ଫଟୋ - ଚାର୍ଲସ ଲେଭିଙ୍କ "ହିରୋଶିମା", ୱିକି କମନ୍ସ

ଅଗଷ୍ଟ ଅନେକ କାରଣରୁ ଆମ ପାଇଁ ଅତି ସ୍ଵତନ୍ତ୍ର ମାସଟିଏ । ୧୯୪୭ ମସିହା ଅଗଷ୍ଟ ମାସରେ ହିଁ ଆମ ଦେଶ ଭାରତ ସ୍ଵାଧୀନ ହେଇଥିଲା । ସେଇ ଅଗଷ୍ଟରେ ହିଁ ଭାରତ ବିଭାଜନ ବି ହେଇଥିଲା ଯାହା ବିଶ୍ଵ ଇତିହାସର ସବୁଠାରୁ ବଡ଼ ବିସ୍ଥାପନର ଉଦାହରଣ । ତା’ର ଦୁଇବର୍ଷ ପୂର୍ବରୁ ଅଗଷ୍ଟ ମାସରେ ହିଁ ହୋ ଚି ମିନ୍ ଙ୍କ ନେତୃତ୍ଵରେ ଭିଏତନାମ୍ ଜାପାନ କବଳରୁ ସ୍ଵାଧୀନତା ପାଇଥିଲା । ତେବେ ସେଇ ୧୯୪୫ ମସିହା ଅଗଷ୍ଟ ମାସରେ ହିଁ ଜାପାନର ହିରୋଶିମା ଆଉ ନାଗାସାକି ସହର ଉପରେ ପରମାଣୁ ବୋମା ଆକ୍ରମଣ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକା । ଆପଣ ଯଦି କେବେ ଆମେରିକାର ୱାଶିଂଟନ ସହରରେ ଥିବା ‘ନ୍ୟାସନାଲ୍ ଏଆର୍ ଆଣ୍ଡ୍ ସ୍ପେସ୍ ମ୍ୟୁଜିଅମ୍’କୁ ଯିବେ, ତାହେଲେ ଆପଣ ଦେଖିପାରିବେ ‘ଇନୋଲା ଗେ’ ନାମକ ସେଇ ବିମାନଟିକୁ ଯାହା ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଦିନ ହିରୋଶିମା ସହର ଉପରେ ‘ଲିଟିଲ୍ ବୟ’ ନାମକ ପରମାଣୁ ବୋମା ପକେଇଥିଲା । ସଂଗ୍ରହାଳୟର ପରିଦର୍ଶକ ଆପଣଙ୍କୁ ଜଣେଇଦବ ଯେ ଇନୋଲା ଗେ ହଉଚି ଏ ବିମାନର ଚାଳକ କର୍ଣ୍ଣେଲ୍ ପଲ୍ ଟିବେଟ୍ସଙ୍କ ମା’ଙ୍କ ନାଁ । ପରିଦର୍ଶକଟି ଆପଣଙ୍କୁ ନିଶ୍ଚୟ କହିବ ଯେ ପରମାଣୁ ବୋମାର ବିଭୀଷିକା ନିହାତି ଦୁର୍ଭାଗ୍ୟଜନକ ଥିଲା କିନ୍ତୁ ଯୁଦ୍ଧକୁ ରୋକିବା ବି ନିହାତି ଜରୁରୀ ଥିଲା । ଆପଣ ହୁଏତ ଦୀର୍ଘନିଃଶ୍ଵାସ ଛାଡ଼ିବେ । କିନ୍ତୁ ଆପଣ ଜାଣିରଖିବା କଥା, ଯେ ସେ ଜାଣିଜାଣି/ଅଜାଣତରେ ଆପଣଙ୍କୁ ମିଛ କହୁଚି । ବିଶ୍ୱଯୁଦ୍ଧ ଶେଷ କରିବା ପାଇଁ ପରମାଣୁ ବୋମା ପ୍ରୟୋଗ କରିବା ଆଦୌ ଆବଶ୍ୟକ ନଥିଲା । ଏକଥା ମୁଁ କେବଳ ଭାବପ୍ରବଣ ହେଇ କହୁନି, ତଥ୍ୟ ଆଧାରରେ କହୁଚି ।

ଯଦି ଜାପାନର ମେରୁଦଣ୍ଡ ଭାଙ୍ଗିଦବା ଓ ଯୁଦ୍ଧ ଶେଷ କରି ଶାନ୍ତି ପ୍ରତିଷ୍ଠା କରିବା ହିଁ ଆମେରିକାର ଲକ୍ଷ୍ୟ ହେଇଥାନ୍ତା, ତାହେଲେ ହିରୋଶିମାରେ ପ୍ରଥମ ପରମାଣୁ ବୋମାର ସର୍ବନାଶୀ ବିଧ୍ଵଂସର ତିନିଦିନ ପରେ ପୁଣି ନାଗାସାକିରେ ପରମାଣୁ ବୋମା ପକେଇବାର କିଛି ଯଥାର୍ଥତା ନଥିଲା ବୋଲି ଅନେକେ କହନ୍ତି । ଆମେରିକାର ନିଜ ହିସାବ ଅନୁସାରେ କେବଳ ହିରୋଶିମାରେ ପରମାଣୁ ବିସ୍ଫୋରଣରେ ପ୍ରାୟ ଲକ୍ଷେ ପଇଁତିରିଶ ହଜାର ଜଣ ନିରୀହ ଜାପାନୀ ନାଗରିକ ମରିଥିଲେ, ନାଗାସାକିରେ ମରିଥିଲେ ପ୍ରାୟ ପଞ୍ଚଷଠି ହଜାର ଜଣ । ମୋଟ ଦୁଇଲକ୍ଷ ଲୋକ । ଅନ୍ୟାନ୍ୟ ହିସାବ ଅନୁସାରେ ଏ ସଂଖ୍ୟା ତିନିଲକ୍ଷରୁ ଅଧିକ । ଅକର୍ମଣ୍ୟ ହେଇଯିବା ଲୋକଙ୍କ କଥା ଅଲଗା, ପିଢି ପରେ ପିଢି ବିକଳାଙ୍ଗ ହେଇ ଜନ୍ମ ହଉଥିବା ଶିଶୁଙ୍କ ସଂଖ୍ୟା ଅଲଗା । ଏବଂ, ସ୍ଵାଭାବିକ ଭାବେ ମରିଥିବା ବା ଜୀବନସାରା ଏ ଆକ୍ରମଣର ଅଲିଭା ଦାଗ ବୋହିବାକୁ ବଞ୍ଚିଯାଇଥିବା ଲୋକମାନେ ଥିଲେ ଯୁଦ୍ଧକୁ ଯାଇନଥିବା ଲୋକ । ବୁଢାବୁଢୀ, ଛୋଟପିଲା ଓ ସ୍ତ୍ରୀଲୋକମାନେ । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନ୍ ଅନେକ ଥର କହିଚନ୍ତି, ଯେହେତୁ ଜାପାନ ଆତ୍ମ-ସମର୍ପଣର ସବୁ ସୁଯୋଗକୁ ଅଣଦେଖା କରି ଆକ୍ରମଣ ଜାରି ରଖିଥିଲା, ତେଣୁ ଦ୍ଵିତୀୟ ବିଶ୍ଵଯୁଦ୍ଧର ବିଭୀଷିକା ଓ ଲକ୍ଷଲକ୍ଷ ନିରୀହ ଜୀବନହାନିକୁ ରୋକିବା ପାଇଁ ପରମାଣୁ ବୋମା ପ୍ରୟୋଗ କରିବା ଛଡ଼ା ଆଉ କିଛି ବାଟ ନଥିଲା । କିନ୍ତୁ ଇତିହାସକୁ ଟିକେ ନିରେଖି ଦେଖିଲେ ଆପଣ ଜାଣିପାରିବେ ଟ୍ରୁମ୍ୟାନଙ୍କ କଥା କେତେ ଠିକ କେତେ ଭୁଲ ।

୧୯୪୫ ମସିହା ଏପ୍ରିଲ୍ ୨୯ ତାରିଖରେ ଇଟାଲୀର ଏକଛତ୍ରବାଦୀ ଶାସକ ବେନିତୋ ମୁସୋଲିନୀଙ୍କୁ ସେଠାକାର ବିଦ୍ରୋହୀମାନେ ହତ୍ୟା କଲେ । ଏପ୍ରିଲ୍ ୩୦ ତାରିଖରେ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲର ସୋଭିଏତ୍ ସେନା ହାତରେ ଧରାପଡ଼ିବେ ଜାଣି ନିଜକୁ ଗୁଳିକରି ଆତ୍ମହତ୍ୟା କଲେ । ମେ’ ୯ ତାରିଖରେ ଜର୍ମାନୀ ସମ୍ପୂର୍ଣ୍ଣ ଆତ୍ମ-ସମର୍ପଣ କଲା । ଆମେରିକା ଓ ସୋଭିଏତ ରୁଷ ଭିତରେ ହେଇଥିବା ୟାଲଟା ଚୁକ୍ତି ଅନୁସାରେ ଜର୍ମାନୀର ପରାଜୟ ପରେ ଯଦି ଜାପାନ ଆତ୍ମ-ସମର୍ପଣ ନକରେ, ତାହେଲେ ଜର୍ମାନୀ ହାରିବାର ତିନିମାସ ଭିତରେ ସୋଭିଏତ୍ ସେନା ଜାପାନ ଆକ୍ରମଣ କରିବ ବୋଲି କଥା ଥିଲା । ଏ ତିନିମାସ ସରିବାର ଶେଷଦିନ ଥିଲା ଅଗଷ୍ଟ ୯ ତାରିଖ ! ଠିକ ସେଇଦିନ ଯେଉଁଦିନ ନାଗାସାକି ଉପରେ ଆମେରିକାର ପରମାଣୁ ବୋମା ପଡ଼ିଲା । କହିବାର ତାତ୍ପର୍ଯ୍ୟ ହେଲା, ଅଗଷ୍ଟ ପୂର୍ବରୁ ହିଁ ଜାପାନ ଭଲଭାବେ ଜାଣିସାରିଥିଲା ଯେ ତା’ର ହାରିବା ସୁନିଶ୍ଚିତ । ଉଭୟ ମୁସୋଲିନୀ ଓ ହିଟଲର ମରିସାରିଥିଲେ, ଅର୍ଥାତ୍ ଜାପାନର ଦୁଇଟିଯାକ ପ୍ରମୁଖ ମିତ୍ରଦେଶଙ୍କର ଯୁଦ୍ଧରେ ଆଉ କିଛି ଅସ୍ତିତ୍ଵ ନଥିଲା । ଏଣେ ଜାପାନ ପ୍ରତି ଏଯାଏଁ ନିରପେକ୍ଷ ରହିଆସିଥିବା ବିଶାଳ ଓ ଶକ୍ତିଶାଳୀ ସୋଭିଏତ୍ ରୁଷର ସେନାବାହିନୀ ପ୍ରାୟ ଜାପାନ ସୀମା ପାଖାପାଖି ହେଇସାରିଥିଲା । କେବଳ ସେତିକି ନୁହେଁ, ଆମେରିକାର ଗୋଇନ୍ଦା ବିଭାଗ ଜାପାନର ସାମରିକ ରେଡ଼ିଓ ସିଗନାଲରୁ ଜାଣିପାରିଥିଲେ ଯେ ଜାପାନ ଆତ୍ମ-ସମର୍ପଣ କରିବା ଉପରେ । ଯେଉଁ ସୋଭିଏତ୍ ସେନା ଆଗରେ ଖୋଦ୍ ହିଟଲର ଡରି ଆତ୍ମହତ୍ୟା କଲା, ସେ ସେନା ସାମ୍ନାରେ ଜାପାନ ଯେ ତିଷ୍ଠିରହିପାରିଥାନ୍ତା ଏକଥା ନିହାତି ଅବାସ୍ତବ । ଏସବୁ ସତ୍ତ୍ୱେ ଆମେରିକା କାହିଁକି ନିର୍ମମ ଓ ବିଶାଳ ଗଣହତ୍ୟାର ଉପକରଣ ପରମାଣୁ ବୋମାର ପ୍ରୟୋଗ କଲା ତାହା ହିଁ ପ୍ରଶ୍ନ ।

ଏ ପ୍ରଶ୍ନର ଗୋଟିଏ ଉତ୍ତର ଏଇଆ ହେଇପାରେ – ତତ୍କାଳୀନ ମିତ୍ରଦେଶ ସୋଭିଏତ ରୁଷ ସାମ୍ନାରେ ନିଜର ପତିଆରା ଦେଖେଇବା ଓ ଯୁଦ୍ଧ ପରବର୍ତ୍ତୀ ବିଶ୍ଵର ସବୁଠାରୁ କ୍ଷମତାଶାଳୀ ଶକ୍ତି ଓ ‘ତ୍ରାଣକର୍ତ୍ତା’ ହେଇ ଉଭା ହେବା ହିଁ ଥିଲା ଆମେରିକାର ଉଦ୍ଦେଶ୍ୟ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସରିବା ପରେ ସୋଭିଏତ ରୁଷ ଓ ଆମେରିକା ଭିତରେ ଚାଲିଥିବା ଦୀର୍ଘ ଶୀତଳଯୁଦ୍ଧକୁ ଦେଖିଲେ ଏ ଉତ୍ତରର ଯଥାର୍ଥତା ଅନୁଭବ କରିହବ । ଏକଥା ନୁହେଁ ଯେ ହିରୋଶିମା-ନାଗାସାକି ହିଁ ଦ୍ଵିତୀୟ ବିଶ୍ଵଯୁଦ୍ଧର ଏକମାତ୍ର ବିଭୀଷିକାମୟ ଅଧ୍ୟାୟ । କେବଳ ହିଟଲର ନିର୍ଦ୍ଦେଶରେ ହିଁ ପ୍ରାୟ ଷାଠିଏ ଲକ୍ଷରୁ ଅଧିକ ଇହୁଦୀ ନାଗରିକଙ୍କୁ ହତ୍ୟା କରାଯାଇଥିଲା । ସୋଭିଏତ୍ ରୁଷର ଗୁଲାଗ୍ କ୍ୟାମ୍ପ ସବୁରେ ସେଇମିତି ଅମାନବିକ ଅତ୍ୟାଚାର ସହିସହି ମରିଥିଲେ ତିରିଶ ଲକ୍ଷରୁ ଅଧିକ ଲୋକ । ଏ ଯୁଦ୍ଧରେ ମରିଥିଲେ ସେତେବେଳର ସମଗ୍ର ବିଶ୍ଵର ପ୍ରାୟ ତିନି ଶତକଡ଼ା ଜନସଂଖ୍ୟା ! କ୍ଷମତା ପାଇଁ ରାଷ୍ଟ୍ରବାଦୀ ଶକ୍ତିମାନଙ୍କ ଲଢେଇରେ ଯେ ନିରୀହ ସାଧାରଣ ମଣିଷମାନଙ୍କର ସର୍ବନାଶ ହୁଏ, ଏକଥାର ଅସଂଖ୍ୟ ଉଦାହରଣ ଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧରେ । କିନ୍ତୁ ଏ ଉଦାହରଣମାନଙ୍କ ଭିତରେ ସବୁଠାରୁ ଜ୍ଵଳନ୍ତ ଓ ବିବ୍ରତକର ଉଦାହରଣ ଥିଲା ହିରୋଶିମା-ନାଗାସାକିର । ବିଜ୍ଞାନ ବଳରେ ମଣିଷ ନିଜେ ତିଆରି କରିଥିବା ଜ୍ଞାନକୌଶଳ ବ୍ୟବହାର କରି ଯେ ଏଧରଣର ଅମାନବିକ କାମ କରିବ ଏକଥା ଥିଲା ଅନେକଙ୍କ କଳ୍ପନା ବାହାରେ । ଜଣେ ହୁଏତ ଏଇଆ ଆଶା କରିବ ଯେ ଏ ବିଭୀଷିକାକୁ ଦେଖି ରାଷ୍ଟ୍ରମାନେ ପରମାଣୁ ଅସ୍ତ୍ରକୁ ନିଷେଧ କରିବେ ଏବଂ ଯୁଦ୍ଧର ଭୟାବହତାକୁ ବି ଏଡ଼େଇ ଯିବେ । ଅଥଚ ଆଜି ହେଇଚି ତା’ର ଓଲଟା । ବିଶ୍ଵର ଅନ୍ତତଃ ନଅଟି ଦେଶଙ୍କ ପାଖରେ (ଯେଉଁଥିରେ ଉଭୟ ଭାରତ ଓ ପାକିସ୍ତାନ ଅଛନ୍ତି) ପାରମାଣବିକ ଅସ୍ତ୍ର ଅଛି ଏବଂ ସମସ୍ତଙ୍କ ଯୁକ୍ତି ଊଣା ଅଧିକେ ଏଇଆ – ଏହା ପ୍ରୟୋଗ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହାର ଉପସ୍ଥିତିରୁ ତିଆରି ଭୟଦ୍ଵାରା ବାହ୍ୟ ଆକ୍ରମଣର ସମ୍ଭାବନାକୁ ପ୍ରତିହତ କରି ଶାନ୍ତି ପ୍ରତିଷ୍ଠା କରାଯାଇପାରିବ । ଏଯାଏଁ ତୃତୀୟ ବିଶ୍ଵଯୁଦ୍ଧଟିଏ ହେଇନି ସତ, ହେଲେ ସିରିଆରେ, ଆଫଗାନିସ୍ତାନରେ, ଭିଏତନାମରେ, ଇରାକରେ, ପାଲେଷ୍ଟାଇନରେ ଭୟଙ୍କର ଯୁଦ୍ଧ ହେଇଆସିଚି ବା ହଉଚି । ଆମ ଦେଶରେ ବି ଯୁଦ୍ଧ ଓ ଯୁଦ୍ଧର ସମ୍ଭାବନାକୁ ନେଇ (ଏମିତି କି ପରମାଣୁ ଅସ୍ତ୍ରକୁ ନେଇ ବି) “ନ୍ୟୁଜ୍” ଚ୍ୟାନେଲମାନଙ୍କରେ ଚାଞ୍ଚଲ୍ୟକର କାର୍ଯ୍ୟକ୍ରମ ସବୁ ଏଇ ନିକଟରେ ଆପଣ ଦେଖିଥିବେ । ରାଷ୍ଟ୍ରମାନଙ୍କର କହିଲା ପରି ପରମାଣୁ-ଅସ୍ତ୍ର ପ୍ରୟୋଗର କୌଣସି ସମ୍ଭାବନା ଯଦି ନାହିଁ, ତାହେଲେ ସେମାନଙ୍କର ଉପସ୍ଥିତିର କିଛି ଅର୍ଥ ନାହିଁ । ହେଲେ ରାଷ୍ଟ୍ରମାନେ ପରସ୍ପରର ଦ୍ଵାହି ଦେଇ ଏ ଅସ୍ତ୍ର ସବୁକୁ ନିଷ୍କ୍ରିୟ କରିନାହାନ୍ତି । ଏ ନେଇ ଅବଶ୍ୟ ଅନେକ ଚୁକ୍ତି ହେଇଚି/ହଉଚି । ତେବେ ସବୁ ଯୁଦ୍ଧର ଆରମ୍ଭ ଯେ କୌଣସି ନା କୌଣସି ଚୁକ୍ତି ଭାଙ୍ଗି ହିଁ ହୁଏ ଏକଥା କଣ ଆମେ ଏଯାଏଁ ବୁଝିନେ ?

ନାଗାସାକି ଆକ୍ରମଣ ପରେ ପରେ ହିଁ ଏକାଧିକ ଆମେରିକୀୟ ସେନା ଅଧିକାରୀ ଖୋଲାଖୋଲି ପରମାଣୁ-ଆକ୍ରମଣର ଅର୍ଥହୀନତାକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ । ଏମାନଙ୍କ ଭିତରେ ଟ୍ରୁମ୍ୟାନ ସରକାରଙ୍କ ସେନାଧ୍ୟକ୍ଷ ୱିଲିଅମ୍ ଲେହୀ, ବାୟୁସେନା-ମୁଖ୍ୟ ହେନରୀ ଆର୍ନଲ୍ଡ , ନୌସେନାର ମୁଖ୍ୟ କମାଣ୍ଡର୍ ୱିଲିଅମ୍ ହାଲସୀ ଏବଂ ଚେଷ୍ଟର ନିମିଜ୍ ମଧ୍ୟ ଥିଲେ । ବା’ସ୍ତରୀ ବର୍ଷ ପରେ ‘ଟାଇମ୍’ ପତ୍ରିକା ଆକ୍ରମଣକୁ ଅଙ୍ଗେନିଭେଇ ବଞ୍ଚିଯାଇଥିବା କିଛି ଲୋକଙ୍କ ସାକ୍ଷାତକାର ନେଇଥିଲା । ଏମାନଙ୍କ ଭିତରେ ଥିଲେ ନାଗାସାକିର ୟାସୁଜିରୋ ଟାନାକା । ଆକ୍ରମଣବେଳେ ବିସ୍ଫୋରଣର କେନ୍ଦ୍ରଠାରୁ ପ୍ରାୟ ସାଢେ ତିନି କିଲୋମିଟର ଦୂରରେ ଥିବା ଟାନାକା ‘ଟାଇମ୍’ ପତ୍ରିକାର ହାରୁକା ସାକାଗୁଚିଙ୍କୁ କଣ କହୁଚନ୍ତି ଶୁଣନ୍ତୁ:

“ମତେ ସେତେବେଳକୁ ତିନିବର୍ଷ ହେଇଥିଲା । ମୋ’ର ବେଶୀ କିଛି ମନେନାହିଁ । ଖାଲି ଏତିକି ମନେ ଅଛି ଯେ ମୋ’ ଚାରିକଡ଼ ହଠାତ୍ ଧଳା ଆଲୁଅରେ ଭର୍ତ୍ତି ହେଇଗଲା । ଆଖି ଜଳକା କରିଦେଲା ଭଳି ଆଲୁଅ, ସତେ ଯେମିତି ଦଶଲକ୍ଷ କ୍ୟାମେରା ଏକାସାଙ୍ଗରେ ମୁହଁକୁ ଆଲୁଅ ପକଉଚନ୍ତି !

ତା’ପରେ ସବୁ ଅନ୍ଧାର ହେଇଗଲା ।

ମୁଁ ପରେ ଜାଣିଲି ଯେ ମୁଁ ଆମ ଭୁଶୁଡ଼ିପଡ଼ିଥିବା ଘର ତଳେ ରହିଯାଇଥିଲି । ଯେତେବେଳେ ମୋ’ ଦାଦା ମତେ ସେ ଧ୍ଵଂସାବଶେଷ ତଳୁ ପାଇଲେ, ମୋର ଚେତା ନଥିଲା । ମୋ ମୁହଁର ଆକୃତି ବଦଳିଯାଇଥିଲା । ସେ ଭାବିଲେ ମୁଁ ମରିଯାଇଚି ।

ଭାଗ୍ୟକୁ ମୁଁ ମରିନଥିଲି । କିନ୍ତୁ ସେଇଦିନ ପରଠୁଁ ମୋ ଦେହସାରା ଭୟଙ୍କର ଛଉ ସବୁ ଦେଖାଦେଲା । ବାଁ କାନକୁ ଆଉ କିଛି ଶୁଭିଲାନି । ବିସ୍ଫୋରଣର ପ୍ରାୟ ଦଶବର୍ଷ ପରେ ମୋ’ ମା’ଙ୍କ ଚମ ଫଟେଇ ଟିକି ଟିକି କାଚଖଣ୍ଡ ସବୁ ବାହାରିଲା । ମୋ’ ସାନଭଉଣୀ ଦେହହାତ ପ୍ରାୟ ସମୟ ଭୀଷଣ ବିନ୍ଧା ହୁଏ । ତା’ର କିଡନୀ ରୋଗ ବି ବାହାରିଲା । ସପ୍ତାହକୁ ତିନିଥର ଡାଏଲିସିସ୍ । ‘ମୁଁ ଆମେରିକାର କି ଅନିଷ୍ଟ କରିଥିଲି?’, ସେ ପ୍ରାୟ ସମୟ କହେ, ‘ସେମାନେ କାହିଁକି ମୋ ସହ ଏମିତି କଲେ ?’

ମୁଁ ମୋ ଜୀବନରେ ଅନେକ କଷ୍ଟ ଭୋଗିଚି, କିନ୍ତୁ ସତ କହିବାକୁ ଗଲେ ମୁଁ ଭଲ ଜୀବନଟିଏ ବଞ୍ଚିପାରିଚି । ଏ ବିଭୀଷିକାର ସାକ୍ଷୀ ହିସାବରେ ମୋ’ର ଖାଲି ଏତିକି ଇଚ୍ଛା ଯେ ମୁଁ ଭରପୂର ଜୀବନଟିଏ ବଞ୍ଚେ ଆଉ ଏମିତି ଏକ ଦୁନିଆରେ ବଞ୍ଚେ ଯେଉଁଠି ଲୋକଙ୍କ ମନରେ ଅନ୍ୟପାଇଁ କରୁଣା ରହୁ, ଆଉ ନିଜ ପାଇଁ ବି ।”