ଫଟୋ - କେହିଜଣେ ରିକ୍ସାବାଲା, ୱିକି କମନ୍ସ

ଆପଣଙ୍କୁ ଯଦି ମୁଁ ପଚାରେ ଭଜନି ଖଟେଇ କିଏ ଏବଂ ଆପଣଙ୍କ ପାଖରୁ ଉତ୍ତର ପାଇବା ପାଇଁ ଅପେକ୍ଷା କରିରହେ, ତାହେଲେ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ମତେ ? ହୁଏତ ଆପଣ ସାଙ୍ଗେସାଙ୍ଗେ କହିଦେଇପାରନ୍ତି ଭଜନି ଖଟେଇ କିଏ ବୋଲି । ହୁଏତ ଆପଣ ତାକୁ ଜାଣିଥାଇପାରନ୍ତି । ମୁଁ କିନ୍ତୁ ଭଜନିକୁ ଜାଣିନଥିଲି, ଜାଣିଲି ଏଇ ଅଳ୍ପଦିନ ତଳେ ।

ଭଜନି ଖଟେଇ ହଉଚି "କଟକର ଜଣେ ଅଜଣା ଅଶୁଣା ରିକ୍ସାବାଲା" । ଏ ପରିଚୟ ଅବଶ୍ୟ ମୁଁ ଦଉନି, ଦେଇଚନ୍ତି କବି ସଚ୍ଚି ରାଉତରାୟ, ତାଙ୍କ 'କବିତା ୧୯୬୯' ବହିରେ । ବହିଟି ସେ ସମର୍ପିତ କରିଚନ୍ତି ଭଜନି ଖଟେଇକୁ, "ଶ୍ରଦ୍ଧାର ଚିହ୍ନ ସ୍ବରୂପ" । ବର୍ତ୍ତମାନ ଅନେକ ପ୍ରଶ୍ନ ଉପୁଜିପାରେ । ଭଜନି ଖଟେଇ ନାଁରେ କଣ ସତରେ ଜଣେ ରିକ୍ସାବାଲା ଥିଲା ? ଯଦି ଥିଲା, ୧୯୭୦ ମସିହାରେ ସିନା ବହିଟି ବାହାରିଲା ବେଳେ ସଚ୍ଚିବାବୁ ତାକୁ ସମର୍ପିତ କଲେ, ହେଲେ ସିଏ କଣ ଆଜିଯାଏଁ ଦୁନିଆରେ ଥିବ ଆଉ ? ଅବଶ୍ୟ ଆପଣ ଏ ଧରଣର ପ୍ରଶ୍ନସବୁକୁ ଅବାନ୍ତର ବା ପିଲାଳିଆ ବୋଲି ବି ଭାବିପାରନ୍ତି । ଆପଣ କହିପାରନ୍ତି, 'ଭଜନି ଖଟେଇ ଖାଲି ଗୋଟେ ପ୍ରତୀକ' ହେଇପାରେ । ଭଜନି ଖଟେଇ ପ୍ରକୃତରେ କିଏ ବା ସେ ବର୍ତ୍ତମାନ କୋଉଠି ଅଛି - ଏ ଧରଣର ଅନୁସନ୍ଧାନ - ସାପେକ୍ଷ ପ୍ରଶ୍ନର ଉତ୍ତର ଦେଲା ଭଳି ସାମର୍ଥ୍ୟ ହୁଏତ ଏ ବିଚରା ଲେଖାଟିର ନାହିଁ ।

ସେ ଯାହା ହଉ, ଭଜନି ଖଟେଇର ପରିଚୟଟି ଆଉଥରେ ଦେଖନ୍ତୁ । "କଟକର ଜଣେ ଅଜଣା ଅଶୁଣା ରିକ୍ସାବାଲା" । ରିକ୍ସାବାଲାମାନେ ସେମିତି ବି ପ୍ରାୟ ଅଜଣା ଓ ଅଶୁଣା ହିଁ । ଆଜିକାଲି ଅବଶ୍ୟ କଟକରେ ବି ରିକ୍ସା ସଂଖ୍ୟା ଖୁବ କମିଗଲାଣି (ୟାକୁ ନେଇ ଝୁରିହବାରେ ମୋର କିଛି ଆଗ୍ରହ ନାହିଁ), ତେବେ ରିକ୍ସାବାଲାକୁ ଡାକିଲା ବେଳେ ଆପଣ ପ୍ରାୟ 'ଏ ରିକ୍ସା!' କି ସେଇମିତି କିଛି ହିଁ ଉଚ୍ଚାରଣ କରୁଥିବେ । ଏଣୁ ଆପଣମାନଙ୍କ ଭିତରୁ ଯଦି କିଏ କେବେ କଟକ ଆସି ରିକ୍ସାରେ ବସିଥିବେ, ହେଇପାରେ ଭଜନି ଖଟେଇ ନିଜେ ଆପଣଙ୍କ ସାରଥୀ ସାଜିଥିବ! ମହାକବି ସଚ୍ଚି ରାଉତରାୟଙ୍କ ବହି ସମର୍ପିତ ହେଇଚି ଯୋଉ ଭଜନି ଖଟେଇକୁ, ସେ ନିଜେ ! ଅଥଚ ଆପଣ ଜାଣିପାରିନଥିବେ । ହେଇପାରେ ବାଦାମବାଡ଼ିରେ ବସ୍ ରୁ ଓହ୍ଲେଇ ଆପଣ 'ରାଣୀହାଟ ଯିବୁ ?' ବୋଲି ଭଜନି ଖଟେଇକୁ ହିଁ ପଚାରିଥିବେ କେବେ ଦିନେ ! କେବେ ଦିନେ ଆପଣ ହିଁ ବଢ଼େଇଦେଇଥିବେ ଭଜନି ଖଟେଇକୁ ତା'ର ସେଦିନର ଉପରଓଳିର ବଇନି ପଇସା, ଅବଶ୍ୟ ମୂଲଚାଲ କଲା ପରେ ।

ମୋ କଥା ହୁଏତ ଆପଣଙ୍କୁ ଭଲ ଲାଗୁନଥାଇପାରେ (ହୁଏତ ଲାଗୁଥାଇ ବି ପାରେ) ! ବିଶ୍ବାସ କରନ୍ତୁ, ଏ ଲେଖା ମାଧ୍ୟମରେ ଆପଣଙ୍କୁ, ସଚ୍ଚିବାବୁଙ୍କୁ କିମ୍ବା ଭଜନି ଖଟେଇକୁ ଅସମ୍ମାନ କରିବାର ଉଦ୍ଦେଶ୍ୟ ମୋର ଆଦୌ ନାହିଁ । ଆସନ୍ତୁ ପୁଣି ଫେରିବା 'କବିତା ୧୯୬୯'ର ଉତ୍ସର୍ଗପତ୍ରକୁ । ଅତି ସୁନ୍ଦର ଏବଂ ସରଳ ଗଦ୍ୟରେ ସଚ୍ଚିବାବୁ କହିଚନ୍ତି ସାମୁଏଲ ବେକେଟଙ୍କ 'Waiting for Godot'ର ନାୟକଦ୍ବୟଙ୍କ ଭଳି ଭଜନିକୁ ଅନନ୍ତକାଳ ଯାଏଁ ଅପେକ୍ଷା କରିବାକୁ ହୁଏନାଇଁ, ଆରୋହୀ ମିଳିଯାନ୍ତି ଖୁବ୍ ଶୀଘ୍ର ତାକୁ । ପୁଣି କହିଚନ୍ତି,

"ବେଳେବେଳେ ସେ ବାହାଘର ସଲଟଣରେ ଲାଇଟ୍ ମୁଂଡାଏ । ସଭା, ପଟୁଆରରେ ଭିଡ଼ିଯାଇ 'ଜିଂଦାବାଦ୍' କିଂବା 'ଧ୍ୱଂସ ହେଉ' ଧ୍ୱନି କରେ । କେବେ କେବେ ପୁଣି ନିକମା ହୋଇ ପଡ଼ୋଶୀ ରାମଡୁର ଝିଅକୁ ଧରି ମାଟିନି ଶୋ'ରେ ସିନେମା ଦେଖିଯାଏ । କି ବହି ହେଉଥିଲା ପଚାରିଲେ, ହେଁ ହେଁ ହୋଇ ହସେ । ସେ କିଛି ନା କିଛି କରେ" ।

ଏତକ ବର୍ଣ୍ଣନା ପରେ ବି ଭଜନି ଆପଣଙ୍କ ପାଇଁ (ମୋ ପାଇଁ ବି) ଯୋଉ ଅଜଣା - ଅଶୁଣାକୁ ସେଇ ଅଜଣା - ଅଶୁଣା ! ତେବେ ଶେଷ ଧାଡ଼ିଟି ଲକ୍ଷ୍ୟ କରନ୍ତୁ ଏ ଉଦ୍ଧୃତିର । ଭଜନି "କିଛି ନା କିଛି କରେ" । ପ୍ରଶ୍ନ ହେଲା, ଏ 'କିଛି ନା କିଛି କରିବା' ଭିତରେ କବିତା ପଢ଼ିବା/ଶୁଣିବା/ଲେଖିବା ଇତ୍ୟାଦି ଥାଏ କି ? ସଚ୍ଚିବାବୁ ଅବଶ୍ୟ ଲେଖିଚନ୍ତି, ଭଜନି "ଅଂଧାର ନିବୁଜ ଘରେ ଶୋଇ କିଛି କିଛି ସ୍ୱପ୍ନ ବି ଦେଖେ ।" ତେବେ କଣ ଥାଏ ଏ ସ୍ୱପ୍ନ ସବୁରେ ? କବିତା ଥାଏ କି ?

ଅବଶ୍ୟ ଗୋଟେ "ଅଜଣା-ଅଶୁଣା" ଲୋକ ଯିଏ ମୂଳରୁ ଥିଲା/ଅଛି କି ନା ଜଣାନାହିଁ, ତା ସ୍ୱପ୍ନ ବିଷୟରେ ଆମେ କେମିତି ବା କହିପାରିବା ! ତେବେ ଧରନ୍ତୁ, ଭଜନି ଖଟେଇ ନାଁରେ ଗୋଟେ ରିକ୍ସାବାଲା ସତରେ ଅଛି । ଆଜି ବି ଅଛି । ଏବଂ ଧରିନିଅନ୍ତୁ, ବର୍ତ୍ତମାନ ଏ ଭୟଙ୍କର ମହାମାରୀ କି ଲକଡାଉନ ଇତ୍ୟାଦି କିଛି ନାହିଁ । ଭୁବନେଶ୍ୱର ବା କଟକର କୋଉ ଗୋଟେ ହୋଟେଲରେ ହଉଚି ସାହିତ୍ୟ ସଭାଟେ । ସେଠି କବିତା ଉପରେ ଭାଷଣ ଦଉଚନ୍ତି ପ୍ରଖ୍ୟାତ କବି ଓ ଚିନ୍ତକ ଜଣେ, ପରେ ପରେ କବିତା ପଢ଼ିବେ ବୋଲି ଶ୍ରୋତା ହୋଇ ବସି ରହିଚନ୍ତି ତରୁଣ/ତରୁଣୀ କବିମାନେ । ଭଜନି ଖଟେଇ ଆସି ପହଞ୍ଚିବ ସେ ହୋଟେଲ ବାହାରେ । ରିକ୍ସା କୋଉଠି ରଖିବ ସେକଥାକୁ ନେଇ ତାକୁ ଧନ୍ଦିହବାକୁ ପଡ଼ିପାରେ ହୁଏତ । ଦରୱାନ ହୁଏତ ତାକୁ ଭିତରକୁ ଛାଡ଼ିନପାରେ । ସଚ୍ଚିବାବୁ ଲେଖିଚନ୍ତି ଯେ ଭଜନି ମୁଣ୍ଡରେ ଗାମୁଛା ଭିଡ଼େ ବୋଲି, ସେ ହୁଏତ ହୋଟେଲରେ ପଶିଲା ବେଳକୁ ସେ ଗାମୁଛା ମୁଣ୍ଡରୁ ଖୋଲି ବେକରେ ପକେଇଥିବ । କେଇବର୍ଷ ତଳେ ଭୁବନେଶ୍ୱରରେ ଗୋଟେ ସାହିତ୍ୟ ଉତ୍ସବରେ ହିଁ ସୁନ୍ଦର ସାର୍ଟ ଆଉ ଜିନ୍ସ ପିନ୍ଧିଥିବା ଅଥଚ ବେକରେ ଗାମୁଛା ପକେଇଥିବା ଜଣେ କବିଙ୍କୁ ଦରୱାନ ଅଟକେଇଥିବାର ମୁଁ ନିଜେ ଦେଖିଚି । ତେବେ କଥା ଗାମୁଛାଠି ନାହିଁ । କଥା ହେଲା, ଭଜନି ଯେନ ତେନ ପ୍ରକାରେଣ ଦରୱାନକୁ ଚକମା ଦେଇ ବା ଚମତ୍କୃତ କରି ଭିତରକୁ ପଶୁଚି । ଏବଂ, କବି - ଚିନ୍ତକଙ୍କ ସାରଗର୍ଭକ ଭାଷଣାନ୍ତେ ବର୍ତ୍ତମାନ ସଭାରେ କବିତା ପାଠ ଆରମ୍ଭ ହେବା ଉପରେ ।

ଆପଣଙ୍କୁ ହୁଏତ ମୋ କଥା ଅଡୁଆ ଲାଗୁଥାଇପାରେ (ଲାଗୁଚି କି ?) । ବିଶ୍ବାସ କରନ୍ତୁ, ଏ ଲେଖା ମାଧ୍ୟମରେ କବି - ଚିନ୍ତକଙ୍କୁ, କୌଣସି ଉତ୍ସବର ଆୟୋଜକଙ୍କୁ କିମ୍ବା ତରୁଣ/ତରୁଣୀ କବିମାନଙ୍କୁ ଅସମ୍ମାନ କରିବାର ଉଦ୍ଦେଶ୍ୟ ମୋର ଆଦୌ ନାହିଁ । ତେବେ, ବର୍ତ୍ତମାନ ପ୍ରଶ୍ନ ହୁଏତ ଉଠିପାରେ, ଭଜନି ଏ କବିତା ସବୁ ବୁଝିପାରିବ କି ନାହିଁ ! ଏ ପ୍ରଶ୍ନ ଖାଲି ମୁଁ କରୁନି । ସଚ୍ଚିବାବୁ ନିଜେ ବି କରିଚନ୍ତି ଏଇ ପ୍ରଶ୍ନ ତାଙ୍କ ନିଜ କବିତା ପାଇଁ, ଉତ୍ସର୍ଗ ଶେଷ କଲା ବେଳକୁ:

"ପ୍ରଶ୍ନ ଉଠେ: ରିକ୍ସାବାଲା କ'ଣ ଏ କବିତା ବୁଝିପାରିବ ?
କିଏ ବୁଝିଥିଲା ?
ନେତା, ମଂତ୍ରୀ, ଜଜ୍, କୁଳପତି, ଦାନବୀର, ଦେଶପ୍ରାଣ, ପ୍ରେମପାତ୍ରୀ ଯେଉଁମାନଂକୁ ଅଜସ୍ର କବିତା ଅର୍ପଣ କରାଯାଇଚି, ସେମାନେ କଣ ବୁଝିଥିଲେ ?
ଭଜନି ନ ବୁଝିଲେ କ'ଣ ହେଲା ?"

ସଚ୍ଚିବାବୁଙ୍କ କଥାରେ ନିହିତ ଅଭିମାନକୁ ଅବଶ୍ୟ ଅସ୍ଵୀକାର କରିହବନି । ତେବେ ଭଜନି ଯେ ସମକାଳର ବେଶ୍ କିଛି କବିଙ୍କ କବିତା ବୁଝିପାରିବ ଏ ଭରସା ମୋ'ର ଅଛି । କିନ୍ତୁ ଅସଲ କଥା ହେଲା - କବିତା, ଭଜନି ଖଟେଇ ପାଖରେ ବା ଭଜନି ଖଟେଇ, କବିତା ପାଖରେ ପହଞ୍ଚିପାରିବ ତ ? କବିତା ଯୁଗେ ଯୁଗେ ନେତା, ମନ୍ତ୍ରୀ, ଜଜ୍, କୁଳପତି, ଦେଶପ୍ରାଣ, ପ୍ରେମପାତ୍ରୀ - ଏମାନଙ୍କ ପାଖରେ ପହଞ୍ଚିଚି । ହୁଏତ ଦୁଆର ବାହାରୁ ଫେରି ଆସିଚି, ସଚ୍ଚିବାବୁ କହିଲା ପରି । ହେଲେ ଭଜନି ଖଟେଇ ପାଖରେ ପହଞ୍ଚିଚି କି ନାଇଁ ସେକଥା ଆମକୁ ଆଉଥରେ ଭାବିବାକୁ ହବ ।

ଭଜନି ଖଟେଇର ଭାଗ୍ୟ କବିତା ସହ ଜଡ଼ିତ ନହେଇପାରେ ଜମା, ହେଇଥିଲେ ବି ସେତକ ଖୋଳିତାଡ଼ି ବାହାର କରିବା ପାଇଁ ସମାଲୋଚକୀୟ/ଚିନ୍ତକୀୟ ପ୍ରଜ୍ଞା ଲୋଡ଼ା । ହେଲେ କବିତାର ଭାଗ୍ୟ ଯୁଗେଯୁଗେ ଭଜନି ଖଟେଇମାନଙ୍କ ଅସ୍ତିତ୍ୱ ଉପରେ ନିର୍ଭରଶୀଳ । ସଚ୍ଚିବାବୁ ଯେ ତାକୁ କବିତା ବହିଟିଏ ସମର୍ପିତ କରିଚନ୍ତି, ଏକଥା ଭଜନି ଖଟେଇ ଜାଣିପାରିଥିବ ତ ?