ଚିତ୍ର - ୱିକି କମନ୍ସ

ଗୋଟେ ପାଗଳ କବି
ଏଇଠି ବସିଥିଲା ଟିକେ ଆଗରୁ ।

କହୁଥିଲା ରାତି ଗୋଟେ ନଈ ।
ତା' ସେପାରିକୁ ନେବାର ଅଛି
ନିଦ
ନିଆଁ
ନକ୍ଷତ୍ର ।

କହୁଥିଲା ମୁଠେ ପୋଡ଼ା ଘାସ ବନ୍ଧାପକେଇ
ଜହ୍ନରୁ ଆଣିଥିଲା ବୋଲି
କ୍ରମଶଃ ତରଳି ଯାଉଥିବା ତାତି ।

କହୁଥିଲା, ବଡ଼ ମନସ୍ତାପ ଭିତରେ ଅଛି
ଯାହାଠୁ ଯାହା ଆଣିଥିଲା
ସେସବୁ ନ ଫେରେଇପାରିଥିବାରୁ ଏଯାଏ ।

କହୁଥିଲା
ମେଘକୁ ଫେରେଇବାର ଅଛି ବୋଲି
ତୃପ୍ତି
ତୃଷ୍ଣା ।

ହଳେ ଲାଜପିଆ ପାଦକୁ
ଫେରେଇବାର ଅଛି ତା' ଚପଳତା

ମାଛିଅନ୍ଧାରିଆ ସଞ୍ଜରେ ଦେଉଳ ଭିତରେ
ଦାଉଦାଉ ଜଳୁଥିବା ଠାକୁରାଣୀକୁ
ଫେରେଇଦେବାର ଅଛି କାଳେ ତା ଭାଗ୍ୟ ।

କହୁଥିଲା,
ରାତିକୁ ଫେରେଇବାର ଅଛି
ତା ନିଟୋଳ ନିରବତା ଅକ୍ଷତ ।
ଭୋରକୁ ତା' ପାପହୀନ କୁଆଁରୀ ପବନ ।

କହୁଥିଲା ତ
କାହାକୁ କଣ କଣ ଦେବାର ଅଛି
ଟିପିରଖିଛି କୁହୁଡ଼ି ଖାତାରେ,
ଯାହାର ପ୍ରଥମ ପୃଷ୍ଠା ଲିଭିଯାଏ
ସେ ଯେବେ ଆଖିର ଲୁହକୁ
ଟିପରେ ମାରି ଓଲଟାଏ ଦ୍ଵିତୀୟ ପୃଷ୍ଠା ।

ଭାରି କଷ୍ଟ କାଳେ
ଏମିତି ଗୋଟେ ଟିପାଖାତା ସମ୍ଭାଳି ରଖିବା ।

ଗଲାବେଳେ କହିଗଲା
"ହଁ ଆଉ କେତେଟା ଦିନକି ?
ଯାହାଠୁ ଯାହା ଆଣିଥିଲି
ସବୁ ସୁଝିଦେବି କିସ୍ତିରେ
କବିତା ଲେଖି ।

ତା' ପରେ ମୁଁ କିଏ ନା ମୋ ଋଣ କିଏ
କେହିତ ଜଣେ ଆସିବ ମୋ ପରେ
ହିସାବ କରିବ ... ଆଉ କହିବ
ନାଁ ... ସବୁ ସୁଝିଦେଇ ଯାଇଛି
କିଛି ଆଉ ବାକିନାହିଁ ତା' ଉପରେ"

କୁଆଡେ ଗଲା କେଜାଣି ସେ ପାଗଳ କବି ?
ଏଇଠି ତ ବସିଥିଲା ଟିକେ ଆଗରୁ ।