ଫଟୋ - ସୁମିତ୍ରା ପାଢୀ

ଚୁନୁ ପୁରା ଆଜ୍ଞାବହ ଛାତ୍ରଟିଏ । ଆବାସିକ ବିଦ୍ୟାଳୟରେ ରହେ । ସବୁ କାମରେ ତାକୁ ଆଗ ଡାକରା । ବାର୍ଷିକ ଖେଳ ପ୍ରତିଯୋଗିତା ହେଉ ବା ବିଜ୍ଞାନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କି ମାସିକ ପ୍ରାଚୀରପତ୍ର ଉନ୍ମୋଚନ ଅବା ବଗିଚା କାମ ହେଉ, ଚୁନୁ ଆଗକୁ ଆସି କାମଗୁଡିକୁ ନ ମଥେଇଲେ କିଛି ହେବନି ଜାଣ ।

ମୋର ଚୁନୁ ସହ ସେଦିନ ଭେଟ ହୋଇଥିଲା ତାଙ୍କ ସ୍କୁଲ୍ ପାଖ ଜୁଆରିଆ ନଈ କୂଳ ପାଖ ପଡିଆରେ । ସାନ ସାନ ପିଲାଙ୍କୁ ଖେଳେଇବାକୁ ନେଇ ଯାଇଥାଏ ସେ । ଏପଟେ ଚୁନୁକୁ ନିଜ କାମ ସବୁ ବତେଇ ଦେଇ ନିଜେ ଖଟିରେ ମାତିଥିବା ଶିକ୍ଷକମାନେ ଅଭିଯୋଗ କରୁଥା’ନ୍ତି ମୋ ପାଖରେ । ଚୁନୁ ସହ ବ୍ୟକ୍ତିଗତ ଭାବେ କଥା ହୋଇ ସେମାନେ ଯେ ଚୁନୁକୁ ସ୍କୁଲ୍ ରୁ ବାହାର କରିଦେବାର ନିଷ୍ପତ୍ତି ନେଇଛନ୍ତି ସେବିଷୟରେ ତାକୁ ମାନସିକ ଭାବେ ପ୍ରସ୍ତୁତ କରେଇବାକୁ ଦାୟିତ୍ୱ ଦେଇ ଥାଆନ୍ତି ମୋତେ । ସେମାନଙ୍କ ନାଁ ନକହି ମ୍ୟାନେକମେଣ୍ଟ ଉପରେ ଦୋଷଟାକୁ ଗଡେଇ ଦେବାକୁ ବତେଇଥା’ନ୍ତି ଚୁନୁର ପ୍ରିୟ, ଭରସାଯୋଗ୍ୟ ଶିକ୍ଷକମାନେ । କଥାଟି ଏତେ ସାଧାରଣ ଯେ ଆପଣ ଶୁଣିଲେ ବିଶ୍ୱାସ କରିବେନି ।

ଶିକ୍ଷକମାନଙ୍କର ଧାରଣା, ଦଶମ ଶ୍ରେଣୀରେ ପଢ଼ୁଥିବା ଚୁନୁ କୁଆଡେ଼ ଭଲପାଉଛି ନବମ ଶ୍ରେଣୀର ମିନୁକୁ । ଅନେକ ସମୟ ସେମାନେ ଖାତା ଦିଆନିଆ ହେଉଥିବାର ଦେଖୁଛନ୍ତି ଶିକ୍ଷକମାନେ । ତେଣୁ ଖାତା ଭିତରେ ନିଶ୍ଚୟ ପ୍ରେମପତ୍ର ଆଦାନପ୍ରଦାନ ହେଉଛି ବୋଲି ଏଇ ଆଦର୍ଶ ଶିକ୍ଷକମାନେ ଦୃଢ଼ନିଶ୍ଚିତ । ସତେ ଯେମିତି ଏଇଟା ଏକ ଚରମ ପାପ! ଆମ ଆଖିରେ ନହେଲେ ବି ସେଇ ଶିକ୍ଷକମାନଙ୍କ ଆଖିରେ । ଏଇ କଥା ବିଷୟରେ ମୁଁ କ’ଣ ବା କଥା ହେବି ଚୁନୁ ସହିତ ଭାବି ମୋ ମୁଣ୍ଡ ଚକ୍କର କାଟୁଥାଏ । କେମିତି ବା ଚୁନୁକୁ କହିବି ସେ ଏତେ ଭଲପାଉଥିବା ଶିକ୍ଷକମାନେ କେମିତି ତାକୁ ଅବିଶ୍ୱାସ କରୁଛନ୍ତି ଆଉ ଭିତରେ ଭିତରେ ତାକୁ ସ୍କୁଲ୍ ରୁ ବାହାର କରିଦେବାର ଯୋଜନା କରୁଛନ୍ତି ବୋଲି ? ତା’ ଅତି ପ୍ରିୟ ଶିକ୍ଷକମାନଙ୍କର ମନ ଏତେ ଛୋଟ ବୋଲି ବି କେମିତି କହିବି ତାକୁ ? ଏଇ ଛୋଟ ବୟସରୁ କେମିତି ତା’ ବିଶ୍ୱାସର ଘରକୁ ଭାଙ୍ଗିଦେବି ? ତା’ ପ୍ରିୟ ମଣିଷମାନେ ତାକୁ ଏମିତି ଅବିଶ୍ୱାସ କରୁଛନ୍ତି ବୋଲି ଜାଣିଲେ ସେ ଆଉ ଭବିଷ୍ୟତରେ ବିଶ୍ୱାସ କରିବାକୁ ଶିଖିପାରିବ ତ ? ସେଇ ସମୟ ପାଇଁ ସେ ଏସବୁ ନଜାଣିବା ହିଁ ଠିକ୍ ବୋଲି ମନେହେଲା ମୋତେ । ତେଣୁ କିଛି ବି କହିଲିନି ତାକୁ ।

ଏଣୁତେଣୁ କଥା ହେବା ଭିତରେ ଚୁନୁ ନିଜେ ତା’ ଆଡୁ ମିନୁ ବିଷୟରେ ମୋତେ କହିଲା । କହିଲା କେମିତି ମିନୁର କଥା, ଗପ, କବିତା ତାକୁ ଭଲଲାଗୁଛି । କେମିତି ମିନୁର ଲେଖାରେ ନିଜକୁ ସେ ଖୋଜିପାଇ ଆଶ୍ଚର୍ଯ୍ୟ ହେଉଛି । ତେଣୁ ସେ କେମିତି ମିନୁର ଗୋଟେ ନୂଆ ଲେଖା ପଢିବା ପାଇଁ ବ୍ୟାକୁଳ ହୋଇ ଅପେକ୍ଷା କରି ରହୁଛି । ଠିକ୍ ଯେମିତି ଅପେକ୍ଷା କରିରହୁଥିଲା ଅଳ୍ପଦିନ ପାଇଁ ତାଙ୍କ ବିଦ୍ୟାଳୟକୁ ଇଂରାଜୀ ଶିକ୍ଷକ ଭାବରେ ଆସିଥିବା ତନ୍ମୟ ମୁଖାର୍ଜୀଙ୍କର ଛୋଟ ଛୋଟ କୋଟେସନ୍ ଗୁଡିକୁ ପଢିବା ପାଇଁ । ଏସବୁ ଖୁବ୍ ଭଲ କଥା ବୋଲି କହିବା ସହ ଆହୁରି ଅନେକ ଗପସପ କରି ମୁଁ ଫେରିଆସିଲି ମୋ ପାଖରେ ଅଭିଯୋଗ କରିଥିବା ଶିକ୍ଷକମାନଙ୍କ ପାଖକୁ । ଆଉ କହିଲି, “୧୦ ବର୍ଷ ଧରି ଆପଣଙ୍କ ପାଖରେ ରହିବା ପରେ ବି ଆପଣ ହୁଏତ ଚୁନୁକୁ ବୁଝି ପାରିନାହାନ୍ତି । ମୁଁ କିନ୍ତୁ ଚୁନୁକୁ ବୁଝେ ଆଉ ବିଶ୍ୱାସ ବି କରେ । ତେଣୁ ଏଇ ବର୍ଷ ସରିବା ଯାଏ ଦୟାକରି ଆପଣମାନେ ନିଜର ଚୁନୁ ସମ୍ପର୍କିତ ଏ ମହାନ ଧାରଣାସବୁକୁ ଚୁନୁକୁ କି ତା’ର ଅଭିଭାବକଙ୍କୁ କହିବେନି କି ଶିକ୍ଷକମାନଙ୍କ ବୈଠକ କି ମ୍ୟାନେଜମେଣ୍ଟ ବୈଠକରେ ଏ ସମ୍ପର୍କରେ ସରଗରମ ଆଲୋଚନା କରିବେନି । ଚିନୁର ଦାୟିତ୍ୱ ମୁଁ ନେଉଛି । ସେ କିଛି ବି ବିଦ୍ୟାଳୟ ନିୟମ ବହିର୍ଭୂତ କାମ କରିବନି ବୋଲି ମୁଁ ଆପଣଙ୍କୁ କଥା ଦେଉଛି । ଯଦି ତା’ର କୌଣସି କାର୍ଯ୍ୟକଳାପରେ ଆପଣ ଅସନ୍ତୁଷ୍ଟ ହୁଅନ୍ତି ତେବେ ଦୟାକରି ଆଗ ମୋତେ ଟିକେ ଜଣେଇବେ । କାହିଁକି ନା ଆପଣ କିଛି କହିଲେ ନିଜ ଅପାରଗତା ଧରା ପକେଇବା ହିଁ ସାର ହେବ ଆଉ ଏଇ ଯେଉଁ ଭଲ ହେବାର ମୁଖାଟି ଆପଣମାନେ ପିନ୍ଧିଛନ୍ତି ଅନେକ ବର୍ଷ ଧରି ସେଇଟି ବି ଗଳିପଡ଼ିବ ।” ମୋ କଥା ମାନିବାକୁ ନ ଚାହୁଁଥିଲେ ବି ଅନ୍ତତଃ ନିଜ ଇମେଜ୍ ରକ୍ଷା କରିବାକୁ ଯାଇ ସେମାନେ ଚୁପ୍ ରହିଲେ ।

ଚୁନୁ, ମିନୁ, ଚିକୁ, ସୌମେନ୍, ସଞ୍ଜୟ, ଜଗତ୍ ପରି ଅନେକ ପିଲା ଯେଉଁମାନେ ଶିକ୍ଷକମାନଙ୍କୁ ଖୁବ୍ ବେଶୀ ଭଲ ପାଆନ୍ତି, ବିଶ୍ୱାସ କରନ୍ତି, ସମ୍ମାନ ଦିଅନ୍ତି ଓ ସମ୍ଭାବନାରେ ଭରପୁର ଥାଆନ୍ତି ସେଇମାନଙ୍କୁ ହିଁ ଛୋଟ ଛୋଟ ମିଛ କାରଣରୁ ଓ ଅନୁମାନରୁ ଅନେକେ ସହଯୋଗ କରିବା ଓ ବିଶ୍ୱାସ କରିବା ଛାଡ଼ି ଦିଅନ୍ତି । ଏମିତି ଘଟଣା ଅନେକ ଦେଖାଯାଉଛି ଏବେ । ଓଡ଼ିଶାର ଗାଁ ଗହଳିରେ କେବଳ ନୁହେଁ, ସହରରେ ମଧ୍ୟ । ଭାରତର ବିଭିନ୍ନ ଜାଗା ବୁଲିଯିବା ବେଳେ ମଧ୍ୟ ସେଇ ଏକା କଥା ଦେଖିବାକୁ ପାଇଛି । ସମାଧାନର ବାଟ ଖୋଜିଛି । କିନ୍ତୁ ସମସ୍ତେ ଅସୁବିଧାଗୁଡ଼ିକ ହିଁ ବେଶୀ ବେଶୀ କହିଛନ୍ତି ।

ଏଇଥିପାଇଁ ହିଁ ଆମେ ଏମିତି ଏକ ଦୁନିଆରେ ବଞ୍ଚୁଛନ୍ତି ଓ ଏମିତି ଏକ ଭବିଷ୍ୟତ ଆଡ଼କୁ ମୁହାଁଉଛନ୍ତି ଯେଉଁଠି କାହାର କାହାରି ପ୍ରତି ବିଶ୍ୱାସ ନାହିଁ । ଅନୁମାନକୁ ଆଧାର କରି ସମ୍ପର୍କକୁ ଶୁଳି ଚଢ଼ାଯାଉଛି ଏଠି... ଅନୁମାନକୁ ଆଧାର କରି ଦୋଷୀ ତିଆରି ଚାଲିଛି ଏଠି... କିନ୍ତୁ ଅନୁମାନକୁ ଭୁଲ୍ ଭାବି ମଣିଷଟିଏକୁ ବିଶ୍ୱାସ କରି ହେଉନି... ଭଲ ପାଇ ହେଉନି... ସମ୍ମାନ ଦେଇ ହେଉନି... ଜୀବନ ବଞ୍ଚି ହେଉନି...!!

ଏଠି ଚିକିତ୍ସା ପାଇଁ ସବୁତକ ପୁଞ୍ଜିକୁ ଗୋଟେଇ ଭଲ ହେବା ପାଇଁ ଡାକ୍ତରଖାନାକୁ ଯାଉଥିବା ରୋଗୀ ବି ଡାକ୍ତରକୁ ବିଶ୍ୱାସ କରିପାରୁନି... । ଆପଣାର ସନ୍ତାନ, ଯାହା ଲାଗି ଜୀବନସାରା ସମୟ ଦିଆଯାଇଛି, ସବୁତକ ଆବଶ୍ୟକତା (ସ୍ଥୁଳ) ପୂରଣ କରାଯାଇଛି ସେ ବୃଦ୍ଧାବସ୍ଥାରେ ନିଜ ବାପାମାଆଙ୍କର ସ୍ଥୂଳ ଆବଶ୍ୟକତାଗୁଡ଼ିକ ମଧ୍ୟ ପୂରଣ କରିବ ବୋଲି ଆଶା କରିହେଉନି.. । ଅଭିଭାବକ, ଯିଏ ପିଲାକୁ ଆବାସିକ ବିଦ୍ୟାଳୟରେ ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ଶିକ୍ଷକଟେ ତା’ ପିଲାକୁ ଦେଖିବ, ମଣିଷ କରିବ ବୋଲି ହିଁ ତିନିଶହ ପଅଁଷଠିରୁ ତିନିଶହ ପଚାଶ ଦିନ ଛାଡୁଛି ସେ ବି ଶିକ୍ଷକଟେ ଉପରେ ଭରସା ରଖିପାରୁନି । ବିଶ୍ୱାସ ରଖିପାରୁନି ବୋଲି ହିଁ ଏ ବିଦ୍ୟାଳୟରୁ ସେ ବିଦ୍ୟାଳୟକୁ, ଏ ହଷ୍ଟେଲରୁ ସେ ହଷ୍ଟେଲକୁ ବିଲେଇ ଛୁଆ ପରି ମାସେ, ବର୍ଷେ, ପାଞ୍ଚବର୍ଷ ବା ନିୟମିତ ବ୍ୟବଧାନରେ ଏଠି ସେଠି କରୁଛି । ହାଟରୁ ପରିବା ବା ଖାଦ୍ୟ ଜିନିଷ କିଣିଲେ ହିଁ ଖାଇ ଜୀବନ ବଞ୍ଚିବାକୁ ହେବ ବୋଲ ଜାଣି ବି ବଜାରରେ ମିଳୁଥିବା ଜିନିଷ ବିଶୁଦ୍ଧ ବୋଲି ମାନିନେଇ ହେଉନି ବୋଲି ଅନେକ ଲୋକ ଫଳମୂଳ, ପରିବାକୁ ଗରମ ପାଣିରେ ଧୋଇବା ପରେ ହିଁ ଖାଉଛନ୍ତି । ଏମିତି ଭାବରେ ସନ୍ଦେହକୁ ଆଧାର କରି କ’ଣ ଜୀବନ ବଞ୍ଚିହୁଏ ? ଏହାର ଫଳାଫଳ କ’ଣ ବା କେମିତି ହେବ ଭାବିପାରୁଛନ୍ତି କି କେହି ?

ନିୟମିତ ଏମିତି ଅଭ୍ୟାସରେ ପଡ଼ିବା ପରେ ଆମେ ସଚ୍ଚୋଟ ଲୋକଟା ଉପରେ ହିଁ ସବୁଠୁ ବେଶୀ ସନ୍ଦେହ କରୁଛନ୍ତି । ଭାବୁଛନ୍ତି “ଆରେ, କିଛି ନ କହି ଲୋକଟା ଏତେ ସହଯୋଗ କରୁଛି ମାନେ ଏହାର ନିଶ୍ଚୟ କିଛି ବଡ଼ ଉଦ୍ଦେଶ୍ୟ ଅଛି ।” ଏଥିସହିତ ନିଜର କର୍ତ୍ତବ୍ୟଟିକୁ ଠିକ୍ ଭାବେ କରୁଥିବା ମଣିଷଟା ଖୁବ୍ ଭଲ ବା ମହାନ୍ ମନେହେଉଛି କେବେ କେବେ ।

ଆମେ ଅସୁବିଧା ଭୋଗି ଭୋଗି ଏମିତି ସନ୍ଦେହ କରିକରି ବୁଝି ଯାଇଛୁ ଯେ, ଏଠି ସମସ୍ତେ ଫାଇଦାବାଦି । ଆଉ ଏତେ ସୁନ୍ଦର ଅବସ୍ଥାଟିର ନିଅଁ ଆମେ ନିଜେ ହିଁ ପୋତିଛନ୍ତି; କେତେବେଳେ ନିଜ ପିଲାର ସମ୍ଭାବନା ସବୁକୁ ଅବିଶ୍ୱାସର ମୃତ୍ୟୁଦଣ୍ଡ ଦେବାବେଳେ ତ କେତେବେଳେ ଡାକ୍ତରୀ ଶିକ୍ଷାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକିବା ବେଳେ ଅବା କେତେବେଳେ ପିଲାର ଆବେଗଜନିତ ଆବଶ୍ୟକତାକୁ ନବୁଝି ବିଷୟଗତ ଆବଶ୍ୟକତାଗୁଡ଼ିକୁ ଅର୍ଥ ବଦଳରେ କିଣି ଦେଇ ଜିନିଷମାନଙ୍କର ସ୍ତୁପ ଗଦେଇଦେବା ବେଳେ ନହେଲେ ଖଟି ଖାଉଥିବା ଚାଷୀର ଦରବକୁ ଖୁବ୍ କମ୍ ଟଙ୍କା ଦେଇ ବାର୍ଗେନିଂ କରି କିଣିବା ବେଳେ ।

ଆମ ଘର ଆଗରେ ମୋ ସାଙ୍ଗ ଗୋଟେ ବଡ଼ ଜାଗା ନେଇ କଦଳୀ ଚାଷ କରୁଛି । ବାପା ତା’ର କଦଳୀ ଆଣି ରାସ୍ତା କଡେ଼ ରଖି ବିକ୍ରି କରନ୍ତି । ଲୋକମାନେ ସବୁଜ ରଙ୍ଗ ଦେଖି ନହେଲେ ଦରପାଚିଲା ଦେଖି ନକିଣି ଫେରିଗଲା ବେଳେ ସେ ପାଖରେ ରଖିଥିବା ଔଷଧକୁ ତା’ ଉପରେ ପକା‌ଇ ଦେଉଛନ୍ତି ଯେ ଘଣ୍ଟାକ ଭିତରେ ରଙ୍ଗ ପରିବର୍ତ୍ତନ ହୋଇଯାଉଛି । ଲୋକ ବି ଏଥର ଖୁବ୍ ଭଲ ବୋଲି ବିଶ୍ୱାସ କରି କିଣୁଛନ୍ତି ଜିନିଷ । ତେବେ କେତେଦିନ ଧରି ଆଉ ଏମିତି ଚାଲିଥିବ ? କେତେଦିନ ଯାଏ ଆମେ ନିଜକୁ ଚାଲାକ୍ ଭାବି ଅନ୍ୟମାନଙ୍କୁ ଅବିଶ୍ୱାସ କରୁଥିବା ? କେତେଦିନ ଆଉ ନଷ୍ଟ ସମାଜ ଲାଗି ପରସ୍ପରକୁ ଦୋଷ ଦେବାରେ ମାତିଥିବା ???

ତଥାପି ଯେଉଁମାନେ ଯାହା ଚାଲିଛି ସେଇଥିରେ ଖୁସି ସେମାନେ ସେମିତି ଖୁସି ରୁହନ୍ତୁ, ଫଳ କି ପରିବା କିଣି ଗରମ ପାଣିରେ ଧୋଇ ଖାଇ ସୁସ୍ଥ ରୁହନ୍ତୁ, ପିଲାକୁ ବିଲେଇ ଛୁଆ ପରି ଏଠି ସେଠି କରି ମଣିଷ କରୁଛନ୍ତି ବୋଲି ଭାବି ଖୁସି ହୁଅନ୍ତୁ, ଗୋଟିଏ ଡାକ୍ତର ପାଖେ ପଇସା ଦେଇ ଅନ୍ୟ ପାଞ୍ଚଟା ଡାକ୍ତରର ମତାମତ ନେଇ ସୁସ୍ଥ ରହିବାର ସ୍ୱପ ଦେଖନ୍ତୁ କି ନିଜ ପିଲାର ଜିନିଷପତ୍ର, ମୋବାଇଲ୍, ପର୍ସ ଆଦିକୁ ତା’ ଅନୁପସ୍ଥିତିରେ ଖୋଜାଖୋଜି କରି ଆମ ଛୁଆ ଠିକ୍ ଅଛି ଭାବି ଖୁସି ହେଲେ ବି ମୋର କିଛି କହିବାର ନାହିଁ । କିନ୍ତୁ ଯେଉଁମାନେ ଏମିତି ଭାବୁନାହାନ୍ତି ସେମାନେ ସତରେ ଚାଲନ୍ତୁ ଟିକେ କାନ୍ଦିବା... କାନ୍ଦି କାନ୍ଦି ନିଜକୁ ଧିକ୍କାରିବା ସମ୍ଭାବନାରେ ଭରପୁର ପିଲାମାନଙ୍କର ମୃତ୍ୟୁ ଲାଗି, ଏକ ବିଶ୍ୱାସହୀନ ସମାଜର ବିଶ୍ୱକର୍ମା ସାଜିଛନ୍ତି ବୋଲି... । ତେବେ ଯାଇ ହୁଏତ ସମାଧାନର ବାଟଟିଏ ମିଳିବ ।