ଫଟୋ - ୱିକି କମନ୍ସ

ବସ୍ ର ପୁରା ଆଗ ସିଟ୍ ଟା ଜାଣି ଭଲ । ଟିକେ ଗୋଡ ଲମ୍ବା କରି ବସି ପାରିବ ମଣିଷ । ସକାଳୁ ଆଠ ବାଜି ନଥିଲା ବାହାରିଥିଲା ଘରୁ, କଣ ଦିଟା ପାଟିରେ ପୁରେଇ । କଲେଜ ସରିଗଲାଣି । ଲାଗୁଥିଲା ଏଇ କଲେଜର ଚାରିଟି ବର୍ଷ ସରିବ କି ନାହିଁ ଚାକିରି ଯେମିତି ଥୁଆ । କ୍ୟାରିଅର୍ ବି ତ କିଛି ଖରାପ ନୁହେଁ, କୋଉଠି ଝୁଣ୍ଟିନି କି ଆଣ୍ଠେଇନି । ଆଗେଇଛି, ସାବାସୀ ପାଇଛି । ଏବେ ଏଇଠି କିଛି ଏମିତି ତୀରକମାଣ ଧରିଲା ପରି କଥା ନୁହେଁ । ସମସ୍ତେ ତରାଜୁର ଗୋଟିଏ ପଟରେ ।

ବୟସର ଏଇ ଡେଣାଲଗା ଗତିଚଳନରେ ଲାଗେ ହେଇ ହାତ ମୁଠାରେ ଆକାଶ । ମାୟାମିରିଗ ପଛରେ ଧାଇଁବା ଆରମ୍ଭି ନ ଥାଏ ତ ଜୀବନ ବୋଧେ ସେଇଥି ଲାଗି ।

ହେଲେ ଏବେ ଏବେ ଲାଗୁଛି କଲେଜ ଦିନ ସବୁ ଗୋଟେ ମପାଚୁପା ବନ୍ଦ ବାକ୍ସର ରଙ୍ଗମଖା ସ୍ବପ୍ନ ପରି, ଲୁଡୁପାଲିରେ ପଡୁଥିବା ଲାଗ ଲାଗ ତିନି ଛଅ ପରି । ଲାଗୁଥିବା ବହୁତ ଜିନିଷ ହୁଏନି । ସତ ଥିଲେ ସିନା ଧରା ଦିଅନ୍ତା, ମରୀଚିକା ତ ଚହଲା ପାଣି ବି ନୁହେଁ । ପ୍ରଥମେ ପ୍ରଥମେ ଅନ୍ବେଷଣରେ ବାହାରିଥିବା ପାଦ ଦିଟା ବଡ ଆଗ୍ରହ, ଉତ୍ସାହ ନେଇ ଆଗଉଥିଲେ, ଆଜି ଯେମିତି ଫେରିଲା ବେଳେ ହି ଧରି ଆସିବି ନିଯୁକ୍ତି ପତ୍ରର ନିଶ୍ଚିତତା । ହେଲେ ଏବେ ଏବେ ସେ ଆଦିଦାସ ଲେଖା ଜୋତା ହଳକ ବି ବୁଝିଗଲେଣି । ଗଲାବେଳେ ଅତର ମଖା କମିଜଟା ଅତଳ ଅନ୍ଧାରକୁ ଅଣ୍ଡାଳି ଅଣ୍ଡାଳି ଫେରିବା ବେଳେ ସେଇ ହଳକ ଜୋତା ହିଁ ତ ତାକୁ ଜବରଦସ୍ତ ଟାଣି ଆଣି ପକେଇ ଦିଅନ୍ତି ଘର ଦରଜା ବାହାରେ, 'ଯା ଭିତରକୁ' କହି ।

ସିଏ ଫେରିପାଏ ନିଶ୍ବାସ, ଫାଟକରେ ଝୁଲୁଥିବା ବାପାଙ୍କ ନାମଫଳକକୁ ଦେଖି । ଆଉ ବାପା ..... ଫାଟକ ଖୋଲା ଶବ୍ଦ ରୁ ହିଁ ତଉଲି ନିଅନ୍ତି ଦିନ ଯାକର ଘୋଷରା ପେଲା ଶବ ଘେରା ନିବୁଜ ନିଶ୍ବାସର ଫିଟିପଡିବାକୁ ଉଦ୍ୟତ ତାର ଜୀବନର ଏଇ ରାହାଟିକୁ । ସଜାଡି ହେଇଯାନ୍ତି ତଣ୍ଟି ଝାଡି । କୁହନ୍ତିନି କି, "କିରେ, କଣ ଆଜି ବି ଫେରିଲୁ ଖାଲି ?" ଓଲଟି କୁହନ୍ତି, "ଆ ,ଆ ..... ଭୋକ ହବଣି" । ରାଗ ଲାଗେ ନିଜ ଉପରେ ଦିଟା ଆଶାୟୀ ଆଖିକୁ ପ୍ରତିଥର ନିଜ ସହ ସାଲିସ୍ କରିନେଇ ତାକୁ ଖସିପଡିବାରୁ ସମ୍ଭାଳିବାର ପ୍ରତିଶ୍ରୁତି ଭରା ହାତ ଦିଟିକୁ ଦେଖିଲେ । ସେଇ ହାତ ଦିଟି ତାର ମୁଣ୍ଡ ଉପରକୁ ଆଶିଷ ମୁଦ୍ରାରେ ଖଞ୍ଜି ହୋଇ ରହିଥାନ୍ତି ଚିରକାଳ । ଏତେ ଧୈର୍ଯ୍ୟ କଣ ସତରେ ଲୋଡା ପଡେ ସନ୍ତାନଟିଏ କୁ ଆଶ୍ରା ଦେବାକୁ !

ସେଇ ଧୈର୍ଯ୍ୟରୁ ଧାରେ ଧାର୍ ଆଣି ପୁଣି ନୂଆ ସକାଳକୁ ପୁଞ୍ଜି କରି ବାହାରେ ସେ । ନିଜର ଘୋଷା ଉପକ୍ରମଣିକାକୁ ସାରା ରାସ୍ତା ମନତଳେ ଦୋହରାଇ ଦୋହରାଇ । କୃତିମ ହସଟେକୁ ଜୋର କରି ଓଠରେ ଝୁଲେଇ ନିଜ ଉପରକୁ ଫିଙ୍ଗାଯାଇଥିବା ଅବୁଝା ପ୍ରଶ୍ନ ତକର ଯଥାସାଧ୍ୟ ସନ୍ତୁଷ୍ଟ କରିବାର ଉତ୍ତର ସହ କାଚ ଦରଜା ଏପାରିକୁ ଫେରି ଆସି ପୁଣି ବସି ରହେ ।

ପିଲାଦିନୁ ସ୍ବପ୍ନର ଗୁଡି ତିଆରିବା, ସେଥିରେ ରଙ୍ଗ ଭରିବା ଆଉ ନିଶ୍ଚିତରେ ଉଡେଇ ଦେଉଥିବା ପିଲାଟା ଅର୍ପିତ । ଆଜି ନିଜ ନଟେଇ ସୂତା କୋଉ ଖୁଣ୍ଟରେ ବାନ୍ଧିବ ବୋଲି ଟଳମଳ । କାଲିକୁ କାଲି ଚାକିରିଟେ ନିହାତି ଯେ ଦରକାର ତା ବି ନୁହେଁ, କିନ୍ତୁ ପଢା ପରେ ଆହୁରି ଆଗକୁ ପଢିବାର ଇଚ୍ଛାଟିକୁ ବଞ୍ଚେଇରଖିବା ଥିଲା ଚାକିରି ଖୋଜିବାର ଲକ୍ଷ୍ୟ । ଆଉ ଗୋଟେ ସ୍ବାଭିମାନ ଦୀପଟେ ବି ତେଜୁଥିଲା ସ୍ବାବଲମ୍ବୀ ହେବାର, ବାପାଙ୍କ ଆଖିର ସ୍ବପ୍ନ ତକ ସତ କରିବାକୁ, ଆଉ ତାଙ୍କ ପାଇଁ ଏକ ଆତ୍ମସନ୍ତୋଷର କାରଣ ଦେବାକୁ । ଏତେ ଖଟି ଥିବା, ଗଢିଥିବା ମଣିଷଟିର ଏତିକି ତ ପ୍ରାପ୍ୟ ଅନ୍ତତଃ । ସେ ଜାଣୁଥିଲା ଯଦି ସେ ଝିଅଟେ ହୋଇଥାନ୍ତା ତେବେ ହୁଏତ ଚାକିରି ନ ପାଇ ହୋଇଯାଇପାରନ୍ତା ଖାଲିଟାରେ ତାର ବାହାଘର ସେ ନଣ୍ଡା ଟୋପି ଓ ମୋଟା ଚଷମା ପିନ୍ଧା ପାନଜକା ମଧ୍ୟସ୍ଥି ଆଣୁଥିବା ଥାକେ ଫଟୋରୁ କାହା ସହିତ ଗୋଟେ ବି । ହେଲେ ତାର ଏବେ ସେ ସ୍ବପ୍ନ ନଥିଲା ।

ସେ କିଛି ବି ଚାହୁଁ ନଥିଲା କଦାପି । ଉଡିବ, ବସିବ, ଡେଣା ମେଲିବ କି କଚଡା ଖାଇବ ? ସମୟ ତାକୁ କିଛି ବୁଝଉନଥିଲା । ସେ ଖାଲି ଖାଲି ଥିଲା । ନେଳିଆ ଛାତିର ଆକାଶକୁ ଫୁଲ କାମିଜ କରି ହ୍ୟାଣ୍ଡକଫ୍ ଭିତୁରିଆ ମୋଡିଦିଏ ସିଏ, ମାଟିରେ ଜଙ୍ଗଲଟେ ଗଢିବାର ସ୍ବପ୍ନ ଭରି ।

ସେ ଚାହୁଁଥିଲା କଣ ସେ ଏବେବି ବୁଝି ନଥିଲା । ହଠାତ୍ କି ବଦଳୁଥିବା ସବୁକିଛିକୁ ଆଦରିବାକୁ ତାକୁ ଲାଗୁଥିଲା ବେଶ୍ ସମୟ ରୁ ପୁଳେ । ଏମିତି ଘଣ୍ଟା ତ ଘୁରୁଥାଏ, ବର୍ଷଟେ ମାନେ ଏଇ ପାସ୍ ହବା ତାରିଖର ବର୍ଷ ପୁରାଣି ।

ଏଇଠୁ ଆରମ୍ଭ ହୁଏ ନୂଆ ଅଧ୍ୟାୟ ଟେ । ସବୁ ସାକ୍ଷାତକାରରେ ନୂଆ ପ୍ରଶ୍ନଟେ ଅଧିକ ଯୋଡ଼ି ହେଇଯାଏ କାନ୍ଥରେ କଣ୍ଟାଟିଏ ଅଯାଚିତ ଭାଗରେ ଲାଖି ଥିବା ପରି । ଏ ବର୍ଷଟି କଣ କରୁଥିଲ ? ମିନିଟ ଓ ଘଣ୍ଟା କଣ୍ଟାର ସନ୍ଧିରେ ମିଳିତ ଚକ୍ରାନ୍ତ ଟିଏ ତିଆରି ଦିଏ ଏକ ସୁଦୃଶ୍ୟ ଫାଙ୍କ, ଯାହା ଏକ ଏମିତି ପ୍ରଶ୍ନବାଚୀ ଯିଏ ହଲେଇ ଦେଇପାରେ ତୁମର ଅସ୍ତିତ୍ଵ । କରୁଥିଲ କଣ ବର୍ଷ ପରେ ବର୍ଷ ? ସେ ଫାଙ୍କକୁ ଫାଙ୍କିପାରେ କିଛି ଭେଜାଲ କିଣା ଦସ୍ତା କାଗଜରୁ ଖଣ୍ଡେ, ଦୁଇ ଖଣ୍ଡ, ବା ଆହୁରି ଅଧିକ .... ନିର୍ଭର କରେ ବର୍ଷ ସଂଖ୍ୟା ଉପରେ । ସମସ୍ତେ ଜାଣନ୍ତି ତାହା ଫେକ୍ ସାର୍ଟିଫିକେଟ୍ । କିନ୍ତୁ ତାରି ଉପରେ ତିଆରିବା ଚାହାଁନ୍ତି ବିଶ୍ବାସର ମହଲ ଜୀବନକୁ ନେଇ, ଜୀବିକାକୁ ନେଇ । ପ୍ରହେଳିକାର ପଙ୍କ । କାହିଁକି ? ପରଖୁ ନାହାନ୍ତି ପାରିବାପଣର ମହୀଖୁଣ୍ଟ କେତେ ଦମ୍ଭ । ଫମ୍ପା ଗୁଡ଼ିଆ ସୂତାର ଢୋଲ ଏବେ ର ପଢା ଆଉ ଚାକିରିର ଗୁଳା ।

ସେଦିନ ବି ସେ ସକାଳୁ ଉଠିଲା । ସବୁଦିନ ପରି ବାହାରିଗଲା ନେଳିଆ ପ୍ଲାଷ୍ଟିକ କଭର ଫାଇଲରେ ଫାଇଲେ ମାନପତ୍ର ଧରି । ସବୁ ହାତରେ ଏବେ ଏଇ ଫାଇଲ ଥାକ । ସବୁଦିନ ପରି ଗଣି ଦେଖିଲା, ଆଟେଷ୍ଟେଟ୍ ପାସପୋର୍ଟ ସାଇଜ ଫଟୋରୁ ଦଶଟି ଅଛି, ଜେରକ୍ସ କପି ସବୁ ସାର୍ଟିଫିକେଟ୍ ର ଦୁଇ ଦୁଇଟି ଓ ମୂଳ ସାର୍ଟିଫିକେଟ୍ ର ଥାକ ସହ ନୂଆ କିଣା ଫେକ୍ ସାର୍ଟିଫିକେଟ୍ ରୁ ଦିଟି । ତାକୁ ମାଡି ମାଡି ପଡେ ମିଛ ସହ ତା' ପରିଶ୍ରମର ଦସ୍ତାବିଜ ତକଙ୍କୁ ଏକାଠି ଦେଖି ।

ପ୍ରତି ସକାଳ ନୂଆ ସକାଳ, ଆଜିର ଅବସ୍ଥା ବଦଳିବ ଏକ ଆଶା ନେଇ ଉଏଁ ତପନ । ଲିଖିତ ପରୀକ୍ଷା ହଲରେ ନିଜ ପରିଚୟ ପତ୍ର ସହ ପହଞ୍ଚି ଜାଣିଲା ତାର ସମାନ ନାଆଁ ଓ ସାଙ୍ଗିଆର ଅନ୍ୟ ଏକ ପିଲାର ସିଟ୍ ଏଇଟି । ବିରକ୍ତ ହେଲା ନିଜ ନାଆଁ ଟି ଉପରେ । ଆଜିକାଲି ବିରକ୍ତ ହେବା ଗୋଟେ ଜିଦ୍ ।

ବହେ ଏପଟ ସେପଟ ଧାଁ ଦଉଡ ପରେ ସେ ପାଇପାରିଲା ତା ସିଟ୍ ସେ ଗୋଲାପି ଦ୍ବିତଳ ସ୍କୁଲଟିରେ । ସେତେବେଳକୁ କୋଡିଏ ମିନିଟ୍ ହେଲା ପରୀକ୍ଷା ଆରମ୍ଭ ହେଇସାରିଥାଏ । ନଟରାଜ ଡାର୍କ ହାର୍ଡ ପେନସିଲରେ ତରତର ହୋଇ ମୁଣ୍ଡୁଳି ବୁଲେଇ ଚାଲିଲା ଉତ୍ତର ଫର୍ଦ୍ଦରେ । ଉଠୁଥିବା ପଡୁଥିବା ସ୍ପନ୍ଦନ ତଥାପି ଥୟ ପଡିନଥାନ୍ତି, ସମୟ ଶେଷ । ଖାତା ଦେଇ ବାହାରି ଆସି ପାଣି ବୋତଲ ଠିପି ଖୋଲି ପିଇଗଲା କେତେ ଜନ୍ମର ତୁଷାର୍ତ୍ତ ପରି ବୋତଲେ ପାଣି ଢକଢକ କି । ବାହାରି ଆସିଛି ରାସ୍ତାକୁ, ଫେରିବାକୁ ହେବ ନୀଡ଼କୁ ।

ଛନ୍ଦି ହେଉଛି ଗୋଲକ ଧନ୍ଦା ଚକରେ । ଅଟୋ, ଅଟୋ ପରେ ବସ୍, ବସ୍ ପରେ ପୁଣି ଅଟୋ ....ଆଉ କୋଡ଼ିଏ ହାତ ଚଲାବାଟ ପରେ ଯାଇ ବସା । ଆସିଲା ବେଳେ ଏତିକି ବାଟ ଲାଗେ ହେଇଟି ପରି କିନ୍ତୁ ଫେରିବା ବେଳେ ? ପିଚୁର ଲମ୍ବ ରାସ୍ତା ସବୁ କ୍ୟାସେଟର ପୁରୁଣା ରିଲ୍ ଘେର ପରି ଯେତେ ଆଙ୍ଗୁଳି ଗୁଡେଇଲେ ବି ଛନ୍ଦି ହୁଅନ୍ତି କୋଉଠି ନା କୋଉଠି ।

ଚାରିପଟୁ ଅନ୍ଧାର କରି ମାଡ଼ିଆସୁଥାଏ ମେଘ । ଅଦିନିଆ । ଭଲଲାଗୁଥାଏ ଏଥିପାଇଁ ଯେ କିଛି ତ ଗୋଟେ ନିତିଦିନିଆ ନୁହେଁ । ହେଲେ ସଂଧ୍ୟା ଆଗରୁ ବସ୍ ନ ମିଲିଲେ ରହିବ କୋଉଠି ? ଏ ଅଚିହ୍ନା ସହରରେ ଚିହ୍ନା ମୁହଁ ଟେ କୋଉଠୁ ଖୋଜିବ ? ପାଦ ଦିଟି ଚଞ୍ଚଳ ହେଲେ । ବରକୋଳିଆ ଟୋପା ମାଟି ଛୁଇଁଲା । ମାଟିରୁ ମହକ ଖେଳିଗଲା । ପ୍ରକୃତି ତାର ତା ବାଟରେ ସଂଚରୁଥାଏ ଜୀବନ, ଖେଳଉଥାଏ ସ୍ପନ୍ଦନ.... ଚାରିପଟର କୃତ୍ରିମତା ପରେ ବି । ମାଟି ବାସ୍ନାର ଉଚ୍ଚାଟରେ ବିଭୋର ମନ ଗୁଣୁଗୁଣେଇଲା । ପଟିକିଆ ଟିଣ ଟେ ଦି ପଟ ଲୁହା ଡେରା ଖୁମ୍ବର କାନ୍ଧ ଭରସାରେ ଠିଆ ବସ ରହିବା ଥାକରେ ସିଏ ମୁଣ୍ଡ ଗଳେଇ ଚାହୁଁ ଥିଲା ତା' ବସ୍ ର ଅଗମନୀ ପଥକୁ । ବର୍ଷାର ରିମ୍ ଝିମ୍ ଚୁଡି ଝଙ୍କାର ତାକୁ ଅନ୍ୟମନସ୍କ କରୁଥିଲା । ହଠାତ୍ ତା ନାକରେ ବାଜିଲା କିଛି ଚିହ୍ନା ବାସ୍ନା । ସିଏ ନାକେଇଲା ଆଉ ସେଇ ଦିଗକୁ ଝୁଙ୍କିଲା । ଉହୁଙ୍କି ଆଉଟି ଆସୁଥିବା ଲାଲି ଚା ତା ନଜର କୁ ଭିଜେଇ ଫୁଟି ଯାଉଥିଲେ ଫଟା ତାଟିଆ ଟିଏରେ ଟିକେ ପଛକୁ ସେଇ ସମାନ ଟିଣ ଛପର ତଳେ । ନିଜ ବ୍ୟସ୍ତତା ଭିତରେ ସିଏ ଏ ଯାଏ ଆବିଷ୍କାର କରି ନଥିବା ବୁଜୁଳାଏ ପୁରୁଣା କପାଟିକନା ପରି ଅଙ୍କା ବଙ୍କା ଗାର ଥିବା ଲୋଚାକୋଚା ମଣିଷ ଟିକୁ । ଏକ ଲୟରେ ମେଲେଇ ଥିବା ଜରିଟିକୁ ନିଜ ପିଠି ଉପରକୁ ଘୋରେଇ ଆଣି ଘୋସାରୁ ଥିଲା ବାକିତକ ଆୟୁଷ କୁ । ଭିଜିସାରିଥିଲେ ତାର ଅଧାକିଆ ଝୁଲା ପଣତ ମେଘଛିଟାର ଅଦଉତିରେ । ପଣତଟିଏ କିଏ ବା ନ ଲୋଡ଼େ !

ଫୁଟୁଥିବା ନାଲି ଚା' ଉପରକୁ ଦୃଷ୍ଟିଟେ ପକେଇ ସିଏ ପୁଣି ମନ ଦେଲା ତା କାମରେ । ଆଉ ଟିକେ ଫୁଟିବ ବୋଧେ କି କଣ । ଏ ମେଘକୁ ଏ ଅପେକ୍ଷା, ତା ସହ ପୁଣି ଏ ଚାହା ବାସ୍ନା । ମନ ତ ହଉଥିଲା ବୁଢୀ ସହ ଗପ ପେଡ଼ିର ଆସର ମେଲିବାକୁ ହେଲେ ସମୟ କାହାକୁ ନିଜ ମନ ମୁତାବକ କରିବାକୁ ଦିଏ ଯେ !

ତଥାପି ବସ୍ ଆସି ନଥାଏ । ବର୍ଷା ବଢୁଥାଏ । ତାର ପାଦ ଜୋତାଠୁ ଆଣ୍ଠୁ ଉପର ଯାଏ ବର୍ଷାଛିଟାରେ ଆଉ ପଛ ପଟୁ କାନ୍ଧରୁ ଫାଳେ ଚିରୁଳେ ଭିଜି ସାରିଥାନ୍ତି କଣା ଟିଣର ଟପ୍ ଟପ୍ ଟୋପା ଗଣନାରେ । ବୁଢୀ କିନ୍ତୁ ନିର୍ବିକାର । ବୋଝ ବୋହି ବୋହି କୁରୁମ ସାଜିଥିବା ପିଠି ସବୁକୁ ଆଉ କେତେ ଅବିଚଳ କରିପାରନ୍ତା ମାତ୍ର କେଇଠୋପା ବର୍ଷା ! ବ୍ୟର୍ଥ ଚେଷ୍ଟା ଯାହା ।

ଟିକେ ନିରିଖେଇ ଦେଖିବାକୁ ଚାହିଁଲା ଏତେ ମନ ଦେଇ ବକ ଧ୍ୟାନ ପରି ବୁଢୀ କରୁଛି କଣ ? ଅଧ ବାଉଁଶିଆଏ ଗୋଲ ସବୁଜ ମଟର ଦାନା, ଆର ହାତରେ ଚିମୁଟାଏ ଗାଢ ସବୁଜ ରଙ୍ଗ । ଥମକି ଗଲା ଅର୍ପିତ । ବୁଢୀ ମଟର ସବୁକୁ ରଙ୍ଗରେ ତା ଧୁଡୁଧୁଡୁ ଚମ ପାପୁଲିରେ ରକଟି ଘସି ଏମିତି ମିଶଉଥାଏ ଯେମିତି ଏଇ ତ ସଜ ସଜ ତୋଳା ହେଇ ଆସିଛି ବିଲରୁ ମଟର ତକ । ମୁଣ୍ଡ କୁ ପିତ୍ତ ଚଢିଗଲା ଅର୍ପିତ ର । ବଦମାସ ବୁଢୀ, ଖାଦ୍ୟକୁ ଅଖାଦ୍ୟ କରୁଛି । ଏଇମାନଙ୍କ ଯୋଗୁ ପୁରା ଦୁନିଆ ଅବିଶ୍ବାସ ନିଆଁ ରେ ।

ଭାବନା ସବୁ ଡେଇଁ ପଡନ୍ତି ଆଖି ପାଟି ଚୁପ୍ ଥାଇ ବି । ବୁଢୀକୁ ବି ଭନକ ଲାଗିଲା ପରି ଏତେବେଳେକେ ପତା ଉଠେଇ ଚାହିଁଲା ତଳେଇକି । ଏ ତରଳମାଂସ ଗଦାର ଦିକ୍ ତେଜଟି ସେଇ ଡୋଳାରେ ଥିଲା । ଅର୍ପିତ ଚମକିଗଲା ସେ ଚାହାଣୀରେ । ବୁଢୀ ପୁଣି ତା କାମରେ ମନ ଦେଲା । ଧିକ୍କାରଟେ ଥିଲା ସେଠି, ନିଜର ଅସ୍ତିତ୍ବ ଝୁଲୁଛି ତ୍ରିଶଙ୍କୁ ପରି ଫାଇଲଟେ ଭିତରେ । ଭୁଲ ଠିକ୍ ର ବିଚାରପତି ହବା କେତେ ସମୀଚିନ ? ଏମିତି ପବନ ତାକୁ କହିଲା ବୁଢୀ ସପକ୍ଷରେ । ହେଃ ,ନିଜ କଥା ନିଜେ ବୁଝ ଆଗେ ପରି ଠାଏ କିଆ ଧାଡିଟେ ବାଜିଲା ଗାଲରେ ଅଦୃଶ୍ୟରେ । ଏ କଣ୍ଟା ମରା ଡାଙ୍ଗ ପରି ପ୍ରଶ୍ନ ସବୁ ଏଇଠି ସେଇଠି ବୁଲୁଥାନ୍ତି, ଟିକେ ଗଳାବାଟ ଦେଖିଲେ ଟୁପ୍ କି ଫୁଟିଯାନ୍ତି ଛାତି ସେପଟ ଯାଏ । ରକ୍ତ ଦିଶେନି ।

ପୁଣି ସିଏ ଅନ୍ୟମନସ୍କ ହେଲା । ଆଉ ପଟିକିଆ ଲୋକଟେ ବସିଥିବା ଧିର ଚାଲୁଥିବା ଅଟୋ ଟିଏକୁ ହାତ ଦେଖେଇ ଅଟକେଇଲା ପୁରା ଭିଜି ତରତରରେ । ବସିଗଲା କଳା ପଲିଥିନର ଓଜନ ତକ ବୋହୁଥିବା କଳାଆକାଶକୁ ଟେକି । ତା ଜୋତା ତଳ ଯାଏ ପାଣି ସରସର କରି ବୋହି ହଜିଯାଉଥିଲେ କୋଉ ଗୋଟେ ଧାର ସହ ଏକାକୀ ହେବାର ଆଲ୍ହାଦରେ ରାସ୍ତାକୁ । ଅଟୋ ଚକମାନେ ଜମିଥିବା ପାଣି ମଝିକୁ ଦି ଫାଳ କରି ଚିରି ଫୁଆର କରି ଚିକ୍ ମିକ୍ ଜଳମୋତି ବିନ୍ଦୁରେ ବଦଳେଇ ଦେଉଥିଲେ ମୂହୁର୍ତ୍ତଟେ ପାଇଁ ସାମ୍ନାରୁ ଆସୁଥିବା ଆଉ କୋଉ ଗାଡ଼ିର ମଳିନ ଆଲୁଅରେ ବି । ଅଟୋରେ ବାଜୁଥିଲା " ରିମଝିମ ଗିରେ ସାବନ" ର ଧୂନ୍ । ଏତେ ସବୁ ଭିତରେ ମନଟେ ହଜିଯିବା କୋଉ ନୂଆ କଥା ଯେ ! ସେ ହଜିସାରିଥିଲା କେତେବେଳୁ ।

ଗନ୍ତବ୍ୟରେ ପହଞ୍ଚି ସାରିଥିଲେ ବି ଅନ୍ତର ଥିଲା ଚେତନାରୁ । ଅଟୋବାଲାର ଡାକରେ ପକେଟରୁ ପଚାଶ ଟଙ୍କିଆଟେ ବଢେଇଦେଇ ଓହ୍ଲେଇ ଯାଉ ଯାଉ ବର୍ଷାରୁ ମୁଣ୍ଡକୁ ଓଢେଇ ନବାକୁ ଯେତେବେଳେ ହାତଟି ବଢିଆସିଲା ତାର, ସେ ଭାବିଥିଲା ଫାଇଲଟି ଅଛି । କିନ୍ତୁ ଚେତିଲା ତା ନାକକୁ ବଡ ଟୋପା ମେଘବିନ୍ଦୁଟେ ଆକ୍ତାମାକ୍ତା କରିଦେଲା ମାତ୍ରେ । ସେହିକ୍ଷଣି ସେ ହେଜିଲା, ତା ଫାଇଲ୍ ? ତା ଫାଇଲ କାଇଁ ? କୋଉଠି ପକେଇଲା ? କଣ କରିବ ? କୋଉଠି ଛାଡିଲା ? କାଠଖମ୍ବ ପରି ସେମିତି ଠିଆ ହେଇଥାଏ ମଝିରାସ୍ତାରେ । ସଂଧ୍ୟାର ରାସ୍ତା ଟି ତାକୁ ଅନ୍ଧାର ଘୁଡୁଘୁଡି ପରି ଲାଗୁଥାଏ ।

ଆଉ ଗୋଟେ ଗାଡିର ହର୍ଣ୍ଣରେ ସିଏ ପାଦେ ପଛକୁ ସିନା ଘୁଞ୍ଚିଗଲା, କିନ୍ତୁ ତା ' ସ୍ମୃତି ରେ ସିଏ ଘୁଞ୍ଚୁଥିଲା ସକାଳୁ ଘରୁ ବାହାରିବା ବେଳଠୁ ଯେ ଅଟୋରେ ବସିବା ଯାଏ । ସମୟକୁ ସ୍ଥିର କରି କରି ସେ ମନେପକଉଥାଏ ସବୁଜ ଖୋଳରେ ହଜିଯାଇଥିବା ତାର ଥାକକ ଭାଗ୍ୟକୁ ।

ହେଲେ ଏବେ ସିଏ କାହାକୁ ପଚାରିବ ? ଅଟୋ କୁ କୋଉଠୁ ଖୋଜିବ ନା ସେଇ ବୁଢୀ ବସିଥିବା ବସ୍ ଷ୍ଟପକୁ ଫେରିବ ? ଏଣେ ଢାଳିଯାଉଥିବା ପାଣି ପରି ସମୟ ବି ଘଡି ଭିତରେ ଢଳି ଢଳି ଯାଉଥାଏ । ତା ' ପାଦ ଆପେ ଘର ମୁହାଁ ହେଲେ । ସେ ଭାବୁଥିଲା ଏବେ ସେ ଘରେ କହିବ କଣ ? ଯେ ହଜିଗଲେ ସବୁ ସମ୍ଭଳ ଆନନ୍ଦରେ ତେବେ ତାର ଉପାୟ କଣ, ନା କହିବ ସିଏ ମୁକୁଳି ଆସିଛି ଗୋଲକଧନ୍ଦା ର କବଜାରୁ ଅଜାଣତେ ପଛେ ହଉ, ନା କହିବ ହଜିଗଲେନି ଯେ ମୋ ମୁଣ୍ଡରୁ ଓହ୍ଲେଇଗଲେ ନିତିଦିନିଆ ଅବସାଦରୁ ଡାଲାଏ ଅକ୍ଲେଶରେ । କିନ୍ତୁ ବାପା ? ସେ ତ ଚିନ୍ତାମଗ୍ନ ହେଇ ମିଳେଇଯିବେ ଏଇ ବର୍ଷା ବିନ୍ଦୁ ମାନଙ୍କ ପରି । ତାକୁ ଲାଗୁଥିବା ହାଲୁକାପଣ ଟା ବାପାଙ୍କୁ ନେଇ ଭାବନାଟିର ଧକ୍କାରେ ମାଧ୍ୟାକର୍ଷଣ ଶକ୍ତି ବୋହିଲା ପରି ଓଜନିଆ ହେଇଗଲା । ତା ପାଦ ଘୋଷାରିହେଲେ ଆଉ କାନ୍ଧ ସହ ଅଣ୍ଟା ତିରିଶ ଡିଗ୍ରୀ ରେ ନଇଁ ଗଲେ ।

ସେ ସେମିତି ଚାଲୁଥିଲା । ଆଗପଛ ଅନୁମାନ କରିବା ତା ବିଚାର ଶକ୍ତି ବାହାରେ ଥିଲା ।

ଏଥର ତା' ପାଦ ମାନେ ତିନିଗୁଣା ବେଗ ଧରିଥିଲେ .....