ଚିତ୍ର - ୱିକି କମନ୍ସ

ହିଟଲର୍ ଙ୍କର ଜଣେ ଅତ୍ୟନ୍ତ ବିଶ୍ୱସ୍ତ ଡାକ୍ତରଙ୍କୁ କେନ୍ଦ୍ରକରି ଏଇଲେଖାଟି ଆଧାରିତ । ସେହି ଡାକ୍ତରଙ୍କ ନାଆଁ ହେଉଛି ଡାଃ ଥିଓଡର୍ ମୋରେଲ୍ । ଡାଃ ମୋରେଲ୍ ହେଉଛନ୍ତି  ହିଟଲର୍ ଙ୍କ ନାଜୀ ବିଚାରଧାରା ଅନୁସାରେ ଗ୍ରହଣୀୟ ହେଉଥିବା, ଜଣେ ବିଶୁଦ୍ଧ ଆର୍ଯ୍ୟ ରକ୍ତଧାରୀ ଜର୍ମାନ୍ । ତାଙ୍କର ଯେ କୌଣସି ନୀଚ ଇହୁଦୀ ସଂଶ୍ରବ ନଥିଲା ଏକଥା ନୁହଁ । ତାଙ୍କର ପ୍ରିୟତମ ବନ୍ଧୁମାନଙ୍କ ତାଲିକାରେ ଜଣେ ଦୁଇଜଣ ଇହୁଦୀ ରହିଥିଲେ । ମାତ୍ର କୌଣସି ଅଜ୍ଞାତ କାରଣବଶତଃ ସେମାନଙ୍କର ଅପଘାତ ମୃତ୍ୟୁ ହୋଇଥିଲା । ତାହାପରଠାରୁ ଡାଃ ମୋରେଲ୍ ଆଉ ଇହୁଦୀ ସଂପର୍କରେ ଥିଲେ ବୋଲି ନିର୍ଭରଯୋଗ୍ୟ ଭାବରେ କିଛି କୁହାଯାଇପାରିବନାହିଁ । ବିଶେଷତଃ ୧୯୩୦ ଖ୍ରୀଅ ପରେ ଯେବେଠାରୁ ସେ ଆଡଲଫ୍ ହିଟଲର୍ ଙ୍କର ଚିକିତ୍ସାର ଦାୟିତ୍ୱରେ ରହିଥିଲେ ସେବେଠାରୁ ତାଙ୍କର ଆଉ କୌଣସି ଇହୁଦୀ ସଂପର୍କ ରହିଲା ନାହିଁ । ତାଙ୍କର ସମସ୍ତ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖା ଯାଉଥିଲା। ଯଦିଓ ସେ ଜର୍ମାନୀର ପ୍ରିୟ ଫ୍ୟୁରା ଅର୍ଥାତ୍ ସର୍ବୋଚ୍ଚ ନେତାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ ତଥାପି ତାଙ୍କ ଉପରେ ନାଜୀ ନିୟନ୍ତ୍ରଣରେ ସାମାନ୍ୟତମ କୋହଳ ମନୋବୃତ୍ତି ପ୍ରଦର୍ଶନ କରାଯାଉଥିଲା । ଜର୍ମାନୀର ବାଭରିଆ ନିକଟବର୍ତ୍ତୀ ଗୋଟିଏ ଛୋଟ ଟାଉନ, ତାହାର ନାଆଁ ହେଉଛି ବେରଗଫ୍, ସେଇଠେ ଏକ ପାର୍ଟିରେ ଡାଃ ଥିଓଡର ମୋରେଲଙ୍କର ସହ ହିଟଲର୍ ଙ୍କର ପ୍ରଥମଥର ସାକ୍ଷାତ ହୋଇଥିଲା । ସେଇ ବେରଗଫ୍ ହେଉଛି ହିଟଲର୍ ଙ୍କ ନିଜର ପ୍ରିୟ ଜନ୍ମ ସହର ।

ହିଟଲର୍ ଙ୍କର ଯେତେବେଳେ ଡାଃ ମୋରେଲ୍ ଙ୍କ ସହ ବେରଗଫ୍ ର ଏକ ପାର୍ଟିର ସାକ୍ଷାତ ହୁଏ, ସେତେବେଳକୁ ହିଟଲର୍ ପରେ ହିଟଲର୍ ବୋଲି ଯାହାକୁ ଇତିହାସ ଚିହ୍ନେ ସେଇଭଳି ହିଁ ହେବାକୁ ଆଉ ଅଳ୍ପ କିଛି କାଳ ବାକି ଥିଲା । ଜର୍ମାନୀ ସରକାର ତରଫରୁ ସେ ସେତେବେଳେ ବିଦ୍ରୋହୀମାନଙ୍କର ଗତିବିଧି ଉପରେ ନଜର ରଖିବା ଦାୟିତ୍ୱରେ ଥିବା ଏହି ଗଂଭୀର ପ୍ରବୃତ୍ତିର ଯୁବକଜଣକ ଦିନେ ହଠାତ୍ ଆବିଷ୍କାର କରିଥିଲା ଯେ ତାହାର କଂଠରେ ଅଦ୍ଭୁତ ଯାଦୁ ରହିଅଛି ଯାହା ସମଗ୍ର ଜର୍ମାନୀ ଜାତିକୁ ବଶୀଭୂତ କରିପାରିବାର କ୍ଷମତା ରଖେ। ବିଭିନ୍ନ ଗୁପ୍ତ ବୈଠକରେ ବିଦ୍ରୋହୀମାନଙ୍କ ଭଳି ଅବିକଳ ଜଣେ ସାଜି ସେମାନଙ୍କର ସମସ୍ତ ବୃତ୍ତାନ୍ତ ଉପଯୁକ୍ତ ସ୍ତରରେ ନଥିଭୁକ୍ତ କରି ସାରିବାପରେ ସେ ନିଜ ଘରକୁ ଫେରୁଥିଲା । ଘରକୁ ଫେରିବାପରେ ସେ ଦିନେ ଦିନେ ରଂଗ ତୂଳୀ ଧରି ଛବି ଆଙ୍କୁଥିଲା। କିଛି ଐତିହାସିକଙ୍କର ମତ ଯେ ଯଦି ଆଡଲଫ   ହିଟଲର୍ ବର୍ଲିନ ଚିତ୍ରକଳା ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଥାନ୍ତା ତେବେ ପୃଥିବୀରେ ସ୍ୱୈରାଚାରୀର ତାଲିକାରୁ ଅନ୍ତତଃ ଏହିଭଳି ଗୋଟିଏ ବାଦ ପଡିଥାନ୍ତା । ହିଟଲର୍ ଙ୍କର ଚିତ୍ରକଳାରେ ବେଶ୍ ରୁଚି ରହିଥିଲା ଆଉ ବିଧିବଦ୍ଧ ଭାବରେ ଚିତ୍ରକଳା ଶିଖିବା ପାଇଁ ସେ ଚିତ୍ରକଳା ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଥରେ ନୁହଁ ଦୁଇଥର ବସିଥିଲେ, ତାଙ୍କୁ କୌଣସି ସଫଳତା ମିଳିନଥିଲା । ସେ ଯାହାହେଉ ଜଣେ ଚିତ୍ରକର ନୁହଁ, ଜଣେ ନିରଙ୍କୁଶ ନିନ୍ଦିତ ସ୍ୱୈରାଚାରୀ ହେବା ହିଁ ଥିଲା ତାଙ୍କର ଭବିତବ୍ୟ । ମାତ୍ର ସେ ଚିତ୍ରକଳା ଛାଡି ନଥିଲେ । ସବୁଦିନ ପ୍ରାୟତଃ ଛବି ଆଙ୍କୁଥିଲେ । ଜର୍ମାନୀ ସର୍ବୋଚ୍ଚ କ୍ଷମତାଧାରୀ ନେତା ଅର୍ଥାତ୍ ଫ୍ୟୁରା ହେଲାପରେ ସେ ତାଙ୍କ ଦ୍ୱାରା ଅଂକିତ ସମସ୍ତ ଛବି ଯାହାକୁ ସେ ନିଜର ଦୁର୍ଦ୍ଦିନରେ ଯତସାମାନ୍ୟ ମୂଲ୍ୟରେ ବିକିଦେଇଥିଲେ ସେ ସବୁକୁ ନିଜର ଏକ ନିର୍ଦ୍ଦେଶନାମା ବଳରେ ଭିନ୍ନ ଭିନ୍ନ କ୍ରେତାଙ୍କୁ ଠାବ କରି ସେମାନଙ୍କଠାରୁ ସ୍ୱୟଂ ସେଇ ସବୁ ଛବିକୁ କିଣିନେଇଥିଲେ। କୁହାଯାଏ ଯେ ନିଜର ସେହି ଛବିମାନଙ୍କୁ କିଣିବାବେଳେ ହିଟଲର୍ ତତ୍କାଳୀନ ଛବିମାନଙ୍କର ଯାହା ଧାର୍ଯ୍ୟ ମୂଲ୍ୟ ଥିଲା ତାହାଠାରୁ ଅଧିକ ମୂଲ୍ୟ ପ୍ରଦାନ କରିଥିଲେ । ତେଣୁ ହିଟଲର୍ ନିଜ ଜୀବନରେ ଯାହା ଯାହା ଛବି ଆଙ୍କିଥିଲେ ମଲା ପର୍ଯ୍ୟନ୍ତ ସେସବୁ ତାଙ୍କ ନିକଟରେ ଗଚ୍ଛିତ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲର୍ ଙ୍କ ପତନ ଓ ଆତ୍ମହତ୍ୟା ପରେ ତାଙ୍କର ସମସ୍ତ ହାତଅଂକା ଛବି ମିତ୍ରଶକ୍ତି ବିଶେଷତଃ ଆମେରିକାର ହାତରେ ପଡିଥିଲା । ଏବେ ଆମକୁ ହିଟଲର୍ ଙ୍କର ଯେତିକି ଛବି ଦେଖିବାକୁ ମିଳେ ସେସବୁ ଆମେରିକା ପ୍ରକାଶ କରିଛି ବୋଲି ସଂଭବପର ହୋଇଛି । ହିଟଲର୍ ଙ୍କ ପତନ ପରେ ମିତ୍ରଶକ୍ତି ମଧ୍ୟରେ ଗୋଟିଏ କଥାରେ ସହମତି ଥିଲା ଯେ ସେମାନେ ଯେମିତି ହିଟଲର୍ ଙ୍କ ସଂପର୍କରେ ଏମିତି କିଛି ତଥ୍ୟ ସାର୍ବଜନୀନ କରିବେ ନାହିଁ ଯାହାଫଳରେ ବିଶ୍ୱବ୍ୟାପୀ ତିଆରି ହୋଇଥିବା ହିଟଲର୍ ଙ୍କ ଘୃଣିତ ଭାବମୂର୍ତ୍ତିଟି ଟିକିଏ କୋମଳ ହୋଇଯିବ । ଚିତ୍ରକର ହିଟଲର୍ କହିଲେ ବିଶ୍ୱର ଦୃଷ୍ଟିଭଂଗୀ ହଠାତ୍ ନରମ ହୋଇଯିବାର ସଂଭାବନା ଥିବା କାରଣରୁ ହିଟଲର୍ ଙ୍କର ଏହି ସୃଜନାତ୍ମକ ଦିଗଟି ଉପରେ ଆଦୌ ଚର୍ଚ୍ଚା ହୁଏ ନାହିଁ। ହିଟଲର୍ ନିଜ ଜୀବନର ସଂଧିକ୍ଷଣର ସମୟରେ ଯଥେଷ୍ଟ ଛବି ଆଙ୍କୁଥିଲେ ବୋଲି କୁହାଯାଏ । ଆଉ କହିବାକୁ ଗଲେ ସେହି ସମୟଟି ହେଉଛି ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ  ପର୍ଯ୍ୟାୟ ଯେତେବେଳେ ଗୁପ୍ତସଭାରେ ଉପସ୍ଥିତ ବିଦ୍ରୋହୀମାନେ ହିଟଲର୍ ଙ୍କୁ ମନେ କରୁଥିଲେ ଯେ ସେ ଅସଲରେ ତାଙ୍କ ପରି ଜଣେ ସ୍ଥିତାବସ୍ଥାର ବିଦ୍ରୋହୀ । ଦିନେ ସେହିଭଳି ଏକ ଗୁପ୍ତସଭାରେ ହିଟଲର୍ ଙ୍କୁ ତାଙ୍କର ନିୟମିତ ଉପସ୍ଥାନ କାରଣରୁ କିଛି କହିବାକୁ ଅନୁରୋଧ କରାଯାଇଥିଲା ଆଉ ହିଟଲର୍ ସେହି ବିଦ୍ରୋହୀଙ୍କର ଗୁପ୍ତସଭାରେ ଭାଷଣ ଦେଲା ପରେ ଅନୁଭବ କରିଥିଲେ ଯେ ସେ ନିଜର ଅଦ୍ଭୁତ କଂଠସ୍ୱରର ପ୍ରଭାବରେ ଜର୍ମାନ ଜାତିକୁ ନିଜର ବଶୀଭୂତ କରିପାରିବେ । ତାହାପରଠାରୁ ହିଟଲର୍ ବିଦ୍ରୋହୀ ପାଲଟିଗଲେ ଆଉ ଜର୍ମାନୀରେ ନାଜି ଶକ୍ତିର ଅଭ୍ୟୁଦୟ ଘଟିଲା ଏବଂ ହିଟଲର୍ ସର୍ବୋଚ୍ଚ କ୍ଷମତାଧାରୀ ତଥା ଇତିହାସ ପ୍ରସିଦ୍ଧ ସ୍ୱୈରାଚାରୀ ହୋଇଗଲେ ।

୧୯୩୦ ଖ୍ରୀଅରେ ନିଜର ଜନ୍ମ ସହର ନିକଟରେ ଥିବା ବେରଗଫ୍ ସହରରେ ଏକ ପାର୍ଟିରେ ହିଟଲର୍ ଙ୍କ ସହ ତାଙ୍କର ପ୍ରିୟତମ ଡାକ୍ତର ଡାଃ ଥିଓଡର୍ ମୋରେଲ୍ ଙ୍କ ସହ ସାକ୍ଷାତ୍ ହୋଇଥିଲା । ପ୍ରଥମ ଦର୍ଶନରୁ ପ୍ରେମ ଭଳି ଏହି ଡାକ୍ତରଙ୍କ ପ୍ରତି କେଜାଣି କାହିଁକି ଜର୍ମାନୀର ଏହି ଶକ୍ତିଶାଳୀ ନେତା ଅର୍ଥାତ୍ ଫ୍ୟୁରା ଆକର୍ଷିତ ହୋଇ ପଡିଥିଲା । ଇତିହାସରେ ଯେତେଯେତେ ସ୍ୱୈରାଚାରୀମାନଙ୍କର କଥା ରହିଛି ସେମାନେ ନିରଙ୍କୁଶ କ୍ଷମତାଧର ହୋଇ ରହିଥିବା କାରଣରୁ ସେମାନଙ୍କ ଆଚରଣରେ ତଥା ପ୍ରବୃତ୍ତିରେ ସବୁବେଳେ ଦେଖାଯିବା ଭଳି ଭିନ୍ନପଣ ରହିଥାଏ, ଅନେକ ସମୟରେ ତାହା ବିକୃତି ପର୍ଯ୍ୟାୟର ବି ହୋଇଥାଏ । ମାତ୍ର ଜଣେ ସ୍ୱୈରାଚାରୀ ଯେତେ ପରିମାଣରେ ଅମାନବିକ ବିକୃତିରେ ଗ୍ରସ୍ତ ହୋଇଥାଉ ନା କାହିକି ସେ ସବୁବେଳେ ଶାରୀରିକ ଭାବରେ ସୁସ୍ଥ ଓ ଅତ୍ୟଧିକ କାର୍ଯ୍ୟକ୍ଷମ ଯାହାକୁ ଆମେ ଇଂରେଜୀରେ "ହାଇପରଆକ୍ଟିଭ୍" ରହିବାକୁ ପ୍ରୟାସ କରିବ । ବିଶେଷତଃ ଚିରଯୌନକ୍ଷମ ଏବଂ ବୀରତ୍ୱବ୍ୟଞ୍ଜକ ଶରୀର ତାହାର ପ୍ରାଥମିକ ଆବଶ୍ୟକତା । ସେଇଥିପାଇଁ ସାଧାରଣତଃ ସ୍ୱୈରାଚାରୀମାନଙ୍କର ସହିତ ଏକ ଅତ୍ୟନ୍ତ ବିଶ୍ୱସ୍ତ ଚିକିତ୍ସକ ଦଳ ରହିଥାନ୍ତି ଏବଂ ସଂପୃକ୍ତ ସ୍ୱୈରାଚାରୀ ଜଣକ ବି ସେମାନଙ୍କ ଉପରେ ଯଥେଷ୍ଟ ନିର୍ଭରଶୀଳ ହୋଇ ରହିଥାଏ। ଯେଉଁମାନେ ସଂପୃକ୍ତ ସ୍ୱୈରାଚାରୀକୁ ଇତିହାସଭିତ୍ତିକ ଅଧ୍ୟୟନ କରିବାପାଇଁ ଚାହାଁନ୍ତି ସେମାନଙ୍କ ପାଇଁ ଏହିଭଳି ଚିକିତ୍ସକ ହିଁ ହେଉଛନ୍ତି ସବୁଠାରୁ ଅଧିକ ପ୍ରାମାଣିକ ଉତ୍ସ । ଇତିହାସରେ ଉପଲବ୍ଧ ସ୍ୱୈରାଚାରୀଙ୍କର ସମସ୍ତ ଗୋପନ ଆଉ ଆକର୍ଷଣୀୟ ତଥ୍ୟ ଏହି ଭଳି ସ୍ୱୈରାଚାରୀର ଚିକିତ୍ସା-ସ୍ରୋତରୁ ହିଁ ମିଳିଥାଏ । ହିଟଲର୍ ୧୯୩୦ ଖ୍ରୀଅର ବେରଗଫ୍ ସହରର ସେହି ପାର୍ଟିରେ ସାକ୍ଷାତ ପରଠାରୁ ସେଠାରେ ଉପସ୍ଥିତ ଥିବା ଡାଃ ଥିଓଡର୍ ମୋରେଲ୍ ଙ୍କ ଉପରେ ନିଜର ସ୍ୱାସ୍ଥ୍ୟରକ୍ଷା ପାଇଁ କାହିଁକି ଯେ ନିର୍ଭରଶୀଳ ହୋଇପଡିଲେ ଏବଂ ତାଙ୍କ ପ୍ରତି କାହିଁକି ଏତେ ପରିମାଣରେ ବିଶ୍ୱାସ କରିବାକୁ ଆରମ୍ଭ କରିଥିଲେ,ସେ କଥା କେବଳ ହିଟଲର୍ ଙ୍କୁ ଗୋଚର ମାତ୍ର ଏହାଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଡାଃ ମୋରେଲ୍ ଜର୍ମାନୀର ନାଜୀଦଳର "ଇନର୍ ସର୍କଲ୍" ର ଜଣେ ସମ୍ମାନିତ ସଦସ୍ୟ ହୋଇପାରିଥିଲେ । ଆମେ ସାଧାରଣ ଲୋକମାନେ ଯେତେବେଳେ କୌଣସି ଡାକ୍ତରମାନଙ୍କ ପାଖକୁ ଯାଉ ସେତେବେଳେ ଆମ ଆଗରେ ସର୍ବପ୍ରଥମେ ସେଇ ଡାକ୍ତରଜଣକ ପରିଷ୍କାର ପରିଚ୍ଛନ୍ନ ଦିଶୁଥିବା ଆବଶ୍ୟକ । ଏଠାରେ ଉଲ୍ଲେଖ କରାଯାଇଥିବା ହିଟଲର୍ ଙ୍କ ଏହି ବିଖ୍ୟାତ ଡାକ୍ତର ମୋରେଲ୍ ଜଣେ ପୃଥୁଳକାୟ ଓ ସବୁବେଳେ ଦେଖିବାକୁ ଗଲେ ଭାରି ଅପରିଛନ୍ନ ରହୁଥିଲେ । ସବୁବେଳେ ତାଙ୍କର ଦେହରୁ ବାହାରୁଥାଏ ପ୍ରଚୁର ଝାଳ ଗନ୍ଧ । ଏବଂ ଏହାବ୍ୟତୀତ ସେ ସ୍ୱୟଂ "ହେଲିଟୋସିସ୍" ବୋଲି ଏକ ରୋଗର ଶିକାର ଥିଲେ । ଏହି ରୋଗର ଶିକାର ହୋଇଥିବା ଲୋକଜଣକର ମୁହଁରୁ ସାଧାରଣତଃ ସବୁବେଳେ ଉତ୍କଟ ଦୁର୍ଗନ୍ଧ ବାହାରୁଥାଏ । ଏଇ ଦୁର୍ଗନ୍ଧ ଦାନ୍ତ ମାଢି ଜନିତ ଦୁର୍ଗନ୍ଧ ନୁହଁ ଯାହାକୁ ସାଧାରଣରେ "ପାଇରିଆ" ଆଉ ଚିକିତ୍ସାଶାସ୍ତ୍ରରେ "ଜିଞ୍ଜିଭାଇଟିସ୍" ବୋଲି କୁହାଯାଏ । "ହାଲିଟୋସିସ୍" ରୋଗ ହେଲେ ପାଟିରୁ ଯେଉଁ ଦୁର୍ଗନ୍ଧ ବାହାରି ଥାଏ ତାହା ଅସଲରେ ହେଉଛି ଜିଭ ଉପରେ ଜମିଥିବା ମଇଳାରୁ ଆସୁଥିବା ଦୁର୍ଗନ୍ଧ । ତେଣୁ ଡାଃ ମୋରେଲ୍ ଙ୍କ ସହ ଦୀର୍ଘସମୟ ଧରି ଏକାଠି ସମୟ ବିତାଇବା ହିଟଲର୍ ଙ୍କ ପକ୍ଷରେ କେଉଁପରି ସମ୍ଭବ ହୋଇପାରୁଥିଲା ତାହାର ସଠିକ କାରଣ କାହାକୁ ଜଣାନାହିଁ ।

ସ୍ୱୟଂ ହିଟଲର୍ ଯେଉଁ ଅସୁଖଟି ସବୁବେଳେ ଭୋଗୁଥିଲେ ତାହାର ଭଦ୍ର ନାଆଁଟି ହେଉଛି "ଫ୍ଲାଟୁଲାନ୍ସ", ସାଧାରଣ ନାଆଁଟି ହେଉଛି "ଦୁର୍ବାୟୁ ତ୍ୟାଗ" । ଦୁର୍ଘଟଣାବଶତଃ ତାଙ୍କର ଗୋଟିଏ ମାତ୍ର ଅଣ୍ଡକୋଷ ରହିଥିଲା, ମାତ୍ର ତାହା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସେମିତି କିଛି ଆଚମ୍ବିତ କରିଦେବା ଭଳି ଘଟଣା ନୁହଁ । ହିଟଲର୍ ଦୀର୍ଘଦେହୀ ଦେଖାଗଲେ ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମିତି ସୁସ୍ଥସବଳ ନଥିଲେ । ନିୟମିତ ଭାବରେ ପେଟର ମାଂସପେଶୀ ଟାଣିଧରିବା କାରଣରୁ (କ୍ରାମ୍ପସ୍ କାରଣରୁ) ସେ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ। ତାହା ସହିତ ଡାଇରିଆ ଆଉ "ଫ୍ଲାଟୁଲାନ୍ସ" ତାଙ୍କୁ ଯଥେଷ୍ଟ ବିବ୍ରତ କରୁଥିଲା । ହିଟଲର୍ ଙ୍କ ପରି ଜଣେ ସ୍ୱୈରାଚାରୀର ନିରଙ୍କୁଶ କ୍ଷମତାକୁ ଜଣେ ଗ୍ରହଣ କରିନେଇପାରେ ମାତ୍ର ତାଙ୍କର ପଶ୍ଚାତଦେଶର ଦୁର୍ବାୟୁକୁ ଜଣେ ବିନା ପ୍ରତିକ୍ରିୟାରେ ଗ୍ରହଣ କରିନେବା ସେତେ ସହଜ ନୁହଁ । ସେଇଥିପାଇଁ ହିଟଲର୍ ଖାଇଲାବେଳେ ଖାଇବାଟେବୁଲ୍ରୁ ଯଥାଶିଘ୍ର ସମସ୍ତଙ୍କ ଆଗରୁ ଖାଇବା କାମ ସାରି ଦେଇ ଅଭ୍ୟନ୍ତରକୁ ଯାଇ ବାୟୁ ନିଷ୍କାସନ କରୁଥିଲେ। ଏହି ବାୟୁ ନିଷ୍କାସନରୁ ରକ୍ଷା ପାଇବା ପାଇଁ ହିଟଲର୍ ସବୁବେଳେ ଯାହା ପ୍ରଚଳିତ ଖାଦ୍ୟ ତାହାକୁ ଛାଡି ଅଣପାରଂପରିକ ଖାଦ୍ୟ ଉପରେ ନିର୍ଭର କରୁଥିଲେ । ତାଙ୍କର ଖାଦ୍ୟରେ ପ୍ରମୁଖରେ ରହୁଥିଲା ଭେଜିଟେବୁଲସ୍, ତାହାର ଚକଟା ଆଉ ଭର୍ତ୍ତା । ୧୯୩୧ ଖ୍ରୀଅ ପରଠାରୁ ସେ ପୂର୍ଣ୍ଣତଃ ଶାକାହାରୀ ହୋଇଯାଇଥିଲେ । କିନ୍ତୁ ଅଣପାରଂପରିକ ଖାଦ୍ୟ ଉପରେ ନିର୍ଭର କରୁଥିବାରୁ ହିଟଲର୍ ଙ୍କ ସ୍ୱାସ୍ଥ୍ୟ କ୍ରମଶଃ ଖରାପ ହେଉଥିଲା ବୋଲି ଅନେକଙ୍କ ମତ। ଡାଃ ଥିଓଡର୍ ମୋରେଲ୍ ସବୁବେଳେ ହିଟଲର୍ ଙ୍କ ଅତି ନିକଟରେ ରହି ତାଙ୍କୁ ପର୍ଯ୍ୟବେକ୍ଷଣ କରୁଥିଲେ । ଆଉ ନିୟମିତ ଭାବରେ ସେଇସବୁ କଥାକୁ ସେ ନିଜର ନୋଟଖାତାରେ ଲିପିବଦ୍ଧ କରି ରଖୁଥିଲେ । ହିଟଲର୍ ଙ୍କ ପତନ ପରେ ଡାଃ ମୋରେଲ୍ ଆମେରିକୀୟମାନଙ୍କ ଦ୍ୱାରା ଧରା ପଡିଥିଲେ । ଦୁଇବର୍ଷ ଧରି ତାଙ୍କର ଇଣ୍ଟେରୋଗେସନ୍ ଚାଲିଥିଲା । ଇଣ୍ଟେରୋଗେଟର୍ ମାନେ ତାଙ୍କୁ ଇଣ୍ଟେରୋଗେଟ୍ କଲାବେଳକୁ ମୁହଁ ଦୁଇପରସ୍ତର ମୁଖା ଲଗାଇ ତାଙ୍କୁ ପଚରାଉଚୁରା କରୁଥିଲେ । ମାତ୍ର ଜଣେ ଜଣେ ଯୁଦ୍ଧ ଅପରାଧୀ ହିସାବରେ ଡାଃ ମୋରେଲ୍ ଙ୍କର ବିଚାର ହୋଇପାରିନଥିଲା । ତାହା ପୂର୍ବରୁ ୧୯୪୮ ମସିହାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ନୋଟଖାତାକୁ ଜବତ କରି ରଖାଯାଇଥିଲା । ସେଥିରେ ଗୋଟିଏ ସ୍ଥାନରେ ଡାଃ ମୋରେଲ୍ ହିଟଲର୍ ଙ୍କ ସଂପର୍କରେ ଲେଖିଛନ୍ତି, "କୋଷ୍ଠକାଠିନ୍ୟ ଆଉ ବାୟୁଦୋଷ ଜଣକର ଏପରି ମାତ୍ରାରେ ରହିପାରେ ସେକଥା ଆଉ କେହି କଳ୍ପନା କରିପାରିବ ନାହିଁ "।

ସବୁଦିନ ସକାଳର ପ୍ରାତଃଭୋଜନର ଠିକ୍ ପରଠାରୁ ଡାଃ ମୋରେଲ୍ ହିଟଲର୍ ଙ୍କର ଚିକିତ୍ସା ଆରମ୍ଭ କରିଦିଅନ୍ତି । ହିଟଲର୍ ଙ୍କ ପ୍ରାତଃଭୋଜନରେ ପ୍ରାୟତଃ ରହିଥାଏ ଲିନସିଡ୍ ଅଏଲରେ ତିଆରି ଯବଚୁନା ବା ଓଟମିଲ୍ । ତାହାପରେ ତାଙ୍କର ହାତରେ ଡାଃ ମୋରେଲ୍ ଅନେକ ପ୍ରକାର ମିଶାମିଶି ଇଞ୍ଜେକସନ୍ ଗୋଟିକ ପରେ ଗୋଟିଏ ଦିଅନ୍ତି । ଦୁର୍ବାୟୁ ଆଉ ପେଟଟଣାର କଷ୍ଟରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ସେସବୁ ଇଞ୍ଜେକସନ୍ ସବୁକୁ ଚଳତି ଭାଷାରେ ଏକ ପ୍ରକାର "କକଟେଲ୍" ବୋଲି କହିଲେ ସେତେ ଭୁଲ ହେବନାହିଁ । ୧୯୩୧ ମସିହାଠାରୁ ଡାଃ ଥିଓଡର୍ ମୋରେଲ୍ ହିଟଲର୍ ଙ୍କ ଶେଷ ଯାଏଁ ଅର୍ଥାତ୍ ୧୯୪୫ ମସିହା ଯାଏଁ ଯାହା ଯାହା ଔଷଧ ଆକାରରେ ଇଂଜେକସନ୍ ହିସାବରେ ଦେଉଥିଲେ ସେଗୁଡିକୁ ଡାକ୍ତରୀ ଭାଷାରେ ଆମ୍ପିଥିଟାମାଇନ୍, ବାରବିଚୁରେଟସ୍ ଏବଂ ଓପିଏଟ୍ ବୋଲି କୁହାଯାଏ । ଏହିସବୁ ଔଷଧ ସାଧାରଣତଃ ମାନସିକ ରୋଗୀମାନଙ୍କୁ ପ୍ରାୟତଃ ଦିଆଯାଇଥାଏ । କହିବାକୁ ଗଲେ ଏହି ସବୁ ଔଷଧ ସେସମୟର (ଏହା ଏବେ ବି) ଚିକିତ୍ସାବିଧାନ ଅନୁସାରେ ବିପଜ୍ଜନକ, ନିଶାଗ୍ରସ୍ତ କାରକ ଏବଂ ଅବୈଧ ବୋଲି ବିବେଚିତ ହେଉଥିଲା ।

ଏହି ସବୁ ଔଷଧର ପ୍ରଭାବ ଥିଲା । ଏହା ହିଟଲର୍ ଙ୍କୁ ନିଜର କଷ୍ଟରୁ କିଛିସମୟ ପାଇଁ ମୁକ୍ତି ଦେଉଥିଲା । ସେ ସ୍ୱାଭାବିକ ଭାବରେ ନିଜର ରାଜନୈତିକ କାର୍ଯ୍ୟକୁ ସୁବିଧାରେ ସଂପାଦନ କରିପାରୁଥିଲେ । ଏବଂ ଯେତେବେଳେ ସେ ଶାରୀରିକ କଷ୍ଟ ପାଉଥିଲେ ସେ ପୁଣି ଔଷଧ ପାଖକୁ ଫେରୁଥିଲେ । ଡାଃ ମୋରେଲ୍ ତଥା ସେହି ଔଷଧ ପ୍ରତି ତାଙ୍କର ନିର୍ଭରଶୀଳତା ବଢୁଥିଲା । ଏହି ନିର୍ଭରଶୀଳତା ଠିକ୍ ଯେମିତି ଜଣେ ନିଶାଖୋର୍ ର ତାହାର ପ୍ରିୟ ନିଶା ପ୍ରତି ଆସକ୍ତି, ସେଇଭଳି । ହିଟଲର୍ ଙ୍କର ଔଷଧ ପ୍ରତି ଏମିତି "ଆଡିକ୍ଟ" ହୋଇପଡିବା ତାଙ୍କ ପାଇଁ ସାମୟିକ ଯନ୍ତ୍ରଣାନିବାରକ ହୋଇ ଥିଲେ ମଧ୍ୟ ତାହାର ଦୀର୍ଘକାଳୀନ ଦୁଷ୍ପରିଣାମ ରହିଥିଲା । ଉଦାହାରଣ ସ୍ୱରୂପ ପ୍ରଥମରେ ଡାଃ ମୋରେଲ୍ ତାଙ୍କୁ ଦୁର୍ବାୟୁ ନିବାରଣ ପାଇଁ ଏକ ନିଶାବଟିକା ଦେଉଥିଲେ ଯାହାର ନାଆଁ ଥିଲା, "ଡାଃ କଷ୍ଟର୍ସ ଆଣ୍ଟି-ଗ୍ୟାସ ପିଲ୍" । ଏଇ ବଟିକାରେ ହିଟଲର୍ ଏପରି ଆସକ୍ତ ହୋଇପଡିଲେ ଯେ ପରେ ତାଙ୍କର ଦିନକୁ ୧୬ ଟି ବଟିକାର ପ୍ରୟୋଜନ ପଡିଲା । ଏଥିରେ ଥିବା " ଷ୍ଟାଇକିନିନ୍" ପେଟଭିତର ଗ୍ୟାସ୍ କୁ ସାମୟିକ ଭାବରେ ନିର୍ଗତ କରିବାରେ ସହାୟକ ହେଉଥିଲା ମାତ୍ର ଏହା ଚମକୁ ଲୋଚାକୋଚା କରିଦେଉଥିଲା । ନାଜି ପୋଷାକର ଅଭ୍ୟନ୍ତରେ ହିଟଲର୍ ଭଳି ଗୋଟିଏ ସ୍ୱୈରାଚାରୀ ଚରିତ୍ରର ଚମ ବସ୍ତୁତଃ ଧୁଡୁଧୁଡୁ କରୁଛି, ଏଭଳି ଗୋଟିଏ କଥା ଆମକୁ ନିଶ୍ଚିତ ବିସ୍ମିତ କରିବ । ଏଇଠି କହିବା କଥା ହେଉଛି ହିଟଲର୍ ଙ୍କ ସ୍ୱାସ୍ଥ୍ୟକୁ ଡାଃ ଥିଓଡର୍ ମୋରେଲ୍ ଯେମିତି ପରିଚାଳନା କରୁଥିଲେ ସେଥିରୁ ଜଣାପଡିବ ଯେ ଯାହାକୁ ଡାକ୍ତରୀଭାଷାରେ "ସିମ୍ପଟୋମାଟିକ ଟ୍ରିଟମେଣ୍ଟ" ବା "ଉପସର୍ଗଭିତ୍ତିକ ତଥା ତାତ୍କାଳୀକ" ଚିକିତ୍ସା ବୋଲି କୁହାଯାଏ, ଠିକ୍ ସେହି କାମ ହିଁ ସେ କରିଛନ୍ତି । ହିଟଲର୍ ଙ୍କ ବେଦନାକୁ ସେ କ୍ରମଶଃ ନିଶା ଔଷଧର ପ୍ରୟୋଗ ଦ୍ୱାରା ପ୍ରତିହତ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏହାଫଳରେ ଜର୍ମାନୀର ମହାଶକ୍ତିଧର ଫ୍ୟୁରା ଭିତରେ ଭିତରେ ଅତ୍ୟନ୍ତ କରୁଣ ଭାବରେ ଜଣେ ନିଶାଖୋର୍ ବା ଆଡିକ୍ଟ ପାଲଟିଯାଇଛନ୍ତି ।

ଯେହେତୁ ହିଟଲର୍ ଙ୍କ ବେଦନାକୁ ସ୍ଥାୟୀ ଭାବରେ ନିବାରଣ କରିବା ପାଇଁ ଡାଃ ଥିଓଡର୍ ମୋରିଲ୍ ଅସମର୍ଥ ଥିଲେ ତେଣୁ ସେ ଅନେକ ସମୟରେ ନିଜେ ଭିନ୍ନ ଭିନ୍ନ ଔଷଧର ମିଶ୍ରଣ ବା ପର୍ମ୍ୟୁଟେସନ କମ୍ବିନେସନ୍ କରି ହିଟଲର୍ ଙ୍କ ଉପରେ କ୍ରମାଗତଃ ପରୀକ୍ଷା ନିରୀକ୍ଷା କରୁଥିଲେ । ଏଇଭଳି ପରୀକ୍ଷା ନୀରିକ୍ଷା କୌଣସି ଚିକିତ୍ସାଶାସ୍ତ୍ରର ବିଧିବଦ୍ଧ ଅନୁମୋଦନରେ ନଥିଲା ଆଉ ଏଇଭଳି ଏକ ପରୀକ୍ଷାର ଆଶ୍ଚର୍ଯ୍ୟଜନକ ଭାବରେ "ଗିନିପିଗ୍" ସାଜିଥିଲେ ମହାଶକ୍ତିଧର ହିଟଲର୍ ସ୍ୱୟଂ । ଉଦାହାରଣ ସ୍ୱରୂପ ଡାଃ ଥିଓଡର୍ ମୋରେଲ୍ ହିଟଲର୍ ଙ୍କ କୋଷ୍ଠକାଠିନ୍ୟକୁ ସମାଧାନ କରିବା ପାଇଁ ହାଇଡ୍ରୋଲାଇଜଡ୍-ଇ ବୋଲି ଗୋଟିଏ ବ୍ୟାକଟେରିଆର ପ୍ରୟୋଗ ହିଟଲର୍ ଙ୍କ ଶରୀରରେ କରିଥିଲେ । ସେହି ସମୟରେ କୌଣସି ଚିକିତ୍ସକ ଏପରି ପଦ୍ଧତି ଅନୁସରଣ କରୁନଥିଲେ । ଏହା ବ୍ୟତୀତ ହିଟଲର୍ ଙ୍କ ପେଟ ଟାଣିବାକୁ ଭଲକରିବା ପାଇଁ ଡାଃ ମୋରେଲ୍ ଗୋଟିଏ ସୁନେଲି ଜରିର ପ୍ୟାକେଟ୍ ରେ ଥିବା "ଭିଟାମ୍ୟୁଲସନ୍" ବୋଲି ଏକ ଇଂଜେକସନ୍ ଦେଉଥିଲେ । ଅସଲରେ ସେଇଟି କ'ଣ ତାହା ଜାଣିବା କଷ୍ଟକର । ସେହି ଔଷଧର ଉଦ୍ଭାବକ ଥିଲେ ସ୍ୱୟଂ ମୋରେଲ୍ ଏବଂ ତାହାର ଉପାଦାନ ସଂପର୍କରେ ସେ ସବୁବେଳେ ଗୋପନୀୟତା ବଜାୟ ରଖୁଥିଲେ । ମାତ୍ର ଏଇ ଇଂଜେକସନ୍ ନେବାର କିଛି ଘଣ୍ଟା ପର୍ଯ୍ୟନ୍ତ ହିଟଲର୍ ଆଉ କୌଣସି ବେଦନା ଅନୁଭବ କରିବାର ଦେଖାଯାଉନଥିଲା ।

କ୍ରମଶଃ ପେଟଟଣା, ଦୁର୍ବାୟୁ, କୋଷ୍ଟକାଠିନ୍ୟ ଏବଂ ଡାଇରିଆ ବ୍ୟତୀତ ଆଉ ଦୁଇଟି ପ୍ରମୁଖ ଅସୁଖ ହିଟଲର୍ ଙ୍କୁ ବ୍ୟସ୍ତ ବିବ୍ରତ କରି ପକାଉଥିଲା । ଆଉ ତାହା ହିଟଲର୍ ଙ୍କୁ ଅଧିକ ନିଶାନିର୍ଭର କରିଥିଲା । ସେଥିରୁ ପ୍ରଥମଟି ହେଉଛି ହିଟଲର୍ ଙ୍କ ଆଖିରେ ସମସ୍ୟା । ତାଙ୍କର ଆଖି ବେଳେବେଳେ ବିନ୍ଧୁଥିଲା । ଆଉ ତାହାର ନିରାକରଣ ପାଇଁ ଡାଃ ମୋରେଲ୍ ତାଙ୍କର ଆଖିରେ ୧୯୩୧ ରେ ଅତି ତରଳ ଭାଗମାପର ଅର୍ଥାତ୍ ଶହେଭାଗରେ ଏକ ଭାଗ କୋକେନ୍ ର ଆଇଡ୍ରପ୍ ପ୍ରସ୍ତୁତ କରି ପକାଉଥିଲେ । କ୍ରମଶଃ ଏଥିରେ କୋକେନ୍ ର ଭାଗମାପ ଗାଢା ହେବାକୁ ଲାଗିଲା, ଅର୍ଥାତ୍ ଶହେରେ ଦଶ । ଏହା ଅତ୍ୟନ୍ତ ବିପଦଜନକ ଥିଲା । ଏବଂ ଏହାଫଳରେ ହିଟଲର୍ ଙ୍କର ଅନେକ ସମୟରେ ବିକୃତିମାନ ଦେଖାଯାଉଥିଲା । ହିଟଲର୍ ଙ୍କର କୋକେନ୍ ଆସକ୍ତି ବଢିବା ସହିତ ଆଉ ଗୋଟିଏ ପ୍ରମୁଖ ସମସ୍ୟା ଉପସ୍ଥିତ ହୋଇଥିଲା । ସାଧାରଣତଃ ଯେଉଁମାନେ ଡ୍ରଗ୍-ଆଡିକ୍ଟ ସେମାନେ ନିଜର ସ୍ୱାଭାବିକ ଯୌନକ୍ଷମତା ହରାଇ ବସିଥାନ୍ତି । ସେଇଥିପାଇଁ ହିଟଲର୍ ଅନେକ ଯୌନ ଶକ୍ତିବର୍ଦ୍ଧକ ଇଂଜେକସନ୍ ନେଉଥିଲେ । ସେହି ଇଂଜେକସନ୍ ମାନ ତରୁଣ ଷଣ୍ଢର ପ୍ରେଷ୍ଟେଟ୍ ଗ୍ଲାଣ୍ଡରୁ ତିଆରି ହେଉଥିଲା । ଏହାଛଡା ଡାଃ ମୋରେଲ୍ ତାଙ୍କୁ "ଟେଷ୍ଟୋଷ୍ଟେରନ୍" ନିୟମିତ ଦେଉଥିଲେ । ଏଇ ସବୁ ଇଂଜେକସନ୍ ପରେ ହିଁ ହିଟଲର୍ ଙ୍କ ରାତ୍ରୀଯାପନ ପାଇଁ ପ୍ରଣୟିନୀ ଇଭା ବ୍ରାଉନ୍ ଙ୍କ ପାଖକୁ ଯାଉଥିଲେ ।

ମାତ୍ରାଧିକ୍ ଔଷଧର ବ୍ୟବହାର ଯୋଗୁ ଶେଷଆଡକୁ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡିଥିଲା । ହିଟଲର୍ ଙ୍କ ମାନସିକ ବିକୃତି ବି ବାରଂବାର ଦେଖାଯାଉଥିଲା । ନାଜୀ-ଜର୍ମାନୀ ବା ଥାର୍ଡ ରିକ୍ ର ପ୍ରସିଦ୍ଧ ଐତିହାସିକ ନର୍ଦନ ହାଲିଙ୍କ ଅନୁସାରେ ଏକଦା ହିଟଲର୍ ତାଙ୍କର ଅନ୍ୟତମ ସହଯୋଗୀ ଫାସିବାଦର ପ୍ରବର୍ତ୍ତକ ଇଟାଲୀର ମୁଖ୍ୟ ବେନିଟୋ ମୁସୋଲିନିଙ୍କ ସହ କଥାବାର୍ତ୍ତା ବେଳେ ଅକସ୍ମାତ ଅତ୍ୟନ୍ତ ଉଗ୍ର ଓ ଅଶାଳୀନ ହୋଇ ଉଠିଥିଲେ । ଏପରିକି ହିଟଲର୍ ଙ୍କ ଚର୍ଚ୍ଚିତ ୧୯୪୧ ମସିହାର ମସ୍କୋ ଆକ୍ରମଣ ନିଷ୍ପତ୍ତି ନେବା ପୂର୍ବରୁ ସେ ଅନ୍ୟୂନ ଅଶୀଟି ଇଂଜେକସନ୍ ନେଇଥିଲେ ବୋଲି ଡାଃ ଥିଓଡର୍ ମୋରେଲ୍ ଙ୍କ ଟିପାଖାତାରୁ ପ୍ରକାଶ ।

ଏହି ଆଲେଖଟିକୁ ଯଦି ଜଣେ ସତରେ ପାଠ କରେ ତେବେ ତାହାର ମନକୁ ଆଗ ଏମିତି ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସିବ ଯେ ମୁଁ ଏଇଲେ ଯାହା ଯାହା ପଢିଲି ତାହା ନିଶ୍ଚୟ ଗୋଟିଏ ପ୍ରୟୋଜନୀୟ ହତ୍ୟାକାଣ୍ଡର ବିଧିବଦ୍ଧ ଖସଡା । ଏମିତିରେ ଇତିହାସରୁ ଆମେ ଯେତେ ଯେତେ ପ୍ରସିଦ୍ଧ ସ୍ୱୈରାଚାରୀମାନଙ୍କୁ ଦେଖିଛୁ ସେମାନେ ସମସ୍ତେ ନିଜକୁ ଯେଉଁ ପରିମାଣରେ କ୍ଷମତାର ଶୀର୍ଷକୁ ନେଉଥାଆନ୍ତି ଠିକ୍ ସମାନ ଭାବରେ ସେମାନଙ୍କର ସହିତ ସିଡି ଚଢୁଥାଏ ସେମାନଙ୍କର ବିରୁଦ୍ଧରେ ହତ୍ୟାର ଷଡଯନ୍ତ୍ର, ଠିକ୍ ସମାନ୍ତରାଳ ଭାବରେ । ଅନେକ କ୍ଷେତ୍ରରେ ଏହି ଭଳି ଷଡଯନ୍ତ୍ରମାନ ସଫଳ ହୋଇଛି, ଅନେକ କ୍ଷେତ୍ରରେ ବି ବେଶ୍ ପରିମାଣରେ ବିଫଳ ହୋଇଛି । କୌଣସି ସ୍ୱୈରାଚାରୀର ବିରୁଦ୍ଧରେ ସଂଘଟିତ ହୋଇଥିବା ହତ୍ୟା ଷଡଯନ୍ତ୍ରର ଇତିହାସ କଥାର ହିସାବ ନିକାଶ କଲାବେଳେ ସ୍ୱୈରାଚାରୀମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ନିୟମିତ ତଦାରଖ କରୁଥିବା ଚିକିତ୍ସକମାନଙ୍କ କଥା ଆଗ ସାମ୍ନାକୁ ଆସିଛି । ହିଟଲର୍ ଙ୍କର ଅତ୍ୟନ୍ତ ପ୍ରିୟ ଏଇଡାକ୍ତର ଡାଃ ମୋରେଲ୍ ଙ୍କ ବିଷୟରେ ବି ଏଇଭଳି ଜଣେ ଚତୁର ଷଡଯନ୍ତ୍ରକାରୀର ପ୍ରସଂଗ ଆସିଛି । ମାତ୍ର ହିଟଲର୍ ତାହାକୁ କେବେ ବିଚାରକୁ ନେଇନାହାଁନ୍ତି । ଅନ୍ୟପକ୍ଷରେ ବି ଡାଃ ଥିଓଡର୍ ମୋରେଲ୍ ସବୁ ସମୟରେ ହିଟଲର୍ ଙ୍କ ଅନୁଗତ ରହିଥିଲେ ଆଉ ତାଙ୍କର ସବୁ ସମୟର ଚିନ୍ତା ଫ୍ୟୁରାଙ୍କର ସ୍ୱାସ୍ଥ୍ୟ କେମିତି ଭଲ ରହିବ ଆଉ ସେ କେମିତି ଯଥାସମ୍ଭବ କମ୍ କଷ୍ଟ ପାଇବେ । ଏହା ବ୍ୟତୀତ ନାଜୀ-ଶାସନର ନିହାତି ଇନର୍-ସର୍କଲ୍ ର ଜଣେ କ୍ଷମତାଧର ସଦସ୍ୟ ହୋଇ ସେ ଅନ୍ୟ କୌଣସି କ୍ଷମତା କି ସଂପତ୍ତି ପାଇଁ ଲାଳାୟିତ ନଥିଲେ । ନିଜର ପରୀକ୍ଷାଗାର ବୋଲି କହୁଥିବା ଗୋଟିଏ ଛୋଟଘରେ ସେ ଅଧିକାଂଶ ସମୟ ବିତାଉଥିଲେ ।

ଦିବ୍ୟଜ୍ଞାନ ପ୍ରାପ୍ତିର ମୂଳ ଆଧାର ସୁସ୍ଥ ଶରୀର ଆଉ ସୁସ୍ଥ ମନ ଉଭୟ ବୋଲି ଗୌତମ ବୁଦ୍ଧ କହିଛନ୍ତି । ତେଣୁ ଏଇଠି ଆମେ ଜଣେ ଇତିହାସ ନିନ୍ଦିତ ସ୍ୱୈରାଚାରୀକୁ ଦେଖିଲେ ଯିଏ ଉଭୟ ଶରୀର ଆଉ ମନରେ ଅସୁସ୍ଥ ଥିଲା। ଆଉ ତାହାର ପରିଣାମରେ ମାନବିକ ଇତିହାସର ସବୁଠାରୁ ହିଂସ୍ର ଆଉ ଘୃଣ୍ୟ ନରସଂହାର ଦେଖିବାକୁ ମିଳିଛି । ଇତିହାସରେ ଯଦି ବୋଲି କିଛି ନାହିଁ । ଯଦି ହିଟଲର୍ ଶାରୀରିକ ଭାବରେ ସୁସ୍ଥ ରହିଥାଆନ୍ତେ ତେବେ ହୁଏତ ଇତିହାସ ଭିନ୍ନ ରୂପ ଗ୍ରହଣ କରିଥାଆନ୍ତା ବୋଲି ଏମିତି କଳ୍ପନା କରିବା ପଛରେ ଆଉ କିଛି ନଥାଉ ପଛକେ ତାହା ଆମର ମାନବିକତାରେ ଚିରନ୍ତନ ଆସ୍ଥାବୋଧକୁ ହିଁ ପ୍ରକାଶ କରିଥାଏ ।

ହିଟଲର୍ ଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ପାଇଁ ଶେଷଯାଏଁ ଏକନିଷ୍ଠ ଥିବା ତାଙ୍କର ପ୍ରିୟ ଡାକ୍ତର ଥିଓଡର୍ ମୋରେଲ୍ ତାଙ୍କର ଟିପାଖାତାରେ ଗୋଟିଏ ଘଟଣାର ଉଲ୍ଲେଖ କରିଛନ୍ତି। ହାତରେ ମାତ୍ରାଧିକ ଇଂଜେକସନ୍ ନେବା କାରଣରୁ ହିଟଲର୍ ଙ୍କ ହାତରେ ଅନେକ ଦାଗ ରହିଥିଲା । ସେଇଥିପାଇଁ ସେ ସବୁବେଳେ ପୂରାହାତର ସାର୍ଟ ପିନ୍ଧୁଥିଲେ। ଏହିଭଳି ଇଂଜେକସନ୍ ନେଉଥିବା କାରଣରୁ ପଛରେ ତାଙ୍କୁ "ରିକ୍ ମାଷ୍ଟର ଅଫ୍ ଇଂଜେକସନ୍" ବା ନାଜୀ-ଜର୍ମାନୀ କାଳରେ ଇଂଜେକସନ୍ ରେ ମାଷ୍ଟର ବୋଲି କୁହାଯାଉଥିଲା । ହିଟଲର୍ ହାତରେ ଇଂଜେକସନ୍ ମାନ ନେବାସମୟରେ ସବୁବେଳେ ପ୍ରାୟତଃ ଉପସ୍ଥିତ ରହୁଥିଲେ ତାଙ୍କର ଚିରସଂଗିନୀ ଇଭା ବ୍ରାଉନ୍ । ହିଟଲର୍ ଙ୍କ ସାର୍ଟର ପୂରାହାତକୁ ଉପରକୁ ଟେକି ତାଙ୍କୁ ପରବର୍ତ୍ତୀ ଇଂଜେକସନ୍ ପାଇଁ ପ୍ରସ୍ତୁତ କଲାବେଳେ ଇଭା ବ୍ରାଉନ୍ ଯେଉଁ କରୁଣ ଦୃଷ୍ଟିରେ ଡାଃ ଥିଓଡର୍ ମୋରେଲ୍ ଙ୍କୁ ଘଡିଏ ଚାହିଁଥାନ୍ତି ସେତକ ଏହି ପୃଥୁଳକାୟ, ହାଲିଟୋସିସ୍ ଭଳି ଦୁର୍ଗନ୍ଧର ଅସୁଖ ବହନ କରୁଥିବା ବ୍ୟକ୍ତିକୁ ଅସହଜ କରିପକାଏ । ଆଖିରକୋଣରୁ ତାହାପରେ ତାହାର ଯେଉଁ ଦୁଇବୁନ୍ଦା ଲୁହ ଝରିଆସେ ତାହା ପ୍ରକୃତ ମାନବିକ ସଂବେଦନଶୀଳତାର ଅଶ୍ରୁ ।

ହିଟଲର୍ ଙ୍କର ଚର୍ଚ୍ଚିତ ଏଇ ଡାକ୍ତର ତାଃ ଥିଓଡର୍ ମୋରେଲ୍ ଙ୍କ ସଂପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଟି ହେଲା ସେ ଅସଲରେ କୌଣସି ପାଠପଢା ଡାକ୍ତର ନଥିଲେ । ସାଧାରଣ ଭାଷାରେ ଯାହାକୁ ତୁଟୁକା ବୈଦ୍ୟ ବୋଲି କୁହାଯାଏ ସେମିତି ସେ ଥିଲେ ଜଣେ "କ୍ୱାକ୍" ।