ଫଟୋ - ସୁରେନ୍ଦ୍ର ମହାନ୍ତି ଫେସବୁକ ପୃଷ୍ଠା

ସପ୍ତାହରେ ପ୍ରତି ଶନିବାର ଦିନ ସକାଳେ, ସଦର ରାସ୍ତାକୁ ଆମପଡ଼ାର ନିଛାଟିଆ ଗଳି ରାସ୍ତା ଉପରକୁ ଗଡ଼ି ଆସେ ଗୋଟିଏ ବିଷର୍ଣ୍ଣ ପଟୁଆର... ଦଳେ କୁଷ୍ଠରୋଗୀ ବାହାରି ଥାଆନ୍ତି ଭିକ୍ଷା ସଂଗ୍ରହ ପାଇଁ । ଦାରିଦ୍ର୍ୟ, ବ୍ୟାଧି, ଅପରିଚ୍ଛନ୍ନତା ଓ କ୍ଷୁଧାର ପଟୁଆର । ଏମାନଙ୍କ ଭିତରେ ଥାଆନ୍ତି ପୁରୁଷ ଓ ସ୍ତ୍ରୀ ଏପରିକି ଶିଶୁ ସୁଦ୍ଧା । ସମସ୍ତଙ୍କ ଦେହ ଉପରେ କୁଷ୍ଠ ବ୍ୟାଧିର ଦନ୍ତ ଚିହ୍ନ । କେତେକାଂଶରେ ବିକୃତ ଓ ଅପଙ୍ଗ ! ଆମ ପଡ଼ାରେ କେତେକ ଗୃହସ୍ଥ ଗ୍ରହରିଷ୍ଟ ନିବାରଣ ପ୍ରତି ଶନିବାର ଦିନ ସେମାନଙ୍କୁ ଭିକ୍ଷା ଦେଇଥାଆନ୍ତି । ଆମ ପଡ଼ାଟି ବୋଧେ ସେଇମାନଙ୍କ ଇଲାକା । କାରଣ ଏଇ ଦଳଟିକୁ ମୁଁ ପ୍ରାୟ ଦେଖି ଆସୁଛି, ଗତ କେତେବର୍ଷ ଧରି ! ଏ ଦଳରେ ସମସ୍ତେ ଭିକ୍ଷା ମାଗିବାବେଳେ ବାହାର ଫାଟକ ପାଖରେ ଠିଆ ହୋଇ "ଭିକ୍ଷା ମିଳୁ, ଦୟାକରି ମା" ବା ସେହିପରି ବିଭିନ୍ନ ପ୍ରକାର କଣ୍ଠରେ ଆର୍ତ୍ତ ଚିତ୍କାର କରିଥାଆନ୍ତି । କିନ୍ତୁ ପଟୁଆର ଆଗରେ ଯେଉଁ କୁଷ୍ଠୀଟି ଚାଲିଥାଏ, ସେ ଅନ୍ୟମାନଙ୍କ ପରି ଆର୍ତ୍ତନାଦ କରି ଭିକ୍ଷା ମାଗେ ନାହିଁ । କିମ୍ବା ତା' ହାତରେ ଆଲୁମିନିୟମ ବାଟି ବା ଟିଣପାତ୍ର ନଥାଏ । ଗୋଟିଏ ଅନ୍ଧୁଣୀକୁ ଚକାଲଗା ଗୋଟାଏ ଢାବଲରେ ବସାଇ, ହାତଠେଲା ଗାଡ଼ି ପରି ଠେଲି ଠେଲି ସେ ତାକୁ ନେଇ ଚାଲେ ଆଉ ଗାଏ ଜଗନ୍ନାଥଙ୍କ ଜଣାଣ । ତାର କଣ୍ଠରେ ମୁଁ ଶୁଣିଛି, "ମଣିମା, ଶୁଣିମା ହେଉ ଗରିବ ଡାକ", "ଦୀନବନ୍ଧୁ ଦଇତାରୀ, ଦୁଃଖ ନଗଲା ମୋହରି", ଏପରିକି "ଆହେ ନୀଳଶୈଳ ପ୍ରବଳ ମତ୍ତ ବାରଣ" ଭଜନ । କିନ୍ତୁ ସେ ଯେତେବେଳେ ଗାଏ "ଦୀନ ବାନ୍ଧବ ହେ କେ କି ଦେଲା, ମୁଁ ନ ଦେଲି", ଭାରି ସତ୍ୟନିଷ୍ଠ ଲାଗେ ତା'ର କଣ୍ଠସ୍ୱର ଓ ଜଣାଣ । ମନେ ହୁଏ ଯେପରି, ତା'ର ଅନ୍ତରର ଗଭୀରତମ ଅନ୍ତଃସ୍ଥଳ ଭିତରୁ ଏହା ନିଗିଡ଼ି ପଡୁଛି । ଏଥିରେ ଅନ୍ୟର ଦୟା ବା ସହାନୁଭୂତି ଆକର୍ଷଣ କରିବା ପାଇଁ ଉଦ୍ୟମ ନାହିଁ । ଅଭିନୟ ନାହିଁ, ଅଛି ଗଭୀର ଉପଲ୍‌ବଧି ଓ ଆନ୍ତରିକତା । ସେ ଯାହା ଗାଉଛି, ତାହା ଯେପରି ତା'ର ଅନ୍ତରର ଉପଲବ୍ଧି । କିନ୍ତୁ କାଠ ଢାବଲ ଭିତରେ ଯେଉଁ ଅନ୍ଧୁଣୀଟି ମକଚି ଯାଇଥିବା ଗୋଟାଏ ଠୁଙ୍ଗା ପରି ହାତରେ ଆଲୁମିନିୟମ ବାଟି ଧରି ବସିଥାଏ, ସେଇ ବାଟି ଭିତରକୁ ଠକ୍ ଠକ୍ ହୋଇ ପଡ଼େ ଅନେକ ପଇସା । ତା'ର ଗଭୀର ଆନ୍ତରିକତା ପାଇଁ କେଉଁ ଦିନୁ ଅଲକ୍ଷିତରେ ସେଇ କୁଷ୍ଠୀଟି ପ୍ରତି ମୋ' ମନରେ ଗଭୀର ସହାନୁଭୂତି ଅଙ୍କୁରିତ ହୋଇ ଉଠିଥିଲା । ପ୍ରତି ଶନିବାର ସକାଳେ ମୁଁ ତାକୁ ଅପେକ୍ଷା କରୁଥିଲି କହିଲେ ଚଳେ ।

ଥରେ ପୂର୍ବ ରାତିରେ ଚନ୍ଦ୍ରଗ୍ରହଣ ଲାଗିଥିଲା । ସକାଳେ ସର୍ବମୋକ୍ଷ ପରେ ଗୋଟାଏ ଦେବୀ ମନ୍ଦିରରେ ଦର୍ଶନାର୍ଥୀମାନଙ୍କର ପ୍ରବଳ ସମାଗମ ଆରମ୍ଭ ହୋଇଯାଇଥିଲା । ସେଇ ଅଞ୍ଚଳର କୁଷ୍ଠରୋଗୀମାନେ ମନ୍ଦିର ସାମ୍‌ନାରେ ଧାଡ଼ିବନ୍ଧି ବସି ଯାଇଥିଲେ ଦର୍ଶନାର୍ଥୀମାନଙ୍କଠାରୁ ଭିକ୍ଷା ସଂଗ୍ରହ ପାଇଁ, ଏପରି ଦିନମାନଙ୍କରେ ସେମାନଙ୍କୁ ବେଶ୍ ଭିକ୍ଷା ଓ ପ୍ରସାଦ ମଧ୍ୟ ସହଜରେ ମିଳିଯାଇଥାଏ । ସେଥିପାଇଁ ସେମାନଙ୍କ ଭିତରେ ଠେଲାଠେଲି ଓ ଛଡ଼ାଛଡ଼ି ମଧ୍ୟ ଲାଗିଯାଏ, କେହି ପ୍ରସାଦ ବାଣ୍ଟିବାବେଳେ, ସେଇମାନଙ୍କ ମେଳରେ ମୁଁ ହଠାତ୍ ଲକ୍ଷ୍ୟ କଲି ସେଇ ଜଣାଣ ବୋଲାଳି କୁଷ୍ଠୀଟିକୁ । ଯିଏ ବୋଧହୁଏ ଏ ଦଳର ଭିଡ଼ର ବା ମସ୍ତାନ । କେମ୍ପା ହାତରେ ଗୋଟାଏ ଟିଣ ଆଉ ବାଡ଼ି ଧରି ଭିକାରୀମାନଙ୍କ ଦଳରେ ଛଡ଼ାଛଡ଼ି ଭିଡ଼ା ଓଟରା ଲାଗିଲେ ବା କେହି ଧାଡ଼ି ଭାଙ୍ଗି ଭିକ୍ଷା ପାଇଁ ଆଗକୁ ମାଡ଼ି ଆସିଲେ ସେ ଗାଳି ଗୁଲଜ କରି ସେମାନଙ୍କୁ ଚୁପ୍ କରାଉଥିଲା, ସେମାନଙ୍କୁ ନିଜ ନିଜ ସ୍ଥାନରେ ବସାଉଥିଲା ଆଉ ଅନ୍ୟ ଇଲାକାରୁ କେଉଁ କୁଷ୍ଠରୋଗୀ ବା ରୋଗିଣୀଟାଏ ସେଠାକୁ ଚାଲିଆସିଥିଲେ ବାଡ଼ି ଉଞ୍ଚାଇ ସେମାନଙ୍କୁ ସେଠାରୁ ତଡ଼ି ଦେଉଥିଲା ।

କାଠ ଢାବଲ ଭିତରେ ଯେଉଁ ଅନ୍ଧୁଣୀଟିକୁ ବସାଇ ଭିକ୍ଷା ମାଗି ବୁଲେ ସେ ମଧ୍ୟ ବସି ରହିଥିଲା, ସେଇ ଭିକାରୀ ମେଳରେ ସେଇ କାଠ ଢାବଲ ଭିତରେ... ମନ୍ଦିରରୁ ବାହାରି ଏ ଦୃଶ୍ୟ ଦେଖିବା ପାଇଁ ଅଟକି ଯାଇଥିିଲି । ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା, କୁଷ୍ଠୀମାନଙ୍କର ସୁଦ୍ଧା ଜଣେ ଲିଡର୍ ପ୍ରୟୋଜନ । ବିନା ଲିଡ୍‌ରରେ ଭିକ୍ଷା ମାଗିବା ସୁଦ୍ଧା ସମ୍ଭବ ନୁହେଁ । ହଠାତ୍ ଲକ୍ଷ୍ୟ କଲି, ସେଇ କୁଷ୍ଠୀ ମସ୍ତାନ ଲମ୍ବା ଲମ୍ବା ପାହୁଲ ପକାଇ ଚାଲିଗଲା, ମନ୍ଦିରଠାରୁ ପ୍ରାୟ ୩୦ ଫୁଟ୍ ଛଡ଼ାରେ ଗୋଟାଏ ଗଛ ତଳେ ଗୋଟାଏ ପାନ ସିଗାରେଟ୍ କ୍ୟାବିନ୍ ପାଖକୁ । ମୋ' କାର୍‌ଟା ମଧ୍ୟ ସେହିଠାରେ ପାର୍କ କରି ରହିଥିଲା । କାର୍ ଭିତରେ ବସି ମୁଁ ସେ ଲୋକଟାରୁ ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲି । କ୍ୟାବିନ୍ ଆଢୁଆଳରେ ଗୋଟାଏ ପ୍ରାୟ ୪୦ ବର୍ଷର ହୃଷ୍ଟପୃଷ୍ଠ ସାବ୍‌ନା ରଙ୍ଗର ସ୍ତ୍ରୀଲୋକଟିଏ ଠିଆ ହୋଇଥିଲା । ସେ ପିନ୍ଧିଥିଲା ଖଣ୍ଡେ ସାବ୍‌ନା କସ୍ତା ଶାଢୀ । ଚେହେରାରୁ ମନେ ହେଉଥିଲା, ସେ ଯେପରି କେଉଁ ମଫସଲ ଗାଁରୁ ।

କୁଷ୍ଠୀ ମସ୍ତାନ୍ ତା' ପାଖକୁ ଯାଇ ତା' ସହିତ ଦୁଇ ତିନି ମିନିଟ୍ କ'ଣ କଥାବାର୍ତ୍ତା କଲା । କିନ୍ତୁ କୁଷ୍ଠୀର ଯେପରି କଥାବାର୍ତ୍ତା ପାଇଁ ସେତେବେଳେ ସମୟ ନଥିଲା । ତା'ପରେ ସେ ପିନ୍ଧିଥିବା ହାପ୍‌ସାର୍ଟ ପକେଟ୍ ଭିତରୁ ଓ ଅଣ୍ଟା ଖୋସଣିରୁ କିଛି ଟଙ୍କା ପଇସା କାଢି ସେ ସ୍ତ୍ରୀ ଲୋକଟିର ଶାଢି କାନି ଭିତରକୁ ଢାଳି ଦେଇ କହିଲା - ପଳା ଏଥର । ମୋତେ ଆଜି ବେଳ ନାହିଁ । ସେ ସ୍ତ୍ରୀ ଲୋକଟି ଚାଲିଯିବା ପରେ ମୁଁ ସେଇ କୁଷ୍ଠୀକୁ ମୋ ଗାଡ଼ି ପାଖକୁ ଡାକିଲି । ସେ ମୋତେ ଚିହ୍ନିପାରି ନମସ୍କାର କଲା ଓ ଟଙ୍କାଏ ବା ଆଠିଣିଟାଏ ମିଳିଯିବା ଆଶାରେ ମୋ କାର୍ ପାଖକୁ ଆସିଲା । ମୁଁ ପଚାରିଲି, "ସେ ସ୍ତ୍ରୀ ଲୋକଟି କିଏ ? ଯାହା ଶାଢି କାନିରେ ତୁ ପଇସା ଢାଳିଲୁ ? ସେ ମ୍ଲାନ ହସି ଲାଜୁରା କଣ୍ଠରେ କହିଲା, ସେ ମୋ ଭାରିଜା । ଫି' ମାସରେ ଥରେ ଦୁଇଥର ଗାଁରୁ ଏଇଠିକି ମୋ ପାଖକୁ ଆସେ ଟଙ୍କା ପଇସା ପାଇଁ । ମୁଁ ପଚାରିଲି, ତୁ ଗାଁକୁ ଯାଇ ଦେଇ ଆସୁନାହିଁ କାହିଁକି ? ସେ ଉତ୍ତର ଦେଲା, ତା ସ୍ତ୍ରୀ ଆଉ ସାଇ ଲୋକ ତାକୁ ଗାଁରୁ ତଡ଼ି ଦେଇଛନ୍ତି । ତଥାପି ସେ ଭାରିଜାକୁ ପଇସା ଦେବାରେ ହେଳା କରୁ ନାହିଁ । ଯେଉଁ ଅନ୍ଧୁଣୀକୁ ତୁ କାଠ ଢାବଲରେ ବସାଇ ଆମ ପଡ଼ାକୁ ଭିକ୍ଷା ମାଗି ଆସୁ, ସେ କିଏ ? ସେ କ'ଣ ତୋ ଭାରିଜା ନୁହେଁ ? ସେ ଲୋକଟା ତାତ୍ସଲ୍ୟ ମିଶା କଣ୍ଠରେ ଉତ୍ତର ଦେଲା, ସେଇଟା ଅନ୍ଧୁଣୀ ଭିକାରୁଣୀଟାଏ । ତାକୁ ସେମିତି ବୁଲାଇଲେ ଭଲ ଦି' ପଇସା ମିଳିଥାଏ, ସେଇଥିପାଇଁ ।"

ଅବାକ୍ ଲାଗିଲା । କୁଷ୍ଠୀର ଦୁନିଆରେ ଯେପରି ଲିଡର୍ ରହିଛି, ସେହିପରି ମଧ୍ୟ ରହିଛି ଶୋଷଣ ଓ ଲୁଣ୍ଠନ । ସେହିପରି ଘର ସଂସାର ପାଇଁ ମଧ୍ୟ ମାୟା ଓ ଛଳନା । କୁଷ୍ଠୀର ଜଗନ୍ନାଥ ଜଣାଣରେ ତା' ହେଲେ ଆନ୍ତରିକ ଉପଲବ୍ଧି ନଥିଲା । ଏହା ଥିଲା କେବଳ ଏକ ପେସାଦାରୀ କୌଶଳ ।

ସୌଜନ୍ୟ - ଶେଷସ୍ତମ୍ଭ, ଆମ ଓଡିଶା