ଫଟୋ - ସୁମିତ୍ରା ପାଢୀ

କୌଣସି ଚାକିରି କି ପାଠ ପଢା ନଥିଲେ ବି ରବିବାର ଆସିଲେ ମନଟା ଖୁସି ହୋଇଯାଏ... ସକାଳ ନଅଟା ନହେଲେ ଉଠିବାକୁ ଇଚ୍ଛା ହୁଏନି... କାମ ଗଦାଏ ଥିଲେ ବି କରିବାକୁ ଇଚ୍ଛା ହୁଏନି...

ରବିବାର ନାମ ସହ ଛୁଟିର ଧାରଣାଟି ଯୋଡ଼ି ହୋଇ ମନରେ ଏମିତି ଖୁନ୍ଦି ହୋଇ ରହିଛି ଯେ, ଦିନଟା ସାରା କେବଳ ‘ଛୁଟି ଅଛି ତ’ ଭାବୁଭାବୁ ସମୟ ସବୁ କୁଆଡେ଼ ଉଡ଼ିଯାଏ ଯେ ବୁଝି ହୁଏନି । ଅଥଚ ମୋ ପରି ଫ୍ରି ଲାନ୍ସରଙ୍କ ପାଇଁ ତ ସବୁଦିନ ଛୁଟିଦିନ ।

ଏମିତି ତର୍ଜମା କରିବାକୁ ଆରମ୍ଭ କଲାବେଳକୁ ଅନୁଭବ କରୁଛି ଯେ, ପିଲାଦିନରୁ ଅଭ୍ୟସ୍ତ ଥିବା ଛୁଟିର ମାନସିକତା ମୋ ଭିତରେ କେତେ ଗାଢ଼ ହୋଇ ମିଶିଯାଇଛି ବୋଲି । ସେଥିପାଇଁ ନିର୍ଦ୍ଦିଷ୍ଟ ଗୋଟିଏ ଦିନ ସବୁବେଳେ ଛୁଟି ରହିବାର କଥାଟା ମୋ ମନକୁ ପାଏନି ।

ସେଦିନ ଗୋଟିଏ ଆବାସିକ ବିଦ୍ୟାଳୟର ଅଫିସ ଘରେ ବସିଥିଲି । ଅଲୋଚନା ଭିତରେ ଅଧ୍ୟକ୍ଷଙ୍କ ଚଉକିର ଠିକ୍ ପଛକୁ ମହାପୁରୁଷମାନଙ୍କ ଫଟୋ ସହ ଟଙ୍ଗା ଯାଇଥିବା ଛୁଟିର ତାଲିକାଟି ଆଖିରେ ପଡ଼ିଲା । ସାରା ଦେଶ ଓ ଆମ ରାଜ୍ୟର ନିୟମିତ ଛୁଟିଗୁଡ଼ିକ ଛାଡ଼ି ଦୁଇଦିନିଆ ସ୍ଥାନୀୟ ଛୁଟି ତିନୋଟି ଓ ଅନୁଷ୍ଠାନରେ ପାଳିତ ହେଉଥିବା ବିଶେଷ ଦିବସ ସହ ଖରାଛୁଟି ଆଦି ମିଶେଇଲାରୁ ଶହେ ଡେଇଁଗଲା । ଆମ ଦେଶରେ ଏତେ ଧର୍ମ, ଏତେ ମହାପୁରୁଷ ଯେ, ସବୁ ମାସ କିଛି ନା କିଛି ପଡ଼ିଯାଏ । ତା’ପରେ ଆମ ଓଡ଼ିଶା ତ ‘ବାର ମାସରେ ତେର ପର୍ବ’ ପାଇଁ ନାଁ ଡାକ । ତଥାପି ଶିକ୍ଷକଙ୍କଠୁ ଆରମ୍ଭ କରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଅନ୍ୟ ଚାକିରିଜୀବୀମାନେ ମଧ୍ୟ ଅନେଇ ରହିଥା’ନ୍ତି ଅଚାନକ ମିଳୁଥିବା ଛୁଟିମାନଙ୍କୁ ।

ସେଦିନ ସଚିବାଳୟରେ ଚାକିରି କରୁଥିବା ଖୁବ୍ ଶିକ୍ଷିତ ଦୁଇ ବନ୍ଧୁ ଫାଷ୍ଟଫୁଡ଼୍ ଦୋକାନରେ ମୋ ପାଖ ଚଉକିରେ ବସି କଥା ହେଉଥା’ନ୍ତି ଯେ, ‘ଅମୁକ ପୂର୍ବତନ ରାଷ୍ଟ୍ରପତି ଚାଲିଗଲେ ବୋଲି ତ ଛୁଟି ଦୁଇଦିନ ମିଳିଥିଲା । ଆମ ମୁଖ୍ୟମନ୍ତ୍ରୀ ବି ଖୁବ୍ ଅସୁସ୍ଥ । ସେ ଚାଲିଗଲା ପରେ ଯାହା ହେଲେ ବି ଖୁବ୍ ଜଲଦି ଆଉ ଦୁଇଦିନ ଛୁଟି ମିଳିବ ।’ ଆମ ଲାଗି ଛୁଟି ଏତେ ନିତାନ୍ତ ଜରୁରୀ ଯେ ଏଯାଏଁ ବଞ୍ଚିଥିବା ଓ ସମାଜରେ ନାଁ ଥିବା ମହାନ୍ ବ୍ୟକ୍ତିମାନଙ୍କ ଦେହାନ୍ତ ଲାଗି ବି ଆମେ ଅନେଇ ବସିଥାନ୍ତି ଛୁଟିର ମଜା ନେବା ପାଇଁ । କର୍ମ କ୍ଷେତ୍ରରେ ଥିବା ବେଳେ ଏମିତି ଖବର ପାଇଲେ ବେଶୀ ଲାଭ । ସେଦିନ ତ ଅଧା ଦିନର ଛୁଟି ମିଳିବ ଓ ତା’ ପରଦିନ ମଧ୍ୟ ସମ୍ପୂର୍ଣ୍ଣ ଛୁଟି । କେତେ ବାକିଆ କାମ, ମାର୍କେଟ ବୁଲା ଓ ଶୋଇବାର ଅବସର ପାଇ ଖୁବ୍ ଖୁସି ସମସ୍ତେ । ଆମ ଗହଣରୁ ଚାଲିଯାଇଥିବା ବ୍ୟକ୍ତିଙ୍କର ସମାଜ ପ୍ରତି ଅବଦାନ, କାର୍ଯ୍ୟ ଓ ମହାନତା ସବୁ ମନେପକାଇ ସମ୍ମାନ ଓ କୃତଜ୍ଞତା ଜଣେଇବା ଲାଗି ମିଳୁଥିବା ଦିନଟାରେ ଏତେ କାମ ପଡ଼ିଯାଏ ଯେ, ସତ କହୁଛି, ବିଲକୁଲ୍ ବି ସମୟ ମିଳେନି କାହାକୁ କୃତଜ୍ଞତା ଜଣାଇବାକୁ ବା ଦଣ୍ଡେ ଘଡ଼ିଏ ବସି ମନେ ପକେଇବାକୁ । କ’ଣ ସତ ନା ନାହିଁ ?

ଏସବୁ କଥା ବାରବାର ଦେଖିବା ପରେ ‘ଯଦି ଏମିତି ମାନସିକତାର ପରିବର୍ତ୍ତନ କରାଯାଇ ପାରନ୍ତା ତାହେଲେ କେତେ ଭଲ ହୁଅନ୍ତା’ ଭାବି ସେଦିନ ବିକଳ୍ପ ଶିକ୍ଷା ବ୍ୟବସ୍ଥା ଆପଣେଇ କିଛି କିଛି କାମ କରିବାକୁ ଚାହୁଁଥିବା କେତେଜଣ ଶିକ୍ଷକଙ୍କ ଆଗରେ ମୋର ସେଇ ମତଟି ରଖିଲି । ସେଇ ମତ ସହ ମୋ ନିଜର ଅଭିଜ୍ଞତା, ତଥା ଜାଣିଥିବା କିଛି କାରଣ ବି କହିଲି । ମୁଁ ସେମାନଙ୍କୁ ଉଭୟ ସାପ୍ତାହିକ ଓ ବର୍ଷର ବଡ଼ ଛୁଟି ବିଷୟରେ କହୁଥିଲି ।

ମୋର ମତ ଥିଲା ‘ରବିବାର ବୋଲି କିଛି ରହିବନି । ବାଧ୍ୟତାମୂଳକ ଭାବେ ସବୁବେଳେ କାମ କରୁଥିଲେ ସିନା ବିରକ୍ତ ହୋଇ ଗୋଟିଏ ଦିନ କାମରୁ ବିରତି ଦରକାର । ଯଦି ଖୁସି ଲାଗୁଥିବା କାମଟି ହିଁ ସବୁଦିନେ ହେଉଥାଏ ତେବେ ଗୋଟିଏ ଦିନ ବି ସେଥିରୁ ବିରତି ବିରକ୍ତିକର ମନେ ହେବ । ଯଦି ଏହା ଏକ ଆବାସିକ ବିଦ୍ୟାଳୟ ବୋଲି ନିହାତି କିଛି ପରିବେଶ କାମ ପଡେ଼’ ତେବେ ସବୁ ସପ୍ତାହରେ ଭିନ୍ନ ଭିନ୍ନ ବାର ବଦଳାଇ ବା କାମର ଆବଶ୍ୟକତାକୁ ଆଖିରେ ରଖି ଶ୍ରେଣୀ କାର୍ଯ୍ୟକ୍ରମ ବନ୍ଦ ରଖିଲେ ଚଳିବ । ସବୁଦିନ ତ ନାଚ, ଗୀତ, ଖେଳ, ଶାରୀରିକ ଶ୍ରମ, ଭ୍ରମଣ, ନାଟକ, ଭିଜୁଆଲ ପ୍ରୋଗ୍ରାମ ଆଦି ହେଉଛି ଏଠାରେ । ତେବେ ଅଧିକା ଗୋଟିଏ ଦିନ ନେଇ ଆଉ କ’ଣ କରିବା ଯେ ? ତା’ପରେ, ଏଠାକାର ଅଭିଭାବକମାନେ ମଧ୍ୟ ପ୍ରାୟତଃ ଚାକିରିଆ ନୁହଁନ୍ତି, ବ୍ୟବସାୟୀ । ଯେଉଁମାନେ ଚାକିରିଆ ସେମାନେ ବାହାରେ ରହୁନ୍ତି । ମାସକୁ ଥରେ ରବିବାରରେ ଯେଉଁ ଅଭିଭାବକ ବୈଠକ ବସେ ସେଥିରେ ବି ଯୋଗ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ବାକି ରହିଲେ ଶିକ୍ଷକ । ଶିକ୍ଷକମାନଙ୍କର ତ ଯେତେବେଳେ ଆବଶ୍ୟକତା ପଡୁଛି ତାହା ୱାର୍କିଙ୍ଗ ଡେ ରେ ହିଁ ପଡୁଛି, ଛୁଟି ଦିନରେ ନୁହେଁ । ଯାହାର ଦରକାର ଥିବ ସେ ରବିବାରକୁ କାହିଁକି ଅନାଇ ରହିବ ଯେ ?

ଏ ତ ଥିଲା ରବିବାର ଛୁଟି ବିଷୟରେ ମୋର ମତ । ଠିକ୍ ସେହିଭଳି ଦୁର୍ଗାପୂଜା ବା ରଜ ଛୁଟି ବି କାହିଁକି ହେବ ବୋଲି ମୁଁ ଭାବୁଥିଲି । ଯେଉଁମାନଙ୍କର ବାପା, ମାଆ ରାଜ୍ୟ ବାହାରେ ଥାଆନ୍ତି ସେମାନେ ପ୍ରାୟତଃ ନିଜ ଘରର ବିଶେଷ କାର୍ଯ୍ୟକ୍ରମରେ ହିଁ ଗାଁକୁ ଆସନ୍ତି ନହେଲେ ରହୁଥିବା ରାଜ୍ୟର ଛୁଟି ଅନୁସାରେ ବା କମ୍ପାନୀର ସୁବିଧା ଅସୁବିଧା ଅନୁସାରେ ଘରକୁ ଆସନ୍ତି । ପିଲା ଯେହେତୁ ଛୁଟିରେ ଘରକୁ ଯାଇଥାଏ ତେଣୁ ତାକୁ ଆଉ ଛଡ଼ାଯାଏନି । ଆଉ ଛୁଟି ଯେହେତୁ ବାଧ୍ୟତାମୂଳକ ତେଣୁ ପିଲାର ବାପା ମାଆ ନଥିଲେ ବି ମାମୁଁ - ମାଇଁ, କକା - ଖୁଡ଼ି ନହେଲେ ଅନ୍ୟ ସମ୍ପର୍କୀୟମାନେ ଆସି ନେଇଯାଆନ୍ତି । ଛୁଟି ପରେ ପିଲା ଫେରିବା ବେଳକୁ ଚିରା, ମଇଳା ପୋଷାକ, ଅସୁସ୍ଥ ଦେହ ଓ ଯାବତୀୟ କୁଅଭ୍ୟାସ ସହ ସ୍କୁଲକୁ ଫେରେ । ସମ୍ପର୍କୀୟମାନଙ୍କ ପାଖରେ ଏତେ ସମୟ ବି ନଥାଏ ପିଲା କଥା ଠିକ୍ ରେ ବୁଝିବାକୁ । ତେଣୁ ମୁଁ ଆଦୌ ଚାହୁଁ ନଥିଲି ଛୁଟି ହୋଇ ଆସୁଛି ବୋଲି ସଂସ୍କାରଗତ ଭାବେ ଆମକୁ ବାଧ୍ୟରେ ଛୁଟି ଦେବାକୁ ପଡୁ ବୋଲି ।

ହେଲେ ଛୁଟିକୁ ନେଇ ଆମ ଅଭିଜ୍ଞ ଶିକ୍ଷକମାନଙ୍କର ଜବାବ୍ କିନ୍ତୁ ଥିଲା ଖୁବ୍ ତୀକ୍ଷ୍ଣ, ତତ୍ସହିତ ମୋ ବିଚାର ବୁଦ୍ଧିର ବାହାର ମଧ୍ୟ । ସେମାନଙ୍କ ମତରେ;

  • ସବୁଆଡେ ଛୁଟି ହେଉଛି ତେଣୁ ଆମର ବି ହେବ ।
  • ଯେଉଁମାନଙ୍କୁ ତୁମେ ଅତିଥି ଶିକ୍ଷକ ଭାବେ ଡାକିବାକୁ ଚାହିଁବ ସେମାନେ ଅନ୍ୟଦିନେ ଆସିପାରିବେନି ।
  • ନିର୍ଦ୍ଧିଷ୍ଟ ନିୟମ କିଛି ଆଉ ରହିବନି ।
  • ବଡ଼ମାନେ (ଶିକ୍ଷକ) ଲୁଗା ସଫା କରିବେ, ପିଲାଙ୍କର ବି ଲୁଗା ସଫା କରିବାକୁ ଧୋବା ଆସିବ ।
  • ପିଲାମାନେ ସବୁ ସାବୁନ୍, ସାମ୍ପୋ ଲଗାଇ ଗାଧୋଇବେ ।
  • ପରିବେଶ ସଫା ସୁତୁରା ହେବ ।
  • ଯେଉଁମାନଙ୍କୁ ଭେଟିବାର ଥିବ, ସେମାନଙ୍କର ରବିବାର ହିଁ ଛୁଟି ଥିବ ।
  • ଆମେ ଟିକେ ବଜାର ଆଡେ଼ ବୁଲିବାକୁ ଯିବୁ ।
  • ସଙ୍ଗଠନ ସ୍ତରୀୟ କାର୍ଯ୍ୟକ୍ରମ ସବୁ ଶନିବାର, ରବିବାର ରହିବ ।
  • ସବୁଆଡେ଼ ଛୁଟିର ମାହୋଲ୍ ତ ଥିବ ତେଣୁ ଭଲ ଲାଗିବ ।
  • ପିଲା ବଡ଼ ଛୁଟିରେ ଏଠି ରହିବାକୁ ଚାହିଁବେନି ।
  • ପିଲା ଘରକୁ ଯିବେ, ଏଠି ବାରମାସ କାହିଁକି ରହିବେ ଯେ ?

ଏସବୁ କଥା ଭିତରୁ ଅନେକର ଉତ୍ତର ମୁଁ ପୂର୍ବରୁ ଦେଇ ସାରିଥିଲି ଓ ବାକି କିଛିଟା ସେହି ମୁହୂର୍ତ୍ତରେ ଦେବା ସତ୍ତ୍ୱେ ବି ସେମାନଙ୍କ ପ୍ରତିରୋଧର ସାମ୍ନା କରିବାକୁ ପଡୁଥାଏ । କିଛି ଶିକ୍ଷକ ଓ ସମ୍ପାଦକ କିନ୍ତୁ ମୋ ସହ ଏକମତ ଥାଆନ୍ତି । ଏ ଥିଲା ମାର୍ଚ୍ଚ ପାଞ୍ଚ, ଦୁଇହଜାର ପନ୍ଦର ମସିହାର କଥା । ତେଣୁ ଏପ୍ରିଲରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଏ କଥାର ଆଉ ପ୍ରୟୋଗ ଆରମ୍ଭ କରିହେଲାନି । ରଜ ଛୁଟି ମଧ୍ୟ କରିବାକୁ ହେଲା ।

ରଜ ଛୁଟି ପୂର୍ବର ମାସିକ ଅଭିଭାବକ ବୈଠକରେ କିନ୍ତୁ ମଜାଦାର କଥାଟିଏ ଘଟିଲା । ସେଥର ବୈଠକରେ ସର୍ବାଧିକ ଅଭିଭାବକ ମଧ୍ୟ ଉପସ୍ଥିତ ଥାଆନ୍ତି । ସବୁଥର ହୋଇ ଆସୁଥିବା କୋଡ଼ିଏ ଦିନିଆ ରଜ ଛୁଟି ଓ ଦଶ ଦିନିଆ ଦୁର୍ଗାପୂଜା ଛୁଟି କରିବା ନା ବିଲ୍କୁଲ୍ ଛୁଟି କରିବାନି ବୋଲି ପଚାରିଦେଲି ତାଙ୍କର ମତଟି ଜାଣିବାକୁ । କେବଳ ଜଣେ ପିଲାର ମାଆଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଛୁଟି କରନ୍ତୁ ନାହିଁ’ ବୋଲି କହିଲେ । ଘରକୁ ଗଲେ ପିଲାମାନେ କଥା ଶୁଣୁ ନାହାନ୍ତି, ସବୁ ଭୁଲି ଯାଉଛନ୍ତି କହିଲେ । ଯାହା ଶିଖିଛନ୍ତି ସବୁ ନଷ୍ଟ ହେବ ଓ ଆପଣଙ୍କ ଶ୍ରମ ବୃଥା ଯିବ ବୋଲି ମଧ୍ୟ କହିଲେ । ଯଦିଓ ମୁଁ ଜାଣିଥିଲି ଯେ, ସେମାନେ ପିଲାଙ୍କୁ ଘରକୁ ନେଲେ ସମୟ ଦେଇପାରିବେ ନାହିଁ କି ସମ୍ଭାଳି ପାରିବେ ନାହିଁ ବୋଲି ଏକଥା କହିଥିଲେ ।

ଆରମ୍ଭରୁ ସେମାନଙ୍କୁ ଏ ଛୁଟି ସବୁ ନ ହୋଇ ଆଉ ଗୋଟିଏ ସୁଯୋଗ ଦିଆଯିବା ବିଷୟରେ ମଧ୍ୟ କୁହାଯାଇଥିଲା । ଯେମିତି କି, ସେମାନେ ଚାହିଁଲେ ନିଜ ଘରର ବିଶେଷ ପର୍ବ ପର୍ବାଣୀରେ, ଘରୋଇ କାର୍ଯ୍ୟକ୍ରମରେ, ଏକାଠି ହେବାର ଅବସରରେ ଓ ପରିବାରର ସମସ୍ତେ ମିଶି ବୁଲିବାକୁ ଯାଉଥିବା ସମୟରେ ନିଜ ପିଲାଙ୍କୁ ନେଇପାରିବେ ବୋଲି କୁହାଯାଇଥିଲା । ଏହି ପ୍ରସ୍ତାବଟିରେ ସମସ୍ତେ ଖୁସି ହୋଇଯାଇଥିଲେ ଏବଂ ବର୍ଷସାରାର ଯେଉଁ ଯେଉଁ ଦିନ ଓ ଅବସର ମାନଙ୍କରେ କେତେ ଦିନ ଲେଖାଏ ନିଜ ପିଲାଙ୍କୁ ନେବାକୁ ଚାହାନ୍ତି ତାହାର ଏକ ଚିଠା ମଧ୍ୟ ତିଆରି କରି ଦେଇଥିଲେ । ଏମିତି ଭାବରେ କାମ ହୋଇଥିଲେ ପିଲାମାନଙ୍କୁ ଅତି ବେଶୀରେ ଦଶ ପନ୍ଦର ଦିନ ଲାଗି ମାତ୍ର ଘରକୁ ନେବାକୁ ହୋଇଥାନ୍ତା ତାଙ୍କୁ ।

ଏପଟେ ଏହି ସମାନ କଥାଟି ପିଲାଙ୍କର ଶନିବାରିଆ ସାପ୍ତାହିକ ବୈଠକରେ ମଧ୍ୟ ପଡ଼ିଥିଲା । ଛୁଟି ନହେବା ଓ ତା ବଦଳରେ ମିଳୁଥିବା ସୁଯୋଗ ଉଭୟ ବିଷୟରେ କୁହାଯାଇଥିଲା । ଶନିବାର ପିଲାଙ୍କ ବୈଠକଟି ଏମିତି ଏକ ଅବସର ଯେଉଁଠି ପିଲାମାନେ ନିଜର ଇଚ୍ଛା - ଅନିଚ୍ଛା, ପସନ୍ଦ -ଅପସନ୍ଦ, ଅଭିଯୋଗ (ବଡ଼, ସାନ, ଶିକ୍ଷକ, ସମ୍ପାଦକ, ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କ ବିରୋଧରେ) କହିପାରିବାର ସୁଯୋଗ ଥାଏ । ପ୍ରସ୍ତାବ ଶୁଣି ଅନେକ ପିଲା କହିଥିଲେ ଯେ ଆମେ ବିଲକୁଲ୍ ବି ଘରକୁ ଯିବାକୁ ଚାହୁଁନୁ । ଜଣେ ଦୁଇ ଜଣ ଛୁଟିରେ ଘରକୁ ନଯିବାକୁ କନ୍ଦାକଟା କରି ରହିଯାଆନ୍ତି ମଧ୍ୟ । ଆଉ କିଛି ପିଲା କହିଥିଲେ ଯେ ଘରକୁ ତ ଆମେ ସାଇକେଲ ଚଳାଇବାକୁ ଓ ମାଂସ ଖାଇବାକୁ (ମାଛ, ଅଣ୍ଡା, ଚିଙ୍ଗୁଡ଼ି ସବୁ ହୁଏ ବିଦ୍ୟାଳୟରେ କିନ୍ତୁ ମାଂସ ନୁହେଁ) ଯାଉ । ସେ ଦୁଇଟାର ସୁବିଧା ହୋଇଗଲେ ଆମେ ବି ଆଉ ଘରକୁ ଯିବୁନି ।

ଶିକ୍ଷକମାନଙ୍କ ଅଭାବରୁ ସେଥର ରଜ ଛୁଟିଟା କରିବାକୁ ହେଲା । ଅଭିଭାବକଙ୍କୁ ମତକୁ ଆଖିରେ ରଖି ଦୁର୍ଗାପୂଜା ଛୁଟି ଆଉ ହେବନି ବୋଲି ସ୍ଥିର ହେଲା । ନିଜ ଅଞ୍ଚଳର ପର୍ବପର୍ବାଣୀ ସମୟରେ ପିଲା ଘରକୁ ଯିବା’ କଥାଟି ସମସ୍ତଙ୍କ ମନକୁ ବେଶ୍ ପାଇଥିଲା । କାରଣ ଅନୁଷ୍ଠାନର ପୂର୍ବରୁ ଚାଲିଥିବା ନିୟମ ଅନୁସାରେ;

  • ସ୍ଥାନୀୟ ଛୁଟି ଦିନମାନଙ୍କରେ ପିଲା ଘରକୁ ଯାଆନ୍ତିନି ।
  • ଅଭିଭାବକ ବୈଠକରେ ଛୁଟି ଯେଉଁ ଦିନ ହେବ ବୋଲି ସ୍ଥିର ହୋଇଥାଏ ତାହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ କାହାରିକୁ ଘରକୁ ଯିବାକୁ ଦିଆଯାଏନି ।
  • ଦୂରରେ (ବାହାର ରାଜ୍ୟ ବା ଚାକିରିରେ) ଥିବା ମାଆ ବାପାମାନେ ଛୁଟି ବ୍ୟତୀତ ଅନ୍ୟଦିନମାନଙ୍କରେ ଆସି ଫେରିଗଲେ ବି ପିଲାଙ୍କୁ ନେଇ ପାରନ୍ତିନି । ଯଦିଓ ବିଦ୍ୟାଳୟରେ ପିଲା ସହ ରହି ସମୟ ବିତେଇବାର ସୁଯୋଗ ଥାଏ ତଥାପି ବାହାରକୁ ସାଙ୍ଗରେ ବୁଲେଇ ନେଇ ପାରନ୍ତିନି ।

ଅଭିଭାବକ ଓ ପିଲାଙ୍କ ସହ ଏସବୁ ଆଲୋଚନା ହେବା ପରେ ପୁଣି ଥରେ ଏହି ପ୍ରସଙ୍ଗଟି ଶିକ୍ଷକଙ୍କ ମେଳରେ ପଡ଼ିଲା । ତଥାପି ଏହାର ଉଦ୍ଦେଶ୍ୟ ଓ ବିସ୍ତୁତିକୁ କେହି ବୁଝିଲେନି । କଥା ରହିଗଲା “ଆଉ କେଉଁଠି ତ ହେଉନି ନହେଲେ ଆମେ ପଢ଼ିବା ବେଳେ ତ ଏମିତି ହେଉନଥିଲା" ପାଖରେ । ରବିବାର ଛୁଟି ବନ୍ଦ କରିବା ବିଷୟରେ ତ ବିଲକୁଲ୍ ବି କେଇଜଣ ରାଜି ହେଲେନି । ଅନ୍ୟ ଗୋଟିଏ ଦିନ ଛୁଟି କରିବା କହିବା ପରେ ବି ନୁହେଁ । ଛୁଟି ନୁହେଁ ତ ସତେ ଯେମିତି ତାଙ୍କର ଦରମା କଟିଗଲା ପରି ତାଙ୍କୁ ମନେ ହେଉଥିଲା ବୋଧେ ।

ମୋ ହିସାବରେ; ଇଚ୍ଛା ଯେତେବେଳେ ବନ୍ଧନ ହୋଇଯାଏ, ଖୁସି ହେବା ପାଇଁ ଯେତେବେଳେ କାରଣ ସବୁ ଲୋଡ଼ାହୁଏ, ଜୀବନ ସେତେବେଳେ ଘଟଣାବହୁଳ ନହୋଇ ସାଧାରଣ ଦିନ କେତୋଟି ହୋଇଯାଏ, ସେଇଠି ବାର, ତାରିଖ ଗଣୁ ଗଣୁ ସମୟ ସରିଯାଏ, ଛୁଟି ଲୋଡ଼ାପଡେ଼ ।