ଫଟୋ - ୱିକି କମନ୍ସ

ଆଜି ସାରା ବିଶ୍ୱ ଏକ ମହାମାରୀ ସହ ଲଢେଇ କରୁଥିବାବେଳେ ବିଶ୍ୱର ବିଭିନ୍ନ କୋଣରେ ବହୁପ୍ରକାରର ସଂକଟ ଉପୁଜିଛି । ଦୁନିଆର ଅନ୍ୟାନ୍ୟ ସଙ୍କଟ ସହିତ ଭାଷା ପ୍ରତି ଏବେ ବିରାଟ ସଂକଟ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ପ୍ରତି ସାଢେ ତିନି ମାସରେ ଦୁନିଆରୁ କୌଣସି ନା କୌଣସି ଭାଷାର ମୃତ୍ୟୁ ହେଉଛି । କେବଳ ଭାଷାର ମୃତ୍ୟୁ ନୁହେଁ ଭାଷା ସହିତ ଜଡ଼ିତ ସଂସ୍କୃତି ଓ ଜ୍ଞାନର ମଧ୍ୟ ଲୋପ ଘଟୁଛି । ଏହାର ପୂରଣ କରିବା ମଧ୍ୟ ଅସମ୍ଭବ ହୋଇପଡ଼ୁଚି ।

ଗତ ଦୁଇ ବର୍ଷ ଧରି ଆମେ କରୋନା ପରି ଏକ ମହାମାରୀ ସହ ଯୁଦ୍ଧ କରୁଛେ । ଏହା ସହିତ ଆମ ଦେଶରେ ଆହୁରି ମଧ୍ୟ ଏକ ସଂକଟମୟ ପରିସ୍ଥିିତି ସୃଷ୍ଟି ହୋଇଛି, ଯାହା ବିଷୟରେ ଆମେ ଖୁବ ବେଶୀ ସତର୍କ ନାହୁଁ । ଗତ ବର୍ଷ ଅପ୍ରେଲ୍ ମାସରେ ଯେତେବେଳେ ସାରା ଦେଶ ଲକ୍‌ଡାଉନ୍‌ରେ ବନ୍ଦ ହୋଇ ପଡ଼ିଥିଲା, ସେତେବେଳେ ଦେଶରୁ ପ୍ରତି ସାଢେ ତିନି ମାସରେ ଏକ ଏକ ଭାଷା ନିଖୋଜ ହୋଇ ଯାଉଥିଲା । ‘ସାରେ’ ନାମକ ଏକ ଭାଷା କହୁଥିବା ଶେଷ ମହିଳା ଲୀଚୋଙ୍କର ଅପ୍ରେଲ୍ ୪ ତାରିଖ ୨୦୨୦ ମସିହାରେ ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁ ସହିତ “ସାରେ’ ଭାଷା ମଧ୍ୟ ଏହି ଦୁନିଆରୁ ଲୋପ ପାଇଛି । ଲୀଚୋ ଦକ୍ଷିଣ ଆଣ୍ଡାମାନ ଦ୍ୱୀପରେ ରହୁଥିବା ଗ୍ରେଟ୍ ଆଣ୍ଡାମାନୀ ଜନଜାତି ଅଧିବାସୀ ଥିଲେ । ସେ ଦୀର୍ଘଦିନ ଧରି ଟିବି ଓ ହୃଦରୋଗ ସମସ୍ୟାରେ ପୀଡ଼ିତ ଥିଲେ । ତାଙ୍କ ସହିତ ସେଇ ଜନଜାତିଙ୍କ ଭାଷା ମଧ୍ୟ ଲୋପ ପାଇଗଲା । ତାଙ୍କ ଜାତିର ଅନ୍ୟ ଲୋକମାନେ ନିଜ ମାତୃଭାଷା ଅନ୍ୟ ଭାଷାକୁ ପରିବର୍ତ୍ତନ କରିଦେଇଥିବାବେଳେ ସେହି ଭାଷା କହୁଥିବା କୌଣସି ବି ଲୋକ ଆଉ ଜୀବିତ ନାହାନ୍ତି ।

ଭାଷାର ବିଲୁପ୍ତିର ଏହି ମହମାରୀରେ "ସାରେ" ପରି ଅନେକ ଭାଷା ସାମିଲ୍ ରହିଛନ୍ତି । "ସାରେ" ପରି ୨୦୧୦ ମସିହାରେ ଗ୍ରେଟ୍ ଆଣ୍ଡାମାନର ଅନ୍ୟ ଏକ ଭାଷା "ଖେରା" ମଧ୍ୟ ଲୋପ ପାଇଛି । ୨୦୧୦ରୁ ୨୦୨୦ ମଧ୍ୟରେ ଗ୍ରେଟ୍ ଆଣ୍ଡମାନର "ଖେରା", "ବୋ" ଓ "ସାରେ" ପରି ଭାଷାର ଲୋପ ହୋଇଛି । ସେହିପରି ସେହି ଜନଜାତିଙ୍କର "ଜେରୁ" ଭାଷା କହୁଥିବା ମାତ୍ର ତିନିଜଣ ଲୋକ ଜୀବିତ ରହିଛନ୍ତି । ଯେଉଁମାନେ ମଧ୍ୟବୟସ୍କ ହୋଇଥିବାବେଳେ ବିଭିନ୍ନ ପ୍ରକାରର ରୋଗରେ ପୀଡ଼ିତ ଅଛନ୍ତି ।

ଗ୍ରେଟ୍ ଆଣ୍ଡାମାନୀ ଭାଷା ପରି ଭାରତ ତଥା ଦୁନିଆର ବହୁ ଭାଷା ଏବେ ବିଲୁପ୍ତି ପାଇଥିବାବେଳେ ଆଉ କିଛି ବିଲୁପ୍ତପ୍ରାୟ ଅବସ୍ଥାରେ ରହିଛନ୍ତି। ୟୁନେସ୍କୋ ଦ୍ୱାରା ଜାରି ହୋଇଥିବା ଦୁନିଆରୁ ବିଲୁପ୍ତ ହେଉଥିବା ଭାଷାଗୁଡ଼ିକ ମଧ୍ୟରେ "ଅହୋମ", "ଆନ୍ଦ୍ରୋ", "ରଙ୍ଗକାସ", "ସେଙ୍ଗମଇ" ଓ "ତ୍ଲୋଚା" ପରି ଭାରତୀୟ ଭାଷାଗୁଡ଼ିକ ଲୋପ ପାଇଛି । ଭାରତର ୧୯୭ଟି ଭାଷା ବିଲୁପ୍ତପ୍ରାୟ ଅବସ୍ଥାରେ ଥିବାବେଳେ ଆମେରିକାର ୧୯୧ଟି ଭାଷା ବିପନ୍ନ ଅବସ୍ଥାରେ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ବ୍ରାଜିଲ୍‌ର ମୋଟ୍ ୧୯୦ ଭାଷା ସଂକଟରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁନିଆର ପ୍ରାୟ ପଚାଶ ଭାଗ ଲୋକ ମାତ୍ର ୨୪ ପ୍ରକାରର ଭାଷା ବ୍ୟବହାର କରିଥାନ୍ତି । ଏଥିରେ ମୁଖ୍ୟ ରୂପରେ ଚୀନୀ ମାଣ୍ଡାରିନ୍‌, ସ୍ପାନିସ୍, ଇଂରାଜୀ, ହିନ୍ଦୀ, ପର୍ତ୍ତୁଗାଲ୍‌, ବଙ୍ଗାଳୀ, ଋଷୀ, ଜାପାନୀ, ଜର୍ମାନୀ ପରି ଭାଷା ସାମିଲ ରହିଛି । ସେହିପରି ବିଶ୍ୱର ଆଉ ବାକି ପଚାଶ ଭାଗ ଜନସମୂହ ସାତ ହଜାର ଭାଷା କହିଥାନ୍ତି । କେବଳ ଏତିକି ନୁହେଁ ବିଶ୍ୱର କେବଳ ଏକ ପ୍ରତିଶତ ଜନସଂଖ୍ୟା ପ୍ରାୟ ୫୦୦୦ ଭାଷା କହିଥାନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଭାଷା ବିପଦରେ ପଡ଼େ କାହିଁକି ? ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଭାଷୀ ଲୋକ ଅନ୍ୟ ଭାଷାକୁ ବ୍ୟବହାର କରନ୍ତି ସେତେବେଳେ ଭାଷା ବିପଦରେ ପଡ଼ିଥାଏ । ଅଥବା ଅନ୍ୟ ଭାଷାର ବହୁଳ ପ୍ରାଦୁର୍ଭାବରେ ନିର୍ଦ୍ଦିଷ୍ଟ ଭାଷାଟି ବିପଦଗ୍ରସ୍ତ ହୋଇଥାଏ । ଅନ୍ୟପକ୍ଷରେ ସାମାଜିକ ଓ ଆର୍ଥିକ କାରଣ ଯୋଗୁଁ ମଧ୍ୟ ଭାଷା ବିପଦଗ୍ରସ୍ତ ହୋଇଥାଏ । ଆମେ ଉଦାହରଣ ଭାବେ ଉତ୍ତରପୂର୍ବ ରାଜ୍ୟ ତଥା ଆଣ୍ଡାମାନ୍‌ - ନିକୋବର ଦ୍ୱୀପପୁଞ୍ଜରେ କୁହାଯାଉଥିବା ଭାଷାକୁ ନେଇପାରିବା । ହିନ୍ଦୀ ଭାଷାର ବହୁଳ ପ୍ରଚଳନ ଫଳରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରୁ ସ୍ଥାନୀୟ ଭାଷାଗୁଡ଼ିକ ବିପଦରେ ପଡ଼ିଛନ୍ତି । ସେହିପରି ଲିପି ମଧ୍ୟ ଭାଷାର ବିଲୁପ୍ତିର ଅନ୍ୟ ଏକ କାରଣ ରୂପେ ନିଆଯାଇପାରେ । ତେବେ ଲିପି ନ ହେବାଠାରୁ ଭାଷାର ପ୍ରୟୋଗ ନ ହେବା ଭାଷାର ଲୋପ ପାଇଁ ବେଶୀ ଦାୟୀ ।

ସଂକଟଗ୍ରସ୍ତ ଭାରତୀୟ ଭାଷା:

ଭାରତୀୟ ଭାଷା ସଂସ୍ଥାନ ଭାରତର ୧୧୭ ଭାଷାକୁ ଚିହ୍ନିତ କରିଛନ୍ତି, ଯାହା ଏବେ ବିଲୁପ୍ତ ପ୍ରାୟ । ଏହି ଭାଷାଭାଷୀଙ୍କ ସଂଖ୍ୟା ୧୦ହଜାରରୁ କମ୍ ରହିଛି । ଏଥିରୁ ଅଧିକାଂଶ ଭାଷାର ଅଞ୍ଚଳଗୁଡିକ ଜୈବବିବିଧତାରେ ପରିପୂର୍ଣ୍ଣ । ଏହି ସବୁ ଭାଷା ମଧ୍ୟରେ ଆଣ୍ଡାମାନ୍‌ ଏବଂ ନିକୋବର, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ, ଆସମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍‌, ତ୍ରିପୁରା, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ଗୋଆ, ଦାଦରା ନଗର ହାବେଳୀ, ଦାମନ ଡିଉ, କେରଳ, ତାମିଲ୍‌ନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଓଡ଼ିଶା ଆଦି ରାଜ୍ୟଗୁଡ଼ିକର ଭାଷା ଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଛି ।

ହିମାଚଳ ପ୍ରଦେଶର ଲାହୌଲ୍ ସ୍ପୀତିରେ କୁହାଯାଉଥିବା "ଚିନାଲ୍" ଭାଷା ଏବେ ଗଭୀର ସଂକଟରେ ଗତି କରୁଛି । ଏହି ଭାଷା ସହିତ ଏହା ସହିତ ଜଡ଼ିତ ସଂସ୍କୃତି ଲୋକକଥା ମଧ୍ୟ ଲୋପ ପାଇବାରେ ଲାଗିଛି । ସେହିପରି ଉତ୍ତରାଖଣ୍ଡର "ଜାଡ" ଅଥବା "ଭୋଟିଆ" ଭାଷା ବିପଦରେ ପଡିଛି । ସେହିପରି ମଣିପୁରର "ତରାଓ" ଭାଷା ମଧ୍ୟ ଏବେ ବିପଦଗ୍ରସ୍ତ । ୮୦ରୁ ୮୫ ପ୍ରତିଶତ ଭାଷା ଦେଶଜ ଲୋକଙ୍କ ଦ୍ୱାରା କୁହାଯାଇଥାଏ । ଭାଷା, ସଂସ୍କୃତି ଓ ପର୍ଯ୍ୟାବରଣ ପରସ୍ପରର ଘନିଷ୍ଠ ରୂପେ ଜଡ଼ିତ ଥାଆନ୍ତି । ମନୁଷ୍ୟ ନିଜର ଅସ୍ତିତ୍ୱ ପାଇଁ ଜୈବ ବିବିଧତା ଓ ପରିସ୍ଥିତି ତନ୍ତ୍ର ଉପରେ ନିର୍ଭର କରିଥାଏ ।

ସ୍ଥାନୀୟ ଭାଷାର ଲୋପ ପରେ ହେଉଥିବା କ୍ଷତିକୁ ଅନ୍ୟ କେଉଁ ଭାଷା ପୂରଣ କରିପାରିବ ନାହିଁ । ଓଡ଼ିଶାର କୋରାପୁଟ ଅଞ୍ଚଳକୁ ଉଦାହରଣ ଭାବେ ନିଆଯାଇପାରେ । ହରିତ୍ କ୍ରାନ୍ତି ପୂର୍ବରୁ ଏଠାରେ ୧୭୦୦ ପ୍ରକାରର ଧାନ ଉତ୍ପନ୍ନ କରାଯାଉଥିଲା । ବର୍ତ୍ତମାନ ଏଠାରେ ଦୁଇରୁ ତିନି କିସମ ଧାନକୁ ଛାଡି କରି ଅନ୍ୟ ସବୁ ଧାନ ଏବେ ବିଲୁପ୍ତ । ଏହା ସହିତ ଜଡ଼ିତ ଲୋକ ସାହିତ୍ୟର ମଧ୍ୟ ଲୋପ ପାଇଛି । ସେହିପରି ସେହି ଚାଉଳ ସହ ଜଡ଼ିତ ଥିବା ତମାମ ଶବ୍ଦ ଓ ଭାଷାର ମଧ୍ୟ ଲୋପ ପାଇଛି । ସେହି ଚାଉଳର ସ୍ୱାଦ ସହିତ ଶବ୍ଦ ଓ ଅନୁଭୂତି ମଧ୍ୟ ଗାଏବ ହୋଇଯାଇଛି ।

ନିକଟ ଭବିଷ୍ୟତରେ ଲୋପ ପାଇବାକୁ ଥିବା କିଛି ଭାରତୀୟ ଭାଷା:

ଦିରଙ୍ଗ ମୋଙ୍ଗପା ଜନଜାତି

ଅରୁଣାଚଳ ପ୍ରଦେଶର ପଶ୍ଚିମୀ କମଙ୍ଗ ଜିଲାରେ ରହୁଥିବା ଜନଜାତିଙ୍କ ଜନସଂଖ୍ୟା ମାତ୍ର ୫୦୫୦ । ଏମାନେ ନିଜକୁ ତିବ୍ଦତୀୟ ବୋଲି ବିଶ୍ୱାସ କରନ୍ତି । "ଦିରଙ୍ଗ ମୋଙ୍ଗପା", "ମୋଙ୍ଗପା" ଜନଜାତିଙ୍କ ଉପଜାତି । ଏହି ସମୁଦାୟଙ୍କର କୌଣସି ଲୋକର ମୃତ୍ୟୁ ହେଲେ ସେମାନେ ଉକ୍ତ ଶବକୁ ୧୦୮ ଖଣ୍ଡ କରି ନଦୀରେ ଭସାଇ ଦେଇଥାନ୍ତି । ସେହିପରି ଦୁର୍ଘଟଣାରେ ମୃତ୍ୟୁ ହେଲେ ଶବକୁ ପୋତାଯାଏ ।

ଗୁଟୋବ ଗଦୱା ଜନଜାତି

ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏହି ଆଦିବାସୀମାନଙ୍କର ୪୦ଟି ଗ୍ରାମ ରହିଛି । ମାଣ୍ଡିଆ ହେଉଛି ଏମାନଙ୍କର ପ୍ରମୁଖ ଖାଦ୍ୟ । ଏହି ଜନଜାତି ସମୁଦାୟ ପଥର, ଧରିତୀ ଓ ଗାଁକୁ ପୂଜା କରିଥାନ୍ତି । ଏମାନେ ଅଳଙ୍କାର ପ୍ରିୟ ଅଟନ୍ତି । ଏହି ଜନଜାତିମାନେ ଅନ୍ୟ ଭାଷାର ପ୍ରଭାବରେ ନିଜ ମାତୃଭାଷାକୁ ଭୁଲିଯାଉଛନ୍ତି । ପ୍ରାୟ ୮୫ ପ୍ରତିଶତ ଗୁଟୋବ ଜନଜାତି ନିଜ ମାତୃଭାଷା କହନ୍ତି ନାହିଁ । କେବଳ ଏହି ଜାତିର ବୃଦ୍ଧ ମାନେ ନିଜ ମାତୃଭାଷାରେ କଥାବାର୍ତ୍ତା କରୁଛନ୍ତି ।

ଜୈନ୍‌କୁରୁବା ଜନଜାତି

ଏହି ଜନଜାତି କେରଳ, ତାମିଲ୍‌ନାଡୁ ଓ କର୍ଣ୍ଣାଟକରେ ରହିଥାନ୍ତି । କନ୍ନଡରେ ଜେନୁର ଅର୍ଥ ହେଉଛି ମହୁ ଓ କୁରୁବାର ଅର୍ଥ ହେଉଛି । ଏଥିପାଇଁ ଏମାନଙ୍କୁ ମହୁ ସଂଗ୍ରହକାରୀ ବୋଲି କୁହାଯାଏ । ଏମାନେ ଛୋଟ ଛୋଟ ବସ୍ତିରେ ରହିଥାନ୍ତି, ଏହାକୁ "ହଦୀ" କୁହାଯାଏ । ଏମାନେ ହାତୀମାନଙ୍କୁ ଭଲ ରୂପରେ ନିୟନ୍ତ୍ରଣ କରିବାରେ ବେଶ୍ କୁଶଳ ଅଟନ୍ତି । ଏହି ଜନଜାତି ମୁଖ୍ୟ ରୂପରେ ଯାଯାବର ପରି ଜୀବନ ଯାପନ କରନ୍ତି । କିନ୍ତୁ ସରକାରୀ ହସ୍ତକ୍ଷେପ ପରେ ଏମାନେ ଏବେ ଗୋଟିଏ ଜାଗାରେ ଏକାଠି ରହୁଛନ୍ତି ।

ବିବିଧତା ହେଉଛି ଭାରତର ବୈଶିଷ୍ଟ୍ୟ । ବିଭିନ୍ନ ଭାଷା ଓ ସଂସ୍କୃତିକୁ ନେଇ ଆମ ଭାରତ ସମୃଦ୍ଧ । ତେଣୁ ଭାଷାକୁ ବଞ୍ଚାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ଭାଷା ସଂରକ୍ଷଣର ମହତ୍ତ୍ୱ ବୁଝିବା ପାଇଁ ଶିକ୍ଷା ନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ । ନୂତନ ଶିକ୍ଷା ନୀତି ଦ୍ୱାରା ଏହାକୁ ଆପଣାଇବା ଦ୍ୱାରା ଆମେ ଭାଷାକୁ ବଞ୍ଚାଇ ପାରିବା । ମାତୃଭାଷାରୁ ମିଳୁଥିବା ଜ୍ଞାନ ଉନ୍ନତିର ଦ୍ୱାର ଖୋଲିଥାଏ । ଏଥିପାଇଁ ଆମେ ସମସ୍ତେ ନିଜ ନିଜ ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ପ୍ରଯତ୍ନ କରିବା ଆବଶ୍ୟକ ।

ସଂଗ୍ରହ ଓ ସମ୍ପାଦନା: ସାଗରିକା