ଫଟୋ - ଦାନିଶ ସିଦ୍ଦିକି, ୱିକି କମନ୍ସ

ପୁଅ ମୋର
ତୁ ଥିବାବେଳର କଥା,
କେଉଁ ଅଂଧାର ଘରୁ ପାଦ ଚିପି ଚିପି ହଠାତ୍
ତୁ ଆସିବୁ ମୋ ପାଖକୁ କେହି କୁଆଡେ ନଥିବେ ଆଖପାଖରେ ସେତେବେଳେ
ପଦଟିଏ କିଛି କୁହା ନାହିଁ ବୋଲା ନାହିଁ
ଆଗ ଆଚମକା ଘଡିଏ ଆଉଁଷି ଦେବୁ ମୋତେ ।

ଯେମିତି ମୋର କେଉଁ ଗଭୀର ଅସୁଖ
ହଠାତ୍ ଧରାପଡିଛି ଆଉ ଡାକ୍ତର କହିଛି
ଇଏ ଆଉ ଭଲ ହେବାର ନୁହଁ
ସେଇ କଥାକୁ ନକହିପାରିବାର ଦୁଃଖରେ
ତୋ ଆଖି ଧାରରେ ଯେଉଁ ଦୁଇଟୋପା ଲୁହ
ଯାହା ଯାହା କହୁଥିବ ସେକଥା ମୁଁ କ'ଣ ବୁଝିପାରୁନାହିଁ ?

ତୁ ବି ସହୁ ଆଉ ମୁଁ ବି ସହେ
ଅସହାୟତାର ସବୁଠୁ ଓଜନିଆ ସେ ବୋଝ ।

ମୋତେ ଅଂଧାରରୁ
ଆଲୁଅକୁ ନେବାପାଇଁ ସେମାନେ ଅହରହ ଚେଷ୍ଟା କରୁଛନ୍ତି
ମୋର ଆଉ କିଛି କହିବାର ନାହିଁ,
ପୁଅ ମୋର, ତୁ ଥିଲୁ ବୋଲି ସିନା ମୁଁ
କିଛି କିଛି ଦେଖି ପାରୁଥିଲି,
ଏବେ ଚାରିଆଡ ପୂରା ଅଂଧାରରେ ଲଉଡି ମୋର ।

ଚାରିଆଡ ଭଲ ଆଲୁଅ ହେବ ବୋଲି ସେମାନେ
ମୋ ଦେହରୁ
ଖଣ୍ଡେ ଖଣ୍ଡେ ମହା ସମାରୋହରେ କାଟିନେଇ
ଜାଳି ବସୁଛନ୍ତି ,
ସେସବୁକୁ ନିଜ ଆଖିରେ ନଦେଖିଲେ
ଅଧିକ ସହିଯାଇ ହୁଏ , ବଞ୍ଚିଥିବା ଯାଏଁ !