“ଦେବଦାସ ଛୋଟରାୟଙ୍କ ସିନେମା ଗୀତ”, ପ୍ରକାଶକ - କେତକୀ ପବ୍ଲିକେସନ୍ସ

ଜୀବନରେ ଯେଉଁ କେତୋଟି ହାତଗଣତି ସୁଖ ହାତପାହାନ୍ତାରେ ଥାଏ, ଯାହା ସିଧାସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵୀଭୂତ କରିପାରେ, ସିଧା ପାର୍ଥିବ ପୃଥିବୀରୁ ନେଇ କେଉଁ ଏକ ଅପାର୍ଥିବ ଜଗତରେ ପହଞ୍ଚେଇ ଦେଇପାରେ, ଯେକୌଣସି ସମୟରେ ଭାରାକ୍ରାନ୍ତ ମନକୁ ଶାନ୍ତ କରିଦେଇପାରେ, ସେଇଭିତରେ ପ୍ରିୟ ବହି ପଢିବା, ପ୍ରିୟ ଗୀତ ଶୁଣିବା ଓ ପେଟପୂରା ସୁଖାଦ୍ୟ ଖାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସୁଖ ନିଦ୍ରା ମୋ ଦୃଷ୍ଟିରେ ନିଶ୍ଚୟ ରହିବ ।

(ଏ ତାଲିକାର ଚୟନ, କ୍ରମାଙ୍କ ବ୍ୟକ୍ତିବିଶେଷରେ ପରିବର୍ତ୍ତନଶୀଳ, ପରୀକ୍ଷା ପ୍ରାର୍ଥନୀୟ ! )

ଆଉ ସୌଭାଗ୍ୟକୁ ଯଦି ନିଜ ଭାଷାରେ ନିଜର କିଛି ପ୍ରିୟ ଗୀତର ସୁଦୃଶ୍ୟ ମର୍ଯ୍ୟାଦାବନ୍ତ ସଂକଳନଟିଏ ହାତରେ ପଡେ, ସେଥିରେ ପୁଣି ମାର୍ଚ୍ଚ ମାସର ଆକାଶରେ ଘୋଟିଥାଏ ଅଦିନିଆ କଳା ମେଘ ଓ ଅଫିସ ଛୁଟି ଥାଏ ଓ ତା ସାଙ୍ଗରେ ଯଦି ବହିର ପ୍ରତି ଗୀତକୁ ୟୁଟ୍ୟୁବରେ ଖୋଜି ବଜେଇ, ନିରୋଳାରେ ଗୁଣୁଗୁଣେଇ ହୁଏ (ସେ ସ୍ୱର ହେଉ ପଛେ କର୍କଶ) ତାହେଲେ ୟା ଠାରୁ ଆଉ ପ୍ରାଣଉଲୁସା ସୁଖ କଣ ହେଇପାରେ !

ହାତରେ ଏବେ “ଦେବଦାସ ଛୋଟରାୟଙ୍କ ସିନେମା ଗୀତ”। ବହିର ପ୍ରଚ୍ଛଦରେ ରହିଛି ସୂତା ଛିଣ୍ଡି ଯାଇଥିବା କଳା, ଧଳା, ନାଲି ଗୁଡ଼ି । ପଛପଟ ଫ୍ଲିପକଭରରେ ଗୀତିକାରଙ୍କ ମୁହଁକୁ ଲୁଚେଇ ଦେଇଛି ଗୋଟେ ହଳଦିଆ ଗୁଡ଼ି । ବହିରେ ଅଛି ଗୀତିକାରଙ୍କ ରଚିତ ଗତ ଚାରି ଦଶନ୍ଧି ଧରି ବିଭିନ୍ନ ଓଡ଼ିଆ ସିନେମାରେ ବାଜିଥିବା ଶହେଟି ଓଡ଼ିଆ ସିନେମା ଗୀତ । ପ୍ରତି ଗୀତ ତଳେ ଲିପିବଦ୍ଧ ରହିଛି ସମ୍ପୃକ୍ତ ସିନେମାର ନାଁ ଓ ମସିହା । ଶହେ ଏକାନବେ ପୃଷ୍ଠାର ଏଇ ବହି ଖୋଲିଲେ ଏକ ଅନ୍ତରଙ୍ଗ ଉତ୍ସର୍ଗ ସହ ପଢିବାକୁ ମିଳିବ “ଗୀତର ନିଜ ନିଜ ଭାଗ୍ୟ” ଶୀର୍ଷକରେ ଗୀତ, ଜୀବନ ଓ ଅକ୍ଷୟ ମହାନ୍ତିଙ୍କୁ ନେଇ ଦେବଦାସ ଛୋଟରାୟଙ୍କ ରଚିତ ଏକ ନିବିଡ ସ୍ମୃତିଚାରଣ ।

ତାପରେ ବହି ଖୋଲିଲେ ଆସିଯାଏ ସେଇ ସବୁ ଗୀତ ଯାହାକୁ ଆମେ ଶୁଣି ଶୁଣି ବଡ ହେଇଚୁ, ଯୋଉ ଗୀତମାନେ କେତେ ଭଙ୍ଗୀରେ …କେତେ ବାଗରେ ଏ ଲୋଚାକୋଚା ଜୀବନର ଭାଙ୍ଗ ସଜାଡ଼ିଛନ୍ତି ..କେତେ ଗୀତର ଧାଡ଼ିମାନ କେତେ ନିରବୀ ଆସୁଥିବା ସ୍ମୃତିମାନଙ୍କର ମୁଖର ସାକ୍ଷୀ ରହିଛନ୍ତି । କୋଉ କୋଉ ଗୀତ କେବେ କେମିତି ଛିଡାହେଇଛନ୍ତି ମନ୍ତ୍ର ପରି, ଅଭୟ ବାଣୀ ପରି ..ପୁଣି କୋଉ କୋଉ ଗୀତ ସୁଦୁ ଖୁସିବେଳର, ଉତ୍ଫୁଲ୍ଲ ମୁହୂର୍ତ୍ତର, ଚଟୁଳ ରସିକତାର ସାକ୍ଷୀ ହେଇ ଆଜି ଯାଏ ଜୀବନକୁ ଟାଣି ଆଣିଛନ୍ତି ସୁରୁଖୁରୁରେ ।

ଏ ବହିରେ “ମନ ଖରାପର ଫୁଲ”, ”ହେ ମୋର ଜୀବନ” କିମ୍ୱା “ହଜାର ଆଶା ” ପରି ସିରିୟସ ଗୀତ ଅଛି ,”ପରଦେଶୀ ବନ୍ଧୁ ତୁମେ”, ”ସାଇକେଲ ନାଗର”, ”ବଗିଚା ର ନାଁ ତିନିକୋଣିଆ” ପରି ଲୋକଗୀତର ଅତର ଛିଞ୍ଚା ସିନେମା ଗୀତ ବି ଅଛି ଓ “ମୁଁ ଯିବି ମୁଁ ଯିବି”, “ଜ୍ୟୋସ୍ନା ଆଣେ ପ୍ରଜାପତି”, ”ହଜାରେ ଏଇ ମଣିଷ ଭିଡ ଭିତରେ” ପରି ବି କିଛି ଗୀତ ଅଛି ଯାହାର ତାରକସି ଗୀତ ଓ କବିତାର ବିଭାଜନ ରେଖାଟିକୁ ନ୍ୟୁନ କରିଦେଇଛି ।

ଯେମିତି କିଛି ବହି, କିଛି ନିର୍ଦ୍ଦିଷ୍ଟ ବାସ୍ନା ଅନୁଭବ କରିବାବେଳର ବା ପଢିବାବେଳର ସମୟକୁ ସ୍ମୃତି କୋଠରୀରେ ସାଇତି ରଖନ୍ତି, ସେମିତି କିଛି ଗୀତ ବି ଅଛି ଯାହାର ଧାଡିମାନେ ମନ ଭିତରେ ଯୋଉ ଗାର ଟାଣନ୍ତି, ସେଇ ସମୟକୁ, ଅବସ୍ଥାକୁ ଲିପିବଦ୍ଧ କରିବାର ଯୋଉ କ୍ଷମତା ରଖନ୍ତି ତାକୁ ସାରାଜୀବନ ମଣିଷ ନିଜ ସାଙ୍ଗେ ନିଏ । ଯୌବନରେ ଭଲ ଲାଗିଥିବା ଗୀତ ..ବୁଢାବେଳେ ବି ଯୌବନର ପୁଲକ ଆଣିଦେବାର ପ୍ରତିଶ୍ରୁତି ରଖେ ।

ମୋଟାମୋଟି କହିବାକୁ ଗଲେ ଭଲ ଗୀତର ଧାଡି, ଭଲ ଗୀତର ସୁର ଯୋଉ ବାସ୍ନା ତିଆରି କରେ, ଯୋଉ ଅନୁଭବ ତିଆରି କରେ ତାହା ସମୟ ଦାଢ଼ରେ ଏତେ ଶୀଘ୍ର ଘୋରି ହୁଏ ନାଇଁ । ଏଇ ଯେମିତି “କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ” ଗୀତର ସେଇ ଧାଡି

“ଯାହା ଥିଲା ସବୁଠାରୁ ବଡ ସୁଖ
ଏବେ କେହି ନାଇଁ ନାଇଁ
ବୁଝିବା ପାଇଁ
ମନ ତଳ ସବୁ ଦୁଃଖ ”

ଏ କେଇ ଧାଡି, ଅକ୍ଷୟ ମହାନ୍ତିଙ୍କ ସ୍ୱର ..ଏ ଗୀତ ମୁଁ ଯେବେ ବି ଶୁଣେ, ଲାଗେ ଉଣେଇଶ ବର୍ଷର ଗୋଟେ କଲେଜ ପଢୁଆ ପିଲା ଯାହାର କୈଶୋର ଚାଲିଯାଇଛି , ଯୌବନ ଏଇ ଏବେ ଆସି ବାରଣ୍ଡାରେ ଚେୟାର ପକେଇ ବସିଛି, ସେ ଢେଙ୍କାନାଳର କୋଉ ଗୋଟେ ମେସ ବାହାରେ ଗୋଟେ ଅଧା ତିଆରି ଘରର ପଥର କାନ୍ଥ ଉପରେ ବସିଛି, ଚାରିପାଖେ ବିଛେଇ ହେଇ ପଡିଛି ଆଉଟା ସୁନା ପରି ଖରା ଓ ସେ କୋଉ ଏକ ଅଜଣା ଦୁଃଖରେ ଆଉଟୁ ପାଉଟୁ ହେଇଯାଉଛି ତା ପୁଣି ସେଇ ଝିଅ ପାଇଁ ଯିଏ ତାର ଫୋନକୁ ହଠାତ କାଟି ଦିଏ ଓ ମେସେଜ ଦେଇଥାଏ “ଆମେ ବରଂ ଦୂରେଇ ରହିବା ଭଲ” ।

ସେମିତି ”ଝିଅ ଦେଖିଲି ତିନିଟି …” ଗୀତ ଶୁଣିଲେ ମତେ ଆଜକୁ ପନ୍ଦରବର୍ଷ ତଳେ କଟକର କୌଣସି ଏକ ଶୀତାର୍ତ୍ତ ସନ୍ଧ୍ୟା ମନେପଡେ ଯେବେ ଅରୁଣୋଦୟ ମାର୍କେଟ ପାଖରେ ଆମେମାନେ ମୁଁ ଓ ମୋ ସିନିଅର ବାନା ଭାଇ ଛିଡା ହେଇଥାଉ ସାଇକେଲ ଧରି .. ଦଳ ଦଳ ହେଇ ମେଡିକାଲ କୋଚିଙ୍ଗ ନେଉଥିବା ଝିଅ ବାହାରି ଆସୁଥାନ୍ତି …ବାନା ଭାଇ ବଡ ପାଟି କରି ଗାଉଥାଏ “ଝିଅ ଦେଖିଲି ତିନିଟି “, ସେଇ ନିର୍ଦ୍ଧିଷ୍ଟ ଝିଅ ଯିଏ ତିନି ନମ୍ବର ଥାଏ …ତାକୁ ଛାଡି ବାକିମାନଙ୍କର ମୁହଁରେ ଚଟୁଳ ପ୍ରତିକ୍ରିୟା ଦିଶେ ହଳଦିଆ ଷ୍ଟ୍ରିଟ ଆଲୁଅ ରାସ୍ତାସାରା ବିଛେଇ ହେଇ ପଡିଥାଏ ... ହଠାତ ଏଆରସି ଚୌଦ୍ୱାରର ଗୋରେ ଟାଉନ ବସ ଆସି ଛିଡା ହୁଏ …ସେ ଝିଅ ବସ ଚଢ଼େ … “ପ୍ରେମ ଗୋଟେ ଟାଉନ ବସ” କହି ବନା ଭାଇ ହସିଦିଏ….. ବସ ଧୂଳି ଉଡେଇ ଚାଲିଗଲା ପରେ ଆମେ ସାଇକେଲ ବୁଲାଉ ଖାନ୍ ନଗର ଆଡେ ବାନା ଭାଇ ବାଟଯାକ ନୂଆ ନୂଆ ଜୋକ କହେ ଓ ରାତି ବଢୁଥାଏ ।

ମୁଁ ଯେବେ ବି ଏଇ ଗୀତ ଶୁଣେ..ପବନରେ ସେଇ ପରିଚିତ ବାସ୍ନା ଆସେ …ସେଇ ସବୁ ଦିନ ମୁହଁ ଲେଉଟାଏ ..ବାନା ଭାଇ କଥା ମନେ ପଡେ …ଲାଗେ ଏବେ ବି କଣ କେହିଜଣେ ସେମିତି ସାଇକେଲ ସିଟ୍ ଉପରେ ଗୋଡ ଢିରା ଦେଇ ରାସ୍ତା କଡରେ ଗୀତ ଗାଉଥିବ ଆଉ …ସାମ୍ନାରେ ଗୋଟେ ପ୍ରେମକୁ ଲଦି ଦେଇ ବସଟିଏ କଟକର ସନ୍ଧ୍ୟାରେ ଧୂଳି ଉଡେଇ ଚାଲିଯାଉଥିବ !

ପ୍ରିୟ ଗୀତର ଧାଡିକୁ ଟିପି ପକେଇବାର ଅଭ୍ୟାସଟି ହେତୁ ପାଇବା ଦିନରୁ ‘ଆଜନ୍ମ’ । ଯଦିଓ ବେଳେବେଳେ କୋଉ କୋଉ ଗୀତର ସୁରଟି ଏତେ ପ୍ରାଣବନ୍ତ ଥାଏ ଯେ, ଗାଇଲାବେଳେ ତାର ଶବ୍ଦମାନେ ଅପଭ୍ରଂଶ ହେଇ ଗୀତର ଅର୍ଥକୁ କଦର୍ଥ କରିପକାନ୍ତି । କିନ୍ତୁ ଏମିତି ବି କିଛି ଗୀତ ଅଛନ୍ତି ଯାହାର ଶବ୍ଦମାନେ ହାତ ଧରାଧରି ହେଇ, ଏମିତି ଆକସ୍ମିକ ପରିଣତି ଆଣନ୍ତି, ଏମିତି ଭାବକୁ ପରିପ୍ରକାଶ କରନ୍ତି ତାହା ସଂଗୀତକାର, ବାଦ୍ୟଯନ୍ତ୍ର, କଣ୍ଠଶିଳ୍ପୀଙ୍କୁ ମାତ ଦିଏ ଓ ଗୀତିକାର ବାଜିମାରିନିଏ । ଏଥିରେ ଦେବଦାସ ଛୋଟରାୟ ଓ ଅକ୍ଷୟ ମହାନ୍ତିଙ୍କ ଗୀତଲେଖାର ପ୍ରାବଲ୍ୟ ବହୁତ ବେଶୀ । ଏଇ ଯେମିତି କଣ୍ଢେଇ ଗୀତ ଧାଡି

“ତତେ ସିନା ମିଳିଗଲା
ପାଟଲୁଗା, କମକୁଟ ଆଇନା
ମୋ ପାଖରୁ ହଜିଗଲା
ଜିଇଁବାର ଥିଲା ଯେତେ ବାହାନା
ତୁ ଏଠି ଝଟକୁ ଆଜି ବିଜୁଳି ପରିକା ସିନା
ମତେ ଦେଲୁ ମେଘ ପରି କନ୍ଦେଇ ”

ଏଇ ‘ମେଘ ପରି କନ୍ଦେଇ’ ଦେବା ….ଯୋଉ ଚିତ୍ରକଳ୍ପ ତିଆରି କରେ ..ସୁରର ପ୍ରାବଲ୍ୟରେ ଶବ୍ଦବସାଣର ଗରିମା କ୍ଷୁଣ୍ଣ ନ ହୋଇ ତାହା ଗୀତକୁ ଆଉରି ଉଜ୍ଜ୍ୱଳ କରିଦିଏ ..

ସେମିତି ‘ଚୁପ କରି ଶୁଣୁଛି ବୋଲି ମୁଁ
ଦୁନିଆ ଯାଉଛି କହି
ମୁଁ କହିଲେ ସାରା ଦୁନିଆର ମୁହଁ
ରହିଯିବ ଚୁପ ହେଇ ”

ଏଇ ଗୀତରେ ଦୁନିଆକୁ ଚୁପ କରି ଦେବାର ଠାଣି ଶ୍ରୋତାକୁ ଆଚମ୍ବିତ କରି ପକାଏ । ଦେବଦାସଙ୍କ ଗୀତମାନଙ୍କରେ କବିତ୍ଵ ଅଛି, ଲାଳିତ୍ୟ ବି ଅଛି , ପ୍ରଚୁର ଆକସ୍ମିକତା ସହ ଛାତିକୋରି ଦେଉଥିବା ବିଷାଦକୁ ଫୁ କରି ଉଡେଇଦେବାର ପୌରୁଷ ବି ଅଛି । ଆଉ ସବୁଠୁ ଲକ୍ଷଣୀୟ ଦିଗଟି ହେଲା ସାଧାରଣ ସରଳ ଭାଷାରେ ଗାଉଁଲି ଚଳଣିକୁ, ମଧ୍ୟବିତ୍ତ ମଣିଷର ସୁଖ, ଦୁଃଖ, ପ୍ରେମ, ଲୁହକୁ, ଲୋକକଥାକୁ ଗୀତରେ ଫୁଟେଇ ପାରିବାର ଅନନ୍ୟ କଳା ବି ଅଛି । “ବାଲମା”, ”ନୟେନା”, ”ଇସ୍କ ସୁଫିଆନା”, ”ମେଡ ଫର ୟୁ ”, ”କ୍ରେଜି ଦିଲ ” ପରି ଅନେକ ହିନ୍ଦୀ ଓ ଇଂରାଜୀ ଶବ୍ଦମାନଙ୍କର ଓଡ଼ିଆ ଗୀତ ଭିତରକୁ ଅନୁପ୍ରବେଶ ସମୟରେ ମୌଳିକ ଓଡ଼ିଆ ଗୀତର ଏଭଳି ସଂକଳନଟିଏ ର ପ୍ରଚୁର ଆବଶ୍ୟକତା ଥିଲା । ସେଥିପାଇଁ “କେତକୀ” ଫାଉଣ୍ଡେସନ ଆମର ଧନ୍ୟବାଦାର୍ହ ।

ବେଶ କିଛି ବର୍ଷ ଧରି ପ୍ରକାଶନ ଶିଳ୍ପରେ ଜଡିତ ଥିବା ଜ୍ୟୋତି ରଞ୍ଜନ ସ୍ୱାଇଁଙ୍କ କେତକୀ ଫାଉଣ୍ଡେସନ ୟା ଭିତରେ ଜୟନ୍ତ ମହାପାତ୍ର, ଗୋପାଳ ଛୋଟରାୟଙ୍କ ପରି ବିଶିଷ୍ଟ ସାରସ୍ୱତ ସାଧକମାନଙ୍କର କୃତିକୁ ପୁନଃମୁଦ୍ରଣ କରିଛି ..ତାଙ୍କର ସବୁ ବହି ପରି ଏଇ ବହିଟି ମଧ୍ୟ ପରିପାଟୀ, କାଗଜର ଗୁଣାତ୍ମକ ମାନ, ବନ୍ଧେଇ ସବୁଥିରେ ସମ୍ଭ୍ରାନ୍ତ ଓ ରୁଚିପୂର୍ଣ୍ଣ ହେଇଚି । ପ୍ରକାଶନ ଶିଳ୍ପରେ ଏପରି ବହିମାନଙ୍କର ପ୍ରସ୍ତୁତି ସବୁବେଳେ ପ୍ରଶଂସନୀୟ ଓ ଉଲ୍ଲେଖଯୋଗ୍ୟ ।

ବହିର ଶେଷ ଆଡକୁ ଅଛି ବହିରେ ଥିବା ଶହେଟି ଗୀତର ପ୍ରଥମ ଧାଡି, ଗୀତ ସମ୍ପର୍କରେ ଗୀତିକାରଙ୍କ ତିନୋଟି ଚମତ୍କାର ଆଲେଖ୍ୟ ଓ ତା ସହ ଦେବଦାସ ଛୋଟରାୟଙ୍କ ଗୀତର ଗଢ଼ଣ, ସ୍ଥାପତ୍ୟ ଓ ମୌଳିକତା ସମ୍ପର୍କରେ ଅଛି ଗବେଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ଏକ ମନନଶୀଳ ଗଦ୍ୟ । ବହିଟିର ପ୍ରଚ୍ଛଦ, ପରିପାଟୀ ସମ୍ଭ୍ରାନ୍ତ ଓ ରୁଚିପୂର୍ଣ୍ଣ । କିଛି ପ୍ରମାଦ ଓ ତ୍ରୁଟି ( ଯେମିତି ବହିର ଭିନ୍ନ ଭିନ୍ନ ସ୍ଥାନରେ ବହିର ଭିନ୍ନ ଭିନ୍ନ ମୂଲ୍ୟ) କୁ ଏଡେଇ ଦିଆଯାଇପାରିଥାନ୍ତା । ବହିଟିକୁ ଯେକୌଣସି ସମୟରେ ଧରି, ମାନେ ବସରେ, ଟ୍ରେନରେ ବା ଘରେ ନିରୋଳାରେ ପଢ଼ାଯାଇପାରେ ଓ ବହିର ମଜା ଆଉରି ଚାରିଗୁଣା କରାଯାଇପାରେ ।