ଫଟୋ - ସୁମିତ୍ରା ପାଢୀ

ଆମେ ଯଦି ଭାରତ ସରକାରଙ୍କ ‘ମୂଲ୍ୟାୟନ କ’ଣ ଓ କାହିଁକି’ ସମ୍ପର୍କିତ ଲେଖାଟିରେ ‘ପିଲାମାନେ ପରୀକ୍ଷାକୁ ଡରନ୍ତି କାହିଁକି’ ପ୍ରସଙ୍ଗଟିକୁ ଦେଖିବା (ଆର୍ମଷ୍ଟ୍ରଙ୍ଗଙ୍କ ମତକୁ ବାଦ୍ ଦେଇ), ତାହେଲେ ହୁଏତ ଆମର ଅନେକ ସନ୍ଦେହ ଦୂର ହେବ । ମୁଁ କେବଳ ମୁଖ୍ୟ କେତୋଟି କଥା କହୁଛି ।

ଅନ୍ୟ ବ୍ୟକ୍ତି ଦ୍ୱାରା ନିଜ ସମ୍ପର୍କିତ ମୂଲ୍ୟାୟନ ହେବାକୁ ସାଧାରଣତଃ କେହି ପସନ୍ଦ କରନ୍ତି ନାହିଁ । କାରଣ ମୂଲ୍ୟାୟନ ମାଧ୍ୟମରେ ବ୍ୟକ୍ତିର ଦୁର୍ବଳତା ବାହାରେ ପ୍ରକାଶ ପାଏ । ଏହା ତା’ର ଆତ୍ମସମ୍ମାନକୁ ଆଘାତ କରେ । ଠିକ୍ ସେହିପରି ଶିକ୍ଷାର୍ଥୀ ଅନ୍ୟ ଦ୍ୱାରା ପରୀକ୍ଷିତ ହେବାକୁ ପସନ୍ଦ କରେ ନାହିଁ । ପରୀକ୍ଷଣ ଫଳରେ ଦୋଷ ଦୁର୍ବଳତା ବାହାରେ ପ୍ରକାଶ ହେଲେ ବା ଦଣ୍ଡବିଧାନ ହେଲେ, ସେ ପରୀକ୍ଷାକୁ ଭୟ କରେ । କେତେକ ଶିକ୍ଷାର୍ଥୀଙ୍କ ପାଇଁ ଭୟର ପରିମାଣର ମାତ୍ରା ଏତେ ଅଧିକ ଯେ, ସେମାନେ କେତେକ ଅବାଞ୍ଛିତ କାର୍ଯ୍ୟ କରନ୍ତି । ଯଥା: ବିଦ୍ୟାଳୟକୁ ନଯିବା, ଘରୁ ଲୁଚି ପଳାଇବା, ପରୀକ୍ଷା ପୂର୍ବରୁ ଜ୍ୱର ହେବା, ମୂର୍ଚ୍ଛା ଯିବା, ଖାଦ୍ୟ କମିଯିବା, ରାତିରେ ଶୋଇ ନ ପାରିବା, ଆତ୍ମହତ୍ୟା ପାଇଁ ଚେଷ୍ଟା କରିବା ଇତ୍ୟାଦି ।

ପରୀକ୍ଷଣରେ ପ୍ରାପ୍ତାଙ୍କ ଆଶାନୁରୂପ ନହେଲେ ଶିକ୍ଷାର୍ଥୀର ଆତ୍ମବିଶ୍ୱାସ, ଆତ୍ମପ୍ରତ୍ୟୟ ଓ ଆତ୍ମସମ୍ମାନ ବିଶେଷ ଭାବେ ଆଘାତ ପ୍ରାପ୍ତ ହୁଏ । ଏହା ଶିକ୍ଷାର୍ଥୀପାଇଁ ଏକ ସନ୍ତୋଷଜନକ ପରିସ୍ଥିତି ସୃଷ୍ଟିକରେ ନାହିଁ । ତେଣୁ ସେ ପରୀକ୍ଷଣକୁ ଡରେ ଓ ଯେତେ ଦୂରସମ୍ଭବ ତା’ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ।

ପରୀକ୍ଷଣରେ ଆଶାନୁରୂପ କୃତିତ୍ୱ ହାସଲ ନ ହେଲେ ଶିକ୍ଷକ, ପିତାମାତା ଓ ଅନ୍ୟ ଗୁରୁଜନମାନଙ୍କଠାରୁ ଦଣ୍ଡ ପାଇବାର ଆଶଙ୍କା କରି ଶିକ୍ଷାର୍ଥୀ ପରୀକ୍ଷଣକୁ ଡରେ ।

ପରୀକ୍ଷଣ ଫଳରେ ଶିକ୍ଷାର୍ଥୀର ଦୋଷ ଦୁର୍ବଳତା ଅନ୍ୟମାନଙ୍କ ପାଖରେ ପ୍ରକାଶ ପାଏ । ତା’ର ସାଙ୍ଗସାଥି ଓ ଗାଁ ଗଣ୍ଡାର ଲୋକମାନେ ତା’ ବିଷୟରେ ସାଧାରଣତଃ ଖରାପ ଧାରଣା କରନ୍ତି । ଅନ୍ୟ କାର୍ଯ୍ୟଗୁଡ଼ିକୁ ଭଲ ଭାବରେ କଲେ ମଧ୍ୟ ତାକୁ ଉପଯୁକ୍ତ ସମ୍ମାନ ମିଳେ ନାହିଁ । ଏହିଭଳି ଅଭିଜ୍ଞତା ଦୁଇ ତିନିଥର ହୋଇଗଲା ପରେ ପରୀକ୍ଷା ନାଁ ଶୁଣିଲେ ତା’ର ମନ ଭିତରେ ଆଶଙ୍କା ସୃଷ୍ଟି ହୁଏ ।

ପିଲାଟି ଆଗରୁ ପାଠ ପଢ଼ି ନ ଥିଲେ ପରୀକ୍ଷା ନିକଟତର ହୋଇଗଲା ବେଳକୁ ସେ ଭୟଭୀତ ହୋଇଥାଏ । ସେ ଭାବେ ଯେ, ଏତେ କମ୍ ଦିନରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବ ନାହିଁ ଏବଂ ତା’ର ଦୋଷ ଦୁର୍ବଳତା ସମସ୍ତେ ଜାଣିଯିବେ । ତେଣୁ ପରୀକ୍ଷା କଥା ଭାବିଲା ବେଳକୁ ତାକୁ ଡର ଲାଗେ ।

ପରୀକ୍ଷା ଶିକ୍ଷାର୍ଥୀ ପାଇଁ ଏକ କଷ୍ଟକର କାର୍ଯ୍ୟ । ଅନ୍ତତଃ ପରୀକ୍ଷଣ ସମୟତକ ତାକୁ ମନଯୋଗ ସହକାରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସିବାକୁ ପଡେ଼ ଓ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବାକୁ ପଡେ଼ । ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ପୀଡ଼ାଦାୟକ ଓ କ୍ଲାନ୍ତି ସୃଷ୍ଟି କରେ । ପରୀକ୍ଷାରେ ଯେ ଏତେ ପରିମାଣର ମାନସିକ ମନୋନିବେଶର ଆବଶ୍ୟକତା ପଡ଼ିବ, ଏହିକଥା ଭାବି ସେ ଭୟଭୀତ ହୁଏ । କାରଣ, ପରୀକ୍ଷଣ ତା’ର ସନ୍ତୋଷଜକ ପରିସ୍ଥିତି ସୃଷ୍ଟି କରୁଥିବା କାର୍ଯ୍ୟଠାରୁ ତାକୁ କିଛି ସମୟ ପାଇଁ ଦୂରେଇ ରଖେ ।

ସରକାର ଅସୁବିଧା ଓ ସମାଧାନ ଉଭୟ ଆମ ଲାଗି ବାଧ୍ୟତାମୂଳକ କରିବା ପରେ ବି ଆମେ ଆରାମରେ ନିଶ୍ଚିତ ହୋଇ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ଅଛନ୍ତି ।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର କାର୍ଯ୍ୟରତ ପ୍ରଫେସର, ଡଃ.ଅଭିଜିତ ପାଠକ ତାଙ୍କ ନିବନ୍ଧ "The perils of an exam-centric education system"ରେ ଠିକ୍ ଏଇ ପ୍ରସଙ୍ଗକୁ ଏକ ଭିନ୍ନ ମୋଡ଼ ଦେଇ ଉପସ୍ଥାପନା କରିଛନ୍ତି ।

ଶିକ୍ଷାର ମୁଖ୍ୟ ଲକ୍ଷ୍ୟ, ପିଲାର ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ନ ହୋଇ ଭବିଷ୍ୟତର ମାନବ ସମ୍ବଳର ଆବଣ୍ଟନ ପାଇଁ ମନୋନୟନ ଓ ପ୍ରତ୍ୟାଖ୍ୟାନର ଏକ ନିଷ୍ଠୁର ଉପାୟ ହୋଇଯାଇଛି । ଏହାଦ୍ୱାରା ତିନୋଟି ମୁଖ୍ୟ ସମସ୍ୟା ଦେଖା ଦେଇଛି ।

ପ୍ରଥମତଃ ଅର୍ଥପୂର୍ଣ୍ଣ ଶିକ୍ଷଣ ହୋଇ ପାରୁନାହିଁ । କାରଣ ଶିକ୍ଷାର ସମ୍ପୂର୍ଣ୍ଣ ଅନୁଭୂତି କେନ୍ଦ୍ରିତ ହୋଇ ରହିଥାଏ କେବଳ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ । ଏହି ଯାନ୍ତ୍ରିକ ପଦ୍ଧତି ପିଲାଟିକୁ ଶିଖିବାରୁ ଆନନ୍ଦ ପାଇବା ବା ଯେକୌଣସି ବିଷୟରେ ସମ୍ପୂର୍ଣ୍ଣ ଗଭୀରକୁ ଯିବାରୁ ନିବୃତ୍ତ କରୁଛି । ପିଲାଟିର ଶିକ୍ଷାନୁଭବର ମୁଖ୍ୟ ଉପାୟ ଟୁ୍ୟଟୋରିଆଲ, କୋଚିଂ, ଗାଇଡ୍ ବହି ହୋଇଯାଉଛି ।

ବସ୍ତୁନିଷ୍ଠ, ତଥ୍ୟମୂଳକ ଓ କ୍ଷୁଦ୍ର ଉତ୍ତର ପିଲାର ସୃଜନାତ୍ମକତା ଓ ତୁଳନାତ୍ମକ ଭାବନା ସାମର୍ଥ୍ୟକୁ ମାରିଦେଉଛି । ଦ୍ୱିତୀୟରେ ଏହା ଏକ ପେଶା ହିସାବରେ ଶିକ୍ଷାର ଆତ୍ମାକୁ ହତ୍ୟା କରେ । ଶିକ୍ଷକର ଭୂମିକା ପିଲା ଲାଗି ଜଣେ ଉତପ୍ରେରକ ବା ପୃଥିବୀକୁ ଦେଖିବା ଲାଗି ଗୋଟେ ଝରକା ହୋଇ ଆଉ ରହେନାହିଁ । ପରୀକ୍ଷା କେନ୍ଦ୍ରିତ ବ୍ୟବସ୍ଥାରେ ଶିକ୍ଷକ ବି ନିଜର ସୃଜନାତ୍ମକତା ଓ ସ୍ୱାଧୀନତା ହରାଇ ବସୁଛି । ଶିକ୍ଷକର ଭୂମିକା ଶିକ୍ଷା ଯନ୍ତ୍ରରେ ପିଲାକୁ ପକାଇ କେବଳ ପରୀକ୍ଷା ନିମିତ୍ତ ପ୍ରସ୍ତୁତ କରିବା ହୋଇଯାଇଛି, ଯାହା ବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଅଭିଭାବକଙ୍କର ଇଚ୍ଛା ପୂର୍ତ୍ତି ଉପରେ ନିର୍ଭର କରୁଛି । ତୃତୀୟତଃ; ସାପ୍ତାହିକ ପରୀକ୍ଷାଠୁ ଆରମ୍ଭ କରି ମାସିକ, ତ୍ରୈମାସିକ, ଷାଣ୍ମାସିକ, ବାର୍ଷିକ, ବୋର୍ଡ ଯାଏ ପରୀକ୍ଷାର ଲମ୍ବା ଜଞ୍ଜିର ଏତେ ଦମନମୂଳକ ଯେ, ଗୋଟିଏ ଅତି ସୂକ୍ଷ୍ମ ଓ ଜୀବନ ସମ୍ପର୍କିତ ମୂଲ୍ୟାୟନ କଥା କଳ୍ପନା କରିବା ଅତ୍ୟଧିକ କଠିନ ବା ଏକପ୍ରକାର ଅସମ୍ଭବ ହୋଇଯାଉଛି ।

ପିଲା ଆହ୍ୱାନକୁ ଭଲ ପାଏ । ତେଣୁ ତା’ ଭିତରେ ଭୟ ସୃଷ୍ଟି ନ କରି ବୋଧ, ବୌଦ୍ଧିକ, ଶାରୀରିକ, କଳା, ଆବେଗ ସମ୍ବନ୍ଧୀୟ ସାମର୍ଥ୍ୟକୁ ତିଆରି କରିବା ହେଉଛି ଆମ ଲାଗି ଶିକ୍ଷା ବିଜ୍ଞାନ ସମ୍ପର୍କିତ ବର୍ତ୍ତମାନର ମୂଖ୍ୟ କାର୍ଯ୍ୟ । Michael Foucault ଙ୍କ ମତରେ, “This normalization of examination in the context of a disciplinary society establishes constant visibility ore individuals and produces docile bodies and minds.” ଆମର ଏଇ ଗତାନୁଗତିକ ଶିକ୍ଷା ବ୍ୟତୀତ ଆହୁରି ଅନେକ କାମ ଅଛି, ଯାହା ପିଲାର ଅନ୍ତର୍ନିହିତ ସମ୍ଭାବନାକୁ ଚିହ୍ନିବାରେ ସହାୟକ ହୋଇପାରିବ । ଏଇ ଯେମିତି ଦଳରେ କାମ କରିବା, ସାଥିଙ୍କ ସହ ମିଳିମିଶି କାମ କରିବା, ବହି ସହ ସତସତିକା ପୃଥିବୀର ଘଟଣାମାନଙ୍କୁ ଯୋଡ଼ି ଆଲୋଚନା କରିବା, ବିଭିନ୍ନ କ୍ଷେତ୍ରକୁ ଯିବା, ନିଜେ କାମ କରୁ କରୁ ଶିଖିବା ଇତ୍ୟାଦି ।

ଆଜିକାଲି ତ ନବେ ପ୍ରତିଶତ ତଳକୁ ରଖୁଥିବା ପିଲାଙ୍କୁ ବି ବିଫଳ ବୋଲି କୁହାଗଲାଣି । ଆମର ଏହି ନୂତନ ସଂଜ୍ଞା ପିଲାଙ୍କ ଭିତରେ ନିଜ ପରିଚୟ ହରାଇବା ଲାଗି ଓ ଆତ୍ମବିଶ୍ୱାସ କମାଇବା ଲାଗି ଯଥେଷ୍ଟ ସକ୍ଷମ ନିଶ୍ଚୟ । ସମ୍ଭବତଃ, ଏକ ସମାଜ ହିସାବରେ ଶିକ୍ଷାର ନୂଆ ନୂଆ ପଦ୍ଧତିଗୁଡ଼ିକୁ ଆପଣେଇବାକୁ ଆମର ସାହସ ନାହିଁ । ନୂଆ ନୂଆ ଯୋଜନାଗୁଡ଼ିକୁ ମଧ୍ୟ କଳ୍ପ ଲୋକବାଦୀ ବା ଆଦର୍ଶ କହି ଅଳିଆଗଦା ଭିତରକୁ ଫିଙ୍ଗି ଦିଆଯାଉଛି ଆଜିକାଲି । ତେବେ କ’ଣ ଆମେ ଏହି ରାସ୍ତାରେ ଚାଲିବା ପାଇଁ ହିଁ ନିୟତି ନିର୍ଦ୍ଧିଷ୍ଟ କହି ଖସିଯିବା ନା ଶିକ୍ଷାର ଅସଲ ଆନନ୍ଦଟିକୁ ପୁନଃ ଆବିଷ୍କାର କରିବା ?

ଆମ ଭିତରେ ଏତେ ପରୀକ୍ଷା ପ୍ରବଣତା କାହିଁକି? ପିଲାମାନଙ୍କୁ ଭୁଲ୍, ଛୋଟ, ଅଜ୍ଞାନୀ, ମୂର୍ଖ, ଗଧ ପ୍ରମାଣିତ କରିବାର ଏତେ ଅପଚେଷ୍ଟା କାହିଁକି? ପିଲାବେଳେ ଆମେ ନିଜେ କେଉଁଠି, କେମିତି, କେବେ ଉପହାସିତ ହୋଇଛେ ବୋଲି ତାହାକୁ ହିଁ ଅନ୍ୟମାନଙ୍କୁ ଦେଇ ଖୁସି ହେବାର ୟେ ଏକ ମାନସିକ ବିକୃତି ନୁହେଁ ତ? ଅଭିଭାବକଙ୍କ ଆଗରେ ବାରମ୍ବାର ମାର୍କ ସିଟ୍ ଦେଖାଇ ନିଜେ ମହାନ୍ କାର୍ପଟଦାର ବୋଲାଇବାର ମୋହ ଆମର ନୁହେଁ ତ? ପିଲାଟି ଭଲ କରୁଥିଲେ ନିଜେ ମହାନ୍ ଓ ଭଲ କରୁନଥିଲେ ଆହୁରି ଅଧିକ ପଢ଼ିବାକୁ ବ୍ୟକ୍ତିଗତ ଟ୍ୟୁସନ୍ ଦରକାର କହି ରୋଜଗାର କରିବାର ନୂଆ ବାଟ ନୁହେଁ ତ ? ମୁଁ ବି ସତରେ ଜାଣିପାରୁନି ଏସବୁ କ’ଣ ପାଇଁ ଚାଲିଛି । ସେଥିପାଇଁ କେତୋଟି ସମ୍ଭାବ୍ୟ କାରଣ କେବଳ ଲେଖିଛି, ଯାହା ସମ୍ପୂର୍ଣ୍ଣ ପଦ୍ଧତିଟିକୁ ବିଶ୍ଳେଷଣ କରିବା ବେଳେ ମୋତେ ମିଳିଛି । କାହାକୁ ଉପହାସିତ କରିବା ମୋର ଉଦ୍ଦେଶ୍ୟ ନୁହେଁ ।

ମୁଁ ଏମିତି ଶିକ୍ଷକମାନଙ୍କୁ ମଧ୍ୟ ଦେଖିଛି, ଯେଉଁମାନେ ପିଲାଙ୍କୁ ମନରୁ ଭାବି ଶବ୍ଦ ଲେଖିବାକୁ କହିବା ବେଳେ କି ପ୍ରବନ୍ଧଟିଏ ଲେଖିବାକୁ ଦେବାବେଳେ ନିଜେ ମଧ୍ୟ ଶିକ୍ଷାର୍ଥୀଟିଏ ସାଜି ସାଙ୍ଗରେ ବସି ଉତ୍ତର ଲେଖୁଥାନ୍ତି । ଖାତା ଅଦଳ ବଦଳ କରି ଦେଖିବା ପ୍ରକ୍ରିୟାରେ ଶିକ୍ଷକଙ୍କ ଖାତାଟି ମଧ୍ୟ ବୁଲୁଥାଏ ପିଲା ପରୀକ୍ଷକଙ୍କ ହାତରେ । ସମସ୍ତେ ସେଠି ପରୀକ୍ଷାର୍ଥୀ ଓ ପରୀକ୍ଷକ । ଏପରି ଶିକ୍ଷକମାନେ ପିଲାଟିଏକୁ ମାରିପିଟି ପାଠ ସବୁକୁ ଗିଳେଇଦେଇ ବାଃ ବାଃ ନେବା ପାଇଁ କି ମୂର୍ଖ ବୋଲି ବାରମ୍ବାର କହି ଶିକ୍ଷାର୍ଥୀକୁ ହୀନମନ୍ୟ କରନ୍ତି ନାହିଁ; ସମସ୍ତେ ସାଙ୍ଗ ହୋଇ ଶିଖିବା ଥାଏ ଉଦ୍ଦେଶ୍ୟ । ସେମାନଙ୍କୁ କମ୍ ମାର୍କ ଦେବା ଦ୍ୱାରା ଯେଉଁ ଅସୁବିଧା (ଭବିଷ୍ୟତରେ ଶିଖିବା ଲାଗି ଆଗ୍ରହ କମିଯିବା ବା ନିଜକୁ ଛୋଟ ମନେକରିବା)ଟି ସୃଷ୍ଟି ହୁଏ ସେଥିରୁ ପିଲାକୁ ରକ୍ଷା କରିବାଟାକୁ ନିଜର କର୍ତ୍ତବ୍ୟ ବୋଲି ସେମାନେ ମନେକରନ୍ତି । ତେଣୁ ନିର୍ଦ୍ଦିଷ୍ଟ ଗୋଟେ ପ୍ରଶ୍ନର ଭୁଲ୍ ତଥ୍ୟ (ମୋ ମତରେ କିନ୍ତୁ ଉତ୍ତରକୁ କେବେ ଭୁଲ୍ କୁହାଯାଇ ପାରେନା) ଦେବାଟା ଯେ ନିହାତି ସାଧାରଣ କଥା ଓ ଶିଖିବାର ବାଟରେ ଏସବୁ ନିଶ୍ଚୟ ଆସେ ବୋଲି ଜଣେଇ ଦେଇ ଶିକ୍ଷକଟି ପିଲା ଭିତରେ ଜାଣିବାର ଇଚ୍ଛାଟିକୁ ସାରା ଜୀବନ ବଞ୍ଚାଇ ରଖିବାର ଏ ଯେଉଁ ଚେଷ୍ଟାଟି କରେ ତାହା ହିଁ ଅନନ୍ୟ ।

ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷା ସଂଗଠନ ଓ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ଶିକ୍ଷକ, ପରିଚାଳନା ଗୋଷ୍ଠୀ, ପରିଚାଳକ, ସମ୍ପାଦକ, ଶିକ୍ଷାକର୍ମୀ, ଶିକ୍ଷାବିତ୍, ଶିକ୍ଷା ଗବେଷକମାନେ ବହୁତ ପଢ଼ିଛନ୍ତି ନିଶ୍ଚୟ । ଆମର ଏତେ ବଡ଼ ପୃଥିବୀରେ ଶହ ଶହ ସ୍ଥାନରେ ବିଗତ ଚାରି ଶହ ବର୍ଷ ତଳୁ ଆଜିଯାଏ ଚାଲି ଆସିଥିବା ଲକ୍ଷ ଲକ୍ଷ ବିକଳ୍ପ ଶିକ୍ଷା ବ୍ୟବସ୍ଥା ବିଷୟରେ ଆମେ ଶୁଣିଥିବା ବା ଜାଣିଥିବା ନିଶ୍ଚୟ । ଅନେକ ଶିକ୍ଷାବିତ୍ ଙ୍କର ଶିକ୍ଷାର ପ୍ରୟୋଗ ଓ ତାର ନିଷ୍କର୍ଷକୁ ପଢ଼ି ବୁଝିଥିବା ବି ନିଶ୍ଚୟ । ସରକାରୀ ସ୍ତରରେ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷଣ ଲାଗି ତନାଘନା ଚାଲିଥିବା ପ୍ରୟାସ ଓ କର୍ମଶାଳାଗୁଡ଼ିଏ ମଧ୍ୟ ହେଲାଣି ।

ତେବେ ଆମେମାନେ ଥରେ ନିଶ୍ଚୟ ‘ଆମ ଭିତରେ ପରୀକ୍ଷା ପାଇଁ ଏତେ ବ୍ୟଗ୍ରତା କାହିଁକି’ ଜାଣିବା ଲାଗି ନିଜକୁ ନିଜ ପରୀକ୍ଷାଗାରରେ ଠିଆ କରାଇବା । ଉପରେ ଦିଆଯାଇଥିବା ସମ୍ଭାବ୍ୟ କାରଣମାନଙ୍କ ସହ ଆପଣାର ସମ୍ଭାବ୍ୟ କାରଣମାନଙ୍କୁ ମିଶାଇ ବିଚାରିବା; ପରୀକ୍ଷାଟି କ’ଣ ପାଇଁ, କେତେ ଶିଖିଲେ ଜାଣିବା ପାଇଁ ନା ଚାକିରି ଶିଢ଼ିରେ ଚଢ଼ିବା ପାଇଁ ନା ଆଉ କିଛି ? ପ୍ରକୃତ ଶିକ୍ଷା କ’ଣ ଓ କାହିଁକି ? ଜୀବନ ପାଇଁ ନା ରୋଜଗାର ପାଇଁ ନା ସମ୍ମାନ ପାଇଁ ?

ଯଦି ଆମେ ସତକୁ ସତ ଭାବିବାକୁ ଆରମ୍ଭ କରିବା, ଆପଣାର ଉତ୍ତର ସହ ସାମ୍ନାସାମ୍ନି ହେବା, ତେବେ ନିଶ୍ଚୟ ଦିନେ ନା ଦିନେ ସଠିକ୍ ଉତ୍ତର ପାଇଯିବା । ବିଶ୍ୱାସ କରନ୍ତୁ, ସଠିକ୍ ଉତ୍ତର ପାଇଯିବା ପରେ ସମାଜ ସହ ତାଳ ଦେଇ ଚାଲିବାକୁ ଆଉ ଆଦୌ ଇଚ୍ଛା ହେବନି, ଗତାନୁଗତିକ ଘୋଷା ଶିକ୍ଷା ଆଉ ବିଲକୁଲ୍ ବି ଭଲ ଲାଗିବନି । ଆମ ଭିତରେ ବ୍ୟଗ୍ରତା ବଢ଼ିଯିବ ସେଇମାନଙ୍କୁ ଭେଟିବାକୁ ଯେଉଁମାନେ ଖାସ୍ ଜୀବନ ବଞ୍ଚିବା ଲାଗି ହିଁ ଶିଖୁଛନ୍ତି, ନିଜ ସମ୍ଭାବନାର ବିକାଶ କରିବା ଲାଗି ହିଁ ବାଟଟିଏ ଖୋଜୁଛନ୍ତି । ଯେଉଁମାନଙ୍କ ଲାଗି ପରୀକ୍ଷା ନୁହେଁ, ଆପଣା ସାମର୍ଥ୍ୟର ବିକାଶ ଓ ଆପଣାର ଜୀବନ ହିଁ ଶିକ୍ଷାର ଅସଲ ମାପକାଠି ।

ଶିକ୍ଷା କେବେ ବି ମାଛ, ଚଢେ଼ଇ, ହାତୀ, ମାଙ୍କଡ଼, ଠେକୁଆ ଇତ୍ୟାଦିଙ୍କୁ ଗୋଟିଏ ଧାଡ଼ିରେ ଠିଆ କରେଇ ଯୋଗ୍ୟତା ମାପିବା ଲାଗି ସମସ୍ତଙ୍କୁ ଗଛ ଚଢ଼ିବାର ପରୀକ୍ଷା ଦେବାକୁ କହି ପାରଗ-ଅପାରଗ ବାଛିବାର ବା ସେମାନଙ୍କ ସାମର୍ଥ୍ୟ ମାପିବାର ଏକ ପ୍ରହସନ ବିଲକୁଲ ବି ହୋଇ ନ ରହୁ । ଶିକ୍ଷା କେବଳ ଜୀବନକୁ ଓ ଜଗତକୁ ଜାଣିବାର, ଚିହ୍ନିବାର, ବୁଝିବାର ଅଗ୍ନିଟିକୁ ଚିରଦିନ ଆପଣା ଭିତରେ ଜଳେଇ ରଖିବାର ଏକ ପ୍ରୟାସ ହେବା ସହ ନିତିନିତି ଆପଣା ସମ୍ଭାବନା ଓ ସାମର୍ଥ୍ୟର ଆବିଷ୍କାରର ଆନନ୍ଦରେ ବୁଡ଼ି ରହିବାର ଏକ ଉତ୍ସବ ହୋଇ ରହୁ ଜୀବନ ତମାମ୍ ।