ଚିତ୍ର - କେ. ରଙ୍ଗାଚାରୀ, ୱିକି କମନ୍ସ

ତୋଫାଗୋରା ପଞ୍ଚଫୁଟିଆ ପେଟ ପିଠି ଲାଗିଯାଇଥାଏ
ଯା ନାମ ଶୁଣିଲେ ଥାନା କଚେରୀ ବି ଥରି ଉଠୁଥାଏ
ଚୀଳଛଞ୍ଚାଣ ବି ଥରେ ଥରେ ପଛଘୁଞ୍ଚା ଦିଏ ।

ମାଟିରେ ଜନମ ତାର ମାଟିରେ ମରଣ ବୋଲି
ଜୀବନ କୁ ତିଳେ ଡର ନାହିଁ,
ଇ ମାଟି ଆମର ଟା ନୁହେଁ ସେ କାହାର ବୁଆର ଟା ବୋଲି
ଗର୍ଜି ଗର୍ଜି କହେ,
ଦେଖିଛି ତା ଛାନି ତଳେ ଝୁଲୁଥିବା ଟାଙ୍ଗୀ, ତରବାରି
ଶୁଣିଛି ତା କଥା ମାଟି ମାଆ ତାର ଜନ୍ମଗତ ଅଧିକାରୀ
ତା ପାଇଁ ଏ ଜୀବନ କିଛି ନୁହେଁ କିଛି ନୁହେଁ ବୋଲି
ଚିତ୍କାର କରେ ଡଙ୍ଗର ସାରା ଆସ ଆସ ନୁନାନୁନୀ ମାନେ
ଜାତିପାଇଁ, ମାଟିପାଇଁ ଆସ ଥରେ ଚୀଳଛଞ୍ଚାଣଙ୍କ ସାଥେ
ରକ୍ତର ଖେଳିବା ହୋଲି।

ତା ଡାକରେ ଥାଏ ଏକ ଜିଦ କରା ମଣିଷର ସ୍ୱର
ଗୁଦ ଗୁଦ ଆସି ଯାନ୍ତି ନୁନାନୁନୀମାନେ ହାତରେ ଧରି ଧୁନୁତୀର
କା ହାତରେ ଦା' ଥାଏ କା ହାତେ କରରି ଓ ପନକୀ
କିଏ ଡାକେ ଆସ ହେ ଚୀଳ ଛଞ୍ଚାଣ ଛୁଇଁ ଦେଖ ଆମର ଅଂଚୁଡ଼ି ମାଟିକି ।

ଚାରି ହାତର ଧୋତି ପିନ୍ଧି ଖେଦିପାରେ ଛିନ୍ଛତର କରି
ନିଶ ଫୁଲେଇ ଏବେ ବି ଜୀଇଁଏ ଦୁଃଖ ସୁଖ ଦୁଇ କଥା ବୋଲି
ତାର ଜମାରୁ ଭୟ ନ ଥାଏ ଛଞ୍ଚାଣ ସଇନଙ୍କ ବନ୍ଧୁକ ଓ ଗୁଳି।

ତା ସହିତ କଟିଛି ସମୟ ବିତେଇଛି କିଛିଦିନ
ତା କଥା ଶୁଣିଲେ ଲାଗେ ଧିକ ମୋର ଏ ପଢା ଜୀବନ
ପାଠ ଟିକେ ପଢି କଣ ବା କରିଛି
ଅଗଷ୍ଟ ପନ୍ଦର ଆସିଲେ ସ୍ୱାଧୀନତା ନାଗରିକ ବୋଲି ଡିଣ୍ଡିମ ପିଟୁଛି
ଆଜି ବି କାହା ଗୁଲାମରେ ଜୀବନ ବିତୁଛି ।

ମୋତେ ଲାଗେ ସେ ଏକା ଜଣେ ଏ ମାଟିର ସନ୍ତାନ
ସଦାବେଳେ ସଜାଗ ଅଛି ମାଟି ପାଇଁ ଦେବାକୁ ଜୀବନ
ଧନ୍ୟତାର ପିତା ମାତା କଣ ଖାଇ ଡଙ୍ଗର ତଳେ ଦେଲେଟି ଜନମ
ହେ ବୁଲୁକା ମିଣିଆକା ଘେନ ଥରେ ଦୂରରୁ ମୋର ଶତବାର ନମନ ।