ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର ହେଉଛି ଯୋଗ । ଯୋଗ ହେଉଛି ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଭାରତରେ ଏହାର ଉତ୍ପତ୍ତି ହୋଇଥିବାର ଅନୁମାନ କରାଯାଏ । ଯୋଗ କେବଳ ଏକ ଶାରୀରିକ, ମାନସିକ କିମ୍ବା ଆଧ୍ୟାତ୍ମିକ ଅଭ୍ୟାସର ଏକ ପ୍ରକ୍ରିୟା କି ସାଧନା ପ୍ରଣାଳୀ ନୁହେଁ, ଏହା ସମସ୍ତଙ୍କୁ ଏକତ୍ର ସୂତ୍ରରେ ବାନ୍ଧି ରଖିବାର ଏକ ସୁନ୍ଦର ସୁସଂଗଠିତ ମାର୍ଗ । ସଂସ୍କୃତ ଶବ୍ଦରୁ ଯୋଗର ଉତ୍ପତ୍ତି ହୋଇଥିବା ବେଳେ ଏହାର ଅର୍ଥ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବା । ପୂର୍ବରୁ ଯୋଗ କେବଳ ଋଷି ମୁନିଙ୍କ ସାଧନ କ୍ରିୟା ଥିବାବେଳେ ଏବେ ଏହା ଘରେ ଘରେ ପରିଚିତ । ୨୦୧୫ ମସିହା ଜୁନ ୨୧ ତାରିଖରୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

ଯୋଗ ଶାରୀରିକ ଏବଂ ମାନସିକ ଆରାମ ବ୍ୟତୀତ ଯୋଗ ଶକ୍ତି ଏବଂ ପ୍ରତିରକ୍ଷା ବିକାଶରେ ମଧ୍ୟ ସାହାଯ୍ୟ କରେ । ସମ୍ପ୍ରତି କରୋନା ମହାମାରୀ ସମୟରେ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଏକ ଉତ୍ତମ ମାଧ୍ୟମ ପାଲଟିଛି । ଏହା ମାନସିକ ଓ ଶାରୀରିକ ଚାପକୁ ହ୍ରାସ କରାଇବାରେ ବିଶେଷ ଭୂମିକା ଗ୍ରହଣ କରେ । ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ରହିଛି - ସୁସ୍ଥତା ପାଇଁ ଯୋଗ । କରୋନା ମହାମାରୀ ସମୟରେ ଏବେ ପ୍ରାୟ ଲୋକେ ଗୃହବନ୍ଦୀ । ଏପରି ସମୟରେ ଯୋଗ ଅଭ୍ୟାସ କରିବା ଜରୁରୀ ହୋଇପଡିଛି ।

ମେଦବହୁଳତା ଓ ଓଜନ ବୃଦ୍ଧି କୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମେଦବହୁଳତା ଓ ଓଜନ ହ୍ରାସ ପାଇଁ ଜାଣନ୍ତୁ କିଛି ସହଜ ଯୋଗ ସମ୍ପର୍କରେ ।

କପାଳଭାତି ପ୍ରାଣାୟମ: ଏହି ଯୋଗ ମେଦ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ମନକୁ ଶାନ୍ତ ରଖିବା ସହ ମାନସିକ ଚାପ ଦୂର କରିବାରେ ସାହାଯ୍ୟ କରିଥାଏ । ସେହିପରି କପାଳଭାତି ପ୍ରାଣାୟାମ ନିୟମିତ ଅଭ୍ୟାସ କଲେ ଯାବତୀୟ ରୋଗରୁ ଉପଶମ ମିଳିଥାଏ । କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ମେଟାବଲିଜିମ୍‌ ପ୍ରକ୍ରିୟା ସୁଦୁଢ଼ ହୁଏ, ଫଳରେ ଓଜନ କମ୍‌ ହୁଏ । କପାଳଭାତି କରିବା ଦ୍ୱାରା ପେଟର ମାଂସପେଶୀ ମଜଭୁତ ହୋଇଥାଏ । କପାଳଭାତି ପ୍ରାଣାୟାମ କରିବା ଯୋଗୁଁ ପେଟର ଚର୍ବି କମିବା ସହ ଗ୍ୟାସ୍‌ ଜନିତ ସମସ୍ୟା ଦୂର ହୁଏ ।

ବିରଭଦ୍ରାସନ: ଏହା ଶରୀରରେ ସନ୍ତୁଳନକୁ ସୁଦୃଢ କରିଥାଏ । ପ୍ରତିଦିନ ଏହି ଯୋଗ ଅଭ୍ୟାସ କଲେ ଏହା ପେଟର ଅଙ୍ଗକୁ ଉତ୍ସାହିତ କରିଥାଏ ।

ମୟୂରାସନ: ଏହି ଆସନ କରିବା ଦ୍ଵାରା ପେଟର ଚର୍ବି ହ୍ରାସ ହୁଏ । ଏହା ପେଟ ଉପରେ ଚାପ ପକାଇଥାଏ । ଏହି ଆସନ ପାଚନ ପ୍ରକ୍ରିୟାକୁ ସନ୍ତୁଳିତ କରିଥାଏ ।

ମାଲାସନ: ଏହି ଆସନ ଶରୀରର ତଳ ଅଂଶରେ ଥିବା ଚର୍ବିକୁ ଜାଳିବାରେ ସାହାଯ୍ୟ କରେ । ଏହି ଯୋଗ ଦ୍ଵାରା ତଳ ପେଟ ଓ ନିତମ୍ବରୁ ଚର୍ବି ହ୍ରାସ ହୁଏ । ଏହା ବାହ୍ୟ ଏବଂ ଭିତର କ୍ଷେତ୍ରକୁ ଟୋନ୍ କରିବା ସହ ମାଂସପେଶୀର ଢିଲାପଣକୁ ଦୃଢ କରିଥାଏ ।

ଧନୁରାସନ: ଏହି ଆସନ କରିବା ଦ୍ଵାରା ବେକ, ତଳିପେଟ ଓ ଅଣ୍ଟାକୁ ଆରାମ ମିଳିଥାଏ । ଏହା ଶରୀରର ଓଜନ ସହ ପେଟରେ ଜମି ରହିଥିବା ଚର୍ବି ହ୍ରାସ କରେ ଏବଂ ଅଳସୁଆପଣ ଦୂର କରେ । ଏହି ଆସନ ଦ୍ୱାରା ପେଟ ଭିତରେ ଥିବା ସବୁ ଅଙ୍ଗ ସକ୍ରିୟ ହୁଏ, ଲିଭରର ମସାଜ ହୁଏ ଓ ହଜମ ଶକ୍ତି ବଢ଼େ ।

ତ୍ରିକୋନାସନ: ଏହି ଆସନ ଫୁସଫୁସକୁ ଯାଉଥିବା ବାୟୁ ପ୍ରବେଶକୁ ସଫା କରିବାରେ ସାହାଯ୍ୟ କରେ । ଏହି ଆସନ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ମସାଜ୍ କରିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିଥାଏ ।

ପଶ୍ଚିମୋଟ୍ଟନାସନ: ଏହି ଆସନ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ସମଗ୍ର ଶରୀରକୁ ଶକ୍ତି ଯୋଗାଇଥାଏ ।

କରୋନା ମହାମାରୀ ସମୟରେ ଘରେ ରହି ଯୋଗ କରି ସୁସ୍ଥ ରହିବା ଆଜିର ସମୟର ବଡ ଆବଶ୍ୟକତା ହୋଇପଡିଛି । ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ୍ କରି ସୁସ୍ଥ ରୁହନ୍ତୁ ।