“ପ୍ରତ୍ୟେକ ବିଦ୍ୟାଳୟରେ ଏକ ଚିତ୍ରାଙ୍କନ ବା କଳାକକ୍ଷ ରହିବା ଉଚିତ୍ । ରସାୟନ ବିଜ୍ଞାନର ଛାତ୍ରମାନଙ୍କ ପାଇଁ ଯେମିତି ଲାବୋରେଟୋରୀଟିଏ ନିହାତି ଆବଶ୍ୟକ, ଠିକ୍ ସେମତି ଚାରୁକଳାର ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ଷ୍ଟୁଡିଓଟିଏ ନିହାତି ଆବଶ୍ୟକ ।” ଏହି ଆବଶ୍ୟକତାର କଥାକୁ କେବଳ ଜଣେ ପ୍ରକୃତ ଶିଳ୍ପୀ, ଶିକ୍ଷକ, ଅନିସନ୍ଧିତ୍ସୁ, ଗବେଷକ, ସ୍ରଷ୍ଟା, ଆବିଷ୍କାରକ ଓ ଦୂରଦ୍ରଷ୍ଟା ହିଁ ଭାବିପାରେ ଓ ଜୋର୍ ଦେଇ କହିପାରେ । ତାଙ୍କରି ପରି ମଣିଷଟିଏ ହିଁ ଚାହିଁପାରେ ନିଜ ଜାତିର ଉନ୍ନତି, ଦୁଃଖ କରିପାରେ ସୁଯୋଗ ଅଭାବରେ ନିତି ନିତି ଝରି ପଡ଼ୁଥିବା ପ୍ରତିଭାଙ୍କର ବିୟୋଗରେ । ସେଇଥିପାଇଁ ଓଡ଼ିଶାରେ ସ୍ୱତନ୍ତ୍ର କଳା ବିଦ୍ୟାଳୟ ପ୍ରତିଷ୍ଠା ସହ ସ୍ୱତନ୍ତ୍ର କଳା ବିଭାଗ ଓ ବିଶ୍ୱ ବିଦ୍ୟାଳୟରେ କଳା ଶିକ୍ଷକ ନିଯୁକ୍ତି ପାଇଁ ସବୁବେଳେ ପ୍ରୟାସ କରିଆସିଥିଲେ ଗୋପାଳ କାନୁନଗୋ । ଓଡ଼ିଶାର ପ୍ରତିନିଧି ହିସାବରେ ନିଖିଳ ଭାରତ କଳା ସମ୍ମିଳନୀରେ ଯୋଗ ଦେଇ ଭାରତର ଶିକ୍ଷାମନ୍ତ୍ରୀଙ୍କୁ ଜାତୀୟ କଳାର ସଂରକ୍ଷଣ ନିମନ୍ତେ କଳା ବିଦ୍ୟାଳୟ ସ୍ଥାପନା ପାଇଁ ପ୍ରୋତ୍ସାହିତ କରିବାକୁ ଆବେଦନ ମଧ୍ୟ କରିଥିଲେ କାନୁନଗୋ । କିନ୍ତୁ ଅନେକ ଦିନ ଧରି ତାଙ୍କର କଥା ଅଶୁଣା ହୋଇ ରହିଯାଇଥିଲା ।

କୌଣସି ଭଲ ପ୍ରୟାସ ବୃଥା ଯାଏନି । ଶେଷରେ ତେଣୁ ଗୋପାଳ କାନୁନଗୋଙ୍କ ପ୍ରଚେଷ୍ଟା ଓ ପ୍ରାରମ୍ଭିକ ଦାୟିତ୍ୱର ଫଳ ସ୍ୱରୁପ ୧୯୫୭ରେ ଖଲ୍ଲିକୋଟରେ ଓଡ଼ିଶାର ପ୍ରଥମ କଳା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୋପାଳ କାନୁନଗୋ ସେଠାରେ ଚିତ୍ରକଳା ବିଭାଗରେ ଅଧ୍ୟାପକ ଭାବରେ ବି ଯୋଗଦାନ କରିଥିଲେ । ଯଦିଓ ଅନେକ ମତ ଦିଅନ୍ତି ଯେ, ସେ ହିଁ କୁଆଡେ଼ ସବୁଠାରୁ ଯୋଗ୍ୟତମ ବ୍ୟକ୍ତି ଥିଲେ ଓଡ଼ିଶାର ପ୍ରଥମ ସରକାରୀ କଳା ବିଦ୍ୟାଳୟର ଅଧ୍ୟକ୍ଷ ହେବା ପାଇଁ । କିନ୍ତୁ ଘଟଣା କ୍ରମରେ ଅତି କମ୍ ଦିନରେ ସେ ଖଲ୍ଲିକୋଟର କଳା ବିଦ୍ୟାଳୟ ଛାଡି କଟକ ଲେଉଟି ଆସିଲେ । କଳା ବିଦ୍ୟାଳୟର ଶିକ୍ଷାର୍ଥୀମାନେ ଜଣେ ପ୍ରତିଭାବାନ କଳାକାର ଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ କଳା ଶିକ୍ଷକଙ୍କୁ ହରାଇଲେ ।

ଏକଥା କିନ୍ତୁ ଆମକୁ ସ୍ୱୀକାର କରିବାକୁ ହେବ ଯେ, ଓଡିଶା ଚିତ୍ରକଳା ରାଜ୍ୟରେ ଶିଳ୍ପୀ ଗୋପାଳ କାନୁନଗୋ ଜଣେ ବିସ୍ମୟ ।

ଗୋପାଳ କାନୁନଗୋ ଏକାଧାରରେ ଜଣେ ଚିତ୍ରକର, ଲେଖକ, ଅନୁବାଦକ, ବାଗ୍ମୀ, ପ୍ରଚ୍ଛଦ ଶିଳ୍ପୀ ଓ ଅଳଙ୍କରଣ ଶିଳ୍ପୀ ଥିଲେ । ଯେତେବେଳେ ଆମର ଏଠି ମାସିକ ପତ୍ରପତ୍ରିକା ଓ ବହି ମାନଙ୍କରେ ଚିତ୍ର ଦିଆଯିବାର ପରମ୍ପରା ନଥିଲା ସେଇ ସମୟରେ ସେ ପ୍ରଥମ ଶିଳ୍ପୀ ଭାବେ ଏ ଦେଶର ପତ୍ରପତ୍ରିକାରେ ମୌଳିକ ଚିତ୍ର ପ୍ରକାଶ କରିବା ଆରମ୍ଭ କରିଥିଲେ । ଯେତେବେଳେ ଓଡ଼ିଶାରେ କଳା ସମ୍ପର୍କିତ ପୁସ୍ତକ ପ୍ରକାଶିତ ହେବା ସ୍ୱପ୍ନପ୍ରାୟ ଥିଲା, ସେତେବେଳେ ସେ ‘କଳାର ବିଚାର’ ନାମରେ ପୁସ୍ତକ ରଚନା କରିଥିଲେ । ସେତେବେଳେ ଅବଶ୍ୟ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନେ ପ୍ରକାଶନରେ ରୁଚି ରଖୁଥିଲେ । ‘କଳାର ବିଚାର’ ପୁସ୍ତକଟି ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ହୋଇ କଳା ଜିଜ୍ଞାସୁ ଓ କଳା ଛାତ୍ରମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା । ସେ ସମୟରେ ସେ ଅନୁଭବ କରିଥିଲେ ଯେ, ଓଡ଼ିଶାର ଗୋଟେ ପିଲା ପାଇଁ ତା’ ମାତୃଭାଷା ଓଡ଼ିଆରେ କଳା ସମ୍ପର୍କିତ ଲେଖା ଥିବା ପୁସ୍ତକ କେତେ ଜରୁରୀ । ବାହରର ଚିତ୍ର ଦୁନିଆ ସହ ତାଳ ଦେଇ ଚାଲିବାକୁ ହେଲେ ଆମ ପିଲାମାନଙ୍କୁ କଳା ବିଷୟରେ ପଢ଼ିବାକୁ ହେବ, ଜାଣିବାକୁ ହେବ ବୋଲି ସେ ବୁଝିଥିଲେ । କଲେଜ୍ ଥାଉ ନଥାଉ, କଲେଜ୍ ଯେବେ ହେବ ହେଉ, କିନ୍ତୁ ମୋ ଜାତିକୁ ଆଗକୁ ଯିବାକୁ ହେବ, ବିଶ୍ୱ ଦରବାରରେ ଠିଆ ହେବାକୁ ହେବ, ଏ ଥିଲା ତାଙ୍କ ସ୍ୱପ୍ନ । ଏମିତି ସବୁ ସ୍ୱପ୍ନ ମାନଙ୍କୁ ନେଇ ସାଧ୍ୟମତେ ବ୍ୟକ୍ତିଗତ ଭାବରେ ସତତ ପ୍ରଚେଷ୍ଟା କରିଥିଲେ ସେ ।

ଗୋପାଳ କାନୁନଗୋଗୋପାଳ କାନୁନଗୋ; ଆତ୍ମଚିତ୍ର: ଓଡିଶା ଲଳିତ କଳା ଏକାଡେମୀ

ଏବେ ଓଡ଼ିଶାରେ ୧୩ ଟି କଳା ମହାବିଦ୍ୟାଳୟ ହେଲାଣି । ପିଲା ସଂଖ୍ୟା ପ୍ରତି ବର୍ଷ ୧୦୦୦ରୁ ଅଧିକ । ସ୍ନାତକୋତ୍ତର ବିଭାଗ ମଧ୍ୟ ଖୋଲିଲାଣି । ତାପରେ ରବିବାରିଆ କଳା ବିଦ୍ୟାଳୟ ଏତେ ଯେ ସେମାନଙ୍କ ସଠିକ୍ ସଂଖ୍ୟା କେତେ କହିହେବନି । ଆଜି ଓଡ଼ିଆ ଭାଷାରେ ଲେଖା ଯାଇଥିବା କଳା ସମ୍ପର୍କିତ ପୁସ୍ତକ ଓ କଳା ସମ୍ପର୍କିତ ଜ୍ଞାନ ପାଠର ଆବଶ୍ୟକତା ୧୯୫୫ ଠାରୁ ଖୁବ୍ ବେଶୀ ବି । ବିଶ୍ୱବିଦ୍ୟାଳୟକୁ ବାଦ୍ ଦେଲେ କଳା ମହାବିଦ୍ୟାଳୟ, କଳା ବିଶ୍ୱବିଦ୍ୟାଳୟ ଓ ଓଡ଼ିଶାରେ କଳାର ଉତଥାନ ପାଇଁ ଅନେକ ସଂସ୍ଥା ମଧ୍ୟ ଖୋଲିଲାଣି । କିନ୍ତୁ ପ୍ରକାଶନ ଆଡ଼କୁ କାହାର ନିଘା ନାହିଁ । ସେମିତି କିଛି ଘଟୁନି । ତେଣୁ ଗୋପାଳ କାନୁନଗୋ ବେଶୀ ବେଶୀ ମନେପଡୁଛନ୍ତି । ସବୁଆଡେ ଆଞ୍ଚଳିକ ଭାଷାରେ କଳାଚର୍ଚ୍ଚା ପ୍ରସଙ୍ଗରେ ଯେତେବେଳେ ପ୍ରାଧାନ୍ୟ ଦେବା ପାଇଁ ଜୋର୍ ଦିଆଯାଉଛି ସେତେବେଳେ ବେଶୀ ପ୍ରାସଙ୍ଗିକ ମନେହେଉଛି ତାଙ୍କ କଥାସବୁ ।

ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ଧନୁଆ ନଈ କୂଳରେ ଥିବା ନେନ୍ତିଗଡ଼ ଗାଁ ର ଏକ ସ୍ୱଚ୍ଛଳ ପରିବାରରେ ୧୯୦୪ ମସିହାରେ ଜନ୍ମ ହୋଇଥିଲେ ଗୋପାଳ କାନୁନଗୋ । ମାଆ ରମାଦେବୀ ଓ ବାପା ଜଗବନ୍ଧୁ ଉଭୟଙ୍କର ଖୁବ୍ ପ୍ରିୟ ଥିଲେ ସେ । ଉପର ବଡ଼ଭାଇମାନେ ମରିଯିବା ପରେ ଜନ୍ମ ହୋଇଥିବାରୁ ଜନ୍ମ ବେଳେ ତାଙ୍କ ପାଇଁ ଶଙ୍ଖ, ମହୁରୀ ବାଜି ନଥିଲା କି ବଡ଼ ଆଶା ନଥିଲା କାହା ମନରେ । ପରେ ଅବଶ୍ୟ ବାପା ମାଆଙ୍କର ଏକମାତ୍ର ମନଯୋଗୀ ପାଠୁଆ ପିଲା ହୋଇଥିବାରୁ ସେ ଖୁବ୍ ବେଶୀ ସ୍ନେହ, ମମତା, ଆଦର ପାଇଥିଲେ । ତାଙ୍କର ସେଇ ପାଠ ପଢ଼ିବାରେ ଆଗ୍ରହ ପାଇଁ ବି ଗାଁ ଗୋଟାକର ଲୋକେ ଖୁବ୍ ଭଲପାଉଥିଲେ ତାଙ୍କୁ । ସମସ୍ତଙ୍କର ତାଙ୍କ ପ୍ରତି ସେଇ ଭଲପାଇବା ଚିରଦିନ ଅକ୍ଷୁର୍ଣ୍ଣ ରହିଥିଲା । ସେଇ ସ୍ନେହ ଆଦର ତାଙ୍କ ମନକୁ ବଡ଼ ନରମ କରିଦେଇଥିଲା । ସେଇଥିପାଇଁ ସେ ଜଣେ ଖୁବ୍ ଦରଦୀ ମଣିଷ ଥିଲେ ।

ଗୋପାଳ କାନୁନଗୋଙ୍କ ପଣଗୋସେଇଁ ବାପା ଜଣେ ଶିଳ୍ପୀ ଥିଲେ । ସ୍ଥାପତ୍ୟ, ଗୃହ ନିର୍ମାଣ ଓ କାଷ୍ଠଖୋଦନରେ ସେ ଥିଲେ ଧୁରନ୍ଧର । କୌଣସି ଘରର ଗଢ଼ଣ ଶୈଳୀ ଓ ରୂପ ଦେଖି ସେ ଘରଟିର ଆୟୁଷ ନିର୍ଦ୍ଧାରଣ କରିଦେଇ ପାରୁଥିଲେ । ନିଜେ ମାଟି ଚାଖି ଘରର ନିଅଁ ପକେଇବା ସହ ଘରଟି କୋଉ ବନ୍ଧରେ ହେଲେ ତାହା ବହୁକାଳ ସ୍ଥାୟୀ ହେବ ସେକଥା ମଧ୍ୟ ଭଲରେ ଓ ସହଜରେ ଜାଣିଦେଇ ପାରୁଥିଲେ । ଓରା, ଗୁଜ, ପାଣିଆ ପଟାରେ ନିହଣ, ମୁଗୁର ଧରି ଶୁଆ, ପଦ୍ମ, ଗଜ ଓ ମଗର ମୁଣ୍ଡ ଆଦି ଖୋଦେଇ କରିପାରୁଥିଲେ । ସେସବୁ କଳା କାରିଗରୀ ତାଙ୍କ ଘର ଭିତରେ ଥିବା କବାଟ ଓ ଶାକର ପଟାରେ ଅକ୍ଷୁର୍ଣ୍ଣ ରହିଥିବାର ପିଲାଦିନେ ଦେଖିଛନ୍ତି ଗୋପାଳ କାନୁନଗୋ । ସେଇ କାରଣରୁ କି କ’ଣ ତାଙ୍କର ଚିତ୍ର ପ୍ରତି ପିଲାଟି ବେଳୁ ଖୁବ୍ ସରାଗ ।

ପଣଗୋସେଇଁ ବାପାଙ୍କ କାରିଗରୀ ରକ୍ତ ବହୁଥିଲା ତାଙ୍କ ଦେହରେ । ପିଲାଦିନରୁ ଭଲ ଛବିଟିଏ ଦେଖିଲେ, ସୁନ୍ଦର ପଦାର୍ଥଟିଏ ପାଇଲେ, ପ୍ରାଚୀନ ଚିତ୍ର, ଭାସ୍କର୍ଯ୍ୟ କି ଆଧୁନିକ ମୂଳଚିତ୍ରଟିଏ ଦେଖିଲେ ସାଇତି ରଖିବାକୁ ଚାହୁଁଥିଲେ ସେ । ବଡ଼ ହେଲା ପରେ ବି ତାଙ୍କର ସେ ପ୍ରକାର ଇଚ୍ଛାରେ କିଛି ବ୍ୟତିକ୍ରମ ହୋଇନଥିଲା । ସୁନ୍ଦର ପଦାର୍ଥର ରୂପ ବିଭବ ତାଙ୍କୁ ବ୍ୟାକୁଳ କରୁଥିଲା ସବୁବେଳେ । ସେଇ ଆକର୍ଷଣରୁ ସେ ଅନେକ ଚିତ୍ର, ଭାସ୍କର୍ଯ୍ୟର ନମୁନା ଆଦି ସଂଗ୍ରହ କରି ରଖିଥିଲେ । ତାଙ୍କ ଇଚ୍ଛା ଥିଲା ସେସବୁକୁ ଏକାଠି କରି ଗୋଟିଏ ଜାତୀୟ ସଂଗ୍ରହାଳୟରେ ରଖିବାକୁ; ଯାହା ଉଭୟ ପିଲା ଓ ବଡ଼ମାନଙ୍କ ଭିତରେ ସୌନ୍ଦର୍ଯ୍ୟବୋଧ ଜାଗ୍ରତ କରିବାର କେନ୍ଦ୍ର ହୋଇଥାଆନ୍ତା । କିନ୍ତୁ ଇଚ୍ଛା ଇଚ୍ଛା ରେ ରହିଗଲା । ସଂଗ୍ରହାଳୟ ପ୍ରତିଷ୍ଠା ହେଇପାରିଲାନି । ସଂଗ୍ରହାଳୟ ପାଇଁ ଏକଦା ନିଷ୍ଠାରେ ସେ ସଂଗ୍ରହ କରିଥିବା ଦରବ ତକ କୁଆଡେ ଗଲା କିଛି ଜଣା ପଡିଲାନି ।