ଫଟୋ - ସୁମିତ୍ରା ପାଢୀ

ପିଲାମାନଙ୍କୁ ପ୍ରତିଦିନ ପରୀକ୍ଷାଗାରରେ ପରୀକ୍ଷା ନିରୀକ୍ଷା କରୁଥିବା ଓ ପରୀକ୍ଷା ନାଁରେ ଡରାଉଥିବା ବଡ଼ମାନଙ୍କର ‘ଆମ ଶିକ୍ଷା ବ୍ୟବସ୍ଥା ଓ ପ୍ରୟୋଗ’ ଉପରେ ଛୋଟ ପରୀକ୍ଷାଟିଏ ଗୋଟେ ବର୍ଷ ଅଗଷ୍ଟ ୧୪ରେ କରିବି ବୋଲି ମାସେ ଆଗରୁ ଜଣାଇଥିଲି । ସବୁ ଶିକ୍ଷକମାନଙ୍କ ସହ ଏକାଠି ବସି ଆଲୋଚନା କରିଥିଲି ଏହାର ଆବଶ୍ୟକତା ସମ୍ପର୍କରେ । କଥା ଥିଲା; ନିଜ ଶିକ୍ଷାନୁଷ୍ଠାନରେ ବିଗତ କେତେ ବର୍ଷ ହେଲା ଚାଲୁଥିବା ପ୍ରୟୋଗ ଉପରେ ହିଁ ପରୀକ୍ଷା ହେବ । ତେଣୁ ସମସ୍ତ ପ୍ରୟୋଗର ବିବରଣୀ ଲେଖାଥିବା ଖାତାଟି ହେବ ଭିତ୍ତି । ସବୁ ମିଶି ବୋଧହୁଏ ପଚିଶି ପୃଷ୍ଠା ହେବ ଖାତାଟି । ସେତକ ପଢ଼ି ପ୍ରସ୍ତୁତ ହେବା ପାଇଁ ଶିକ୍ଷକମାନଙ୍କର ଲୋଡ଼ା ଥିଲା ମାସଟିଏ ସମୟ; ଯଦିଓ ସେମାନଙ୍କ ନିଜ ବିଦ୍ୟାଳୟରେ ଏସବୁର ପ୍ରୟୋଗ ଚାଲିଥିଲା ଓ ସେଇମାନେ ହିଁ ପ୍ରୟୋଗ କରୁଥିଲେ । ତଥାପି ତାଙ୍କରି କଥା ହିଁ ରହିଲା । ସେମାନେ ନିଜକୁ ପ୍ରସ୍ତୁତ କରିବା ପାଇଁ ଚାହୁଁଥିବା ସମୟକୁ ମୁଁ ଛଡେ଼ଇ ନେଲିନାହିଁ ।

ମୁଁ ଅଗଷ୍ଟ ୧୩ରେ ପହଞ୍ଚିଗଲି ବିଦ୍ୟାଳୟରେ । ପରୀକ୍ଷା ଆଉ ଦିନଟିଏ ଥାଏ । ସେଦିନର ଶିକ୍ଷକ ବୈଠକରେ ସମସ୍ତଙ୍କର ଆରମ୍ଭ ହୋଇଗଲା ନାହିଁ ନ ଥିବା ଅନେକ ଅଭିଯୋଗ । ଯଥା:

‘ଆଉକିଛି ଦିନ ପରେ ହେଉ' ।

‘ଆମର କାମ ଅଛି' ।

‘ଆମେ ଠିକ୍ ରେ ପଢ଼ିନୁ' ।

‘ମୁଁ ଅନ୍ୟ କାମରେ ବ୍ୟସ୍ତ ରହିଯାଇଥିଲି' ।

‘ମୁଁ ବୁଝିପାରୁନି' ।

‘ମୋର ମନେ ରହୁନି' ।

‘ମୁଁ ପରୀକ୍ଷାରେ ଏତେ ସମୟ ବସିପାରିବିନି' ।

‘ଆମର କ’ଣ ଆଉ ବୟସ ଅଛି' ?

ଏମିତି ଅଭିଯୋଗର ଲମ୍ବା ତାଲିକା ସବୁ ମୁଁ ଚୁପ୍ ଚାପ୍ ଶୁଣୁଥାଏ । ମୋର ବିଶ୍ୱାସ ହେଲାନି ଯେ; ଏମାନେ ସେଇ ତ, ଯିଏ ଗୋଟିଏ ଦିନ ଆଗରୁ ପିଲାଙ୍କୁ ଜଣେଇ ନ ହେଲେ ଅଚାନକ ପ୍ରଶ୍ନପତ୍ର ଧରି ହଠାତ୍ ଶ୍ରେଣୀଗୃହରେ ଯାଇ ‘ସରପ୍ରାଇଜ୍ ଟେଷ୍ଟ’ ନାଁରେ ପରୀକ୍ଷା କରନ୍ତି ! ପିଲାଙ୍କର ଅସହାୟତା ଦେଖି ଖୁସି ବି ହୁଅନ୍ତି । କମ୍ ମାର୍କ ରଖୁଥିବା ପିଲାକୁ:

“ଆଧୁନିକ ଓଡ଼ିଆ ଗୀତ ତ ବେଶ୍ ମନେରହୁଛି" ।

“ଗପ ବହି ତ ବେଶ୍ ପଢ଼ାହେଉଛି" ।

“ଗଧ ! ଗିଳିଲା ବେଳକୁ ବେଶ୍ ତ ଗିଳୁଛୁ, ପାଠ କାହିଁ ?”

“ଖାଲି ଖେଳୁଥା, ଖେଳ ତୋତେ ସ୍ୱର୍ଗକୁ ନେବ ନା ଆଉ"।

“ଟିଭି ଦେଖା ବେଳକୁ ତ ଆଗ, କାଗଜ କାହିଁ ପାଙ୍କା ?” - ଆଦି କଥା ସବୁ ଖତେଇ ହୋଇ ବିଶେଷଣ ସବୁ ଯୋଡ଼ି କହିବା ସହ, ଗାଳି ମାଡ଼ ବି ଦିଅନ୍ତି । ତାପରେ ବି ତାଙ୍କର ମନ ବୁଝେନି ଯେ, ଅଭିଭାବକଙ୍କୁ ଡକେଇ ପିଲାର ଯାବତୀୟ ଭୁଲ୍ - ଭଟକା (ଶିକ୍ଷକ/ସମାଜ ଦୃଷ୍ଟିରେ)କୁ ବର୍ଣ୍ଣନା କରୁ କରୁ ଅଭିଯୋଗର ଫର୍ଦ୍ଦଟିକୁ ଲମ୍ବେଇ ଚାଲନ୍ତି । ଶେଷରେ ‘ପିଲାଟି ନିହାତି ମୂର୍ଖ’ ବୋଲି ସାବ୍ୟସ୍ତ କରିବା ପରେ ହିଁ ନିଜ କାର୍ପଟଦାରୀ ସଫଳ ହେଲା ବୋଲି ଜାଣି ଖୁସି ବି ହୁଅନ୍ତି ।

ସେ ଯାହା ହେଉନା କାହିଁକି ସେଦିନ ବୈଠକରେ ଶିକ୍ଷକମାନଙ୍କର ବିଭିନ୍ନ ଅଭିଯୋଗ ଓ ଅନାଗ୍ରହ ସତ୍ତ୍ୱେ ଅଧ୍ୟକ୍ଷ ଘୋଷଣା କଲେ ନିର୍ଦ୍ଦିଷ୍ଟ ତାରିଖରେ ହିଁ ପରୀକ୍ଷା ହେବ । ଯେଉଁମାନେ ଚାହିଁବେ ଯୋଗ ଦେବେ, ଯେଉଁମାନେ ନ ଚାହିଁବେ ସେମାନେ ଠିକ୍ ମନେ ନ କଲେ ଯୋଗ ନଦେଇ ପାରନ୍ତି ।

ଏ ଗଲା ପୂର୍ବଦିନର କଥା । ପରୀକ୍ଷା ଦିନର କଥା ନ କହିବା ହିଁ ଭଲ ।

ସକାଳୁ ସକାଳୁ ପରୀକ୍ଷା ପାଇଁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ସମୟ ଗଡ଼ିଗଲା ପରେ ଶିକ୍ଷକମାନେ ଜଣଙ୍କ ପରେ ଜଣେ ଆସି ପହଞ୍ଚିଗଲେ । ପ୍ରଶ୍ନପତ୍ର ନେଇ ନିଠେଇ ନିଠେଇ ଦେଖିଲେ । କିଛି ପ୍ରଶ୍ନ ସେମାନେ ନିଜେ କରୁଥିବା ମୁକ୍ତ ପ୍ରଗତିଶୀଳ ଶିକ୍ଷାର ପ୍ରୟୋଗ ଖାତାର ସେଇ ନିର୍ଦ୍ଧିଷ୍ଟ କେତୋଟି ପୃଷ୍ଠାରୁ ପଡ଼ିଥାଏ ତ କେତେକ ପ୍ରଶ୍ନ ସେମାନଙ୍କ ନିଜ ଜୀବନକୁ ନେଇ । ଏଇ ଯେମିତି:

‘ଶିକ୍ଷା କହିଲେ ମୁଁ କ’ଣ ବୁଝେ' ?

‘ବିଦ୍ୟାଳୟ, ବହି, ପରୀକ୍ଷା ମୋ ଜୀବନରେ କ’ଣ ମାନେ ରଖେ' ?

‘ଶିକ୍ଷାର ଏକ ନିର୍ଦ୍ଧିଷ୍ଟ ବୟସ ଅଛି କି' ?

‘ମୁଁ ଯେଉଁ ଶିକ୍ଷା ବ୍ୟବସ୍ଥା ଭିତର ଦେଇ ବଢ଼ିଛି, ତାହା ଆଜି ମୋ ଜୀବନରେ କ’ଣ କାମରେ ଲାଗୁଛି' ?

ଖୁବ୍ କଷ୍ଟ ପ୍ରଶ୍ନ ନୁହେଁ ? ତଥାପି ପରୀକ୍ଷା ଭିତରେ ପ୍ରଶ୍ନ ଛାଡ଼ି ଦେବା, ପ୍ରଶ୍ନଗୁଡ଼ିକ ବୁଝି ନ ପାରିବା, ପ୍ରଶ୍ନର ଅର୍ଥ କ’ଣ ବୋଲି ବାରମ୍ବାର ପଚାରିବା, ‘କଷ୍ଟ ପ୍ରଶ୍ନ’ ବୋଲି ମନ୍ତବ୍ୟ ଦେବା ଠାରୁ ଆରମ୍ଭ କରି ଚିନ୍ତିତ ଓ ଅନ୍ୟମନସ୍କ ରହିବା ଯାଏ ସବୁ ଲକ୍ଷଣ ପ୍ରକାଶ ପାଉଥିଲା ଆମ ଶିକ୍ଷକମାନଙ୍କ ପାଖେ, ଠିକ୍ ଯେମିତି ପରୀକ୍ଷା ସମୟରେ ପିଲାମାନଙ୍କର ଘଟିଥାଏ । କେବେ ଉତ୍ତର ଆସୁନଥିବା ପ୍ରଶ୍ନଟିଏ ଦେଖି ଆଖିରୁ ଚିନ୍ତା ବାରି ହୋଇ ପଡ଼ୁଥାଏ ତ କେବେ ସହଜ ପ୍ରଶ୍ନ ଦେଖି ଓଠରେ ହସ ଫୁଟି ଉଠୁଥାଏ । ପିଲାଙ୍କ ପରି ଭାବଭଙ୍ଗୀର ଛାପ ବାରି ହୋଇ ପଡ଼ୁଥାଏ ସେମାନଙ୍କର ସମସ୍ତ କାର୍ଯ୍ୟକଳାପରୁ । ଏମିତିରେ ଘଣ୍ଟାକରେ ସରିବାକୁ ଥିବା ଉତ୍ତରଗୁଡ଼ିକୁ ଲେଖିବା ପାଇଁ ଦୁଇରୁ ଅଢେ଼ଇ ଘଣ୍ଟା ସମୟ ନେଲେ ସମସ୍ତେ । ଅଳ୍ପ ଉତ୍ତର ଦରକାର କରୁଥିବା ପ୍ରଶ୍ନଗୁଡ଼ିକ ସେମାନଙ୍କ ହାତରେ ପଡ଼ି କେବେ ପୋଥି ପୁରାଣ ହୋଇଗଲେ ତ କେବେ ଦୀର୍ଘ ଉତ୍ତରଗୁଡ଼ିକ କ୍ଷୁଦ୍ରାତିକ୍ଷୁଦ୍ର ଶବ୍ଦଟିଏ କେବଳ ହୋଇ ରହିଗଲେ ।

ଉତ୍ତର ଖାତାଗୁଡ଼ିକୁ ସଂଗ୍ରହ କରିବା ପରେ ମୁଁ କେବଳ ପଢ଼ିଦେଇଗଲି । ମାର୍କ ଦେଲିନି କି ଭୁଲ ଠିକ୍ ବାଛିଲିନି । ପରୀକ୍ଷାର୍ଥୀଟି ଛାତ୍ର ହେଉ କି ଶିକ୍ଷକ, ଭୁଲ ଚିହ୍ନ ଦେବା ମୋ ସାମର୍ଥ୍ୟର ବାହାରେ ବୋଲି ହିଁ ଭୁଲ୍ ଠିକ୍ ବାଛିଲିନି । ଯିଏ ଲେଖୁଥାଏ, ତା’ ଦୃଷ୍ଟିରେ କଥାଗୁଡ଼ିକ ଠିକ୍ ଲାଗେ ବୋଲି ହିଁ ତ ସେ ଲେଖିଥାଏ ସେଇଟିକୁ । ମୁଁ ବା ତାକୁ ଭୁଲ୍ କହିବି କେମିତି ? ସେ ନିଜେ ହିଁ କେବଳ ତାର ସଂଶୋଧନ କରିପାରିବ ବୋଲି ମୋର ବିଶ୍ୱାସ। ମୁଁ ହୁଏତ ତାକୁ ଟିକେ ଖୋଜାଖୋଜି କରି ଅଧିକ କିଛି ଜାଣିବାକୁ ଓ ବୁଝିବାକୁ ପ୍ରସ୍ତାବଟିଏ ଦେଇପାରେ କିମ୍ବା ଅଧିକ ଠିକ୍ ମନେ ହେଉଥିବା ଉତ୍ତରଟେ ପାଇବାର ଠାବଟିଏ ବତାଇଦେ‌ଇ ପାରେ ।

ସେ ଯାହା ହେଉନା କାହିଁକି ମୁଁ ଏଇ ଗତାନୁଗତିକ, ପାରମ୍ପରିକ (ମାତ୍ର ୨୦୦ ବର୍ଷର; ଏଇ ଇଂରେଜ ଆସିବା ପରର) ଜ୍ଞାନମାପକ ପଦ୍ଧତିର ପରୀକ୍ଷା ଓ ଫଳାଫଳର ସପକ୍ଷରେ ନୁହେଁ ବୋଲି ବାକି କାମଗୁଡ଼ିକ (ଭୁଲ୍ ମାରିବା, ମାର୍କ ଦେବା, ପ୍ରଥମ, ଦ୍ୱିତୀୟ ବାଛିବା ଇତ୍ୟାଦି) କଲିନି । ତଥାପି ସମସ୍ତଙ୍କୁ ବାଧିଲା । ସବୁଠୁ ବିସ୍ମୟ ଓ ଦୁଃଖର କଥା ହେଲା ଶିକ୍ଷକଙ୍କର ଅସନ୍ତୋଷ । ସବୁ ସତ୍ତ୍ୱେ କେଉଁଠି ଠାଏ ବୋଧେ ଚେଙ୍କା ଲାଗିଗଲା, କଷ୍ଟ ଓ ଅପମାନରୁ ହେଲା ଧମକାଇବାର ଆରମ୍ଭ । କିଛି ଶିକ୍ଷକ ଅଧ୍ୟକ୍ଷକଙ୍କୁ କହିଲେ,

“ଆମେ ଯଦି ପରୀକ୍ଷାରେ ପାସ୍ ନ କରିବୁ ତେବେ ଆସନ୍ତା ବର୍ଷର ଶିକ୍ଷଣ ଦାୟିତ୍ୱ ଆମକୁ ଆଉ ଦେବେନି । ଆମେ ଆଉ କ୍ଲାସ୍ ନେବୁ ନାହିଁ । ଯେଉଁମାନେ ପାରିବେ ସେମାନଙ୍କୁ ଦେବେ" ।

ଅଧ୍ୟକ୍ଷ କ’ଣ ବା ବୁଝିବେ ? ମୁଁ ବି ବୁଝି ପାରିଲିନି ଯେ ଏଠି ପାସ୍ - ଫେଲ୍, ପାରଗ - ଅପାରଗର ପ୍ରଶ୍ନ କେଉଁଠୁ ଆସିଲା । ସତ କହିଲେ, ଯଦି ଆମ ପିଲାମାନେ ଠିକ୍ ଆମ ପରି କୁହନ୍ତି, ପାସ୍ ନ କଲେ ଆଉ ବିଦ୍ୟାଳୟ ଆସିବେନି କି ପଢ଼ିବେନି ବୋଲି ମନା କରିଦିଅନ୍ତି, ସତକୁ ସତ ପଢ଼ା ଛାଡ଼ି ଦିଅନ୍ତି, ତେବେ କ’ଣ କରିବା ଆମେ ? ସମ୍ଭାଳି ପାରିବା ତ ?

ଏମତି କିଛି କହି ବୁଝାଇବା ବ୍ୟତୀତ କ୍ଲାସ୍ ଦେବା କି ନ ଦେବା ମୋ ଅଧିକାରର ଅନ୍ତର୍ଭୁକ୍ତ ନଥିଲା । କୌଣସି ବିଦ୍ୟାଳୟରେ ନାଁ ମୁଁ ଥିଲି ଶିକ୍ଷକ ନା ପ୍ରଶିକ୍ଷକ ନା ଅଧ୍ୟକ୍ଷ ବା ପରିଚାଳକ । ଯୋଜନାଟି ନିଜେ କରିଥିଲି ବୋଲି ତାହାର ସମୀକ୍ଷା କରିବା ପାଇଁ ମୁଁ କେବଳ ଲେଖି ରଖୁଥିଲି ପ୍ରୟୋଗ ହେଉଥିବା ମୁକ୍ତ ପ୍ରଗତିଶୀଳ ଶିକ୍ଷା ପଦ୍ଧତିର ।

ଶିକ୍ଷକମାନଙ୍କୁ ନେଇ ପରୀକ୍ଷା କରିବାର କାର୍ଯ୍ୟକ୍ରମଟିକୁ ହାତକୁ ନେବା ପୂର୍ବରୁ ମୁଁ ତା’ର ଉଦ୍ଦେଶ୍ୟଟି ବିଷୟରେ ସମସ୍ତଙ୍କୁ ଅବଗତ ବି କରାଇଥିଲି ।

ପ୍ରଥମତଃ; ଶିକ୍ଷାକେନ୍ଦ୍ରରେ ପ୍ରୟୋଗ ହେଉଥିବା ଶିକ୍ଷା ପଦ୍ଧତି, ଯେଉଁଟିକୁ ସମସ୍ତେ ବିଗତ ଚାରି, ପାଞ୍ଚ ବର୍ଷ ହେଲା ଶ୍ରେଣୀରେ ପ୍ରୟୋଗ କରୁଛନ୍ତି ତାକୁ ସତକୁ ସତ କେତେ ଜାଣିଛନ୍ତି ବା ବୁଝିଛନ୍ତି ଦେଖିବା ଏବଂ ଏଇ ବାହାନାରେ ସମସ୍ତଙ୍କ ଭିତରେ ପରୀକ୍ଷାରେ ବସିବାର ନିଜ ନିଜର ଅନୁଭୂତିଟିକୁ ପୁଣି ଥରେ ସତେଜ କରିବା ଥିଲା ଉଦ୍ଦେଶ୍ୟ ।

ଦ୍ୱିତୀୟ କାରଣଟି ମନୋବିଜ୍ଞାନ ସମ୍ବନ୍ଧିତ । ଆମେ ପରୀକ୍ଷା ବା ମୂଲ୍ୟାୟନ ଯାହାର ବି ନାଁ ନେଇ ଏଇ ଯେଉଁ ତନାଘନା ଲେଖାଲେଖି, ଭୁଲ୍ - ଠିକ୍, କମ୍ - ବେଶୀ, ପାସ୍ - ଫେଲ୍, ମାର୍କ - ଗ୍ରେଡ୍ ର ଖେଳ ଖେଳୁଛନ୍ତି, ତାହା ପିଲାମାନଙ୍କର ମାନସିକ ପରିସ୍ଥିତିକୁ କେତେ ମାତ୍ରାରେ ପ୍ରଭାବିତ କରୁଛି, ସେଇଟିକୁ ବୁଝିବା ।

ଏଇ ସମଗ୍ର ପ୍ରକ୍ରିୟାଟିରେ ସବୁଠାରୁ ଆନନ୍ଦର କଥା ଥିଲା; ଏଇ କୋଡ଼ିଏ, ପଚିଶି ଜଣ ଶିକ୍ଷକ ରାଗନ୍ତୁ, ରୁଷନ୍ତୁ, ବିରକ୍ତ ହୁଅନ୍ତୁ କି ମନା କରନ୍ତୁ ପଛେ ଶେଷରେ ପରୀକ୍ଷାରେ ବସିଥିଲେ । ଆଗରୁ ଜଣେଇବା ପରେ ବି ବଡ଼ମାନଙ୍କର ସ୍ଥିତି ଯଦି ଏମିତି ତାହେଲେ ଆମ ପିଲାଏ ? ଆମେ ତ ଆମ ପିଲାମାନଙ୍କୁ ସେତିକି କହିବାର ସୁଯୋଗ ବି ଦିଅନ୍ତି ନାହିଁ । ଦିଅନ୍ତି କି ? ମନେପକାନ୍ତି କି ଆମ ପିଲାଦିନର ପରୀକ୍ଷା ସମ୍ପର୍କିତ ଅନୁଭୂତିକୁ ? ଆମେ ଏମିତି ବାରମ୍ବାର ପରୀକ୍ଷାରେ ବସିପାରିବା କି’ ବୋଲି କେବେ ଭାବନ୍ତି କି ?