ଫଟୋ - ୱିକି କମନ୍ସ

ଆଧ୍ୟାତ୍ମିକ ନିମଗ୍ନତା ମଧ୍ୟରେ ଆତ୍ମସ୍ଥ ହୋଇ ଅନୁଶୀଳନ କଲେ ମନୁଷ୍ୟ ଧର୍ମର ପଵିତ୍ରତା ତଥା ତାର ମହତ୍ତ୍ୱକୁ ଉପଲବ୍ଧି କରିପାରେ । ଏ ସୃଷ୍ଟିରେ କେବଳ ଧର୍ମ ହିଁ ପ୍ରାଣୀ ଓ ପ୍ରକୃତି ପାଇଁ କଲ୍ୟାଣକାରୀ ଅଟେ । ଧର୍ମକୁ ଆଧାର କରି ମନୁଷ୍ୟ ନିଜର କର୍ମମୟ ଜୀବନରେ ସୁଖ ଓ ଶାନ୍ତି ଲାଭ ସହିତ ଈଶ୍ୱରଙ୍କ ଉପାସନା ନିମନ୍ତେ ବିଭିନ୍ନ ପର୍ବପର୍ବାଣୀର ସୃଷ୍ଟି କରିଅଛି । ଈଶ୍ୱରଙ୍କ ଅନେକାନେକ ଗୁଣକୁ ଅନେକାନେକ ନାମରେ ପ୍ରକାଶ କରାଯାଇଛି ।

ଋଗବେଦରେ କୁହାଯାଇଛି- "ଏକୋ ସଦ୍ ବିପ୍ରାଃ ବହୁଧା ବଦନ୍ତି" ।

ସେଥିପାଇଁ ବିଶ୍ୱ ବହୁ ଧର୍ମ, ସଂସ୍କୃତି, ପର୍ବପର୍ବାଣୀ, ଭାଷା, ପରମ୍ପରା ଏବଂ ସଂହତିର ଏକ ମହାନ ସଂଗମସ୍ଥଳ ଅଟେ । ଇସଲାମ ଧର୍ମର ମହାନ ପର୍ଵ 'ଇଦ୍-ଉଲ୍-ଜୁହା' ବିଶ୍ୱମୈତ୍ରୀ, ମାନବିକ କରୁଣା, ଐକ୍ୟ ଓ ସଂହତିର ବାର୍ତ୍ତା ବହନ କରିଥାଏ । ଇସଲାମର ଶାବ୍ଦିକ ଅର୍ଥ ସମର୍ପଣ । ଆଲ୍ଲାହ ତଥା ଈଶ୍ୱରଙ୍କ ନିକଟରେ ନିଜକୁ ଭକ୍ତି ସହକାରେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ ଓ ତ୍ୟାଗ କରୁଥିବା ବ୍ୟକ୍ତିବିଶେଷଙ୍କୁ ମୁସଲମାନ କୁହାଯାଏ । ଏହି ଇଦ୍-ଉଲ୍-ଜୁହା ପର୍ଵ ପ୍ରତିବର୍ଷ ଇଦ-ଉଲ୍-ଫିତରର ଠିକ ଦୁଇମାସ ଦଶ ଦିନରେ ହିଁ ପାଳନ କରାଯାଇଥାଏ । ସବୁ ପର୍ଵପର୍ବାଣୀର କିଛି ନା କିଛି ମହତ୍ତ୍ୱ ରହିଥିବା ପରି ଏହି ପର୍ଵର ଯେଉଁ ବିଶେଷ ତାତ୍ପର୍ଯ୍ୟ ରହିଛି, ତାହା ହେଲା ଈଶ୍ଵରଙ୍କ ପ୍ରତି ଅଟଳ ଆସ୍ଥା ପୋଷଣ କରି ତ୍ୟାଗ ଓ ବଳିଦାନର ଦୀକ୍ଷାରେ ଦୀକ୍ଷିତ ହେବା, ସେଥିପାଇଁ ଏହାକୁ ତ୍ୟାଗ ଓ ବଳିଦାନର ପର୍ବ କୁହାଯାଏ । ମହାନ ହଜରତ ଇବ୍ରାହିମଙ୍କ ଧାର୍ମିକ ଓ ନିଷ୍ଠାବାନ ବଳିଦାନ ଓ ତ୍ୟାଗକୁ ସ୍ମରଣ କରି ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ଵ ପାଳନ କରିଥାନ୍ତି । ଏହାର ପୃଷ୍ଠଭୂମିରେ ଥିବା କାହାଣୀଟି ହେଲା - ଥରେ ହଜରତ ଇବ୍ରାହିମ ସ୍ବପ୍ନ ଦେଖିଲେ ଯେ ଆଲ୍ଲାହ ତାଙ୍କୁ ଆଦେଶ ଦେଉଛନ୍ତି ତାଙ୍କ ନାମରେ ନିଜ ସ୍ନେହର ପୁତ୍ର ଇସମାଇଲକୁ କୁର୍ବାନି (ଉତ୍ସର୍ଗ) କରିବା ନିମନ୍ତେ ! ସେ ତାଙ୍କର ସ୍ୱପ୍ନ କଥା ପୁତ୍ରକୁ ଜଣାଇଲେ, ତାଙ୍କ ଆଦର୍ଶ ପୁତ୍ର ସହର୍ଷ ଏକଥାରେ ରାଜି ହୋଇଗଲେ । ତେଣୁ ପୁତ୍ରଙ୍କ କହିବା ଅନୁସାରେ ସେ ନିଜ ଚକ୍ଷୁରେ ପଟି ବାନ୍ଧି ପୁଅର ବେକରେ ଛୁରୀ ଚାଳନା କଲେ, କିନ୍ତୁ ଆଲ୍ଲାହଙ୍କ ଆଦେଶରେ ହଜରତ ଜିବରେଇଲ ଇସମାଇଲଙ୍କ ସ୍ଥାନରେ ଗୋଟିଏ ପଶୁକୁ ରଖିଦେଲେ, ଇବ୍ରାହିମ୍ ଆଖି ଫିଟାଇ ଦେଖନ୍ତି ତ' ଇସମାଇଲ ତାଙ୍କ ପାଖରେ ଠିଆ ହୋଇଛି ଆଉ ସେ ଗୋଟିଏ ପଶୁକୁ କୁର୍ବାନି ଦେଇଛନ୍ତି । ସେହିଦିନଠାରୁ ଏ କୁର୍ବାନି ପ୍ରଥା ପ୍ରଚଳିତ ହୋଇଆସୁଛି ।

ସ୍ୱପ୍ନରେ ହଜରତ ଇବ୍ରାହିମଙ୍କୁ ପୁତ୍ର ବଳିଦେବାର ଆଦେଶର ଗୁପ୍ତ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ବଳି ବା କୁରବାନି ନ ଥିଲା, ଏହା ଥିଲା ଭକ୍ତଙ୍କର ଅଟଳ ଭକ୍ତି, ନିରୁଦବିଗ୍ନ ନିଷ୍ଠା ଓ ଭରସାର କେବଳ ପରୀକ୍ଷା ନେବା ! ହିବ୍ର୍ଯୁ ବାଇବେଲରେ ଉଲେଖିତ ଥିବା ଇବ୍ରାହିମ୍ ଓ ତାଙ୍କ ପୁତ୍ର ଇସାକ୍ କାହାଣୀ ଏବଂ ମହାଭାରତରେ କର୍ଣ୍ଣ ତାଙ୍କ ପୁତ୍ରକୁ ବଳିଦାନ କରିବା କାହାଣୀ ଏବଂ ବିଧ ସମର୍ପିତ ନିଷ୍ଠାର ପରିଚାୟକ ! ବିଶ୍ଵର ବିଭିନ୍ନ ଧର୍ମରେ ଏପରି ଉଦାହରଣମାନ ରହିଛି ।

ଧର୍ମ ନାମରେ ପଶୁବଳିକୁ ନେଇ ଆଜି ନାନା ବିବଦମାନ ବ୍ୟାଖ୍ୟା ଦେଖିବାକୁ ମିଳେ । ଭାରତରେ ପ୍ରତି ବର୍ଷ ଶାରଦୀୟ ଦୁର୍ଗାପୂଜା ଓ କାଳୀପୂଜାରେ କେତେକ ଶକ୍ତିପୀଠରେ ପଶୁବଳି ପରମ୍ପରା ପ୍ରଚଳିତ । ବେଦରେ ପଶୁହିଂସା ନାହିଁ, ଯଜୁର୍ବେଦର ପ୍ରଥମ ଅଧ୍ୟାୟରେ ଉଲ୍ଲେଖ ଅଛି - "ଯଜମାନସ୍ୟ ପଶୁନ୍ ପାହି"। ଅର୍ଥାତ ଯଜମାନର ପଶୁଙ୍କୁ ରକ୍ଷାକର । ବେଦ ପରି ଇସଲାମରେ ମଧ୍ୟ ଅନେକ ସ୍ଥଳରେ ପଶୁରକ୍ଷା ଓ ପଶୁପାଳନ ସମ୍ବନ୍ଧରେ ନିର୍ଦ୍ଦେଶ ଓ ପ୍ରାର୍ଥନାମାନ ରହିଛି । ହଦିସ ବାଣୀ ମୁତାବକ, 'ଆଲ୍ଲାହତାଲାଙ୍କ ସୃଷ୍ଟିରେ ସମସ୍ତ ପ୍ରାଣୀ ତାଙ୍କର ପରିବାର ଭଳି । ପୈଗମ୍ବର ହଜରତ ମୁସା (ଆ:ସ) (ମୋଜେସ-Old Testament) ଏକଦା ଆଲ୍ଲାହଙ୍କୁ ପଚାରିଲେ - "ହେ ଆଲ୍ଲାହ ! ତୁମ ସୃଷ୍ଟିରେ ତୁମେ ସବୁଠାରୁ ଅଧିକ କାହାକୁ ଭଲ ପାଅ ? ଆଲ୍ଲାହତାଆଲା କହିଲେ - "ସେହି ମାନବକୁ ଯିଏ ଅନ୍ୟକୁ କଣ୍ଟକ ଦଂଶନ କଲେ ସମଦୁଃଖୀ ହୁଏ !" ଅର୍ଥାତ ଅନ୍ୟର ଦୁଃଖରେ ଦୁଃଖୀ ହୁଏ । କେଉଁଠାରେ ପରିବେଶ ସନ୍ତୁଳନ ତ କେଉଁଠାରେ ଭୌଗୋଳିକ ଆବଶ୍ୟକତା, ତଥା ଖାଦ୍ୟ ଅଭାବ ପୂରଣ ପାଇଁ ଭୋଜନୀୟ ସାମଗ୍ରୀମାନ ଧର୍ମପ୍ରଥାରେ ବର୍ଣ୍ଣିତ ହୋଇଛି ।

ସେ ଯାହାବି ହେଉ ଏହି ପ୍ରଥା ଓ ପରମ୍ପରାର ସମ୍ମାନ ସବୁବେଳେ ରହି ଆସିବା ଦରକାର । ଧର୍ମପ୍ରଥାର ପ୍ରକୃତ ସଂଗୁପ୍ତ ମର୍ମ ହେଉଛି, ମନୁଷ୍ୟଠାରେ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ପରି ପଶୁ ପ୍ରବୃତ୍ତିକୁ ବଳିଦେବା । ଆମକୁ ଆମ ଧର୍ମଶାସ୍ତ୍ର ତଥା ମାନବ ସମାଜର ସମ୍ବିଧାନ ଗ୍ରନ୍ଥକୁ ଅଧ୍ୟୟନ କରିବା ଉଚିତ । ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଅଂହିସା ଓ ଶ୍ରେଷ୍ଠ ତପ ହେଉଛି ଅଂହିସା । ଏହା ଆମ ଧର୍ମ ଶାସ୍ତ୍ର, ବେଦଠାରୁ କୁରଆନ ପର୍ଯ୍ୟନ୍ତ ସମସ୍ତ ମୁନି, ୠଷି ଓ ସନ୍ଥମାନଙ୍କ ଦ୍ୱାରା ସମଗ୍ର ମାନବ ଜଗତ ପାଇଁ ଉପଦେଶ । ଏଣୁ ଆମକୁ ମନେ ରଖିବାକୁ ହେବ ଯେ ଅଂହିସା ଭାବ ହିଁ ସୁଖ ଦେଇପାରେ !