ଚିତ୍ର - ଜାକବ ଏପଷ୍ଟିନଙ୍କ ଭାସ୍କର୍ଯ୍ୟରେ ବାର୍ଣ୍ଣାର୍ଡ ଶ' - ୱିକି କମନ୍ସ

ବଞ୍ଚିଥିଲେ ବର୍ଣ୍ଣାର୍ଡ ଶ' ଆଜି ଶହେ ପଞ୍ଚଷଠି ବର୍ଷର ହେଇଥାଆନ୍ତେ । ଏଇ ନିକଟରେ ଗୋଟିଏ ବ୍ରିଟିଶ୍ ପତ୍ରିକାର ଫେସବୁକ୍ ପୃଷ୍ଠାରେ ମୁଁ ଦେଖିଲି ଗୋଟିଏ ମିମ୍ (meme) ଯାହାର ସାରମର୍ମ ହେଲା: 'ଇଂରେଜ ଉପନିବେଶବାଦ ଫଳରେ ବିଶ୍ୱର ଅପକାର ଅପେକ୍ଷା ଉପକାର ଅଧିକ ହେଇଚି' । ଏବଂ ସ୍ୱାଭାବିକ ଭାବରେ ଅନେକ ଇଂରେଜ ଲୋକ ସେଠି ଏକଥାକୁ ସମର୍ଥନ କରିଚନ୍ତି (ଅନେକ ଭାରତୀୟ ଓ ଆଫ୍ରିକୀୟ ଏହାକୁ ବିରୋଧ ବି କରିଚନ୍ତି) । ଏ ପୋଷ୍ଟ୍ ଦେଖି ମୋର ମନେପଡ଼ିଲା ବର୍ଣ୍ଣାର୍ଡ ଶ'ଙ୍କ କଥା । ଥରେ ଜଣେ ସାମ୍ବାଦିକ ଶ'ଙ୍କୁ ପଚାରିଲେ, "ଆପଣ ଆୟର୍ଲାଣ୍ଡରେ ରହି ସେଇଠି ଲେଖାଲେଖି କଲେନି, ଲଣ୍ଡନ ଆସିଲେ କାହିଁକି ?" ବର୍ଣ୍ଣାର୍ଡ ଶ' ତାଙ୍କ ଚିରାଚରିତ ଢଙ୍ଗରେ କହିଲେ, "ତମେ ଯୋଉ ଆୟର୍ଲାଣ୍ଡ କଥା କହୁଚ, ମୁଁ ଆସିଲାବେଳେ ତାହା ଆବିଷ୍କାର ହେଇନଥିଲା । ବାକି ରହିଲା, ଲଣ୍ଡନ ଆସିବା କଥା । ଇଂରେଜମାନେ ତ ଏତେବର୍ଷ ଆୟର୍ଲାଣ୍ଡ ଉପରେ କବଜା କରିଥିଲ , ଭାବିଲି ମୁଁ ଆୟର୍ଲାଣ୍ଡରୁ ଯାଇ ଅନ୍ତତଃ ଲଣ୍ଡନ ଉପରେ କବଜା କରେ ! ଲାଗୁଚି ତ ଠିକଠାକ୍ କବଜା କରିପାରିଚି ବୋଲି ।"

ଖାଲି ଲଣ୍ଡନ କାହିଁକି, ସମଗ୍ର ୟୁରୋପ୍ ଆଉ ଏସିଆରେ ବର୍ଣ୍ଣାର୍ଡ ଶ' ଥିଲେ ବିରଳ ବ୍ୟକ୍ତିତ୍ୱ । ଲେଖକ ଓ ନାଟ୍ୟକାର ହିସାବରେ ତାଙ୍କର ଯେଉଁ ଆକାଶଛୁଆଁ ଖ୍ୟାତି ଥିଲା ସେତିକି ଖ୍ୟାତି ଥିଲା ଜଣେ ବ୍ୟକ୍ତିତ୍ୱ ହିସାବରେ । କର୍ପୋରେଟ୍ ଭାଷାରେ କହିଲେ, ବର୍ଣ୍ଣାର୍ଡ ଶ' ଥିଲେ ତାଙ୍କ ସମୟର ସବୁଠାରୁ ବଡ଼ ବ୍ରାଣ୍ଡ୍ । ଅନେକ ସମୟରେ ଜାଣିଜାଣି ଚର୍ଚ୍ଚାରେ ରହିଲା ଭଳି ବିବାଦୀୟ କଥା ସବୁ ଶ' କହୁଥିଲେ ବୋଲି କେତେକ ସମାଲୋଚକ କହନ୍ତି । କିନ୍ତୁ ସେ ସମାଲୋଚକମାନେ ଏକଥା ବୁଝେଇପାରନ୍ତି ନାହିଁ ଯେ ମିଳୁଥିବା ତମାମ୍ କ୍ଷମତା, ପଦପଦବୀ ବା ପୁରସ୍କାରରେ ଭଳି ନଯାଇ ଜଣେ କାହିଁକି ଜାଣିଜାଣି ଚର୍ଚ୍ଚାରେ ରହିବ ସାରାଜୀବନ ? ଏ ପ୍ରଶ୍ନର ବିସ୍ତୃତ ଉତ୍ତର ମିଳିବ ଶ'ଙ୍କ ଲେଖାରେ ଓ ତାଙ୍କ ଜୀବନୀରେ । ସଂକ୍ଷିପ୍ତ ଉତ୍ତର ହବ ଏଇଆ - ଶ' ଥିଲେ ସ୍ବାଧୀନଚେତା ।

ବର୍ଣ୍ଣାର୍ଡ ଶ' ତାଙ୍କ ଜୀବନରେ 'ଅର୍ଡର ଅଫ ମେରିଟ୍' ପରି ରାଜକୀୟ ମର୍ଯ୍ୟାଦାକୁ ପ୍ରତ୍ୟାଖ୍ୟାନ କରିଚନ୍ତି । ଏମିତି କି ଯେତେବେଳେ ତାଙ୍କୁ ନୋବେଲ୍ ପୁରସ୍କାର ମିଳିଲା, ସେ ତାକୁ ପ୍ରତ୍ୟାଖ୍ୟାନ କରି କହିଲେ, "ଆଲଫ୍ରେଡ୍ ନୋବେଲଙ୍କୁ ଡାଇନାମାଇଟ୍ ପରି ବିସ୍ଫୋରକର ଉଦ୍ଭାବନ ପାଇଁ ମୁଁ ହୁଏତ କ୍ଷମା କରିଦେଇପାରେ, କିନ୍ତୁ ନୋବେଲ ପୁରସ୍କାର ପାଇଁ ନୁହେଁ । ମାନବତାର ଶତ୍ରୁ ନହେଲେ ଜଣେ ନୋବେଲ ପୁରସ୍କାର ଭଳି ଜିନିଷ କାହିଁକି ପ୍ରଣୟନ କରିବ !" ପରେ ଅବଶ୍ୟ ଶ' ନୋବେଲ୍ ପୁରସ୍କାର ଗ୍ରହଣ କଲେ, କିନ୍ତୁ ପୁରସ୍କାର ଲବ୍ଧ ଅର୍ଥରାଶିକୁ ଦାନ କରିଦେଲେ ମହାନ ସ୍ୱିଡିଶ୍ ନାଟ୍ୟକାର ଅଗଷ୍ଟ ଷ୍ଟ୍ରାଇଣ୍ଡବର୍ଗଙ୍କ ବହିର ଅନୁବାଦ ସକାଶେ । ଶ'ଙ୍କ ଆଚରଣରେ ଅନେକେ ପରସ୍ପର ସହ ଅସଙ୍ଗତ ଆଚରଣ ସବୁ ପାଇପାରନ୍ତି । କିନ୍ତୁ ଟିକେ ନିରେଖି ଦେଖିଲେ ଅସଙ୍ଗତି ଅପେକ୍ଷା ଅଧିକ ଉଜ୍ଜ୍ୱଳ ହେଇ ଦିଶିବ ଶ'ଙ୍କ ପ୍ରତ୍ୟେକ କଥା ଓ ଆଚରଣରେ ପ୍ରଚଳିତ ବିଧିବ୍ୟବସ୍ଥା ବିରୁଦ୍ଧରେ, ସମାଜର ଯାବତୀୟ ଅନୁଷ୍ଠାନ ବିରୁଦ୍ଧରେ ରୋକଠୋକ ବେଖାତିର୍ ଭାବ । ଠିକ୍ ବିଦ୍ରୋହ ନହେଲେ ବି ବ୍ୟଙ୍ଗ ଓ ବିଦ୍ରୂପର ଧାରୁଆ ଆକ୍ରମଣ ।

ସରକାର ହୁଅନ୍ତୁ ବା ପରିବାର, ଧନୀଲୋକେ ହୁଅନ୍ତୁ ବା ପଣ୍ଡିତ ବୋଲାଉଥିବା ମୁଷ୍ଟିମେୟ ଗୋଷ୍ଠୀ - ସମାଜର ଏମିତି କୌଣସି ବ୍ୟବସ୍ଥା/ଅନୁଷ୍ଠାନ ନାହିଁ ଯାହାପ୍ରତି ନିଜ ନାଟକ କି ଲେଖା ସବୁରେ ବର୍ଣ୍ଣାର୍ଡ ଶ' ବିଦ୍ରୂପ କରିନଥିବେ । ଏହା ମୂଳରେ ଥିଲା ଅନବରତ ପ୍ରଶ୍ନ ପଚାରି ଚାଲିବା ଏବଂ କିଛି ବି ଆଖି ବନ୍ଦକରି ମାନି ନନେବାର ବିରଳ ଦକ୍ଷତା । ଶ' ମାର୍କ୍ସଙ୍କ ସାମାଜିକ ଓ ଅର୍ଥନୀତିକ ତତ୍ତ୍ୱରେ ବିଶ୍ବାସ କରୁଥିଲେ । କିନ୍ତୁ ମାର୍କ୍ସବାଦୀ ଚିନ୍ତାଧାରାର ସମାଲୋଚନା କରି ସେ କହୁଥିଲେ , "ଆମେ ସମସ୍ତେ ଯେଉଁମାନେ ମାର୍କ୍ସଙ୍କ କଥାରେ ଅନୁପ୍ରାଣିତ ହେଇ ଏ ଲାଲ ଝଣ୍ଡା ଧରି ବିପ୍ଳବ ଆଣିବୁ ବୋଲି ବାହାରିଚୁ, ଆମେ ସମସ୍ତେ ତ ବୁର୍ଜୁଆ । ଏ ଝଣ୍ଡାରେ ଯୋଉ ଲାଲ ରଙ୍ଗ ବୋଳାହେଇଚି, ୟାକୁ ଶ୍ରମିକମାନେ କି ପ୍ରୋଲେତାରିଆତ୍ ଲୋକେ ବୋଳିନାହାନ୍ତି । ଆମେ ହିଁ ବୋଳିଦେଇଚୁ ତାଙ୍କ ପାଇଁ ।" ଦୁଇଟି ଯାକ ବିଶ୍ବଯୁଦ୍ଧରେ ସେ କୌଣସି ବି ପକ୍ଷକୁ ସମର୍ଥନ କରୁନାହାନ୍ତି ବୋଲି ଖୋଲାଖୋଲି ମତ ରଖିଥିଲେ। ଇଂଲଣ୍ଡ ଓ ଏହାର ମିତ୍ରଦେଶମାନେ ନିଜକୁ ପ୍ରତିପକ୍ଷଠାରୁ ଅଧିକ ନୀତିବାନ୍ ବୋଲି ଭାବିବା ଏକ ଭ୍ରାନ୍ତ ଧାରଣା ଓ କେବଳ ସେମାନଙ୍କ ସାମଗ୍ରିକ ଅହଂର ପରିଚାୟକ ବୋଲି ଶ' କହିଥିଲେ। ପ୍ରଥମ ବିଶ୍ଵଯୁଦ୍ଧବେଳେ ଯୁଦ୍ଧ ବିରୁଦ୍ଧରେ 'Common Sense about War' ନାଁରେ ସେ ଲେଖିଥିବା ପୁସ୍ତିକାଟି ଦୁଇମାସରେ ପଚସ୍ତରୀ ହଜାରରୁ ଅଧିକା କପି ବିକ୍ରି ହେଇଥିଲା ।

ବର୍ଣ୍ଣାର୍ଡ ଶ'ଙ୍କ ଅନେକ ନାଟକ ଅମର ସାହିତ୍ୟକୃତି ହିସାବରେ ସର୍ବ - ସ୍ଵୀକୃତ ସେଥିରେ ସନ୍ଦେହ ନାହିଁ । ତେବେ ତାଙ୍କ ଖ୍ୟାତି ଯେ ଖାଲି ତାଙ୍କ ସାହିତ୍ୟକୃତି ସକାଶେ ଥିଲା ତାହା ନୁହେଁ । ଏ ଖ୍ୟାତିକୁ ସେ ନିଜେ ସୃଷ୍ଟି କରିଥିଲେ ନିଜର ନାଟକଟିଏ ପରି । ନିଜର ଚାଞ୍ଚଲ୍ୟକର ସାକ୍ଷାତକାର ସବୁ ନିଜେ ଲେଖି ଛପେଇବା ହଉ, ନିଜ ବିଲେଇର ଫଟୋ ଉଠେଇବା ପାଇଁ ଚାରିଆଡୁ ଫଟୋଗ୍ରାଫର ଡକେଇବା ହଉ, ନିଜର ଅସାଧାରଣ ଓ ନାଟକୀୟ ଶୈଳୀର ଭାଷଣ ସବୁ ହଉ - ଏସବୁ ଜରିଆରେ ଦୁନିଆ ଆଗରେ ଶ' ନିଜକୁ ହିଁ ଅଭୁଲା ଚରିତ୍ରଟିଏ କରି ଗଢ଼ିଥିଲେ । ଏ ଚରିତ୍ର କାହାରିକୁ ଖାତିର କରୁନଥିଲା କି କାହାରି ଦୟାରେ ବଞ୍ଚୁନଥିଲା । ତାହା ହିଁ ଥିଲା ଏ ଚରିତ୍ରର ଖ୍ୟାତିର ରହସ୍ୟ । ଶ'ଙ୍କ ଜୀବନୀକାର ଫିନଟାନ ଓ ଟୁଲ୍ କହିଲା ପରି, 'ଖ୍ୟାତି' ଯେ ଅନୁଷ୍ଠାନ ବିରୁଦ୍ଧରେ, ବ୍ୟବସ୍ଥା ବିରୁଦ୍ଧରେ ଏକୁଟିଆ ମଣିଷର ଶକ୍ତି ହେଇପାରେ - ଏକଥା ଆଜିର ସେଲିବ୍ରିଟି ସଂସ୍କୃତି ଆସିବାର ଅନେକ ପୂର୍ବରୁ ଶ' ବୁଝିପାରିଥିଲେ । କେବଳ ବୁଝିନଥିଲେ, ନିଜ ଖ୍ୟାତିର ଉପଯୋଗ କରି ଶ' ବାରମ୍ବାର ସମାଜର ସେହି ସବୁ ଅପହଞ୍ଚ କ୍ଷମତାଶାଳୀ ସତ୍ତାମାନଙ୍କୁ ବିଦ୍ରୂପ କରିଥିଲେ ଯେଉଁମାନେ ଆତ୍ମଗର୍ବ ଓ ଆତ୍ମମୁଗ୍ଧତା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ ।

ବର୍ଣ୍ଣାର୍ଡ ଶ'ଙ୍କ ଲେଖା ଓ ଜୀବନରେ ସବୁଠାରୁ ଉଲ୍ଲେଖନୀୟ ଦିଗ ହେଲା ସମାଜର ବିସଙ୍ଗତି, ରକ୍ଷଣଶୀଳତା, ଆନୁଷ୍ଠାନିକ ବିଧିବ୍ୟବସ୍ଥାର ଅନ୍ୟାୟ ଏସବୁକୁ ପଦାରେ ପକେଇ ଦେବାର ସତ୍-ସାହସ । ଶ' ଅବଶ୍ୟ ନିଜେ ତୃଣମୂଳ ସ୍ତରରେ ଅନେକ ଆନ୍ଦୋଳନ ସହ ଜଡ଼ିତ ଥିଲେ, ତେବେ ଲେଖକଟିଏ କୌଣସି ଅନୁଷ୍ଠାନରେ ନମିଶି କୌଣସି ପତାକା ତଳେ ଠିଆ ନହେଇ ବି ନିଜ କଥା କହିପାରିବ ବୋଲି ସେ ଭାବୁଥିଲେ । ତାଙ୍କ ପାଇଁ ସବୁଠାରୁ ବଡ଼ ଥିଲା ବ୍ୟକ୍ତିଚେତନାର ସ୍ୱାଧୀନତା । ଆପଣା ଗୁଣରେ ମୁଗ୍ଧ ସମଷ୍ଟିଗତ ଅହଂର ବିଶାଳ ଅସ୍ତିତ୍ୱକୁ ଯେ ଗୋଟିଏ ସ୍ୱାଧୀନଚେତା ମଣିଷର ସ୍ୱର ଦୋହଲେଇଦେଇପାରିବ ଏହା ଥିଲା ତାଙ୍କର ବିଶ୍ବାସ । ୧୮୯୬ ମସିହାରେ ଜଣେ ବନ୍ଧୁଙ୍କ ଘରେ ଛୁଟି କଟାଉଥିବାବେଳେ ବର୍ଣ୍ଣାର୍ଡ ଶ' ତାଙ୍କ ଭାବୀ ପତ୍ନୀ ଶାର୍ଲୋଟଙ୍କୁ ଭେଟିଲେ । ଉଭୟ ଉଭୟଙ୍କୁ ପସନ୍ଦ କରିବସିଲେ । ଲଣ୍ଡନ ଫେରିଲା ପରେ ଶ' ଯେତେବେଳେ ଶାର୍ଲୋଟଙ୍କ ପାଖରୁ ଆବେଗପୂର୍ଣ୍ଣ ଚିଠିଟିଏ ପାଇଲେ, ତା'ର ଉତ୍ତରରେ ସେ ଲେଖିଥିଲେ,

"ମୋ ପ୍ରେମରେ 'ପଡ଼ିବା' ଦରକାର ନାହିଁ । ତମେ ତମ ନିଜର ହୁଅ । ମୋ'ର କି ଆଉ କାହାର ହବା ଦରକାର ନାହିଁ ... ଯୋଉ ମୁହୂର୍ତ୍ତରୁ ତମେ ଭାବିବ ଯେ ମତେ ବାଦ୍ ଦେଇ ତମର ଅସ୍ତିତ୍ୱ ନାହିଁ, ସେଇଠୁ କଥା ସରିଲା ! ବ୍ୟସ୍ତ ହବାର କିଛି ନାହିଁ - ଆମେ ଯଦି ସତରେ ପରସ୍ପରକୁ ଚାହୁଁଥିବା ତାହେଲେ ପାଇବା ହିଁ । ମୁଁ ଖାଲି ଏତିକି ଜାଣିଚି ଯେ ତମେ ଥିଲ ବୋଲି ଏଇ ଶରତ ଋତୁଟି ମୋ'ର ଭାରି ସୁନ୍ଦର ଭାବରେ ବିତିଚି । ସେ ସକାଶେ ମୁଁ ସବୁବେଳେ ତମକୁ ପସନ୍ଦ କରିବି ହିଁ ।"

ଆଜି ଯେତେବେଳେ କ୍ଷମତାକେନ୍ଦ୍ର ଏବଂ ଅନୁଷ୍ଠାନମାନଙ୍କର ପ୍ରତିଟି କଥାରେ (ଠିକ ହଉ କି ଭୁଲ) ମୁଣ୍ଡ ଟୁଙ୍ଗାରିବା ହିଁ ସଫଳତାର ମାପକାଠି ପାଲଟିଚି ଏବଂ ଗୋଷ୍ଠୀବଦ୍ଧ ଚିତ୍କାର ଆଉ ପ୍ରଚାର ଜରିଆରେ ସତକୁ ବି ବଦଳେଇ ଦିଆଯାଇପାରୁଚି - ଏଇ ସମୟରେ ଅଧିକରୁ ଅଧିକ ପ୍ରାସଙ୍ଗିକ ହେଇ ଉଭା ହଉଚନ୍ତି ବର୍ଣ୍ଣାର୍ଡ ଶ' । ବିବେକ ଥିବା ଏକୁଟିଆ ମଣିଷଟିଏ ଯିଏ ସମାଜ ଆଡ଼କୁ ଆଙ୍ଗୁଠି ଦେଖେଇ ବେଖାତିର ଭାବରେ କହୁଚି ନିଜକଥା । ନୀରବ ଓ ବାଚାଳ ମଣିଷମାନଙ୍କ ସହରରେ ବିଦ୍ରୂପ କରିବା କଣ ବିଦ୍ରୋହ ନୁହେଁ ?