ଚିତ୍ର - ରମାକାନ୍ତ ସାମନ୍ତରାୟ

ମୋ ହେତୁ ପାଇଲାବେଳକୁ ଅଜା ବୁଢା ହେଇସାରିଲେଣି । ମୁଗୁନି ପଥର ପରି କାଳିଆ ଆଉ ପାଖାପାଖି ଛଅଫୁଟିଆ ନିର୍ଘାତିଆ ମଣିଷ ଥିଲେ ଅଜା । କେବେ ଗୋଟେ ବସନ୍ତ ହେଇଥିଲା । ମୁହଁରେ ବସନ୍ତର ଦାଗ ରହିଯାଇଥିଲା । ପିଲାଦିନୁ ତାଙ୍କ ସାଙ୍ଗରେ ମୋର ଭାବଦୋସ୍ତି ଟିକେ ଅଧିକା ଥିଲା । ମୋର ବୟସ ବଢିଲା ପରେ ଆଜି ହିସାବ କରି ଜାଣୁଛି ମୋ ଜୀବନ ଉପରେ ଅଜାଙ୍କର ପ୍ରଭାବ ହିଁ ସର୍ବାଧିକ ରହିଛି ।

ପିଲାଦିନେ ମୋ ନିଜ ଗାଁଠାରୁ ମାମୁଁଘର ଗାଁ ମୋର ବେଶୀ ପ୍ରିୟ ଥିଲା । ନଈ, ନାଳ, ଆମ୍ବତୋଟା, ଦଶହରା, କିଆଗୋହିରୀ, ବାଡି ବଗିଚା, କାର୍ତ୍ତିକେଶ୍ୱର ମେଢ, ଦୋଳ ମେଲଣ, ଖେଳକୁଦ ଓ ଅଖଣ୍ଡ ସ୍ୱାଧିନତା କାହାକୁ ଭଲ ନଲାଗିବ ଯେ ? ଏସବୁ ମୋ ଗାଁରେ ନଥିଲା । ବଡ କଥା ହେଲା ମାମୁଁ ଘରେ ବାପା ନ ଥିଲେ, ଥିଲେ ଅଜା- ଆଈ । ମୋ ପାଠପଢା ଆମ ଗାଁ ଓ ମାମୁଁଘର ଗାଁ ଭିତରେ ଅଦଳ ବଦଳରେ ଚାଲିଥାଏ । ତେଣୁ ଅଜାଙ୍କ ସାଙ୍ଗରେ ଭାବଦୋସ୍ତି ଜମୁଥାଏ ଆଉ ଛିଡୁଥାଏ । ତାପରେ ବିଭିନ୍ନ ଛୁଟିଦିନମାନଙ୍କରେ ମାମୁଁଘର ବୁଲା ବି ରହୁଥିଲା । ମାମୁଁଘର ଗାଁରେ ଥିବା ହଜାରେ ଆକର୍ଷଣ ଭିତରେ ଅଜା ବି ଅନ୍ୟତମ ଆକର୍ଷଣ ଥିଲେ ।

ଅଜା ମୋର ପୂରା ଅଠାନବେ ବର୍ଷ ବଞ୍ଚିଥିଲେ । ଆଉ ମାତ୍ର ବର୍ଷ ଦିଇଟା ବଞ୍ଚିଥିଲେ ସେଞ୍ଚୁରି ମାରିଥା’ନ୍ତେ । ସେଞ୍ଚୁରି ହେଲାନି କଟିଗଲେ । ମାମୁଁ ଘରର ପାଖ ଘର ହେଲା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ଏକଦା ବିଧାନସଭାର ଉପ ବାଚସ୍ପତି ଯଦୁମଣି ମଙ୍ଗରାଜଙ୍କର । ଅଜା ଓ ସେ ପିଲାଦିନର ସାଙ୍ଗ । ମୁଁ ଟିକେ ବଡ ହେଲା ପରେ ଯେବେ ଯଦୁମଣି ମଙ୍ଗରାଜଙ୍କୁ ଟିକେ ଟେକିକି କହେ ଅଜା ଚିଡିଯାଆନ୍ତି । କହନ୍ତି ତାକୁ ଏଠି କିଏ ଜାଣେ ? ସେ ତ ଗାଁ କୁ ଫେରିଲାନି ନା ।

ଅଜା ଥିଲେ ଏସା ଗପୁଡା । ଶୁକ ପରୀକ୍ଷିତ ପରି ଆମେ ଦୁହେଁ ଘଣ୍ଟା ଘଣ୍ଟା ଧରି ବସୁ । ମୁଁ ପଚାରି ଚାଲେ ଓ ସେ ଗପି ଚାଲନ୍ତି । ହଜାରେ ଗପ । ପୁରାଣରୁ, ଶାସ୍ତ୍ରରୁ ଓ ଅନୁଭୂତିରୁ । ହଇଜା ଓ ବସନ୍ତ ମହାମାରୀର କଥା । ନଈରେ ଥିବା ପୁଞ୍ଜା ପୁଞ୍ଜା କୁମ୍ଭୀର ଓ ସେମାନଙ୍କ ଶିକାର କଥା । ତାଙ୍କ ତନ୍ତ୍ର ସାଧନାର ଅନୁଭୂତି ଓ ଘରୁ ରାଗି କେଇଦିନ ପାଇଁ ବାବାଜି ହେଇଯିବାର କାହାଣୀ । କଟକ ମାଲଗୋଦାମରୁ ଡଙ୍ଗାରେ ଜିନିଷ ପତ୍ର ଆଣି ଗାଁରେ ପ୍ରଥମ ତେଜରାତି ଦୋକାନ କରିବାର କଥା । ଏମିତି କେତେ କ’ଣ । ଅଜା ତାଙ୍କ ଟୋକାବେଳେ ପନିଟେଲ୍ ରଖିଥିଲେ । ଧୋତି ଉପରେ ଗୋଟେ ବେଲ୍ଟ ବାନ୍ଧି ଘୋଡା ଚଢୁଥିଲେ । ସାଇ ଭାଇରେ ତାଙ୍କ ସାଙ୍ଗମାନଙ୍କର କାହାର କାହାର ଘୋଡା ବି ଥିଲା । ସେତେବେଳର ଷ୍ଟାଇଲ୍ । ପିଲାଦିନେ ଘରେ ଥିବା ଅଜାଙ୍କ ଘୋଡାର ଜିନ୍ ଓ ଚାବୁକ୍ ଧରି ଖେଳୁଥିଲି । ମୁଁ ଅନେକ ବର୍ଷ ପରେ ପନିଟେଲ୍ ରଖିଲି । ଏବେ ତ ଧିରେ ଧିରେ ଚନ୍ଦା ହେଇଗଲିଣି । ଏବେ ମୋ ପନିଟେଲ୍ ମୋ ପୁରୁଣା ଆଲବମ୍ ଫଟୋରେ ଅଛି ଯାହା ।

ପୁଅ, ବୋହୂ, ନାତି, ନାତୁଣୀ, ଅଣ ନାତି - ନାତୁଣୀ, ଝିଅ ଓ ଜୁଆଇଁଙ୍କ ଗହଳରେ ଅଜା ଏକ ଭରପୂର ଜୀବନ ବଞ୍ଚିଥିଲେ । ଅଜାଙ୍କୁ ଥରେ ଜଣେ ଜ୍ୟୋତିଷ କୁଆଡେ଼ କହିଲା ଯେ ତାଙ୍କର ନିଜ ଘରେ ମରଣ ଯୋଗ ନାହିଁ । କଥାଟିକୁ ଅଜା ଦିହକୁ ନେଇଗଲେ ଓ ଆଉ ଘରୁ ବାହାରିଲେନି । ବାହାରିଲେନି ମାନେ ଆଉ କୁଆଡେ ବି ଗଲେନି । ଦାଣ୍ଡ ଦୁଆର ମୁହଁରେ ବସିରହିଲେ । ଜୀବନର ପୂରା ଚାଳିଶ ବର୍ଷ ସେ ଦାଣ୍ଡପିଣ୍ଢା ଆଉ ଦାଣ୍ଡ ମେଲା ଭିତରେ ସାରିଦେଲେ । ଖାସ୍ ତାଙ୍କ ପାଇଁ ମାମୁଁ ଗୋଟେ ବରପାଲି ପାଇଖାନା ବାରିରେ ବସେଇଲେ ।

ସବୁଦିନ ସକାଳୁ ସକାଳୁ ଉଠିପଡନ୍ତି ଓ ଦାଣ୍ଡ ଦୁଆର ମୁହଁରେ ଠିଆହେଇ ଚାରିଦିଗକୁ ପ୍ରଣାମ କରନ୍ତି । ନଅଟା ବେଳକୁ ଗାଧାନ୍ତି । ଘର ଆଗ ଗୁଆ ଗଛମାନଙ୍କ ତଳେ ଥାଏ ଗୋଟେ ପଥର କୁଣ୍ଢିଆ । କୂଅରୁ ପାଣି ଆସେ ଓ ଅଜା ଗୋଟେ ଚଉକସିଆ ପିଢାରେ ବସି ଗାଧାନ୍ତି । ଗାଧେଇ ସାରି ଭାଗବତ ଗାଦିରେ ପୂଜା । ଗୁଡାଏ ମନ୍ତ୍ର, ବାରମ୍ବାର ଦଣ୍ଡବତ ଚାଲେ । ଭାଗବତ ପଢା ହୁଏ । ପୂଜା ପରେ ଢିଙ୍କି କୁଟା ଚୁଡାକୁ ପଖାଳି ଖାଆନ୍ତି । ସାଙ୍ଗରେ କିଛି ଗୋଟେ ଭରତା କିନ୍ତୁ ନିଶ୍ଚୟ ଥିବ । ଅଜା ତାଳପତ୍ରରେ ଲିଖନୀ ଧରି ଲେଖି ପାରନ୍ତି । ଗାଦିରେ ଥିବା କିଛି ପୋଥି ଭିତରେ ତାଙ୍କ ହାତ ଲେଖା ପୋଥି ବି ଅଛି । ଆଗରୁ ସେ ଭାଗବତ ପୋଥିରୁ ପଢୁଥିଲେ । ଆଖି ଖରାପ ହେଲା ପରେ ମୁଁ ଦେଖିଲାବେଳକୁ ଛାପା ବହି ପଢୁଥିଲେ । ସକାଳ ଛଡା ଅନ୍ୟ ସମୟରେ ବି ସେ କୋହିନୂର ପାଞ୍ଜି ଓ ଅନ୍ୟାନ୍ୟ ପୁରାଣ ବହି ପଢନ୍ତି । ମୋତେ ବି ପଢିବାକୁ କହୁଥିଲେ । ସେତେବେଳକୁ ମୋର ଷଷ୍ଠ କି ସପ୍ତମ ଧର । ସେଇ ବୟସରେ ମୁଁ ତାଙ୍କୁ ଭାଗବତ, ଖଣ୍ଡିକିଆ ହରିବଂଶ, ରାମାୟଣ ପଢି ଶୁଣଉଥିଲି । ହାୟ, ସପ୍ତମ ଶ୍ରେଣୀରେ ଗୋପିଲୀଳା ପାଠ ।

ଅଜା ପ୍ରବଳ ବିଡି ପିଅନ୍ତି । ଟୋକାବେଳେ ଧୂଆଁପତ୍ରର ପିକା ପିଉଥିଲେ । ଧୂଆଁପତ୍ର ଚାଷ ବି କରୁଥିଲେ । ବୟସ ହେଲାରୁ କାଶ ଲାଗିରହିଲା । ଡାକ୍ତର ମାମୁଁ ବିରକ୍ତ ହୋଇ ବିଡି ପିଆ ବାରଣ କଲେ । ଅଜାଙ୍କର କିନ୍ତୁ ଲୁଚେଇ ବିଡି ପିଇବା ବନ୍ଦ ହେଲାନି । କେହି ନଥିବା ବେଳେ ମଝିଆ ମାମୁଁଙ୍କ ବିଡି ଚୋରେଇ ମୋତେ ଧରେଇ କହିବେ ଯା’ ଲଗେଇ ଆଣେ । ମୁଁ ଲୁଚି ଲୁଚି ରୋଷେଇ ଘରକୁ ଯିବି । ମଝିଆ ମାଇଁ ପାଖରୁ ରୋଷେଇ ଚୁଲିରୁ ବିଡିରେ ନିଆଁ ଧରେଇ ଫେରିବି । ବାଟରେ ବିଡି ଲିଭିଯିବ ବୋଲି ଦି ଚାରି ସୋଠ ମାରିବାକୁ ହେବ । ସେବେଠୁ ମୋର ବିଡି ଟଣା ଆରମ୍ଭ ହେଲା ଜାଣ । ଅଜାଙ୍କର ଗୋଟେ ବଢିଆ ବଟୁଆ ଥିଲା । ଦାନ୍ତ ନଥିଲା, ତେଣୁ ସେ ପାନକୁଟାରେ ପାନ କୁଟି କୁଟି ଖାଉଥିଲେ । ମୁଁ ବି ଖାଉଥିଲି ।

ଅଜା ଦୁଇଥର ବାହା ହେଇଥିଲେ । ଦୁଇ ପୁଅ ଓ ଗୋଟେ ଝିଅକୁ ଜନ୍ମ ଦେଇ ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ଆଉ ଥରେ ବିବାହ କରିବେନି ବୋଲି ଠିକ୍ କରିଥିଲେ ସେ । ଝିଅଟି ସାନ ହେଇଥାଏ । ଖଣ୍ଡି ଖଣ୍ଡି କଥା କହୁଥାଏ ଓ ଠୁକୁ ଠୁକୁ ଚାଲୁଥାଏ । ଥରେ ଫଗୁଣ ମାସିଆ ଖରାବେଳେ ଅଜା ଆମର ବିଲ ବାଡିରୁ ହଳିଆ ମୂଲିଆ ଓ କୋଠିଆଙ୍କ କାମଦେଖି ଘରକୁ ଫେରି ଖାଇ ପିଇ ତାଙ୍କ ବାଡିକୁ ପଳେଇ ଥାଆନ୍ତି ଶୋଇବାକୁ । ବଉଳ ଭରା ଆମ୍ବ ଗଛ ତଳେ ଶୋଇଥାନ୍ତି ସେ । ହଠାତ ଅଜାଙ୍କୁ ଲାଗିଲା ତାଙ୍କ ପିଠିରେ କିଏ ଜଣେ ଧିରେ ଧିରେ ଛୁଉଁଛି । ଚଟ୍ କରି ଅଜା ଉଠିପଡି ଦେଖିଲାବେଳକୁ ତାଙ୍କ କୁନି ଝିଅ ପାଖରେ ବସି ତାଙ୍କ ପିଠିରେ ପଡୁଥିବା ଆମ୍ବ ବଉଳକୁ ଗୋଟି ଗୋଟି କରି ଗୋଟାଉଛି । ନିଛାଟିଆ ଖରାବେଳଟାରେ ମା’ ଛେଉଣ୍ଡ ସାନ ପିଲାଟା ଘରୁ ବାହରି ଏକା ଏକା ବାପା ପଛେ ପଛେ ପଳେଇ ଆସିଛି । ଘରେ ଏତେ ଲୋକ । କେହି ଦେଖିପାରିଲେନି ? ସେଇଦିନ ସଂଜରେ ଅଜା ଘରେ ପହଞ୍ଚି ଘୋଷଣା କଲେ ସେ ଆଉଥରେ ବାହା ହେବେ । ଘରେ ତ ଆଗରୁ ସେଇ କଥା କହୁଥିଲେ ତେଣୁ ଅରାଜି କିଏ କାହିଁକି ହେଇଥା’ନ୍ତା ? ହେଲେ ଅଜାଙ୍କର ସର୍ତ୍ତ ଥିଲା ଯଦି ପାଳିବ ମା ପାଳିବ, ନହେଲେ ପାଳିବ ମାଉସୀ । ପ୍ରସ୍ତାବ ଗଲା ଶ୍ୱଶୁର ଘରକୁ । ହେଲେ ପିଲାଙ୍କ ମାଉସୀ ସିଧା ମନା କରିଦେଲେ । ଶାଶୁଙ୍କର ବି ଇଚ୍ଛା ନଥାଏ । ଦୋଭେଇରେ କିଏ ଝିଅ ଦେବ? ଅଜା ଆମର ତ୍ରିପଣ୍ଡ କଳାକୁ ଶାଳୀ ତାଙ୍କର ହଳଦୀ ଗଣ୍ଠି ଗୋରୀ । ଅଜାଙ୍କ ସାଇ ଭାଇରେ କଥାଟାକୁ ଅପମାନ ଭାବରେ ଘେନିଲେ । କିଛିଦିନ ଗଡିଗଲା ।

ସେଥର ନଈରେ ବଢି ଆସିଥାଏ । ଗାଁ ଦାଣ୍ଡରେ ଡଙ୍ଗା ଚାଲୁଥାଏ । ଦିନେ ତିଥି ବାର ଦେଖି ଗୋଟେ ଡଙ୍ଗାରେ ସାଇ ଟୋକାଏ ଖଣ୍ଡା ଆଉ ଠେଙ୍ଗା ଧରି ସାଙ୍ଗରେ ନାହାକ ପୁରୋହିତ ଧରି ଅଜାଙ୍କୁ ବର ବେଶ କରି ତାଙ୍କ ଶ୍ୱଶୁର ଘରକୁ ଚାଲିଲେ । ଖଣ୍ଡା ଆଉ ଠେଙ୍ଗା ଡରରେ ବାହାଘର ହେଲା । ସେଇ ଡଙ୍ଗାରେ ଗୋରୀ କନିଆ ଧରି ଅଜା ଘରକୁ ଫେରିଲେ । ଝିଅ ବିଦାବେଳେ କୁଆଡେ ଅଜାଙ୍କ ଶାଶୁ ବାହୁନି ବାହୁନି ଗାଇଲେ; “କୁଆଡୁ ଆସିଲା ମାଟିଆ ଚିଲ.... ଝାମ୍ପି ନେଲା ମୋର ସୋରିଷ ଫୁଲ .....” ଅଜା ପଛ ଭାରିଜା ହେଲା ମୋ ନିଜ ଆଈ । ତାକୁ ମୁଁ ମା' ବୋଉ ବୋଲି ଡାକେ । ମା’ର ବୋଉ, ମା'ବୋଉ ।

ଆଜି ଯାହାକୁ ଆମେ ଫାର୍ମ ହାଉସ୍ କହୁଛେ ସେମିତିକା ଫାର୍ମ ହାଉସ୍ ଗୋଟେ ଅଜା ତାଙ୍କ ଟୋକାବେଳେ କରିଥିଲେ । ଏମିତି କିଛି ଗଛ ନଥିଲା ଯାହା ସେ ଲଗେଇ ନଥିଲେ । ଆମ୍ବ, ଆମ୍ବଡା ପଣସ, ପିଜୁଳି, କଦଳୀ, ଜେଉଟ, ଓଉ, ଡାଳିମ୍ବ, ସପେଟା, ଲିଚୁ, ସପୁରୀ, କରମଙ୍ଗା, ବାତାପି, କମଳା, ଲେମ୍ବୁ, ନଡ଼ିଆ, ତେଜପତ୍ର, ବାଉଁଶ, ବେତ, କେତକୀ ଆଦି କେତେ କ’ଣ ଗଛବୃଛ । ବଗିଚାରେ ଗୋଟେ ଛୋଟ ଟୁବି ଗଡିଆ ଥିଲା । ଗୋଟେ କୂଅ ବି ଥିଲା । ସେସମୟରେ ନଡିଆ ଗଛ ବ୍ରାହ୍ମଣଙ୍କ ଛଡା କେହି ଲଗେଇ ପାରୁନଥିଲେ । ନଡିଆ ବ୍ରାହ୍ନଣଙ୍କ ଏକଚାଟିଆ ବ୍ୟାପାର ଥିଲା । ଅଜା କହିଲେ, ସେ ନଡିଆ ଗଛ ଲଗେଇବେ । ଘରେ ଭାଳେଣି ପଡିଗଲା । ନଡିଆ ଗଛ ଲଗେଇଲ ମାନେ ମୁଣ୍ଡ ଗଡିବା ଥୟ । ସମସ୍ତେ ବୁଝେଇଲେ । ଅଜା କୋଉ ବୁଝିବା ଜନ୍ତୁ । ଓଲଟି କହିଲେ, ମଲେ ଲୋକେ କହିବେ ବଟ ରାଉତରାୟ ଗୋଟେ ହେମାକାତିଆ ଟୋକା ଥିଲା । ନଡିଆ ଗଛ ପକେଇଲା, ଗଲା । ଯଦି ନ ଗଲି ତେବେ ମୋ ଗଛର ନଡିଆ ମୁଁ ଖାଇବି । ଅଜା ତାଙ୍କ ବଗିଚାରେ ଏକାଥରେ ଶହେ ନଡିଆ ଗଛ ପକେଇଲେ ଓ ଅଠାନବେ ବର୍ଷ ବଞ୍ଚିଲେ । ସେ ବିଶାଳ ବଗିଚା ଆଉ ନାହିଁ । ଅନେଶତ ମହାବାତ୍ୟରେ ଅଧା ଉଜୁଡି ଗଲା । ପରେ ଖଣ୍ଡ ଖଣ୍ଡ ହେଇ ବିକ୍ରିବଟା ହେଇଗଲା ।

ଅଜାଙ୍କ ଜୀବନରେ ଗୋଟେ ନିର୍ଦ୍ଦିଷ୍ଟ ରୁଟିନ୍ ଥିଲା । ସାରା ଦିନ ତାଆରି ଭିତରେ ସେ ଚାଲୁଥିଲେ । ସକାଳୁ ରାତି ଯାଏଁ ଆଈ ଖାସ୍ ଅଜାଙ୍କ କାମରେ ନିରୋଳା ବନ୍ଧା ହେଇକି ରହୁଥିଲା । ଅଜା ରାତିରେ ସବୁଦିନ ସଜ ଉଷୁନା ଚକୁଳି ଖାଉଥିଲେ । ଆଈ ସକାଳୁ ବିରି ଓ ଉଷୁନା ଚାଉଳ ବତୁରାଇବ ଓ ଚାରିଟା ବେଳକୁ ବାଟି ରଖିବ । ଅଜା ଦିନକୁ ଦୁଇ ଥର ନାଲି ଚା’ ପିଇବେ । ଉଠା ଚୁଲିରେ ଆଈ ଚା ବସେଇବ । ରସ କେଟିଲିରେ ଅଧ କେଟିଲି ଚା’ ଆସିବ । ଧିରେ ଧରେ କରି ଅଜା ତାଙ୍କ ପଥୁରିରେ ଚା’ ଢାଳି ପିଇବେ । ସେତେବେଳେ ଗାଁ ଦାଣ୍ଡରେ କିଏ ଗଲା ତ ଇଚ୍ଛା ହେଲେ ଡାକିବେ ଓ ଗପିବେ ।

ମୁଁ ଯୁକ୍ତଦୁଇ ପଢିଲା ବେଳକୁ ଅଜା ଚାଲିଗଲେ । ତାପରେ ଯେବେ ବି ମୁଁ ମାମୁଁଘରକୁ ଯାଏ ଦାଣ୍ଡ ଦୁଆରମୁହଁ ଅଜାଙ୍କ ବିନା ଖାଲି ଖାଲି ଲାଗେ । ଅଜାଙ୍କର ଗୋଟେ ଝାପସା ହେଇଯାଇଥିବା ଫଟୋ ମୋ ପାଖରେ ଥିଲା । କୁଆଡେ ଗଲା କେଜାଣି ଆଉ ଖୋଜିଲେ ମିଳୁନି । ଫଟୋ ନଥିଲେବି ତାଙ୍କ ମୁହଁ ମୋର ଏବେବି ଅବିକଳ ମନେ ଅଛି ।