ଫଟୋ: ଓ୍ବିକିପିଡିଆ

ଅଳ୍ପ ଦିନ ତଳେ ଇଟାଲୀର ସାଲଭେଟୋର ଗରାଉ (୧୯୫୩) ନାମରେ ଜଣେ ଶିଳ୍ପୀଙ୍କର ଗୋଟିଏ ଭାସ୍କର୍ଯ୍ୟ ୧୮,୩୦୦ ଆମେରିକୀୟ ଡଲାରରେ ନିଲାମ ହେଇଯାଇଛି । ନିଲାମ ହେବାରେ ବଡ଼ କଥା କ’ଣ ଯେ ? ସବୁଦିନ କାହିଁ କେତେ ଶିଳ୍ପୀଙ୍କର କଳାକୃତି ନିଲାମ ହେଉଛି । ନିଲାମରେ ନୂଆ ନୂଆ ରେକର୍ଡ ବି ତିଆରି ହେଉଛି । ପ୍ରକୃତରେ ଘଟଣାଟି ଗୁରୁତ୍ୱପୂର୍ଣ୍ଣ ଏଇଥିପାଇଁ ଯେ, ସାଲଭେଟୋର ଗରାଉଙ୍କର ଭାସ୍କର୍ଯ୍ୟଟି ଯାହା ଏତେ ଟଙ୍କାରେ ନିଲାମ ହେଲା, ପ୍ରକୃତରେ ଆଖିକୁ ଦିଶିଲା ପରି କିଛି ନଥିଲା । ମାନେ ସରଳରେ କହିଲେ ଶିଳ୍ପୀ ଜଣକ ଶୂନ୍ୟକୁ ବିକି ପଇସା ରୋଜଗାର କରିଛନ୍ତି । ନାଁ ବି କମେଇଛନ୍ତି । ଭାସ୍କର୍ଯ୍ୟଟିର ନାଁ ଥିଲା ‘ଲୋ ସୋନୋ’ ମାନେ ‘ମୁଁ’ । ଶିଳ୍ପୀଙ୍କର କହିବା କଥା ହେଲା, କିଛି ନଥିବା ଫାଙ୍କା ଯାଗାଟିରେ ପ୍ରକୃତରେ କିଛି ବି ନଥିଲେ ମଧ୍ୟ ଶକ୍ତି କିନ୍ତୁ ଭରପୁର ଥାଏ । ଜର୍ମାନ ପଦାର୍ଥ ବିଜ୍ଞାନୀ କାର୍ଲ ହାଇଜେନବର୍ଗଙ୍କ ଅନୁସାରେ ନଥିଙ୍ଗ ର ବି ଓଜନ ରହିଛି । ଶୂନ୍ୟ ଭାସ୍କର୍ଯ୍ୟର ଶୂନ୍ୟତା ଆମକୁ ସଙ୍କ୍ରମିତ କରିପାରିବ ।

ନିରୋଳା ଶୂନ୍ୟତାର ଭାସ୍କର୍ଯ୍ୟଟିକୁ ଗଲା ମଇ ମାସରେ ଆର୍ଟ-ରାଇଟ୍ ନାମକ ନିଲାମକାରୀ ସଂସ୍ଥାରେ ନିଲାମ ପାଇଁ ଦାଖଲ ହେଇଥିଲା ଓ ପ୍ରାରମ୍ଭିକ ଭାବରେ ଛଅ ହଜାରରୁ ନଅ ହଜାର ୟୁରୋର ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ନିଲାମରେ କିନ୍ତୁ ତାହା ଶେଷରେ ପନ୍ଦର ହଜାର ୟୁରୋରେ ବିକ୍ରୀ ହେଇଯାଇଥିଲା । ମଜା କଥାଟି ହେଲା, ନିଲାମ ପରେ ଭାସ୍କର୍ଯ୍ୟଟିର କ୍ରେତା ଶୂନ୍ୟ ଭାସ୍କର୍ଯ୍ୟଟିକୁ ସାଙ୍ଗରେ ନିଜ ଘରକୁ ମଧ୍ୟ ନେଇକି ଯାଇଥିଲେ । ସାଙ୍ଗରେ କାମର ବୈଧତା ପ୍ରମାଣପତ୍ର ବା ଅଥେଣ୍ଟିସିଟି ସାର୍ଟିଫିକେଟ୍ ଓ ଭାସ୍କର୍ଯ୍ୟକୁ କେମିତି ପ୍ରଦର୍ଶନ କରାଯିବ ସେ ନେଇ ନିର୍ଦ୍ଦେଶାବଳୀ ବି ପାଇଥିଲେ । ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବରେ ସାଲଭେଟୋର ଗରାଉ ଲେଖିଥିଲେ ଯେ, କୌଣସି ପ୍ରକାର ବାଧକ ବିନା ଭାସ୍କର୍ଯ୍ୟଟିକୁ ଯେ କୌଣସି ପାଞ୍ଚରେ ପାଞ୍ଚ ଫୁଟ୍ ଖୋଲା ଯାଗାରେ ରଖାଯାଇପାରେ । ବଢ଼ିଆ ନା ?

କିଛି ନଥିବାକୁ କିଛି ଅଛିର ପ୍ରମାଣ ଦେଖାଇ ଗରାଉ କିଛି କମ୍ ସମାଲୋଚନାର ଶରବ୍ୟ ହେଇନାହଁନ୍ତି । କିନ୍ତୁ ସମାଲୋଚକମାନଙ୍କ ସମାଲୋଚନାର ଜବାବରେ ଶିଳ୍ପୀ ଗରାଉ କୁହନ୍ତି ଯେ, ସବୁ ପରେ ଆମେ କେବେବି ଦେଖିନଥିବା ଭଗବାନଙ୍କୁ ବିଶ୍ୱାସ କରୁଛେ ନା ନାହିଁ ? ହଁ, କେବେ ଦେଖିନଥିବା ଭଗବାନ ଅବା ଭୂତ ପ୍ରେତ ଓ ଅଶରରୀଙ୍କୁ ଆମେ ବିଶ୍ୱାସ କରୁଛେ । ତେବେ ଗରାଉଙ୍କ କାମକୁ ଗୁରୁତ୍ୱ ଦେବାନି କାହିଁକି ? ଶୂନ୍ୟତାକୁ ନେଇ ଗରାଉଙ୍କର ଏଇଟି ପ୍ରଥମ କାମ ନଥିଲା । ଗଲା ଫେବୃଆରୀ ମାସରେ ସେ ‘ବୁଦ୍ଧ ଇନ୍ କନଟେମ୍ପଲେସନ୍’ ନାମରେ ଆଉ ଏକ ଅଦୃଶ୍ୟ ଭାସ୍କର୍ଯ୍ୟ ନିର୍ମାଣ ମଧ୍ୟ କରିଥିଲେ । ଅଳ୍ପଦିନ ତଳେ ସେ ନ୍ୟୁୟର୍କ ସହରର ଷ୍ଟକ୍ ଏକ୍ସଚେଞ୍ଜ୍ ଆଗରେ ଇଟାଲିଆନ୍ କଲଚରାଲ୍ ଇନିଷ୍ଟିଚ୍ୟୁଟର ସହଯୋଗରେ 'ଆଫ୍ରୋଡାଇଟ୍ କ୍ରାୟିଙ୍ଗ' ନାମରେ ମଧ୍ୟ ଆଉ ଏକ ଅଦୃଶ୍ୟ ଭାସ୍କର୍ଯ୍ୟ ରଖିଥିଲେ । ଶୂନ୍ୟ ଭାସ୍କର୍ଯ୍ୟଟି ରଖାଯାଇଥିବା ସ୍ଥାନକୁ ଧଳା ରଙ୍ଗରେ ଚିହ୍ନିତ କରାଯାଇଥିଲା । କାମ ସମ୍ପର୍କରେ ଶିଳ୍ପୀ ଗରାଉ କହୁଥିଲେ ତୁମେ ମୋ ଭାସ୍କର୍ଯ୍ୟକୁ ଦେଖି ପାରୁନଥାଅ କିନ୍ତୁ ପବନ ଓ ଶକ୍ତିରେ ତିଆରି ମୋ କାମଟି ତୁମ ସାମ୍ନାରେ ତଥାପି ରହିଛି । ମୋର କଳାକୃତି ତୁମର କଳ୍ପନା ଶକ୍ତିକୁ ଜାଗ୍ରତ କରିପକାଏ । ଏମିତିକି ଯିଏ ଏସବୁରେ ବିଶ୍ୱାସ କରନ୍ତିନି, ସେମାନଙ୍କ କଳ୍ପନା ଶକ୍ତିକୁ ମଧ୍ୟ ଜାଗ୍ରତ କରିବାରେ ସହାୟତା କରେ । ଏକଥା ମଧ୍ୟ ସତ ଯେ, ଦର୍ଶକମାନେ କିନ୍ତୁ ଛକ ଉପରେ ଧଳା ଟେପ୍ ର ଚିହ୍ନିତ ସ୍ଥାନ ଭିତରେ ତିଆରି ଗରାଉଙ୍କ ଅଦୃଶ୍ୟ ଭାସ୍କର୍ଯ୍ୟ ପାଖରୁ ଶକ୍ତି ଅନୁଭବ କରିବାରେ ଅସୁବିଧାର ସାମ୍ନା କରୁଥିଲେ ।

ଅଦୃଶ୍ୟ ଓ ଶୂନ୍ୟତାକୁ ନେଇ କାମ କରିବାରେ ଗରାଉ ପ୍ରଥମ ଚିତ୍ରଶିଳ୍ପୀ ନୁହଁନ୍ତି । ବିଶ୍ୱ କଳା ଇତିହାସରେ ଏମିତିକା ପରୀକ୍ଷା ଢେର୍ ଆଗରୁ ହେଇଛି । ୧୯୫୮ରେ ଫରାସୀ ଶିଳ୍ପୀ ଇଭ କ୍ଲେନ୍, ଆଇରିସ୍ କ୍ଲର୍ଟ ଗ୍ୟାଲେରୀରେ ଶୂନ୍ୟତାକୁ ନେଇ ଏକ ପ୍ରଦର୍ଶନୀ କରିଥିଲେ । ସେଥର ସେ ଗ୍ୟାଲେରୀ ପରିସରରୁ କେବଳ ଏକ ବଡ଼ କ୍ୟାବିନେଟକୁ ଛାଡି ସବୁ କିଛି ବାହାରକୁ ବାହାର କରିଦେଇଥିଲେ । ଚାରିପାଖକୁ ଧଳା ରଙ୍ଗରେ ରଙ୍ଗାଇଥିଲେ । ଗ୍ୟାଲେରୀର ଝରକା ସବୁରେ ତାଙ୍କ ପ୍ରିୟ ରଙ୍ଗ ନୀଳ ଦିଆଯାଇଥାଏ, ନୀଳ ରଙ୍ଗର ପରଦା ଝୁଲୁଥାଏ । ତାଙ୍କ ଲୋକପ୍ରିୟତାକୁ ଆଖିରେ ରଖି ସେଦିନ ସନ୍ଧ୍ୟାରେ ତିନି ହଜାର ଉତ୍ସାହୀ ଦର୍ଶକ ଗ୍ୟାଲେରୀ ବାହାରେ ଗୋଟେ ଫାଙ୍କା କୋଠରୀରେ ପଶିବାକୁ ଧାଡ଼ି ବାନ୍ଧି ଠିଆହେଇଥାନ୍ତି । ପ୍ରଦର୍ଶନୀର ନାମ ଥାଏ ‘The Specialization of Sensibility in the Raw Material State into Stabilized Pictorial Sensibility, The Void'. ଏଇ ପ୍ରଦର୍ଶନୀ ସମ୍ପର୍କରେ ଇଭ କ୍ଲେନ୍ କୁହନ୍ତି ଯେ, ସେ ଶୂନ୍ୟ ପ୍ରଦର୍ଶନୀ ଗୃହରେ ଏମିତି ଏକ ସଚିତ୍ର ପରିବେଶ ତିଆରି କରିବାକୁ ପ୍ରୟାସ କରିଥିଲେ, ଯାହା ଅଦୃଶ୍ୟ ହେଇ ମଧ୍ୟ ଦର୍ଶକମାନଙ୍କ ସାମ୍ନାରେ ଉପଲବ୍ଧ ହେଇପାରିବ । ଗ୍ୟାଲେରୀ ପରିସରରେ ସୃଷ୍ଟଅଦୃଶ୍ୟ ଚିତ୍ରମୟ ସ୍ଥିତି ଆଜିର ଦିନରେ ଚିତ୍ରର ସର୍ବୋତ୍ତମ ସଂଜ୍ଞା ପ୍ରଦାନ କରେ ଯାହାକୁ ସରଳରେ ଏକ ଚମକ ବି କୁହାଯାଇପାରେ । ସେ ଭାବୁଥିଲେ ଏପରି ଏକ ଅଭିନବ ସୃଜନ ପକ୍ରିୟାରେ ଅଦୃଶ୍ୟ ଓ ଅମୂର୍ତ୍ତୀକରଣର ପ୍ରକ୍ରିୟା ହିଁ ବଡ଼କଥା । ପ୍ରଦର୍ଶନୀକୁ ଆସିଥିବା ଦର୍ଶକଙ୍କ ଶରୀର ସବୁ ଅନ୍ୟ ପ୍ରଦର୍ଶନୀରେ ଝୁଲୁଥିବା ସାଧାରଣ ଦୃଶ୍ୟମାନ ଚିତ୍ରମାନଙ୍କ ଠାରୁ ଅଧିକ ସମ୍ପ୍ରେଷଣକ୍ଷମ ।

୨୦୧୪ ମସିହାରେ ଗଗେନହାମ୍ ମ୍ୟୁଜିୟମରେ ‘ଜିରୋ’ ନାମରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଯେଉଁଠି କିଛି ଚିତ୍ରଶିଳ୍ପୀଙ୍କର କଳାକୃତି ସ୍ଥାନ ପାଇଥିଲା ଯେଉଁମାନେ ଆକାର ଓ ଆକୃତିକୁ ବାଦ୍ ଦେଇ ସେମାନଙ୍କ କଳାକୃତି ପ୍ରସ୍ତୁତ କରିଥିଲେ । ସେଥିରେ ମରିନା ଆବ୍ରାମୋଭିକ୍ (୧୯୪୬)ଙ୍କ ‘୫୧୨ ଆୱାର’ ନାମକ ୨୦୧୪ ମସିହାରେ ଲଣ୍ଡନରେ ପ୍ରଦର୍ଶିତ ପ୍ରଦର୍ଶନୀ ବି ସାମିଲ ଥିଲା । ଛଅ ଦିନ ଧରି ଗ୍ୟାଲେରୀ ପରିସରକୁ ସକାଳ ଦଶରୁ ସନ୍ଧ୍ୟା ଛଅ ପର୍ଯ୍ୟନ୍ତ ପୁରା ଛଅଦିନ ଧରି ଲକ୍ଷାଧିକ ଦର୍ଶକ ପରିଦର୍ଶନ କରିଥିଲେ । ଗ୍ୟାଲେରୀ ପରିସରରେ କେବଳ ନିଜକୁ ହିଁ ଉପସ୍ଥିତ କରାଇଥିଲେ ମରିନା । ଗ୍ୟାଲେରୀ ପ୍ରବେଶ ପୂର୍ବରୁ ଦର୍ଶକ ସେମାନଙ୍କ ସାଙ୍ଗରେ ଆଣିଥିବା ସେମାନଙ୍କର ସମସ୍ତ ବ୍ୟାଗ୍, ଜ୍ୟାକେଟ୍, କ୍ୟାମେରା, ଘଣ୍ଟା ଓ ଅନ୍ୟ ଜିନିଷ ପତ୍ରକୁ ଅଲଗା ରଖିଦେବାକୁ ହେଇଥିଲା । ପ୍ରଦର୍ଶନୀକୁ ଦେଖିବାକୁ ଆସିଥିବା ଦର୍ଶକମାନେ ଫାଙ୍କା ଗ୍ୟାଲେରୀରେ ଆପେ ଆପେ ପ୍ରଦର୍ଶନୀର ଅଂଶ ହେଇଯାଇଥିଲେ । ଅନ୍ୟ ପ୍ରଦର୍ଶନୀ ପରି ଦର୍ଶକମାନେ ଧାଡ଼ି ବାନ୍ଧି ଅତି ଧିର ସ୍ଥିର ଭାବରେ ଆଦୌ ବୁଲୁନଥିଲେ ବରଂ ସେମାନେ ସେଠି କେତେ କ’ଣ କରୁଥିଲେ । ମରିନା ପ୍ରଦର୍ଶନୀରେ କ’ଣ ଘଟୁଛି ସେ ନେଇ ଦୈନିକ ଦିନଲିପି ଓ ଦର୍ଶକମାନେ ଗ୍ୟାଲେରୀରୁ ବାହାରିଲା ପରେ ସେମାନଙ୍କର ଅନୁଭୂତି ସବୁ ଲେଖୁଥିଲେ । ନା ମରିନା ନା ଦର୍ଶକ, କେହି କିଛି ବି ଜିନିଷ ଗ୍ୟାଲେରୀ ଭିତରକୁ ଆଣି ଆସିନଥିଲେ । କିଛି ନଥିବା ଭିତରୁ କିଛି ଗଢ଼ିବାର ପ୍ରୟାସ ଥିଲା ଇଏ । ଏଇଠି ମରିନା ଆବ୍ରାମୋଭିକ୍ ପରଫରମାନ୍ସ ଆର୍ଟର ଏକ ଅତ୍ୟନ୍ତ ପ୍ରଭାବଶାଳୀ ପରୀକ୍ଷା କରିଥିଲେ । ଇଭ କ୍ଲେନ୍ ଓ ମରିନା ଆବ୍ରାମୋଭିକ୍ ଙ୍କ ଭୟେଡ୍ କୁ ନେଇ କରିଥିବା କାମ ଭିତରେ ଅନେକ ସାମଞ୍ଜସ୍ୟ ରହିଛି । ଉଭୟେ ଶୂନ୍ୟତା ଓ ଖାଲିପଣକୁ ନେଇ ପରୀକ୍ଷା କରିଛନ୍ତି । ଦର୍ଶକ ଉଭୟେଙ୍କ ପ୍ରଦର୍ଶନୀରେ ପହଞ୍ଚିଲା ପରେ ଆପେ ଆପେ ପ୍ରଦର୍ଶନୀର ଅଂଶ ପାଲଟିଛନ୍ତି । ଗଗେନହାମ୍ ମ୍ୟୁଜିୟମ୍ ଆୟୋଜିତ ଜିରୋ ପ୍ରଦର୍ଶନୀରେ ଉଭୟେ ଭାଗ ମଧ୍ୟ ନେଇଛନ୍ତି ।

ଆମ ଭାରତ ବର୍ଷରେ ଶୁନ୍ୟତାକୁ ନେଇ ଅନେକ ଆଗରୁ ଅନେକ କଥା କୁହାଯାଇଛି । ଭାରତୀୟ ଶୈବ, ବୈଷ୍ଣବ ଓ ବୌଦ୍ଧ ଦର୍ଶନର ଗ୍ରନ୍ଥମାନଙ୍କରେ ଏ ନେଇ ଉଲ୍ଲେଖ ରହିଛି । ବଙ୍ଗ ପ୍ରଦେଶର ମଧ୍ୟଯୁଗୀୟ ପ୍ରସିଦ୍ଧ କବି ରମାଇ ପଣ୍ଡିତ ‘ଶୂନ୍ୟ ପୁରାଣ’ ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ । ଭଗବାନଙ୍କୁ ନିରାକାର ଭାବରେ ଉପାସନା କରିବା ନେଇ ଯୁକ୍ତି ରଖିଥିଲେ । ଓଡ଼ିଶାରେ ମହିମା ଧର୍ମରେ ଶୂନ୍ୟ ଉପାସନା କରାଯାଏ । ରମାଇ ପଣ୍ଡିତ ମହିମା ଗୋସାଇଁଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ମଧ୍ୟ କେହି କେହି ଅନୁମାନ କରନ୍ତି । ବୌଦ୍ଧ ଦର୍ଶନରେ ଶୂନ୍ୟତାକୁ ନେଇ ଅନେକ ଗୁଢ଼ ଦର୍ଶନ ଓ ତତ୍ତ୍ୱ ରହିଛି । ବିଶେଷ କରି ଥେରାବାଦ ଓ ମହାଯାନ ବୌଦ୍ଧରେ ଶୂନ୍ୟତାକୁ ନେଇ ବିଶେଷ ଆଲୋଚନା ମାନ ରହିଛି । ଓଡ଼ିଶାର ବିଶେଷ କରି ପଞ୍ଚସଖାଙ୍କ ସମୟରେ ଶୂନ୍ୟ, ଅଣାକାର ଓ ନିର୍ଗୁଣ ବ୍ରହ୍ଣଙ୍କୁ ନେଇ ଅନେକ ଆଲୋଚନା ହୋଇଛି । ଅଚ୍ୟୁତାନନ୍ଦଙ୍କ ‘ଶୂନ୍ୟ ସଂହିତା’ ଅନୁସାରେ ଶୂନ୍ୟ ପୁରୁଷ ହିଁ ନିରାକାର । ମନୁଷ୍ୟର ଦେହ ଶୂନ୍ୟ । ଏ ଜଗତ ଶୂନ୍ୟ ଉପରେ ହିଁ ଉଦୟ ହେଇଛି । ମନୁଷ୍ୟର ପିଣ୍ଡରୁ ଜୀବ ବାହାରି ଶେଷରେ ପରମ ସହ ଏକାକାର ହୁଏ । ମାନେ ଶୂନ୍ୟ ପୁରୁଷ ଶୂନ୍ୟକୁ ଗମନ କରେ । ନିରାକାର ପୁରୁଷଙ୍କ ଛାୟା, ଚକ୍ଷୁର ଦ୍ୱାରରେ ଅଲେଖ ରୂପରେ ଦେଖାଯାଏ । ନିରାକାରଙ୍କ ଅଲେଖ ରୂପକୁ ମୁଢ଼ ଅଜ୍ଞାନୀମାନେ ଦେଖିପାରିବେନି । କେବଳ ଯୋଗ ବଳରେ ଶୂନ୍ୟ ପୁରୁଷଙ୍କୁ ପାଇହେବ, ଇତ୍ୟାଦି.... । ଅତୀତର ଭାରତୀୟ ଶୂନ୍ୟ ସମ୍ପର୍କୀତ ଜ୍ଞାନ,ତତ୍ତ୍ୱ ଓ ବିଚାରକୁ ନେଇ ଆଧୁନିକ ଓ ସମସାମୟିକ ଭାରତୀୟ ଚିତ୍ର ଧାରାରେ ଶୂନ୍ୟତାକୁ ନେଇ କୌଣସି ଭାରତୀୟ ଚିତ୍ରଶିଳ୍ପୀ ଆଖିଦୃଶିଆ କାମ କିନ୍ତୁ କରି ନାହାଁନ୍ତି ।