ଫଟୋ ସୌଜନ୍ୟ - ଆର୍ଟ ପିକଲ, ଫେସବୁକ ପୃଷ୍ଠା

ମୂଳ ମରାଠୀ - ଅରୁଣ କଲୋତକର
ଓଡିଆ ମର୍ମାନୁବାଦ - କେଦାର ମିଶ୍ର

ମଜନୁଁ ଭେଟିଛି ଯାଇ ମରୁଭୂମିକୁ
ପର୍ବତକୁ, ତାଳବ , ମୃଗଯୁଥକୁ
ମଜନୁଁ ଭେଟିଛି କିଛି କପୋତଙ୍କୁୁ
ସଭିଁଙ୍କୁ ମାଗିଛି
ଟିକେ ଟିକେ ଲୈଲାର ଅସ୍ତିତ୍ୱ ।

ସଭିଏଁ ତାକୁ ଦେଇଛନ୍ତି ଟିକିଏ ଟିକିଏ ଲୈଲା ।

କିଏ ବୁନ୍ଦାଏ, କିଏ ବା କଣାଏ
ନିଜ ନିଜ ସାମର୍ଥ୍ୟ ମୁତାବକ
ହେଲେ ସବୁଦିନ ପରି ତଥାପି ଖାଲି ତାର ଝୁଲାମଣି ।

କିଛିଦିନ ହେଲା, ନିଶ୍ଚିତ ରୂପେ
ସକାଳୁ ଉଠି ପଡୁଛି ମଜୁନୁଁ
ହାତରେ ଭଙ୍ଗା ଚାଲୁଣି ନେଇ ବୋହି ଯାଉଥିବା ପାଣିରୁ
ଛାଣି ଚାଲିଛି ମସୃଣ ବାଲିଗରଡ଼ା
ଅନ୍ଧାର ହେବା ଯାଏ
ଏଇ ଆଶାରେ ଯେ
କାଳେ ମିଳିଯିବ ଲୈଲାର ଛିଟାଏ ସଙ୍କେତ ।

ମଜନୁଁର ଚୁଟିରେ ଚଟିଆ ବସା
ଗୋଟେ ଆଡ଼ବାଇଆ ସାପ ପାଖରୁ
ମଜନୁଁ ଶିଖୁଛି ବର୍ଣ୍ଣମାଳା
ମାତ୍ର ଦୁଇଟି ଅକ୍ଷର
ସେ ଖୋଜିପାଉଛି ବାଲିରୁ ... ପବନରୁ
ଲୈ ... ଲା । ।

ଯେଉଁ ପଥରରେ
ମଜନୁଁ ଆଉଜି ଶୋଇଥାଏ
ସେଇ ପଥର ତାକୁ ଦେଖାଇଦିଏ ଲୈଲାକୁ
ସେଇ ପଥର ତାକୁ
ପ୍ରଶ୍ନ ପଚାରେ ନିଦରେ
ଲୈଲା ଉପନିଷଦରୁ ।

ତମେ ଯଦି ଲୈଲାକୁ ଲୈଲାରେ
ହରଣ କର
ତମେ ଯଦି ଲୈଲାକୁ ଲୈଲାରେ
ଗୁଣନ କର
ତେବେ ଉତ୍ତର କେବଳ ଲୈଲା ।

ତମେ ଯଦି ଲୈଲାକୁ ଫେଡି ଦିଅ ଲୈଲାରୁ
ଉତ୍ତର ସେଇ ଲୈଲା ହିଁ ।

ସବୁବେଳେ ସମାନ ଲୈଲା ଓ ମଜନୂର
ଅଙ୍କ ପରିମାଣ ।

ପଥର ସାନ୍ତ୍ଵନା ଦିଏ ମଜନୁକୁ
ତା ଭିତରେ ଜଗାଏ
ଲୈଲାକୁ ଫେରି ପାଇବାର ଆଶା ।

କେଜାଣି କେବେ ହଜିଯିବ ଏ ପାଷାଣର ପିଠି
ଓ ମଜନୁକୁ ମିଳିବ ତାର ଲୈଲା ।

ପଥର ପାଖରେ ରହୁଥାଏ
ଗୋଟେ ବୁଢା ବିଛା
ତାର ଦିନ ବିତୁଥାଏ ଉପବାସରେ
ଈଶ୍ଵରଙ୍କ ଧ୍ୟାନରେ ।

ଦୟା ପରବଶ ହୋଇ ସେ ବୁଢା ବିଛା
ଗୋଟିଏ ଦଂଶନରେ ମଜନୁଁକୁ ଦେଇଥିଲା
ତା ପାଖରେ ଯେତିକି ଥିଲା
ଲୈଲାର ଅଂଶ
ଏବଂ କୃତଜ୍ଞତାର ଆଶା ନ ରଖି
ସେ ବାହାରିଗଲା ତୀର୍ଥାଟନରେ
ଈଶ୍ବରଙ୍କ ସନ୍ଧାନରେ ।

ବିଷାଦରେ ଭରା ମଜନୁ
ପାହାଡ ପରି ତାର ଦୁଃଖ
ବିଷାଦ ତା ଉପରେ ବର୍ଷୁଥାଏ
ଘନଘୋର ବର୍ଷା ପରି ।

ୟା ଭିତରେ
କେତେ ଗଛ
କେତେ ଓଟ
କେତେ ଘୋଡା
କେତେ ଘର
କେତେ ପରିବାର
ବୋହିଗଲେ ସମୟ ସୁଅରେ ।

ମଜନୁ ସାରା ଆରବ ମୂଲକକୁ
ଓଦା କରିଦେଲା ତାର ବିଷାଦରେ ।

ଏବଂ କେତେ କବି, କାହାଣୀକାର
ଆଉ ଗାଥାକାର
ତା ବିଷାଦରୁ ଅମଳ କରିନେଲେ
ଅନେକ କଥା - ଅନେକ କବିତା
କେଜାଣି କେତେଦିନ ?

ଦୁଃଖିନୀ ଲୈଲାକୁ କିନ୍ତୁ କାନ୍ଦିବାର ଅନୁମତି ନଥିଲା
ବାପ ଘରେ ବା ଶାଶୁଘରେ
ଏପରିକି ରୋଷେଇଘର –
ଚୁଲି ମୁଣ୍ଡରେ ବି ନୁହଁ
ତା ଲୁହର ଆଉ ସୁଆଦ ନଥିଲା
ସେ କହିପାରୁନଥିଲା ଖୋଲାଖୋଲି
କିଏ ସେ ତା ଲୁହର ମାଲିକ ।

ଆଉ କେହି ନୁହଁ
କେବଳ ମହମବତୀ ବୁଝୁଥାଏ
ଲୈଲାର ଦୁଃଖ
ଲୈଲା ଲାଗି ଦୁଃଖରେ
ଜଳି - ତରଳି ଯାଉଥାଏ ସେ ମହମବତୀ ।

ସେ ହୁଏତ କାନ୍ଦି ପାରିବ
ମାଂସ କାଟୁ କାଟୁ
ଯଦିବା ତାର ଆଙ୍ଗୁଠି କଟିଯାଏ !!

ମଜନୁଁ ଆସୁଥିଲା ଲୈଲାକୁ ଭେଟିବା ପାଇଁ
ଅଧବାଟରେ ଠିଆ ହୋଇଥାଏ ଲୈଲା ।
ଲୈଲା ବି ଆସୁଥିଲା ଭେଟିବାକୁ ତାର ପ୍ରେମିକକୁ ।

ୟାର ମାନେ ଲୈଲା ଆଗରୁ ଜାଣିଥିଲା
ଓ ସେଥିଲାଗି ଅଧବାଟ ଚାଲି ଆସିଥିଲା ।

ମୋର ବାଟ ଛାଡ଼ି ଦେ
ମଜନୁଁ କହିଲା ଲୈଲାକୁ
ତଳକୁ ମୁହଁ ପୋତି
ଲୈଲା ସେମିତି ଠିଆ ହୋଇ ରହିଲା ।

ମଜନୁଁ ଆସୁଥିଲା ଲୈଲାକୁ ଭେଟିବା ପାଇଁ
ଅଧବାଟରେ ଠିଆ ହୋଇଥାଏ ଲୈଲା ।
ଆସୁଥିଲା ବି ଲୈଲା ଭେଟିବାକୁ ତାର ପ୍ରେମିକକୁ ।

ୟାର ମାନେ ଲୈଲା ଆଗରୁ ଜାଣିଥିଲା
ଓ ସେଥିଲାଗି ଅଧବାଟ ଚାଲି ଆସିଥିଲା ।

ମଜନୁଁ ଲୈଲାର ଚାରିପଟେ
ବେଢାଏ ଘୂରି ଆଗକୁ ଚାଲିଗଲା - ଅଜଣା ଅଚିହ୍ନା
ଲୈଲାକୁ ଖୋଜିବାକୁ
ତା ଓଠରେ କୀର୍ତ୍ତନ ପରି ଗୋଟିଏ ଶବ୍ଦ "ଲୈଲା" ।

ଲୁହରେ ଭାଙ୍ଗିପଡ଼ିଲା ଲୈଲା
ଓ କହିଲା
ମୁଁ ମଜନୁଁକୁ ଭଲପାଏ ନାହିଁ ।
ମୁଁ ମୋର କାଏଜ୍‌-ବିନ୍‌-ଉମର୍ ପାଖକୁ
ଫେରିବାକୁ ଚାହେଁ ।

ଲୈଲା ଭୋକ ଲାଗୁଛି କହୁ କହୁ
କାଏଜ୍ ଦଉଡ଼ିଯାଏ ତଲୁଆର୍ ନେଇ
ଓ ନେଇ ଆସେ
ସେ ଚଢିବାକୁ ଭଲପାଉଥିବା ଓ
ତାର ସବୁଠୁ ପ୍ରିୟ
ମାଇ ଓଟର ମାଉଁସ –

ଖାଲି ମୋତେ ନୁହଁ
କାଏଜ୍ ମୋର ସବୁ ସଖୀଙ୍କୁ
ଖାଇବାକୁ ଦିଏ
ମୁଁ ସେଇ କାଏଜ୍‌କୁ ଚାହେଁ ।

ସିଏ ଯିଏ ମୋ ସାଙ୍ଗରେ ମାତିଥାଏ ଖେଳକୁଦରେ
ଛେଳି ଚରେଇଗଲାବେଳେ
ସାରାଦିନ ଜଙ୍ଗଲରେ ।

ସିଏ, ଯିଏ ଘୂରିବୁଲେ ମୋ ସାଙ୍ଗରେ ସାରା ବସ୍ତି
ନାଚୁଥାଏ, ଖେଳୁଥାଏ ମୋ ସାଙ୍ଗରେ ।

କାଏଜ୍ ନଜ୍‌ଦାର୍ ମାଟିକୁ ଶୁଙ୍ଘେ ଆନନ୍ଦରେ
ତୋର ସେଇ ବାସ୍ତବ ରକ୍ତ ଓ ମାଂସର ଦେହ
କୁଆଡ଼େ ଗଲା କାଏଜ୍ ?

ଏଇ ମଜନୁଁ ସହ ମୋର କି କାମ
ଯିଏ ମୋତେ ନୁହଁ
ମୋର ଛାଇକୁ ଭଲପାଏ ?

ମଜନୁ ଭଲପାଏ ସେ ଛାଇକୁ
ସେ ଛାଇ, ଯହିଁରେ,
ମୋ ପିଠିରେ ଚାପି ହୋଇ ଘାସର ବାସ୍ନା ନଥାଏ
ନ ଥାଏ ବି ଛେଳିଦୁଧର ସୁଆଦ?

ସେ ମଜନୁଁ ପାଖରେ ମୋର କି କାମ ?