ଚିତ୍ର - ୱିକି କମନ୍ସ

କିଛି ନୂଆ ଆରମ୍ଭ କରିବା ପାଇଁ ଅବା ନିଜର ରୁଚି ଓ ଭଲପାଇବାକୁ ତା' ନିଜ ବାଟରେ ଜାହିର କରିବାକୁ ବୟସ କେବେବି ବାଧକ ନୁହେଁ । ଆମ ଫକୀରମୋହନ ପଚାଶ ଟପିଲା ପରେ ଗପ ଉପନ୍ୟାସ ଲେଖିବା ଆରମ୍ଭ କରଥିଲେ । ଅବଶ୍ୟ ପରିଣତ ବୟସରେ ନୂଆ କିଛି କରିବା ଓ ସେଥିରେ ବାଜିମାତ କରିବା ଅଲଗା କଥା  । ଇତିହାସରେ ତ ଅନେକ ଉଦାହରଣ ରହିଛି । ସେଥିପାଇଁ କୁହାଯାଏ ବୟସ ଏକ ସଂଖ୍ୟା ମାତ୍ର ଓ ସଫଳତାର ଚାବିକାଠି ବୟସ ପାଖରେ ନାହିଁ, ଅଛି  ଆଉ କେଉଁଠି ।

ତାଙ୍କୁ ଗ୍ରାଣ୍ଡମା ମୋସେସ୍ ନାମରେ ସମସ୍ତେ ଜାଣନ୍ତି । ପୂରା ଶହେଏକବର୍ଷ ବଂଚିଥିବା ବୁଢୀମା ମୋସେସ୍ ଙ୍କ ଶହେତମ ଜନ୍ମ ଦିନକୁ ସେଦିନ ନ୍ୟୁୟର୍କ ସହରର ମୁଖିଆ ‘ଗ୍ରାଣ୍ଡମା ଡେ’ ଭାବରେ ପାଳନ କରିଥିଲେ । ଗ୍ରାଣ୍ଡମା ମୋସେସଙ୍କର ପରିଚିତି ହେଲା, ସେ ଜଣେ ଆମେରିକୀୟ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଯିଏକି ୭୮ ବର୍ଷରେ ଯାଇଁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ଏତେ ଡେରିରେ ଛବି ଆଙ୍କିବା ଆରମ୍ଭ କରି ମଧ୍ୟ ସେ ଜୀବନର ଶେଷ କୋଡିଏ ବର୍ଷରେ ପନ୍ଦର ଶହ ପେଣ୍ଟିଂ ଆଙ୍କି ପକାଇଥିଲେ ବୋଲି ଜାଣିଲେ ଯେ କେହିବି ଆଜି ଆଶ୍ଚର୍ଯ୍ୟ ହେଇଯିବ । ଏକଦା ମାତ୍ର ତିନି କି ଚାରି ଡଲାରରେ ନିଜର ଗୋଟେ ଗୋଟେ ଛବି ବିକିଥିବା ବୁଢୀମା ମୋସେସଙ୍କ ଛବିର ମୂଲ୍ୟ ଏବେ କାହିଁରେ କେତେ ।

ବୁଢୀମା ମୋସେସଙ୍କ ପୂରା ନାମ ହେଲା ଏନା ମାରୀ ରବର୍ଟସନ୍ ମୋସେସ୍ ।  ଗ୍ରୀନଉଇଚ୍ ନାମକ ଛୋଟିଆ ସହରରେ ୭ ସେପ୍ଟେମ୍ବର ୧୮୬୦ ରେ ତାଙ୍କର ଜନ୍ମ ହେଇଥିଲା । ଚାରି ଭଉଣୀ ଓ ପାଞ୍ଚ ଭାଇଙ୍କ ଭିତରେ ମୋସେସ୍ ଥିଲେ ତିନି ନମ୍ବର । ବାପା ତାଙ୍କର ଜଣେ କୃଷକ ଥିଲେ ଓ ଫେସିରୁ ତେଲ ବାହାର କରିବା କଳ ଗୋଟେ ଚଳାଉଥିଲେ ।  ମୋସେସ୍ ପିଲାଦିନେ ଅଳ୍ପ ଦିନ ପାଇଁ ସ୍ଥାନୀୟ ଏକ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ । ସେଇ ବିଦ୍ୟାଳୟରେ ପଢିଲାବେଳେ ତାଙ୍କର ଚିତ୍ରକଳା ପ୍ରତି ଆଗ୍ରହ ତିଆରି ହେଇଥିଲା । ସେ ବିଦ୍ୟାଳୟ ଏବେ ମ୍ୟୁଜିୟମ୍ ହେଇସାରିଛି ଓ ସେଇଠି ବୁଢୀମା ମୋସେସଙ୍କର ସବୁଠାରୁ ଅଧିକ ଛବି ସଂରକ୍ଷିତ ହେଇ ରହିଛି । ପାଖରେ ରଙ୍ଗ କିଣିବାକୁ ପଇସା ନଥିବାରୁ ସେ ପିଲାଦିନେ ଘାସ, ମାଟି, କରତ ଗୁଣ୍ଡ, ଅଟା, ଲେମ୍ବୁ ଓ ଅଙ୍ଗୁର ରସକୁ ରଙ୍ଗ ଭାବରେ ବ୍ୟବହାର କରି ଛବି ଆଙ୍କୁଥିଲେ । ତାଙ୍କ ବାପା ମଝିରେ ମଝିରେ ତାଙ୍କୁ ଓ ତାଙ୍କ ଭାଇକୁ ଛବି କରିବାକୁ କାଗଜ ଖଣ୍ଡେ ଲେଖା ଦେଉଥିଲେ । ସେତେବେଳେ ଗରିବ ଘରେ କାଗଜ ଖଣ୍ଡେ ବି ଅମୂଲ୍ୟ ଥିଲା । ଅଭାବୀ ପରିବାରରେ ଅଧିକ ପଢିବା କିମ୍ବା ପରିବାର ସାଙ୍ଗରେ ଖୁସିବାସିରେ ଅଧିକ ସମୟ କାଟିବାର ସୁଯୋଗ ତାଙ୍କ ପାଇଁ ନଥିଲା । ମାତ୍ର ବାର ବର୍ଷ ବୟସ ବେଳକୁ ମୋସେସ୍ ଘର ଛାଡି ଜଣେ ଧନୀ ପଡୋଶୀଙ୍କ ଫାର୍ମରେ କାମ କରିବା ଆରମ୍ଭ କରିଥିଲେ । କାମ କହିଲେ ରୋଷେଇ ବାସ କରିବା, ଘରର ପୁରୁଣା ପୋଷାକ ଓ କପଡା ପତ୍ର ସିଲେଇ କରି ମରାମତି କରିବା ଏବଂ ଘରର ଅନ୍ୟାନ୍ୟ କାମରେ ସହଯୋଗ କରିବା । ମୋସେସ୍ ଏଇ କାମ ପାଖାପାଖି ପନ୍ଦର ବର୍ଷ ଧରି କରିଥିଲେ । ସେଇଠି କାମ କଲା ବେଳେ ସେଇ ଧନୀ ଲୋକଙ୍କ ଘରେ ଥିବା ଛବିମାନଙ୍କ ମନୋକ୍ରୋମ୍ ଲିଥୋ ପ୍ରିଣ୍ଟମାନଙ୍କୁ ବଡ ଆଗ୍ରହରେ ମୋସେସ୍ ଦେଖୁଥିଲେ ଓ ନକଲ ବି କରୁଥିଲେ । ତାଙ୍କର ଚିତ୍ରକଳା ପ୍ରତି ଏତେ ଆଗ୍ରହ ଦେଖି ଏକଦା ସେ ପରିବାରର କେହି ଜଣେ ତାଙ୍କୁ ଛବି କରିବାକୁ ଚକ୍ ଖଡି ଓ ମହମ ରଙ୍ଗ ଆଣି ଦେଇଥିଲେ ।

ଏନା ମୋସେସ ଙ୍କର ବିବାହ ସେଇ ଏକା ଫାର୍ମରେ କାମ କରୁଥିବା ଥୋମାସ୍ ସାଲମୋନ ମୋସେସ୍ ଙ୍କ ସହ ହେଇଥିଲା । ସେତେବେଳକୁ ଏନାଙ୍କୁ ବୟସ ସତେଇଶି । ବିବାହ ପରେ ସ୍ୱାମୀ ଏବଂ ସ୍ତ୍ରୀ ଭର୍ଜିନିଆର ସ୍ଟାଉନଟନ୍ ସହରକୁ ପଳେଇଥିଲେ ଓ ସେଇଠି ପ୍ରାୟ କୋଡିଏ ବର୍ଷ ଅତିବାହିତ କରିଥିଲେ । ଘର ଚଳାଇବାକୁ ଦୁହେଁ ପାଳି କରି ପାଖାପାଖିରେ ଥିବା ପାଞ୍ଚଟି ଫାର୍ମରେ କାମ କରୁଥିଲେ ଓ ସଂଚିତ ପଇସାରେ ଗାଈ ଗୋଟେ କିଣିଥିଲେ । ଆଉ ଟିକେ ଅଧିକ ରୋଜଗାର କରିବାକୁ ଏନା ଆଳୁର ଚିପ୍ସ ତିଆରି କରୁଥିଲେ ଓ ଗାଈ ଦୁଧରୁ ଲହୁଣି ବାହାର କରି ବିକ୍ରି କରୁଥିଲେ । ସଂଚୟ ପଇସା କିଛି ବଢିଗଲା ପରେ ଦୁହେଁ ଏଥର ଗୋଟେ ଫାର୍ମ କିଣିଲେ ଓ ୧୯୦୧ ରେ ପ୍ରଥମ କରି ଘର ଗୋଟେ କିଣିଲେ । ଏନା ଓ ସାଲମୋନଙ୍କର ଦଶଟି ପିଲା ଜନ୍ମ ହେଇଥିଲେ କିନ୍ତୁ ବଂଚିଥିଲେ ପାଞ୍ଚ ଜଣ ।  ୧୯୦୫ ରେ ସ୍ୱାମୀଙ୍କ ଇଚ୍ଛାରେ ସେମାନେ ନ୍ୟୁୟର୍କର ଇଗଲ ବ୍ରିଜର ଏକ ଫାର୍ମକୁ ଆସିଥିଲେ । ୧୯୨୭ ରେ ୬୭ ବର୍ଷ ବୟସରେ ଥୋମାସଙ୍କର ହାର୍ଟ ଆଟାକରେ ହଠାତ୍ ମୃତ୍ୟୁ ହେଇଯାଇଥିଲା । ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ପୁଅ ଏଥର ଫାର୍ମର ଦାୟିତ୍ୱ ନେଲେ ଓ ଏନା ମୋସେସ୍ ଏଥର ୧୯୩୬ ରେ ଝିଅ ପାଖକୁ ପଳେଇ ଆସିଲେ ।

ଏନା ମୋସେସ୍ ଙ୍କର କଳା ପ୍ରତି ବିଶେଷ ଆଗ୍ରହ ସବୁବେଳେ ରହିଥିଲା । ଘରକୁ ସଜାଇବା ସହ ଘର ଭିତରେ ଶୀତ ପାଇଁ ନିଆଁଜଳା ଜାଗା ବା ଫାୟାର ବୋର୍ଡ ଉପରେ ସେ ଛବି କରୁଥିଲେ । ବନ୍ଧୁ ଓ ପରିବାରର ଲୋକମାନଙ୍କ ପାଇଁ ଏମ୍ବ୍ରୋଡୋରୀ କାମ ବି କରୁଥିଲେ । ଅନ୍ୟମାନଙ୍କ ପରି ସାଧାରଣ ଏମ୍ବ୍ରୋଡୋରୀ ବୁଣିବା ତାଙ୍କର ପସନ୍ଦ ନଥିଲା । ଏମ୍ବ୍ରୋଡୋରୀରେ ସେ ବିଭିନ୍ନ ପ୍ରକାରର ଛବିକୁ ଅନେକ ରଙ୍ଗର ସୂତାମାନଙ୍କ ସାହାଯ୍ୟରେ ବୁଣୁଥିଲେ । କିନ୍ତୁ ତାଙ୍କୁ ୭୪ ବର୍ଷ ହେଲା ବେଳକୁ ସେ ଗଣ୍ଠିବାତ ରୋଗରେ ପୀଡିତା ହେଇଗଲେ ଓ ଆଗପରି ଆଉ ଏମ୍ବ୍ରୋଡୋରୀ କାମ କରିପାରିଲେନି । ସେତେବେଳେ ତାଙ୍କ ସାନଭଉଣୀ ତାଙ୍କୁ ଛବି କରିବା କଥା କହିଲେ ଓ ଏନା ଛବି ଅଙ୍କା ଆରମ୍ଭ କରିଦେଲେ । ଛବି ଅଙ୍କା ତାଙ୍କୁ ଏମ୍ବ୍ରୋଡୋରୀ କାମଠାରୁ ଅଧିକ ଭଲ ଲାଗିଲା । ସେ ଘଣ୍ଟା ଘଣ୍ଟା ଧରି ଏଥର ଛବି ଆଙ୍କି ଚାଲିଲେ । ଅଧିକ ସମୟ ଆଙ୍କିଲା ପରେ ଡାହାଣ ହାତକୁ କଷ୍ଟ ହେଲେ ସେ ବାମ ହାତରେ ମଧ୍ୟ ଆଙ୍କୁଥିଲେ ।

ପ୍ରଥମ ପ୍ରଦର୍ଶନୀମାନଙ୍କରେ ତାଙ୍କର ପରିଚୟ ଥିଲା ଶ୍ରୀମତୀ ମୋସେସ୍ । କିନ୍ତୁ ୧୯୪୦ ନ୍ୟୁୟର୍କ ହେରାଲ୍ଡ ଟ୍ରିବ୍ୟୁନ୍ ରିଭ୍ୟୁ ପତ୍ରିକାରେ ଜଣେ କଳା ସମାଲୋଚକ ଲେଖିଲେ ଯେ ଶ୍ରୀମତୀ ମୋସେସଙ୍କୁ ତାଙ୍କ ଆଡିଶା ପଡିଶା ଲୋକେ ବୁଢୀମା ମୋସେସ୍ ବୋଲି କୁହନ୍ତି । ସେତେବେଳକୁ ମୋସେସ୍ ଙ୍କର ନଅ ନାତି ନାତୁଣୀ ଓ ତିରିଶ ଅଣ ନାତି ନାତୁଣୀ ହେଇସାରିଥିଲେ । ପତ୍ରିକାରେ ତାଙ୍କ ବିଷୟରେ ଲେଖା ପ୍ରକାଶିତ ହେଲାପରେ ସାରା ଆମେରିକାରେ ଏଥର ତାଙ୍କୁ ବୁଢୀମା ମୋସେସ୍ ନାମରେ ଜାଣିଲେ ।

କଳାର କୌଣସି ବିଧିବଦ୍ଧ ଶିକ୍ଷା ପାଇନଥିଲେ ମୋସେସ୍ । ତାପରେ ଛବି କରିବା ପାଇଁ ଆବଶ୍ୟକୀୟ ଉପକରଣ ମଧ୍ୟ ତାଙ୍କ ହାତ ପାହାନ୍ତିରେ ନଥିଲା । ତେଣୁ ସେ ତାଙ୍କ ଛବିରେ ସାନ ସାନ ମଣିଷଙ୍କର ଆଖି, କାନ ଓ ପାଟିକୁ ଆଙ୍କିବା ପାଇଁ ସରୁ ବ୍ରସ୍ ବଦଳରେ ପିନ୍ ଓ ଦିଆସିଲି କାଠିର ବ୍ୟବହାର କରୁଥିଲେ ।  କଳା ସମାଲୋଚକମାନଙ୍କ ସମାଲୋଚନା ସତ୍ତ୍ୱେ ସେ ତାଙ୍କର ଶୀତ ଋତୁର ଭୂଦୃଶ୍ୟ ଛବିରେ ଗ୍ଲିଟର ଛିଞ୍ଚି ଦେଉଥିଲେ । ସେ ଧାରଣା କରି ରଖିଥିଲେ ଯେ, ଖରାରେ ସଫା ବରଫ ଯେଉଁ ଚକ୍ ଚକ୍ କରେ ସେ କାମଟି ଗ୍ଳିଟର କରିଦେବ ।  ତାଙ୍କର ଶୀତଦିନିଆ ଭୂଦୃଶ୍ୟର ଛବି ସହ ବିଖ୍ୟାତ ଡଚ୍ ଚିତ୍ରଶିଳ୍ପୀ ପିଟର ବ୍ରୁଗେଲଙ୍କ ଛବିକୁ ତୁଳନା କରାଯାଏ । ମଜାକଥା ହେଲା, ବୁଢୀମା ମୋସେସ୍ କିନ୍ତୁ ପିଟର ବ୍ରୁଗେଲ୍ କିଏ ଜାଣିନଥିଲେ କି ତାଙ୍କ ଛବି କିଛି ମଧ୍ୟ ଦେଖିନଥିଲେ ।

୧୯୩୮ରେ ଲୁଇସ୍ ଜେ କାଲପର ନାମକ ଜଣେ ଇଂଜିନିୟର ତଥା କଳା ସଂଗ୍ରାହକ, ବୁଢୀମା ମୋସେସ୍ ଙ୍କ ଛବି କେତୋଟି ଗୋଟେ ଔଷଧ ଦୋକାନର ଝରକାରେ ଅଙ୍କା ହେଇଥିବାର ଦେଖିଲେ । ତାପରେ ସେ ତିନିରୁ ପାଞ୍ଚ ଡଲାର ଲେଖା ଦେଇ ମୋସେସ୍ ଙ୍କ ଦଶଟି ଛବି ସଂଗ୍ରହ କଲେ । ଘଟଣାର ଠିକ୍ ବର୍ଷେ ପରେ ନ୍ୟୁୟର୍କର ମ୍ୟୁଜିୟମ ଅଫ୍ ମଡର୍ଣ୍ଣ ଆର୍ଟରେ ‘କଣ୍ଟେମ୍ପରାରୀ ଅନ୍ନୋନ ଆମେରିକାନ ପେଣ୍ଟରସ୍' ନାମରେ ଚିତ୍ର ପ୍ରଦର୍ଶନୀରେ ବୁଢୀମା ମୋସେସ୍ ଙ୍କର ଛବି ସ୍ଥାନ ପାଇଲା । ୧୯୪୦ ଅକ୍ଟୋବରରେ ନ୍ୟୁୟର୍କରେ ତାଙ୍କ ଜୀବନର ପ୍ରଥମ ଏକକ ଚିତ୍ରପ୍ରଦର୍ଶନୀ ହେଲା । ପଛକୁ ପଛ ତାଙ୍କ ଛବି ସବୁ ଆମେରିକା ଓ ୟୁରୋପର ଅନେକ ପ୍ରଦର୍ଶନୀରେ ଭାଗ ନେଲା । ଖୁବ ଶୀଘ୍ର ଲୋକପ୍ରିୟତାର ଶୀର୍ଷରେ ପହଂଚିଗଲେ ମୋସେସ୍ । ତାଙ୍କୁ ଓ ତାଙ୍କ ଛବିକୁ ଏଥର କଳା ସମାଲୋଚକ, କଳା ସଂଗ୍ରାହକ, କଳାପ୍ରେମୀ ଓ ସାଧାରଣ ଲୋକେ ଜାଣିଗଲେ ।  ୧୯୫୧ରେ ନ୍ୟାସନାଲ ଆସୋସିଏସନ୍ ଅଫ୍ ହାଉସ୍ ଡ୍ରେସ୍ ତାଙ୍କୁ ‘ଓମ୍ୟାନ ଅଫ ଦ ଇୟର’ ଭାବରେ ସମ୍ମାନିତ କଲା । ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧିରେ ମଧ୍ୟ ସମ୍ମାନିତ କଲେ । ୧୯୫୦ରେ ତାଙ୍କ ଜୀବନ ଉପରେ ତିଆରି ବୃତ୍ତଚିତ୍ରଟି ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେଇଥିଲା । ନିଜ ଜୀବନକାଳ ଭିତରେ ଶତବାର୍ଷିକି ପାଳନ କରାଯାଇଥିବା ଭାଗ୍ୟବତୀ ଚିତ୍ରଶିଳ୍ପୀ ସେ ଥିଲେ । ତତ୍କାଳୀନ ନ୍ୟୁୟର୍କ ଗଭର୍ଣ୍ଣର ସେଇ ଦିନଟିକୁ ‘ଗ୍ରାଣ୍ଡମା ମୋସେସ ଡେ’ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ । ୧୯୬୦ ମସିହା ସେପ୍ଟେମ୍ବର ୧୯ ର ବିଖ୍ୟାତ 'ଲାଇଫ୍' ପତ୍ରିକା ତାଙ୍କ ଶହେତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ପତ୍ରିକାର ପ୍ରଚ୍ଛଦରେ ବୁଢୀମାଙ୍କ ଫଟୋ ଛାପିଥିଲେ ।

ମୋସେସ୍ ଙ୍କ ଛବି ମାନଙ୍କରେ ବଂଚି ରହିଥିଲା ପୁରୁଣା ଗାଉଁଲି ଆମେରିକା । ବଡ କଥା ହେଲା, ସେଇ ପୁରୁଣା ଆମେରିକାକୁ ନୂଆ ଆମେରିକା ଢେର୍ ଭଲ ପାଉଥିଲା । ସେ ତାଙ୍କର ପିଲାଦିନରେ ସମୟ କାଟିଥିବା ଭୂଦୃଶ୍ୟକୁ ବେଶି ଭାଗ ଆଙ୍କିଥିଲେ । ସେ ଜାଣି ଜାଣି ତାଙ୍କ ଛବିରେ ଟେଲିଫୋନ୍ ଖୁଣ୍ଟି, ଟ୍ରାକ୍ଟର, ସହର ଏବଂ ଆଧୁନିକ ଜୀବନର ଅନ୍ୟାନ୍ୟ ଉପାଦାନକୁ ବାଦ୍ ଦେଇଥିଲେ । ପରିଣତ ବୟସରେ ସେ ଚାହୁଁଥିଲେ ଅତୀତରେ ସେ କେମିତି ଓ କେଉଁଠି ଜୀବନ ବଂଚିଥିଲେ ସେ ବିଷୟରେ ନୂଆପିଢିର ଲୋକମାନଙ୍କୁ ଅବଗତ କରାଇବେ । ପ୍ରାଥମିକ ଭାବରେ ବୁଢିମା ମୋସେସ୍ ଙ୍କର କୌଣସି ସ୍ୱତନ୍ତ୍ର ଶୈଳୀ ନଥିଲା ଓ ସେ ଭୂଦୃଶ୍ୟ ଅଙ୍କନର ପ୍ରାଥମିକ ପ୍ରସ୍ପେକ୍ଟିଭ୍ ଜାଣିନଥିଲେ ଏବଂ ଛବିର କମ୍ପୋଜିସନିଙ୍ଗ୍ ଠିକରେ କରିପାରୁନଥିଲେ । ପରେ କିନ୍ତୁ ସେ ଏହି ସବୁ ଅସୁବିଧାକୁ ଅତିକ୍ରମ କରିଯାଇଥିଲେ । ପୁରୁଣା ଆମେରିକାର ଗ୍ରାମ୍ୟଜୀବନର ଛବି କରୁଥିବାରୁ ମୋସେସ୍ ଙ୍କ ଛବି ବିଭିନ୍ନ ସମୟରେ ପ୍ରିଣ୍ଟ ଓ ବିଭିନ୍ନ କାର୍ଡ ଭାବରେ ବଜାରରେ ବିକ୍ରି ହେଉଥିଲା । ବିଶେଷ ଭାବରେ ଥ୍ୟାଙ୍କ୍ସ ଗିଭିଙ୍ଗ, କ୍ରିସମାସ୍, ମଦରର୍ସ ଡେ ଆଦି ବିଶେଷ ଦିନମାନଙ୍କରେ ତାଙ୍କ ଛବି ବ୍ୟବହୃତ ହେଇଥିବା କାର୍ଡର ଭଲ ଚାହିଦା ଥିଲା । ୧୯୪୭ ରେ ହଲମାର୍କ କମ୍ପାନୀ ମୋସେସ୍ ଙ୍କ ଛବି ଛାପା ଯାଇଥିବା କେବଳ ୧୬ ମିଲିୟନ୍ କାର୍ଡ ବିକ୍ରି କରିଥିଲା । କେବଳ କାର୍ଡ ନୁହେଁ ତାଙ୍କ ଛବି ସବୁ ସେରାମିକ ଟାଇଲ୍, କଫି କପ୍, ସିଗାରେଟ ଖୋଳ, କପଡା, ପୋଷାକ ଓ ବିଭିନ୍ନ ପ୍ରକାରର ଅନେକ ଜିନିଷ ଉପରେ ଛାପା ହେଇ ମଧ୍ୟ ବିକ୍ରି ହେଉଥିଲା ।

ବୁଢୀମା ମୋସେସ ‘ମାଇଁ ଲାଇଫସ୍ ହିଷ୍ଟ୍ରି’ ନାମରେ ନିଜର ଆତ୍ମଜୀବନୀ ଲେଖିଯାଇଛନ୍ତି । ଯେଉଁଥିରେ ସେ ତାଙ୍କ ଲମ୍ବା ଜୀବନର ଅନେକ ସୁଖ-ଦୁଃଖ ଓ ଅନୁଭୂତିକୁ ଲେଖିଯାଇଛନ୍ତି । ୧୯୬୧ ଡିସେମ୍ବର ୧୩ ତାରିଖରେ ଶହେଏକବର୍ଷ ବୟସରେ ବୁଢୀମା ମୋସେସଙ୍କର ଦେହାନ୍ତ ହେଇଥିଲା । ମୃତ୍ୟୁର ଅଳ୍ପ କେଇମାସ ଆଗ ପର୍ଯ୍ୟନ୍ତ ମଧ୍ୟ ସେ ଛବି ଆଙ୍କୁଥିଲେ । ତାଙ୍କ ମୃତ୍ୟରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜେ.ଏଫ. କେନେଡି ଶୋକବାର୍ତ୍ତାରେ କହିଥିଲେ, ଗ୍ରାଣ୍ଡମା ମୋସେସ୍ ଙ୍କ ନିଧନ ଆମେରିକାର ଜନଜୀବନରୁ ସେମାନଙ୍କର ଜଣେ ପ୍ରିୟ ମଣିଷକୁ ଅନ୍ତର କରିଦେଲା ।