ଫଟୋ - ବୈତାଳ ମନ୍ଦିରର "ଉମା ମହେଶ୍ଵର", ବିଭୁ ପଟ୍ଟନାୟକ

ଏବେ ପ୍ରାୟ ପନ୍ଦର ବର୍ଷରୁ ଅଧିକ ହବଣି, ଦିନେ କୌଣସି ଏକ କାମରେ ଡ. ଦିନନାଥ ପାଠୀଙ୍କ ଭୀମଟାଙ୍ଗି ବାସଭବନରେ ଯାଇ ପହଂଚି ଦେଖିଲି, ପାଠୀ ସାର ତାଙ୍କ ଦାଣ୍ଡପଟ ବାରଣ୍ଡାରେ ଆସର ଜମେଇ ବସିଛନ୍ତି । ପାଠୀ ସାରଙ୍କ ସାମ୍ନାରେ ବସିଥିଲେ ପ୍ରସିଦ୍ଧ କଳା ଐତିହାସିକ ଡ. ଏବରହାଡ଼ ଫିଶର । ପ୍ରଥମଦେଖାରେ ହିଁ ଡ. ଫିଶର ବୋଲି ଠଉରେଇ ପାରିଥିଲି । ପାଠୀ ସାରଙ୍କୁ ମୁଁ ପାଦ ଛୁଇଁ ପ୍ରଣାମ କଲି ଏବଂ ଆମ ଓଡ଼ିଆ ପରମ୍ପରା ହିସାବରେ ଉପସ୍ଥିତ ଅନ୍ୟ ଗୁରୁଜନଙ୍କୁ ମଧ୍ୟ ସମ୍ମାନ ଦେଖାଇବାକୁ ହେଇଥାଏ ତେଣୁ ଡ. ଫିଶରଙ୍କୁ ମଧ୍ୟ ପାଦ ଛୁଇଁ ପ୍ରଣାମ ହେଲି । ଦୁହେଁ ଠୋ ଠୋ ହୋଇ ହସିବାରେ ଲାଗିଲେ । ଦୁହିଁଙ୍କ ମଝିରେ ପଡ଼ିଥିବା ଖାଲି ଚେୟାରଟିରେ ବସିବା ପାଇଁ ପାଠୀ ସାର କହିଲେ । ସାରଙ୍କ ଘର ସାମ୍ନାରେ ଥିବା ହରାଭରା ଛୋଟିଆ ବଗିଚାଟି ଆଡ଼କୁ ମୁହଁ କରି ବସିବା ପରେ, ଆରମ୍ଭ ହେଲା ନାନାପ୍ରକାରର ଥଟ୍ଟାମଜ୍ଜା ।

ପ୍ରଥମେ ପାଠୀ ସାର ମୋର ପରିଚୟ କରାଇ ଡ. ଫିଶରଙ୍କୁ ଜଣେଇଦେଲେ ଯେ, “ବିଭୁ ହେଉଛି ପ୍ରଫେସର ଆର. ପି. ଦାସଙ୍କ ପୁତୁରା ଏବଂ ଜଣେ ସଂବେଦନଶୀଳ ଚିତ୍ରଶିଳ୍ପୀ ଓ ଲେଖକ ମଧ୍ୟ ।“

ମୋର ଏବେ ସଠିକ୍ ମନେ ପଡୁନି, ସେତେବେଳକୁ ମୋର ବାହାଘର ଠିକ୍ ହେଇଥାଏ କିମ୍ୱା ସଦ୍ୟ ବାହା ହେଇଥାଏ । ମୋ ବାହାଘର କଥା ପଡ଼ିଲା । ଡ. ଫିଶର ଆଗ୍ରହରେ ପଚାରିଲେ, “ମୋ ବାହାଘର ପ୍ରେମ ନା ପାରମ୍ପରିକ ।“

ମୋ ଉତ୍ତରରେ ଡ. ଫିଶରଙ୍କ ମୁହଁରେ ହାଲ୍କା ଭ୍ରୁକୁଂଚନ ଦେଖି ମୁଁ ସହମିଗଲି । ଓଡ଼ିଆ ପ୍ରଥା ହିସାବରେ ମା’ବାପାଙ୍କ ଦ୍ୱାରା ଠିକ୍ କରାଯାଇଥିବା ବାହାଘରକୁ ସେ ଆଦୌ ଗ୍ରହଣ କରିପାରୁ ନ ଥିଲେ । ବର୍ଷ ବର୍ଷ ଧରି ଓଡ଼ିଶା ତଥା ଭାରତୀୟ କଳା ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଜଡ଼ିତ ଥିବା ଏହି ବିଖ୍ୟାତ କଳା ଐତିହାସିକଙ୍କ ଭିତରେ ଏପରି ଏକ ଅତି ସାଧାରଣ ୟୁରୋସେଣ୍ଟ୍ରିକ୍ ମାନସିକତାକୁ ଦେଖି ସେଦିନ ମୁଁ ଆଶ୍ଚର୍ଯ୍ୟ ହେଇଥିଲି । ଏଇଭଳି କିଛି ସମୟ ଗପସପ ଚାଲିଲା ପରେ ଜଣାପଡ଼ିଲା ଯେ, ଡ. ଫିଶର ଅଳ୍ପ ସମୟ ଭିତରେ ପାଠୀ ସାରଙ୍କ ସହ ପୁରୁଣା ଭୁବନେଶ୍ୱରର ମନ୍ଦିର ପରିଦର୍ଶନରେ ବାହାରିବାର ଅଛି । ଅପେକ୍ଷାରେ ବସିଥାନ୍ତି, କାର୍ ଆସିଲେ ବାହାରିବେ ।

ତାଙ୍କ ଯୋଜନା କଥା ଜାଣି ମୁଁ ସେଠୁ ବିଦାୟ ନେବା ପାଇଁ ପ୍ରସ୍ତୁତ ହେଉଛି, ଏତିକିବେଳେ ଡ. ଫିଶର ପାଠୀ ସାରଙ୍କୁ କହିଲେ, “ଆମ ସାଥିରେ ବିଭୁ ମଧ୍ୟ ବାହାରିଲେ ଭଲ ହୁଅନ୍ତା ।“

ସାର୍ କହିଲେ, “ହଁ ନିଶ୍ଚୟ, ଖୁବ୍ ଭଲ ହେବ ।“

କଥାଟି ଶୁଣି ମନେମନେ ବଡ଼ ଖୁସିହେଲି । ଦୁଇ ଦୁଇ ଜଣ ଦିଗ୍ଗଜ କଳା ଐତିହାସିକଙ୍କ ଗହଣରେ ମନ୍ଦିର ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦେଖିବାଟା ମୋ ପାଇଁ ସେଦିନ ଯେପରି ଗୋଟେ ସୁବର୍ଣ୍ଣ ସୁଯୋଗ ଥିଲା । କାର୍ ଆସିଲା, ଆମେ ତିନିଜଣ ବାହାରିଲୁ ବୈତାଳ ମନ୍ଦିର । କାର୍ ଭିତରେ ଡ୍ରାଇଭରପାଖ ସିଟରେ ବସିଲି । ପଛପଟ ସିଟରେ ଦୁହିଁଙ୍କ କଥୋପକଥନରେ କାଳେ ବାଧା ସୃଷ୍ଟି ହେବ ସେଥିପାଇଁ ମନେ ମନେ ସ୍ଥିର କଲି ଯଥାସମ୍ଭବ ନିରବ ରହିବି । କିନ୍ତୁ ଏ କଣ ହେଲା ! ଗାଡ଼ି ଅଳ୍ପ ସମୟ ଚାଲିଲା ପରେ ଡ. ଫିଶର ମୋ ସହ କଥା ଆରମ୍ଭ କଲେ, ପାଠୀ ସାର ମଧ୍ୟ ସାଥ ଦେଲେ । ମୋ ଭଳି ଜଣେ ସାମାନ୍ୟ ଯୁବଶିଳ୍ପୀ ସହ ଦୁହିଁଙ୍କ କୌତୁହଳପ୍ରଦ କଥୋପକଥନ ମୋତେ ଆଚମ୍ବିତ କରିଥିଲା ସେଦିନ । ଲକ୍ଷ୍ୟ କଲି, ଡ. ଫିଶର ସ୍ୱଭାବରେ ଖୁବ ଯୁବକ ସୁଲଭ ଏବଂ ଜଣେ ସୁସ୍ଥ ମିଜାଜର ମଣିଷ ।

ଗାଡ଼ି ବୈତାଳ ମନ୍ଦିରରେ ଲାଗିଲା । ଅନେକ ଦିନର ପୁରୁଣା ପ୍ରେମିକାର ବିରହରେ ଝୁରି ହେଲା ଭଳି ଡ. ଫିଶର ବୈତାଳ ମନ୍ଦିର ପରିସର ଆଡ଼କୁ ଆକର୍ଷିତ ହେଇ ମାଡ଼ିଚାଲିଲେ, ପଛେ ପଛେ ଆମେ ଦୁହେଁ । ପ୍ରଥମେ ମନ୍ଦିର ସ୍ଥାପତ୍ୟର ସମଗ୍ରତାକୁ ଖୁବ ତନ୍ମୟତାର ସହ ଗୋଟେ ନଜର୍ ପକାଇଲେ । ତାପରେ ମନ୍ଦିରକୁ ଭିନ୍ନ ଭିନ୍ନ ଦିଗରୁ, ଚଳ ଚଂଚଳାତାର ସହ ବୁଲି ବୁଲି ଦେଖିଲେ । କେତେବେଳେ କାନ୍ଥ ଉପରେ ଠୁଙ୍କାପାରି ବସି ତ ଆଉ କେତେବେଳେ ଠିଆ ହେଇ ଦେଖିଚାଲିଲେ ତାଙ୍କ ପ୍ରିୟ ଭାସ୍କର୍ଯ୍ୟମାନଙ୍କୁ, ଉମା - ମହେଶ୍ୱର, ଦଶଭୂଜ ନଟରାଜ, ଅଷ୍ଟଭୂଜା ଚାମୁଣ୍ଡା, ଅର୍ଦ୍ଧନାରୀଶ୍ୱର, ଦୁର୍ଗା, ପାର୍ବତୀ, ଲକୁଳିଶ, ଅଳସାକନ୍ୟା ଇତ୍ୟାଦି ଇତ୍ୟାଦି । ଓଡ଼ିଶା ବାହାରେ ରହୁଥିବା ଯୋଗୁଁ ମୁଁ ମଧ୍ୟ ଅନେକ ଦିନ ବ୍ୟବଧାନରେ ବୈତାଳ ମନ୍ଦିର ଦେଖୁଥାଏ । କୌଣସି କାରଣରୁ ମନ୍ଦିର ବେଢ଼ା ଭିତରେ ଜାଗା ଜାଗା ପାଣି ଜମିଥାଏ । ପାଣି ଜମି ଚାରିଆଡ଼ ମଇଳା ଆବର୍ଜନା ହେଇ ପଡ଼ିଥାଏ । ଅନେକ ଥର ଏହି ମନ୍ଦିରକୁ ଆସିଛି, ଏଭଳି ପରିତ୍ୟକ୍ତ ଅବସ୍ଥା ପୂର୍ବରୁ କେବେ ଦେଖିନଥିଲି । ଡ. ଫିଶର ମନ୍ଦିରକୁ ଏଭଳି ଅବସ୍ଥାରେ ପାଇ ଚିନ୍ତା ଓ ଉଦ୍ବେଗତାର ସହିତ ଡ. ପାଠୀଙ୍କୁ କହିଲେ, “ଏଭଳି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଉଚିତ ।“

କିଭଳି ଉପାୟରେ ଦକ୍ଷତାର ସହ ଏହି କାର୍ଯ୍ୟଟି ସମ୍ପାଦିତ ହେବ ସେନେଇ ଦୁହିଁଙ୍କ ଭିତରେ କିଛି ସମୟ ଆଲୋଚନା ହେଲା, ତା’ପରେ ଆମେ ବାହାରିଥିଲୁ ପରଶୁରାମେଶ୍ୱର ମନ୍ଦିର । ପରଶୁରାମେଶ୍ୱର ମନ୍ଦିର ଓ ତାର ଏକାନ୍ତ ପରିବେଶ ମତେ ସଦାବେଳେ ଭଲଲାଗେ । ସେଠି କିଛି ସମୟ ବିତାଇଲୁ । ଡ. ଫିଶର କହିଲେ, “ଏଇ ମନ୍ଦିରଟି ମୋର ଅନ୍ୟତମ ପ୍ରିୟ ମନ୍ଦିର, ଏଠିକା ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟରେ ନିହିତ ସରଳତା ମୋତେ ସର୍ବଦା ମୁଗ୍ଧ କରିଥାଏ ।“

ତନ୍ନତନ୍ନ କରି ମନ୍ଦିର ପରିଦର୍ଶନ କରୁଥିବାବେଳେ ଲକ୍ଷ୍ୟ କଲି ଡ. ଫିଶରଙ୍କ ମନ୍ଦିର ଭାସ୍କର୍ଯ୍ୟକୁ ନେଇ ରହିଥିବା ଅନାବିଳ ପ୍ରେମକୁ । ମନ୍ଦିରର କିଛି କିଛି ଜାଗାରେ କାରୁକାର୍ଯ୍ୟ ଭରା ପଥର ଖଣ୍ଡଗୁଡ଼ିକ ଅସାମଂଜସ୍ୟଭାବେ ଖଂଜା଼ ଯାଇଥିବାକୁ ଲକ୍ଷ୍ୟକରି କହିଲେ, ଏଇ ପଥର ଖଣ୍ଡଗୁଡ଼ିକୁ ଏପରି ଅସାମଂଜସ୍ୟଭାବେ ରଖାଯିବା ପଛର କାରଣ କିଛି ବି ହେଇପାରେ କିନ୍ତୁ, ତାଦ୍ୱାରା ସୃଷ୍ଟି ହେଉଥିବା ବସ୍ତୁନିରପେକ୍ଷତା ଭଳି ଗୋଟେ ଭିନ୍ନ ସ୍ୱରକୁ ଉପଲବଧି କରିହେଉଛି । ଜଣେ ସମକାଳୀନ ଚିତ୍ରଶିଳ୍ପୀ ଭାବେ ତାଙ୍କର ଏଭଳି ଗୋଟେ ଅପରଂପରାଗତ ଚିନ୍ତାଧାରା ସହ ମୁଁ ସେଦିନ ପୂର୍ଣ୍ଣ ଏକମତ ହେଇଥିଲି । ତାଙ୍କର ଏଭଳି ଅନନ୍ୟ ଦୃଷ୍ଟିକୋଣ ମୋତେ ଆଶ୍ଚର୍ଯ୍ୟ କରିଥିଲା ।

ଦି’ଦିଟା ମନ୍ଦିର ବୁଲି ଦେଖା ସରିଲାବେଳକୁ ମଧ୍ୟାହ୍ନ ହେଇସାରିଥିଲା । ଭୋକ ଲାଗୁଥିଲା । ପରସ୍ପରଠାରୁ ବିଦାୟ ନେଇ ମଧ୍ୟାହ୍ନ ଭୋଜନ ପାଇଁ ଆମେ ଯେଝା ବାଟରେ ଯିଏ ବାହାରି ଯାଇଥିଲୁ ।