ଫଟୋ - ସୁମିତ୍ରା ପାଢୀ

ଯେଉଁ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ପରୀକ୍ଷାଟିର ଆୟୋଜନ କରିଥିଲି, ସେଠାରେ ‘ପରୀକ୍ଷା ବା ମୂଲ୍ୟାୟନ’ ପିଲାଙ୍କର ଭାବାବେଗକୁ କେମିତି ବାରବାର ଧକ୍କା ଦିଏ ତାହା ବୁଝିବା ଲାଗି ଅନେକ ପ୍ରୟାସ ଓ ପରୀକ୍ଷା ନିରୀକ୍ଷା କରାଯାଇଛି ପୂର୍ବରୁ । ସବୁ ଶିକ୍ଷକ ସହଯୋଗ ନ କଲେ ବି ମୋ ମାଆ (ଶିକ୍ଷକ) ଏକାକୀ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ମୂଲ୍ୟାୟନର ବାଟ ବଦଳାଇଛି ଅନେକ । ଚେଷ୍ଟା କରିଛି ପରୀକ୍ଷାର ଆବଶ୍ୟକତା ବୁଝିବା ପାଇଁ ଓ ସଂସ୍କାରଗତ ଭାବେ ହୋଇ ଆସୁଥିବା ଅତି ନିକୃଷ୍ଟ ପରୀକ୍ଷା ପଦ୍ଧତିଟିକୁ ଭାଙ୍ଗି ଏକ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ । ଆମେ ସମସ୍ତେ ପରୀକ୍ଷାର ଯେଉଁ ଧାରଣାଗୁଡ଼ିକୁ ଧରି ରଖିଛନ୍ତି ବା ତାହା ବୁଝିବା କ୍ଷେତ୍ରରେ କେଉଁ ଜାଗାରେ ଅଛନ୍ତି ଜାଣିବା ପାଇଁ ମାଆ କରିଥିବା ପ୍ରୟୋଗରୁ କେତୋଟି ଏଠାରେ ଉପସ୍ଥାପନା କରୁଛି ।

୧. ନିଜ ପରୀକ୍ଷା ଖାତା ଦେଖିବାର ଦାୟିତ୍ୱ ନିଜେ ପିଲା ହିଁ ନିଅନ୍ତି । ନିଜ ଖାତାର ଉତ୍ତରଗୁଡ଼ିକ ଠିକ୍ ଅଛି କି ନାହିଁ ଜାଣିବାକୁ ବହି ଦେଖନ୍ତି, ନିଜ ଉତ୍ତର ସହ ବହିର ଉତ୍ତର ମିଳାନ୍ତି । ତେବେ ଯାଇ ନିଜକୁ ନମ୍ବର ଦିଅନ୍ତି ।

୨. ପରୀକ୍ଷା ହଲ୍ ରେ ପ୍ରଶ୍ନପତ୍ର ସହ ନିର୍ଦ୍ଧିଷ୍ଟ ବିଷୟର ବହିଟି ମଧ୍ୟ ଦିଆଯାଇଛି କେତେଥର । ସମୟ କିନ୍ତୁ ଯେତିକି (୧୦୦ ମାର୍କକୁ ଦୁଇ ଘଣ୍ଟା) ଦିଆଯିବା କଥା ସେତିକି ଦିଆଯାଇଛି । ସେଇ ଏକା ସମୟସୀମା ଭିତରେ ସେମାନେ ବହିରୁ ଉତ୍ତର ଖୋଜି ଦେଖି କରି ଲେଖିଛନ୍ତି ।

୩. ନିର୍ଦ୍ଧାରିତ ସମୟ (୧୦୦ ମାର୍କକୁ ଦୁଇ ଘଣ୍ଟା) ଭିତରେ ବହି ଦେଖି କେବଳ ପ୍ରଶ୍ନ ତିଆରି କରିଛନ୍ତି ।

୪. ଏମିତି କିଛି ମୁକ୍ତ ଉତ୍ତରମୂଳକ ପ୍ରଶ୍ନପତ୍ର ମାଆ ପ୍ରସ୍ତୁତ କରିଛି, ଯାହାର ଉତ୍ତର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ଦେଇପାରିବେ । ଗୋଟିଏ ପ୍ରଶ୍ନପତ୍ର ଉପରେ ସମସ୍ତେ ପରୀକ୍ଷା ମଧ୍ୟ ଦେଇଛନ୍ତି । ଖୁବ୍ ସୁନ୍ଦର ଉତ୍ତରମାନ ମଧ୍ୟ ଲେଖିଛନ୍ତି । (ସବୁଠୁ ଅଧିକ ଉତ୍ତର ଦେଇଛି ଚତୁର୍ଥ ଶ୍ରେଣୀର ପିଲାଟିଏ) ।

୫. ପିଲାମାନେ ନିଜେ ତିଆରି କରିଛନ୍ତି ପ୍ରଶ୍ନପତ୍ର ପୂର୍ବ ଦିନରୁ । ନିଜ ତିଆରି ପ୍ରଶ୍ନର ଉତ୍ତର ନିଜେ ବସି ଲେଖିଛନ୍ତି ।

୬. ବିନା ସୂଚନାରେ ହୋଇଥିବା ପରୀକ୍ଷାଟିରେ ଖୁବ୍ ଭଲ କରିଛନ୍ତି ତ ସୂଚନା ଦେଇ କରିଥିବା ପରୀକ୍ଷାରେ ଖରାପ ।

୭. ପରୀକ୍ଷାର ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ପାଇ ପ୍ରସ୍ତୁତ ହୋଇ ଆସି ଉତ୍ତର ଲେଖିଛନ୍ତି ।

୮. ପିଲାମାନେ ହିଁ ପରସ୍ପରର ପରୀକ୍ଷା ଖାତା ଦେଖିଛନ୍ତି । ମାର୍କ ବି ଦେଇଛନ୍ତି । କେବେ ସାନ ପିଲା ଉପର ଶ୍ରେଣୀ ପିଲାମାନଙ୍କର ତ କେବେ ବଡ଼ ପିଲା ସାନମାନଙ୍କର ଖାତା ଦେଖିଛନ୍ତି ।

୯. ପରୀକ୍ଷା ଖାତା ଶିକ୍ଷକ ଦେଖୁଥିବା ବେଳେ ନିର୍ଦ୍ଦିଷ୍ଟ ପିଲାଟିକୁ ପାଖକୁ ଡାକି ତା’ର ମତାମତ ନେଇ, ତା’ ଚାହିଁବା ମୁତାବକ ନମ୍ବର ଦେଇଛନ୍ତି ।

୧୦. ପରୀକ୍ଷା ପରେ ଉତ୍ତର ଖାତାକୁ ଅଭିଭାବକଙ୍କୁ ଦେଖିବାକୁ ଦେଇ ପିଲାଟିକୁ ସେଇ ନିର୍ଦ୍ଦିଷ୍ଟ ପ୍ରଶ୍ନ ସବୁକୁ ପଚାରିବାକୁ କହିଛନ୍ତି । ପିଲାଟି ନମ୍ବର ପାଇ ନ ଥିବା ପ୍ରଶ୍ନର ସଠିକ୍ ଉତ୍ତର ଓ ନମ୍ବର ପାଇଥିବା ପ୍ରଶ୍ନର ବି ଭୁଲ୍ ଉତ୍ତର ଦେବା କଥାଟିକୁ ଅଭିଭାବକ ଦେଖିବା ବେଳେ ନିଜ ପିଲାଟିକୁ ଚିହ୍ନିଛନ୍ତି ।

୧୧. ଭିନ୍ନ ଭିନ୍ନ ସମୟରେ ମାର୍କ, ଗ୍ରେଡ୍, ପର୍ସେଣ୍ଟେଜ, ରିପୋର୍ଟ ଆଦି ମୂଲ୍ୟାୟନ ପଦ୍ଧତିର ଅନୁସରଣ କରିଛନ୍ତି ।

ଆଉ ଦୁଇଟି ଆଗ୍ରହଦାୟକ ଘଟଣା ମନେପଡ଼ୁଛି ଏଇଠି । ଗୋଟେ ଥର ପିଲାମାନେ ପ୍ରତିଟି ବିଷୟରେ (ଗଣିତ, ଇଂରାଜୀ, ସାହିତ୍ୟ ଇତ୍ୟାଦି) ବହି ନଦେଖି ୧୦୦ ମାର୍କର ପ୍ରଶ୍ନପତ୍ର ପ୍ରସ୍ତୁତ କଲେ । ପରୀକ୍ଷାର୍ଥୀ ଥିଲେ ସମ୍ପୃକ୍ତ ବିଷୟ ପଢ଼ାଉଥିବା ଶିକ୍ଷକମାନେ । ପ୍ରଶ୍ନ ପାଇବା ପରେ ଖୁବ୍ ଖୁସି ହୋଇଯାଇଥିଲେ ଶିକ୍ଷକମାନେ, ଏତେ ବର୍ଷ ଧରି ପଢ଼ାଇ ଆସୁଥିବା ପ୍ରଶ୍ନଗୁଡ଼ିକ ଦେଖି ଦେଇ ମନ ଖୁସିରେ ଉତ୍ତର ଦେବାକୁ ମଧ୍ୟ ବସିଲେ । ପରୀକ୍ଷା ଦେଇସାରି ନିଜ ଖାତାଗୁଡ଼ିକରେ ନମ୍ବର ବି ନିଜେ ହିଁ ଦେଲେ । କିନ୍ତୁ ଆଶ୍ଚର୍ଯ୍ୟ ହେଲେ ସେତେବେଳେ, ଯେତେବେଳେ ସେମାନଙ୍କ ଭିତରୁ କେହି ବି ଜଣେ ଶହେରୁ ଶହେ ନମ୍ବର ରଖିପାରିଲେନି । ହେଲେ କାହିଁକି ? କାହିଁକିର ଉତ୍ତର ତାଙ୍କ ପାଖେ ନଥିଲା । ଆମ ପାଖେ କିଛି ଉତ୍ତର ଅଛି କି?

ଆଉ ଥରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ପିଲାର ଅଭିଭାବକ ତାଙ୍କ ଗାଁର ଜଣେ ଖୁବ୍ ନାଁ ଥିବା ଟ୍ୟୁସନ୍ ସାରଙ୍କୁ ସାଙ୍ଗରେ ନେଇ ଆସିଥା’ନ୍ତି ନିଜ ପିଲା କେତେ କ’ଣ ଜାଣିଲାଣି ପରୀକ୍ଷା କରେଇବାକୁ । ବିଦ୍ୟାଳୟଟିର ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ ଜାଣିଥିଲେ ବି ପଣିକିଆ, ବନାନ୍, ଅନୁବାଦ (ଓଡ଼ିଆରୁ ଇଂରାଜୀ), ଆଦି ଗତାନୁଗତିକ ପ୍ରଶ୍ନ ପଚାରି ଚାଲିଲେ । ପିଲାଟି ବିଦ୍ୟାଳୟ ପରିବର୍ତ୍ତନ କରି ନୂଆ ଢଙ୍ଗରେ ଶିଖିବା ଭିତରେ ପୁରୁଣା ଘୋଷା ପାଠ ସବୁ ଭୁଲିଯାଇଛି ବୋଲି ଓ କିଛିଟା ଡର ପାଇଁ ପ୍ରଥମେ ପ୍ରଥମେ ପାଟି ଖୋଲିଲାନି । ବୁଝାଇବା ପରେ ଅଳ୍ପ କେତୋଟିର ସଠିକ୍ ଉତ୍ତର ଦେଲା ତ ଆଉ କେତେକର ପାରିଲାନି । ସାର୍ ଜଣଙ୍କ ଆସି ଅଧ୍ୟକ୍ଷାଙ୍କ ପାଖରେ ଅଭିଯୋଗ କଲେ ପିଲାଟି କିଛି ଜାଣିନି ବୋଲି । ତେଣୁ ଅଧ୍ୟକ୍ଷା ପୁଣି ଥରେ ତାଙ୍କୁ ଅନୁଷ୍ଠାନର ଶିକ୍ଷାବ୍ୟବସ୍ଥା ଓ ଶିକ୍ଷଣ ପ୍ରକ୍ରିୟା ଉପରେ ବୁଝାଇବା ସହ ସ୍ମୃତିଶକ୍ତିର ଆବଶ୍ୟକତା କେତେ ଓ ତାହାକୁ ସମସ୍ତେ ସମାନ ଭାବରେ କର୍ଷଣ କରିନଥା’ନ୍ତି କହି ବୁଝାଇବା ପରେ ମଧ୍ୟ ସେ ବୁଝିବାକୁ ନାରାଜ । ଏଥର ଅଧ୍ୟକ୍ଷା ପିଲାଟିକୁ ଡାକି ସେ ଜାଣିଥିବା କଥାଗୁଡ଼ିକରୁ କିଛି ତା’ର ସାରଙ୍କୁ ପଚାରିବାକୁ କହିଲେ । ଅବସୋସର କଥା, ସାର୍ ଜଣଙ୍କ ପିଲାଟି ପଚାରିଥିବା କୌଣସି ଗୋଟିଏ ବି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିଲେନି; ଗୋଟିଏ ଦୁଇଟିର ଆପେକ୍ଷିକ ଉତ୍ତର ଯାହା ଦେଲେ । ତା’ ପରର କଥା ଏଠାରେ ଲେଖିବାର ଆବଶ୍ୟକତା ନାହିଁ ।

ଆହୁରି ଏମିତି ଅନେକ ପ୍ରୟୋଗ, ପ୍ରୟାସ ଓ ପ୍ରସ୍ତୁତି । ସବୁ ଘଟଣାଗୁଡ଼ିକ କିନ୍ତୁ ଆମ ବ୍ୟବସ୍ଥା କେତେ ଭୁଲ୍, ତାହା ହିଁ ପ୍ରମାଣିତ କରିଛି । ଓଲଟପାଲଟ ହୋଇଛି ଧାରଣା ସବୁ । ୱିକିପେଡ଼ିଆରେ ପରୀକ୍ଷା ବିଷୟରେ ଖୋଜିଲେ ଆମ ପରୀକ୍ଷା ବ୍ୟବସ୍ଥା ଯେଉଁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି ସେ ବିଷୟରେ ଅନେକ କଥା ଲେଖାଯାଇଛି । ଏଇ ଯେମିତି, it encourages students to study for marks and remember things for the short term only to forget them by the time the next examination happens.

ମୋର ଜଣେ ବନ୍ଧୁ ଅନ୍ୟ ଏକ ବିଦ୍ୟାଳୟରେ ଚାଲୁଥିବା ପ୍ରୟୋଗ ବିଷୟରେ ଇଣ୍ଟରନେଟରୁ ଜାଣି ନିଜ ବିଦ୍ୟାଳୟର ଗୋଟିଏ ମୁଖ୍ୟ ସମସ୍ୟାର ସମାଧାନ କରିପାରିଥିଲେ । କଥାଟି ଏହିପରି; ଉତ୍ତରାଖଣ୍ଡର ପାହାଡ଼ିଆ ପରିବେଶର ଗୋଟିଏ ବିକଳ୍ପ ଶିକ୍ଷାକେନ୍ଦ୍ରରେ କାମ କରୁଥିଲେ ବନ୍ଧୁ ‘କ’ । ତାଙ୍କ ବିଦ୍ୟାଳୟକୁ ନୂଆ କରି ଆସିଥିବା କିଛି ଶିକ୍ଷକ ‘ପରୀକ୍ଷା ନ ହେଲେ ଶିକ୍ଷା ଅସମ୍ପୂର୍ଣ୍ଣ ରହିଯିବ’ ବୋଲି ବାରମ୍ବାର ଅଭିଯୋଗ କରୁଥିଲେ । କିଛି ଦିନ ପରେ ‘କ’ ସେମାନଙ୍କୁ ମୁଁ କହିଥିବା କେତୋଟି ପ୍ରଶ୍ନ ପଚାରିଥିଲେ । ଯଥା; ଆମେ ପରୀକ୍ଷା କରନ୍ତି କାହିଁକି ? ପରୀକ୍ଷା ସରିବା ପରେ ହେଉ କି ବିଷୟ ସରିବା ପରେ ହେଉ ଉତ୍ତର ଖାତା ଦେଖନ୍ତି କାହିଁକି ? ପରୀକ୍ଷା ଯଦି ଜ୍ଞାନ ମାପିବାର ସର୍ବୋତ୍ତମ ଓ ଏକମାତ୍ର ବ୍ୟବସ୍ଥା, ତେବେ ତାହା ପିଲାଟିକୁ ଜାଣିବାରେ ବାରମ୍ବାର ବିଫଳ ହୁଏ କାହିଁକି ? ମୂଲ୍ୟାୟନ ଲାଗି ଆଉ କିଛି ବାଟ ଅଛି କି ?

ଆମେ ବି କ’ଣ ଏସବୁ ପ୍ରଶ୍ନ ନିଜକୁ କେବେ ପଚାରିଛନ୍ତି କି ? ନା ସ୍ରୋତରେ କେବଳ ଭାସି ଚାଲିଛନ୍ତି ? ନହେଲେ ବୋଧହୁଏ ଉତ୍ତରଗୁଡ଼ିକ ସବୁ ଆଗରୁ ଜାଣିଛନ୍ତି ବୋଲି ହିଁ ପଚାରି ନାହାଁନ୍ତି ।

ପ୍ରଶ୍ନ ଶୁଣିବା ପରେ ସହକର୍ମୀ ଶିକ୍ଷକମାନେ ୟା’ ତା’ ମୁହଁ ଚାହାଁ ଚାହିଁ ହେଲେ ବୋଲି ‘କ’ ସେମାନଙ୍କୁ ଉତ୍ତର ଖୋଜିବାର ସହଜ ବାଟଟିଏ ବତାଇଦେଲେ । କହିଲେ, “ସମସ୍ତଙ୍କ ପାଖାରେ ତ ମୋବାଇଲ୍ ଅଛି । ସେଥିରେ ପ୍ରଥମ ଉତ୍ତରଗୁଡ଼ିକ ଖୋଜ (ଇଣ୍ଟରନେଟ୍ ସାହାଯ୍ୟରେ) ଓ ତା’ପରେ ସମସ୍ତେ ଏକାଠି ଗୋଟିଏ ଦଳରେ ବସି ଉତ୍ତରଗୁଡ଼ିକ ଆଲୋଚନା କର । ନିଜ ଶିକ୍ଷକ ଜୀବନର ଅନୁଭୂତି ଓ ପିଲାବେଳେ ନିଜ ଶିକ୍ଷାର୍ଥୀ ଜୀବନର ଅନୁଭବଗୁଡ଼ିକୁ ମନେପକାଇ ଇଣ୍ଟରନେଟ୍ ରୁ ପାଇଥିବା ଉତ୍ତର ସହ ତୁଳନା କରି ଉତ୍ତରଟିଏ ବାହାର କର" ।

ତାଙ୍କର ଏଇ ମ୍ୟାଜିକ୍ ଫର୍ମୁଲାଟି ସେଠି ଖୁବ୍ ଭଲ କାମ ଦେଇଥିଲା ବୋଲି ମୁଁ ବି ପରୀକ୍ଷା ବିଷୟରେ ଜାଣିବାର ନିଜ କୌତୂହଳକୁ ମେଣ୍ଟାଇବାକୁ ସେଇ ବାଟଟିକୁ ଆପଣେଇଥିଲି । ଖୋଜି ପାଇଥିବା ଉତ୍ତର ସହ ନିଜ ଅନୁଭବ ଓ କିଛି ଲୋକଙ୍କ ସହ ଆଲୋଚନାରୁ ଯାହା ନିଷ୍କର୍ଷ ପାଇଲି ତାହା ନିମ୍ନମତେ ।

ଆମେ ପରୀକ୍ଷା କରିବା ପଛରେ ଯେଉଁ ମୁଖ୍ୟ କାରଣଟି ଥାଏ ତାହା ହେଉଛି, ପିଲା କେତେ ଶିଖିଛି ବା ବୁଝିଛି ତାହା ନିର୍ଦ୍ଧାରଣ କରିବା । ତେବେ ପିଲାର ବୁଝିବାର ସାମର୍ଥ୍ୟକୁ ଚିହ୍ନିବାର (ଆମ ଭାଷାରେ ଜ୍ଞାନ) ଏକମାତ୍ର ବାଟ କ’ଣ କିଛି ପ୍ରଶ୍ନ ଦେଇ ଉତ୍ତର ଲେଖିବାକୁ ଘଣ୍ଟାଏ, ଦୁଇ ଘଣ୍ଟା ବସାଇଦେବା ?

ଆମ ହିସାବରେ ପରୀକ୍ଷା ଖାତାରେ ମାର୍କ ଦେଇ ଓ ଶ୍ରେଣୀ ଗୃହରେ ପ୍ରଶ୍ନୋତ୍ତର ଖାତା ଦେଖି ଭୁଲ୍ - ଠିକ୍ ମାରି ବା ସଂଶୋଧନ କରିଦେଇ ଅଭିଭାବକଙ୍କ ଲାଗି ଦାୟିତ୍ୱ ସାରିବା ହୁଏ । କିନ୍ତୁ ମାର୍ଥା ନାମରେ ଜଣେ ଶିକ୍ଷକ ୧୧ ବର୍ଷ ତଳେ ତାଙ୍କର ଗୋଟିଏ ବ୍ଲଗ୍ ରେ ଏହାର କାରଣ ସମ୍ପର୍କରେ କହିଥିଲେ ଯେ, ପିଲାଟି ଅନ୍ୟ ଗୋଟିଏ ବିଷୟକୁ ଯିବା ଆଗରୁ ବା ନିର୍ଦ୍ଦିଷ୍ଟ ବିଷୟଟିରେ ଅଧିକ ଜାଣିବା ଆଗରୁ ସେ ଯାହା ବୁଝିଛି ତାହା ଠିକ୍ କି ନାହିଁ, ଉଭୟ ପିଲା ଓ ଶିକ୍ଷକ ଜାଣିବା ଉଚିତ୍ । ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତରଟି ହିଁ କାହିଁକି ଠିକ୍ ହୁଏ ବୋଲି ଭାବିବା ନିମନ୍ତେ ପିଲାଟିକୁ ଆଗ୍ରହୀ କରାଇବା ଥାଏ ଉଦ୍ଦେଶ୍ୟ; ଯଦ୍ୱାରା ସେହି ନିର୍ଦ୍ଦିଷ୍ଟ ଉତ୍ତର ଦ୍ୱାରା ତୁଳନାତ୍ମକ ଓ ଯୁକ୍ତିବୁଦ୍ଧି ସାମର୍ଥ୍ୟର ବିକାଶ କରାଯାଇପାରିବ । ବିଭିନ୍ନ ସ୍ତରର ପିଲାଙ୍କ ଲାଗି ଏହା ଭିନ୍ନ ଭିନ୍ନ ସହାୟକ ଭାବରେ କାର୍ଯ୍ୟକରେ । ଜାଣିଥିବା ପିଲାମାନେ ଯାହା ଜାଣିଛନ୍ତି ତାଙ୍କୁ ସେଥିରେ ଅଧିକ ମଜଭୁତ୍ ହେବାର ସୁଯୋଗ ମିଳେ ଏବଂ ଦୁର୍ବଳ ଥିବା ପିଲାମାନଙ୍କୁ ଅଜଣା କଥାଗୁଡ଼ିକୁ ପୁଣି ଥରେ ଜାଣିବାର ଅବସର ଯୋଗାଇଦିଏ । ଯେଉଁ କଥାଗୁଡ଼ିକୁ ଜାଣିବାରେ, ବୁଝିବାରେ, ଶିଖିବାରେ ପିଲାଟି ଏତେଗୁଡ଼ାଏ ସମୟ ଦେଇଥାଏ ତାକୁ ଆଲୋଚନା, ପର୍ଯ୍ୟାଲୋଚନା ଓ ଅନ୍ୟାନ୍ୟ ମାର୍ଗର ପ୍ରକାଶ କରିବା ମାଧ୍ୟମରେ ତାକୁ ଆତ୍ମସନ୍ତୋଷ ମିଳେ ।

ଇଏ ତ ଗଲା ପିଲାଙ୍କ ଲାଗି ଖାତା ଦେଖାର ଆବଶ୍ୟକତା କ’ଣ । ତେବେ ଶିକ୍ଷକ ହିସାବରେ ଆମର କର୍ତ୍ତବ୍ୟ ? ଶିକ୍ଷକର କର୍ତ୍ତବ୍ୟ, ପିଲା ଯାହା ଜାଣିଛି ତା’ର ପର୍ଯ୍ୟାଲୋଚନା କରିବା । ଯଦ୍ୱାରା ପିଲା ଲାଗି ଆଉ ଅଧିକ ଅଭ୍ୟାସ ଓ ସ୍ପଷ୍ଟୀକରଣର ଆବଶ୍ୟକତା ଅଛି କି ନାହିଁ, ତାହା ସେ ସ୍ଥିର କରିପାରିବ । ଯାହା ଆଲୋଚନା ହୋଇଛି ତାକୁ ପୁଣି ଥରେ ମନେ ପକାଇବା ଭିତରେ ନିଜ ନିଜର ଜାଣିବାର ପରିଧିଟିକୁ ପ୍ରସାରିତ କରିବାରେ ଏହା ସହାୟକ ହୋଇପାରେ ।

ସାଧାରଣତଃ ଶିକ୍ଷକଟିଏ ଯେତେବେଳେ ସଂଶୋଧନ କରିସାରି ଖାତାଟି ଲାଗି ବ୍ୟଗ୍ର ହୋଇ ଅପେକ୍ଷା କରିଥିବା ପିଲାଟିକୁ ଫେରାଏ, ତତକ୍ଷଣାତ୍ ପିଲାଟି ନିଜ ମାର୍କଟିକୁ ହିଁ ଦେଖେ । ସଂଶୋଧନ କରାଯାଇଥିବା ଉତ୍ତର ବା ମତାମତଗୁଡ଼ିକ ଉପରେ ବିଲକୁଲ୍ ବି ନଜର ପକାଏନି । ମାର୍କ ଉପରେ ଦେଖୁ ଦେଖୁ ଭୁଲ୍ ତଥ୍ୟଗୁଡ଼ିକ ପଛର କାରଣଗୁଡ଼ିକ ଆଉ ଖୋଜେନି । କ’ଣ ସତ ନା ନାହିଁ ?