ଫଟୋ: ୱିକି କମନ୍ସ

ଅରଖ ନୂଆ ଚୂନ ଧଉଳା କାନ୍ଥଟା ଉପରେ ପାଆଁଶ ପାୱାର ହଳଦିଆ ବଲବ୍ ଟା ତଳେ ଲାଙ୍ଗୁଡ ବୁଲେଇ ବୁଲେଇ ବୁଲୁଥିବା ଦର୍ପିଳ ଠାଣିର ଜୀବଟା ଅଗତ୍ୟା ଭୋକରେ ଥିଲା । ନୂଆ ରଙ୍ଗ ଗନ୍ଧରେ ନା ଗୋଟେ ପୋକ, ନା ମାଛି ଟେ କି ମଶାଟେ, ଏମିତି କି ଝୁଲନ୍ତ ବୁଢିଆଣୀ ପିଚିକାଟେ ବି ଜୁଟୁନି । ଲାଇଟ୍ ଚାରିପଟେ ଦିନ ରାତି ଭିଣିଭିଣି ଆଲୁଅ ପୋକ, ଝରିପୋକ, କି ରାଣୀ ପିମ୍ପୁଡିଟେ ବି ହାବୁଡୁନି । ଇଏ ତାର କାନ୍ଥ ସାରା ଘେରା ମାରି ମାରି ଥକି ଶୋଷରେ ଲେଉଟି ଲଥ୍ କି କାଉଲା ହେଇ ତଳେ ପଡିଲା ସଶବ୍ଦେ "ଥପ୍" । ସରସରେଇକି ପୁଣି ଚଢି ଲୁଚିଗଲା ବାଗେଇକି କୋଣରେ କୋଦା ଧଳା ଝିଟିପିଟି ଟା ତାର ଢେମା ଶୋରିଶିଆ ଆଖି ବୁଲେଇ ଆଣିଲା ଆଉ କହିଲା, "ସତ୍, ସତ୍, ସତ୍" । କଣ ସବୁ "ସତ୍" କେଜାଣି ତାର ? ଚଟକଣାଏ କଷିଦେବାକୁ ମନ ହେଲା ତା' ଗାଲରେ । ପୁଣି ନିଜ ଉପରେ ଦୟା ଆସିଲା । ମୁଁ ତ ଅଚଳ ସୁଉକି, ଖଟରେ ଲାଖିଛି । ମୋର ଚାରା କାଇଁ ଭଲା । ଭଜାଚୁଡାରୁ ମୁଠେ ଯା' ହଉ ମୋ ପେଟରେ ପଡିଛି ।

ଅନ୍ୟକୁ କଷ୍ଟରେ ଦେଖି ତା କଷ୍ଟରେ ନିଜ କଷ୍ଟ ମିଶେଇ ଘାଣ୍ଟିଲେ ଗୋଟେ ଅପୂର୍ବ ଶାନ୍ତି । ମାନେ ମୁଁ ଏକା ନୁହେଁ ଆଉ ହଜାରେ ବି ଭୋଗୁଥାନ୍ତି ପୃଥିବୀ ଯାକ ଠିକ୍ ମୋରି ପରି । ମଣିଷ ର ମୁଣ୍ଡ .... ଆଶ୍ଚର୍ଯ୍ୟ ଗଢା । ଏଇ ବୁଢା ବୟସ ଟା ବି ତ ସେମିତି । ଜଣାପଡେନି ସିନା କିନ୍ତୁ କାମ ଖଟୁ ଥିବା ପାଦ ଦିଟା ଘୋଷାଡି ହୁଅନ୍ତି ଗୁଡେ କାରଣ ସବୁକୁ ବୋହୁ ବୋହୁକା । କାନକଲି ତଳୁ ଆରମ୍ଭ ହୁଏ ଧୂସରିଆ ଗାର ସବୁ ସହ ବୁଢା ହବାର ଶ୍ରୀଗଣେଷ । ଏ ଅନ୍ନମୟ କୋଷ ସବୁକୁ ପୋଷୁ ପୋଷୁ, ଜୀବିକା ଚକରେ ଜୀବନକୁ ପେଶୁ ପେଶୁ ଜୀବନ ରୁଷିହଜିଯାଇ ମାଟିରେ ପଡେ ସଶବ୍ଦେ "ଲଥ୍" ।

ଜୀବନ ସାଙ୍ଗେ ଜୀବିକାକୁ ଜଉମୁଦ ଦେଇ ସାମଞ୍ଜସ୍ୟ ଘଟେଇପାରୁଥିବା କରିତ୍‌କର୍ମା ଯୋଗାଡିଆ ମାନେ ଜାଣି ଯୋଗ୍ୟ ଆନନ୍ଦିଆ ଜୀବନ ଟେ ଜୀଅଁନ୍ତି ବୋଧେ । ହେଲେ ଅଧାରୁ ବେଶୀ ମୋରି ପରି "ଲଥ୍" । ଚାକିରୀ ଥିବ, ବଳ ବୟସ ଥିବ, ଯାହାର ଯାହା ଦରକାର ଜାଚି ଜାଚି ହାତ ଖୋଲି ଆଉ ଯୋଡେ ଅଧିକାକି ଯେ ଯାଏ ତମେ ଦେଉଥିବ ତମେ ହେଲ ଠାକୁର, ଲୋଡା । ନହେଲେ, ନ ପାରିଲେ, ବଳ ଖସିଲେ, ସମୟ ହାତ ଛାଡିଲେ ସେଇ ଆଜନ୍ମ ତମଠୁ ନବା ହାତ ତକ ସାଏଁ କି ବୁଲି ପଡି ତମକୁ ଅଚିହ୍ନା କରିଦେବେ । ହଅ ତମେ କୋଉ ଅନେଇଥିଲ କି ସେମାନଙ୍କ ସ୍ତୁତି ପ୍ରସସ୍ତିଗାନକୁ ? ଇଏ ତ ଚିରାଚରିତ କଥା । ରାମ ଯୁଗଠୁ ଦେଖୁଛେ ପରା ସେଇକଥା ସେଇକଥା । ଆଉ କେବେ ବୁଦ୍ଧି ପଶିବ !

ଆଉ ତମେ ଯଦି ଟୋପେ ତମ କଥା ଭାବିଲ, ମାନେ ଜୀଇଁବାକୁ ମନ କଲ ଟିକେ ଜୀଇଁଲା ପରି ତା' ହେଲେ ତ କଥା ସରିଲା । ତମେ ଲୋଭୀ, ସ୍ବାର୍ଥପର, ବାଟ ଓଗଳା, ଅଥର୍ବ, ସୁଉକିଏ ତମ ହାତରୁ ଖସେନା, କାମ୍ପି କାଉ ..... ଯିଏ ସମସ୍ତଙ୍କ ମଳି ଖାଏ ହେଲେ ନିଜ ଚମ ଉଙ୍କୁଣି ବି ଦିଏନା । ହେଃ ଛାଡ ହେ । କିଏ ଶୁଣୁଛି ! କିଏ କୋଉ ଆସି ପିଠିରେ ପଡିବ ନା ଗୋଡରେ ହାତ ବୁଲେଇ ଉସୁଆସ କରି ପରାସ ଘେନିବ! ନିଜ ବୁଜୁଳି ନିଜେ ବୋହିବ କି ନାଇଁ ? ପଡ କି ଉଠ ।

ହେଇ ହେଇ ମତେ ଦେଖୁନ ! ରଜାପୁଅ ଭଳିଆ ଚାଲି, ଠାଣିମାଣି, କଲି, ବୋଲି । ପୁଣି ଏଇ ଦେହର ଥିଲା କି ନାହିଁ! ଉତ୍ତମ ମହାନ୍ତି ପରି ବେଲ୍ ପୁରା ପ୍ଯାଣ୍ଟ ସାଙ୍ଗେ ଫୁଲପକା ଫୁଲ୍ ସାର୍ଟ କପ୍ କୁ ଫୋଲ୍ଡ କରି କରି ଦାଣ୍ଡରେ ଗଲାବେଳେ ପଛପଟୁ ହଳ ହଳ ଆଖି ଯେ ହଜି ହଜି ଚାହାଁନ୍ତି କଣ ଅଛପା କଥା କି ! ମହୁମାଛି ଭଳିଆ ମୋ ଚାରିପଟେ ଲୋକେ ଘେରା ବାନ୍ଧୁଥିଲେ । ଆହାଃ କି ଦିନ ଥିଲା ସତେ । ଅଫିସ୍ ବେଢାରେ ମୋ ବ୍ୟକ୍ତିତ୍ବ, ଚେହେରା, ତେଜ୍ ନେଇ କେତେ ଆଲୋଚନା କାନରେ ନ ପଡୁଥିଲା ! ଏଇଲେ ମନେ ପଡିଲେ ବି ଛାତି କୁଣ୍ଢେ ମୋଟ ।

ଛାଡ, କହନା କି ମନ ଦହନା । ଏଇଲେ କଥା କହୁନ, ଗଲା କଥା ତ ଗଲାଣି, ନକାରା ହେଲାଣି। ତାକୁ ଝୁରିଲେ କଣ ପେଟ ପୁରିବ ? ଝିଲିମିଲି ଝଲସା ଜୀବନ ଖରା ଧାସରେ ଝାଳେଇଯାଏ । ସ୍ମୃତି ସବୁ ବି କେବେକେବେ ପାଦରେ କୁରାଢୀ ମାରିବା ପରି କାମ କରନ୍ତି, ମନର ମଲମ ହବା ଯାଗାରେ । ମୋ ବାପା ଆଉ ତାଙ୍କ ନାତି, ମାନେ ମୋ ଏକଇରବଳା ପୁଅର ରାଶି ସମାନ । ବୃଷ । ହଁ, ଜଣଙ୍କର କୃତ୍ତିକା ତ ଆର ଜଣଙ୍କର ରୋହିଣୀ । ନକ୍ଷତ୍ର ସିନା ଭିନ୍ନ ହେଲେ ପ୍ରକୃତ ଏକ । ଏ ରାଶି ସବୁର ଚିତ୍ର ପରି ଏ ମଣିଷ ମାନଙ୍କ ପ୍ରକୃତିର ସାମଞ୍ଜସ୍ୟକୁ ନେଇ ବୋଧେ ଏମିତି ଚିତ୍ରଖଞ୍ଜା । ମୋର ଗୋଡଟଣା ରାଶି ବାରଟି ଯାକ ଛବି ଭିତରେ ଗୁଡେଇ ହେଇ ଠିଆ । କର୍କଟ । କଟ କଟ । କି କଷ୍ଟିଆ ରାଶିଟା କେଜାଣି ? ସବୁ କରିବ, ଧରିବ ଆଉ ଶେଷକୁ ଭୋଗିବ ବି ତମେ ।

ପିଲାଦିନୁ ଦେଖିଲି ଷଣ୍ଢ ଗୋଟେ ଯେମିତି ହେଲେ ଖୋଜା ହେଇ ଆସିବ । ପ୍ରତିଦିନ । ନହେଲେ ବାପା ଯିବେ ତା ପାଖକୁ । ଗରମ ଗରମ ଘିଅ, ମୁଗ ପକା ଖେଚଡି ତାକୁ ଖୋଇ ନିଜେ ମୁଗ୍ଧ ହେବେ । ତା ବେକଦଣ୍ଡି କୁ ସାଉଁଳୁ ସାଉଁଳୁ ସିଏ ପାକୁଳା କରୁଥିବ । ସବୁଦିନେ ଗାଁ ଲୋକନାଥଙ୍କୁ ଗୁହାରି ପଡି ପାଦୁକ ପାଣି ପାଇସାରିଲେ ପାଟିରେ ପାଣି ଦେବେ । ବୋଉ ତାର ପାଦ ଧୋଇଦବ । ସିଏ ତାଙ୍କ ଜୀବନ ସୁରୁଖୁରୁରେ କାଟି ଭୁରିଭୋଜନେ ନିଜକୁ ଆପ୍ଯାୟିତ କରି ସସମ୍ମାନେ ଆରପାରିକି ବାଟ କାଟିଲେ । ଦିନେ କାଳେ ମୋ କଥା ନ ଭାବିଲେ । ସେଇ ଷଣ୍ଢ ପରି ନିଜ ଆଖି ମୁଦି ତାଙ୍କ ସମୟ ତକ ପାକୁଳେଇ ବାହୁଡିଲେ । ସବୁ କର୍ମ ର କାଳେ କର୍ମଫଳ ଥାଏ ଆଉ ସମୟଚକ ତାକୁ ଘୁରେଇ ଘୁରେଇ ତମ ଆଗରେ ଥୁଏ ।

ମୁଁ ମୋ ଶିଙ୍ଘରେ ମାଟି ତାଡି ଉଆସ କଲି । ଝାଳ ମେହେନତ ଲଗେଇ କାନ୍ଥ ଉଠେଇଲି । ଚଉରାଠି ଦୀପ ଜାଳିବାକୁ ଜୀବନ ଦୀପାଳିଟିଏ ମୋ ହାତ ଧରି ଆସିଲା ଏରୁଣ୍ଡି ବନ୍ଧ ଏପାରିକୁ । କୋଳ ଝୁଲଣାରେ ହାତି ଘୋଡା ପେଁ ପେଁକାଳୀ ଫୁଙ୍କିଲେ ଜୀବନ୍ତ କଣ୍ଢେଇ ମାନେ । ସବୁ ସଜିଲ ସୁନ୍ଦର ଥିଲା ମ । କହୁ ନ ଥିଲି, ମଣିଷ ହାଇ, ଗଛର ଛାଇ । ସେଇ ହାଇ ପଡିଗଲା ଓ ହସଖୁସିର ଚାନ୍ଦୁଆଟଣା ଅଗଣାରେ । ଦୀପ ଲିଭିଗଲା । ଅଧା ମୋଡି ହେଇ ଭାଙ୍ଗି ଖସି ପଡିଲି । ପଡୁ ପଡୁ ସମ୍ଭାଳିଲି କଅଁଳ କୋଳ ଫୁଲ ମାନଙ୍କୁ । ମୁଣ୍ଡରେ ଟୋକେଇ ଥୋଇଲି ଭାର ବୋହିବାକୁ ଏକା । ପାଦ ତଳ ମାଟି ତଳକୁ ଦବି ଯାଉଥିଲେ ।ଯୁଗେ ଗଲା । ଡାଳ ପତ୍ର ମେଲିଲେ କଢି ମାନେ ମୋର । ଝିଅକୁ ସୁଯୋଗ୍ଯ ବରପାତ୍ର ହାତେ ଟେକି ଦେଇ ସୁକନ୍ୟାଟିଏ ବୋହୁ କରି ଆଣିଲି ସର୍ବମଙ୍ଗଳା ଜଗନ୍ନାଥେଙ୍କୁ ସାକ୍ଷୀ ରଖି ଯେ, ବୁଢା ହଡା .... ଅଡୁଆ ଖଡା ପରି ଅଲୋଡା ହେଲି । ବୋହୁ ତାଙ୍କର ବାପଘର ବାହୁଡିଗଲେ ପଣସ ଅଠା ତକ ମୋ ମୁଣ୍ଡରେ ବୋଳି । ଅକାଳେ ସକାଳେ ମାଡି ମାଡି ପଡିଲା ବିନାଦୋଷେ ଦଣ୍ଡ ଭୋଗୁ ଭୋଗୁ ।

ଏବେ ପାତ୍ରକୁ ନୁହେଁ ତମକୁ ଶହେ ଗରା ପାଣି ଢାଳି ଶିବପୂଜା କରିବା କଥା । ତେବେ ଯଦି ଯୋଗକୁ ଅକର୍ମକର୍ମ ଦାୟକ ସୁଧାର ଜୋଇଁ କି ବୋହୁଟିଏ ଲେଖିଦିଅନ୍ତି କପାଳକୁ !

"ମଠ, ମନ୍ଦିର, ବୃଦ୍ଧାଶ୍ରମେ ଛାଡିଦେଇ ତୋ ଜୀବନ ସଜାଡ", ପ୍ରସ୍ତାବରେ ପୁଅ ଅରାଜି ହେଲା । ଏକା ଜିଦ କାହିଁକି ତୁମେ ଘରୁ ଯିବ ? ସିଏ ତା ଭୁଲ ବୁଝି ଫେରୁ । ଆମେ ଯେମିତି ଚଳୁଥିଲେ ଚଳିବା । "ବାରମହଣ ଘିଅ ହବ ନା ରାଧା ନାଚିବ ଭଲା । ରୁଖାଶୁଖା ଚକ ଘୋଷାଡିଲୁ ବାପପୁଅ ।

ଦିନେ ସ୍ବପ୍ନରେ ଆସି ସୁଲକ୍ଷଣା ଆମର କହିଲେ, "ତୁମ କଥା କିଏ ବୁଝିବ ? ଏଡେ ହିନିମାନି ହଉଛ, ଦିତିଅପକ୍ଷରେ ଆଉ ଜଣଙ୍କର ହାତ ଧର । ନୋହିଲେ ପାଣି ଗିଲାସେ କିଏ ଦବ ? ପୁଅ ମୋର ଚୁଲି ଫୁଙ୍କି ଫୁଙ୍କି ବେହାଲ ହେଲାଣି । ତମକୁ ମୋ ରାଣ । ବହୁତ ପର ପାଇଁ ଜୀଇଁଲ, ଏବେ ନିଜ କଥା ଟୋପେ ଭାବ" । ନିଦ ଭାଙ୍ଗିଲାରୁ ହେଜ ପଶିଲା ସପନ ଥିଲା ବୋଲି । ମନ ଥୟ କଲି । ସତରେ ଆଉ ତ ପାରୁନି । ପିଲାଟା ବି କେତେ ଖଟିବ ଭଲା । ହାଣ୍ଡି ଚୁଲିଠୁ ଦପ୍ତର କାଗଜ ଯାଏ ଏ ବୟସରେ ଏକୁଟିଆ ପଡିଯାଉଛି । ପେଟକୁ ଦାନା ବି ଢଙ୍ଗରେ ପାଉନି । କି କାଳ ହେଲା କେଜାଣି ? ଭଲ କର୍ମର ମନ୍ଦଫଳ ଭୋଗିବାକୁ ହେଲା । ଅକାରଣେ ପୁଅ ମୋର କଷ୍ଟ ପାଇଲା । ମନ ଟାଣ କଲି । କହିଲି ହଉ ପଛେ ସମାଜେ ନିନ୍ଦା ଭାତ ଗଣ୍ଡେ ତ ଫୁଟେଇ ଦବ କାହାକୁ ଜଣଙ୍କୁ ଘରକୁ ଆଣିଲେ । ହେଲେ ଏ ବୟସେ ଏ କଥା କହିବ କିଏ ? ଯଦି ଓଲଟା ଦାସେ ଘୋଡା ଚଢିଲେ ? ଯଦି ଦିଅଁ ଗଢୁ ଗଢୁ ବାନର ହେଲା ? ଏମିତି ଭାବି ଭାବି ଦଶ ବରଷେ ଗଲା । ଦେହର ଭୋକ ସିନା ମରିସାରିଥିଲା, ପେଟର ଭୋକ ଟି ତ ସଦାକାଳେ ହୁତୁ ହୁତୁ ନା । ବିଲେଇ ବେକରେ ଘଣ୍ଟି କେହି ବାନ୍ଧି ପାରିଲେନି । ସାହାସ କୁଳେଇଲାନି କାଳେ ଭୁଲ୍ ବୁଝାମଣା ହେବ ବୋଲି କିନ୍ତୁ ଅବସ୍ଥା ବାର ବାଜିଗଲା ଦିନୁ ଦିନ । ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି ।

ଦିନେ ଛେପ ଢୋକି ପୁଅ ଆଗରେ ସମାଜ କାଗଜର ମାଟ୍ରିମୋନି/ ସାଥୀଖୋଜା ବିଭାଗୀୟ ଫର୍ଦ୍ଦରେ ଛପା ପଚାଶ ବର୍ଷିୟା ଏକୁଟିଆ ଶିକ୍ଷୟତ୍ରୀ ତାଙ୍କର ବାକି ଜୀବନ ପାଇଁ ପରିବାରଟିଏ ଖୋଜୁଥିବାର ବିଜ୍ଞାପନକୁ ନାଲି କଲମରେ ମୁଣ୍ଡୁଳି ବୁଲେଇ ଥିରି କି ବଢେଇଦେଲି, ଯେମିତି ସିଏ ମୋର ବାପା ମୁଁ ତାର ଆଜ୍ଞାଧିନ ପୁଅ । "କଣ ଟେ" ବୋଲି ନେଇ ଆଖିବୁଲେଇ ଆଣି ସିଏ ମତେ ଏମିତି ଅନେଇଲା ଯେମିତି ମୁଁ ତାକୁ ଶୂଳୀରେ ବସେଇ ମୋ ପାଇଁ ସରଗ ଚାନ୍ଦ ମୋ ପାପୁଲିରେ ଥୋଇବାକୁ କହିଲି । ମୁଁ ଚୁପ୍ ରହିଲି । ସିଏ କିନ୍ତୁ କହିଲା, "ଆଜି କହିଲ ଆଉ ଯେମିତି ଦିନେ ଏମିତି କଥା ନ କୁହ । ଯାହା ତ ଭାଗ୍ୟରେ ଚାଲିଛି.... ଚାଲିଛି । ପୁଣି ନିନ୍ଦା ଖରିଦିବା କଥା । ବୋଝ ଉପରେ କୋରଡି ମାଡ ପରି ହବ" ।

ଭାଗ୍ୟକୁ ବଦଳେଇବାକୁ ନ ଚାହିଁ ଆରମରେ ଫିଙ୍ଗିଦେଲା ।

ଏବେ ଦେଖୁଛି ଗୋଟେ ବିରାଟ କାଳିଆ ଷଣ୍ଢ ନିତି କାଉ ନ ରାବୁଣୁ ଆସି ସୁନାପିଲା ପରି ବଇଠି ମାରି ଦାଣ୍ଡ ପିଣ୍ଢାକୁ ଆଉଜି ବସୁଛି । ପୁଅ ମୋର ତା ପାଇଁ ହଳଦୀ ମୁଗଜାଇ ପକା ଖେଚଡି ନିଜେ ରାନ୍ଧି ଥୋମଣୀଠି ଓଜାରି ଆସୁଛି ବଡ ଘାମେଲା ଟାରେ । ସିଏ ଘଣ୍ଟେ କାଳ ସେ ନନ୍ଦିଆ ଟାରେ ଜିଭକୁ ବୁଲେଇ ବୁଲେଇ ଘଡର ଘଡର କରୁଛି ଶେଷ ଦାନା ଭାତ ଥିବା ଯାଏ । ଛାଁ ଆସୁଛି, ଛାଁ ଖାଇକି ଛାଁ ପଳଉଛି କୋଉ ଜନ୍ମର କର୍ମ ଫଳତକ ଚାକୁଳେଇ ଚାକୁଳେଇ । କେବେ ସବୁ ଭୋଗ ତକ ଖାଇସାରିବ କେଜାଣି ? ମଣିଷ ବଞ୍ଚିଯିବ ତ ସେ ଯାଏଁ ? ହ କଙ୍କଡା ରାଶି ପରା । ଯିବ ବି କୁଆଡେ! ଗୁଡେଇ ତୁଡେଇ ଟାଣୁଥିବି ଶଗଡ ହୁଳା ।

ହେ ହେ ଆଜି ସେ ବିଜ୍ଞାପନ କାଗଜଟାକୁ ମୋଡିକି ତା ଲମ୍ବା କଳା ଜିଭରେ ଥୋଇଦେଲା କିରେ ....... ଯାଃ । ସଇଲା । ଲାଳ ଲଥ୍ ପତ୍ ।