ଫଟୋ: ଜେଏନୟୁ ର ରାତି ଓ ନିଖିଳେଶ - ଅମ୍ଳାନ ମିଶ୍ର

ଗତବର୍ଷ ମାର୍ଚ୍ଚ୍ ମାସ ଏଗାର ତାରିଖ ଦିନ ଯେତେବେଳେ ମୁଁ ଦିଲ୍ଲୀ ବିମାନବନ୍ଦରରୁ ମୋର ଜଣେ ବେଶ୍ ଭଲ ସାଙ୍ଗକୁ ବିଦାୟ ଦେଇ ହଷ୍ଟେଲ୍ ଫେରିଲି, ସେତେବେଳେ ମନ ଭାରି ଉଦାସ ଲାଗିଲା । ଦିଲ୍ଲୀରେ ସେତେବେଳେ କରୋନାର ମାମଲା ସବୁ ଧୀରେଧୀରେ ବଢ଼ିବାକୁ ଲାଗୁଥିଲା । ଜେ.ଏନ୍.ୟୁ.ର ପୂର୍ବ ଫାଟକ ସାମ୍ନାରେ ରାସ୍ତା ଆରପଟେ ଥିବା ଆଇ.ଆଇ.ଟି ଦିଲ୍ଲୀ ବନ୍ଦ ହେଇସାରିଥିଲା ସେତେବେଳକୁ । ଆମେମାନେ ଜାଣିଥିଲୁ ଜେ.ଏନ୍.ୟୁ.ବି ଖୁବଶୀଘ୍ର ବନ୍ଦ ହେଇଯିବ । ହେଲା ବି । ମାର୍ଚ୍ଚ୍ ଚଉଦ ତାରିଖରେ ମୁଁ ଗୋଟେ N95 ମାସ୍କ ପିନ୍ଧି ଅଳ୍ପ କିଛି ଜିନିଷ ଧରି ଜେ.ଏନ୍.ୟୁ.ରୁ ଘରକୁ ଫେରିଲି, ଏଇ ଆଶାରେ ଯେ ମାସେ ଖଣ୍ଡେ ପରେ କରୋନା ଟିକେ କମିଗଲେ ଫେରି ଆସିବି । ହେଲେ ମୁଁ ଜାଣିନଥିଲି ଛାତ୍ର ହିସାବରେ ତାହା ମୋର ଜେ.ଏନ୍.ୟୁ.ରୁ ଶେଷଥର ପାଇଁ ଫେରିବା ହବ ବୋଲି ।

ମୁଁ ଜେ.ଏନ୍.ୟୁ.ରେ ପ୍ରଥମେ ପହଞ୍ଚିଲି ୨୦୧୮ ମସିହା ଜୁଲାଇ ମାସରେ, ଇଂରାଜୀରେ ସ୍ନାତକୋତ୍ତର କରିବା ପାଇଁ । ଅବଶ୍ୟ ସେଠି ପହଞ୍ଚିବା ପୂର୍ବରୁ ଜେ.ଏନ୍.ୟୁ. ବିଷୟରେ ଉପରଠାଉରିଆ "ଖବର" ଅତି ଉଚ୍ଚା ଡେସିବେଲ୍ ସମ୍ପନ୍ନ ଟେଲିଭିଜନ "ନ୍ୟୁଜ୍" ବିତର୍କ ମାଧ୍ୟମରେ ଆମ ପାଖରେ ପହଞ୍ଚୁଥିଲା । ଅବଶ୍ୟ ଆମେ ଯେଉଁମାନେ ମାନବଶାସ୍ତ୍ର (Humanities) ରେ ପଢୁଥିଲୁ, ସେ ଧରଣର ଚାଟ୍-ମସଲା ଛିଞ୍ଚା ହେଇ ପରଷା ହଉଥିବା ଚାଞ୍ଚଲ୍ୟକର "ଖବର" ସବୁରେ ବିଶ୍ବାସ କରୁ ନଥିଲୁ । ଆମ ପାଇଁ ଜେ.ଏନ୍.ୟୁ. ଥିଲା (ଏବେ ବି ଅଛି) ଶିକ୍ଷା କ୍ଷେତ୍ରରେ, ବୌଦ୍ଧିକ ବିତର୍କ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷର ଅନନ୍ୟ ପ୍ରତୀକ । ଏକଥା ଖାଲି ମୁଁ କହୁନି, ବର୍ଷ ପରେ ବର୍ଷ କେନ୍ଦ୍ର ସରକାରଙ୍କ ପ୍ରକାଶିତ NIRF ମାନ୍ୟତାରେ ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (IISc) ପଛକୁ ଭାରତର ଦ୍ଵିତୀୟ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ଜେ.ଏନ୍.ୟୁ. ରହିଆସିଚି । ତମାମ୍ ଚର୍ଚ୍ଚା କି ବିବାଦ ସତ୍ତ୍ୱେ ବି ଏ ମାନ୍ୟତା ସାମାନ୍ୟ ପ୍ରଭାବିତ ହେଇନି ।

ତେବେ ସରକାରୀ ହିସାବ ଦେଖେଇ କିଛି ପ୍ରମାଣିତ କରିବାର ଉଦ୍ଦେଶ୍ୟ ଅନ୍ତତଃ ଏ ଲେଖାରେ ମୋ'ର ନାହିଁ । ମୋ'ର ଉଦ୍ଦେଶ୍ୟ କେବଳ ଜେ.ଏନ୍.ୟୁ.କୁ ମୁଁ ଯେମିତି ଦେଖିଚି, ଅନୁଭବ କରିଚି ଆଉ ଭଲପାଇଚି ତା'ର କିଛି ଝଲକ ଆପଣଙ୍କ ସାମ୍ନାରେ ରଖିବା । କହିପାରନ୍ତି, ଆପଣଙ୍କ ହାତ ଧରି ମୋ'ର ଅତି ଆପଣାର ଗୋଟିଏ ଜାଗାକୁ ବୁଲେଇ ନେଇଯିବାକୁ ମୋର ଇଚ୍ଛା । ସେ ଜାଗାର ଭୌଗୋଳିକ ସୌନ୍ଦର୍ଯ୍ୟ କିଛି କମ୍ ନୁହେଁ, ତେବେ ସେ ଜାଗାର ଅବସ୍ଥିତି ଖାଲି ଭୌଗୋଳିକ ନୁହେଁ। ମୋ ପାଇଁ (ଓ ମୋ ପରି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ) ଜେ.ଏନ୍.ୟୁ. ଏକ ଅନୁଭବ, ଏକ ଶିହରଣ । ସେ ଅନୁଭବ, ସେ ଶିହରଣ କୌଣସି ଟି.ଭି. ବିତର୍କର କଜିଆରେ ଧରା ଦିଏନି । ସମଗ୍ର ବିଶ୍ବବିଦ୍ୟାଳୟକୁ କିଛିଗୋଟେ ଉଦ୍ଦେଶ୍ୟମୂଳକ ଶସ୍ତା ଟ୍ୟାଗ୍ ଦବାକୁ ଚାହୁଥିବା ଲୋକ/ଗୋଷ୍ଠୀ ସେ ଅନୁଭବକୁ, ସେ ଶିହରଣକୁ ବୁଝିପାରିବେନି। ସେଥିପାଇଁ କଥାବାର୍ତ୍ତା ଲୋଡ଼ା, ସ୍ୱାଧୀନ ମସ୍ତିଷ୍କଟିଏ ଏବଂ ଖୋଲା ହୃଦୟଟିଏ ଲୋଡ଼ା ।

ସେ ଯାହା ହଉ, ମୁଁ କେମିତି ଜେ.ଏନ୍.ୟୁ.ରେ ପହଞ୍ଚିଲି, ସେ କାହାଣୀ କହେଁ । ପ୍ରତିବର୍ଷ ଜେ.ଏନ୍.ୟୁ.ରେ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ହୁଏ, ଯେଉଁଥିରେ ଅଧିକାଂଶ ବିଷୟରେ ସମୁଦାୟ ସିଟ୍ ସଂଖ୍ୟାର ଅନ୍ୟୂନ ଶହେ ଗୁଣ ପିଲା ଆବେଦନ କରନ୍ତି । ଏବେ ଅବଶ୍ୟ ସେ ପରୀକ୍ଷା ବସ୍ତୁବାଚକ (objective) ହେଇଗଲାଣି, ଆମବେଳ ଯାଏଁ ତାହା ଥିଲା ବିଷୟବାଚକ (subjective) । ପ୍ରତିବର୍ଷ ମେ ବା ଜୁନ୍ ମାସ ଆଡ଼କୁ ଏ ପରୀକ୍ଷାଟି ହୁଏ । ଦୁର୍ଭାଗ୍ୟକୁ, ଯୋଉ ବର୍ଷ ମୁଁ ବି.ଏ. ଶେଷବର୍ଷରେ ଥାଏ, ସେବର୍ଷ ଘୋଷଣା ହେଲା ଯେ ପ୍ରବେଶିକା ପରୀକ୍ଷା ହବ ଡିସେମ୍ବର ମାସରେ । ଅର୍ଥାତ୍, ବି.ଏ.ର ଶେଷ ସେମିଷ୍ଟର ପୂରା ବାକି ଥାଇ ହିଁ ଆମକୁ ପ୍ରବେଶିକା ପରୀକ୍ଷା ଦବାକୁ ହବ । ଆମେ ଅବଶ୍ୟ ନିଜ ନିଜ ସାଧ୍ୟମତେ ପରୀକ୍ଷା ପାଇଁ ପ୍ରସ୍ତୁତ ହଉଥିଲୁ, ତେବେ ବି.ଏ. ଶେଷ ସେମିଷ୍ଟର ପାଠ୍ୟକ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା ଯାହା ଆମକୁ ପ୍ରବେଶିକା ପରୀକ୍ଷାରେ ସାହାଯ୍ୟ କରିଥାନ୍ତା । ସେସବୁ ନିଜେ ପଢ଼ିବାକୁ ହବ । ତେବେ ମୋ ବିଷୟ ଇଂରାଜୀରେ ଯାହା ଆମ ଅନେକଙ୍କ ପାଇଁ ସବୁଠୁଁ ବଡ଼ ଆତଙ୍କ ହେଇ ଉଭା ହେଇଥିଲା, ତାହା ହେଲା ଗୋଟେ ଅଜଣା କବିତା ! ସମୁଦାୟ ଶହେ ମାର୍କରୁ ଚାଳିଶ ମାର୍କ ସମ୍ବଳିତ ପ୍ରଥମ ପ୍ରଶ୍ନଟି ଥିଲା - ଦିଆଯାଇଥିବା ଗୋଟିଏ ସଂପୂର୍ଣ୍ଣ ଇଂରାଜୀ କବିତାର ଆଲୋଚନା କରିବା । ଅସୁବିଧା ହେଲା, ଏ କବିତାଟି କଣ ହବ ବା କୋଉଠୁ ଆସିବ, ତାହା ପିଲାଙ୍କୁ ଜଣାପଡ଼ୁଥିଲା ପ୍ରଶ୍ନପତ୍ର ଦେଖିଲା ପରେ ହିଁ । କେବେ ସେକ୍ସପିଅର୍, କେବେ ରାମାନୁଜନ୍, କେବେ ଡିକିନ୍ସନ୍, କେବେ ଆଶବେରୀ - ଇଂରାଜୀ ଭାଷାରେ କବିତାର ତ ଆଉ ଅଭାବ ନାହିଁ ! କେବଳ ବ୍ରିଟେନରେ ହିଁ ଆଧୁନିକ ଇଂରାଜୀ କବିତାର ଇତିହାସ ସାତ ଶତାବ୍ଦୀ ପୁରୁଣା । ଆମେରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ପରି ଦେଶ ସବୁରେ ଏବଂ ଉପନିବେଶ ସବୁ ସ୍ଥାପିତ ହେଲା ପରେ ଏସିଆ - ଆଫ୍ରିକାର ଅନେକ ଦେଶରେ ବି ଇଂରାଜୀ କବିତା ଲେଖା ହବାର ଲମ୍ବା ଇତିହାସ ରହିଚି । କିଏ ଜାଣେ କୋଉ ଦେଶରୁ କୋଉ କାଳଖଣ୍ଡରୁ ଆସିବ ଏ ଗୋଟିଏ କବିତା ଯାହାର ଉପଯୁକ୍ତ ଆଲୋଚନା କରିପାରିବା (ବା କରି ନପାରିବା) ହିଁ ସ୍ଥିର କରିବ ଜଣେ ଜେ.ଏନ୍.ୟୁ.କୁ ଯିବ ନା ନାହିଁ !

୨୦୧୭ ମସିହା ଡିସେମ୍ବର ମାସ ଶେଷ ଆଡ଼କୁ ଥିଲା ଏ ପରୀକ୍ଷା । ଅବଶ୍ୟ କବିତା ପ୍ରତି ଯେହେତୁ ମୋ'ର ଆଗରୁ ହିଁ ରୁଚି ଥିଲା, କବିତା ପଢ଼ିବା ମତେ ସେମିତି କିଛି ଗୋଟେ "କାମ" ବୋଲି ଲାଗୁନଥିଲା । କିନ୍ତୁ ମନରେ ଡର ଥିଲା, ଯୋଉ କବିତାଟି ଆସିବ ମୁଁ ତାକୁ ଚିହ୍ନିପାରିବି କି ନାଇଁ ! କବିତାକୁ ବୁଝିବାଠାରୁ ତାକୁ ଚିହ୍ନିବା/ଜାଣିବା/ନିଜର କରିପାରିବା ଇତ୍ୟାଦି ସବୁବେଳେ ଅଧିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତେ ଲାଗେ । ପ୍ରତିଦିନ ପ୍ରାୟ ଦୁଇ ତିନିଟି କବିତା ମୁଁ 'ପୋଏଟ୍ରି' ପତ୍ରିକାର ପୁରୁଣା ସଂଖ୍ୟା ସବୁରୁ ହଉ କି ଅନ୍ୟ କୋଉଠୁ ହଉ, ପଢ଼ୁଥିଲି । ପଢ଼ାପଢ଼ି କରିବାକୁ ମନ ନହେଲେ ଗଜଲ୍ ଶୁଣିବା ମୋ'ର ଅଭ୍ୟାସ । ରେଭେନ୍ସା ଆସିବା ପରେ ଜଣେ ଶିକ୍ଷକଙ୍କ ପ୍ରେରଣାରେ (ଏଇ ନିକଟରେ ଚାଲିଗଲେ ସିଏ) ମୁଁ ଉର୍ଦ୍ଦୁ ଗଜଲ୍ ସବୁ ପଢ଼ିବା ବି ଆରମ୍ଭ କଲି । ତା'ର ଛନ୍ଦ, ପଦ ସବୁର ଗଢ଼ଣ ଇତ୍ୟାଦି ଲକ୍ଷ୍ୟ କଲି, ଚମତ୍କୃତ ହେଲି ଏବଂ ନିଜେ ନିଜେ ଅତି କୃତ୍ରିମ ଉର୍ଦ୍ଦୁରେ (ଓ ପରେ ପରେ ଓଡ଼ିଆରେ) ଗଜଲ୍ ଲେଖିବାକୁ ଚେଷ୍ଟା କଲି। ପରେ ମୁଁ ଶୁଣିଲି/ପଢ଼ିଲି ଓଡ଼ିଆରେ ଅକ୍ଷୟ ମହାନ୍ତି ଓ ହିନ୍ଦୀରେ ଦୁଷ୍ୟନ୍ତ କୁମାରଙ୍କ ଚମତ୍କାର ଗଜଲ୍ ସବୁ । ତେବେ, ଅକ୍ଟୋବର ମାସ ଶେଷ ଆଡ଼କୁ ଗୋଟେ ଉଦାସ ସନ୍ଧ୍ୟାରେ, ଯେତେବେଳେ ଅଦିନିଆ ବର୍ଷା ଅସରାଏ ହେଇ ଛାଡ଼ିଯାଇଥିଲା, ରେଭେନ୍ସା ଇଷ୍ଟ୍ ହଷ୍ଟେଲରେ ଗୋଟେ ସାଙ୍ଗର ରୁମ୍ ରେ ବସି ଉଦ୍ଦେଶ୍ୟହୀନ ଭାବେ ଇଣ୍ଟରନେଟ୍ ଚଲଉଥିଲା ବେଳେ ମୁଁ ଆବିଷ୍କାର କଲି ଗୋଟିଏ ଇଂରାଜୀ ଗଜଲ୍ । ଇଂରାଜୀ ଭାଷାରେ ଯେ ଗଜଲ୍ ଲେଖାଯାଇପାରେ ଏ ଧାରଣା ମୋର ନଥିଲା । ଅଥଚ ମୋ ଆଖି ସାମ୍ନାରେ କମ୍ପ୍ୟୁଟର ପରଦାରେ ଦିଶୁଥିଲା ସେଇ ଗଜଲ୍, ଯାହାର ପ୍ରଥମ ଶେର୍ ଥିଲା:

"Where are you now? Who lies beneath your spell tonight?
Whom else from rapture’s road will you expel tonight?"

ଗଜଲଟି ଲେଖିଥିଲେ ଆଗା ଶାହୀଦ ଅଲୀ । ଏ ଗଜଲଟି ପାଇ ମୁଁ ଏତେ ଖୁସି ହେଲି ଯେ ଅକ୍ଟୋବରର ବଳକା ଦିନସବୁରେ ଏବଂ ପ୍ରାୟ ନଭେମ୍ବର ମାସଟା ସାରା ମୁଁ କେବଳ ଆଗା ଶାହୀଦ ଅଲୀଙ୍କର ଲେଖା ସବୁ ହିଁ ପଢ଼ି ଚାଲିଲି । ପ୍ରଥମେ ତାଙ୍କ ଗଜଲ ତକ ପଢ଼ିଲି 'Call Me Ishmael Tonight' ବହିରୁ, ପରେ ପରେ ପଢ଼ିଲି ତାଙ୍କର କବିତା - ସମଗ୍ର, 'The Veiled Suite' । ଫୈଜ୍, ଗାଲିବ୍, ଫରାଜ୍ ଏମାନଙ୍କର ଉର୍ଦ୍ଦୁ ଗଜଲର ଶାହୀଦ କରିଥିବା ଅନୁସୃଜନ ବି ପଢ଼ିଲି । ପଢ଼ିଲି ବି ତାଙ୍କ ସମ୍ପାଦିତ ବହି, 'Ravishing DisUnities: Real Ghazals in English' । ଏ ବହିରେ ଶାହୀଦ ନିଜ ସମ୍ପାଦକୀୟରେ ବିସ୍ତୃତ ଭାବେ ଲେଖିଚନ୍ତି ଗଜଲର ଗୁଣ ଓ ନିୟମ ବିଷୟରେ । ଯେମିତି ଆମର ଏଠି ଓଡ଼ିଆରେ ବି ହେଇଚି/ହଉଚି, କିଛି ଆମେରିକାନ୍ କବି ଇଂରାଜୀରେ ଯାହା ନାଇଁ ତାହା ଲେଖି ତାକୁ ଗଜଲ୍ ବୋଲି କହିବାକୁ ତୀବ୍ର ସମାଲୋଚନା କରିଚନ୍ତି ସିଏ ।

ତେବେ ଏସବୁ କହି ମୁଁ କାଇଁ କଥା ଲମ୍ବଉଚି ବୋଲି ଆପଣ ଭାବିପାରନ୍ତି । ଏସବୁ କଥାର ଜେ.ଏନ୍.ୟୁ. ସହ କି ସମ୍ପର୍କ ! କଥା ହେଲା, ଯେତେବେଳେ ଡିସେମ୍ବର ମାସର ଗୋଟେ ଶୀତୁଆ ସକାଳରେ ଭୁବନେଶ୍ୱରର ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ ମୁଁ ଜେ.ଏନ୍.ୟୁ. ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠା ଦେଖିଲି, ସେଠି ଛପା ହେଇଥିଲା ଗୋଟିଏ ଇଂରାଜୀ ଗଜଲ୍ । ଏବଂ ଯଦିଓ ଗଜଲର 'ମକ୍ତା' (ଶେଷ ଶେର୍ ଯେଉଁଥିରେ କବିଙ୍କ ନାଁ ଥାଏ) ଦିଆଯାଇନଥିଲା, ମୁଁ ଗଜଲଟିକୁ ଚିହ୍ନିପାରିଲି । ଗଜଲଟି ଥିଲା ଶାହୀଦଙ୍କର । ସମୁଦାୟ ତିନିଘଣ୍ଟାର ପରୀକ୍ଷାରେ ମୁଁ ଦୁଇଘଣ୍ଟା ଲେଖିଲି ଖାଲି ଏଇ ଗଜଲ୍ ଉପରେ । ବାକି ଘଣ୍ଟାକରେ ଯେନ ତେନ ପ୍ରକାରେଣ ସାରିଲି ବଳକା ଷାଠିଏ ମାର୍କର ଉତ୍ତର । ତିନିମାସ ପରେ ଫଳାଫଳ ବାହାରିଲା । ମୋ' ନାଁ ଥିଲା ଚୂଡ଼ାନ୍ତ ତାଲିକାରେ । ମୋ'ର ମନେ ପଡ଼ିଲା ଅକ୍ଟୋବର ମାସର ସେ ଅଦିନିଆ ବର୍ଷା ହେଇ ଛାଡ଼ିଯାଇଥିବା ସନ୍ଧ୍ୟା । ମନେ ପଡ଼ିଲା କମ୍ପ୍ୟୁଟର ପରଦା ଉପରେ ଶାହୀଦଙ୍କ ନିରୀହ ମୁହଁ ।

ଜୁଲାଇ ମାସରେ ମୁଁ ଜୀବନରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗଲି । ସେତେବେଳେ ଅବଶ୍ୟ ବର୍ଷାଦିନ । ତେବେ ଦିଲ୍ଲୀରେ ବର୍ଷା ସବୁବେଳେ ଅଦିନିଆ ହିଁ । ଜେ.ଏନ୍.ୟୁ.ର ପୂର୍ବପଟ ଫାଟକ ଦେଇ ମୁଁ ଯେତେବେଳେ ପ୍ରଥମ ଥର ପାଇଁ କ୍ୟାମ୍ପସ୍ ଭିତରକୁ ପଶିଲି, ବର୍ଷା ହେଇ ଛାଡ଼ିଯାଇଥିଲା । ମୁଁ ଏକଡ଼ ସେକଡ଼ ଚାହୁଁଥାଏ ଅତି ଉତ୍ସାହର ସହ, ଦେଖୁଥାଏ ଦି'ପଟେ ଗଭୀର ସବୁଜ ଜଙ୍ଗଲ । ଅଳ୍ପ ବାଟ ଯାଇଚୁ କି ନାଇଁ, ଅଟୋବାଲା ବ୍ରେକ୍ ମାରିଲା । ମୁଁ ଆଗକୁ ଚାହିଁ ଦେଖିଲି ମୟୂରଟିଏ ରାସ୍ତା ପାର କରୁଚି । ଧୀରେ ଧୀରେ, ସତେ ଯେମିତି ଆମେ ଜମା ନାହୁଁ ସେଠି । ହଠାତ୍ ମଝିରାସ୍ତାରେ ଅଟକି ମୟୂରଟି ବେକ ବୁଲେଇ ଚାହିଁଲା ଆମ ଆଡ଼େ ଗୋଟିଏ ମୁହୂର୍ତ୍ତ ପାଇଁ, ତା'ପରେ ପୁଣି ବେକ ବୁଲେଇ ପୂର୍ବପରି ନିଜ ବାଟରେ ଚାଲିଗଲା । କିଛିଦିନ ତଳେ ଯେତେବେଳେ ଜେ.ଏନ୍.ୟୁ.ର ଛାତ୍ରଛାତ୍ରୀମାନେ ନୂଆ ହଷ୍ଟେଲ୍ ମ୍ୟାନୁଆଲର ଭେଦଭାବସମ୍ପନ୍ନ ନୀତି ସବୁ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ, ଏକ ଖବରକାଗଜରେ "ଜେ.ଏନ୍.ୟୁ. କାହାର ?" ଶୀର୍ଷକରେ ଗୋଟିଏ ଲେଖା ପଢ଼ି ମୁଁ ଟିକେ ହସିଲି । ମୋର ସେଇ ମୟୂରଟି କଥା ମନେ ପଡ଼ିଥିଲା । ମୁଁ ଭାବିଥିଲି ଲେଖକଙ୍କୁ ଅତି ବିନମ୍ର ଭାବରେ କହିବି ବୋଲି, "ଜେ.ଏନ୍.ୟୁ. ଆସନ୍ତୁ ଥରେ, ଜାଣିବେ ଜେ.ଏନ୍.ୟୁ. ସମସ୍ତଙ୍କର । ସେଇ ମୟୂରର ବି ।"