୍କୁଥିବା ହୋର୍ଡିଙ୍ଗରେ ସେ ପଂଜିଲାର ଗୋଟେ ବିରାଟ କଟ୍ଆଉଟ୍ ଆଙ୍କି ଦେଇଛି । ନହେଲେ ଗୋଟେ ଧଳା ଘୋଡ଼ା ଝପଟେଇ ସେ ଧାଇଁଯାଉଛି ଆଉ ପଂଜିଲା ତା’ ପଛରେ ତାକୁ ଜଡେ଼ଇ ଧରିଛି । ଆଜିକାଲି ବଲିଉଡ୍ ର ସୁନ୍ଦରୀ ହିରୋଇନ୍ ମାନଙ୍କର ମୁହଁ ପଂଜିଲା ଆଗରେ ଫିକା ଲାଗୁଥିଲା । ଦିନେ ରାତିରେ ତା’ ଫୁଟପାଥ୍ ବିଛଣାରେ ଶୋଇ ଶୋଇ ଷ୍ଟ୍ରିଟ୍ ଲାଇଟ୍ ରେ ମକବୁଲ୍ ପୁରା ଦଶପୃଷ୍ଠାର ପ୍ରେମପତ୍ର ଗୋଟେ ଲେଖିଲା । ଲେଖିଦେଲେ କ’ଣ ହେବ ଯେ ? ଚିଠିଟାକୁ ଚାରି ଚଉତା କରି ପାଇଜାମା ପକେଟରେ ରଖିଲା ସିନା ହେଲେ ସୁବିଧା ସୁଯୋଗ ଦେଖି ପଂଜିଲା ହାତରେ ଧରେଇ ଦେବାର ସାହସ ଟିକକ ସଞ୍ଚୟ କରିପାରିଲାନି ।

ମକବୁଲ୍ ଚିଠି ଖଣ୍ଡକ ସିନା ପଂଜିଲା ହାତରେ ଧରେଇ ପାରିଲାନି, ହେଲେ ସମ୍ପର୍କ ତା’ ବାଟରେ ଆଗକୁ ଆଗକୁ ଆଗେଇ ଚାଲିଲା । ଥରେ ପଂଜିଲା ଲାଜମିଶା ଚାହାଣୀରେ ମକବୁଲ୍ କୁ କହିଲା - ତୁ ତ ଘରେ ସମସ୍ତେ ଥିବାବେଳେ ଆସୁଛୁ, କେବେ କେବେ କେହି ନଥିବା ବେଳେ ସିନା ଆସନ୍ତୁ । ମକବୁଲ୍ ବୁଝିପାରିଲାନି ଯେ ପଂଜିଲାର ଘରେ କେତେବେଳେ କିଏ ଅଛି କି ନାହିଁ, ସେ କଥା ସେ ଜାଣିବ କେମିତି ? ତା’ ଉପାୟ ବି ପଂଜିଲା ବାହାର କଲା । କହିଲା - ବାଲକୋନିର ପାରାପେଟ୍ ଉପରେ ମୁଁ ଯେତେବେଳେ ନାଲିରଙ୍ଗର ସାବୁନ୍ କେସ୍ ଗୋଟେ ରଖିବି, ସେତେବେଳେ ତୁ ବୁଝିଯିବୁ ଯେ ଘରେ କେହି ନାହାଁନ୍ତି । ମୁଁ ଏକା ଅଛି ।

ପାଖରେ କିଛି କାମ ନଥାଏ ।

ନୂଆ ଫିଲ୍ମ କିଛିବି ରିଲିଜ୍ ହେଉନଥାଏ । ତ ମକବୁଲ୍ ହାତରେ ପଇସା ନଥାଏ । ଚିହ୍ନା - ପରିଚୟ, ବାକିଟାକିରେ ଜୀବନ ଚାଲିଥାଏ । ହୋଟେଲ୍, ଚା ଦୋକାନ, ଲଣ୍ଡ୍ରି ସବୁଠି ବାକି । ଦିଇମାସଧରି ସେ କାହାକୁ ପଇସା ଦେଇନଥାଏ । ସେଦିନ ରାତିରେ ପଂଜିଲାର ଭାଇ ହଠାତ୍ ମକବୁଲ୍ ଶୋଇବା ଯାଗାରେ ପହଞ୍ଚି ତାକୁ ଟାଣି ଉଠେଇ ଧମକେଇଲା । କହିଲା, କାଲି ସକାଳୁ ଦିିଇମାସର ବାକିଆ ପଇସା ନ ଦେଲେ, ତୋ ମୁଣ୍ଡ ଫଟେଇ ଦେବି ନହେଲେ ତୋ ନଳି ଗୋଡ଼କୁ ବାଡେ଼ଇ ଭାଙ୍ଗିଦେବି ।

ସେଦିନ ସଂଜବେଳକୁ ଠିକ୍ ଏମିତି ଚା ଦୋକାନୀ ଆଉ ଲଣ୍ଡ୍ରିବାଲାବି ତାକୁ ଧମକେଇ ସାରିଥିଲେ । ମକବୁଲ୍ ମନେ ମନେ ଟିକେ ଡରିଗଲା ।

ନା... ନା... ଆଉ ସକାଳ ଯାଏଁ ଅପେକ୍ଷା କରିହେବନି । ଏ ପଇସାଖୋର୍ ଲୋକମାନଙ୍କୁ କିବା ବିଶ୍ୱାସ । ମକବୁଲ୍ ସେଇ ରାତାରାତି ଶୋଇବା ଯାଗାରୁ ଉଠି ସିଧା ଷ୍ଟେସନ୍ ପଳେଇ ଆସିଲା ଓ ଭୋରୁ ଭୋରୁ ଇନ୍ଦୋର୍ ଯାଉଥିବା ଗୋଟେ ଟ୍ରେନ୍ ରେ ବସିପଡ଼ିଲା ।