ଦିଗବିଜୟ ପଟୁଆର - କଳାର ବିଚାର: ଉତ୍କଳ ବିଶ୍ଵ ବିଦ୍ୟାଳୟ

କଲିକତା କଳା ବିଦ୍ୟାଳୟରୁ କଳା ଶିକ୍ଷା ସମାପ୍ତ କରି ବିଦେଶ ଯାଇ ଉଚ୍ଚଶିକ୍ଷା ପାଇବା ପାଇଁ ଖୁବ୍ ଇଚ୍ଛା ଥିଲା ଗୋପାଳ କାନୁନଗୋଙ୍କର । ତେଣୁ କଲିକତା ଛାଡିବା ଆଗରୁ କାନୁନଗୋ ପାଟନା ଯାଇ ଶିଳ୍ପ ଡାଇରେକ୍ଟର୍ ଙ୍କୁ ଦେଖା କରି ବିଲାତ ଯିବା ବୃତ୍ତି ମିଳିବାର ପ୍ରତିଶୃତି ନେଇ ଖୁସି ମନରେ କଲିକତା ଫେରି ଆସିଥିଲେ । ଏ ଥିଲା ତାଙ୍କ କଲିକତା କଳା ବିଦ୍ୟାଳୟର ଶେଷ ବର୍ଷର କଥା । ସେଇ ବର୍ଷ ପୁଣି ସବୁ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସେ ପାଟନା ବି ଯାଇଥିଲେ । ସେତେବେଳକୁ କିନ୍ତୁ ବିହାର ଭୂମିକମ୍ପ ଯୋଗୁଁ ବିଲାତ ବୃତ୍ତି ବନ୍ଦ କରିଦିଆଯାଇଥାଏ । ଶିଳ୍ପ ବିଭାଗ ମାତ୍ର ୨୦୦୦ ଟଙ୍କା ନେଇ ବିଲାତ ଯିବାକୁ କହିଲେ କାନୁନଗୋଙ୍କୁ । ମାତ୍ର ୨୦୦୦ ଟଙ୍କାରେ ବିଲାତ ଯିବା କ’ଣ ସମ୍ଭବ ? ବାପା ତାଙ୍କର ସେତେବେଳକୁ ଇହଧାମ ଛାଡ଼ି ସାରିଥା’ନ୍ତି । ଚିହ୍ନା ପରିଚୟରେ ବି ଆଉ ସେମିତି ଜଣେ କେହି ନଥା’ନ୍ତି ସାହାଯ୍ୟ କରିବାକୁ । ତେଣୁ ୟାସିନ୍ ସାହେବଙ୍କ ଠାରୁ ମନ ଦୁଃଖରେ ଫେରିଆସିଲେ କାନୁନଗୋ । ବିଲାତ ଯାଇ ଉଚ୍ଚଶିକ୍ଷା ପାଇବାର ଇଚ୍ଛା ତାଙ୍କର ଇଚ୍ଛାରେ ହିଁ ରହିଗଲା ।

୧୯୩୪ରେ ତେଣୁ ସବୁଦିନ ପାଇଁ ଓଡ଼ିଶା ଫେରିଆସିଲେ ଗୋପାଳ କାନୁନଗୋ । ଓଡ଼ିଶାରେ କିନ୍ତୁ କଳା ଶିକ୍ଷକତା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ସେତେବେଳେ । ବର୍ଷେ ପରେ ତାଙ୍କର ‘ଦୋଳଯାତ୍ରା’ ଚିତ୍ରଟି ନିଖିଳଭାରତ କଳା ପ୍ରଦର୍ଶନୀରେ ଲାହୋର ଠାରେ ପ୍ରଦର୍ଶିତ ହେଲା । ଏହାର କିଛି ଦିନ ପରେ ଚିନସୁରାରେ ଅନୁଷ୍ଠିତ କଳାପ୍ରଦର୍ଶନୀରେ ତୈଳଚିତ୍ର ବିଭାଗରେ ଭୁଦୃଶ୍ୟ ଚିତ୍ରଣରେ ତାଙ୍କୁ ପୁରସ୍କାର ମିଳିଲା । ପୁରସ୍କାର ଓ ସମ୍ମାନର କ୍ରମ ଜାରି ରହିଥିଲା ଜୀବନ ସାରା ।

ଗୋପାଳ କାନୁନଗୋ ପ୍ରଥମେ କଳା ଶିକ୍ଷକ ଭାବରେ ବାଲେଶ୍ୱରରେ ଯୋଗ ଦେଇ ପରେ ପରେ ସମ୍ବଲପୁର, ବରହମପୁର, କଟକ ଓ ପୁରୀର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରିଥିଲେ । ଶିକ୍ଷକ ଜୀବନର ନାନା ଘାତ ପ୍ରତିଘାତ ଭିତରେ କିନ୍ତୁ ସେ ଶିଶୁମାନଙ୍କର ସ୍ୱଚ୍ଛନ୍ଦ ଆତ୍ମପ୍ରକାଶ ପାଇଁ ଅନେକ ପ୍ରୟାସ କରିଥିଲେ । ଚିତ୍ରରେ ଶିଶୁମାନଙ୍କର ସ୍ୱାଧିନତା ଓ ବର୍ଣ୍ଣାନୁରଞ୍ଜନ ତାଙ୍କୁ ସବୁବେଳେ ମୁଗ୍ଧ କରେ । ପିଲାଙ୍କ ଚିତ୍ରରେ ଥିବା ସରସତା, ଅନାବିଳତା, ସ୍ୱଚ୍ଛନ୍ଦତା ତାଙ୍କୁ ଅଭିଭୂତ କରେ, ଠିକ୍ ଯେମିତି ତାଙ୍କୁ ଅଭିଭୂତ କରେ ପ୍ରିମିଟିଭ୍ ଆର୍ଟ । ଶିଶୁ ଓ କିଶୋରମାନଙ୍କର ଅନେକ ହସ୍ତାଙ୍କିତ ଚିତ୍ର ଓ ନକସା ସଂଗ୍ରହ କରିଥିଲେ ସେ । ମାନସିଂହଙ୍କ ସମ୍ପାଦିତ ‘ଶଂଖ’ ପତ୍ରିକାରେ ଏ ସମ୍ପର୍କିତ ନାନା କଥା ଲେଖିଥିଲେବି । କାନୁନଗୋ ବୁଝିଥିଲେ, ଶିଶୁଟିଏ ଭାଷାରେ ଲେଖିଲେ ହୁଏତ ସହସ୍ର ଭୁଲ୍ କରେ କିନ୍ତୁ ଚିତ୍ର ପରି ସାର୍ବଜନୀନ ଭାଷାରେ ତା’ର ଭୁଲ୍ ହୁଏ ଅଳ୍ପ ଓ ସେ ନିଜ ଧାରଣାକୁ ସମଗ୍ର ଭାବେ ଓ ସହଜରେ ଉପସ୍ଥାପିତ ବି କରିପାରେ ଚିତ୍ରରେ । ଶିଶୁମାନେ ଯେ ଅନ୍ୟମାନଙ୍କ ପରି ଶିଳ୍ପୀ, ସେ କଥାକୁ ସେ ସମସ୍ତଙ୍କ ଆଗରେ ଖୋଲାଖୋଲି କହିଛନ୍ତି । କିନ୍ତୁ ତାଙ୍କର ଏଇ ନୂଆ ପ୍ରଚେଷ୍ଟା ପାଇଁ ପୁରସ୍କାର ବଦଳରେ ଅଶ୍ରଦ୍ଧା ବେଶୀ ମିଳିଛି ସବୁବେଳେ ।

ଏବେ କିନ୍ତୁ ସରକାର ସମସ୍ତ ବିଷୟରେ ଆର୍ଟ ଇଣ୍ଟିଗ୍ରେସନ୍ ବାଧ୍ୟତା ମୂଳକ ବୋଲି ବିଦ୍ୟାଳୟ ମାନଙ୍କୁ ଚିଠି ପଠେଇ ଜଣେଇ ଦେବା ସହ ତାକୁ ଏଇ ୨୦୨୧ ଶିକ୍ଷାବର୍ଷରୁ ହିଁ କାର୍ଯ୍ୟକାରୀ କରିବାକୁ କହିଦେଇଛନ୍ତି । ଶିଶୁ-ଚିତ୍ର-ବୋଧଗମ୍ୟତା ଭିତରେ ଯେଉଁ ସରୁ ଖିଅଟେ ଥିବା କଥା ପ୍ରାୟ ୭୦ ବର୍ଷ ତଳେ ଗୋପାଳ କାନୁନଗୋ କହି ଅସୂୟାର ଶିକାର ହୋଇଥିଲେ, ସେଇ କଥା ଆଜି ସରକାର କହିବା ପରେ ସମସ୍ତେ ତାକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ବିଦ୍ୟାଳୟରେ ଶିଶୁ ଓ ତାଙ୍କର ଚିତ୍ରକୁ ପ୍ରମୁଖତା ଦେଇ ସମସ୍ତଙ୍କର ଅଶ୍ରଦ୍ଧାର ପାତ୍ର ପାଲଟିଥିବା କାନୁନଗୋ ଯେ ଜଣେ ଦୂରଦ୍ରଷ୍ଠା ଥିଲେ, ସେକଥା ଆଜି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ ।

ଜଣେ କଳା ଶିକ୍ଷକ ଭାବରେ ଶିଶୁ ଚିତ୍ରାବଳୀ ସମ୍ପର୍କରେ ଗୋପାଳ କାନୁନଗୋ ହିଁ ପ୍ରଥମେ ନାନା ଚିତ୍ର (ଶିଶୁ କଳା) ମୁଦ୍ରଣ କରାଇଥିଲେ । ସମ୍ବଲପୁର ସ୍କୁଲ୍ ର ପତ୍ରିକାରେ ପିଲାମାନଙ୍କର ଚିତ୍ର ବି ଛପେଇଥିଲେ, ଯାହା ଦେଖି ଶିକ୍ଷା ବିଭାଗର ସମସ୍ତେ କାନୁନଗୋଙ୍କୁ ପ୍ରଶଂସା କରିଥିଲେ । ପ୍ରାଚୀନ ଉତ୍କଳୀୟ ଗୌରବର ଯେଉଁ ବିରାଟ ପ୍ରଦର୍ଶନୀ ଉତ୍କଳ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଆୟୋଜନ କରିଥିଲେ, ସେଥିରେ ମଧ୍ୟ ସେ ଶିଶୁକଳା ଉପରେ ଗୋଟିଏ କ୍ଷୁଦ୍ର ପ୍ରଦର୍ଶନୀ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ମୁଦ୍ରିତ ତାଙ୍କର ପୁସ୍ତକ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଉପହାର ଦିଆଯାଇଥିଲା । ବିଶ୍ୱରେ ସଦ୍ଭାବ ଓ ମୈତ୍ରୀ ପ୍ରତିଷ୍ଠା କରିବାରେ କଳା ସମର୍ଥ, ଏହା ହିଁ ଥିଲା ତାଙ୍କ ‘ବିଶ୍ୱମୈତ୍ରୀ ପାଇଁ କଳାର ଦାନ’ ପୁସ୍ତକର ସାରମର୍ମ ।

ତାଙ୍କ କଥାରେ - ‘ଯାହା କଳାରେ ପ୍ରକାଶ ପାଇପାରେନା ତାହା ପ୍ରକାଶିତ ହୁଏ ଭାଷାରେ, ଜୀବନରେ ଯାହା ଅସମାପ୍ତ ତାହା ସମାପ୍ତ ପାଏ କଳାରେ ।’ ସେଇଥିପାଇଁ ସେ ଲେଖନ୍ତି । ଜଣେ ଲେଖକ ହିସାବରେ ‘କଳାର ବିଚାର’, ‘ବିଶ୍ୱମୈତ୍ରୀ ପାଇଁ କଳାର ଦାନ’, ‘ପ୍ରତିଭା ପ୍ରଣୟ’, ‘କାଳିଦାସଙ୍କ ମେଘଦୂତ’ ଓ ଓମର ଖୟାମ ଙ୍କ ‘ରୁବାୟତ’ର ଓଡ଼ିଆ ଅନୁବାଦ, ‘ପ୍ରଥମ ସର୍ଗ’, ଓ ‘ଉତ୍କଳର ଚିତ୍ରକଳା’ ପ୍ରଭୃତି ପୁସ୍ତକ କଳା ଓ ସାହିତ୍ୟ ଜଗତ ପାଇଁ ତାଙ୍କର ଅନବଦ୍ୟ ଉପହାର । ‘ରୁବାୟତ’ର ଅଳଙ୍କରଣ ମଧ୍ୟ ସେ ନିଜେ କରିଥିଲେ । ଏତଦ୍ ବ୍ୟତୀତ ତାଙ୍କର ଅନେକ କଳା ସମ୍ପର୍କିତ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ନିୟମିତ ପ୍ରକାଶିତ ହୋଇଥିଲା ।

ଗୋପାଳ କାନୁନଗୋଙ୍କର ‘କଳାର ବିଚାର’ ବହିଟି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୫୫ରେ ପ୍ରକାଶିତ ହୋଇଥିଲା । ୧୬୧ ପୃଷ୍ଠାର ଏହି ବହିଟି ଓଡିଶା ମାଟିରେ ଏକ ଅଭିନବ ପ୍ରୟାସ ଥିଲା । ବହିର ମୁଖବନ୍ଧ ଲେଖିଥିଲେ କଲିକତା କଳା ବିଦ୍ୟାଳୟର ତତ୍କାଳୀକ ଅଧ୍ୟକ୍ଷ ରମେନ୍ଦ୍ର ଚକ୍ରବର୍ତ୍ତୀ । ୧୯୬୪ରେ ଓଡ଼ିଶା ଲଳିତକଳା ଏକାଡେମୀଙ୍କ ଦ୍ୱାରା ‘ଉତ୍କଳର ଚିତ୍ରକଳା’ ବହିଟି ପ୍ରକାଶିତ ହୋଇଥିଲା । ଯେଉଁଥିରେ ଭାରତୀୟ ଓ ଉତ୍କଳୀୟ ଚିତ୍ର ପରମ୍ପରା ସହ ଚିତ୍ର ରଚନାର ଅନେକ ଭାବ ଓ ବିଭବ ସମ୍ପର୍କରେ ଲେଖାମାନ ପ୍ରକାଶିତ ହୋଇଥିଲା । ପୁସ୍ତକରେ କାନୁନଗୋ ପ୍ରମୁଖ ଓଡ଼ିଆ ଚିତ୍ରଶିଳ୍ପୀ ମାନଙ୍କ ବିଷୟରେ ସମ୍ୟକ୍ ସୂଚନାମାନ ଦେଇଥିଲେ । ବଡ ଦଃଖର କଥା ଆଜି ସେସବୁ ବହି ଆଉ ବଜାରରେ ମିଳୁ ନାହିଁ । ଓଡ଼ିଶାର କଳାର ପ୍ରଚାର-ପ୍ରସାର ଦାୟିତ୍ୱ ନେଇଥିବା ରାଜ୍ୟ ଲଳିତକଳା ଏକାଡେମୀ ଏନେଇ ସମ୍ପୂର୍ଣ୍ଣ ନୀରବ । ରାଜ୍ୟ ଲଳିତକଳା ଏକାଡେମୀ ଗୋପାଳ କାନୁନଗୋଙ୍କ ଚିତ୍ରକଳା ସମ୍ପର୍କିତ ପତ୍ର ପତ୍ରିକାରେ ପ୍ରକାଶିତ ପ୍ରବନ୍ଧମାନଙ୍କୁ ପୁନଃର୍ରୁଦ୍ଧାର କରି ସଙ୍କଳିତ କରିବା ସହ ‘କଳାର ବିଚାର’ ଓ ‘ଉକ୍ରଳର ଚିତ୍ରକଳା’ ବହି ଦୁଇକୁ ପୁନଃ ପ୍ରକାଶ କରିବା ଉଚିତ୍ ହୁଅନ୍ତା ।

ଶିଳ୍ପୀ ଗୋପାଳ କାନୁନଗୋଙ୍କର ହୃଦୟ ଖୁବ୍ ଦରଦୀ ଥିଲା । ଯେତିକି ଦରଦୀ ଶିଳ୍ପୀ ଥିଲେ ସେତିକି ଦରଦୀ ମଣିଷ ମଧ୍ୟ ଥିଲେ ସେ । ସାଧାରଣ ଜୀବନର ଦୃଶ୍ୟମାନ ସବୁବେଳେ ତାଙ୍କ ଉପରେ ଗଭୀର ପ୍ରଭାବ ପକାଏ । ଚିତ୍ରରେ ସେ ଆଙ୍କିପକାନ୍ତି ସେସବୁକୁ । କୃଷକ, କୋଇଲାଖଣି, ବୋଝେଇ ଶଗଡ଼, ରିକ୍ସାବାଲା, ଦାରିଦ୍ର୍ୟ ପୀଡିତ ମୋଚି ଆଦି ଚିତ୍ର ଭିତରେ ଫୁଟି ଉଠେ ଗରିବ ମେହେନତୀ ମଣିଷ ମାନଙ୍କ ପାଇଁ ଗଭୀର ସମବେଦନା । ଏପଟେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଅଜ୍ଞାତରେ ଅପଚରା ହୋଇ ପଡ଼ି ରହିଥିବା ବହୁ ଶିଳ୍ପୀଙ୍କ ପାଇଁ ବ୍ୟଥିତ ହୋଇପଡେ଼ ତାଙ୍କ ହୃଦୟ । ତେଣୁ ପାରମ୍ପରିକ ଶିଳ୍ପୀ ମାନଙ୍କୁ ଖୋଜି ଲୋଡି ସେମାନଙ୍କର ପରିଚୟ ସହ ତାଙ୍କ ଖୋଦିତ ପ୍ରତିମାର ପ୍ରତିଲିପି ସରକାରଙ୍କୁ ପଠାଇ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ନିମନ୍ତେ ଆବେଦନ କରିବସନ୍ତି ସେ । ତାଙ୍କ ଦ୍ୱାରା ଯେତକ ସମ୍ଭବ ସବୁମତେ ସେତକ ସାହାଯ୍ୟ ସେ ନିଶ୍ଚୟ କରନ୍ତି । ବିମ୍ବାଧର ବର୍ମାଙ୍କ ଅନ୍ତେ ଯେତେବେଳେ ସମସ୍ତେ ନିଜ ନିଜର ଦୁଃଖ ଜାହିର କରୁଥିଲେ ସେ କହିଥିଲେ, ‘ଏବେ ଝୁରିଲେ କ’ଣ ହେବ? ବଞ୍ଚିଲା ବେଳେ ତ କେହି ପଚାରିଲନି ।’

ଆଧୁନିକ ଶିଳ୍ପୀମାନଙ୍କର ପ୍ରତିମାଶିଳ୍ପ ଗବେଷଣା କାର୍ଯ୍ୟରେ ମଧ୍ୟ କାନୁନଗୋ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ହୋଇଥିଲେ । ଭାରତ ସରକାରଙ୍କ ଅଧୀନରେ ରିସର୍ଚ୍ଚ କରି ଓଡ଼ିଶାର ଖୋଦନ ଓ ପ୍ରତିମା ଶିଳ୍ପର ପରାକାଷ୍ଠା ବିଷୟରେ ରିପୋର୍ଟ ଦେବାର କାର୍ଯ୍ୟଟି ମଧ୍ୟ କରିଥିଲେ କାନୁନଗୋ । ସ୍କୁଲ୍ ଜୀବନରେ ମାଟିରେ ସରସ୍ୱତୀ, ଗଣେଷ ଅନେକ ତ ତିଆରି କରିଥିଲେ, ପରେ ପୁଣି ଥରେ ଏହି ଗବେଷଣା ଅବସରରେ ବୀର, କରୁଣ, ବୀଭତ୍ସ ରସର ରୂପାୟିତ ମୂର୍ତ୍ତି, ନୃତ୍ୟ, ଗୀତ, ବାଦ୍ୟକାର ମୂର୍ତ୍ତି ମଧ୍ୟରେ ସେ ଦେଖିଲେ ଅତୀତର ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି, ଅସରନ୍ତି ପ୍ରକାଶଭଙ୍ଗୀ ।

ପ୍ରାଚୀନ ଚିତ୍ର ଓ ଭାସ୍କର୍ଯ୍ୟ ପ୍ରତି ତାଙ୍କର ଥିବା ଆଗ୍ରହ ପାଇଁ ହିଁ ସେ ସର୍ବପ୍ରଥମେ ଉତ୍କଳର ପ୍ରାଚୀନତମ ସୀତାବିଞ୍ଝିର ଚିତ୍ରସମ୍ପଦ ରାବଣଛାୟା ଫ୍ରେସ୍କୋକୁ ନକଲ କରି ତା’ର ମୌଳିକତା ଓ ସୌନ୍ଦର୍ଯ୍ୟକୁ ଦୁନିଆ ଆଗରେ ଉପସ୍ଥାପିତ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା କଲିକତାରେ ଆୟୋଜିତ ନିଖିଳଭାରତ କଳା ସମ୍ମିଳନୀରେ ଉତ୍କଳର ପ୍ରତିନିଧି ହିସାବରେ ଯୋଗ ଦେଇ ସୀତାବିଞ୍ଝି ର ଭିତ୍ତିଚିତ୍ର ପ୍ରତି ସେ ଆଗ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ । ସମ୍ମିଳନୀରେ ବଙ୍ଗ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଫେରିବା ପରେ କେନ୍ଦୁଝର ଗଡ଼ ପାଖରେ ଥିବା ସୀତାବିଞ୍ଝି ପାହାଡ଼ର ଭିତ୍ତିଚିତ୍ର ପୁଣି ଥରେ ଦେଖିବାକୁ ଯାଇଥିଲେ ଓ ଭିତ୍ତିଚିତ୍ରର ଗୋଟିଏ ପ୍ରାଥମିକ ନକଲ ତିଆରି କରି ଉତ୍କଳର ଭିତ୍ତିଚିତ୍ର ଶୀର୍ଷକରେ ଏକ ପ୍ରବନ୍ଧ ଲେଖି ‘ଅମୃତବଜାର’ ପତ୍ରିକାରେ ମଧ୍ୟ ପ୍ରକାଶ କରାଇଥିଲେ ।

ଉତ୍କଳରେ ଯେ ଅଜନ୍ତାର ସମକକ୍ଷ ଛବି ଅଛି, ତାହା ସର୍ବସମକ୍ଷରେ ପ୍ରମାଣିତ କରି ଗୋପାଳ କାନୁନଗୋ ହିଁ ଉତ୍କଳୀୟମାନଙ୍କ ପାଇଁ ଏ ଗୌରବ ର ଅଧ୍ୟାୟକୁ ଉନ୍ମୋଚନ କରିଥିଲେ । ଆମ ମାନଙ୍କ ଉଦାସୀନତା ପାଇଁ ଆଜି ରାବଣଛାୟା ଫ୍ରେସ୍କୋ ପ୍ରାୟ ଲିଭି ଆସିଲାଣି । କାନୁନଗୋ ଆଙ୍କିଥିବା ନକଲ ଛବିରେ ହିଁ ଆଗକୁ ରାବଣଛାୟା ଫ୍ରେସ୍କୋ ବଂଚିରହିବ ହୁଏତ ।

ଓଡ଼ିଶୀ ଚିତ୍ରକଳା ଓ ଚିତ୍ରଲିପି; ଗୋପାଳ କାନୁନଗୋ: ୨