ଗୋପାଳ କାନୁନଗୋଙ୍କ ଅଙ୍କିତ "ବସନ୍ତ", ଓଡିଶା ଲଳିତ କଳା ଏକାଡେମୀ

ଗୋପାଳ କାନୁନଗୋଙ୍କର ବାପା ଜଗବନ୍ଧୁ ବାବୁ କଟକ ଡମପଡ଼ାର ଦେୱାନ୍ ଥିଲେ । ତାଙ୍କର ଇଚ୍ଛା ଥିଲା ପୁଅଟି ତାଙ୍କର ଭଲ ପାଠ ପଢ଼ି ସରକାରୀ ଚାକିରିଟିଏ କରୁ । ଦେୱାନ୍ ଚାକିରିରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳ ମନ୍ଦିରର ମ୍ୟାନେଜର୍ ଭାବରେ ଯୋଗ ଦେବାରୁ ଗୋପାଳ କାନୁନଗୋଙ୍କର ପ୍ରାଥମିକ ଶିକ୍ଷା ସେଇଠାରେ ହୋଇଥିଲା । ପଞ୍ଚସଖାଙ୍କ ତିଆରି ସାକ୍ଷୀଗୋପାଳ ସ୍ଥିତ ‘ସତ୍ୟବାଦୀ ବନବିଦ୍ୟାଳୟ’ର ଛାତ୍ର ଥିଲେ ସେ । ସେଠାରେ ତାଙ୍କର ଚିତ୍ର ଶିକ୍ଷକ ଥିଲେ ଧନେଶ୍ୱର ମହାରଣା । ଗୋପାଳ କାନୁନଗୋଙ୍କର ଶିଳ୍ପୀ ହୃଦୟକୁ ପିଲାଦିନେ ଏଇ ଶିକ୍ଷକ ଜଣଙ୍କ ଖୁବ୍ ପ୍ରଭାବିତ କରିଥିଲେ । ଅତି ଆଗ୍ରହର ସହିତ ଗୋପାଳ କାନୁନଗୋ ଶିକ୍ଷକ ଧନେଶ୍ୱରଙ୍କର ମୂର୍ତ୍ତି ତିଆରି, କାଠ ଖୋଦେଇ ଆଦି କାମକୁ ନିରେଖି ଦେଖୁଥିଲେ । କିନ୍ତୁ ପରେ, ୧୯୨୧ରେ ଅସହଯୋଗ ଆନ୍ଦୋଳନ ସମୟରେ ସତ୍ୟବାଦୀ ବନ ବିଦ୍ୟାଳୟ ବନ୍ଦ ହୋଇଯିବାରୁ ସେ ପୁରୀ ଜିଲ୍ଲାସ୍କୁଲ୍ କୁ ଚାଲିଆସିଥିଲେ । ସେ ସମୟରେ ପୁରୀ ଜିଲ୍ଲା ସ୍କୁଲ୍ ରେ କୌଣସି ଛାପା ମାସିକ ପତ୍ରିକା ନଥିବାରୁ ଗୋପାଳ କାନୁନଗୋ ମ୍ୟାଟ୍ରିକ୍ ପଢ଼ିବା ବେଳେ କେତେଜଣ ସାଙ୍ଗଙ୍କ ସହ ମିଶି ଗୋଟିଏ ହାତଲେଖା ପତ୍ରିକା ବାହାର କରୁଥିଲେ । ସେହି ପତ୍ରିକାଟିକୁ ଚିତ୍ରମୟ ଓ ଛବିଳ କରିଥିବାରୁ ସେ ସହପାଠୀମାନଙ୍କର ପ୍ରୀତିଭାଜନ ମଧ୍ୟ ହୋଇଥିଲେ । ଯଦିଓ ଏହିସବୁ କାମ ପାଇଁ ତାଙ୍କର ପାଠପଢ଼ା ନଷ୍ଟ ହେଉଥିଲା ଓ ବାପାଙ୍କର ବିରକ୍ତିକୁ ସାମ୍ନା କରିବାକୁ ପଡ଼ୁଥିଲା, ସିଆଡ଼ିକି କିନ୍ତୁ ନିଘା ନଥିଲା ଶିଳ୍ପୀଙ୍କର । ବରଂ ସାଙ୍ଗସାଥିଙ୍କର ଉତ୍ସାହ ଓ ପ୍ରଶଂସା ତାଙ୍କୁ ଆହୁରି ଚିତ୍ର ଆଙ୍କିବାକୁ ଉତ୍ସାହିତ କରୁଥିଲା । ଗୋପାଳ କାନୁନଗୋ ମନେ ମନେ କିନ୍ତୁ ଠିକ୍ କରିଥା’ନ୍ତି, ସ୍କୁଲ୍ ଶିକ୍ଷା ସରିଲେ ସେ କଳା ବିଦ୍ୟାଳୟରେ ପାଠ ପଢିବାକୁ ନିଶ୍ଚୟ ବାହାରିଯିବେ ।

୧୯୨୩ରେ ପୁରୀ ଜିଲ୍ଲା ସ୍କୁଲ୍ ରୁ ମ୍ୟାଟ୍ରିକ୍ ପାଶ୍ କରି ଗୋପାଳ କାନୁନଗୋ ଯେତେବେଳେ କଳାଶିକ୍ଷା ପାଇଁ କଲିକତା ଯିବା କଥା ବାପାଙ୍କୁ କହିଲେ, ବାପା ତାଙ୍କର ପୁଅକୁ ସିଧାସଳଖ ମନା ନକରି ‘ମୁଁ ତୁମକୁ ଆଗ ଜଣେ ଗ୍ରାଜୁଏଟ୍ ଭାବରେ ଦେଖିବାକୁ ଚାହୁଁଛି’ କହି କଥାଟିକୁ ଆଡେ଼ଇ ଦେଲେ । ବାପାଙ୍କର କଥା ଶୁଣି ମନ ଭାଙ୍ଗିଗଲା ଶିଳ୍ପୀଙ୍କର । ନୀରବ ହୋଇଗଲେ ସେ । ମନ କଥା ମନରେ ମାରି ଉଚ୍ଚଶିକ୍ଷା ପାଇଁ କଟକ ରେଭେନ୍ସା କଲେଜ୍ କୁ ଯିବାକୁ ହେଲା ତାଙ୍କୁ । ସେଠାରେ କିନ୍ତୁ ପଢ଼ା ଅପେକ୍ଷା ଅଧିକ ସମୟ ତାଙ୍କର ବିତୁଥିଲା ଚିତ୍ର ଆଙ୍କିବାରେ । ମାସିକ ପ୍ରାଚୀରପତ୍ର ‘ରେଭେନ୍ସାଭିଆନ୍’ ରେ ସେ ଚିତ୍ର ଦେଉଥିଲେ । ‘କୁମାର ସମ୍ଭବ’, ‘ରଘୁବଂଶ’, ‘ମେଘଦୂତ’ର ବହୁ ବିଷୟବସ୍ତୁର ଅବଲମ୍ବନରେ ଅଙ୍କିତ ତାଙ୍କ ଚିତ୍ର ସବୁ ‘ଉତ୍କଳ ସାହିତ୍ୟ’ରେ ବାହାରିଲା ନିୟମିତ । ‘ଉତ୍କଳ ସାହିତ୍ୟ’ର ପ୍ରବୀଣ ସମ୍ପାଦକ ବିଶ୍ୱନାଥ କର ତାଙ୍କର ପ୍ରତିଭାକୁ ଚିହ୍ନିଥିଲେ ଓ ତାଙ୍କୁ ଚିତ୍ରାଙ୍କନ ଦିଗରେ ଆଗେଇବାକୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ । ଅର୍ଥ ବ୍ୟୟ କରି କଲିକତାରୁ ବ୍ଳକ୍ ତିଆରିକରାଇ ଆଣି କାନୁନଗୋଙ୍କ ଛବିଗୁଡିକ ତାଙ୍କ ପତ୍ରିକାରେ ଛାପୁଥିଲେ ବି । ଗୋପାଳ କାନୁନଗୋଙ୍କ ଚିତ୍ର ଦେଖି ତାଙ୍କ ଇଂରାଜୀ ଅଧ୍ୟାପକ ଗୋଷ୍ଠବିହାରୀ ବାବୁ ତାଙ୍କୁ ଶ୍ରଦ୍ଧାରେ ‘ୟଙ୍ଗ୍ ଲିଓନାର୍ଡୋ’ ବୋଲି ଡାକୁଥିଲେ । କବିତା ଲେଖିବା ପରି ମନର ଭାବକୁ ବର୍ଣ୍ଣ ଓ ରେଖାରେ ପ୍ରକାଶ କରୁଥିଲେ କାନୁନଗୋ । ସେଇଠି ପଢ଼ୁଥିବା ବେଳେ ଛାତ୍ରସଂଘର ପ୍ରଦର୍ଶନୀରେ ଚିତ୍ର ପାଇଁ ପୁରସ୍କାର ପାଇଥିଲେ ବି । ଏହି ସମୟରେ ହିଁ ସେ ‘ସହକାର’ ପ୍ରଭୃତି ପ୍ରମୁଖ ପତ୍ର ପତ୍ରିକାରେ ଚିତ୍ର ପ୍ରକାଶ କରିବା ଆରମ୍ଭ କରିଥିଲେ ।

୧୯୨୭ରେ ଗ୍ରାଜୁଏସନ୍ ସରିଆସିବା ବେଳକୁ ସେ ପୁଣି ଥରେ କଳା ଶିକ୍ଷା ପାଇଁ ବ୍ୟାକୁଳ ହୋଇପଡିଲେ । ରେଭେନ୍ସାର ତତ୍କାଳୀନ ପ୍ରିନ୍ସପାଲ୍ ଲ୍ୟାମ୍ବର୍ଟ ସାହେବ ସେହି ମାସରେ ଶିକ୍ଷା ବିଭାଗର ଡିରେକ୍ଟର୍ ହୋଇ ପାଟନା ଯାଉଥିବାରୁ କାନୁନଗୋଙ୍କ ପାଇଁ ଶିକ୍ଷା ବୃତ୍ତି ବ୍ୟବସ୍ଥା କରିବା ଲାଗି ପାଟନାର ଶିଳ୍ପ ଡିରେକ୍ଟରଙ୍କୁ ସୁପାରିଶ୍ କରି ଚିଠି ଗୋଟେ ଲେଖିଲେ । କଲେଜରେ ଜଣେ ତରୁଣ ଶିଳ୍ପୀ ଭାବରେ କାନୁନଗୋଙ୍କର ପରିଚିତି ଥିବାରୁ ଲ୍ୟାମ୍ବର୍ଟ ସାହେବ ତାଙ୍କୁ ଆଗରୁ ଭଲରେ ଜାଣିଥିଲେ । ତେଣୁ ପାଟନାରୁ ବୃତ୍ତି ମିଳିବାରେ ବିଳମ୍ବ ହେଲା ନାହିଁ । ଶିଳ୍ପ ଡାଇରେକ୍ଟର କାନୁନଗୋଙ୍କ ଛବି ଦେଖି ଏତେ ମୁଗ୍ଧ ହୋଇଯାଇଥିଲେ ଯେ ତାଙ୍କୁ ବିଲାତ ପଠାଇବେ ବୋଲି ମଧ୍ୟ କଥା ଦେଇଦେଲେ । କଲିକତା ଯିବା କଥା ସ୍ଥିର ହେବା ପରେ ଅପେକ୍ଷାରେ ଅପେକ୍ଷାରେ ସମୟ ବିତିଲା ଶିଳ୍ପୀଙ୍କର । ଓଡ଼ିଶାରେ ସେତେବେଳେ ଚାରୁକଳା ଶିକ୍ଷା ପାଇଁ କିଛି ବ୍ୟବସ୍ଥା ନଥାଏ । କହିରଖେ, ସେତେବେଳକୁ ବ୍ରିଟିଶ୍ ସରକାର ଚାରୁକଳା ଶିକ୍ଷା ପାଇଁ କଲିକତା, ବମ୍ବେ ଓ ମାଡ୍ରାସ ଆଦି ବିଭିନ୍ନ ସହରରେ ଶିକ୍ଷାନୁଷ୍ଠାନମାନ ଖୋଲିଥାଆନ୍ତି ।

କଲିକତା ଯିବାର ଅପେକ୍ଷା ଭିତରେ କୌଣସି ଉପାୟ ନପାଇ ପୁରୀର ଏମାରମଠ ମହନ୍ତଙ୍କର ଗୋଟିଏ ପେନସିଲ୍ ଆଲେଖ୍ୟ ଆଙ୍କି ତାଙ୍କୁ ଭେଟି ଦେଇ କିଛି ଅର୍ଥ ଯୋଗାଡ଼ ସନ୍ଧାନରେ ଥାଆନ୍ତି ଗୋପାଳ କାନୁନଗୋ । ମହନ୍ତଙ୍କୁ ଆଲେଖ୍ୟଟି କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ଦେଇ ପାରିନଥିଲେ । ଚିତ୍ରଟି ତାଙ୍କ ପାଖରେ ଅନେକ ବର୍ଷ ପର୍ଯ୍ୟନ୍ତ ଥିଲା । ସେଇ ଚମତ୍କାର ଚିତ୍ରଟିକୁ ଦେଖି ସେ ସମୟର ନିଜ ସାମର୍ଥ୍ୟ ଉପରେ ବିସ୍ମିତ ହେଉଥିଲେ ଶିଳ୍ପୀ । ନିଜ ଉପରେ ଆସ୍ଥା ଦୃଢ ହେଉଥିଲା ।

ଅପକ୍ଷୋର ସମୟ ତଥାପି ସରୁନଥିଲା । ତେଣୁ ଆଡମିଶନ୍ କୁ ଅପେକ୍ଷା କରିବା ଭିତରେ ଗୋପାଳ କାନୁନଗୋ ପୁରୀ ଜିଲ୍ଲା ସ୍କୁଲରେ ଇତିହାସ ଓ ଇଂରାଜୀ ଶିକ୍ଷକ ହିସାବରେ କେତେ ମାସ କାମ କରିଥିଲେ ଓ ୧୫ଦିନ ପାଇଁ ଟ୍ରେନିଂ କଲେଜରେ ନାମ ବି ଲେଖାଇଥିଲେ । କିନ୍ତୁ ବୃତ୍ତି ପାଇବାର ଖବର ମିଳିବା ମାତ୍ରକେ ସବୁ ଛାଡିଛୁଡି ଯାଇ ହାଜର ହୋଇଗଲେ କଲିକତାରେ । ବୃତ୍ତି ବାବଦର ଅର୍ଥ ମିଳୁମିଳୁ କିନ୍ତୁ ଅନେକ ଦିନ ଲାଗିଲା । ପୁରୀ ଜିଲ୍ଲା ସ୍କୁଲ୍ ରେ ଶିକ୍ଷକତା କରି ଯେତେକ ଅର୍ଥ ସେ ସଞ୍ଚୟ କରିଥିଲେ ସେତକ କାମରେ ଲାଗିଲା କଲିକତାରେ । କଲିକତାରେ ରହଣି ସମୟରେ ଜଣେ ପ୍ରକାଶକ ତାଙ୍କୁ ପ୍ରଚ୍ଛଦ ଆଙ୍କିବାକୁ ବରାଦ ଦେଉଥିଲେ । ସେଥିରୁ ତାଙ୍କର ବେଶ୍ କିଛି ରୋଜଗାର ହୋଇଯାଉଥିଲା । କଲିକତାର ବହୁ ବିଶିଷ୍ଟ ଧନୀ ପରିବାରର ଲୋକେ ମଧ୍ୟ ତାଙ୍କ ପାଖକୁ ତୈଳଚିତ୍ରରେ ଆଲେଖ୍ୟ ଅଙ୍କେଇବାକୁ ଆସୁଥିଲେ ।

କଲେଜ୍ ରେ ତାଙ୍କର ଶିକ୍ଷକ ଥିଲେ ପର୍ସି ବ୍ରାଉନ୍ ଓ ମୁକୁଲ୍ ଦେ । ଗୋପାଳ କାନୁନଗୋ କଲିକତା କଳା ବିଦ୍ୟାଳୟରେ ଚିତ୍ରକଳା ଶିକ୍ଷା କରିବାକୁ ପହଞ୍ଚିଲା ବେଳକୁ ଅବନୀନ୍ଦ୍ର ନାଥ ଠାକୁର ଓ ହାଭେଲ୍ ସାହେବ ସେଠି ପୂର୍ବରୁ ଆରମ୍ଭ କରିଥିବା ଭାରତୀୟ ଧାରାକୁ ବନ୍ଦ କରି ପର୍ସି ବ୍ରାଉନ୍ ପୁଣିଥରେ ୟୁରୋପୀୟ ଧାରାର ପ୍ରଚଳନ ଆରମ୍ଭ କରିସାରିଥିଲେ । କଳା ଶିକ୍ଷା ଆରମ୍ଭ ହେବାର କିଛି ଦିନ ପରେ କଲିକତା କଂଗ୍ରେସ ବସିଲା । ସେତିକିବେଳେ ଠାକୁର ପରିବାରର ଜଣେ ବନ୍ଧୁ ତଥା ବିଶିଷ୍ଟ ଶିଳ୍ପୀ ଶୁଭ ଠାକୁର ଗୋପାଳ କାନୁନଗୋଙ୍କର ଗୋଟିଏ ଚିତ୍ର ଠାକୁର ପରିବାରର ସ୍ୱତନ୍ତ୍ର ପ୍ରଦର୍ଶନୀରେ ଦେବା ପାଇଁ ମାଗିଲେ । କାନୁନଗୋ ଶୁଭ ଠାକୁରଙ୍କର ସସ୍ନେହ ଆବେଦନକୁ ଆଡେଇ ନପାରି ‘କୁମାରସମ୍ଭବ’ର ପଞ୍ଚମ ସର୍ଗରୁ ‘ଉମାଙ୍କର ସ୍ୱପ୍ନ’ ଶୀର୍ଷକ ଚିତ୍ରଟି ଅଙ୍କନ କରି ତାଙ୍କୁ ଦେଲେ । ପ୍ରଦର୍ଶନୀର ତୃତୀୟ ଦିନ ହିଁ ଚିତ୍ରଟି ସାର୍ ଓଙ୍କାରମଲ (ଶୈବ) କିଣିଥିବାର ଖବର ନେଇ ଆସିଲେ ଶୁଭ ଠାକୁର ଓ ସ୍ନେହରେ କୁଣ୍ଢେଇ ପକେଇଲେ କାନୁନଗୋଙ୍କୁ । ଏହି ଘଟଣାଟି ତାଙ୍କୁ ଆହୁରି ପ୍ରେରଣା ଦେଲା ଓ ସେ ନାନା ପ୍ରକାର ଚିତ୍ର ଆଙ୍କିବାରେ ଏଥର ଆହୁରି ମନ ଦେଲେ ।

କଲିକତା ଯିବାର ପ୍ରଥମ ବର୍ଷରେ ହିଁ ତାଙ୍କର ପ୍ରଦର୍ଶନ ଖୁବ୍ ଭଲ ଥିଲା ଓ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେଥିପାଇଁ ତାଙ୍କୁ ବୃତ୍ତି ମିଳିଥିଲା ଓ ବିଦ୍ୟାଳୟରେ ଆଉ କୌଣସି ଦେୟ ଦେବାକୁ ପଡ଼ିନଥିଲା । ତିନି ବର୍ଷ ଧରି ପ୍ରତି ବର୍ଷ ବାର୍ଷିକ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଲାଭ କରି ସେ ରେକର୍ଡ ସୃଷ୍ଟି କରିଥିଲେ । ସେଇ ଭିତରେ ୧୯୩୨ରେ ବିଦ୍ୟୁତଲତା ଦେବୀଙ୍କ ସହ ତାଙ୍କ ବିବାହ ମଧ୍ୟ ହୋଇସାରିଥିଲା ।

କଲିକତାରେ ପଢା ସରିଆସିବା ବେଳକୁ ତାଙ୍କର ତୈଳଚିତ୍ର ‘ମୋ ଗାଁ’ ପୁନର୍ବାର ବାର୍ଷିକ କଳା ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିଲା । ଭଲ ପଢୁଥିବାରୁ ଶିକ୍ଷକମାନଙ୍କର ତ ସେ ଖୁବ୍ ପ୍ରିୟ ଥିଲେ, ପୁରସ୍କାର ପାଇବା ପରେ କିନ୍ତୁ ସେ ଖୁବ୍ ପରିଚିତ ହୋଇଗଲେ ପୁରା ଅନୁଷ୍ଠାନରେ । ସେଇ ବର୍ଷ ଇଂଲଣ୍ଡର ପ୍ରସିଦ୍ଧ ଶିଳ୍ପୀ ଓ ସମାଲୋଚକ ପ୍ରଫେସର ଟଙ୍କସ୍ ସାହେବ ତାଙ୍କର ‘ଗୁଣ୍ଡୁଚିମୂଷା’ ଚିତ୍ରକୁ ପ୍ରଶଂସା କରି ଚିଠି ଲେଖିଥିଲେ । ଏହା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା ଓ ସେ ଆହୁରି ମନ ପ୍ରାଣ ଦେଇ ଚିତ୍ର ଆଙ୍କିବାରେ ଲାଗି ପଡିଥିଲେ ।

କଳା ବିଦ୍ୟାଳୟରେ ପଢ଼ା ସରିଆସିବା ବେଳକୁ ନିଜ ଗାଁ ର ମେଳନ ଓ ଦୋଳର ବିରାଟ ଚିତ୍ର ଟେମ୍ପରା ଶୈଳୀରେ ଆଙ୍କି କାନୁନଗୋ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ । ସେ ସମୟରେ ୪୦ଟି ଫିଗର ବା ପାତ୍ର ସମାବେଶର ଏହି ଚିତ୍ରଟି ଖୁବ୍ ଆଦୃତ ହୋଇଥିଲା । ଚିତ୍ରଟିରେ ଥିଲା ଗାଁ ର ଦୋକାନ, କୀର୍ତ୍ତନ, ଗାଡ଼ି, ବଳଦ, ନଦୀ, ବରଗଛ, ଲୋକମାନଙ୍କ ସମାଗମ ଆଦି ରୂପର ବିରାଟ ସଜ୍ଜା । ସମସାମୟିକ ଘଟଣା ଓ ଉତ୍ସବକୁ ଏପରି ଏକ ରୂପରେ ରୂପାୟିତ କରିବା ଦ୍ୱାରା ସିଏ ସେ ସମୟର ଜଣେ ପ୍ରତିନିଧି ଭାବରେ ଭବିଷ୍ୟତର ଇତିହାସ ପାଇଁ ସହାୟତା କରିଥିଲେ ।

ଶେଷରେ ୧୯୩୪ରେ କଲିକତା କଳା ବିଦ୍ୟାଳୟରୁ ତାଙ୍କର ପାଠ ପଢାର ଶେଷ ପରୀକ୍ଷାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଫେରିଲେ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ । ସେ ଜାଣିଥିଲେ ଓଡ଼ିଶାରେ ଚିତ୍ରକଳା ପାଇଁ କଲିକତା ପରି କିଛି ସୁବିଧା ସୁଯୋଗ ନାହିଁ । ସେ ଚାହିଁଥିଲେ ପାଠ ପଢା ସାରି କଲିକତାରେ ରହିଯାଇ ପାରିଥା’ନ୍ତେ । ସେ ସୁଯୋଗ ବି ତାଙ୍କ ପାଇଁ ଖୋଲା ଥିଲା । କିନ୍ତୁ ଓଡ଼ିଶା ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଆପଣା ରାଜ୍ୟକୁ ଫେରାଇ ଆଣିବାକୁ ବାଧ୍ୟ କରିଥିଲା ।

ଓଡିଶୀ ଚିତ୍ରକଳା ଓ ଚିତ୍ରଲିପି; ଗୋପାଳ କାନୁନଗୋ: ୧