ଚିତ୍ର - ଆମୋସ୍ ସଟନ୍ ଙ୍କ ପୁସ୍ତକ "ନ୍ୟାରେଟିଭ୍ ଅଫ୍ ଦି ମିଶନ୍ ଟୁ ଓରିଶା ,୧୮୩୩

ହରିହରପୁର ଗ୍ରାମେ,
ଅଶିବରଷର କାଳି ବୁଢୀଟିଏ ଥିଲା
ରାଧୀନାନୀ ନାମେ ।

ମାତ୍ର ଏଇ ଦୁଇଟି ଧାଡି ମନେଅଛି । ଏଇ କବିତାଟି ମୋ ସାନଭାଇର ସାହିତ୍ୟ ପାଠ୍ୟକ୍ରମରେ ଥିଲା । କବିତାଟି ମନେ ନଥିଲେ ବି କବିତାର ବିଷୟବସ୍ତୁ ମୋର ପୁରା ମନେଅଛି ।

କବିତାର ବିଷୟବସ୍ତୁକୁ ଆଜି କହିବାର ଲୋଭ ହେଉଛି ।

ଆମର ଖୁବ୍ ଅତୀତକାଳରେ ଯେଉଁ ଗାଆଁଟି ଥିଲା ତାହାର ନାଆଁ ଏହି କବିତାର ଗାଆଁର ନାଆଁ ସହ ସମାନ ଥିଲା । ତେଣୁ ଏଇ କବିତାଟିକୁ ସବୁବେଳେ ମୋର ସେହି ଅପହୃତ ଗାଆଁର କବିତା ବୋଲି ଧରିନେଇ ଆସିଛି । କବିତାର ରାଧୀନାନୀ ଚରିତ୍ରଟିକୁ ମୁଁ ଆମର ସେକାଳର ଗାଆଁର ଗୋଟିଏ ଚରିତ୍ର ସହ ପଢିଥାଏ । ସେହି ଚରିତ୍ରଟି ହୁଏତ ମୁଁ ଦେଖିବାବେଳେ ଅଶୀ ବର୍ଷର ନଥିଲା କିନ୍ତୁ ଲାଗୁଥିଲା ଯେମିତି ତାହାର ବୟସ ଅଶୀରୁ ଅନେକ ଅଧିକ । ତା'କୁ ନାନୀ ବୋଲି ଡାକିବା ପ୍ରାସଂଗିକ ନଥିଲା କାରଣ ସେ ଆମମାନଙ୍କର ଜେଜେମାଆ ଡାକରାବିଶିଷ୍ଟ ଶବ୍ଦ ଥିଲା । ଦେଖିବାକୁ ସେ ଥିଲା କେନ୍ଦୁକାଠ ଭଳି କାଳୀ । ସେତେବେଳେ ତ ଏଇ ଭଳି ଝିଅଟିଏ ଭୂଇଁରେ ଚାଲି ଶିଖିଥିବ କି ନାହିଁ ତାହାର ଡାକ ନାଆଁ କେହି ଗଣିପୋଛି ଠିକ୍ କରନ୍ତି ନାହିଁ । ତାହା ଆପେ ଆପେ ସ୍ଥିର ହୋଇଯାଇଥାଏ, କାଳୀ ବା କୁତୁରୀ ବା ଏଇ ଭଳି କିଛି ଅମାବାସ୍ୟା ସୂଚକ ଶବ୍ଦ । କିନ୍ତୁ ଆମର ଗାଆଁର ରାଧୀନାନୀର ମାର୍ଫତ୍ ରେ ଯେଉଁ ଚରିତ୍ରର କଥାଟି ଉଠେ ମୋ ଭିତରେ ତାହାର ନାଆଁଟି ଅବିଶ୍ୱାସ୍ୟ ଭାବର ବର୍ଣ୍ଣବିଦ୍ୱେଷୀ ନଥିଲା, ଥିଲା ଆବେଗରେ ଉଦବେଳିତ ଶବ୍ଦଟିଏ, ପ୍ରଫୁଲ୍ଲବାଳା । ନିଜ ନାଆଁଟିକୁ ସେ ପାଟିରେ ଧରିବ ନାହିଁ କାରଣ ପ୍ରଫୁଲ୍ଲ ଆଉ ବଳଦେବ ବୋଲି ନାଆଁରେ ତାହାର ଢେର୍ ଶ୍ୱଶୁର ଦେଢଶୁର ଜାତୀୟ ଜୀବ ରହିଛନ୍ତି । ନିଜ ନାଆଁ କଥା ପଚାରିଲେ ସେ ଟିକିଏ ହସି କହେ, ଦେବତାଙ୍କ ପାଖରେ ଯାହା ଲଗାଯାଏ ଆଉ ମାଇପେ ଗୋଡରେ ଯାହା ପିନ୍ଧନ୍ତି ଏଇ ଦୁଇଟିକୁ ମିଶାଇଲେ ଯାହା ସେଇୟା । ଫୁଲ ଜେଜେମାକୁ ଅନ୍ଧାର ରାତିରେ ଅମୁକ ଜେଜେବାପା ଦେଖିପାରିବା ସମ୍ଭବ ନୁହଁ ବୋଲି ସେମାନଙ୍କର ପିଲାପିଲି ହେଲାନି କଥାଟି ଆମର ସବୁଠୁ ବୁଦ୍ଧିମାନ ଦୋସ୍ତ ବ୍ରଜସୁନ୍ଦର, ଯାହାର ସହାୟତା ଓ ପ୍ରୋତ୍ସାହନରେ ଆମର ପ୍ରାରମ୍ଭିକ ଅପକର୍ମଗୁଡିକ ସଂଭବପର ହୋଇପାରିଥିଲା, ଆମକୁ ପ୍ରାଂଜଳ ଭାବରେ ବୁଝାଇ ଦେଇଥିଲା ।

ସବୁଗାଆଁରେ ଏଇଭଳି ଚରିତ୍ରମାନେ ସହଜଲଭ୍ୟ । ମୁଣ୍ଡରେ ସେମାନଙ୍କର ମୋଟା ଚନ୍ଦନର ଟିପା, ସିନ୍ଦୂର ବଦଳରେ । ଅଣ୍ଟା ନଇଁ ପଡ଼ିଥିବ, ହାତରେ ଥିବ ଲଂବା ଠେଙ୍ଗାଟିଏ । ସେମାନେ ଏକେଲା ରହୁଥିବେ । ପାଖରେ କେହିନାହିଁ । ଘରଦ୍ୱାରକୁ ବେଶ୍ ତୋଫାକରି ରଖିଥିବେ ସେମାନେ । ସବୁଠୁ ବଡକଥା ସେମାନଙ୍କର ଥିବ ବେଶ ବଡ ଝଂକାଳିଆ ବେଶ୍ ସ୍ୱାଦିଷ୍ଟ ବରକୋଳି ଗଛଟିଏ । ବରକୋଳି ଦିନରେ ଯେମିତି ସେମାନଙ୍କର ଜୀବନ ନାଟିକାଟି ସେଇ ଝଂକାଳିଆ କୋଳିଗଛର ଡାଳରେ କେଉଁଠି ଝୁଲୁଥାଏ ଆଉ ତାହାର ଉପରେ ଦେଖିବ ଯେମିତି ସଂସାରଯାକର ଅହନ୍ତା ।

ଏହି ଚରିତ୍ରମାନଙ୍କର ଉଦାରତାକୁ କେହି ଦେଖି ପାରନ୍ତିନାହିଁ । ସେମାନେ କିଛିକିଛି ଉଚ୍ଚ ପ୍ରାଥମିକ ବୃତ୍ତିଧାରୀ ଛାତ୍ର ପ୍ରତି ଉଦାର ହୋଇ ପଡନ୍ତି । ବିଶେଷତଃ ଯଦି ସେଇ ଛାତ୍ରଟି ତାହାର ବାପମାଆଙ୍କର ବିବାହର ବାରବର୍ଷ ପରେ ଜନ୍ମଗ୍ରହଣ କରିଥାଏ ଆଉ ପ୍ରଥମ କଥା କହିଥାଏ ଜନ୍ମର ଚାରିବର୍ଷ ପରେ ତେବେ ତ ତାହାପ୍ରତି ଅଧିକ ଉଦାର ହେବା ସ୍ୱାଭାବିକ । କିନ୍ତୁ ଏପଟେ ଦେଖିଲେ ସେହି ସରଳ ବୃତ୍ତିଧାରୀ ଛାତ୍ରଟି ସେତେ ସରଳ ନଥିଲା । କୋଳିଚୋରୀ ଭଳି ଯୁଦ୍ଧଜୟର ଆନନ୍ଦ ଆଉ ଦ୍ୱିତୀୟ କେଉଁଠି ନାହିଁ ।

କବିତାର ରାଧୀନାନୀ ଆଉ ତାହାର ଉହାଡରେ ଫୁଲ ଜେଜେମାଆ ଥରେ ପୁରସ୍ତମ ଯାତ୍ରା କଲେ । ଉଭୟଙ୍କର ଚତୁର୍ଦ୍ଧାମୂର୍ତ୍ତୀ ଦର୍ଶନର ସେହି ପ୍ରଥମ ଆଉ ଶେଷ ଅବସର ।

ତୀର୍ଥଯାତ୍ରୀ ମାନେ ପୁରସ୍ତମକୁ ଚାଲିଚାଲି ଆସିବା ପାଇଁ ସେତେବେଳେ ତିନୋଟି ବାଟ ଥିଲା । ଗୋଟିଏ ପୁରୀରୁ ଚିଲିକା କୂଳ ଦେଇ ଗଞ୍ଜାମ ଆଉ ସେଇଠୁ ଦକ୍ଷିଣକୁ, ଆଉ ଗୋଟିଏ ମହାନଦୀ କୂଳରେ କୂଳେ ସମ୍ବଲପୁରକୁ ଆଉ ଶେଷଟି ହେଉଛି ଜଗନ୍ନାଥ ସଡକ । ନୂଆ ଜଗନ୍ନାଥ ସଡକଟିର ନିର୍ମାଣ ଖ୍ରୀଅ ୧୮୧୨ରେ ଆରମ୍ଭ ହୋଇଥିଲା । ଆଗରୁ ଥିବା ପୁରୀରୁ ପିପିଲି ଆଉ ଭୁବନେଶ୍ୱର ଦେଇ କଟକ ପର୍ଯ୍ୟନ୍ତ ଥିବା ପୁରୁଣା ରାସ୍ତାକୁ ମରାମତି କରି ଏଇ ନୂଆ ଜଗନ୍ନାଥ ସଡକ ତିଆରି ହୋଇଥିଲା । ପୁରୁଣା ତୀର୍ଥଯାତ୍ରୀ ସଡକ ଚୌଦ୍ୱାରଠାରୁ ବିରୂପା କୂଳେକୂଳେ ଲକ୍ଷ୍ମଣପୁର ଯାଏ ଯାଇଥିଲା । ଲକ୍ଷ୍ଣଣପୁରଠାରୁ ଗେଙ୍ଗୁଟି ନଈ କୂଳେକୂଳେ ଯାତ୍ରୀମାନେ ଅରଖପୁର ଦେଇ ବାରୁଆଁ ପର୍ଯ୍ୟନ୍ତ ଯାଉଥିଲେ । ନୂଆ ସଡକ ଜଗତପୁରଠାରୁ ବଡଚଣା ଯାଏଁ ଯାଇଥିଲା । ଏଇ ଟ୍ରଙ୍କ ରୋଡ୍ ସେଇଠୁ ଯାଜପୁର, ଧାମନଗର, ଭଦ୍ରକ, ସୋରୋ, ବାଲେଶ୍ୱର, ବସ୍ତା, ଅମର୍ଦ୍ଦା ଦେଇ ଦାନ୍ତୁନ ଯାଏଁ ଥିଲା । ଦାନ୍ତୁନଠାରୁ ମିଦନାପୁର ଆଉ ଉଲୁବେରିଆ ଦେଇ ହୁଗୁଳି ପର୍ଯ୍ୟନ୍ତ ଯାତ୍ରୀମାନେ ଯାଉଥିଲେ । ଏଇ ବାଟଟି ସବୁବେଳେ ଯାତାୟାତରେ ପରିପୂର୍ଣ୍ଣ ରହୁଥିଲା । ରେଳଲାଇନ୍ ତିଆରି ହେବା ପୂର୍ବରୁ ଉଲୁବେରିଆ ଗୋଟିଏ ପ୍ରମୁଖ ତୀର୍ଥଯାତ୍ରୀ କେନ୍ଦ୍ର ଥିଲା । ଏହା ବ୍ୟତୀତ ଶାସନର ତଦାରଖ କରିବା ପାଇଁ ବ୍ରିଟିଶ୍ ପ୍ରଶାସନର କର୍ମଚାରୀ ମାନେ ଏଇ ବାଟଟିକୁ ବ୍ୟବହାର କରୁଥିଲେ । ଉଲୁବେରିଆଠାରୁ ଅନେକେ ଷ୍ଟିମରରେ ସିଧା ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ପୁରୀକୁ ଯିବା ବାଟର ପ୍ରଭୂତ ଉନ୍ନତି ସାଧିତ ହୋଇଥିଲା । ବାଲେଶ୍ୱରର ରାଜା ବୈକୁଣ୍ଠନାଥ ଦେ ଏଇ ବାଟର ମରାମତି କରିବା ସହ ବାଟରେ ଯାତ୍ରୀଙ୍କ ବିଶ୍ରାମ ପାଇଁ ଅନେକ ଚଟିଘର ସ୍ଥାପନ କରିଥିଲେ । ଭଦ୍ରକରୁ ସୋରୋ ଆସିବାବେଳେ ମଝିରେ ଗୋଟିଏ ସ୍ଥାନ ଅଛି ଯାହାର ନାଆଁ ହେଉଛି ରାଣିତାଳ । ତୀର୍ଥ ଯାତ୍ରୀ ମାନଙ୍କର ସୁବିଧା ଲାଗି ବର୍ଦ୍ଧମାନର ରାଣୀ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ସେଇଠି ଗୋଟିଏ ପୋଖରୀ ଖୋଳିଥିଲେ।"ରାଣୀ ତାଲାବ"ରୁ ସେଠିକାର ନାଆଁ ହୋଇଛି ରାଣୀତାଲ୍ ।

ଅନେକ ସମୟରେ ଯାତ୍ରୀ ମାନେ ସ୍ଥାନୀୟ ଡଙ୍ଗାରେ ମହାନଦୀ,କାଠଯୋଡି,ବ୍ରାହ୍ମଣୀ, ବୈତରଣୀ ଆଉ ସୁବର୍ଣ୍ଣରେଖା ଆଦି ନଦୀରେ କଟକ ଯାଏଁ ଆସି ସେଇଠୁ ଜଗନ୍ନାଥ ସଡକରେ ପୁରୀ ଯାଏଁ ଯାଉଥିଲେ । ୧୮୬୯ ରେ ଷ୍ଟିମର ର ପ୍ରଚଳନ ଆରମ୍ଭ ହେଲା । ପାଦରେ ଚାଲି ଚାଲି ପୁରୀ ଯାଏଁ ଆସୁଥିବା ଯାତ୍ରୀଙ୍କର କଷ୍ଟ ଏହା ଅନେକ ପରିମାଣରେ ଲାଘବ କରିଥିଲା । ଉତ୍କଳ ଦୀପିକାର ଏକ ୧୮୯୩ ଜୁଲାଇ ମାସର ଏକ ବିବରଣୀ(ରଥ ଯାତ୍ରା ସମୟର) ରେ ଏହି ଷ୍ଟିମର ଯାତ୍ରୀ ମାନଙ୍କର ଚାହିଦାକୁ ଯଥାଯଥ ଭାବରେ ପୂରଣ କରିବାକୁ ଅସମର୍ଥ ଥିଲା।ଏଥିରୁ ଅନୁମାନ କରାଯାଇ ପାରେ ଯେ ପୁରୀଯାତ୍ରା ପାଇଁ ତୀର୍ଥଯାତ୍ରୀ ମାନେ କେତେ ପରିମାଣରେ ଆଗ୍ରହୀ ଥିଲେ।ଜଳପଥରେ ଯାତ୍ରୀମାନଙ୍କର ଯିବାରେ ସୁବିଧା ହେବ ବୋଲି ବୈତରଣୀ ନଦୀ କୂଳରେ ଚାନ୍ଦବାଲି ଠାରେ ଏକ ବନ୍ଦର ସ୍ଥାପନ କରିଥିଲେ ।ତେଣୁ ଯାତ୍ରୀ ମାନେ କଲିକତାରୁ ଚାନ୍ଦବାଲି ଯାଏଁ ସମୁଦ୍ରରେ ଯାତାୟାତ କରୁଥିବା ଷ୍ଟିମରରେ ଆସୁଥିଲେ । ଚାନ୍ଦବାଲିରୁ କଟକ ଯାଏଁ ବଜରା ରେ ଆସୁଥିଲେ । ସେତେବେଳେ ଭଦ୍ରକ ଆଉ କଟକ ମଧ୍ୟରେ ନିୟମିତ ସରକାରୀ ଷ୍ଟିମର୍ ଯିବା ଆସିବା କରୁଥିଲା ।

ଆଗରୁ ପୁରସ୍ତମ ଏକ ଶାନ୍ତ ସମୂଦ୍ରକୂଳ ଥିଲା । ଅଳ୍ପକେତୋଟି ଚାଳଘର ଇଉରୋପୀୟ ଯାତ୍ରୀଙ୍କ ପାଇଁ ଥିଲା । ଖ୍ରୀଅ ୧୮୮୧ ରେ ପୁରୀକୁ ପଡିଲା ବେଙ୍ଗଲ-ନାଗପୁର ରେଲଓୟେ । ଏଇ ରେଳପଥଟି ପୁରସ୍ତମର ମହିମା ବର୍ଣ୍ଣନ କରିବାରେ ଏକ ପ୍ରମୁଖ କାରକ ସାଜିଲା ।ଢେର୍ ଯାତ୍ରୀଙ୍କ ଆଗମନ ଘଟିଲା ପୁରୀକୁ ,ବିଶେଷତଃ ରଥଯାତ୍ରା ସମୟରେ।କିନ୍ତୁ ସେଇ ରେଳପଥ ଟି କାର୍ଯ୍ୟକାରୀ ହେବା ପଛରେ ଅସୁବିଧା ଥିଲା କାଠଯୋଡି ଆଉ ମହାନଦୀ ଉପରେ ପୋଲ । ଏଇ ଦୁଇଟି ପୋଲକୁ ତିଆରି କରିବା ପାଇଁ ଅଧିକ ସମୟ ଲାଗିଗଲା ।୧୯୦୧ ଖ୍ରୀଷ୍ଟାବ୍ଦରେ ଏହା ସଂପୂର୍ଣ୍ଣ ହେବା ପରେ ଯାତ୍ରୀ ମାନେ ରେଳପଥରେ ଆସିପାରିବାର ସୁବିଧା ପାଇଲେ ।

କଲିନ୍ ମେକେଞ୍ଜି ଯିଏ ଭାରତର ପ୍ରଥମ ସର୍ଭେୟର୍ ଜେନେରାଲ୍ ଥିଲେ ତାଙ୍କର ଜଣେ ଇଉରୋପୀୟ ଡ୍ରାଫ୍ଟସମ୍ୟାନ ଜଳରଂଗରେ ୧୮୨୦ଖ୍ରୀଅରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାର ଛବିଟିଏ ଅଂକନ କରିଥିଲେ।ସେହି ଛବିଟି ବିଶେଷତଃ ଇଉରୋପୀୟ ଜଗତରେ ଶ୍ରୀଜଗନ୍ନାଥଙ୍କୁ ନେଇ ଆଲୋଡନ ସୃଷ୍ଟି କରିଥିଲା ।

ଏଇଠି କହିବାର କଥା ହେଉଛି ଗୋରା ସାହେବ ମାନଙ୍କ ପାଟିକୁ ପଉଟିବ ନାହିଁ ବୋଲି ସେମାନେ ଜଗନ୍ନାଥଙ୍କୁ "ଜଗର୍ଣ୍ଣଟ୍" ବୋଲି କହିଲେ । ସେମାନେ ଯେ ଆମର ଜଗନ୍ନାଥଙ୍କୁ ଜଗର୍ଣ୍ଣଟ୍ ଡାକରାରେ ସୀମାବଦ୍ଧ କରି ରଖିଥିଲେ ସେ କଥା ନୁହଁ ତାହା ସହିତ ସେମାନେ ନିଜର ହିନ୍ଦୁଧର୍ମ,ହିନ୍ଦୁଧର୍ମର ଦେବତା ଓ ଭାରତରେ ସେମାନଙ୍କର ରାଜ୍ୟଶାସନର ତାତ୍ତ୍ୱିକ ନକ୍ସାଟି ବି ଗୋପନରେ ସଂଗୁପ୍ତ କରି ରଖିଦେଲେ ।ସେମାନେ ବିଶ୍ୱ ଆଗରେ ଭାରତକୁ କେବଳ ଏକ "ସିଭିଲାଇଜିଂ ମିଶନ୍"ରେ ଆସିଛନ୍ତି ବୋଲି ବିଜ୍ଞପିତ କରୁଥିଲେ । ଭାରତ ଏକ ଅଜ୍ଞାନତମିସ୍ରାବୃତ୍ତ ଅଂଧକାରାଚ୍ଛନ୍ନ ଅନୁର୍ବର ପ୍ରଦେଶ ଆଉ ଏହାକୁ ସଭ୍ୟତାର ଆଲୋକରେ ଉଦ୍ଭାସିତ କରିବା ପାଇଁ ନିଜର ଉଦାରବାଦୀ ଦୃଷ୍ଟିକୋଣଟିଏ ସେମାନେ ସବୁବେଳେ ପ୍ରସ୍ତୁତ କରି ରଖୁଥିଲେ । ଭାରତ ସଭ୍ୟ ହୋଇଗଲେ ସେମାନଙ୍କର ଶାସନର ମିଆଦ ଖତମ୍ ହେବ ବୋଲି ସେମାନେ କହୁଥିଲେ । ହିନ୍ଦୁଧର୍ମରେ ବର୍ବରତାର ପ୍ରତୀକ ହିସାବରେ ସେମାନେ ଜଗର୍ଣ୍ଣଟ୍ କୁ ପ୍ରୟୋଗ କରୁଥିଲେ । ଜଣେ ଗୋରା ମିଶନାରୀ ୱିଲିଅମ୍ ୱିଲବରଫୋର୍ସ ଙ୍କ ମତରେ "ହିନ୍ଦୁଦେବତା ମାନେ କାମନା, ଅନ୍ୟାୟ, ଦୁଷ୍କୃତି ଓ ବର୍ବରତାର ରାକ୍ଷସ"ବୋଲି ପ୍ରବଚନ ଦେଉଥିଲେ ।

୧୩୧୯ ଖ୍ରୀଅରେ ଜଣେ ଇତାଲୀୟ ଖ୍ରୀଷ୍ଟୀୟ ପରିବ୍ରାଜକ ଓଡୋରିକୋ ପୋର୍ଦେନନ୍ ସୁମାତ୍ରାରୁ ଚୀନ୍ ଯିବା ବାଟରେ କିଛିଦିନ ପୁରୀରେ ବିତାଇଥିଲେ । ସେହି ସମୟରେ ରଥଯାତ୍ରାଟିକୁ ପ୍ରତ୍ୟକ୍ଷ କରିବାର କଥାକୁ ସେ ତାଙ୍କର ଭ୍ରମଣବୃତ୍ତାନ୍ତରେ ଲେଖିଯାଇଅଛନ୍ତି । ତାଙ୍କର ଭ୍ରମଣବୃତ୍ତାନ୍ତ ଅନୁସାରେ,ଏକ କିମ୍ଭୁତ କିମାକାର ରାକ୍ଷସ ସଦୃଶ ଦେବତା ଲୋକଗହଳିରେ ରଥରେ ବସି ଯାତ୍ରାକରେ ଆଉ ସେହି ରଥଚକା ତଳେ ଶହଶହ ଲୋକ ସ୍ୱର୍ଗପ୍ରାପ୍ତି ହେବ ବୋଲି କୁସଂସ୍କାରବଶତଃ ଆତ୍ମହତ୍ୟା କରିଥାଆନ୍ତି । ଏହା ଏହିଭଳି ବିବରଣୀ ହିସାବରେ ପ୍ରଥମ । ତାହାପରେ ପାଂଚଶହ ବର୍ଷ ଧରି ବିଭିନ୍ନ ଇଉରୋପୀୟ ପରିବ୍ରାଜକ ଙ୍କ ବିବରଣୀରେ ଏଇ କଥିତ ଦାନବ ର ଦାନବୀୟ ରୂପକ ରଥଯାତ୍ରାର ବିବରଣୀ ପ୍ରମୁଖତାର ସହ ପ୍ରକାଶ ପାଇଲା । ଏହି ବିବରଣୀ ସବୁ ସେଇ ଇତାଲୀୟ ଓଡୋରିକୋ ପୋର୍ଦେନନ୍ ଙ୍କ ବିବରଣୀର ପ୍ରାୟତଃ ପ୍ରତିଧ୍ୱନୀ । ଶେଷରେ ଜେନ୍ ଆୟାର୍ ବୋଲି ଜଣେ ଗୋରା ହାକିମ୍ ସେହି ସମସ୍ତ ବିବରଣୀର ଆଧାରରେ ଜଗନ୍ନାଥ ଶବ୍ଦ ସହ ସମାନତା ରକ୍ଷା କରି ୧୮୪୭ ଖ୍ରୀଅରେ ଜଗର୍ଣ୍ଣଟ୍ ଶବ୍ଦଟି ନିର୍ମାଣ କଲେ,ଯାହାର ଅର୍ଥ ହେଉଛି "ଅନ୍ଧ ବିଶ୍ୱାସ ସହ ସଂପୂର୍ଣ୍ଣ ଅବିବେକୀ ପ୍ରାଣଦାନ"।

ଜେନ୍ ଆୟାର୍ ଙ୍କ ଜଗର୍ଣ୍ଣଟ୍ ଶବ୍ଦଟି ଜଗନ୍ନାଥ ଶବ୍ଦରୁ ଆସିଥିଲେ ହେଁ ଇତାଲୀୟ ଓଡୋରିକୋ ପୋର୍ଦେନନ୍ ଜଗନ୍ନାଥଙ୍କୁ ଯେଉଁ ଭଳି ଦାନବ ହିସାବରେ ପ୍ରତିବାଦନ କରିଥିଲେ ତାହାର ଦାନବୀୟ ରୂପଟିକୁ ଜେନ୍ ଆୟାର୍ ଙ୍କ ଜଗର୍ଣ୍ଣଟ୍ ଭଳି ଶବ୍ଦ-ନିର୍ମାଣର କିଛି ବର୍ଷ ଆଗରୁ ସେଇ ଇଉରୋପୀୟ ମାନେ ହିଁ ଅସ୍ୱୀକାର କରିଥିଲେ । ୧୮୦୩ ଖ୍ରୀଅରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମରାଠା ମାନଙ୍କୁ ଗାଦିଚ୍ୟୁତ କରି ଆଣ୍ଡ୍ରିଉ ଷ୍ଟ୍ରଲି ଙ୍କୁ ପୁରୀରେ ବ୍ରିଟିଶ ହାଇକମିଶନର କରି ରଖିଲେ।ଷ୍ଟ୍ରଲିଂ ତାଙ୍କ ବିବରଣୀରେ ଲେଖିଛନ୍ତି,"ଅତ୍ୟଧିକ ଧର୍ମାନ୍ଧତା ଯାହା ଆଗରୁ ତୀର୍ଥ ଯାତ୍ରୀଙ୍କୁ ଜଗନ୍ନାଥଙ୍କ ରଥଚକ ତଳେ ପଡି ଆତ୍ମହତ୍ୟା କରିବାକୁ ପ୍ରରୋଚିତ କରୁଥିଲା ଆନନ୍ଦର କଥା ତାହା ବନ୍ଦ ହୋଇଯାଇଛି । ଆଜିର ତୀର୍ଥଯାତ୍ରୀଙ୍କ ଭିତରେ ଏପରି କଥା ଦେଖିବାକୁ ମିଳୁନାହିଁ । "ଆଣ୍ଡ୍ରିଉ ଷ୍ଟ୍ରଲିଂଙ୍କ ଚାରିବର୍ଷ ରହଣୀ ଭିତରେ ରଥଚକା ତଳେ ସେ ଏହିଭଳି ତିନୋଟି ମୃତ୍ୟୁକୁ ପ୍ରତ୍ୟକ୍ଷ କରିଥିଲେ ଯାହା ଭିତରେ ଗୋଟିଏ ଥିଲା ସଂପୂର୍ଣ୍ଣ ଦୁର୍ଘଟଣା ।

ଶ୍ରୀ ଜଗନ୍ନାଥଙ୍କ ରଥଚକ ତଳେ ଆତ୍ମଘାତୀ ହେବା ଘଟଣା ଯାହାକୁ ନେଇ ଜଗର୍ଣ୍ଣଟ୍ ଶବ୍ଦ ର ନିର୍ମାଣ ତାହାର ପରିପ୍ରେକ୍ଷ୍ୟ ଟିକୁ ବୁଝିବା ଦରକାର । ଜଗନ୍ନାଥ ଆକୃତି ବିହୀନ ଅର୍ଥାତ୍ ସ୍ୱାଭାବିକ ମଣିଷ ଆକୃତିବିହୀନ ଏକ ଦାରୁ ଦେବତା।ଅତି ସରଳରେ କହିଲେ ଖଂଡେ କାଠ ଯାହାକୁ ପୂଜା କରାଯାଏ । ଏଇ କାଠପୂଜା ଅନାର୍ଯ୍ୟର "ଟୋଟେମ୍"ପରଂପରା ରୁ ଆସିଅଛି । ପ୍ରାକ୍ ଆର୍ଯ୍ୟ କାଳରେ ଗୋଟିଏ ସଂପ୍ରଦାୟକୁ ଆପଦ ବିପଦରୁ ସୁରକ୍ଷିତ କରି ସବୁବେଳେ ସେମାନଙ୍କର "ଟୋଟେମ୍"ରଖିବ ବୋଲି ଦୃଢ ବିଶ୍ୱାସ ରହିଥିଲା । "ଟୋଟେମ୍" ର ବିଶ୍ୱାସ ଓ ପୂଜାଟି ବିକଶିତ ହୋଇ ଆର୍ଯ୍ୟ ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥରେ ରୂପାନ୍ତରିତ ହୋଇଛି ବୋଲି କହିଲେ ନୃତାତ୍ତ୍ୱିକ ତଥା ସାଂସ୍କୃତିକ ବିବର୍ତ୍ତନବାଦୀ ଇତିହାସ ତାହାକୁ ସମର୍ଥନ କରିବ।ସରଳରେ କହିଲେ କାଠଟି ଅନାର୍ଯ୍ୟର ଆଉ ଯାବତୀୟ ବେଶଭୂଷା ଆର୍ଯ୍ୟର ,ଏଇ ସମନ୍ୱୟଟିର ଫଳଶ୍ରୁତି ଶ୍ରୀଜଗନ୍ନାଥ । ଆଉ ପ୍ରତିବର୍ଷ ନିଜର ଉତ୍ସକୁ ଯାତ୍ରା ନିଜର ଆଦିମତ୍ୱକୁ ଉଜାଗର କରିବାର ଏକ ମାତ୍ର ପ୍ରତ୍ୟକ୍ଷ ପ୍ରୟୋଗ।ଆମେ ଅନ୍ୟନ୍ୟ ହିନ୍ଦୁ ଦେବତାର ଜନ୍ମଦିବସ ପାଳନ କରୁ କିନ୍ତୁ ନିଜର ଉତ୍ସକୁ ଯାତ୍ରା ମାଧ୍ୟମରେ ନିଜର ମୌଳିକତାର ଏପରି ଭବ୍ୟ ଆୟୋଜନ ଆଉ କେଉଁଠି ନାହିଁ । ଏହା କେବଳ "ଟୋଟେମ୍"କୁ ଉପଲବ୍ଧି କରିବାର ସାର୍ବଜନୀନ ନନ୍ଦୀଘୋଷ ।

କହିବା କଥା ହେଉଛି ଆମର ହିନ୍ଦୁ ମାନେ ନିଜ ନିଜର ଦେହରକ୍ଷା ପାଇଁ ପୁରସ୍ତମବାସୀ ହେଉଥିଲେ । ଯେହେତୁ ଏଇଠି ସ୍ୱର୍ଗଦ୍ୱାର ରହିଅଛି ବୋଲି ସେମାନଙ୍କର ବିଶ୍ୱାସ ରହିଛି ସେଇଥିପାଇଁ ଏଇଠାରେ ଶେଷନିଃଶ୍ୱାସ ତ୍ୟାଗ କରିବାକୁ ସେମାନେ ଜୀବନର ପ୍ରାନ୍ତକାଳରେ ଉପଯୁକ୍ତ ମଣୁଥିଲେ । ଆଜିବି ସ୍ୱର୍ଗଦ୍ୱାର ଓଡିଆ ମାନଙ୍କର ପ୍ରିୟତମ ଅନ୍ତିମ ଆବାସସ୍ଥଳୀ ହୋଇ ରହିଆସିଅଛି । ଏକଦା ନିଜର ଦେହରକ୍ଷା ପାଇଁ ସିଦ୍ଧାନ୍ତଦର୍ପଣକାର ପଠାଣୀ ସାମନ୍ତ ନିଜର ଅନ୍ତିମ ସମୟ ଗଣନା କରି ନିଜର ଦେହରକ୍ଷା ପାଇଁ ପୁରୀକୁ ଆସିଥିଲେ । ଆମର ଜ୍ୟୋତିଷବିଦ୍ୟାର ସର୍ବକାଳୀନ ଏଇ ମହାମହୋପାଧ୍ୟାୟ ଜଣକ କିନ୍ତୁ ନିଜର ଅନ୍ତିମ ସମୟ ଗଣନାରେ ଥରେ ନୁହଁ ଦୁଇଥର ତ୍ରୁଟି କରିଥିଲେ । ତୃତୀୟ ଥର ଗଣନାରେ ପଠାଣୀ ସାମନ୍ତ ସଫଳ ହେଲେ ଓ ପୁରୀରେ ଦେହରକ୍ଷା କଲେ । ଏଇ ଘଟଣାକୁ ଆଖି ଆଗକୁ ଆଣି ଆମର କହିବାର କଥା ହେଉଛି ଅନେକେ ଏମିତି ଆସି ପୁରସ୍ତମରେ ପହଂଚୁଥିଲେ ଯେଉଁମାନଙ୍କର ଉଦ୍ଦେଶ୍ୟ କେବଳ ମହାପ୍ରୟାଣର ମାର୍ଗଟିକୁ ସୁନ୍ଦର କରିବା । ସେମାନଙ୍କ ଭିତରେ ନିଶ୍ଚୟ ଥିବେ ଅନେକେ ନିରାଶ୍ରୟ ଓ ଅରକ୍ଷିତ।ଆଉ ସେମାନଙ୍କର ଅଭିଳଷିତ ମୃତ୍ୟୁଟି ସେମାନଙ୍କର ଇଚ୍ଛା ଅନୁସାରେ ହେଉନଥିବ ନିଶ୍ଚୟ । ତେଣୁ ଏଇ କଷ୍ଠକର ଅପେକ୍ଷାର ଯନ୍ତ୍ରଣା ର ଉପଶମ କୁ ସେମାନେ ସମ୍ଭବତଃ ବାଛି ନେଉଥିଲେ ଆତ୍ମହନନରେ । ଶ୍ରୀ ଜଗନ୍ନାଥଙ୍କ ରଥଚକା ତଳ ବ୍ୟତୀତ ଅଧିକ ଧାର୍ମିକ ଆତ୍ମାଘାତର ମାର୍ଗ ଏହି ନିରାଶ୍ରୟ ଙ୍କ ନିକଟରେ ମିଳିବ କେଉଁଠୁ ? ପରେ ପୁରୀ ସହ ଯୋଗଯୋଗ ର ମାର୍ଗ ପ୍ରଶସ୍ତ ହେଲା ପରେ ସ୍ୱର୍ଗଦ୍ୱାର ପ୍ରାପ୍ତି ସୁଗମ ହୋଇଗଲା । ଆଉ କାହାକୁ ଦେହରକ୍ଷା ପାଇଁ ଅପେକ୍ଷା କରିବାକୁ ପଡିଲା ନାହିଁ ଏଠାରେ ।

ଜଗର୍ଣ୍ଣଟ୍ ଶବ୍ଦର ଭିତରେ ଥିବା ପ୍ରଭୂ ଜଗନ୍ନାଥ ମୁକୁଳିଗଲେ ନିଜ ଦେବତ୍ୱର ବିଶ୍ୱାସରେ ତିଆରି ରତ୍ନ ସିଂହାସନ ଉପରକୁ ତାହାପରେ ।

ଆଗରୁ କହିଛି କବିତାର ରାଧୀନାନୀ ଆଉ ତାହାର ଉହାଡରେ ଆମ ଗାଆଁର ଫୁଲ ଜେଜେମା ଆସିଥିଲେ ପୁରସ୍ତମ ।ଫୁଲ ଜେଜେମା ଆସିଥିଲେ ଗାଆଁର କୋଳି ଗଛର ଝଂକାଳିଆ ମୋହକୁ ତେଜ୍ୟାକରି,ନିଜର ଜୀବନନାଟିକାକୁ ନିଜ କୋଥଳି ଭିତରେ ରଖି । ପୁରୀର କିଲଟରୀ ଅଫିସ୍ ରେ କାମ କରୁଥିବା ନିଜର ସଂପର୍କୀୟ ପୁତୁରାକୁ କହିଥିଲେ,ବେଶ୍ ହେଲା ଦୁନିଆ। ମୋତେ ଶରଧାବାଲି ରେ ଛାଡି ଦେ।ଆନନ୍ଦବଜାରରୁ ଭଂଗାକୁଡୁଆରେ ମୋର ବାକୀ ଜୀବନ ଆନନ୍ଦରେ କଟିଯିବ । ମୁଁ ପୁରସ୍ତମରେ ଦେହରକ୍ଷା କରିବି।ତୋର କିଛି ବ୍ୟସ୍ତ ହେବାର ନାହିଁ।ତୋ ଅସଜ ମାଈପିର ଦେଖାରଖା କର ।

ରଥଯାତ୍ରାଦିନ ଭାଇଭଉଣୀ ତିନିଜଣ ବଡଦାଣ୍ଡକୁ ଆସିଲେ।କାଠରୁ ଆଜିର ବେଶଭୂଷାଯାଏଁ ଯେତେଯେତେ ବିବର୍ତ୍ତନ ଟି ହୋଇଛି ଶ୍ରୀଜଗନ୍ନାଥଙ୍କର ତାହାକୁ ଦେଖିଲେ ଲାଗିବ ଅନାର୍ଯ୍ୟ ଆଉ ଆର୍ଯ୍ୟ ତଥା କାଠ ଓ ଯେତେଯେତେ ଅଳଙ୍କାରର ବେଶଭୂଷା ଶୋଭିତ ହୋଇ ରହିଛି ତାହାଭିତରେ ହାଇଫେନ୍ ଭଳି ବୌଦ୍ଧାଚାର।ସେଇଥିପାଇଁ ଅର୍ଥାତ୍ ବୌଦ୍ଧାଚାର ର ପ୍ରଚ୍ଛନ୍ନ ପ୍ରଭାବ ଥିବା କାରଣରୁ ଭାରତରେ ଜନ୍ମିତ ବୌଦ୍ଧ ମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶାଧୀକାର ରହିବା କଥା ମୁଁ ବିଦେଶୀ ଉତ୍ସରୁ ପଢିଛି । ଯଦି କିଛି ଭିନ୍ନ ମତ ଥିବ ତେବେ ଏହି ମନ୍ତବ୍ୟଟିର ସଂଶୋଧନ କରିନେବି ।

ବୌଦ୍ଧାଚାରର ହାଇଫେନ୍ ବିଷୟରେ ପରେ କେବେ ।

ସାଧାରଣତଃ ମୋତେ ଶ୍ରୀପଂଚମୀ,ଗଣେଷ ଚତୁର୍ଥୀ ଓ କୁମାର ପୂର୍ଣ୍ଣିମା ଦିନ ନୂଆ ସାର୍ଟପ୍ୟାଣ୍ଟ ମିଳିଥାଏ । ଏଇ ସୁଖାନୁଭୂତିରେ ଆଉ ଗୋଟିଏ ପର୍ବ ଯୋଡା ହୋଇଥାଏ।ତାହା ହେଲା ରଥଯାତ୍ରା । ରଥଯାତ୍ରା ଦିନ ଠିକ୍ ପହଣ୍ଡିବେଳେ ମୋ ତଳଭାଇର ଜନ୍ମ । ତାହାର ଜନ୍ମଦିନରେ ବଡଭାଇକୁ ତ କେହି ଆଉ ପୁରୁଣା ପ୍ୟାଣ୍ଟସାର୍ଟରେ ଦେଖିବାକୁ ଚାହିଁବ ନାହିଁ।ତେଣୁ ତାହାରି ପାଇଁ ମୁଁ ଢେର୍ ନୂଆ ପିନ୍ଧିଆସିଛି ।ଅଧିକ ଯାତ୍ରାଖର୍ଚ୍ଚ ପାଇ ତାହାକୁ ଅସଂଜତ ଭାବରେ ଖର୍ଚ୍ଚ କରିଛି ।

ଆଜି ମୋର ସେଇ ସାନଭାଇ ଯାହାପାଖରେ ସବୁବେଳେ ଗୋଟିଏ ବଡପୁଅ ଯେମିତି ହେବାକଥା ସେଇଭଳି ଆବଶ୍ୟକୀୟ ସମସ୍ତ ଗୁଣ ରହିଛି ତାହାକୁ ତାହାର ଜନ୍ମଦିନର କଲ୍ୟାଣ କରୁଛି ।

ହଁ,କ'ଣ ହେଲା କେଜାଣି ହଠାତ୍ ତାହାପର ଦିନ ମାନେ ରଥଯାତ୍ରା ପରଦିନ ଠାକୁରଙ୍କ ଗୁଣ୍ଡିଚା ଘରକୁ ସେଯାଏଁ ପହଣ୍ଡି ଆରମ୍ଭ ହୋଇନି, ଦେଖାଗଲା ବେଙ୍ଗଲ-ନାଗପୁର ରେଲଓୟେର ରେଳଲାଇନ୍ ଉପରେ ପୁରୀ-ତାଳଚେର ପାସେଂଜରରେ ନିଜନିଜ ଘରକୁ ଫେରୁଚନ୍ତି ଆମ କବିତାର ରାଧୀନାନୀ ଆଉ ତାହାର ଉହାଡରେ ଆମ ଗାଆଁର ଫୁଲ ଜେଜେମାଆ ।

ରାଧୀନାନୀ ଫୁଲ ଜେଜେମାଆଙ୍କୁ କହିଲା,ବଉଳ,ତୋର କ'ଣ ସମାନ ଅବସ୍ଥା ? ମୋ ଭଳି ?

ଫୁଲ ଜେଜେମାଆ କହିଲା,ହଁ ଲୋ ବଉଳ ତୁଚ୍ଛାଟାରେ ଆଉ ଶରଧାବାଲିରେ ପଡିରହିବି କାହିଁକି ? ଏଇ ପୁରସ୍ତମ ର ଆଉ କ'ଣ ଲୋଡା ଅଛି ଆମର ?

ରାଧୀନାନୀ କହିଲା ,ବଉଳ ଲୋ ଡାହୁକ ଡାକିଲା।ଘଣ୍ଟ ଶଂଖ ବାଜୁଥାଏ । ତେତ୍ରିଶ କୋଟି ଦେବତାଙ୍କ ଆକାଶରୁ ପୁଷ୍ପବୃଷ୍ଟି ରେ ତ ବିରାମ ନାହିଁ । ମୋ ହାଲୁକ ଶୁଖିଗଲା । ଦେଖିଲି ରଥରେ କାଇଁ କେଉଁଠି ବଳିଆରଭୂଜ, ହଳଦୀମୁହିଁ ? କାହିଁ କେଉଁଠି ହଳଧର ? ରଥସାରା ଦେଖିବ ଖାଲି ମୋ କୁଡିଆ ଆଉ କୁଡିଆ ଉପରେ ଲଟେଇଯାଇଛି ଲାଉଗଛ , କଖାରୁଗଛ , କଖାରୁଗଛରେ ଢେର୍ ଫୁଲ , ଢେର୍ କଷି ।ଏହାକୁ ଦେଖିବା ପାଇଁ ଏଇଠେ ପଡିରହିବି କିଆଁ ଲୋ ବଉଳ ? ମୋ ଘରେ ଯେ ଚତୁର୍ଦ୍ଧାମୂର୍ତ୍ତି ସବୁବେଳେ ଠାଆରେ ବିଜେ !!

ଫୁଲ ଜେଜେମାଆ କହିଲା , ତୁ ଏକା ସତ ମଣିବୁ ଲୋ ବଉଳ । ରଥସାରା ମୋର ବରକୋଳି ଗଛ। ଏତେ ଝଂକାଳିଆ ଯେ କ'ଣ କହିବ ? ଏତେ ବଡ ବଡ କୋଳି ଗଛ ସାରା ,ପତ୍ର କ'ଣ ଦିଶୁଛି ? ନା , ଆଉ ଏଇ ପୁରସ୍ତମ ନୁହଁ । ଆମ ପୁରସ୍ତମ ଆମ ପାଖରେ । ବୃଥାରେ ଆମେ ଭ୍ରମୁଛୁ ଏଠି ସେଠି , ନୁହଁ ଲୋ ବଉଳ ?

ନିଜନିଜର ପୁରସ୍ତମକୁ ସାଥିରେ ଧରି ସେମାନେ ଆଉ କିଛି ସମୟ ପରେ ନିଜନିଜର ଅଭିଳଷିତ ସ୍ଥାନକୁ ଫେରିଯିବେ । ରାଧୀନାନୀ ଯିବ କବିତାର ଛନ୍ଦ ଭିତରକୁ , ଫୁଲ ଜେଜେମା ଯିବ ତାହାରି ଉହାଡରେ ହରିହରପୁର ବୋଲି ଏକଦା ଏକ ଗାଆଁକୁ।

ଆପଣ ମାନେ ଆଜି ନିଜନିଜର ପୁରସ୍ତମ ପ୍ରାପ୍ତ ହୁଅନ୍ତୁ । ଆପଣଙ୍କର ପ୍ରିୟତମ ଦୃଶ୍ୟ ଦେଖନ୍ତୁ ତ୍ରିରଥରେ।ଆଜି।ସେମାନଙ୍କ ଭଳି ।

ମୋତେ କିନ୍ତୁ ପୁରୀ ଯିବାକୁ ହେବ । ପୁରୀରେ ଏଇ ଭଳି ରଥ ଗହଳୀରେ ମୋତେ ସେଇ ଦୁଇଜଣକୁ ଖୋଜିବାର ଅଛି । ସେମାନେ ଦିଜଣ ଏଇ କିଛି ବର୍ଷ ହେଲା ପୁରୀରେ ରହୁଛନ୍ତି । ଖବର ଅନ୍ତର କିଛି ନାହିଁ । ରଥଯାତ୍ରା ଭଳି ଗହଳୀ ରେ ସେମାନଙ୍କର ଭାରି ଆନନ୍ଦ,ଜାଣେ ।କିନ୍ତୁ ସେମାନେ ଏବେ କେମିତି ବେଶରେ ଅଛନ୍ତି ତାହା ମୁଁ ଜାଣେନାହିଁ । ମୁଁ ତ ସେ ଦିଜଣକୁ ଜମା ଚିହ୍ନିପାରିବି ନାହିଁ କିନ୍ତୁ ଭାବୁଛି ସେମାନେ ମୋତେ ଚିହ୍ନିପାରିବେ ନିଶ୍ଚୟ । ସେହି ଆଶାରେ ଯିବାକୁ ହେବ ।

ନିଜ ଡାକନାମକୁ ଶୁଣିବାର କଂଠସ୍ୱର କମିଆସୁଛି ମୋର ପରିଚିତ ପୃଥିବୀରୁ ।

ସେ ଦିଜଣ ,ମୋ ବୋଉ ଆଉ ମୋର ଗୋଟେ ସାତସାନ ଭାଇ ।

ଏକଥା ନୁହଁ ଯେ ମୁଁ ସେମାନଙ୍କୁ ଚିହ୍ନି ପାରିବି ନାହିଁ।ହଠାତ୍ କେଉଁଦିନ ମୁଁ ସେମାନଙ୍କୁ ଚିହ୍ନି ପକାଇପାରେ । କିନ୍ତୁ ସେଇ ବିଶେଷ ଦିନଟି ମୋ ଆୟତ୍ତରେ ନାହିଁ ।