ଫଟୋ - ୱିକି କମନ୍ସ

ଠିକ୍ ମୋ ଆଖିସାମ୍ନାରେ କଟିଗଲା ଗୁଡିଟା ।

ହାତ ପାଆନ୍ତାରେ ଛିଡିପଡିଲା ଶିକା
ମୋ ଅଗଣାରେ ଏବେ
ଚାଂଗୁଡି ଚାଂଗୁଡି ମେଘଫୁଲ
ମୋ ନିଃଶ୍ବାସରେ ଦୂରପକ୍ଷୀର ଗୀତ
ମୋ ଘରସାରା ଓଦାମାଟିର ବାସ୍ନା

ଭୋର୍ ହେଲା ବୋଧେ !

ମୁଁ ଆଖିମଳି ଦେଖିଲି ଆକାଶକୁ,
ଆକାଶରେ ଜହ୍ନ ନାଇଁ, ତାରା ନାଇଁ,
ନେଳି ନାଇଁ, ସୂର୍ଯ୍ୟ ନାଇଁ...
ଅଛି ତ, ଗୋଟେ ଗୁଡି

ନଟେଇର ମୋହଭାଂଗି ଉଡିଚାଲିଛି ଗୁଡି
ବୁଣିଚାଲିଛି ରଂଗ
ଆକାଶରେ, ମାଟିରେ, ସମୁଦ୍ରରେ,
ଗଛ ଉପରେ, କୋରଡରେ, କଅଁଳପତ୍ରରେ,
ସବୁଠି

ସେ ତ ଗୁଡି ନୁହେଁ
ପଣତଟିଏ
ଓଢଣୀଟିଏ
ଚିରାଧଡିଟିଏ
ପାଟଡୋରଟିଏ

କାହାର ! କାହାର ! କାହାର !

ମୁଁ ଧାଇଁଲି,
ଆକାଶରେ ଗୁଡି, ମାଟିରେ ମୁଁ
ଆଗେଆଗେ ଗୁଡି, ପଛେପଛେ ମୁଁ
ଏବେ ଏଇଠି ଗୁଡି, ପାଖାପାଖି ମୁଁ
ଏବେ ପୁଣି ଗୁଡି ଅପହଂଚ,
ଏକନିଷ୍ଠ ଆତ୍ମସ୍ଥ ମୁଁ
ମୋ ଭିତରେ ଗୁଡି
ଗୁଡି ଭିତରେ ମୁଁ

କୁଆଡେ ଉଡିଚାଲିଛି ଏ ଗୁଡି
ଆଗକୁ ନା ପଛକୁ
ଉତ୍ତର, ଦକ୍ଷିଣ ନା ପଶ୍ଚିମକୁ...
ପୂର୍ବରେ ତ ସମୁଦ୍ର ଥିଲା, ସମୁଦ୍ର ଆଉ କେତେବାଟ !
କିଏ ଦେଖିଛି ଦିଗ
କିଏ ଚିହ୍ନିଛି ଗୁଡିର ଆଗପଛ !

କିଏ ଜାଣେ, ମୁଁ ଗୁଡି ପଛରେ ଧାଉଁଛି,
ନା ନଟେଇହେଇ
ମତେ ଇ ଭିଡିନଉଛି ଗୁଡି !

ଆକାଶରେ ଚିରକାଳ ଗୁଡି...
ମାଟିରେ ଚିରକାଳ ମୁଁ
ତା ଉଡିବାର ଅନ୍ତ ନାହିଁ
ମୁଁ ଉଡିବା ଶିଖିନି...