ବାପା ଏକ ସମ୍ବୋଧନ ନୁହେଁ, ଏହା ହେଉଛି ବିଶ୍ବାସ ଆଉ ଦମ୍ଭର ପ୍ରତୀକ । ପ୍ରତ୍ୟକ ସନ୍ତାନର ପ୍ରଥମ ହିରୋ ହେଉଛନ୍ତି ତା ବାପା ବା ପିତା । ଯିଏ ଆକାଶ ଠାରୁ ବି ବିଶାଳ । ସେଥିପାଇଁ ତ କୁହାଯାଏ - ‘ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମ ତପ ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବ ଦେବତା' । ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ୧୯୧୦ ମସିହା ଜୁନ ୧୯ ତାରିଖ ଦିନ ପ୍ରଥମେ ପିତୃ ଦିବସ ପାଳନ କରାଯାଇଥିଲା । ପିତା ଓ ସନ୍ତାନଙ୍କ ସମ୍ପର୍କ ସବୁଠୁ ପବିତ୍ର । ପିତା ହେଉଛି ବିଶ୍ବାସ ଓ ଭରସାର ପ୍ରତୀକ । ଯାହାଙ୍କ ହାତ ରହିଲେ ଦୁନିଆର ସବୁ ବିପତ୍ତି ଦୂରେଇ ଯାଏ । ଆଜି ଭାରତ ବ୍ୟତୀତ ବିଭିନ୍ନ ଦେଶରେ ପିତୃ ଦିବସ ପାଳନ କରଯାଉଛି । ୧୦ ମାସ ୧୦ ଦିନ ଗର୍ଭରେ ଧରି ମା’ ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାର ସ୍ତୋତ୍ର, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ସର୍ବଦା ସନ୍ତାନର ଛାଇ ହୋଇ ରହିଥାନ୍ତି ପିତା । ଉପରେ ଯେତେ କଠୋର ହେଲେ ମଧ୍ୟ ତାଙ୍କ ହୃଦୟରେ ସନ୍ତାନ ପାଇଁ ରହିଥାଏ ପ୍ରଚୁର ପ୍ରେମ । ପିତାଙ୍କ ସମ୍ମାନ ପାଇଁ ଗୋଟିଏ ଦିବସ ନୁହେଁ ବରଂ ସବୁଦିନ ହେଉଛି ପିତାଙ୍କ ଦିବସ । ଆଜି ପିତୃ ଦିବସ ଅବସରରେ ସମସ୍ତ ପିତାମାନଙ୍କୁ ଶୁଭେଛା ଓ ଶୁଭକାମନା । ପିତୃ ଦିବସ ଉପଲକ୍ଷେ ଆମର ଏଇ ସ୍ଵତନ୍ତ୍ର ପ୍ରତିବେଦନ ।

ବଲିଉଡ ଫିଲ୍ମରେ ସବୁ ସମ୍ପର୍କକୁ ବେଶ୍ ନିଖୁଣ ଭାବରେ ପରଦାରେ ଦେଖାଯାଇଥାଏ । ପିତାଙ୍କୁ ଆଧାର କରି ବଲିଉଡରେ ବହୁତ ଗୁଡିଏ ଫିଲ୍ମ କରାଯାଇଛି । ଆଜି ବି ସେଇ ଫିଲ୍ମଗୁଡିକ ଲୋକପ୍ରିୟ । ସେହିପରି ପିତା ଚରିତ୍ରରେ ଅଭିନୟ କରି ଅଭିନେତାମାନେ ବେଶ ଚର୍ଚ୍ଚିତ ହୋଇଛନ୍ତି । କେତେବେଳେ ସେ ରାଗୀ ପିତା ଭୂମିକାରେ ନଜର ଆସନ୍ତି ତ କେତେବେଳେ ଜଣେ ବନ୍ଧୁବତ୍ସଳ ପିତା ଭୂମିକାରେ । ସେହିପରି ପିତାଙ୍କୁ ନେଇ ସୃଷ୍ଟି କରାଯାଇଥିବା ଗୀତ ଓ ସଂଳାପ ବି ବେଶ ନିଆରା । ବଲିଉଡ୍‌ରେ ଆଦର୍ଶ ପିତା ଭୂମିକାରେ ଆଲୋକ ନାଥଙ୍କ ଅଭିନୟ ବେଶ୍ ଜୀବନ୍ତ । ଜଣେ ସଂସ୍କାରୀ ପିତା ଭୂମିକାରେ ତାଙ୍କ ଅଭିନୟ ବେଶ୍ ବଳିଷ୍ଠ । ତାଙ୍କ ଅଭିନୀତ ଫିଲ୍ମରେ ସେ ସର୍ବଦା ଆଦର୍ଶ ପିତା ଭୂମିକାରେ ନଜର ଆସିଛନ୍ତି । ‘ମୈନେ ପ୍ୟାର କିୟା’, ‘ହମ୍ ଆପକେ ହେ କୌନ୍‌’, ‘ହମ୍ ସାଥ୍ ସାଥ୍ ହୈ', ‘ବିବାହ' ପରି ଫିଲ୍ମରେ ସେ ପିତା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜୟ କରିଛନ୍ତି ।

ବଲିଉଡ୍‌ର ବ୍ୟାଡମ୍ୟାନ୍ ଅମ୍ରିଶ ପୁରୀଙ୍କୁ ପ୍ରାୟ ସବୁ ଫିଲ୍ମରେ ଜଣେ କଠୋର ପିତା ଭୂମିକାରେ ଦେଖାଯାଇଛି । ଲୋକପ୍ରିୟ ଫିଲ୍ମ "ଦିଲୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗ' ରେ ଅମ୍ରିଶ ପୁରୀ ଚୌଧୁରୀ ବଲଦେବ ସିଂହଙ୍କ ଚରିତ୍ରରେ ନଜର ଆସିଥିଲେ । ଦ ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଅମିତାଭ ବଚ୍ଚନ ମହୋବତେଁରେ ଜଣେ ଶକ୍ତ କଠୋର ପିତା ଭୂମିକାରେ ନଜର ଆସିଥିଲେ । ଅନ୍ୟ ଏକ ଲୋକପ୍ରିୟ ଫିଲ୍ମ ‘କଭି ଖୁସି କଭି ଗମ୍‌' ରେ ସେ ଜଣେ ଗମ୍ଭୀର ପିତା ଭୂମିକାରେ ନଜର ଆସିଥିଲେ । ‘ବାଗବାନ୍‌' ରେ ଅମିତାଭଙ୍କ ଅଭିନୀତ ପିତା ଚରିତ୍ରଟି ବେଶ୍ ବଳିଷ୍ଠ ରହିଥିଲା । ଏହି ଚରିତ୍ରରେ ଜଣେ ପିତାର ସନ୍ତାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଅନୁଶାସନକୁ ନିଖୁଣ ଭାବରେ ଫୁଟାଇଥିଲେ ଅମିତାଭ । ସେହିପରି ତାଙ୍କ ଅଭିନୀତ ‘ପିକୁ’, ‘ଏକ ରିସ୍ତା’ ରେ ପିତା ଚରିତ୍ରରେ ନଜର ଆସିଥିଲେ ।

ଫିଲ୍ମ ‘ମାସୁମ୍‌' ରେ ଡିକେ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ନାସିରୁଦ୍ଦିନ୍ ଶାହା । ଏହି ଫିଲ୍ମରେ ତାଙ୍କ ଚରିତ୍ରଟି ଆଇକନିକ୍ ଚରିତ୍ର ରୂପେ ଆଜି ବେଶ୍ ଜଣାଶୁଣା । ଅଭିନେତା ଅନୁପମ୍ ଖେର୍ ମଧ୍ୟ ବହୁ ଫିଲ୍ମରେ ପିତା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ସେ ପ୍ରାୟ ଫିଲ୍ମରେ ଫ୍ରେଣ୍ଡଲି ପାପା ଚରିତ୍ରରେ ନଜର ଆସିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ’ଦିଲ୍‌', ‘ଦିଲ୍‌ୱାଲେ ଦୁଲ୍‌ହନିଆଁ ଲେ ଜାଏଙ୍ଗେ', ‘କହୋ ନା ପ୍ୟାର୍ ହୈ', ‘ରଙ୍ଗ ଦେ ବସନ୍ତୀ', ‘କୁଚ୍ଛ କୁଚ୍ଛ ହୋତା ହୈ’, ‘ହମ୍ ଆପ୍‌କେ ହେ କୌନ’ ଆଦି ଅନ୍ୟତମ ।

ପରଦାରେ ପିତା ଚରିତ୍ରରେ କିଙ୍ଗ୍ ଖାନ୍ ମଧ୍ୟ ବେଶ୍ ଚର୍ଚ୍ଚିତ । ‘କୁଚ୍ଛ କୁଚ୍ଛ ହୋତା ହୈ 'ରେ ଶାହରୁଖ୍ ରାହୁଲ୍ ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଜଣେ ସିଙ୍ଗଲ୍ ଫାଦର୍ ଭୂମିକାରେ ନଜର ଆସି ଚର୍ଚ୍ଚାରେ ରହିଥିଲେ । ସେହିପରି ଅନିଲ୍ କପୁର୍ ମଧ୍ୟ ପରଦାରେ ଜଣେ ଉତ୍ତମ ପିତା ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି ।

ବଲିଉଡ୍ ପରଫେକ୍ସନିଷ୍ଟ ଆମୀର୍ ଖାନ୍ ପରଦାରେ ବହୁ ଫିଲ୍ମରେ ପିତା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ‘ଅକେଲେ ହମ୍ ଅକେଲେ ତୁମ୍‌’ ଫିଲ୍ମଟିରେ ବାପା-ପୁଅଙ୍କର ସମ୍ପର୍କକୁ ନିଖୁଣ ଭାବରେ ପରଦା ଉପରେ ଦର୍ଶାଯାଇଛି । ଏଥିରେ ଆମୀର୍ ଜଣେ ସିଙ୍ଗଲ୍ ଫାଦର୍ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସୋନୁ ଭୂମିକାରେ ଆଦିଲ୍ ରିଜ୍‌ଭି ଅଭିନୟ କରିଥିଲେ । ଏହି ବାପ - ପୁଅଙ୍କର ଅଭିନୟ ଦର୍ଶକଙ୍କୁ ବେଶ ଅଭିଭୂତ କରିଥିଲା । ଏହି ଫିଲ୍ମର ‘ଅକେଲେ ହମ୍ ଅକେଲେ ତୁମ୍‌....' ଗୀତଟି ବେଶ୍ ଲୋକପ୍ରିୟ ।

ଅଜୟ ଦେବଗନ୍‌ଙ୍କ ‘ମେ ଐସା ହି ହୁଁ' ରେ ‘ପାପା ମେରେ ପାପା’’ ଆଜିବି ବହୁତ ଲୋକପ୍ରିୟ । ଏହି ଫିଲ୍ମରେ ଅଜୟ ଏକ ଜଣେ ଅଟିଷ୍ଟିକ୍ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିଲେ । ନିଜ ଝିଅର କଷ୍ଟଡି ପାଇଁ ଜଣେ ବାପାର ସଂଘର୍ଷକୁ ଏହି ଫିଲ୍ମରେ ଦୃଶ୍ୟାୟିତ କରାଯାଇଥିଲା । ସେହିପରି ଆମୀର୍ ଖାନ୍‌ଙ୍କ ସୁପରହିଟ୍ ଫିଲ୍ମ ‘ଦଙ୍ଗଲ’ ରେ ସନ୍ତାନ ଓ ପିତାର ସମ୍ପର୍କକୁ ଏକ ନିଆରା ଢଙ୍ଗରେ ଉପସ୍ଥାପନକରାଯାଇଥିଲା । ଏହି ଫିଲ୍ମରେଜ ଣେ ବାପା କିପରି ଜଣେ ସନ୍ତାନର ପିତା ହେବା ସହିତ ଗୁରୁ ଓ ସାଙ୍ଗ ହୋଇପାରୁଛନ୍ତି ତାହାକୁ ଦର୍ଶାଯାଇଥିଲା । ଏହି ଫିଲ୍ମରେ ଥିବା ‘ହାନିକାରକ୍ ବାପୁ’ ଗୀତଟି ଆଜି ବି ଲୋକପ୍ରିୟ ରହିଛି । କେବଳ ଗୀତ କି ଅଭିନୟ ଜରିଆରେ ନୁହେଁ ଅନେକ ବଲିଉଡ୍ ଫିଲ୍ମର ଦମଦାର୍ ସଂଳାପ ବାପାଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି ।

ବଲିଉଡ୍‌ର ଏପରି ଅନେକ ଫିଲ୍ମ ଅଛି, ଯେଉଁଥିରେ ପିତାକୁ ନେଇ ଅନେକ ଦମଦାର୍ ସଂଳାପ ରହିଛି । ଏହି ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି । ଏହି ଫିଲ୍ମ ମଧ୍ୟରେ ସର୍ବାଗେ ରହିଛି ବଲିଉଡ୍‌ର ମିଲେନିୟମ୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଶେହେନ୍‌ଶାହ' ର ଲୋକପ୍ରିୟ ସଂଳାପ ‘ରିସ୍ତେ ମେ ତୋ ହମ୍ ତୁମ୍‌ହାରେ ବାପ୍ ଲଗତେ ହୈ…’ ।

ସେହିପରି ୨୦୦୧ ମସିହାରେ ରିଲିଜ୍ ହୋଇଥିବା ‘ଗଦ୍ଦର - ଏକ ପ୍ରେମ କଥା' ର ଅଭିନେତା ସନ୍ନି ଦେଓଲଙ୍କ ଦମଦାର୍ ସଂଳାପ ହେଉଛି - ‘ବାପ୍ ବାପ୍ ହୋତା ହୈ, ବେଟା ବେଟା’ ।

ସେହିପରି ଅନ୍ୟତମ ସୁପରହିଟ୍ ଫିଲ୍ମ ‘ପିକେ’ ରେ ଅନୁଷ୍କାଙ୍କ ଲୋକପ୍ରିୟ ସଂଳାପ - ‘ମୈ ଦିଖତୀ ହୁଁ ମାଆ ଜୈସି ସବ୍ କହତେ ହୈ, ସବ୍ କହତେ ହୈ ସଚ୍ କହତେ ହୈ... ପର ମୈ ହୁଁ ଅପନେ ପାପା କି ବେଟି’.. ଆଦି ଆଜି ବି ଦର୍ଶକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରେ ।

୨୦୧୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ରାଞ୍ଝନା’ ରେ ଅଭିନେତା ଧନୁଷଙ୍କ ସଂଳାପ - ‘ସରି ତୋ ମୈନେ ଅପ୍‌ନେ ବାପ ତକ କୋ ନହିଁ ବୋଲା ଜବ ମେରୀ ଗଲ୍‌ତି ଥି, ଅବ ତୋ ନା ମେରୀ ଗଲ୍‌ତି ହେ ଔର ନା ଆପ ମେରେ ବାପ୍ ହୋ’ ଆଜି ବି ଚର୍ଚ୍ଚାରେ ରହିଛି ।

ସେହିପରି ୨୦୦୯ ମସିହାର ସୁପରହିଟ୍ ଫିଲ୍ମ ‘ଥ୍ରୀ ଇଡିଅଟସ୍‌’' ର ଏକ ଲୋକପ୍ରିୟ ସଂଳାପ ହେଉଛି - ‘ଏଗଜାମ୍ ତୋ ବହୁତ୍ ହୋତେ ହୈ, ବାପ ମୋଷ୍ଟଲି ଏକ ହି ହୋତା ହୈ’ ।

ସେହିପରି ୨୦୧୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ "ଆଇଶା’ 'ର ସୋନମ୍ କପୁର୍‌ଙ୍କ ଲୋକପ୍ରିୟ ସଂଳାପ ଥିଲା - ‘ମେ ଅପ୍‌ନେ ପାପା କା ଇକ୍‌ଲୋତା ମିଷ୍ଟେକ୍ ହୁଁ’ ।

୧୯୮୨ରେ ରିଲିଜି୍ ହୋଇଥିବା "ସତ୍ତେ ପେ ସତ୍ତା’ 'ର ଏକ ସଂଳାପ ଆଜି ବି ଦର୍ଶକଙ୍କ ମନରେ ଶିହରଣ ସୃଷ୍ଟି କରେ, ତାହା ହେଉଛି ଅମିତାଭ ବଚ୍ଚନଙ୍କ ଦମଦାର୍ ସଂଳାପ - ‘ଅଗର୍ ମା' କି ମମତା ହୋ ସକତୀ ହୈ ତୋ କ୍ୟା ବାପ୍ କୀ ବାପ୍‌ତା ନହିଁ ହୋ ସକତୀ’ ।

ସେହିପରି ୨୦୦୭ ମସିହାରେ ରିଲିଜ୍ ହୋଇଥିବା କମେଡ଼ି ଫିଲ୍ମ "ଧମାଲ୍‌’’ ର ଲୋକପ୍ରିୟ ସଂଳାପ - ‘ହର୍ ବାପ୍ କା ଏକ ବାପ୍ ହୋତା ହୈ ଔର ଉସେ ହମ୍ ଦାଦାଜୀ କହତେ ହୈ’ ।

ଲୋକପ୍ରିୟ ଗୀତ ମଧ୍ୟରେ ଫିଲ୍ମ ‘କୟାମତ ସେ କୟାମତ ତକ’ ର ‘ପାପା କେହେତେ ହେଁ ବଡା ନାମ କରେଗା .....’ ଗୀତ ଟି ଆଜି ବି ବେଶ ଲୋକପ୍ରିୟ । ଏହି ଗୀତଟିକୁ ଉଦିତ ନାରାୟଣ ଗାଇଥିବାବେଳେ ଏଥିରେ ଅଭିନୟ କରିଥିଲେ ଆମୀର ଖାନ୍ । ଏହି ଗୀତ ଜରିଆରେ ପିତାଙ୍କ ପ୍ରେମ ଓ ସମର୍ପଣକୁ ସୁନ୍ଦର ଭାବରେ ଦର୍ଶାଯାଇଛି ।

ସେହିପରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନେତା ଦେବୁ ବୋଷ ପ୍ରାୟ ସବୁ ଫିଲ୍ମରେ ବାପା ଚରିତ୍ର ରେ ନଜର ଆସିଛନ୍ତି । ଜଣେ ଆଦର୍ଶ ପିତା ଭୂମିକାରେ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି । ବାପାଙ୍କ ଭୂମିକାକୁ ବେଶ ନିଖୁଣ ଭାବରେ ଫୁଟାଇଛନ୍ତି ଦିବଙ୍ଗତ ଅଭିନେତା ବିଜୟ ମହାନ୍ତି । ସେ ତାଙ୍କ ଚରିତ୍ରରେ ଆଦର୍ଶ ପିତା ଭୂମିକାରେ ନଜର ଆସିଛନ୍ତି । ‘କି ହେବ ଶୁଆ ପୋସିଲେ’ ଚଳଚ୍ଚିତ୍ରରେ ସେ ଜଣେ ଆଦର୍ଶ ଚରିତ୍ରରେ ନଜର ଆସିଛନ୍ତି । ସେହିପରି ତାଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମଣରେଖା, ‘ଲକ୍ଷ୍ମୀପ୍ରତିମା’, ‘ସୁନାପଞ୍ଜୁରି’, ‘ମୋ କୋଳ ତୋ ଝୁଲଣା’, ‘କୁଳନନ୍ଦନ’, ‘ଭୀଷ୍ମ ପ୍ରତିଜ୍ଞା’ ଆଦି ଅନ୍ୟତମ । ସେହିପରି ଅଭିନେତା ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅଜିତ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ରବି ମିଶ୍ର ପ୍ରମୁଖ ପରଦାରେ ପିତା ଭୂମିକାରେ ବଳିଷ୍ଠ ଅଭିନୟ କରିଛନ୍ତି ।