ଅଶୋକ ଏବଂ ଉପଗୁପ୍ତ, ଶିଳ୍ପୀ- ବିନୋଦ କାନୁନଗୋ, ଓଡିଶା ଲଳିତ କଳା ଏକାଡେମୀ

ଗୋପାଳ କାନୁନଗୋ ଓଡ଼ିଶାର ସର୍ବପ୍ରଥମ ଶିଳ୍ପୀ ଯିଏ ଭୂଦୃଶ୍ୟ ଚିତ୍ରଣରେ ପ୍ରଥମ କରି ଆଭାସବାଦ ବା ଇମ୍ପ୍ରେସନିଜିମ୍ ର ସୂଚନା ଦେଇଥିଲେ । ପ୍ରସିଦ୍ଧ ଫରାସୀ ଆଭାସବାଦୀ ଶିଳ୍ପୀ ସୁରା ଙ୍କ ପରି ଦୃଶ୍ୟ ଭିତରେ ଥିବା ବିଷୟବସ୍ତୁ ମାନଙ୍କର ରଚନା କରୁଥିଲେ କାନୁନଗୋ । ପ୍ରଥମେ ମେଞ୍ଚା ମେଞ୍ଚା ରଙ୍ଗର ବିନ୍ଦୁ... ବିନ୍ଦୁରୁ ବିସ୍ତୃତି...ଆଉ ସେଇ ବିସ୍ତୃତି ଭିତରେ ଗୋଟି ଗୋଟି କରି ସଂରଚନା ସବୁ । କେତେବେଳ ତୂଳୀ ଅବା କେତେବେଳେ ସ୍ପେଚୁଲାରେ ରଙ୍ଗ ନେଇ ଭୂମି, ବୃକ୍ଷ ଓ ଅନ୍ୟାନ୍ୟ ରୂପ ଅଙ୍କନ ଭିତରେ ଏକ ସାମଗ୍ରୀକ ଛନ୍ଦର ରଚନା ହେଉଥିଲା ଛବିରେ । ପାଖରୁ ଏହି ଚିତ୍ର ସବୁ ବୋଳା ହୋଇଥିବା ରଙ୍ଗ ମେଞ୍ଚାଏ ପରି ଦେଖାଯାଉଥିଲେ ମଧ୍ୟ ଦୂରରୁ କିନ୍ତୁ ପ୍ରକୃତ ଦୃଶ୍ୟ ସହିତ ଥିବା ସାଦୃଶ୍ୟ ସ୍ପଷ୍ଟ ବାରି ହୋଇପଡେ଼ । ରଙ୍ଗର ଏପରି ବ୍ୟବହାରକୁ ଏମ୍ପାଷ୍ଟୋ କୁହାଯାଏ । ତାଙ୍କ ଲେଖାରୁ ବୁଝିହୁଏ, ସେ ଏମିତି ଜଣେ ଶିଳ୍ପୀ ଥିଲେ ଯିଏ ଆକାଶ ଓ ଧରଣୀର ଚିତ୍ରଟିଏ ଆଙ୍କିବା ଭିତରେ ଆକାଶର ବ୍ୟାପ୍ତି ଓ ଧରଣୀର ବିସ୍ତୃତି ଯେମିତି ମନରେ ପ୍ରଶସ୍ତ ଭାବ ସଞ୍ଚାର କରିବ ସେ ସମ୍ପର୍କରେ ସଚେତନ ଥିଲେ ।

ଇମ୍ପ୍ରେସନିଜିମ୍ ସହ କ୍ୟୁବିଜିମ୍ ଶୈଳୀରେ ମଧ୍ୟ କାନୁନଗୋ ଚିତ୍ର ଆଙ୍କିଛନ୍ତି । କ୍ୟୁବିଜିମ୍ ଶୈଳୀରେ ଅଙ୍କିତ ତାଙ୍କ ଚିତ୍ରର ସାମଞ୍ଜସ୍ୟ ଗଗନେନ୍ଦ୍ର ଠାକୁରଙ୍କ ଚିତ୍ର ସହିତ ରହିଛି ବୋଲି ମନେହୁଏ । ଗଗନେନ୍ଦ୍ର ଠାକୁର ହିଁ ଭାରତରେ ପ୍ରଥମକରି ନିଜସ୍ୱ ଧାରାରେ କ୍ୟୁବିଜିମ୍ ବା ଘନବାଦର ପରୀକ୍ଷା କରିଥିଲେ । ଓଡ଼ିଶାରେ କାନୁନଗୋ ଘନବାଦର ପ୍ରାଥମିକ ପରୀକ୍ଷା କରିଥିଲେ ମଧ୍ୟ ପରେ ଅଜିତ କେଶରୀ ରାୟ ତାକୁ ଆଗକୁ ନେଇଥିଲେ । ‘ପ୍ରେମ ଓ ପ୍ରତିମା’, ‘ମୃତ୍ୟୁସୁରା’ ଆଦି କ୍ୟୁବିଜିମ୍ ଶୈଳୀରେ ଅଙ୍କିତ ଚିତ୍ର କେତୋଟି କାନୁନଗୋଙ୍କର ରହିଛି । ଜୀବନ ଦର୍ଶନର ଗୁଢ଼ ରହସ୍ୟକୁ ଚିତ୍ରରେ ପ୍ରକାଶ କରିଛନ୍ତି ଶିଳ୍ପୀ । ତାଙ୍କ ଶବ୍ଦରେ, ‘ଜୀବନର ସୁରା ପିଇ ଯେ ବିଭୋର ହୋଇଛି, ସେ ମୃତ୍ୟୁସୁରାକୁ ନିର୍ଭୀକ ଭାବରେ ଗ୍ରହଣ କରୁ ।’ ଅତ୍ୟାଧୁନିକ ଚିତ୍ର ରଚନା ଦିଗରେ ଏହା ତାଙ୍କର ପ୍ରଥମ ପଦକ୍ଷେପ । ବର୍ତ୍ତମାନ କରୋନା ପରିପ୍ରେକ୍ଷୀରେ କେତେ ସତ ନଲାଗୁଛି ସତେ ତାଙ୍କର ଏ ଜୀବନ ଓ ମୃତ୍ୟୁର ଦର୍ଶନ! ଆଜିର ଶିଳ୍ପୀମାନଙ୍କ କାର୍ଯ୍ୟରେ ହୁଏତ ନିପୁଣତା ଅଛି କିନ୍ତୁ କାହିଁ ଏ ଗଭୀରତା? କେଉଁଠି ଅଛି ଜୀବନର ସ୍ପନ୍ଦନ ଅବା ମୃତ୍ୟୁକୁ ଗ୍ରହଣ କରିବାର ଆହ୍ୱାନ?

ଗୋପାଳ କାନୁନଗୋଙ୍କର ଜଳରଙ୍ଗରେ ଅଙ୍କିତ ‘ନବବସନ୍ତ’ ଚିତ୍ରଟି ଖୁବ୍ ପ୍ରସିଦ୍ଧ ଓ ଲୋକପ୍ରିୟ । ପରିତ୍ୟକ୍ତ ଆଦିବାସୀ ଜୀବନର ବାସ୍ତବତା, ଅରଣ୍ୟ ଶୋଭାର ଐନ୍ଦ୍ରଜାଲିକ ରହସ୍ୟ, ପ୍ରସ୍ଫୁଟିତ ପୁଷ୍ପ ଗଭାରେ ଦେବାକୁ ଉଦ୍ୟତ ପ୍ରାପ୍ତଯୌବନା ରମଣୀ ଭିତରେ ଯେଉଁ ସମନ୍ୱୟ ଓ ସଙ୍ଗତି ପରିଦୃଷ୍ଟ ହୋଇଛି ତାହା ହିଁ ଦେଖିବାର କଥା । ଶିଳ୍ପୀଙ୍କ ମତରେ; ‘ଚିତ୍ରରେ ଅଙ୍କିତ ରମଣୀ ହୁଏତ ପ୍ରୌଢ଼ାବସ୍ଥାରେ ପଦାର୍ପଣ କରିଥିବ, କିନ୍ତୁ ଚିତ୍ରସ୍ଥିତ ସୁଷମା କାଳକୁ ପ୍ରତାରଣା କରି ଅକ୍ଷୁର୍ଣ୍ଣ ରହିଛି । ସମୟକୁ ଏମିତି ପ୍ରତିହତ କରିପାରେ ବୋଲି କୁହାଯାଏ କଳା ଅମର ।’ ତାଙ୍କ ପ୍ରସିଦ୍ଧ ‘ଅଶୋକ ଓ ଉପଗୁପ୍ତ’ ଜଳରଙ୍ଗର ଛବିରେ ପରମ କାରୁଣିକ ବୁଦ୍ଧଙ୍କର କରୁଣା ବିଷୟରେ ଅଶୋକଙ୍କୁ ଉପଦେଶ ଦେଉଛନ୍ତି ଉପଗୁପ୍ତ ।

କାନୁନଗୋଙ୍କର ‘ବୋଇତବନ୍ଦାଣ’ ଚିତ୍ରରେ ବହୁ ନରନାରୀଙ୍କର ଚମତ୍କାର ପରିପାଟୀ, ପ୍ରାଚୀନ ବେଶଭୂଷା, ନୌକା, ପାଲ, ବନ୍ଦର, ଚିତା ଓ ସର୍ବୋପରି କର୍ମତତ୍ପରତାର ପରିକଳ୍ପନା ରହିଛି । ଏହି ଚିତ୍ର ଓ ଶିଳ୍ପୀଙ୍କର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ମୋଚି, ବଢେଇ, କୁମ୍ଭାର, ଦୁଗ୍ଧ ଦୋହନ, ଯୋଗୀର କେନ୍ଦରା ଆଦି ପ୍ରକାଶିତ ସ୍କେଚ୍ ଗୁଡ଼ିକରୁ ସେ କର୍ମର ଗୌରବ ପ୍ରତି କେତେ ଗୁରୁତ୍ୱ ଦେଉଥିଲେ ତାହା ସ୍ପଷ୍ଟ ଜଣାପଡେ଼ । ପ୍ରାଚୀନ ଉତ୍କଳର ବର୍ହିବାଣିଜ୍ୟକୁ ମନେ ପକାଇ ଦେଉଥିବା ଏହି ଚିତ୍ରଟିକୁ ନିଖିଳ ବଙ୍ଗ ସାହିତ୍ୟ ସମ୍ମିଳନୀରୁ ଓଡ଼ିଶାର ଗଭର୍ଣ୍ଣର କିଣି ଆଣିଥିଲେ । ଛବିଟି ଓଡ଼ିଶା ରାଜଭବନରେ ରହିଛି ।

୧୯୪୭ ମସିହାରେ ନିଖିଳ ଉତ୍କଳ ଚିତ୍ର ପ୍ରଦର୍ଶନୀରେ ଶିଳ୍ପୀ ନିଜର ରେଖାଚିତ୍ର ମାନଙ୍କ ନିମନ୍ତେ ପ୍ରଥମ ପୁରସ୍କାର ପାଇଥିଲେ । ଅଧିକାଂଶ ରେଖାଚିତ୍ର ତାଙ୍କର କର୍ମମୟ ଜୀବନର ପରିପ୍ରକାଶ । ପୌରାଣିକ ଚରିତ୍ର ଅପେକ୍ଷା କୃଷକ ଓ ଶ୍ରମିକ ଜୀବନର ଶ୍ରମ ଗୌରବ ତାଙ୍କୁ ଅଧିକ ଅନୁପ୍ରାଣିତ କରିଛି । ଏତଦ୍ ବ୍ୟତୀତ ଅନେକଙ୍କର ସ୍କେଚ୍ ମଧ୍ୟ ସେ ଆଙ୍କିଛନ୍ତି । ଜନସେବକ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, କବି ବୈକୁଣ୍ଠନାଥ, ସାହିତି୍ୟକ ବଳଭଦ୍ର ବହିଦାର, କବି ରାଧାମୋହନ ଗଡ଼ନାୟକ, ଅନନ୍ତ ପ୍ରସାଦ ପଣ୍ଡା, କଥାଶିଳ୍ପୀ ନିତ୍ୟାନନ୍ଦଙ୍କସମେତ ଦେଶର ବହୁ ଲବ୍ଧପ୍ରତିଷ୍ଠିତ କବି, ଲେଖକ, ଜନସେବକମାନଙ୍କର ସ୍କେଚ୍ ଖୁବ୍ କମ୍ ଭିତରେ ଆଙ୍କିବା ଭିତରେ କେବଳ ସାଦୃଶ୍ୟ ନୁହେଁ ସେମାନଙ୍କ ପ୍ରକୃତ ଚରିତ୍ରର ପ୍ରତିଫଳନ କରି ନିଜ ଉତ୍କର୍ଷତା ପ୍ରତିପାଦିତ କରିଯାଇଛନ୍ତି । ରେଖାଚିତ୍ର, ସ୍କେଚ୍ ବ୍ୟତୀତ ସେ ବିଜ୍ଞାପନ ମଧ୍ୟ ଆଙ୍କିଛନ୍ତି ଓ ସେଥିଲାଗି ପୁରସ୍କାର ବି ପାଇଛନ୍ତି । ଯାନବାହନ ଯୋଗାଣ ବିଭାଗର ବିଜ୍ଞାପନ ଚିତ୍ର ଆଙ୍କି ସ୍ମାରକ ଚିତ୍ରଣରେ ପ୍ରଥମ ପୁରସ୍କାର ମିଳିଥିଲା ତାଙ୍କୁ । ସର୍ବୋଦୟ ନିମନ୍ତେ ତାଙ୍କ ଅଙ୍କିତ ‘ପୁରାଣପାଠ’, ‘ଅଭିମନ୍ୟୁ’, ‘ଜୟଦେବ’ ଓ ‘ପଦ୍ମା’ ଏବଂ ‘ଚୀନ୍ ଦରବାରରେ ପ୍ରାଜ୍ଞ’ ଆଦି ବଡ଼ ବଡ଼ ଜଳରଙ୍ଗର ଚିତ୍ରଗୁଡ଼ିକ ରାଜଭବନ ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ଏବେବି ରହିଛି । କାନୁନଗୋ ପ୍ରାଚୀନକାଳର ପଦ୍ମାବତୀ–ଜୟଦେବଙ୍କର ପାଣିଗ୍ରହଣ, ଚନ୍ଦ୍ରଶେଖର ସାମନ୍ତସିଂହଙ୍କ ନକ୍ଷତ୍ରଗଣନାକୁ ରୂପ ଦେବା ସହ ରୂପ ଦେଇଛନ୍ତି ବି ତାଙ୍କ ସମୟର ଦୋଳଯାତ୍ରାକୁ । ଉତ୍କଳର ସର୍ବପ୍ରାଚୀନ ଫ୍ରେସ୍କୋ ରାବଣଛାୟାକୁ ନକଲ କରିବା ସହ ସେ ସମୟର ଭାଗବତ ଟୁଙ୍ଗିରେ ଭାଗବତ ପାଠକୁ ବି ଚିତ୍ରିତ କରିଛନ୍ତି । ଅତୀତ-ବର୍ତ୍ତମାନ ଭିତରେ ସେ ଏକ ଅଦ୍ଭୁତ ସମନ୍ୱୟ ରଖିଛନ୍ତି ସବୁବେଳେ । ଅତୀତ ଓ ବର୍ତ୍ତମାନ ଉଭୟକୁ ନେଇ ବର୍ଣ୍ଣମୟ ହୋଇଉଠିଛି ତାଙ୍କ ଚିତ୍ର ଜଗତ । ଉଭୟକୁ ନିରେଖି ଚାହିଁଛନ୍ତି ଓ ରଙ୍ଗ ତୂଳୀରେ ରୂପ ଦେଇଛନ୍ତି ।

ନଗର ଓ ପଲ୍ଲୀ ଉଭୟରେ ରୂପର ସନ୍ଧାନ କରିବାକୁ ମନ ତାଙ୍କର ବ୍ୟାକୁଳ ହୋଇଛି ସବୁବେଳେ । ପଲ୍ଲୀ ଜୀବନର ନଈ, ବିଲ, ବଣ, ନଈକୂଳର ଧାଡ଼ି ଧାଡ଼ି ତାଳଗଛ, ଚଷାପୁଅ, ଗଉଡ଼, ଭାଗବତ ଟୁଙ୍ଗି ସବୁ ତାଙ୍କ ମନରେ ଗଭୀର ରେଖାପାତ କରିଛି । ଗାଁ ଭୂଇଁରେ ରଙ୍ଗର ସମାରୋହ, ଛାଇ-ଆଲୁଅର ଖେଳ, କୌତୁକ, ଧାଡ଼ି ଧାଡ଼ି ଘର ଉପରେ ଆଲୁଅର ପ୍ରତିଫଳନ, ଗାଁ ର ଭଙ୍ଗା କାନ୍ଥ, ନଡ଼ିଆ ଗଛର ଛାଇ, ଜଳରାଶିର ଚାଞ୍ଚଲ୍ୟ ଓ ଅଦ୍ଭୁତ ବର୍ଣ୍ଣବୈଭବର ସେଇ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ସବୁ ପରେ ରୂପାୟିତ ହୋଇଛି ଶିଳ୍ପୀଙ୍କର ଚିତ୍ରରେ । ଗାଁର ଧାଡ଼ି ଧାଡ଼ି ଘର ଭିତରେ ଯେଉଁ ଜାଗାଟିରେ ନଡ଼ିଆ ଗଛର ପତ୍ର ସବୁ ଛାଇ ଆଲୁଅର ଖେଳ ଖେଳନ୍ତି ସେଇ ଜାଗାଟିକୁ ସେ ଅନେକ ଥର ଖୋଜିଛନ୍ତି । ବିଭିନ୍ନ ଜାଗାରେ ବହୁବାର ଠିଆ ହୋଇ ଠିକ୍ ସେହି ଜାଗାଟିକୁ ବାଛିବାକୁ ଚେଷ୍ଟା କରିଛନ୍ତି । ଶେଷରେ ପାଇଛନ୍ତି ବି । ବାଲ୍ୟ କାଳର ସ୍ମୃତି ସମ୍ବଳିତ ସେଇ ଚିତ୍ରଟିକୁ ଖୁବ୍ ସରାଗରେ ଆଙ୍କିଛନ୍ତି ଥରେ । କିନ୍ତୁ ସେଇ ଚିତ୍ରଟିକୁ ଏଇ ଦେଶରେ କେହି ପ୍ରଶଂସା କରନ୍ତିନି ବୋଲି ତାଙ୍କ ମନ ଭିତରେ କେଉଁଠି ଠାଏ ଦୁଃଖ ରହିଯାଇଥିଲା । ଛବିଟି କିନ୍ତୁ ୧୯୩୪ ରେ ବାର୍ଷିକ କଳା ପ୍ରଦର୍ଶନୀ କଲିକତାରେ ଓ ଚିନସୁରାରେ ପୁରସ୍କୃତ ହୋଇଥିଲା । ଏତକରୁ ସେ ବୁଝିଥିଲେ, “ପ୍ରକୃତିର ସମ୍ମୁଖୀନ ହୋଇ ଉଜ୍ଜ୍ୱଳ ବର୍ଣ୍ଣବିନ୍ୟାସକୁ ଧରିବା ପାଇଁ ଯତ୍ନ କରିବାରେ ଯେଉଁ ଆନନ୍ଦ ଅଛି – କକ୍ଷ ମଧ୍ୟରେ ଆବଦ୍ଧ ହୋଇ ଚିତ୍ରାଙ୍କନ କରିବାରେ ସେ ଆନନ୍ଦ ମିଳିପାରିବ ନାହିଁ । ବୋଧହୁଏ ଏଇ କାରଣରୁ ଫ୍ରାନ୍ସର ଇମ୍ପ୍ରେସନିଷ୍ଟ୍ ମାନେ ଷ୍ଟୁଡିଓ ଛାଡ଼ି ପଦାକୁ ବାହାରି ଆସିଲେ ପ୍ରକୃତିର ସତ୍ୟ ନିକଟକୁ ।”

ପୁରସ୍କାର ଓ ପଦବୀ ସବୁବେଳେ ମିଳିଥିଲା ଶିଳ୍ପୀ ଗୋପାଳ କାନୁନଗୋଙ୍କୁ । ଜଣେ ଶିଳ୍ପୀ, ଅନିସନ୍ଧିତ୍ସୁ ଓ ଦରଦୀ ମଣିଷ ହୋଇଥିବା କାରଣରୁ ସେ ଏ ଅବସର ସବୁର ଭରପୁର ବିନିଯୋଗ କରିଥିଲେ । ଚିତ୍ର ଶିକ୍ଷକ ହୋଇ ପିଲାମାନଙ୍କର ଉତ୍ତରଣ ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରିଥିଲେ; ଆୟୋଜିତ କରିଥିଲେ ପ୍ରଦର୍ଶନୀ, କରିଥିଲେ ବି ଚିତ୍ର ଓ ପତ୍ରିକା ପ୍ରକାଶନ । ଓଡ଼ିଶା ଲଳିତକଳା ଆକାଡେମିର ପ୍ରଥମ ଉପ ସଭାପତି ଭାବରେ ଆୟୋଜିତ କରିଥିଲେ ପାରମ୍ପରିକ ଲୋକକଳା ପ୍ରଦର୍ଶନୀ(୧୯୭୦) ଓ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ(୧୯୬୧), ଦେଇଥିଲେ ପୁରସ୍କାର ଓ ସମ୍ମାନ କେତେ ନା କେତେ ଶିଳ୍ପୀଙ୍କୁ, କଣ୍ଟେମ୍ପରାରୀ ଆର୍ଟ ଗ୍ୟାଲେରୀର ସ୍ଥାପନା କରିଥିଲେ ରାଜ୍ୟ ସଂଗ୍ରାହଳୟରେ, ଲେଖିଥିଲେ ବି ସାଂସ୍କୃତିକ ଜୀବନ ଉପରେ । ଏମିତି କେତେ ନା କେତେ ଅସରନ୍ତି କାମର ତାଲିକା... । ଆଜି ଆମେ ଯେଉଁ ପରିଚିତ ଓଡ଼ିଶା ଲଳିତକଳା ଆକାଡେମି ର ଲୋଗୋ ଦେଖୁଛନ୍ତି, ସେଇଟିକୁ ବି ଗୋପାଳ କାନୁନଗୋ ତିଆରି କରିଥିଲେ । ଓଡ଼ିଶାର ମନ୍ଦିରରେ ବହୁଳ ବ୍ୟବହୃତ ସିଂହ ଓ ହାତୀ ଭାସ୍କର୍ଯ୍ୟର ଅଙ୍କନ ଶୈଳୀକୁ ବ୍ୟବହାର କରି ସେଇ ଚମତ୍କାର ଡିଜାଇନ୍ ଟି ପ୍ରସ୍ତୁତ କରିଥିଲେ ସେ ।

ସମସ୍ତଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିବା ଏହି ମହାନ୍ ଚିତ୍ରଶିଳ୍ପୀ ୧୩ ମାର୍ଚ୍ଚ, ୧୯୭୧ରେ ଭୁବନେଶ୍ୱର ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଶାର କଳା ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଥିଲେ ମଧ୍ୟ ପ୍ରତିବଦଳରେ ରାଜ୍ୟ ତାଙ୍କୁ କିଛି ଫେରାଇ ପାରିନି । ନା ତାଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ଖଣ୍ଡେ ଅଛି ନା ଅଛି ତାଙ୍କ ଚିତ୍ରକଳା ସମ୍ପର୍କରେ କିଛି ଆଲୋଚନା । ଏକଦା ଓଡ଼ିଶା ମାଟିରେ ଏମତି ଜଣେ ଶିଳ୍ପୀ ଥିଲେ, ଏକଥା ଅନେକ ଆଜି ଜାଣିବି ନାହଁନ୍ତି ।

ଓଡ଼ିଶୀ ଚିତ୍ରକଳା ଓ ଚିତ୍ରଲିପି; ଗୋପାଳ କାନୁନଗୋ: ୩