ଚିତ୍ର: ୱିକି କମନ୍ସ

ଅଧରାତିରେ ନିଦ ଭାଙ୍ଗିଗଲା ଦିବାକର ର ।
'ମୂତିବୁ କି ଛୁଆ '
'ଶୋଷ ଲାଗିଲା କି ଛୁଆ '
'ପେଟ ଟାଣୁଛି କି '
'ଭୋକ ଲାଗିଲା କି ମୋ ଛୁଆକୁ '
'ମୋ ଛୁଆର କଣ ହେଲା, ନିଦ ଭାଙ୍ଗିଗଲା'

ମା'ର ଏପରି ଛୁଆବେଳର ପ୍ରଶ୍ନ ନିଜକୁ ପଚାରିଲା ଦିବାକର । ଉତ୍ତର ନଥିଲା । ମା' ନୀରବ ଥିଲେ କାନ୍ଥର ଫଟୋରେ । ସେ ଠାକୁର ଘରେ ରହନ୍ତିନି । ଠାକୁରାଣୀ ଏଠିକି ପଳେଇ ଆସନ୍ତି । ସ୍ବାମୀ, ଶ୍ବଶୁର, ଦେଢଶୁରଙ୍କ ସାଙ୍ଗରେ ଗୋଟିଏ କୋଠରୀରେ କିପରି ରହନ୍ତେ ?

ଦିବାକର ରନ୍ଧାଘରକୁ ଯାଇ ଆଲୁଅ ଜଳେଇଲା । ଅସରପାମାନେ ଆଲୁଅ ପାଇ ଦୌଡିଲେ ଅନ୍ଧାର ଆଡକୁ । ଏଇ ଅସରପା ଦଳ ହିଁ ତା' ନିଦ୍ରାଭଙ୍ଗର କାରଣ । ଆଉ ଗୋଟେ 'ସର୍ଜିକାଲ ଷ୍ଟ୍ରାଇକ୍' ଆବଶ୍ଯକ । ଅସରପା ସ୍ପ୍ରେ ଟା ସରିଯାଇଛି ।

ରନ୍ଧାଘରୁ ଠାକୁରଘରକୁ ଯିବା ବାଟରେ ଦିବାକରକୁ ଦେଖି ଧକ୍ କିନା ଶବ୍ଦ କରି ପୋଷା ବିଲେଇ ଭଳି ଘୁଡୁରୁ ଘୁଡୁରୁ ହେବା ଆରମ୍ଭ କରିଦେଲା, ଦୁଧିଆ ଫ୍ରିଜ୍ ଟା । ଶଙ୍ଖି ଟିକେ କୋଳଆଉଁସା ଖୋଜୁଛି ।

ଠାକୁରଘର ବନ୍ଧ ନୁଆଁଣିଆ । ମୁଣ୍ଡ ନୁଏଁଇକି ଯିବ । ରାତିରେ ଭୋଗ ଦେଲା ପରେ ଠାକୁରଙ୍କ କୋଠରୀକୁ ପଶିବା ଠିକ୍ ହେବନି । ବାହାରୁ ସେ ଦିଥର ତାଳି ମାରି କରଯୋଡ଼ି ପଚାରିଲା - ନିଦ ଭାଙ୍ଗିଗଲା, ସ୍ମରଣ କଲ କି ଠାକୁରେ ?

"ଯା' ଦେଖତ ଗଛରୁ ନଡିଆଟିଏ ପଡିଲା କି"

ନିର୍ଦ୍ଦେଶଟି ତ ବାପାଙ୍କ କଣ୍ଠସ୍ବର ପରି । କେତେବେଳେ ବାପାଙ୍କ ତ କେତେବେଳେ ଜେଜେବାପାଙ୍କ ସ୍ବରରେ କଥା କହନ୍ତି ଠାକୁର ।

ତାହେଲେ ନଡିଆଟେ ଯୋଗୁଁ ତା' ନିଦ ଭାଙ୍ଗିଗଲା ।

ଦିବାକର ଦର୍ଜା ଖୋଲି ବାରଣ୍ଡାକୁ ଆସିଲା । ଆସିଲା କ୍ଷଣି ଶୁଭିଲା -'ଦାଦା'

ସାନଭଉଣୀର ଡାକରେ ସିଏ ଚମକି ପଡିଲା ।

ପ୍ରକୃତିସ୍ଥ ହୋଇ ଦେଖିଲା ଯେ ଭଉଣୀ ନୁହେଁ, ପାଖଘରର ସ୍ତ୍ରୀଲୋକ ଜଣକ ଆସି ଛିଡ଼ା ହୋଇଛନ୍ତି ବାରଣ୍ଡା ଧାରରେ ଯେଉଁଠି ନଡ଼ିଆଗଛଟିଏ ଅଛି ସର୍ବସାଧାରଣ ଜାଗାରେ । ମଝିରେ ବାରଣ୍ଡାର ଲୁହା ଗ୍ରୀଲ । ସର୍ବସାଧାରଣ ଜାଗା ଯା' ଘର ସାମ୍ନାରେ ଥାଏ, ସେଠି ସେଇ ଘରର ଅଧିକାର ।

ନଡିଆଗଛଟି ଜେଜେବାପା ଲଗେଇଥିଲେ । ଯିଏ ନଡିଆ ଲଗାଏ, ନଡିଆ ତା' ମୁଣ୍ଡ ନିଏ ବୋଲି ଜନଶ୍ରୁତି ଥିଲା । ନଡିଆଗଛ ଲଗେଇବାର ଦି'ମାସ ଭିତରେ ଜେଜେବାପା ଆରପାରିକି ଚାଲିଗଲେ । ଗୋଟିଏ କାହିଁକି, ଆଉ ଯୋଡ଼େ ଲଗେଇ ପାରିଥାନ୍ତେ । ସେତେବେଳେ ଜେଜେଙ୍କୁ ୮୬ ବର୍ଷ ଓ ସେ ଏତେ ବୁଦ୍ଧିମାନ ନଥିଲେ । ଜନଶ୍ରୁତିକୁ ପରୀକ୍ଷା କରିବାର ମନ ନେଇ ସେ ନଡିଆଚାରା ଲଗେଇଥିଲେ । ଯିବେ ତ ଯିବେ, ପୁଅନାତିଙ୍କ ପାଇଁ ନଡିଆଗଛଟିଏ ଲଗେଇକି ଯିବେ ।

କୁହାଯାଇପାରେ, ଜେଜେଙ୍କ ପରମାୟୁ ୮୬ ବର୍ଷ ଯୁକ୍ତ ସେ ନଡିଆଗଛ । ଏତେବେଳକେ ଯାଇ ବୁଝିହେଲା, ସେ କାହିଁକି ଗୋଟିଏ ଚାରା ଲଗେଇଲେ, ବେଶୀ ନୁହେଁ ।

ଦିବାକର ପଚାରିଲା: ହାତରେ କଣ ଧରିଛନ୍ତି ? ନଡ଼ିଆ ?

ସ୍ତ୍ରୀଲୋକ: ଟିକେ ଆସ୍ତେ ଦାଦା, ଯୋଡେ ନଡିଆକୋରା ଆଣିଥିଲି। ଆଉ ଖଣ୍ଡେ ପିଠା ।

ପୁରୁଷ ଲୋକଟା ଏମିତି ବଡପାଟିଆ ! ରାତି ଗୋଟାଏ ରେ ଜଣେ ଭଦ୍ରମହିଳାଙ୍କ ସହ କେମିତି ଧୀର ଗଳାରେ କଥା କହିବ ସେ ଶିଖିନାହିଁ ।

ମହିଳାଙ୍କ ପୁଅର ଜନ୍ମଦିନ ଆସି ପ୍ରବେଶିଲା ରାତି ବାରଟା ପରେ । ପୁଅର ଜିଦ, ତା ମା' ସେ ଏକଲା ଅଙ୍କଲଙ୍କୁ ନେଇ ପିଠା, ଲଡୁ ଦେଇଆସୁ । ଘରେ ସମସ୍ତେ ବୁଝେଇଲେ ଯେ ଅଙ୍କଲ ଶୋଇଲେଣି । ଏବେ ଉଠିବେନି । ସକାଳୁ ଦେଇଦେବା । କିନ୍ତୁ ତାର ଗୋଟିଏ ଯିଦ: ତାଙ୍କୁ ଡାକ, ନିଦରୁ ଉଠାଅ...

ବୋଧେ ଏଇ ଗପଟି କେଉଁଠୁ ଶୁଣିଛି ସେ ପିଲା, ଦିନରେ ଏକଲା ଅଙ୍କଲଙ୍କୁ କେହି କେବେ ଦେଖିନି । ପଡ଼ାର ସକାଳ ନିଦ ଭାଙ୍ଗିଲାବେଳକୁ, ତାଙ୍କ ଘରଦୁଆରରେ ଚାବି ପଡିଥାଏ । ଦିବାଲୋକ ତାଙ୍କ ଦେହରେ ପଡିଲେ, ସେ ଜଳିପୋଡିଗଲା ପରି ତାଙ୍କ ଦେହରୁ ଧୂଆଁ ବାହାରେ । ଶ୍ମଶାନର ଶବପୋଡା ଗନ୍ଧ ଭରିଯାଏ ଆଖପାଖରେ । ଅଥଚ ତାଙ୍କୁ କିଛି ଜଣାପଡେନା ।

ପୁଣି ସନ୍ଧ୍ୟାରେ ଏକଲା ଅଙ୍କଲ ଘରକୁ ଆସନ୍ତି ସତ ଅନ୍ଧାରରେ କେହି ତାଙ୍କୁ ଦେଖିପାରନ୍ତିନି ଅଥଚ ତାଙ୍କ କଣ୍ଠ ଶୁଣିହୁଏ । ଅନ୍ଧାରରେ ଦେଖିହୁଏନା ସିନା ଶୁଣିହୁଏ । ଅନ୍ଧାରର ଏହା ଭଲଗୁଣଟିଏ । କିନ୍ତୁ ଅନ୍ଧାରରେ ଅଙ୍କଲ ସମସ୍ତଙ୍କୁ ଦେଖିପାରନ୍ତି, ସମସ୍ତଙ୍କୁ ଶୁଣିପାରନ୍ତି, ବୁଝିପାରନ୍ତି ।

ଦିବାକର କହିଲା, 'କାଲି ସକାଳକୁ ଦେଇଥାନ୍ତେ । ଚକୁଳିପିଠା ସିନା ଥଣ୍ଡା ହୋଇଯାଏ, ଜନ୍ମଦିନର କେକ୍ ତ ଥଣ୍ଡା ହୁଏନା ।'

ତାରି ଭିତରେ ସେ ବାମହାତ ବଢେଇ ସାରିଲାଣି ଗ୍ରୀଲ ବାହାରକୁ ଓ କହୁଛି: କିଛି ଭାବିବେନି, ମୁଁ ବାଉଁଆ ଲୋକଟିଏ । ଏତେ ରାତିରେ ମୁଁ ଆଉ ଗ୍ରୀଲ ଖୋଲୁନାହିଁ । ଆପଣ କଷ୍ଟ କରି ଏଇ ଗ୍ରୀଲବାଟେ ଦେଇ ଦିଅନ୍ତୁ ।

ଜହ୍ନରାତି ଯୋଗୁଁ ଝାପସା ଦିଶୁଥିଲା ଦିବାକରର ଅନ୍ଧାରୁଆ ହାତ ପାଣିତଳର ମାଛ ପରି । ସ୍ତ୍ରୀଲୋକ କାଗଜ ପ୍ଲେଟ୍ ରେ ପିଠା ଓ ନଡିଆଲଡୁ ବଢେଇଦେଲେ ଓ କହିଲେ: ଆର ହାତ ଦେଖାଅ...

ବୟସରେ ସାନ ହେଲେବି ଦିବାକରର ଭଉଣୀ ତାଠୁଁ ଢେର୍ ବଡ ଭଳି ଆଚରଣ ଦେଖାଏ । ସବୁ ସ୍ତ୍ରୀଲୋକ ଏହିପରି ।

ବାମହାତଟି ଗ୍ରୀଲ୍ ଭିତରକୁ ଆଣିନାହିଁ, ଦିବାକର ତା ଡାହାଣ ହାତ ବି ବଢେଇଲା ବାହାରକୁ ମାନୀ ପିଲାଟିଏ ପରି । ଭଦ୍ରମହିଳା ତାଙ୍କ ବ୍ଲାଉଜ୍ ତଳୁ ରାକ୍ଷୀଟିଏ ବାହାର କରି ଦିବାକରର ହାତରେ ବାନ୍ଧିଦେଲେ ଓ କହିଲେ: ଏବେ ଯାଅ ।

ଦିବାକର ପଚାରିଲା: ଆପଣଙ୍କ ପୁଅର ଜନ୍ମ ରାକ୍ଷୀପୂର୍ଣିମାରେ । ମନେ ରହିଗଲା । କିନ୍ତୁ ଗୋଟିଏ କଥା ମୁଁ ବୁଝିପାରୁନି ଦିଦି, ପୁଅ କାହିଁକି ଏତେ ଜିଦ୍ କଲା ମୋ ପାଇଁ ?

ହଁ, ସେ ଭାବେ ଯେ ସମସ୍ତଙ୍କର ସମସ୍ତେ ଅଛନ୍ତି । ଅଥଚ ଆପଣଙ୍କର କେହି ନାହାଁନ୍ତି ।

ଏତକ କହି ଭଦ୍ରମହିଳା ଚାଲିଗଲେ । ଦିବାକରର ରାକ୍ଷୀବନ୍ଧା ହାତ ସେମିତି ଗ୍ରୀଲ୍ ବାହାରେ ଥାଏ । ଓ ସେ ଭାବୁଥାଏ: ମା'ର ଭାଷାରେ ପୁଅର ଭାବନାଠୁଁ ଆଉ କଣ ଭଲ କବିତାଟିଏ ହୋଇପାରେ ।

ଏମିତି ଅବସ୍ଥାରେ ଜହ୍ନରାତିର ଶେଷପହର ଗଡିଚାଲିଲା । ବାରଣ୍ଡାରେ ଦିବାକରର ହାତଦୁଇଟି ଗ୍ରୀଲ ବାହାରକୁ ସେମିତି ରହିଥାଏ ।

ସଫା ଆକାଶରୁ କେତୋଟି ବର୍ଷାଟୋପା ପଡିଲା । ଅଳ୍ପ କେଇଟୋପା ହେଲେ ବି ଗହ୍ମାପୂର୍ଣ୍ଣମୀରେ ବର୍ଷା ହୁଏ । କେହି ବିଜ୍ଞାନ - ବିଶ୍ବାସୀ ବ୍ୟକ୍ତି ଏହାକୁ ଧର୍ମର ଅନ୍ଧବିଶ୍ୱାସ ବୋଲି କହନ୍ତି । ପ୍ରଗତିଶୀଳ କବି ଲେଖକମାନେ ସଂସ୍କୃତିର ପ୍ରତୀକକୁ ବୁଝନ୍ତିନି । ଭାଇ - ଭଉଣୀର ସାକ୍ଷାତରେ ଆକାଶରୁ ବି ଝରିପଡ଼େ ଆନନ୍ଦାଶ୍ରୁ । ଅଳ୍ପ କେଇଟୋପା ହେଲେ ବି ଗହ୍ମାପୂର୍ଣ୍ଣମୀରେ ବର୍ଷା ହୁଏ ।

ଦିବାକର ତା ହାତ ଦୁଇଟିକୁ ଗ୍ରୀଲ ଭିତରକୁ ଆଣିବ, କିନ୍ତୁ ପାରୁନାହିଁ । ହାତ ଦୁଇଟିକୁ କିଏ ରଶିରେ ବାନ୍ଧିଦେଇଛି ଗ୍ରୀଲ ବାହାରେ ।

ସେ ରଶିଟି ରାକ୍ଷୀର ରଶି ।

ଅନ୍ଧାରରେ ଦିବାକରଙ୍କୁ କେହି ଦେଖିପାରନ୍ତିନି କିନ୍ତୁ ସିଏ ସମସ୍ତଙ୍କୁ ଦେଖିପାରେ । ପଡୋଶିନୀ କଣ ଗୋଟିଏ ରାକ୍ଷୀରେ ଦିବାକରର ଦୁଇଟି ହାତକୁ ବାନ୍ଧିଦେଲେ (?) ଯେତେବେଳେ ଦିବାକର ଭାବୁଥିଲା: ରାତିଅଧରେ ତା' ନିଦ ଭାଙ୍ଗିଯିବାର କାରଣ ।

ତିରିଶ ବର୍ଷଧରି ଦିବାକରକୁ କେହି ଛୁଇଁ ନଥିଲେ । ମା' ଯିବା ଦିନରୁ ।

ରାତି ପାହି ଆସୁଥିଲା । ସୂର୍ଯ୍ୟ କିରଣ ଆଉ ଅଳ୍ପ ସମୟ ପରେ ଏଠି ମାଟି ଛୁଇଁବ । ନଡିଆଗଛ ଅଗରେ ସେ ଆସି ଘଷି ହେଲାଣି । ଦିବାକର ଦେହରୁ ଜଳାପୋଡ଼ା ଗନ୍ଧ ଧୂଆଁ ବାହାରିବଣି । ସେ ସିନା କିଛି ଜାଣିପାରୁନି ।

ଦୁଇବାହୁକୁ ମୁକ୍ତ କରିବାକୁ ଯେତେ ଚେଷ୍ଟା କରୁଛି ଦିବାକର, ରାକ୍ଷୀର ରଶିଟି ସେତେ ବସିଯାଉଛି, ସେତେ କଷ ହେଉଛି ତା ହାତରେ ।

ତଥାପି ସେ ଜାରି ରଖିଛି ଉଦ୍ୟମ ଓ ତାରି ଯୋଗୁଁ ସେ ପ୍ରାଣବାୟୁ ଧରିରଖିଛି ।

ପାକଳ ନଡିଆଟିଏ ଗଛରୁ ପଡ଼ି ମାଟିରେ ଗଡୁଛି । ଠାକୁରେ ଠିକ କହିଥିଲେ ।

ଲୋକମାନେ ସକାଳେ ଆଉ ଡେରି ଯାଏଁ ଶୋଇ ପାରିଲେନି । ମଡାପୋଡା ଗନ୍ଧରେ ସମସ୍ତେ ଅଣନିଶ୍ବାସୀ ହୋଇଗଲେ । ବଡିର ପଚାଗନ୍ଧଠୁଁ ପୋଡାଗନ୍ଧ ବିକଳ କରିଦିଏ । ଗନ୍ଧ ବାରି ବାରି ସମସ୍ତେ ଆସି ହାଜର ହେଲେଣି ଦିବାକରର ଘର ଆଗରେ ।

ଦିବାକର ସମସ୍ତଙ୍କୁ ଅନୁରୋଧ କଲା: ଆସ ମୋ ହାତର ରଶିଟିକୁ ଖୋଲିଦିଅ । ପୋଡାଜଳା ଗନ୍ଧରୁ ରକ୍ଷା ପାଇଯିବେ ।

ହେଲେ କେହି ପାଖ ମାଡୁନାହାଁନ୍ତି । ସମସ୍ତେ ଦେଖୁଛନ୍ତି, ଫଟୋ ଖିଚି ଭିଡିଓ ନେଉଛନ୍ତି।

ଏତିକିବେଳେ ଭିଡ଼ ଭିତରୁ ବାହାରି ଆସିଛି ଭଣଜାଛୁଆ ଯାର ଜନ୍ମଦିନ ଆଜି ରାକ୍ଷୀପୂର୍ଣ୍ଣମୀରେ । କାରଣ ସେ ଜାଣେ ଯେ ସମସ୍ତଙ୍କର ସମସ୍ତେ ଅଛନ୍ତି । ଏକଲା ଅଙ୍କଲଙ୍କର କେହି ନାହାଁନ୍ତି ।

ସେ ମାଙ୍କଡ଼ ଏକା କୁଦାକେ ଗ୍ରୀଲ୍ ଉପରକୁ ଚଢିଯାଇ ଆଗେ ରାକ୍ଷୀର ଫୁଲଟିକୁ ଛିଡେଇଲା ଦାନ୍ତରେ । ଥୁ ଥୁ କରି ଫିଙ୍ଗିଲା ତଳକୁ ଯେଉଁଠି ଘଟଣାର ଭିଡିଓ ତିଆରି ହେଉଥାଏ । ଫୁଲରୁ ରଶିକୁ ଶକ୍ତି ଓ ଉତ୍ସାହ ମିଳୁଥିଲା । ଫୁଲଟି ଛିଡିଗଲା ପରେ ରଶିଟି ଦୁର୍ବଳ ହୋଇଗଲା, ଗଣ୍ଠି ଢିଲା ହେଲା । ତାପରେ ଯାଇ ରାକ୍ଷୀର ଗଣ୍ଠିକୁ ଖୋଲିପାରିଲା ଭଣଜାଛୁଆ ।

ଦିବାକରକୁ ଯେମିତି ମୁକ୍ତି ମିଳିଛି, ସେ ତତକ୍ଷଣାତ ଘର ଭିତରକୁ ପଶିଯାଇ କବାଟ କିଳିଦେଲା । ପୋଡାଜଳାର ସବୁ ଧୂଆଁ ଗନ୍ଧ ଧୀରେ ଧୀରେ ପବନରେ ମିଳେଇ ଗଲା । ସକାଳ ତେବେ ସକାଳ ହେଲା ।

ଦେଖଣାହାରୀ କେହି ଜାଣିନଥିଲେ ଦିବାକରଙ୍କ ଜୀବନର ରହସ୍ୟ କାହାଣୀକୁ । ସେମାନଙ୍କୁ କିଛି ବି ବତେଇଲା ନାହିଁ ଭଣଜାଛୁଆ । ଆଜି ଆଉ ଟିକେ ଡେରି ହୋଇଥିଲେ ଏକଲା ଅଙ୍କଲ ଏବେ ନଥାନ୍ତେ । ଗଳାକୁ ନୁହେଁ, ତାଙ୍କ ବାହୁଦ୍ଵୟକୁ ଭିଡ଼ି ବାନ୍ଧିଦେଲେ ସେ ମରିଯିବେ । ତାଙ୍କ ଜୀବନ-ନାଟିକା ତାଙ୍କ ହାତରେ ଥାଏ, ମଣିବନ୍ଧ ନିକଟରେ ଧକଧକଉଥାଏ ।