ଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇରହିବ ନାହିଁ । ମଣିଷ ପାଲଟିଯିବ ଘଡିକରେ । ତେଣୁ ଆରମ୍ଭ ଜଣକୁ ଦେବତା କରେ ଆଉ ଶେଷ ତାହାକୁ ମଣିଷ କରେ, ଏହିଭଳି ଏକ ଅବବୋଧ ସହ ବର୍ତ୍ତମାନର ପରିଚର୍ଚ୍ଚା ଭିତରକୁ ଆମକୁ ପ୍ରବେଶ କରିବାକୁ ହେବ ।

ଚିର ଆରମ୍ଭରେ ଅବସ୍ଥାନ କରୁଥିବା ଜଣେ ଦେବତାର ଏକ ବିଚିତ୍ର ଜନ୍ମକଥାକୁ ଅଧ୍ୟୟନ କରାଯାଉ । ଆମର ଭାରତୀୟ ଦେବତତ୍ତ୍ୱରେ ଯାହାଙ୍କୁ ଆମେ ସମସ୍ତଙ୍କର ଆଗରେ ଅର୍ଥାତ୍ ଅଗ୍ରପୂଜ୍ୟ ହିସାବରେ ପ୍ରଥମେ ହିଁ ଆରାଧନା କରିଥାଉ ସେହି ଗଣଦେବତା ଅର୍ଥାତ୍ ଶ୍ରୀଗଣେଶଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଏଠାରେ ଏଇ ସାଂସ୍କୃତିକ ଆଲୋଚନା ।

ପ୍ରଥମରୁ ଯାହା ଉଲ୍ଲେଖ କରାଯାଇଛି ଯେ ଦେବତାର କେବଳ ଆରମ୍ଭ ଅଛି ଶେଷ ନାହିଁ ଆଉ ସେହି କଥାଟିକୁ ଟିକିଏ ସ୍ପଷ୍ଟ ଭାବରେ ଏବଂ ବିସ୍ତାରରେ ଦେଖାଯାଉ । ଆମର ଦୈବିକ ବିଶ୍ୱାସରେ ଜଣେ ଦେବତାର ଜନ୍ମପ୍ରସଂଗଟି ସବୁବେଳେ ସଂପୂର୍ଣ୍ଣ ଭିନ୍ନ । ଆମର ଧାରଣାରେ ସୃଷ୍ଟିର ଆରମ୍ଭରୁ ସୃଷ୍ଟିର ଶେଷ ଯାଏଁ ସମୟକ୍ରମରେ କାରକ ବା କାରଣ ହୋଇ ଦେବତାମାନେ ସୃଷ୍ଟି ସହିତ ଏକ ପ୍ରକାରେ ଅସଂଲଗ୍ନ ତଥା ଏକ ବିକଳ୍ପହୀନ ଅବସ୍ଥାନରେ ରହିଥାନ୍ତି । ଆମେ ଜଣେ ସାଧାରଣ ମଣିଷ ହିସାବରେ ଆମ ଚାରିପାଖକୁ ଲକ୍ଷ୍ୟ କରି ବିବେଚନା କରିଥାଉ ଯେ ଆମର ଆରମ୍ଭ ଆଉ ଶେଷ ରହିଅଛି । ଆଉ ସେହିଭଳି ମଣିଷକଥାକୁ ଆଧାର କରି ଆମେ ଯଦି କୌଣସି ଦେବତାର ମଣିଷ ସମ ଆରମ୍ଭ ଆଉ ଶେଷର ନକସାଟିଏ କାଟି ଦେଉ ତେବେ ତାହା ଅନେକ ସମୟରେ ଆମର ଅନ୍ତର୍ନିହିତ ବିଶ୍ୱାସକୁ ଆହତ କରିଥାଏ । ଦେବତାକୁ ଆମେ ପୂରାପୂରି ମଣିଷ ବିଭାବ ପ୍ରଦାନ କରିବା ସହିତ ତାହାର ଦୈବିକ ସ୍ୱରୂପଟିକୁ ଆଢୁଆଳ କରିଦେଇଛୁ ବୋଲି ଆମ ଭିତରେ ଏକ ପାପବୋଧ ଆସେ ।

ଯଦି କୌଣସି ଦେବତା ସହ କୌଣସି ପ୍ରକାରେ ଶେଷଟିଏ ଜଡିତ ହୋଇଗଲା ତେବେ ସମ୍ଭବତଃ ଦେବତାକୁ ଆମେ ଯେଉଁ ସର୍ବନିୟାମକ ଆଉ ସର୍ବବ୍ୟାପୀ ଅବଧାରଣାରେ ନିର୍ଣ୍ଣିତ କରି ସର୍ବଶକ୍ତିମାନ ଭାବରେ ବିଶ୍ୱାସ କରିଆସିଛୁ ସେଥିରେ ଟିକିଏ ବ୍ୟାଘାତ ଘଟିଥାଏ । ସଂପୃକ୍ତ ଦେବତାଠାରୁ ସଂପୃକ୍ତ ଶେଷଟି (ତାହା କାଳ ହେଉ କି ଆଉ ଯେଉଁ ରୂପରେ ଆସିଥାଉ ) ଏହାଫଳରେ ତୁଳନାତ୍ମକ ଭାବରେ ଅଧିକ କ୍ଷମତାଶାଳୀ ହୋଇଯାଏ । ତେଣୁ ଆମେ ସବୁବେଳେ ଦେବତାକୁ ଶେଷମୁକ୍ତ କରି ରଖିବାକୁ ସୁଖ ପାଉ ମାତ୍ର ଆମର ଦେବତା - ସାନ୍ନିଧ୍ୟର ପ୍ରିୟତମ ଲୋଭକୁ ଚରିତାର୍ଥ କରିବା ପାଇଁ ଦେବତାକୁ ମଣିଷ ଭଳି ଅବତାର - ଜନ୍ମ ଦେଇଥାଉ ଆଉ ସେଇଠି ଦେବତା ସହ ଯେଉଁ ମରଣ ବୋଲି ଶେଷଟି ଯୋଡିଥାଉ, ଆମେ ସମସ୍ତେ କିନ୍ତୁ ଭଲଭାବରେ ଜାଣିଥାଉ ଯେ ସେଇଟି ହେଉଛି ଦେବତାର ନକଲ ମରଣ, ନକଲ ଶେଷ ।

ସେ ଯାହାହେଉ ଏଠାରେ ଉପସ୍ଥିତ ଲେଖକର ଆଉ କାହାର ବିଶ୍ୱାସକୁ ଆହତ କରିବାର ସାମାନ୍ୟତମ ଅଭିପ୍ରାୟ ନାହିଁ । ଏହା ମୂଳତଃ ଦେବତାର ଏକ ବିବର୍ତ୍ତନ ମୂଳକ ସାଂସ୍କୃତିକ ଜନ୍ମ କଥା । ଦେବତା କ୍ଷେତ୍ରରେ ବିବର୍ତ୍ତନ ଭଳି ବିଶେଷଣଟିଏ ଏଇଥିପାଇଁ ଯୋଡାଯାଇଛି ଯେ ମଣିଷ ସାଧାରଣତଃ ନିଜର ଅସହାୟତା ଆଉ ଆନନ୍ଦର ସହଭାଗ ପାଇଁ ଦେବତାକୁ ଆବଶ୍ୟକ କରିଥାଏ । ମଣିଷ ସଭ୍ୟତାର ବିବର୍ତ୍ତନରେ ମଣିଷ ସର୍ବଶକ୍ତିମାନ ଦେବତାକୁ ନିଜର ସହାୟତା କରିବା ବା ସେହି ଦେବତା ନିକଟରେ କୃପାପ୍ରାର୍ଥୀ ହୋଇ ନତଜାନୁ ହେବା ପାଇଁ ତାହାକୁ ଅତ୍ୟନ୍ତ ନିଖୁଣ ତଥା ସୁନ୍ଦରତମ ଭାବରେ ନିର୍ମାଣ କରିବା ପଛରେ ମଣିଷର ଚିନ୍ତାଶକ୍ତିର ବିବର୍ତ୍ତନ ହିଁ କାମ କରିଥାଏ । ମଣିଷ ଯେଉଁଭଳି ପାରିପାର୍ଶ୍ଵିକ ଅବସ୍ଥାରେ ରହିଥାଏ ସେହି ଅନୁସାରେ ଦେବତାମାନେ ଆବିର୍ଭାବ ହୋଇଥାନ୍ତି । ମଣିଷ ପ୍ରାଥମିକ ଭାବରେ ଯେତେବେଳେ ଖାଦ୍ୟ ସଂଗ୍ରାହକ (ଶିକାର, ପଶୁପାଳନ)ର ଜୀବନ ବଞ୍ଚୁଛି ଆଉ ପରେ ଯେତେବେଳେ ଖାଦ୍ୟ ଉତ୍ପାଦକ (କୃଷି କର୍ମ)ର ଜୀବନ ବଞ୍ଚୁଛି ସେତେବେଳେ ନିରପେକ୍ଷ ଦୃଷ୍ଟିରେ ଦେଖିଲେ ମଣିଷର ଏହି ଦୁଇଟି ସଭ୍ୟତାଭିତ୍ତିକ ଅବସ୍ଥାନରେ ମଣିଷର ଚିନ୍ତାକରିବାର ସାମର୍ଥ୍ୟ ବି ଭିନ୍ନ ଭିନ୍ନ ରହିବ । ତେଣୁ ଏହି ଭିନ୍ନ ଭିନ୍ନ ଚିନ୍ତାରେ ଥିବାବେଳେ ମଣିଷ ନିଜର ସହାୟତା ପାଇଁ ଯେଉଁ "ଅତିମଣିଷ" ମାନ ଗଢିବ ତାହା ନିଶ୍ଚିନ୍ତ ଭାବରେ ଭିନ୍ନ ଭିନ୍ନ ହେବା ଆବଶ୍ୟକ । ଆଉ ତାହାହିଁ ହୋଇଛି । ଆମର ଦେବତତ୍ତ୍ୱରେ ପ୍ରାଗାର୍ଯ୍ୟ ସମୟରେ ଇନ୍ଦ୍ର( ଯୁଦ୍ଧର ଦେବତା) ପ୍ରମୁଖ ଥିବାବେଳେ ଆର୍ଯ୍ୟକାଳରେ ବିଷ୍ଣୁ (ପାଳନକର୍ତ୍ତା) ପ୍ରମୁଖ ଦେବତା ଭାବରେ ଆମର ଚିନ୍ତା ଚେତନାରେ ଅବସ୍ଥାନ କରିଛନ୍ତି ।

ମଣିଷ ଯେତେବେଳେ କାହାର ଜନ୍ମଦିନ ପାଳନ କରିବାକୁ ଆରମ୍ଭ କଲା ତାହା ସହିତ ମୂଳତଃ ଗୋଟିଏ କଥା ଜଡିତ ହୋଇ ରହିଥିଲା । ସାଧାରଣତଃ ମଣିଷ ହିସାବରେ ଦେଖିଲେ ଜନ୍ମରେ ସଭିଏଁ ସାଧାରଣ । ଗୋଟିଏ ଶିଶୁର ଜନ୍ମ ଏବଂ ଆଉ ଗୋଟିଏ ଶିଶୁର ଜନ୍ମ ଭିତରେ ଏମିତିରେ କେଉଁ ପାର୍ଥକ୍ୟ ଅଛି ଯେ ତାହାକୁ ପାଳନ କରାଯିବ ? କହିବାକୁ ଗଲେ ଜନ୍ମଦିନ ପାଳିବାଭଳି ଗୋଟିଏ ବିଶେଷ ଯୋଗ୍ୟତା ଆମ ମଣିଷଙ୍କର ଜନ୍ମଦିନରେ ଆଦୌ ନଥାଏ । ନିଜ ଜୀବନକାଳରେ ଗୋଟିଏ ବିଶେଷ ମଣିଷପଣର ଯୋଗ୍ୟତା ମଣିଷ କ୍ରମଶଃ ଅର୍ଜନ କରିଥାଏ ଆଉ କହିବାକୁ ଗଲେ ମଣିଷର ମରଣରେ ହିଁ ତାହାର ସେହି ବିଶେଷ ମଣିଷପଣର ଯୋଗ୍ୟତାକୁ ଆମେ ପରିଷ୍କାର ଦେଖୁ ଆଉ ଝୁରିହେଉ । ସେଇଥିପାଇଁ ଜଣେ ମଣିଷର ସମସ୍ତ ମଣିଷସୁଲଭ ପାକେଜିଂ ମରଣରେ ଥାଏ ବୋଲି ଆମେ ସଭ୍ୟତାର ଆଦିକାଳରେ ମଣିଷର ମରଣଦିବସକୁ ହିଁ ପ୍ରଥମେ ପାଳୁଥିଲୁ । ଆମର ପାର୍ଥିବ ଜୀବନର ଖରାବର୍ଷାକୁ ଆଢୁଆଳ କରି ରଖିବା ପାଇଁ  ଗିରିଗୋବର୍ଦ୍ଧନ ଭଳି ଛତାର ଛତାଧାରୀ ହିସାବରେ ଦେବତାମାନଙ୍କୁ ଆମର ବିଶ୍ୱାସରେ ଢେର୍ ପ୍ରୟୋଜନ ରହିଛି । ଆମେ ତେଣୁ ଦେବତାମାନଙ୍କୁ ଆବାହନ କଲୁ । ଦେବତାମାନଙ୍କ ପାଇଁ ତିଥିବାର ନକ୍ଷତ୍ରର ଶୁଭମୁହୂର୍ତ୍ତଟିଏ ଗଢି ସେମାନଙ୍କ ମାନବିକ ଜନ୍ମକାହାଣୀ ଲେଖିବାରେ ଆମର ଭାରି ଶ୍ରଦ୍ଧା ରହିଲା । ସେହି ଶ୍ରଦ୍ଧା ଆମ ଭିତରେ ପ୍ରତ୍ୟୟ ଦିଏ ଯେ ଆମେ ଦେଖିପାରୁନୁ ସିନା, ଦେବତାମାନେ ଏଇ ଆଖପାଖରେ କେଉଁଠି ବରାଭୟ ମୁଦ୍ରାରେ ବିରାଜମାନ ହୋଇ ରହିଛନ୍ତି । ସେଇଥିପାଇଁ ସେହି ଶ୍ରଦ୍ଧାର ଆବାହନ କାହାଣୀକୁ ଦେବତାମାନଙ୍କର ଜନ୍ମଦିନରେ ବ୍ରତକଥା ଭଳି ଶୁଦ୍ଧପୂତ ହୋଇ ଆମେ ଗାଉ । ଏମିତି କହିଲେ ଦେବତାମାନଙ୍କୁ ଆମମାନଙ୍କ ଭିତରୁ ସବୁଠୁ ବେଶି ସବୁବେଳେ ଯଦି କିଏ ଅନୁକରଣ କରୁଥାଏ ତେବେ ସେମାନେ ହେଉଛନ୍ତି ଆମର ରାଜା । ରାଜା ତାହାପରେ ଦେବତାମାନଙ୍କୁ ଦେଖି ଅନୁକରଣ କରି ନିଜର ଜନ୍ମଦିନ ପାଳିଲା ଆଉ ତାହାପରେ ସେଇ କ୍ଷମତାଧର ରାଜାଟିର ଅନୁଗତ ଅନୁସରଣକାରୀ ହେଲୁ ଆମେ, ତେଣୁ ଆମେ ରାଜାକୁ ଅନୁକରଣ କରି ନିଜ ନିଜର ଜନ୍ମଦିନ ପାଳିଆସିଲୁ । ଆଉ ଆଗଭଳି ମଣିଷର ଜନ୍ମଦିନରେ ତାହାର ଯେଉଁ ଜୀବନବ୍ୟାପୀ ସାମଗ୍ରିକ ମାନବିକ କୃତିତ୍ବର ସ୍ମରଣ ତଥା ପାଳନ କରାଯାଉଥିଲା, କ୍ରମଶଃ ଜନ୍ମଦିନରେ ତାହା କେବଳ ସ୍ୱାଭାବିକ ତଥା ନୂତନର ସଶ୍ରଦ୍ଧ ଆବାହନରେ ପରିବର୍ତ୍ତିତ ହୋଇଗଲା ।

ଜନ୍ମ ସହିତ ଜଡିତ ଏହି ବିଚାର ପରେ ଏବେ ଆସିବା ଗଣଦେବତାଙ୍କ ଜନ୍ମ ପ୍ରସଙ୍ଗକୁ ।

ଭାରତ ତତ୍ତ୍ୱର ପ୍ରଖ୍ୟାତ ବିଦୂଷୀ ପ୍ରଫେସର୍ ସୁକୁମାରୀ ଭଟ୍ଟାଚାର୍ଯ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ "ଭାରତୀୟ ଦେବତତ୍ତ୍ୱ" ଅନୁସାରେ ଆମର ସମଗ୍ର ଭାରତୀୟ ଦେବଦେବୀ ହୁଏତ ବିଷ୍ଣୁଅଂଶୀ ବା ରୁଦ୍ରଅଂଶୀ । ଗଣେଶଙ୍କ ଜନ୍ମଜାତକରେ ବିଷ୍ଣୁଭାଗ ଓ ରୁଦ୍ରଭାଗ ସମନ୍ବିତ । ବ୍ରହ୍ମବୈବର୍ତ୍ତ ପୁରାଣରେ ଶ୍ରୀଗଣେଶ ଜନ୍ମର ବାରଂବାର ମୋଡ ବଦଳୁଥିବା କାହାଣୀର କଥା ସମସ୍ତେ ଜାଣନ୍ତି । ଗୌରୀ ଏକ ପୁତ୍ରର କାମନାରେ ଯଜ୍ଞାନୁଷ୍ଠାନ କଲେ । ସେଇ ଯଜ୍ଞଟିର ନାଁ ଥିଲା ପୁଣ୍ୟକ ଆଉ ତାହାର ଆରାଧ୍ୟ ହେଉଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଭଳି ସୁନ୍ଦର ଓ ପରାକ୍ରମଶାଳୀ ସନ୍ତାନରେ ମତି ରହିଥିଲା ଗୌରୀଙ୍କର । ଗୌରୀଙ୍କର ଏହି ଯଜ୍ଞାନୁଷ୍ଠାନରେ ପୁରୋହିତ କାର୍ଯ୍ୟ ସଂପାଦନ କରିଥିଲେ ସନତକୁମାର । ଯଜ୍ଞାନୁଷ୍ଠାନରେ ବିଷ୍ଣୁ ପ୍ରସନ୍ନ ହୋଇ ଗୌରୀଙ୍କୁ ତାଙ୍କଭଳି ଏକ ସନ୍ତାନର ବର ପ୍ରଦାନ କରିବା ସହିତ ଏହି ପୁଣ୍ୟକ ଯଜ୍ଞରେ ଦକ୍ଷିଣା ସ୍ୱରୂପ ପୁରୋହିତ ସନତକୁମାର ସ୍ୱୟଂ ଶିବଙ୍କୁ ପ୍ରାପ୍ୟ ଆକାର ଦାବୀକରିବା କାରଣରୁ ଯେଉଁ ଅସୁବିଧା ହୋଇଥିଲା ତାହାର ବି ସମାଧାନ କରିଥିଲେ ।

ତେଣୁ ଗଣେଶ କହିବାକୁ ଗଲେ ଜନ୍ମନେଇଥିଲେ ବିଷ୍ଣୁଙ୍କ ଅନିନ୍ଦ୍ୟ ରୂପକାନ୍ତି ସହ । ମାତ୍ର ସେ ଥିଲେ ଜଣେ ଅଯୋନୀସଂଭୂତ, ମାନସପୁତ୍ର ତଥା ଗୌରୀପୁତ୍ର। ତାଙ୍କର ଜନ୍ମକାହାଣୀ ଭିତରକୁ ପରେପରେ ପ୍ରବେଶ କରିଥିଲେ ଗ୍ରହରାଜ ଶନି । ତାହାପରେ ଘଟିଥିଲା ଇନ୍ଦ୍ରଙ୍କ ଐରାବତର ମସ୍ତକ ଛେଦନ, ଗଣେଶ ତାହାଫଳରେ ଗଜମସ୍ତକଧାରୀ ହେଲେ, ଏବଂ ତାହାପରେ ବିଘ୍ନବିନାଶକ ଭାବରେ ଅଗ୍ରପୂଜ୍ୟ ହେଲେ । ଏହି ସମସ୍ତ ଚମତ୍କାର ପୁରାଣକାହାଣୀର ପ୍ରଚୁର ପାଠକୀୟତାର ବାଙ୍କବୁଲାଣିରେ ଦେଖିଲେ ଶ୍ରୀଗଣେଶଙ୍କ ଜନ୍ମରହସ୍ୟର ଅସଲ ମଞ୍ଜୁଷାଟି ରହିଛି ।

ଆରମ୍ଭରୁ କେତୋଟି ସଂକେତକୁ ବିଚାରକୁ ନିଆଯାଉ । ଗଣେଶ ହେଉଛନ୍ତି ଜଣେ ଅଯୋନୀସଂଭୂତ ଗୌରୀପୁତ୍ର, ଆଉ ସେହି କାହାଣୀରୁ ପ୍ରାଥମିକ ଭାବରେ ଶିବଙ୍କ ଭଳି ଜଣେ ମହାପରାକ୍ରମଶାଳୀ ତଥା ଭାରତୀୟ ଦେବତତ୍ତ୍ୱର ଅନ୍ୟତମ ପ୍ରମୁଖ ଅଂଶୀଦାର ଭଳି ଗୋଟିଏ ପିତାକୁ ଦୂରେଇ ରଖାଯାଇଛି । ସାଧାରଣତଃ ପୁରାଣ କାହାଣୀମାନଂକରେ ବରଦାନ ଆଉ ଅଭିଶାପକୁ ସୁସମାହିତ କରି ପୁରାଣକାହାଣୀକାରମାନେ କାହାଣୀକୁ ଗତିଶୀଳ କରିଥାଆନ୍ତି । ତେଣୁ ଅଭିଶାପ ଆଉ ବରଦାନ ସବୁ ହେଉଛି ଏହି କାହାଣୀଗୁଡିକରେ ପ୍ରକୃତରେ ଯାହାକୁ ଆମର ଗଳ୍ପକର୍ମରେ କହିଥାନ୍ତି ଷ୍ଟୋରି ପଏଣ୍ଟ ବା କାହାଣୀର ଦିଗବାରେଣୀ । ସେହିଦୃଷ୍ଟିରୁ ଦେଖିଲେ ଏକଥା କୁହାଯାଇପାରିବ ଯେ ଅଯୋନୀସଂଭୂତ ଗୌରୀପୁତ୍ର ହୋଇଥିବା କାରଣରୁ ଗଣେଶ ମାତୃକୈନ୍ଦ୍ରିକ ବ୍ୟବସ୍ଥାପନାର ଏକ ପୂର୍ଣ୍ଣତଃ ଉପଜ। ଆଉ ସାମାଜିକ ଉଦ୍ଭବର ଇତିହାସରେ ମାତୃକୈନ୍ଦ୍ରିକତାକୁ ପ୍ରାଚୀନତା ବା ପ୍ରିମିଟିଭିଟି ସହ ଯୋଡା ଯାଇଥିବା କାରଣରୁ ପ୍ରଥମରେ ଗଣେଶ ହେଉଛନ୍ତି ପ୍ରାଚୀନତାର ଏକ ସ୍ୱୟଂଭୂ ପ୍ରତୀକ । ଦୁଇରେ ଗଣେଶଙ୍କୁ ବିଘ୍ନରାଜ ବା ବିଘ୍ନ ବିନାଶନକାରୀ ବୋଲି ପ୍ରାଥମିକ ସଂବୋଧନ କରାଯାଉଥିବା କାରଣରୁ ଅର୍ଥାତ୍ ଗୋଟିଏ ସ୍ୱୟଂଭୂ ପ୍ରତୀକକୁ ସାର୍ବଜନୀନ ଭାବରେ ନିର୍ମାଣ କରି କୌଣସି ବିଘ୍ନକୁ ବିନାଶନ ପାଇଁ ଶକ୍ତିମନ୍ତ କରିବା ପଛରେ ସାଧାରଣତଃ କାହାର ବ୍ୟକ୍ତିପରକ ବିଘ୍ନର ବିନାଶନ ଅପେକ୍ଷା ସମଷ୍ଟିଗତ ବିଘ୍ନର ଦୂରୀକରଣର ଅପରିହାର୍ଯ୍ୟ ପ୍ରାଥମିକ କାରଣ ହିସାବରେ ରହିଥିବା ବିବେଚନା ଦୃଷ୍ଟିରୁ ଅଧିକ ପ୍ରାସଂଗିକ । ତିନିରେ ଯାହାର ନାଆଁ ଗଣନାଥ ବା ଗଣେଶ ଯାହାର ସହଜ ଅର୍ଥ ହେଉଛି ଗଣର ନାଥ ବା ଗଣର ଇଶ ଅର୍ଥାତ୍ ଗଣର ଦେବତା । ସମାଜତତ୍ତ୍ୱରେ 'ଗଣ'ର ଗୋଟିଏ ବିଶେଷ ଲୌକିକ ପରିଭାଷା ରହିଛି । ଏଇ ତିନୋଟି ଆଦ୍ୟ ସଂକେତରୁ ଶ୍ରୀଗଣେଶଙ୍କ ଜନ୍ମକଥାର ପରିଚର୍ଚ୍ଚା କରିବା ଉଚିତ୍ ହେବ ।

ଶ୍ରୀଗଣେଶଙ୍କ ସହିତ ଜଡିତ ଏକଥା ବି ସ୍ପଷ୍ଟ ଯେ ବିଷ୍ଣୁଙ୍କର ନରସିଂହ ଅବତାରକୁ ବାଦ ଦେଲେ ଗଣେଶ ହେଉଛନ୍ତି ଭାରତୀୟ ଦେବତତ୍ତ୍ୱର ଏକମାତ୍ର ଆଗଧାଡିର ଦେବତା ଯିଏ ଦେବାଙ୍ଗରେ ପଶୁ ଓ ମଣିଷର ସମନ୍ୱୟ ହିସାବରେ ବିରାଜିତ ।

ସେଦୃଷ୍ଟିରୁ ଶ୍ରୀଗଣେଶ ହେଉଛନ୍ତି ଭାରତୀୟ ସାମାଜିକ ସମନ୍ୱୟର ଏକ ଐତିହାସିକ ପ୍ରତୀକ ବିଶେଷ । ଏହି ମୁଖ୍ୟ ବିଭାବ ଉପରେ ହିଁ ଶ୍ରୀଗଣେଶଙ୍କର ଅବସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଖ୍ୟାତ ଐତିହାସିକ ରୋମିଲା ଥାପରଙ୍କ ମତରେ ଭାରତର ଆଦ୍ୟ ସାମାଜିକ ସଂରଚନାରେ ବ୍ରାହ୍ମଣତାନ୍ତ୍ରିକ ରାଷ୍ଟ୍ରବ୍ୟବସ୍ଥାରେ ସମତଳ ଅଂଚଳରେ ରାଜତନ୍ତ୍ର ରହିଥିଲା । ଏହି ରାଜତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଯେଉଁମାନେ ସଂତୁଷ୍ଟ ନଥିଲେ, ସଂପତ୍ତିର ଅଧିକାରଗତ କି ନ୍ୟାୟ ବିଚାର କି ପ୍ରଥାଗତ କି ବିବାହଗତ କାରଣରୁ, ସେମାନେ ବନାଞ୍ଚଳରେ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ରାଜ୍ୟମାନ ଗଠନ କରିଥିଲେ । ବନାଂଚଳର ଏହି ରାଜ୍ୟଗୁଡିକ ବ୍ରାହ୍ମଣତାନ୍ତ୍ରିକ ରାଜତନ୍ତ୍ରର ପ୍ରତିକ୍ରିୟା ଓ ପ୍ରତିବାଦ ଥିଲା । ଏହାକୁ ପ୍ରଫେସର୍ ଥାପର୍ ବୈଦିକ ରୁଢିବାଦର ବିଚ୍ୟୁତାତ୍ମକ ସଂପୃକ୍ତି ବା ପାର୍ଟିଙ୍ଗ୍ କଂପାନୀ ଅଫ୍ ବେଦିକ୍ ଅର୍ଥୋଡକ୍ସି ବୋଲି କହିଛନ୍ତି । ତାହାର ଅର୍ଥ ହେଲା ଏହି ଗଣରାଜ୍ୟଗୁଡିକ ନିଜ ସହ କିଛି ବୈଦିକ ରୁଢିବାଦକୁ ଧରି ଚାଲିଥିଲେ ଏବଂ ପରେ ଏହି ରୁଢିବାଦ ଯୋଗୁ ଗଣରାଜ୍ୟମାନେ କ୍ରମଶଃ ସମତଳ ଅଂଚଳର ରାଜତନ୍ତ୍ର ସହ ଏକୀଭୂତ ହୋଇଗଲେ ।

ପ୍ରାଥମିକ ଭାବରେ ସେହିଭଳି ଏକ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ବନାଂଚଳ ପରିବେଷ୍ଟିତ କୌଣସି ଗଣରାଜ୍ୟର ଉପାସ୍ୟ ଦେବତା ଥିଲେ ଶ୍ରୀଗଣେଶ, ଯାହାର ମୁଖ୍ୟ ଟୋଟେମ୍ ବା ପବିତ୍ର ବସ୍ତୁ ଥିଲା ହାତୀ । ସେହି ଗଣରାଜ୍ୟମାନଙ୍କରେ ସମତଳ ଅଂଚଳର ରାଜତନ୍ତ୍ରରେ ପୂଜିତ ସୃଷ୍ଟିକର୍ତ୍ତା ଅର୍ଥାତ୍ ପ୍ରଜାପତି, ପାଳନକର୍ତ୍ତା ଅର୍ଥାତ ବିଷ୍ଣୁ ଏବଂ ସଂହାରକର୍ତ୍ତା ଅର୍ଥାତ୍ ରୁଦ୍ରଙ୍କ ବିକଳ୍ପ ଦେବତାମାନଙ୍କୁ ଟୋଟେମ୍ ବା ପବିତ୍ରବସ୍ତୁରେ ସଂଧାନ କରାଗଲା । ତେଣୁ ଗଣରାଜ୍ୟମାନଙ୍କରେ ଯେଉଁ ଦେବତାମାନେ ପୂଜାପାଇଲେ ସେମାନେ ପଶୁ, ବୃକ୍ଷ, ପାହାଡ ଓ ପର୍ବତ ଭଳି ଅଣମାନବ ପଦାର୍ଥରେ ନିର୍ମିତ ହେଲେ । ସେହି ଗଣ ରାଜ୍ୟମାନ ଯାହା ସବୁବେଳେ ଆକାରରେ ଛୋଟ ତାହାକୁ ବାହାର ଆକ୍ରମଣରୁ ରକ୍ଷା କରିବା ଏଇ ଟୋଟେମ୍ ଦେବତାମାନଙ୍କର ଏକମାତ୍ର କାର୍ଯ୍ୟ ଥିଲା ।

ସେହିଭଳି କୌଣସି ଗଣ ବା ଗୋଷ୍ଠୀ ବା ଟ୍ରାଇବ୍ ର ଉପାସ୍ୟ ଦେବତା ରହିଥିବା କାରଣରୁ ଗଣେଶଙ୍କର ଅନ୍ୟନାମ ଗଣପତି । ଏବଂ ସେତେବେଳେ ସେହିଭଳି ବିଭିନ୍ନ ଛୋଟ ଛୋଟ ରାଜ୍ୟରେ ପୂଜିତ ହେଉଥିବା କାରଣରୁ ଗଣେଶଙ୍କର ଭିନ୍ନ ଭିନ୍ନ ରୂପରେ ସଂରଚନା କରାଯାଉଥିଲା । ତେଣୁ ଗଣେଶଙ୍କ ଭଳି ଏତେ ବେଶଧାରୀ ଏତେ ରୂପଧାରୀ ଦେବତା କହିଲେ ତାଙ୍କର ପାଖାପାଖି କେବଳ ଜଣେ ହିଁ ଦେବତା (ହୁଏତ ଜଣେ କହିବା ଠିକ୍ ହେବ ନାହିଁ। ସେମାନେ ତିନିଜଣ) ହେବେ, ସେ ଆମର ଜଗନ୍ନାଥ, ବଳଭଦ୍ର ଆଉ ମାଆ ସୁଭଦ୍ରା । ସେହି ଗୋଷ୍ଠୀମାନଙ୍କର ବିଘ୍ନ ବିନାଶକ ହୋଇଥିବାରୁ ତାଙ୍କୁ ବିଘ୍ନେଶ ବୋଲି କୁହାଯାଉଥିଲା । ବ୍ରାହ୍ମଣ ସଂସ୍କୃତିର ଆଢୁଆଳରେ ସଂକ୍ଷିପ୍ତ ଗଣତନ୍ତ୍ର - ପୁଷ୍ଟ ଗଣରାଜ୍ୟରେ ଏହା ରହିଥିଲା ଶ୍ରୀଗଣେଶଙ୍କ ସାଂସ୍କୃତିକ ଆଦ୍ୟକାଳ ।

ତାହାପରେ ଛୋଟଛୋଟ ଗଣରାଜ୍ୟଗୁଡିକ ନିଜର ସୁରକ୍ଷା ଓ ଆଧୁନିକ ହେବାର ରାଷ୍ଟ୍ରାୟତ୍ତ ଲୋଭରେ ଯେତେବେଳେ ସମତଳ, ରାଜତନ୍ତ୍ର ଓ ବ୍ରାହ୍ମଣତନ୍ତ୍ରରେ ନିଜର ବିଲୟ ଘଟିବା ଅପରିହାର୍ଯ୍ୟ ବୋଲି ଦେଖିଲେ ସେତେବେଳେ ସେମାନେ ନିଜର ଏହି ଟୋଟେମ୍ ମାନଙ୍କୁ ବ୍ରାହ୍ମଣତନ୍ତ୍ରରେ ସୁବିନ୍ୟସ୍ତ କରି ନିଜର ଏକଦା ଅତୀତକୁ ଭୋଗିବାର ସୁଖଟିକୁ କାମନା କରୁଥିଲେ । ଅନ୍ୟପକ୍ଷରେ ବ୍ରାହ୍ମଣତନ୍ତ୍ର ସେଇ ଟୋଟେମ୍ ମାନଙ୍କୁ ନିଜର ଧାର୍ମିକ ବ୍ୟବସ୍ଥାର ଅନୁସଙ୍ଗ କରି ପ୍ରାଚୀନତା ବା ପ୍ରିମିଟିଭିଟି ସହ ଏକପ୍ରକାର ସାଂସ୍କୃତିକ ସାଲିସ୍ କରିବା ରାଷ୍ଟ୍ରପକ୍ଷରେ ମଙ୍ଗଳକର ବୋଲି ନୀତିଗତ ନିର୍ଣ୍ଣୟ କଲେ । ଏଇ ସମନ୍ୱୟର ବ୍ୟବସ୍ଥା ସ୍ୱରୂପ ଗଣେଶ ଅଯୋନୀସଂଭୂତ ଗୌରୀପୁତ୍ର ତାହାପରେ ପିତାର ସାନ୍ନିଧ୍ୟ ପାଇଲେ ଏବଂ ଶିବଙ୍କ ଭଳି ପିତାର ପ୍ରିୟତମ ପୁତ୍ର ପାଲଟି ଗଲେ । ଆଉ ବିବର୍ତ୍ତନ ଦୃଷ୍ଟିରୁ ଏକଥା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଗଣେଶଙ୍କ ପିତା ଶିବ ହେଉଛନ୍ତି ହରପ୍ପା ସିଲମୋହରର ସେହି ପଶୁବେଷ୍ଟିତ ପଶୁପତି, ଅନାର୍ଯ୍ୟ ଅବସ୍ଥାରୁ ଉନ୍ନୀତ ଏକ ସଂଶ୍ଳେଷିତ ଆର୍ଯ୍ୟଦେବ । ତେଣୁ ତାଙ୍କର ପ୍ରିୟତମ ପୁତ୍ର ହିସାବରେ ଗଣେଶଙ୍କୁ ସଂଯୋଜିତ କରିବା ପାଇଁ ଆମର ପୁରାଣକାରମାନଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡିଛି । ପୁରାଣ କାହାଣୀରେ ଗ୍ରହରାଜ ଶନି ବା ସ୍ୱୟଂ ଶିବଙ୍କ ମାର୍ଫତ୍ ରେ ତାଙ୍କର ସୁନ୍ଦର ମଣିଷ ମୁଣ୍ଡଟି ସ୍ଥାନରେ ଗଜରାଜର ମୁଣ୍ଡଟିକୁ ରୋପଣ କରିବାକୁ ପଡିଛି । ଠିକ୍ ଯେମିତି ବଣମୂଲକର କନ୍ୟା ଶକୁନ୍ତଳାର ଗର୍ଭସ୍ଥ ସଂତାନ ଭରତକୁ ସମତଳ ଅଂଚଳର ସ୍ୱୀକୃତି ମିଳିବା ପାଇଁ ଏକ ଅପହୃତ ମୁଦିର କାହାଣୀ ନିର୍ମାଣ କରିବାକୁ ପଡିଛି ଆମ ପୁରାଣକାରମାନଙ୍କୁ ।

ପ୍ରାଚୀନତା ତଥା ପ୍ରିମିଟିଭିଟି ଆମ ବ୍ୟବସ୍ଥା ଆଦ୍ୟଭାଗ ହୋଇଥିବା କାରଣରୁ ଶ୍ରୀଗଣେଶଙ୍କୁ ଆମର ପରିବର୍ତ୍ତିତ ବ୍ରାହ୍ଣଣତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ଅଗ୍ରପୂଜ୍ୟ କରି ରଖାଗଲା । ଆମେ କୌଣସି ସମୟରେ ଯେତେ ଆଧୁନିକ ହେଲେ ବି ଆମର ପ୍ରାଚୀନତମ ଉତ୍ସକୁ ଅସ୍ୱୀକାର କରି ପାରିବୁ ନାହିଁ । ଠିକ୍ ସେହି କାରଣରୁ ଶ୍ରୀଗଣେଶ ହେଉଛନ୍ତି ଆମର ଉତ୍ସମୂଳର ଦେବତା । ଏବଂ ଆମର ଉତ୍ସ ଅନୁରାଗ କାରଣରୁ ସେ ଆମର ପ୍ରିୟତମ ଦେବତା । ଆଗରୁ କ୍ଷୁଦ୍ର ଗଣରାଜ୍ୟଗୁଡିକର ବିଘ୍ନ ବିନାଶକ ଥିଲେ ସେ ଏବେ ସେ ଏକ ବ୍ୟାପକ କ୍ଷେତ୍ରରେ ବିଘ୍ନରାଜ ହେବା ସହ ଆମର ମଂଗଳବିଧାନ ନିମନ୍ତେ ମଙ୍ଗଳମୂର୍ତ୍ତି ହୋଇ ବିରାଜିତ ହେଲେ । ସିଦ୍ଧମ୍ ଶବ୍ଦର ପ୍ରାଚୀନତମ ଅର୍ଥ ହେଉଛି ଅକ୍ଷର । ତେଣୁ ନିଜର କଥିତ ଭାଷାକୁ ସଂରକ୍ଷିତ କରିବା ପାଇଁ ଲିପିର ପ୍ରୟୋଜନ ହେବା କାରଣରୁ ଶ୍ରୀଗଣେଶଙ୍କୁ ତାହାର ଆରାଧ୍ୟ ଦେବତା କରାଗଲା । ଏବଂ ତାଙ୍କୁ ଏକ ପୂର୍ଣ୍ଣତମ ଦେବ ରୂପ ଦେବା ପାଇଁ ତାଙ୍କ ସହିତ ଦୁଇଟି ନାରୀ ଚରିତ୍ର ଜଡିତ ହୋଇ ପଡିଲେ, ସେମାନେ ହେଲେ ସିଦ୍ଧି ଆଉ ବୁଦ୍ଧି ।

ଏସବୁ କେବଳ ଶ୍ରୀଗଣେଶଙ୍କ ଜନ୍ମର ଆଦ୍ୟକ୍ରମଟିକୁ ବୁଝିବାର ପ୍ରୟାସ । ସେ ଆମର ମୂଳାନୁଗ ଦେବ ।

କୋଲକାତାର ଦକ୍ଷିଣ ଚବିଶପ୍ରଗଣା ଇଲାକାରେ ଲୋକ ପୁରାଣରେ ଗଣେଶଙ୍କ ଅପହୃତ ମଣିଷ ମୁଣ୍ଡର ପ୍ରସଂଗ ରହିଛି । ତାଙ୍କର ସେହି ମଣିଷ ମୁଣ୍ଡକୁ ସେଇ ଅଂଚଳରେ ବାରାଠାକୁର୍ ବା ବଡଠାକୁର ବୋଲି ଅତ୍ୟନ୍ତ ଶ୍ରଦ୍ଧାର ସହ ଉପାସନା କରାଯାଇଥାଏ ।

ଏଥିରୁ ଏତିକି ବୁଝିହେବ ଯେ ଶ୍ରୀଗଣେଶ ହେଉଛନ୍ତି ଆର୍ଯ୍ୟ ଓ ଅନାର୍ଯ୍ୟର ଏକ ପ୍ରମୁଖ ଦୈବିକ ମିଳନବିନ୍ଦୁ ।

ଶେଷରେ ଚମତ୍କାର କାହାଣୀଟିଏ ।

ଶ୍ରୀଗଣେଶଙ୍କ ଜନ୍ମରହସ୍ୟ ଉପରେ ସବୁଠାରୁ ଚମତ୍କାର କାହାଣୀଟିଏ ଦୁର୍ଗାଷଷ୍ଠୀବ୍ରତ କଥାରେ ରହିଛି । ଥରେ ପ୍ରଭୁ ନାରାୟଣଙ୍କର ମା ଦୁର୍ଗାଙ୍କର ସ୍ତନ୍ୟପାନ କରିବାର ଇଚ୍ଛା ହେଲା । ତେଣୁ ପ୍ରଭୁ ନାରାୟଣ ପ୍ରବେଶକଲେ ମାଆ ଦୁର୍ଗାଙ୍କ ପ୍ରତିମାର ଗଭୀର ଅଭ୍ୟନ୍ତରକୁ । ଆଉ ସଂସାରରେ ତାହାପରେ ଏକ ଅଲୌକିକ ଘଟଣା ଘଟିଗଲା । ସେହି ଦୁର୍ଗା ପ୍ରତିମା ଓ ନାରାୟଣଙ୍କ ଜୀବନ୍ତ ସତ୍ତା ମିଶି ରୂପବନ୍ତ ହୋଇଗଲା ।

ସେହି ରୂପବନ୍ତ ହେଉଛନ୍ତି ଶ୍ରୀଗଣେଶ ।

ଶେଷରେ ସଂକ୍ଷେପ କହିଲେ ଶ୍ରୀଗଣେଶ ଏକ ବଳିଷ୍ଠ ମାତୃକାହାଣୀର ପରିଣତି ତଥା ପରିଣତ ଦେବଚରିତ୍ର ଯେଉଁଠି ଆମର ଉତ୍ସ ତଥା ଆମର ପ୍ରିମିଟିଭିଟି ଏବଂ ଆମର ବସ୍ତୁସ୍ଥିତି ତଥା ସମକାଳ ବ୍ୟବସ୍ଥିତ ଓ ସଂଶ୍ଳେଷିତ ହୋଇରହିଅଛି ।

ଏହାଠାରୁ ଅଧିକ ଆଧୁନିକ ଆଉ କ'ଣ ?