ଅନ୍ୟ ଦିନ ପରି ଗୁଡ୍ଡୁ ସକାଳୁ ଉଠିଲା, ଆଉ ଆଜିର ସକାଳଟି ଅନ୍ୟଦିନ ଅପେକ୍ଷା ଭାରି ଭଲ ଲାଗୁଥିଲା । ପକ୍ଷୀମାନଙ୍କର କଳରବରେ ସକାଳଟି ମୁଖରିତ ଥିଲା । ତା’ ସାଙ୍ଗକୁ ମନ୍ଦ ମନ୍ଦ ପବନ ବି ବହୁଥିଲା । ଏସବୁକୁ ଦେଖି ଗୁଡ୍ଡୁ ଆଜି ଦିନଟି ଭଲରେ କଟିବ ବୋଲି ଭାବୁଥିଲା ।

ଗୁଡ୍ଡୁ ମନଖୁସିରେ ସକାଳ ଜଳଖିଆ ଖାଇସାରି ସ୍କୁଲ ବାହାରି ଗଲା । ସ୍କୁଲ ବସ ପାଇଁ ସେ ବସ୍‌ଷ୍ଟାଣ୍ଡ୍‌କୁ ଗଲା । ସେଠାରେ ପହଞ୍ଚିଲାବେଳକୁ ତା’ର ଦୁଇ ସାଙ୍ଗ ବେନ ଓ ଟିମ୍‌ ଆଗରୁ ଅପେକ୍ଷା କରିଥିଲେ । ସେମାନଙ୍କୁ ଦେଖି ସେ ଖୁସି ହୋଇଗଲା ଓ ସେମାନଙ୍କ ସହ ଖୁସିଗପରେ ମାତିଗଲା ।

ସ୍କୁଲ ବସ୍‌ ଆସିବା ପରେ ଗୁଡ୍ଡୁ ଓ ତା’ ସାଙ୍ଗମାନେ ବସ୍‌ରେ ବସି ପଡ଼ିଲେ । ରାସ୍ତା ସାରା ସେମାନେ କଥାବାର୍ତ୍ତା ଓ ହସଖୁସିରେ ମସ୍‌ଗୁଲ୍‌ ରହିଥିଲେ, ଯାହା ଗୁଡ୍ଡୁକୁ ବହୁତ ପସନ୍ଦ ଆସିଥିଲା ।

ଶ୍ରେଣୀ ଗୃହରେ ପହଞ୍ଚିବା ପରେ ଗୁଡ୍ଡୁର ଆଖି ଜଣକ ନିକଟରେ ଅଟକିଗଲା । ଶ୍ରେଣୀଗୃହର ପଛ ଧାଡ଼ିରେ ଜଣେ ନୂଆ ପିଲା ଛିଡା ହୋଇଥିବାର ଦେଖିଲା ଗୁଡ୍ଡୁ ।

ସେଇ ନୂଆ ପିଲାଟି ଦେଖିବାକୁ ଡେଙ୍ଗା ଆଉ ସୁନ୍ଦର । କିନ୍ତୁ ସେ କାହାକୁ ଦେଖୁ ନ ଥିଲା ବୋଧେ ସେ ଟିକିଏ ଡରୁଥିଲା । ଯେତେବେଳେ ସେ ଜାଣିପାରିଲା ଯେ ସମସ୍ତେ ତାକୁ ଦେଖୁଛନ୍ତି ତା’ ମୁହଁଟି ଲାଲ୍‌ ବିଲାତି ପରି ନାଲି ପଡ଼ିଗଲା । ଠିକ୍‌ ଏତିକିବେଳେ ଶିକ୍ଷକ ଶ୍ରେଣୀଗୃହକୁ ପ୍ରବେଶ କଲେ ।

ଶିକ୍ଷକ କକ୍ଷ ଭିତରକୁ ଆସି ସୁପ୍ରଭାତ ଛାତ୍ରଗଣ ବୋଲି କହିବା ସେଇ ନୂଆ ପିଲା ସମ୍ବନ୍ଧରେ କହିଲେ ।

ଶିକ୍ଷକ କହିଲେ - ପିଲାମାନେ ତୁମେ ଜାଣିଥିବ ଯେ, ଶ୍ରେଣୀକୁ ଜଣେ ନୂଆ ବନ୍ଧୁଟିଏ ଆସିଛି। ଏହା କହି ଶିକ୍ଷକ ସେଇ ନୂଆ ପିଲା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ । ଆଉ କହିଲେ - ଆଜିଠାରୁ ୟେ ହେଉଛି ତୁମର ନୂଆ ସାଙ୍ଗ। ତୁମେ ତୁମ ଦଳରେ ତାକୁ ସାମିଲ୍‌ କର। ଶିକ୍ଷକଙ୍କ କଥା ଶୁଣି ସେଇ ନୂଆପିଲାଟି ଆହୁରି ନାଲି ପଡ଼ିଗଲା । ଏହା ଦେଖି କକ୍ଷର କିଛି ପିଲା ଦାନ୍ତ ଦେଖେଇ ହସିବାକୁ ଲାଗିଲେ। ଗୁଡ୍ଡୁ ଏହା ଦେଖି ମଧ୍ୟ ମନେ ମନେ ହସିବାକୁ ଲାଗିଲା ।

ସ୍କୁଲର ମଧ୍ୟାହ୍ନ ଛୁଟିରେ ସମସ୍ତେ ପିଲା ଖାଇବାକୁ ବସିଥିବାବେଳେ ନୂଆ ପିଲାଟି ଖାଇବା ଗୃହର ଏକକୋଣରେ ଏକୁଟିଆ ବସିଥିଲା । ସମସ୍ତେ ତା’କୁ ଦେଖି ପଛରେ ହସୁଥିଲେ । ଏହା ଦେଖି ଗୁଡ୍ଡୁ ଓ ତା’ର ଦୁଇ ସାଙ୍ଗ ସେଇ ନୂଆ ପିଲାପାଖକୁ ଆସିଲେ । ନୂଆପିଲାଟିକୁ ଗୁଡ୍ଡୁ ଓ ତା’ର ସାଙ୍ଗମାନେ ଅଭିବାଦନ ଜଣାଇଲେ । କିନ୍ତୁ ସେ ବାଳକଟି ସେମିତି ଚୁପ୍‌ଚାପ୍‌ ବସିଥିଲା । ଏହା ଦେଖି ଗୁଡ୍ଡୁର ସାଙ୍ଗ ବେନ୍‌ କହିଲା - ତୁମେ କଥା ହୁଅ ନାହିଁ କି !! ଆଉ ଏହି କଥା ଶୁଣି ଦୂରରୁ ଲକ୍ଷ୍ୟ କରୁଥିବା ଅନ୍ୟ ପିଲାମାନେ ହସିବାକୁ ଲାଗିଲେ । ଏହା ଶୁଣି ସେ ବାଳକଟି ପୁଣିଥରେ ନାଲି ପଡ଼ିଗଲା ଏବଂ ସେ ବସିଥିବା ଜାଗାରୁ ଉଠିଗଲା । ସେ ଚୌକିରୁ ଉଠିବା ସମୟରେ ତଳେ ପଡ଼ିଗଲା । ଏହା ଦେଖି ଅନ୍ୟମାନେ ଜୋର୍‌ରେ ହସିବାକୁ ଲାଗିଲେ । ଏହା ଦେଖି ବାଳକଟି ଉଠି କାନ୍ଦି କାନ୍ଦି ସେଠାରୁ ପଳାଇଲା । ଏହା ଦେଖି ସେଠାରେ ଖୁବ୍‌ ହାସ୍ୟରୋଳ ସୃଷ୍ଟି ହେଲା ।

ଗୁଡ୍ଡୁ ଘରେ ପହଞ୍ଚି ସ୍କୁଲର ଘଟଣା ସବୁ ମନେ ପକାଇଲା । ଆଜି କେତେ ଖୁସି ଗପ ତା ସାଙ୍ଗମାନଙ୍କ ସହିତ ସେ କରିଥିଲା । ସେ ଖାଇକି ଶୋଇବାକୁ ଗଲାବେଳେ ମଧ୍ୟ ସେ ନୂଆ ପିଲା କଥା ଭାବୁଥିଲା । ଆଉ ସେ ରାତିରେ ସ୍ଵପ୍ନରେ ତାକୁ ଦେଖିଲା । ସମସ୍ତେ ତାକୁ ଦେଖେଇ ହୋଇ ହସୁଛନ୍ତି । ପିଲାମାନେ କହୁଛନ୍ତି କେତେ ମଜା ଲାଗୁଥିଲା ଏସବୁ । ଏହା ଶୁଣି ସେ ପିଲା ଉଠିବାକୁ ଚେଷ୍ଟା କଲାବେଳେ ସେ ପୁଣି ଥରେ ପଡ଼ିଗଲା । ଏହା ଦେଖି ସମସ୍ତେ ହସୁଛନ୍ତି । ଆଉ ଗୁଡ୍ଡୁର ନିଦ ଭାଙ୍ଗିଗଲା ଆଉ ଜାଣିଲା ଯେ ଏହା କେବଳ ଏକ ସ୍ଵପ୍ନ ଥିଲା ।

ଗୁଡ୍ଡୁ ବିଛଣାରୁ ଉଠିସାରି ନିଷ୍ପତ୍ତି ନେଲା । ଗୁଡ୍ଡୁ ଶ୍ରେଣୀକୁ ଯାଇ ସର୍ବପ୍ରଥମେ ସେ ନୂଆପିଲା ପାଖକୁ ଗଲା ଆଉ ବନ୍ଧୁତ୍ଵର ହାତ ବଢାଇଲା ଆଉ ପଚାରିଲା... ସାଙ୍ଗ ତମ ନାମ କଣ !! ଏହା ଶୁଣି ସେ ବାଳକ ତାକୁ କଣେଇ ଚାହିଁଲା ଆଉ ଚାରିଆଡେ ଦେଖିବାକୁ ଲାଗିଲା ଅନ୍ୟମାନେ ଦେଖୁ ନାହାନ୍ତି ତ !! କିନ୍ତୁ ସମସ୍ତେ ଏସବୁ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଅନାଉଥିଲେ । ଗୁଡ୍ଡୁ କହିଲା - ଠିକ ଅଛି । ଯଦି ମୋ ବନ୍ଧୁତ୍ଵ ପସନ୍ଦ ନୁହେଁ ତେବେ ମୁଁ କିଛି କହିବିନି କିନ୍ତୁ ଏତିକି କହିବି ତମ ପାଇଁ ମୋ ବନ୍ଧୁତ୍ଵର ଦ୍ଵାର ସବୁବେଳେ ଖୋଲା ଅଛି ଆଉ ତମେ ମୋ ଉପରେ ବିଶ୍ବାସ କରିପାର ।

ଏତିକି କହି ସେ ହସି ହସି ଆସି ତା ନିଜ ଆସନରେ ବସିଗଲା ଏବଂ ଉତ୍ଫୁଲ୍ଲିତ ମନରେ ସମସ୍ତଙ୍କୁ ଦେଖିବାକୁ ଲାଗିଲା ଆଉ ସେ ଯାହା ସବୁ କରିଛି ସେଥିପାଇଁ ମନେ ମନେ ସେ ଖୁସି ହୋଇଗଲା ।

ଖାଇବା ଛୁଟିରେ ସେ ପିଲାଟି ପୂର୍ବପରି ସମସ୍ତଙ୍କଠାରୁ ଦୂର ଏକ କୋଣରେ ବସି ଗୁଡ୍ଡୁକୁ ଦେଖିବାକୁ ଲାଗିଲା ଆଉ ତା ଆଖିରେ ବିଶ୍ବାସର ଫୁଲଟିଏ ପ୍ରସ୍ଫୁଟିତ ହେବାକୁ ଆରମ୍ଭ କରୁଥିଲା । ସେ ଭାବୁଥିଲା ଏବେ ଗୁଡ୍ଡୁ ଆସନ୍ତା କି ... ମୁଁ ବନ୍ଧୁତ୍ଵ ର ହାତ ବଢାଇ ଦିଅନ୍ତି ॥!! ଏମିତି ଭାବୁଭାବୁ ଗୁଡ୍ଡୁ ତାକୁ ଡାକିବାରେ ଲାଗିଥିଲା ।

ଗୁଡ୍ଡୁ ତା ପାଖରେ ପହଞ୍ଚି କହିଲା “ମୁଁ ଏଠି ବସିପାରେ କି !!॥“ ଏହା ଶୁଣି ସେ ମୁଣ୍ଡ ହଲାଇ ସମ୍ମତି ପ୍ରକାଶ କଲା । ଏହା ପରେ ଗୁଡ୍ଡୁ ତା’ପାଖରେ ବସି ପଡ଼ିଲା ।

ସେ ବାଳକଟି କହିଲା ମୋ ନାଁ କେଭିନ ।

ଏତିକି ଶୁଣି ଗୁଡ୍ଡୁ ଭବିଲା ୱାଃ ଏ ଲାଜକୁଳା ବାଳକଟି କେତେ ସୁନ୍ଦର କଥା କହିପାରେ !!

ଏହାପରେ ଗୁଡ୍ଡୁ କହିଲା - ମୋ ନାଁ ଗୁଡ୍ଡୁ । ତୁମ ସହ କଥା ହୋଇ ଖୁସି ଲାଗିଲା । କେଭିନ୍‌ ମଧ୍ୟ ସେଇ ସମାନ କଥା କହିଲା ।

ତା’ପରେ ଖାଇବା ଛୁଟି ସମୟ ସାରା ସେମାନେ ଗପରେ ମାତିଗଲେ । ଗୁଡ୍ଡୁ ଯେତେବେଳେ କହିଲା ଯେ ସେ ବହି ପଢିବାକୁ ବହୁତ ଭଲ ପାଏ ଏବଂ ଏ ବହି ସବୁ ତାକୁ ବହୁତ ପରିବର୍ତ୍ତନ କରାଇଛି । ଏକଥା ଜାଣି କେଭିନ ବହୁତ ଖୁସି ହୋଇଗଲା । ସେବେଠାରୁ ସେମାନେ ବହି ବିଷୟରେ ମଜା ମଜା କଥା ହୋଇ ସମୟ ବିତାଇ ଦିଅନ୍ତି ।

ପରେ ପରେ ବେନ ଓ ଟିମ ମଧ୍ୟ ଆସି ମିଶିଲେ ଆଉ କିଛି ଦିନ ପରେ ଏମାନେ ସମସ୍ତେ ସବୁଠୁ ଭଲ ସାଙ୍ଗ ହୋଇଗଲେ । ତା ପରେ ସାରା ସ୍କୁଲ ଜାଣିଲା ଯେ କେଭିନ ଗୋଟିଏ ଭଲ ପିଲା । କେହି କେହି ଆସି କେଭିନ ସହ ପୂର୍ବରୁ କରିଥିବା ବ୍ୟବହାର ପାଇଁ କ୍ଷମା ମାଗୁଥିଲେ ।

ଗୁଡ୍ଡୁ ଅନ୍ୟମାନଙ୍କୁ ସମ୍ମାନ ଦେବାର ଗୁରୁତ୍ଵକୁ ବୁଝି ପାରିଲା । ତାକୁ ଦେଖି ଅନ୍ୟ ପିଲାମାନେ ମଧ୍ୟ ଅନ୍ୟ ମାନକୁ ସମ୍ମାନ କରିବା, ସହନ କରିବା ତଥା ଅନ୍ୟକୁ କିପରି ଆପଣେଇପାରିବା ସେହି କଳାଟି ଶିଖିପାରିଲେ ।