ଫଟୋ - ୱିକି କମନ୍ସ

ପିଲାଦିନେ ଆମେ ଫଳ କହିଲେ ଆମ୍ବ, ପିଜୁଳି, ନଡ଼ିଆ, କଦଳୀ, ସପୁରୀ, ପଣସ ଓ ଆତ ଆଦିକୁ ବୁଝୁଥିଲୁ । ଗାଁରେ ଅନେକଙ୍କ ବାଡ଼ି ବଗିଚାରେ ଏଇ ଗଛ ସବୁ ଥାଏ । ପିଲାଏ ୟା ତା’ ବାଡ଼ି ବଗିଚାରେ ପଶି ଲୁଚା ଚୋରାରେ ଫଳମୂଳ ଖାଇବାକୁ ପସନ୍ଦ କରନ୍ତି । ଏମିତିରେ ବର୍ଷ ସାରା କଦଳୀ, ନଡ଼ିଆ ଓ ଅମୃତଭଣ୍ଡା ଖାଇବାକୁ ମିଳେ । ଆମ୍ବ, ଆତ, ଜେଉଟ, ସପୁରୀ ଓ ପଣସ ଆଦି ଅନେକ ଫଳ ସବୁଦିନେ ମିଳେନି । କାହା କାହା ବାଡ଼ିରେ ଥାଏ ଜାମୁରୋଳ, ସପେଟା, ଲିଚୁ, ବାତାପି, ଟଭା, କଇଥ, ବେଲ, କରମଙ୍ଗା ଆଦି ଫଳ ଗଛ । ଏମିତିକା ଫଳ ଗଛ ଥିଲେ ଗୃହସ୍ୱାମୀଙ୍କୁ ଆପଣା ବଗିଚା ଉପରେ ବେଶ୍ କଡ଼ା ନଜର ରଖିବାକୁ ହୁଏ । କାରଣ ଗାଁର ସବୁ ଅଝଡ଼ା ଛୁଆଙ୍କର ନଜର ସେଇଠି ଥାଏ ।

ଆମ ଗାଁର ମାଟିରେ କିଛିବି ଗଛ ଭଲରେ ଉଧାଏନି । ତେଣୁ ଆମ ବାଡ଼ିରେ କିଛିବି ଅଦିନିଆ କି ସବୁଦିନିଆ ଫଳ ଗଛ ନଥିଲା । କିନ୍ତୁ ସବୁ ଫଳ ଗଛ ଥିଲା ମୋ ଅଜା ନିଜ ହାତରେ ଲଗାଇଥିବା ମାମୁଁ ଘର ବଗିଚାରେ । ଅଜା ତାଙ୍କ ସମୟରେ ଆଜିର ଅର୍ଥରେ ଗୋଟେ ବିରାଟ ଫାର୍ମ ହାଉସ୍ ବନେଇଥିଲେ । ଏମତି କିଛି ଫଳ ଗଛ ନଥିଲା, ଯାହା ଅଜା ନଲଗାଇଥିଲେ ।

ପିଲାଦିନେ ଘରକୁ ଆମର କଦବା କ୍ୱଚିତ ଅଙ୍ଗୁର, ସେଓ, ନାସପାତି ଓ କମଳା ଆସୁଥିଲା । ଘରେ କାହାର ଦେହ ଖରାପ ହେଲେ ଯାଇଁ ଏଇ ସବୁ ଫଳ ଯାହା ଆସୁଥିଲା । ମୁଁ ଦେହ ଅସୁଖ ସାଙ୍ଗରେ ଅଙ୍ଗୁର, ସେଓ, କମଳା ଓ ପାଉଁରୁଟିକୁ ମିଶେଇ ରଖିଥିଲି । ଗାଁଗହଳ ଛାଡ଼, ସହରରେ ବି ଫଳ ଦୋକାନ ଏତେ ନଥିଲା । ସାବିତ୍ରୀ ବ୍ରତ ବେଳେ ଲୋକେ ଫଳ ଅବଶ୍ୟ କିଣନ୍ତି । ଅନେକ ସମୟରେ ବିଧି ରକ୍ଷା କରିବାକୁ ସତ୍ୟବାନମାନେ ଅନ୍ୟଦିନଠାରୁ ଢେର ଅଧିକା ଚଢ଼ା ଦରରେ ଶୁଖିଲା ଶୁକୁଟା ଫଳରୁ ଗୋଟେ ଦିଇଟା କରି କିଣିଥା’ନ୍ତି । କିନ୍ତୁ ହଠାତ ଏଇ କେତେ ବର୍ଷ ହେଲାଣି ସହର ବଜାର ଗାଁ ଗଣ୍ଡା ସବୁଆଡେ ସାରା ବର୍ଷ ଫଳ ବଜାର ତା’ର ପସରା ମେଲାଇଛି । କାହିଁରେ କେତେ ଫଳ ଦୋକାନ । ସ୍ଥାୟୀ ଫଳ ଦୋକାନ ସାଙ୍ଗରେ ଠେଲା ଗାଡ଼ି ଧରି ମୁଖ୍ୟ ରାସ୍ତା ଓ ଗଳି କନ୍ଦିରେ ଅନେକ ଫଳ ବେପାରୀଙ୍କ ଭିଡ଼ । ଭଲ ଦୋକାନରେ ଦେଶୀ ସାଙ୍ଗରେ ବିଦେଶୀ ଓ ଦାମୀ କିସମର ଫଳ ବି ସାମିଲ ହେଇସାରିଲେଣି । ହଠାତ୍ ଆମ ଲୋକଙ୍କ ଭିତରେ ଏ ଫଳ ପ୍ରେମ କହିଁକି ବଢ଼ିଗଲା ମୁଁ ଜାଣିନି । କୌଣସି ଏକ ଅଜଣା କାରଣରୁ ସାନ ବେଳେ ଆମେ ଧରିନେଇଥିଲୁ ଯେ ଫଳରସ ପେଟ ଭିତରେ ସିଧା ରକ୍ତରେ ମିଶିଯାଏ । ସ୍ୱାସ୍ଥ୍ୟ ରକ୍ଷାର ଏଇ ଗୋପନ ରହସ୍ୟ ପାଇଁ ହୁଏତ ଆମ ସହରୀ ଲୋକମାନେ ଏତେ ପରିମାଣରେ ଫଳ ଖାଇ ହଜମ କରିଦେଉଛନ୍ତି । ଆଜିକାଲି ଅନେକ ଫଳ କିଲୋ ଶହେରୁ ଆରମ୍ଭ ହେଉଛି ।

କୁହାଯାଏ ମଣିଷ ଯେବେ ଜଙ୍ଗଲରେ ଥିଲା ସେତେବେଳେ ଖାଦ୍ୟପାଇଁ ପଶୁ ଶିକାର ସହ ଫଳମୂଳ ଖାଇ ଜୀବନ ଧାରଣ କରୁଥିଲା । ସେତବେଳର ଜଙ୍ଗଲରେ ନିଶ୍ଚୟ କିସମ କିସମ ଫଳ ଗଛ ଥିବ । ଏବେବି ଅଛି । ମଣିଷ ଖାଦ୍ୟ ପାଇଁ ଫଳ ଚାଷ କରିଛି ବହୁତ ପରେ । କୁହାଯାଏ ଫିଗ୍ ବା ଡିମିରି ପ୍ରଥମ ଚାଷ ହୋଇଥିବା ଫଳ । ଯାହାକି ଏଗାର ହଜାରରୁ ଅଧିକ ବର୍ଷ ତଳେ ଚାଷ କରାଯାଇଥିଲା ।

ଆମେ ଆମର ସବୁ ଭଲ ଜିନିଷ ଆମ ଦେବାଦେବୀଙ୍କୁ ଭୋଗ ଭାବରେ ଅର୍ପଣ କରିଥାଉ । ଏଇ ଭୋଗରେ ସବୁବେଳେ ମୁଖ୍ୟ ଭାଗ ସୁସ୍ୱାଦୁ ଫଳସବୁ ଥାଏ । ଆଜି ଭାରତୀୟ ବଜାରରେ ଅନେକ ପ୍ରକାର ଫଳ ଉପଲବ୍ଧ ଥିଲେ ମଧ୍ୟ ସବୁ ଫଳ ଦେବତାମାନଙ୍କୁ ଅର୍ପଣ କରାଯାଏନି । ବିଦେଶୀ ଫଳ ତ ଆଦୌ ନୁହେଁ ।

କିନ୍ତୁ ସତ କହିଲେ କୋଉଟା ଦେଶୀ ଆଉ କୋଉଟା ବିଦେଶୀ?

ମୋଗଲମାନେ ଭାରତରେ ସବୁଦିନ ପାଇଁ ରହିଯିବା ପରେବି ବିଶେଷ କରି ବାବର ଓ ହୁମାୟୁନ ସମରକନ୍ଦ’ର ‘ମସ୍କମେଲନ’ ପରିବାରର ‘ସୁଇଟ୍ ମେଲନ’କୁ ଝୁରି ହେଇଥିଲେ । ସେମାନେ ହିଁ ଏଇ ଫଳର ମଞ୍ଜି ଭାରତକୁ ଆଣିଥିଲେ । ଏ ଦିଗରୁ ମୋଗଲ ମାନଙ୍କୁ ପଛରେ ପକେଇଥିଲେ ପର୍ତ୍ତୁଗିଜ୍ ଓ ବ୍ରିଟିଶ ମାନେ । ମୋଗଲ ରାଜ ସମୟରେ ୟୁରୋପୀୟ ମାନେ ଭାରତରେ ବ୍ୟବସାୟ ବଣିଜ ଭଲଭାବରେ କଲେଣି । ପ୍ରକୃତରେ ଆଜି ଆମେ ଦେଶୀ ଭାବୁଥିବା ଅନେକ ଫଳ ଓ ପନିପରିବା ଏଇ ୟୁରୋପୀୟ ମାନେ ହିଁ ଭାରତକୁ ଆଣିଛନ୍ତି ।

ଆମେ ‘ସୀତା ଫଳ’ ନାଁ ଦେଇଥିବା ଫଳଟି ଅରିଜିନାଲି ଭାରତୀୟ ନୁହେଁ କହିଲେ ଅନେକଙ୍କ କାନ ଠିଆ ହେଇଯିବ । କୁହାଯାଏ ଏଇଟି ମୁଳତଃ ଆମ ଦେଶ ସହ କ୍ରିକେଟ ଖେଳୁଥିବା ୱେଷ୍ଟ ଇଣ୍ଡିଜ୍ ମାନଙ୍କ ଦେଶରୁ ସପ୍ତଦଶ ଶତାବ୍ଦୀରେ ଆଫ୍ରିକା ଯାଇଥିଲା ଓ ସେଇଠୁ ପରେ ଭାରତ ଆସିଥିଲା । ସେମିତି ‘କାଜୁ’ । ଆମେ କାଜୁ ଫଳକୁ ‘ବାଜା ଆମ୍ବ’ କହୁ । କେହି କେହି‘ସଇତାଆମ୍ବ’ ବଗ କହନ୍ତି। କାଜୁର ମଞ୍ଜିଟି ଫଳ ବାହାରେ ଥାଏ । ସେଇ ଫଳରୁ ଗୋଆରେ ‘ଫେନି’ ବୋଲି ମଦ ତିଆରିହୁଏ । ଫେନି ଆଜି ଗୋଆର ଅନ୍ୟତମ ପରିଚୟ ମଧ୍ୟ । କିନ୍ତୁ କାଜୁର ମୂଳ ଘର ହେଲା ବ୍ରାଜିଲ୍ । ପର୍ତ୍ତୁଗିଜ୍ ମାନେ କାଜୁକୁ ଭାରତ ଆଣିଥିଲେ । ଆମ ଗାଁ ଗହଳୀର ପ୍ରାୟ ସମସ୍ତଙ୍କ ବାଡ଼ିରେ ଥିବା ଅତି ପରିଚିତ ‘ପିଜୁଳି’ ମଧ୍ୟ ଆମର ନୁହେଁ । ତାକୁ ସେଇ ପର୍ତ୍ତୁଗିଜ୍ ମାନେ ଭାରତ ଆଣିଥିଲେ । ଓଡ଼ିଶାରେ ପିଜୁଳିର ସବୁଠାରୁ ଅଧିକ ନାଁ ରହିଛି । ଯଥା ପିଜୁଳି, ପିଆରା, ଚାଉଳି, ଜାମ, ପେଢ଼ା ଓ ଆହୁରି କେତେ କ’ଣ । ଆଉ ଅଧିକା ମୋର ମନେ ପଡୁନି । ବିଜୟ ପ୍ରସାଦ ମହାପାତ୍ର ତା’ର ଏକ ତାଲିକା ଦେଇଥିଲେ । ମାଲେସିଆରେ ପିଜୁଳିକୁ ଜାମ୍ବୁ ପର୍ତ୍ତୁଗିଜ୍ ବୋଲି କୁହାଯାଏ ।

ଭୁବନେଶ୍ୱରରେ ସରକାରୀ କ୍ୱାଟର ପାଇ ରହୁଥିବା ପରିବାର ସବୁ ତାଙ୍କ ବାଡ଼ିରେ ଅତି କମରେ ତିନି ପ୍ରଜାତିର ଗଛ ନିଶ୍ଚୟ ଲଗେଇଥା’ନ୍ତି । ସେଗୁଡ଼ିକ ହେଲା ସଜନା, ପିଜୁଳି ଓ ଅମୃତଭଣ୍ଡା । ପିଜୁଳି ପରି ‘ଅମୃତଭଣ୍ଡା’ ମଧ୍ୟ ପର୍ତ୍ତୁଗିଜ୍ ମାନଙ୍କ ଦ୍ୱାରା ଭାରତ ଆସିଛି । ପର୍ତ୍ତୁଗିଜ୍ ମାନେ ସମ୍ଭବତଃ ଅମୃତଭଣ୍ଡାକୁ ଆମେରିକା ଓ ମେକ୍ସିକୋରୁ ଭାରତ ଆଣିଥିଲେ । ବାପ ଘରୁ ସାବିତ୍ରୀ ଭାରରେ ସବୁବେଳେ ଥାଏ ଆମ୍ବ ଓ ପଣସ ସାଙ୍ଗରେ ସପୁରୀ କେଇଟା । କଲମ୍ବସ୍ ଭାରତ ଆବିଷ୍କାର କରିବାକୁ ବାଉଳାରେ ଯେବେ ଆମେରିକାରେ ପହଞ୍ଚିଥିଲେ, ସେବେ ସେଇଠି ପ୍ରଥମ କରି ‘ସପୁରୀ’କୁ ଦେଖିଥିଲେ । ବ୍ରାଜିଲରେ ସପୁରୀକୁ ଅନାନା କୁହାଯାଏ । ଯେଉଁଥିରୁ ଅନାରସର ନାମକରଣ ହେଇଛି । ସପୁରୀ ସହ ପାଇନ୍ ଫୁଲର ସାମଞ୍ଜସ୍ୟ ରହିଛି । ସେଥିପାଇଁ ତା’ ନାମ ହୁଏତ ପାଇନାପଲ ରଖାଯାଇଥିଲା ।

‘ସପେଟା’ ବିଦେଶୀ ବୋଲି ବିଶ୍ୱାସ କରି ହେଉନି । ନାଗପୁର କମଳା ପାଇଁ ପ୍ରସିଦ୍ଧ ହେଲାପରି ମହାରାଷ୍ଟ୍ରର ବୋର୍ଦ୍ଧି ସପେଟା ଚାଷ ପାଇଁ ପ୍ରସିଦ୍ଧ । ଉନବିଂଶ ଶତାବ୍ଦୀରେ ଜଣେ ପାର୍ସୀ କପଡ଼ା ବ୍ୟବସାୟୀ ବିଦେଶରୁ ସପେଟା ମଞ୍ଜି ଆଣି ବମ୍ବେର ନିଜ ବାଡ଼ିରେ ଲଗାଇଥିଲେ । ତାଙ୍କ ମ୍ୟାନେଜର୍ ସେଠୁ କିଛି ମଞ୍ଜି ନେଇ ବମ୍ବେରୁ ୧୩୦ କିଲୋମିଟର ଦୂର ବୋର୍ଦ୍ଦି ରେ ଲଗାଇଲେ । ସେଇଠୁ ସପେଟା ଧିରେ ଧିରେ ସାରା ଭାରତ ବ୍ୟାପିଛି । ତେବେ ଅନୁମାନ କରାଯାଏ, ସପେଟା ପ୍ରଥମେ ମଧ୍ୟ-ଆମେରିକା ଓ ଦକ୍ଷିଣ ମେକ୍ସିକୋରୁ ଅନ୍ୟ ଦେଶକୁ ଯାଇଛି ।

ଆଫ୍ରିକା ଓ ପଶ୍ଚିମ ଏସିଆରୁ ‘ଡାଳିମ୍ବ’ ଅନେକ ବର୍ଷ ତଳେ ଆସି ଭାରତରେ ପହଞ୍ଚିଥିଲା । ପ୍ରାଚୀନ ରୋମ୍ ଓ ଇଜିପ୍ଟରେ ଡାଳିମ୍ବର ବ୍ୟବହାର ହେଉଥିଲା । ଆଜିକାଲି ଡାଳ ସାଙ୍ଗରେ ସମାନ ଦରରେ ରାସ୍ତା କଡ଼ ଠେଲାରେ ବିକ୍ରୀ ହେଉଥିବା ଲିଚୁ ବି କେବେ ଗୋଟେ ଚୀନ୍ ରୁ ଭାରତ ଆସିଥିଲା । ଆନୁମାନିକ ଏ ସମୟ ଅଷ୍ଟାଦଶ ଶତାବ୍ଦୀର କଥା । ହଁ, ଡାଆଣୀ ଚିରୁଗୁଣୀ ରହୁଥିବା ବାଡ଼ି ପଟ ‘ତେନ୍ତୁଳୀ ଗଛ’ ବି ଆମର ନୁହେଁ । ଦକ୍ଷିଣ ଭାରତର ଚାରୁ ଓ ଓଡ଼ିଆ ସଜପଖାଳ ସାଙ୍ଗରେ ତେନ୍ତୁଳୀର ଗହିରୀଆ ସମ୍ପର୍କ ରହିଛି । ତେନ୍ତୁଳୀ ହେଲା ଆଫ୍ରିକାର ମୂଳ ବାସିନ୍ଦା ।

ଖରାଦିନେ ‘ତରଭୁଜ’ ଆଜିକାଲି ସହର ଠାରୁ ଗାଁ ସବୁଠି ଯାହାକୁ ଯେତେ । ରାସ୍ତା କଡ଼ରେ ପାହାଡ଼ ପ୍ରମାଣେ ଗଦା ହେଉଛି । ଅନୁମାନ କରାଯାଏ ତରଭୁଜ ଲିବିଆ ଓ ମିଶର୍ ଆଦି ଦେଶରେ ଅନେକ ବର୍ଷ ତଳେ ଚାଷ ହେଇଛି । ସପ୍ତମ ଶତାବ୍ଦୀରେ ତରଭୁଜ ଭାରତ ଆସିଛି ଓ ଦଶମ ଶତାବ୍ଦୀରେ ଚୀନ୍ ଯାଇଛି । ଆଜି ଚୀନ୍ ହିଁ ପୃଥିବୀର ସବୁଠାରୁ ଅଧିକ ତରଭୁଜ ଉତ୍ପାଦନ କରୁଥିବା ଦେଶ ।

ଏମିତି ନୁହେଁ ଯେ ଆମର ନିଜର କିଛି ଫଳ ନାହିଁ । ଅନ୍ୟ ଅନେକ ଦେଶ ‘କଦଳୀ’କୁ ତାଙ୍କର ବୋଲି ଦାବି କଲେ ମଧ୍ୟ ପ୍ରକୃତରେ କଦଳୀର ଏନ୍ତୁଡିଶାଳ ହେଲା ଭାରତ । ଆଲେକଜାଣ୍ଡର ଖ୍ରୀ.ପୂ. ୩୨୬ରେ ଭାରତ ଆସିଥିବା ବେଳେ ପ୍ରଥମ କରି କଦଳୀ ଦେଖିଥିଲେ । ଆମର ଅନେକ ଫଳ ଆମେରିକାରୁ ୟୁରୋପ ଓ ସେଠୁ ଆଫ୍ରିକା ହେଇ ଭାରତ ଆସିଛନ୍ତି । କିନ୍ତୁ କଦଳୀ ଓଲଟା ରାସ୍ତାରେ ଯାଇଛି । କଦଳୀ ଭାରତରୁ ପ୍ରଥମେ ଆଫ୍ରିକା ଓ ମିଡିଲ୍ ଇଷ୍ଟ ଯାଇଛି, ସେଇଠୁ ୟୁରୋପ ଯାଇଛି ତା’ପରେ ଯାଇଛି ଉତ୍ତର ଆମେରିକା କୁ । ଆମେରିକାରୁ ତା’ପରେ କଦଳୀ ବ୍ରାଜିଲ ଭ୍ରମଣ କରିଛି । କଦଳୀ ଗଛକୁ ନେଇ ଓଡ଼ିଆରେ ଗୋଟେ ପହେଳି ଅଛି -

“କଟକରୁ ଆଇଲା
ଡେଙ୍ଗେଇ ଘୋଡ଼ି ଏକା
ଭିଆଣକେ ହୋଇଲା ବୁଢ଼ୀ”

ଫଳମାନଙ୍କ ଭିତରେ ରାଜା କୁହାଯାଉଥିବା ‘ଆମ୍ବ’ର ଘର ଆମ ଭାରତ । ଭାରତରେ ପ୍ରାୟ ପନ୍ଦର ଶହ ପ୍ରଜାତିର ଆମ୍ବ ମିଳେ । ଆଜି କାଲି କମିଗଲେ ମଧ୍ୟ ଅତୀତରେ ଆମ ଗାଁ ଗହଳରେ ଆମ୍ବ ତୋଟା ଗ୍ରାମ ଭୂଦୃଶ୍ୟର ଏକ ବିଶେଷ ଅଂଗ ଥିଲା । ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ଆମ୍ବ ସମ୍ପର୍କରେ ଉଲ୍ଲେଖ ରହିଛି । ସଂସ୍କୃତରେ ଆମ୍ବକୁ ଆମ୍ର କୁହାଯାଏ । ବୈଦିକ ସାହିତ୍ୟରେ ଆମ୍ବକୁ ରସାଳ ଓ ଆମ୍ବ ଗଛକୁ ସହକାର କୁହାଯାଇଛି । ଆମ୍ବ ଉତ୍ତର ଭାରତରୁ ଦକ୍ଷିଣ ଭାରତକୁ ଯାଇଛି । ଚୀନ୍ ପରିବ୍ରାଜକ ହୁଏନ୍ ସାଂ ମୌର୍ଯ୍ୟ ରାଜାମାନେ ରାସ୍ତା କଡ଼ରେ ଆମ୍ବ ଗଛ ଲଗାଉ ଥିଲେ ବୋଲି ଲେଖିଛନ୍ତି । ଅନୁମାନ କରାଯାଏ ପ୍ରାୟ ଚାରି ହଜାର ବର୍ଷତଳୁ ଆମେ ଭାରତୀୟମାନେ ଆମ୍ବ ଖାଇଲେଣି । ଯଦିଓ ଆମ୍ବ ଓ ଆମ୍ବ ଗଛ ତା’ର ଢେର ଢେର ଆଗରୁ ଭାରତରେ ଅଛି । ଆମ୍ବ ପତ୍ରକୁ ଶୁଭ ବୋଲି ଗ୍ରହଣ କରାଯାଏ ଓ ଦେବା ଦେବୀଙ୍କ ପୂଜାରେ ବ୍ୟବହାର କରାଯାଏ । ମୋଗଲମାନେ ଭାରତ ଆସିଲା ପରେ ଆମ୍ବ ବିଷୟରେ ଜାଣିଛନ୍ତି ଓ ସମ୍ରାଟ ଆକବରଙ୍କର ଅତି ପ୍ରିୟ ଫଳ ଥିଲା ଆମ୍ବ । ସେଥିପାଇଁ ସେ ଲକ୍ଷେ ଆମ୍ବ ଗଛ ମଧ୍ୟ ଲଗାଇଥିଲେ ବୋଲି କୁହାଯାଏ । ଆଜି ସମଗ୍ର ବିଶ୍ୱରେ ଯେତେ ଆମ୍ବ ଉତ୍ପାଦନ ହୁଏ ତା’ର ପାଖାପାଖି ଅଧା ଆମ୍ବ କେବଳ ଭାରତରେ ହିଁ ଫଳେ । ହଁ ଆମ୍ବ ଆମର ଜାତୀୟ ଫଳ । ବାଂଲାଦେଶର ଜାତୀୟ ଗଛ । ଆମ୍ବ ଉପସ୍ଥିତ ଲେଖକର ଅତୀବ ପ୍ରିୟ ଫଳ । ତେଣୁ ପ୍ରତି ଆମ୍ବ ମାସରେ ଅତି କମ୍ ରେ ଅଧା କୁଇଣ୍ଟାଲ୍ ରୁ ଅଧିକା ଆମ୍ବ ଉଦରସ୍ଥ ହେଇଥାଏ ।

ଆମ ନିଜର ଆଉ ଏକ ଫଳ ଅଛି, ‘ପଣସ’ । ବ୍ୟକ୍ତିଗତ ଭାବରେ ମୋତେ ପାଚିଲା ପଣସ ଠାରୁ କଷି ପଣସକଠାର ତରକାରୀ ଭଲ ଲାଗେ । ପାଚିଲା ପଣସର ଖୋଷା ଭିତରେ ଥିବା ପଣସ ମଞ୍ଜି ବି ମୋର ଅତି ପ୍ରିୟ । ବେସର ଦେଇ ପଣସ ମଞ୍ଜିର ଭଜା ଅତ୍ୟନ୍ତ ସ୍ୱାଦିଷ୍ଟ । ଉତ୍ତର ଭାରତର ଆମ୍ବ ପରି ପଣସର ଘର ଦକ୍ଷିଣ ଭାରତ । ଭାରତରେ ଆନୁମାନିକ ତିନି ହଜାରରୁ ଛଅ ହଜାର ବର୍ଷ ତଳୁ ପଣସ ଚାଷ କରାଗଲାଣି । ପଣସ ବାଂଲାଦେଶର ଜାତୀୟ ଫଳ । ଆମ ଦେଶର କେରଳ ଓ ତାମିଲନାଡୁ ରାଜ୍ୟର ରାଜ୍ୟ ଫଳ ହେଲା ପଣସ । ମହାଦେବ ଶିବଙ୍କର ପ୍ରିୟ ବେଲ ଗଛ ବି ଭାରତୀୟ । ବେଲ ଏକ ଚମତ୍କାର ଔଷଧିୟ ଗୁଣସମ୍ପନ୍ନ ସୁସ୍ୱାଦୁ ଫଳ ହେଲେ ମଧ୍ୟ କାହିଁକି କେଜାଣି ଫଳମାନଙ୍କ ତାଲିକା କଲାବେଳକୁ ପାସୋର ହେଇଯାଏ ।

ଫଳକୁ ନେଇ ଅନେକ ରାଜନୀତି ବି ରହିଛି । ମନେଥିବ କିଛିଦିନ ତଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ‘ଡ୍ରାଗନ୍ ଫ୍ରୁଟ’ର ନାମ ବଦଳେଇ କମଲମ୍ ରଖିଛନ୍ତି । ଡ୍ରାଗନ୍ ଶବ୍ଦ ଚୀନ୍ ସମ୍ପର୍କ ରଖିଥିବାରୁ ଏବଂ ଫଳର ରଙ୍ଗ ପିଙ୍କ୍ ହେଇଥିବାରୁ ଓ ଫଳ ଉପରେ ପାଖୁଡା ପରି ଥିବାରୁ ଏମିତି ନାମକରଣ । ଅବଶ୍ୟ ଆମେ ବିଦେଶୀ ଫଳମାନଙ୍କୁ ଦେଶୀ ନାମକରଣ ଆଗରୁ ବି କରିଛେ । ଆଜିର ସୀତାଫଳ, ରାମଫଳ, ଅମୃଦ ଓ ଅମରଫଲି ସବୁ ଏକଦା ବିଦେଶରୁ ଆସିଥିଲା । ଡ୍ରାଗନ୍ ଫ୍ରୁଟ୍ ହେଲା ଏକ ପ୍ରକାର କ୍ୟାକଟସ୍ ଜାତୀୟ ଗଛର ଫଳ । ଆଗରୁ ଭାରତ ଏହାକୁ ଭିଏତନାମରୁ ଆମଦାନୀ କରୁଥିଲା । ଏବେ କିନ୍ତୁ ମହାରାଷ୍ଟ୍ର, ତ୍ରିପୁରା, ଓଡ଼ିଶା ଓ ଗୁଜରାଟରେ ଚାଷ ହେଲାଣି । ଭୁବନେଶ୍ୱରର ଫୁଟପାଥକୁ ଏଯାଏଁ ଆସିନଥିଲେ ମଧ୍ୟ ମଲ୍ ମାନଙ୍କରେ ଅନ୍ୟାନ୍ୟ ବିଦେଶୀ ଫଳମାନଙ୍କ ସହ ଏହା ମିଳୁଛି । ଏବେ ଏବେ ଖବର ବାହାରିଛି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଡ୍ରାଗନ୍ ଫ୍ରୁଟ ଓରଫ କମଲମ୍ ର ପରୀକ୍ଷାମୂଳକ ଚାଷ ପାଇଁ ସେଠାର ଜିଲ୍ଲାପାଳ ଅଣ୍ଟା ଭିଡିଛନ୍ତି । ଚଳିତ ବର୍ଷ ସେଠାରେ ରେକର୍ଡ ପରିମାଣର ଆମ୍ବ ଓ ପଣସ ଉତ୍ପାଦନ ହେଇଛି । ନିୟମଗିରି ଅଞ୍ଚଳରେ ପ୍ରବଳ ପଣସ ଓ ସପୁରୀ ଉପତ୍ପାଦନ ହୁଏ । ବିଷମକଟକ ରେଳଷ୍ଟେସନରୁ ବଗି ଭର୍ତ୍ତି ହେଇ ବାହାରକୁ ଯାଏ ।

ହିସାବରୁ ଜଣାଯାଏ, ସମଗ୍ର ପୃଥିବୀରେ ଯେତେ ଫଳ ଉତ୍ପାଦନ ହୁଏ ତା’ର ୧୫ ପ୍ରତିଶତ ଫଳ ଭାରତ ଉପତ୍ପାଦନ କରେ । କିନ୍ତୁ ବିଦେଶକୁ ରପ୍ତାନୀ ହିସାବରେ ଭାରତର ଭାଗ ମାତ୍ର ୧.୭ ପ୍ରତିଶତ । ବିଦେଶକୁ ଭାରତ ଏତେ କମ୍ ଫଳ ରପ୍ତାନୀର କାରଣ ଆମର କମ୍ ଫଳ ଉତ୍ପାଦନ ହେଇଛି ନୁହେଁ । କଥା ହେଲା ଆମେ ବିଭିନ୍ନ କାରଣରୁ ରପ୍ତାନୀ କରିପାରୁନେ । ଯେଉଁଠି ଯେଉଁ ଫଳ ଅଧିକ ଉତ୍ପାଦନ ହେଉଛି, ସେଠି ଶୀତଳଭଣ୍ଡାର ବ୍ୟବସ୍ଥା ଓ ଫୁଡ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନ ହେବାର ଆବଶ୍ୟକତା ରହିଛି ।

ହଁ, ଫଳର ଏତେ ହିସାବ ପରେ ଆଉ ଗୋଟେ ହିସାବ ଆପଣଙ୍କୁ ଦେବାର ଅଛି । ‘ଆଦାନୀ ଏଗ୍ରି ଫ୍ରେସ୍ ଲିମିଟେଡ’ ନାମରେ ଗୋଟେ କମ୍ପାନୀ ଅଛି । ଯିଏକି ପିଅର, କିୱି, ଅରେଞ୍ଜ ଓ ଅଙ୍ଗୁର ଆଦି ଅନେକ ଭଲ କିସମର ଫଳ ବିଦେଶରୁ ଆମଦାନୀ କରେ । ଆମ ଦେଶର ହିମାଚଳ ପ୍ରଦେଶରେ ଉତ୍ପାଦନ ହେଉଥିବା ସେଓକୁ ସାଇତିବା ଓ ବିଭିନ୍ନ ଆଡ଼କୁ ପଠାଇବାର ଏକଚାଟିଆ ବ୍ୟବସ୍ଥା ବି କରେ । ଆଦାନୀ ଭାରତୀୟ ଫଳକୁ ‘ଫାର୍ମ ପିକ୍’ ନାମକ କମ୍ପାନୀ ଦ୍ୱାରା ନିୟନ୍ତ୍ରଣ କରେ । ଏଉଠୁ ବୁଝିବାକୁ ହେବ ଆଜି ବିଦେଶରୁ ଆମଦାନୀ ହେଉଥିବା ଓ ଭାରତରେ ଉତ୍ପାଦନ ହେଉଥିବା ଫଳ ବଜାର କାହା ନିୟନ୍ତ୍ରଣରେ ।