ଫଟୋ - ଓଡିଶା ଡାନ୍ସ ଏକାଡେମୀ, ଭୁବନେଶ୍ୱର

ପରମାତ୍ମା ଦାରୁ ଦେବତା ଜଗନ୍ନାଥ । ନିମ୍ବ ଦାରୁ ନିର୍ମିତ ଏକ ବିଚିତ୍ର ବିଗ୍ରହ । ଯେଉଁ ନିମ୍ବ ଗଛର ମୂଳ ପିତା, ଡାଳ ପିତା, ପତ୍ର ପିତା, ପୁଷ୍ପ ପିତା, ଫଳ ପିତା, ମଞ୍ଜି ପିତା, ସାରା ସ୍ୱରୂପ ପିତା । ସେହି ପିତାମୟ ପୀତାମ୍ବର ଜଗନ୍ନାଥ, ତତ୍ତ୍ୱ, ଭାବ, ଭକ୍ତି, ପ୍ରେମର ଅମୃତ ସାଗର ।

ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଅସ୍ତିତ୍ୱ । ଓଡ଼ିଶାବାସୀଙ୍କ ଜନମାନସ ସେହି ଭକ୍ତିରେ ବିହ୍ୱଳିତ । ଓଡ଼ିଶୀ ନୃତ୍ୟରେ ଦାରୁବ୍ରହ୍ମ ଠାକୁର ହେଉଛନ୍ତି ଅଧିଷ୍ଠାତା ଦେବତା ।

ଯେବେଠାରୁ ଓଡ଼ିଶା ଶିଖିଛି, ଘୁଙ୍ଗୁର ବାନ୍ଧିଛି, ସେହି କାଳିଆଙ୍କୁ ନିବେଦିଛି ମୋର ନୃତ୍ୟକୁ । "ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ" ଶ୍ଲୋକ ଗାଇ ଗାଇ ମଞ୍ଚକୁ ଓହ୍ଲାଇ ଆସିଛି ପୁଷ୍ପାଞ୍ଜଳି ଧରି । ସେହିଦିନଠାରୁ ମୋ' ପାଇଁ ନୃତ୍ୟ ହେଉଛି ଏକ ସାଧନା, ସେହି କାଳିଆର ଆଶୀର୍ବାଦ ।

୨୦୦୯, ଅକ୍ଷୟ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ଜିଦ୍ ଧରି ବସିଲେ ଅକ୍ଷୟ ଉତ୍ସବ ପାଇଁ ମୁଁ ଆଉ ଗୋଟିଏ ନୃତ୍ୟନାଟିକା ସଂରଚନା କରିବା ପାଇଁ । ୨୦୦୭ରେ ମୋ' ସଂରଚିତ ଏକ ନୃତ୍ୟନାଟିକା ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ପ୍ରସ୍ତୁତ କରିଥିଲା । ଅକ୍ଷୟ ମହାନ୍ତି ଫାଉଣ୍ଡେସନ୍ ପାଇଁ "କାଞ୍ଚି ଅଭିଯାନ" ଯାହାର ସଙ୍ଗୀତ ସଂରଚନା କରିଥିଲେ ଅକ୍ଷୟ ମହାନ୍ତି, ତାହା ବେଶ୍ ଲୋକାଦୃତ ହୋଇଥିଲା । ମୁଁ ବହୁତ ଭାବିଲି କଣ ବିଷୟବସ୍ତୁ ନେବି । ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜନା ଓ ଗାଇଥିବା ଗୀତର ସି.ଡ଼ି. ଶୁଣୁଥିଲି । ଶୁଣୁ ଶୁଣୁ ଅଟକି ଗଲି "ଦାଢ୍ୟତା ଭକ୍ତି"ର ଗୀତ ପାଖରେ । ସେ ଗୀତ ମତେ ଯେମିତି ନେଇଗଲା ଅନ୍ୟ ଏକ ଭାବଜଗତକୁ । ମନକୁ ବୁଝେଇ ହେଲାନି କି ଫେରିବାକୁ ଇଚ୍ଛା ହେଲାନି, ରହିଗଲେ ବି ତୃପ୍ତି ଆସିଲାନି, ପ୍ରତି ପଲକରେ ସତେ ଯେମିତି ଶୋଷ ବଢି ବଢି ଗଲା ।

ଦୁଇଟି ଗୀତ ବାଛିଥିଲି । ତାହା ଥିଲା "ନୀଳାଚଳ ରସିକ ମଣି" ଓ "ଅଧାଗଢା ଦିଅଁଙ୍କର ଦେଖ ଚକାଆଖିକୁ"' । ନୃତ୍ୟ ପରିପ୍ରେକ୍ଷୀରେ ଯେଉଁ କେତୋଟି ଦିଗ ପ୍ରତି ଧ୍ୟାନ ଦେଇଥିଲି ବିଷୟବସ୍ତୁ ଚୟନ ସମୟରେ ତାହା ଏହିପରି -

୧. ଯେଉଁ ବିଷୟ ମନକୁ ଆନ୍ଦୋଳିତ କରି ଆତ୍ମାକୁ ଛୁଏଁ ।
୨. ନୃତ୍ୟ ଦ୍ୱାରା ଜଗନ୍ନାଥ ମାହାତ୍ମ୍ୟର ପ୍ରଚାର ଓ ପ୍ରସାର ।
୩. ପ୍ରଭୁ ଜଗନ୍ନାଥଙ୍କ ସେବା ଓ ନୀତିରେ ବ୍ୟବହାର କରାଯାଇଥିବା ଓଡ଼ିଶୀ ନୃତ୍ୟଗୀତର ପ୍ରଦର୍ଶନ ।
୪. ଓଡ଼ିଶୀ ନୃତ୍ୟ, ଯାହାର ମୂଳ ଆଧାର ହେଉଛି ଜଗନ୍ନାଥ ଚେତନା, ସେହି ଦିବ୍ୟ ଅନୁଭବର ରସରେ ଦର୍ଶକମାନଙ୍କୁ ଅଭିଭୂତ କରିବା ।

ଜଗନ୍ନାଥ ମହିମାର ତତ୍ତ୍ୱ ତରଙ୍ଗମାଳାକୁ ବର୍ଣ୍ଣନା କରିବା ପାଇଁ ଏକ ନୁହେଁ ଅନେକ ନୃତ୍ୟ ସଂରଚନା ମଧ୍ୟ ଯଥେଷ୍ଟ ହେବ ନାହିଁ ।

ପ୍ରଥମେ ବିଷୟବସ୍ତୁର ଆଲୋଚନା ହେଲା । ସମସ୍ତ ଯାନିଯାତ୍ରାର ବର୍ଣ୍ଣନାକୁ ଖଞ୍ଜା ହେଲା ପ୍ରଥମ ଗୀତ "ନୀଳାଚଳ ରସିକ ମଣି"ରେ । ସୁନ୍ଦର ପଂକ୍ତିଗୁଡ଼ିକ ଜଗନ୍ନାଥ ଚନ୍ଦନ, ଝୁଲଣ ଓ ରଥଯାତ୍ରାର ସ୍ୱରୂପ ଓ ମାହାତ୍ମ୍ୟ ସୂଚାଇ ଦେଇଛି । ନୃତ୍ୟରେ ଆମେ ସଜାଇ ଚାଲିଲୁ ସେହି ଯାନିଯାତ୍ରାକୁ କାଳିଆର ଗୁଣ ଗାଇ । ଚନ୍ଦନ ଯାତ୍ରା, ନରେନ୍ଦ୍ର ପୋଖରୀରେ ଚାପର ଦୃଶ୍ୟକୁ ଅବତାରଣା କରିବାକୁ ଚେଷ୍ଟା କରାଯାଇଛି । ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ, ଭକ୍ତମାନେ ମଣିବିମାନରେ ଦୋଳଗୋବିନ୍ଦଙ୍କୁ ବିଜେ କରି ନେଇ ଯାଉଛନ୍ତି ନୌକା ଉପରକୁ । ଗୀତରେ ଥିଲା ଗୋଟିଏ ପଂକ୍ତି "ଜ୍ୟେଷ୍ଠରେ ଚନ୍ଦନ ଆଷାଢେ ଗୁଣ୍ଡିଚା ଶ୍ରାବଣରେ କରୁ ଝୁଲଣ ଯାତ ।" ଭକ୍ତ ର ଏ ଗୀତ ଶ୍ରଦ୍ଧା, ସମ୍ମାନ ଓ ଆବେଗର ପରିପ୍ରକାଶ କିନ୍ତୁ ନୃତ୍ୟ ଓ ସଙ୍ଗୀତ ଦୃଷ୍ଟିରୁ ଦୁଇଟି ଶବ୍ଦକୁ ତ ବାରମ୍ବାର ଉଚ୍ଚାରଣ କରି ପୂରା ଚନ୍ଦନ ବା ଝୁଲଣର ସ୍ୱାଦ ପାଇବା କଷ୍ଟ । ସେଇଠି ମୋର ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ବିଜୟ କୁମାର ଜେନା, ଗୁରୁ ଧନେଶ୍ୱର ସ୍ୱାଇଁ ଓ ବିଜୟ କୁମାର ବାରିକ୍‌ଙ୍କ ସହିତ ବହୁ ଆଲୋଚନା ପରେ ପୁରୀରେ ଏହି ସବୁ ଯାତ୍ରା ସମୟରେ ବ୍ୟବହୃତ ହେଉଥିବା ଆମର ପାରମ୍ପରିକ ଗୀତ, ସ୍ୱର ଓ ପ୍ରଚଳିତ ବାଦ୍ୟକୁ ଆଣି ଆମେ ଅକ୍ଷୟ ମହାନ୍ତିଙ୍କ ମୂଳ ସ୍ୱରରେ ସଂଯୋଗ କରିଥିଲୁ । ଯଥା "ମଣିବିମାନେ ଗୋବିନ୍ଦ ଚନ୍ଦନରେ ଝୁଲିବେ ତ ଆଜ କୁଞ୍ଜେ ବରଜ ରାଜ " ଝୁଲଣର ପ୍ରୟୋଗ କରି ସେହି ଦୃଶ୍ୟକୁ ଚିତ୍ରଣ କରିବାର ପ୍ରଚେଷ୍ଟା କରାଯାଇଛି ।

ଏଠି ଆଉ ଗୋଟିଏ ମୋର ଭାବନା ଥିଲା ସେ କେଉଁଠି ଆମେ ପରିବେଷଣ କରିବାକୁ ଯାଇଛୁ ? ଯଦି ଓଡ଼ିଶାରେ କରିଛୁ ତେବେ ଲୋକ ସଙ୍ଗୀତ ଓ ନୃତ୍ୟର ପରିବେଷଣର ବିଷୟବସ୍ତୁ ବୁଝିବା ସହଜ ହେବ । କିନ୍ତୁ ଓଡ଼ିଶା ସୀମା ବାହାରେ ଓଡ଼ିଶାର ଯାନିଯାତ୍ରା ଓ ତାହାର ବିଧିବିଧାନ ଓ ଲୋଭନୀୟ ପରିପାଟୀକୁ ଲୋକମାନସରେ ଚିତ୍ରିିତ କରିବାକୁ ହେଲେ କିଛିଟା ମୌଳିକ ଦୃଶ୍ୟ ଦେଖାଇବା ବୋଧେ ବେଶୀ ଗ୍ରହଣଯୋଗ୍ୟ ହେବ । ତାହା ଥିଲା ମୋର ଚିନ୍ତାଧାରା ।

ମଞ୍ଚ ଉପରେ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଚନ୍ଦନ ଓ ଝୁଲଣର ଦୃଶ୍ୟ ଅଭିନୀତ ହେଲାବେଳେ ପଛ ପରଦାରେ ପୁରୀରେ ହେଉଥିବା ପ୍ରଭୁଙ୍କ ନୌବିହାର, ଝୁଲଣ, ମଣିବିମାନ ଲୋକଙ୍କୁ କରିଥିଲା ଅଭିଭୂତ । ସତେଯେପରି ମଞ୍ଚ ପାଲଟି ଯାଇଥିଲା ଭକ୍ତମାନଙ୍କର ଶ୍ରୀକ୍ଷେତ୍ର ଓ ସେହି ରସ ସଞ୍ଚରି ଯାଇ ଅଭିଭୂତ କରିଥିଲା ହଜାର ହଜାର ଦର୍ଶକମାନଙ୍କୁ ।

ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ବେଳେ ଶହଶହ ଲୋକ ଛୁଟି ଆସନ୍ତି ସେଇ ଗୋଟିଏ ସୁଯୋଗ ଦାରୁବ୍ରହ୍ମକୁ ଦେଖିବା ପାଇଁ, ଛୁଇଁବା ପାଇଁ କୁଣ୍ଢାଇବା ପାଇଁ, ତା' ସହ ମିଶି ଏକ ହୋଇଯିବା ପାଇଁ । ଭକ୍ତର ଆବେଗ ଆଗରେ ଦେବତା ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ । କହନ୍ତି ଦୁଃଖୀ, ରଙ୍କୀ, ଯୋଗୀଭୋଗୀ ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆସି ମିଶି ଯାଅ ମୋ' ଭିତରେ । ସେହି ଥିଲା ମୋର ରଥଯାତ୍ରାକୁ ମଞ୍ଚରେ ପରିବେଷଣ କରିବାର ଭାବ । ଯେଉଁଠି ପ୍ରଭୁ ନିଜେ ଦାରୁବ୍ରହ୍ମ ହୋଇ ଓହ୍ଲାଇଛନ୍ତି ସେଠି ନୃତ୍ୟଶିଳ୍ପୀ ନିଜେ ଜଣେ ଜଣେ ପାଲଟିଯାଇଛନ୍ତି ଭକ୍ତ । ମୁଣ୍ଡରେ ମୁଣ୍ଡାଇ ପହଣ୍ଡି କରିନେବାର ଦୃଶ୍ୟକୁ ଅବତାରଣା କରିବା ଥିଲା ମୋର ଲକ୍ଷ୍ୟ । ପୁରୀର ଜଗନ୍ନାଥଙ୍କ ପାଇଁ ବ୍ୟବହୃତ ଟାହିଆର ଗଠନରେ ଆମେ ପ୍ରସ୍ତୁତ କରିଥିଲୁ ଟାହିଆ । ପ୍ରଥମେ ମୁଁ ଏକ ନୃତ୍ୟଶିଳ୍ପୀକୁ ଜଗନ୍ନାଥଙ୍କ ମୂର୍ତ୍ତି ହିସାବରେ ରଖି ନୃତ୍ୟର ପରିକଳ୍ପନା କରିଥିଲି । କିନ୍ତୁ ଭକ୍ତ ହିସାବରେ ମୋ' ମନକୁ ଛୁଇଁଲାନି ସେ ଦୃଶ୍ୟ କି ମନକୁ କଲା ନାହିଁ ଆନ୍ଦୋଳିତ । ନୃତ୍ୟର ବ୍ୟାକରଣ, ନୃତ୍ୟର ସମସ୍ତ ନୀତି ନିୟମକୁ ପର୍ଯ୍ୟାଲୋଚନା କରି ମୁଁ ଭାବିଲି ସତ୍ୟ ଏହା ଯେ, ପ୍ରଭୁ ମଣିଷ ରୂପରେ ଏହି ଲୀଳା କରିବାକୁ ଆସିନାହାନ୍ତି, ଆସିଛନ୍ତି ଦାରୁବ୍ରହ୍ମ ରୂପେ । ତେଣୁ , ମୋର ଏହି ମତ ଏକ ମଣିଷକୁ ମୂର୍ତ୍ତି କରିବାରେ ଯଦି ଆପତ୍ତି ନାହିଁ ତେବେ ପ୍ରଭୁଙ୍କର ବିଗ୍ରହକୁ ସମସ୍ତ ରୀତିନୀତିରେ ପୂଜା କରି ସମ୍ମାନେ ଭକ୍ତିପୂତ ଭାବେ ମୁଣ୍ଡରେ ଧରି ପହଣ୍ଡି କରି ନେଲେ ପ୍ରଭୁଙ୍କର ମାହାତ୍ମ୍ୟର ପ୍ରଚାର ପ୍ରସାର ହେବ ।

ସେହି ଭକ୍ତର ଡୋରରେ ବାନ୍ଧି ହୋଇ ସେ ଗ୍ରହଣ କରିଛନ୍ତି ଦାସିଆର ଅର୍ଘ୍ୟ । "ଧନ ମୋର ଦୀନଜନେ ଲଗାଇଛୁ ସ୍ନେହକୁ" ଏହି ପଂକ୍ତିଟି ଭକ୍ତ ସଙ୍ଗେ ତାଙ୍କର ଅଭେଦ୍ୟ ପ୍ରୀତିକୁ ଦର୍ଶାଇଛି । ସେଇଠି କୃପାନିଧାନରେ ନୃତ୍ୟ ଆମେ ସଂରଚନା କରିଛୁ । ସେହି ସ୍ନେହର ଡୋରିକୁ ଦେଖାଇବାକୁ ଯାଇ, କୁବୁଜା, ଦ୍ରୌପଦୀ, ସୁଦାମାର ଚରିତ ପରିବେଷଣ କରିଛୁ । ଆହୁରି ମଧ୍ୟ ମାଲୁଣୀର ଗୀତ ଶୁଣିବାକୁ ପ୍ରଭୁଙ୍କର ବାଇଗଣ କିଆରୀରେ ପ୍ରବେଶ ଉପାଖ୍ୟାନକୁ ସଜାଯାଇଛି ଗୀତଗୋବିନ୍ଦର ଏକ ଅଷ୍ଟପଦୀ ମାଧ୍ୟମରେ । ଜଗନ୍ନାଥ ଧର୍ମ, ଗୀତଗୋବିନ୍ଦର ସମ୍ପର୍କ ଓ ଓଡ଼ିଶୀ ନୃତ୍ୟର ସେହି ଜଗନ୍ନାଥ ତତ୍ତ୍ୱର ପରିପ୍ରକାଶରେ "ଗୀତଗୋବିନ୍ଦ"ର ଭୂମିକା ବିଷୟ ସେ ଲୋକଙ୍କୁ ଅବଗତ କରିବା ପାଇଁ ମୋର ଏହା ଏକ ପ୍ରଚେଷ୍ଟା ମାତ୍ର । ଭଗବାନ ଗୀତଗୋବିନ୍ଦ ଶୁଣିବାକୁ ଭଲପାଆନ୍ତି ବୋଲି ଶ୍ରୀମନ୍ଦିରରେ ଏହା ଏକ ନୀତି ହିସାବରେ ଗଡ଼ି ଆସିଛି । ଓଡ଼ିଶୀ ସଙ୍ଗୀତରେ ଗୀତଗୋବିନ୍ଦର ପରିବେଷଣ ସୃଷ୍ଟି କରେ ଏକ ଅପୂର୍ବ ମାଦକତା ଓ ମାଧୁର୍ଯ୍ୟ ।

"ଦେଖ ମନମୋହନିଆ ରାଧା ଦାମୋଦର"କୁ ଏହା ଜଗନ୍ନାଥଙ୍କ କୃଷ୍ଣ ଅବତାରର ବର୍ଣ୍ଣନା । ଜଗନ୍ନାଥଙ୍କୁ ଦେଖିଲେ ଶୃଙ୍ଗାରୀ ଭାବନାର ସମ୍ଭାବନା ଆଦୌ ଆସେ ନାହିଁ, ତଥାପି ସେ ରୂପର ଆକର୍ଷଣ ଶକ୍ତି, ଭକ୍ତି ଓ ବିଶ୍ୱାସର ରମଣୀୟ ରାଜ୍ୟରେ ମନକୁ ନେଇ ପହଞ୍ଚାଇ ଦିଏ । କିନ୍ତୁ ପ୍ରଭୁଙ୍କର କୃଷ୍ଣ ରୂପକୁ ଶୃଙ୍ଗାର ସମୁଦ୍ର ଭାବରେ କବିମାନେ, ଚିତ୍ରକର ଓ ନୃତ୍ୟଗୁରୁମାନେ ବର୍ଣ୍ଣନା କରିଛନ୍ତି । କୃପାନିଧାନରେ "ମହାରାସ"ର ଚେତନା ସେଇଥିପାଇଁ ସୃଷ୍ଟି କରାଯାଇଛି । ଯେଉଁଠି ସବୁ ଭକ୍ତ ପାଲଟି ଯାଇଛନ୍ତି ନାୟିକା । ସେହି ରୂପରେ ମୁଗ୍ଧ ହୋଇ ପ୍ରଭୁ ସମସ୍ତଙ୍କ ପାଖରେ ଆବିର୍ଭୂତ ହୋଇଛନ୍ତି ।

କୃପାନିଧାନରେ ପ୍ରଭୁଙ୍କର ବେଶ ବର୍ଣ୍ଣନା କରାଯାଇଛି । ଏଥିରେ ମୁଦ୍ରାର ବ୍ୟବହାର କରାଯାଇଛି ବିଭିନ୍ନ ଆୟୁଧ ଧାରଣକୁ ବାଖ୍ୟା କରିବାକୁ ଯାଇ । କୃପାନିଧାନ କେବଳ ଏକ ନୃତ୍ୟନାଟିକା ନୁହେଁ, ଏହା ଓଡ଼ିଶୀ ନୃତ୍ୟ ସଙ୍ଗୀତ ମାଧ୍ୟମରେ ଏକ ଭକ୍ତର ଭକ୍ତିପୂତ ନିବେଦନ । ସେହି ଭାବରେ ଯଦି ଦର୍ଶକମାନେ ଅଭିଭୂତ ହେବେ ତାହା ହେବ ଆମ ପାଇଁ ଆଶୀର୍ବାଦ ଓ ଚରମ ସନ୍ତୋଷ ।ଜଗନ୍ନାଥ ରୂପରେ ମୋହ, ଚକାନୟନ ଓ ରଙ୍ଗ ଅଧରର ପ୍ରସନ୍ନତା ଦୁଃଖୀ ଜନର ମନ ପ୍ରାଣ ଓ ନୟନରେ ପ୍ରତିଦିନ ନିର୍ଭର ଆଶ୍ୱାସନାର ପଞ୍ଚାମୃତ ଢାଳି ଚାଲିଥାଉ - ଏହା ହିଁ ପ୍ରାର୍ଥନା ।

"ଅଧାଗଢା ଦିଅଁଙ୍କର ଦେଖ ଚକାଆଖିକୁ
ଅଧା ଚାନ୍ଦ ଅଧରରେ ଅଧା ଅଧା ହସକୁ
ଭଜମନ ପୂର୍ଣ୍ଣବ୍ରହ୍ମ ଦାରୁବ୍ରହ୍ମକୁ" ।