ଗୁଡ୍ଡୁ ମା’ଙ୍କ ସହିତ ଏକ ସୁନ୍ଦର ଆଲୋକିତ ରାସ୍ତାରେ ଧୀରପାଦରେ ଖୁବ ସନ୍ତର୍ପଣର ସହ ଯାଉଥିଲା, ଯେଉଁଠାରେ ଅନେକ ଦୋକାନ ଥିଲା । ସେ ମା’ଙ୍କ ସହିତ ସପିଂ ଯିବାକୁ ବହୁତ ପସନ୍ଦ କରେ କାରଣ ସପିଂ ଯିବା ସମୟରେ ସେ ଝରକା ବାଟେ ବହୁ ସୁନ୍ଦର ଜିନିଷ ଦେଖିଥାଏ ।

ଖେଳନା ଗୁଡ୍ଡୁର ଅତି ପ୍ରିୟ ଜିନିଷ । ସେ ପ୍ରତ୍ୟେକ ଥର କିଛି ନୂଆ ଖେଳଣା ଦେଖିଥାଏ ଏବଂ ତାହାକୁ ନିଜର କରିବା ପାଇଁ ସ୍ଵପ୍ନ ଦେଖେ, କିନ୍ତୁ ସେ ସବୁ ଖେଳଣା ପାଇପାରେନି କାରଣ ତା ମା’ଙ୍କୁ ଅନ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ କିଣିବାକୁ ପଡୁଥିଲା । “ମା’, ଆମେ ସେଇ ସୁନ୍ଦର ରେସିଂ କାର୍ କିଣି ପାରିବା କି ?”, ସେମାନେ ଏକ ଖେଳନା ଦୋକାନରେ ପହଞ୍ଚିବା ପରେ ଗୁଡ୍ଡୁ ପଚାରିଲା ।

ଏହା ଶୁଣି ମା’ କହିଲେ, “ହଁ, ପୁଅ ଏଥର ଆମେ ଏହାକୁ କିଣି ପାରିବା”।

ମା’ଙ୍କ ମୁହଁରୁ ଏକଥା ଶୁଣି ଗୁଡ୍ଡୁ ଖୁସିରେ ଡେଇଁବା ସହିତ ମା’ଙ୍କୁ ଧନ୍ୟବାବ ଜଣାଇଲା ।

ସେ ଏବଂ ତାଙ୍କ ମା’ ଦୋକାନରେ ପ୍ରବେଶ କଲେ । ସେଠାରେ ଶହ ଶହ ଖେଳନା ଥିଲା, ଯାହା ଗୁଡ୍ଡୁ ପୂର୍ବରୁ କେବେ ଦେଖି ନ ଥିଲା । ସେ ସବୁ ଖେଳନା ଦେଖି ଗୁଡଡୁର ଆଖି ଝଲସି ଯାଉଥିଲା । ସେହି ସମୟରେ ଗୁଡ୍ଡୁ ଜାଣିପାରିଲା ଯେ ସେ ଝରକା ବାହାରୁ ପ୍ରାୟ ସମୟରେ ଦେଖୁଥିବା ସେହି ସୁନ୍ଦର ରେସିଙ୍ଗ୍ କାର୍ ଆଉ ଚାହୁଁନାହିଁ ।

“ମା’ ମୁଁ ଏବେ ମୋର ମମତ ପରିବର୍ତ୍ତନ କରିଛି । ଏଠାରେ ବହୁତ ସୁନ୍ଦର ସୁନ୍ଦର ଖେଳନା ଅଛି ! ବର୍ତ୍ତମାନ ମୁଁ ସେଇ ଖେଳଣା ମଧ୍ୟରୁ କେଉଁଟା ନେବି ଜାଣି ପାରୁନାହିଁ”, ଗୁଡ୍ଡୁ କହିଲା ।

ଏହା ଶୁଣି ମା’ କହିଲେ, “ପୁଅ, ପ୍ରାୟ ସମୟରେ ଏପରି ହିଁ ଘଟିଥାଏ । ତୁମେ ଦେଖ, କଉଟା ଅଧିକ ପସନ୍ଦ ଆସୁଛି, ତା’ପରେ ଆମେ ଦେଖିବା କି ଆମେ ଏହାକୁ କିଣି ପରିବା କି ନାହିଁ ।

“ଠିକ୍ ଅଛି, ମା’”, ଗୁଡ୍ଡୁ କହିଲା ।

ଗୁଡ୍ଡୁ ସେଠାରେ ଥିବା ସମସ୍ତ ଖେଳନାକୁ ଭଲରୂପେ ନିରୀକ୍ଷଣ କରୁଥିଲା । କିନ୍ତୁ ହଠାତ ତା ଆଖି ଗୋଟିଏ ଖେଳନା ଉପରେ ନିବିଷ୍ଟ ହୋଇଗଲା, ଯାହା ଅନ୍ୟ ସମସ୍ତ ଖେଳନାଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ଗୁଡ୍ଡୁର । ତାହା ଏକ ବିରାଟ ମହାକାଶଯାନ ଥିଲା, ଯେଉଁଥିରେ ରଙ୍ଗୀନ ଆଲୋକ ଥିବା ସହିତ ସେଥିରୁ ମଜାଳିଆ ଧ୍ୱନି ବାହାରୁଥିଲା ।

“ମା’, ଏହି ଖେଳନାକୁ ମୁଁ ନେବାକୁ ଚାହେଁ”, ଗୁଡ୍ଡୁ କହିଲା ।

"ଏହା ନିଶ୍ଚିତ ଭାବରେ ସର୍ବୋତ୍ତମ । କିନ୍ତୁ ବର୍ତ୍ତମାନ ଆମେ ଏହି ଖେଳନା କିଣିପାରିବା ନାହିଁ । ଏହାର ଦାମ ବହୁତ ଅଧିକ ରହିଛି”, ମା’ କହିଲେ ।

“ମୁଁ ବୁଝୁଛି, ମା’। ତେବେ ଚାଲ ଆଉ ଏକ ଦିନ ଆସିବା । ମୁଁ ଏହି ଖେଳଣା ବ୍ୟତୀତ ଅନ୍ୟ କୌଣସି ଖେଳନା ଚାହେଁ ନାହିଁ । ସେହି ମହାକାଶଯାନଟି ବହୁତ ସୁନ୍ଦର ହେଇଛି । ସେଇ ଖେଳନା ସହିତ ଖେଳିଲେ ବହୁତ ମଜା ଆସିବ ବୋଲି ଗୁଡ୍ଡୁ ଟିକିଏ ମନ ଦୁଃଖରେ କହିଲା ।

ଗୁଡ୍ଡୁ ଏବଂ ତା ମା’ ଘରକୁ ଫେରିଆସିଲେ । ତେବେ ଗୁଡ୍ଡୁ ସେହି ମହାକାଶଯାନ ଖେଳନା ବିଷୟରେ ଭାବୁଥିଲା । ସେ ଜାଣିଥିଲା ତାର ସମସ୍ତ ସାଙ୍ଗମାନେ ସେହି ଖେଳନା ସହିତ ଖେଳି ବହୁତ ଖୁସି ହେବେ |

ସେଇଦିନ ରାତିରେ ଗୁଡୁ ମହାକାଶକୁ ଯାତ୍ରା କରିଥିବାର ଏକ ସୁନ୍ଦର ସ୍ଵପ୍ନ ଦେଖିଲା ଯେ ସେ ତା ମନପସନ୍ଦର ସେଇ ସୁନ୍ଦର ମହାକାଶଯାନ ଖେଳନା ପରି ଏକ ମହାକାଶଯାନରେ ଚନ୍ଦ୍ର ପରିଦର୍ଶନ କରୁଛି । ଏହା ସହିତ ସେ ସୁରକ୍ଷିତ ଦୂରତାରେ ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହେଉଥିଲା । ଅପରପକ୍ଷରେ ଦୂର ଆକାଶର ତାରାଗୁଡ଼ିକ ନିକଟତର ହେବାକୁ ଲାଗୁଥିଲେ।

"ମା’, ସେଇ ମହାକାଶଯାନ ଖେଳନା କିଣିବାରେ ତୁମକୁ ସାହାଯ୍ୟ କରିବାପାଇଁ ମୁଁ କିଛି ଟଙ୍କା ଯୋଗାଡ କରିବି”, ଗୁଡ୍ଡୁ ନିଦରୁ ଉଠୁ ଉଠୁ କହିଲା ।

“ପୁଅ, ତୁମେ ସେହି ସୁନ୍ଦର ଖେଳନା ପାଇବାକୁ ଏତେ ଆଗ୍ରହୀ ଅଛ ?”, ମା’ ହସି ହସି ପଚାରିଲେ । ଏହା ଏକ ଭଲ ଚିନ୍ତାଧାରା । ତେବେ ତୁମେ ଟଙ୍କା ସଞ୍ଚୟ ପାଇଁ କଣ ଚିନ୍ତା କରିଛ ବୋଲି ଗୁଡଡୁକୁ ତା’ ମା’ ପଚାରିଲେ ।

“ମା’, ତୁମେ ଦୁନିଆର ସବୁଠାରୁ ସ୍ୱାଦିଷ୍ଟ କୁକିଜ୍ ତିଆରି କର । ମୁଁ ଭାବିଛି ଯେ ତୁମର ସେଇ ହାତ ତିଆରି କୁକିଜ୍କୁ ବିକ୍ରି କରିବି । ଦୁନିଆରେ ଏପରି କେହି ନ ଥିବେ ଯିଏ ଏହି କୁକିଜ୍ ନ ଖାଇକି ରହି ପାରିବ”, କହିଲା ଗୁଡ୍ଡୁ ।

ଗୁଡଡୁର ଏହି କଥା ଶୁଣି ମା’ କହିଲେ, “ବାଃ ସୁନ୍ଦର ବିଚାର, ଗୁଡ୍ଡୁ ! ମୁଁ ତୁମ ପାଇଁ ବହୁତ ଗର୍ବିତ ! ଆଜିଠାରୁ ହିଁ ଆମେ କୁକିଜ୍ ପ୍ରସ୍ତୁତ କରିବା, ଯାହାଦ୍ୱାରା ଆମେ ଶୀଘ୍ର ସେହି ମହାକାଶଯାନ ପାଇଁ ଟଙ୍କା ସଞ୍ଚୟ କରିପାରିବା ।

ଏହାପରେ ଦୁହେଁ କୁକିଜ୍ ତିଆରି କରିବା ପାଇଁ ଆବଶ୍ୟକୀୟ ସମସ୍ତ ଜିନିଷ କିଣିବା ପାଇଁ ଦୋକାନକୁ ଗଲେ । ସେଠାରୁ ବଟର, ଚିନି, ଅଣ୍ଡା, ମଇଦା, ଏବଂ କୁକିଜ୍ ପାଇଁ ସବୁଠାରୁ ଦରକାରୀ ଚକୋଲେଟ୍ ଚିପ୍ସ ଆଣିଲେ ! ଗୁଡ୍ଡୁ ବହୁତ ଖୁସି ଥିଲା, କାରଣ ସେ ଜାଣିଥିଲା ଏହି ପ୍ରୟାସ ନିଶ୍ଚୟ ସଫଳ ହେବ ।

ସେମାନେ ଘରେ ପହଞ୍ଚିବା ପରେ ଗୁଡ୍ଡୁ ତାଙ୍କ ମା’ଙ୍କୁ କୁକିଜ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଲା । ସେମାନେ କୁକିଜ୍ ତିଆରି ସମୟରେ ବେଶ ମଜା କରିବା ସହିତ ଖୁସି ହେଲେ । ସ୍ୱାଦିଷ୍ଟ କୁକିଜ୍ ଗୁଡିକ ଅତି ଲୋଭନୀୟ ଲାଗୁଥିଲା ଏବଂ ଘରଟି ଏକ ସୁଗନ୍ଧିତ ବାସ୍ନାରେ ପରିପୂର୍ଣ୍ଣ ହୋଇଯାଇଥିଲା । ଶେଷରେ, କୁକିଜ୍ ପ୍ରସ୍ତୁତ ହେବା ପରେ ଗୁଡ୍ଡୁ ଏହାକୁ ବିକ୍ରୟ ପାଇଁ ପ୍ରସ୍ତୁତି ଆରମ୍ଭ କଲା ।

Guddu Shopping Two

ଗୁଡ୍ଡୁ କୁକିଜ୍ ବିକ୍ରି ପାଇଁ ଉଦ୍ୟାନରେ ଏକ ଛୋଟ ଟେବୁଲ ରଖିଲା । ଏହାପରେ ମା’ କୁକିଜ୍କୁ ଏକ ସୁନ୍ଦର କାଚ ପାତ୍ରରେ ରଖିଲେ । ଏଥିରେ କୁକିଜ୍ ଗୁଡ଼ିକ ବହୁତ ଆକର୍ଷଣୀୟ ଏବଂ ସ୍ୱାଦିଷ୍ଟ ଦେଖାଯାଉଥିଲା । ଏହା ଦେଖି ପିଲାମାନେ ସେଠାରେ ପହଞ୍ଚିଗଲେ ।

“ଗୁଡ୍ଡୁ, କୁକିଜ୍ ଗୁଡିକ ବେଶ ସ୍ୱାଦିଷ୍ଟ ଲାଗୁଛି ! ମୋତେ ଦୁଇଟି ଦରକାର”, ସେହି ପିଲାମାନଙ୍କ ମଧ୍ୟରୁ ଜଣେ କହିଲା । "ଠିକ ଅଛି”, ଗୁଡ୍ଡୁ କହିଲା ଏବଂ ସେଇ ପିଲାକୁ ଦୁଇଟି କୁକିଜ୍ ଦେଲା । ଗୁଡ୍ଡୁ ନିଜର ପ୍ରଥମ ବିକ୍ରିକୁ ନେଇ ଖୁସି ଅନୁଭବ କରୁଥିଲା ।

ଅପରାହ୍ନ ସୁଦ୍ଧା ସମସ୍ତ କୁକିଜ୍ ବିକ୍ରି ହୋଇଯାଇଥିଲା । ଏହା ଦେଖି ଗୁଡ୍ଡୁ ଖୁସି ହୋଇଗଲା । ତା ପରଦିନ ସେମାନେ ପୁନର୍ବାର କୁକିଜ୍ ତିଆରି କରି ବିକ୍ରି କଲେ । କୁକିଜ୍ ବିକ୍ରି କରି ରୋଜଗାର କରିଥିବା ସମସ୍ତ ଟଙ୍କାକୁ ଗୁଡ୍ଡୁ ସଞ୍ଚୟ କଲା । ସେ ମହାକାଶଯାନ କିଣିବା ପାଇଁ ଏବେ ସମର୍ଥ ହେଉଥିବାର ଅନୁଭବ କଲା ।

ଦିନ ଗଡିବା ସହିତ ଗୁଡଡୁର ବ୍ୟବସାୟ ବେଶ ବୃଦ୍ଧି ହେଲା । ସେ କୁକିଜ୍ ଛଡା କପକେକ୍ ଏବଂ ମଫିନ୍ ପ୍ରଭୃତି ମଧ୍ୟ ବିକ୍ରି କଲା । ଯାହାକୁ ତା ମା’ ଅତି ଶ୍ରଦ୍ଧାରେ ତିଆରି କରିଥିଲେ । ମା’ ସର୍ବଦା ଗୁଡ୍ଡୁକୁ ସାହାଯ୍ୟ କରୁଥିଲେ ।

“ମା’, ମହାକାଶଯାନ କିଣିବା ପାଇଁ ଏବେ ମୋ ପାଖରେ ଯଥେଷ୍ଟ ଅର୍ଥ ରହିଛି ବୋଲି ଗୁଡ୍ଡୁ ଉତ୍ସାହିତ ହୋଇ କହିଲା । ସେହିଦିନ ଅପରାହ୍ନରେ ସେ ଏବଂ ତା’ ମା’ ଖେଳନା ଦୋକାନକୁ ଗଲେ । ଗୁଡ୍ଡୁ ସେଇ ଦିନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ଭାବୁଥିଲା । କାରଣ ସେ ଚାହୁଁଥିବା ଖେଳନା କିଣିବା ପାଇଁ ସେ ଟଙ୍କା ସଞ୍ଚୟ କରିପାରିଥିଲା ।

ନିଜର ସୁନ୍ଦର ମହାକାଶଯାନ ଖେଳନା ସହିତ ଘରେ ପହଞ୍ଚିବା ପରେ ଗୁଡ୍ଡୁ ଖୁସିରେ ଚିତ୍କାର କରିବାକୁ ଚାହୁଁଥିଲା । ଗୁଡଡୁର ମା’ ତା’ ପାଇଁ ବହୁତ ଗର୍ବିତ ଥିଲେ ଏବଂ ସେ ଗୁଡଡୁକୁ ଅନେକ ଚୁମ୍ବନ ଏବଂ ଅଭିନନ୍ଦନ ଜଣାଇଲେ ।

“ତୁମେ ଏଥିପାଇଁ ଯୋଗ୍ୟ ଗୁଡ୍ଡୁ”, ମା’ କହିଲେ ।

“ଧନ୍ୟବାଦ, ମା’ ତୁମେ ମୋତେ ସର୍ବଦା ସହଯୋଗ କରିଆସିଛ”, ଗୁଡ୍ଡୁ କହିଲା ।

ସେଦିନ ଅପରାହ୍ନରେ ଗୁଡ୍ଡୁ ତା’ ସାଙ୍ଗମାନଙ୍କୁ ଖେଳିବା ପାଇଁ ଡାକିଲା ଏବଂ ସେମାନେ ସମସ୍ତେ ସୁନ୍ଦର ମହାକାଶଯାନକୁ ଦେଖି ଆଶ୍ଚର୍ଯ୍ୟ ହେଲେ । ଏହି ଖେଳନାକୁ ନିଜେ କିଣିବାରେ ସକ୍ଷମ ହୋଇଥିବାରୁ ଗୁଡ୍ଡୁ ଗର୍ବି ଅନୁଭବ କରୁଥିଲା । ଏହା ଜରିଆରେ ଗୁଡ୍ଡୁ ଟଙ୍କା ସଞ୍ଚୟର ଗୁରୁତ୍ୱ ମଧ୍ୟ ଶିଖିଲା ।

ପ୍ରତିଦିନ ରାତିରେ ଗୁଡ୍ଡୁ ମହାକାଶରେ ଭ୍ରମଣ କରିବା, ତା’ର ସୁନ୍ଦର ମହାକାଶଯାନରେ ଚଢି ମହାକାଶରେ ଥିବା ସୁନ୍ଦର ସ୍ଥାନଗୁଡିକୁ ଅନୁସନ୍ଧାନ କରିବାର ସ୍ୱପ୍ନ ଦେଖେ ।