ଫଟୋ - ମନୋଜ ଦାସ ଫ୍ୟାନ ଗୃପ, ଫେସବୁକ୍

ଗତ ଏପ୍ରିଲ ମାସ ସତେଇଶ ତାରିଖରେ ମନୋଜ ଦାସ ଚାଲିଗଲେ । ତାଙ୍କ ଅବର୍ତ୍ତମାନରେ ଦୁଇଟି ଭାଗରେ ପ୍ରକାଶ ପାଇବାକୁ ଯାଉଚି ତାଙ୍କ ଶେଷ ସାହିତ୍ୟିକ କୃତି, ଶ୍ରୀଅରବିନ୍ଦଙ୍କ କାବ୍ୟ 'ସାବିତ୍ରୀ'ର ଓଡ଼ିଆ ପଦ୍ୟାନୁବାଦ । ପ୍ରକାଶକ ହେଉଛନ୍ତି ନବଜ୍ୟୋତି କାର୍ଯ୍ୟାଳୟ, ଶ୍ରୀଅରବିନ୍ଦ ଆଶ୍ରମ । ପ୍ରଥମ ଭାଗର ଦୁଇ ହଜାର ଖଣ୍ଡ ବହି ଛପାହେବ ବୋଲି ଆଶ୍ରମ ସୂତ୍ରରୁ ଖବର ମିଳିଛି । ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏଇ ନିକଟରେ ସମୀର ରଞ୍ଜନ ଦାସ ଓ ଅନ୍ୟ କିଛି ମନୋଜପ୍ରେମୀ ପାଠକଙ୍କ ବ୍ୟକ୍ତିଗତ ଉଦ୍ୟମରେ ଦୁଇହଜାର ଖଣ୍ଡ ବାହାରୁଥିବା ଏ ବହିଟିର ଅଢ଼େଇ ହଜାର କପି ପାଇଁ ଅଗ୍ରୀମ ଦେୟ ଦିଆସରିଚି ।

ଓଡ଼ିଆ ସାହିତ୍ୟ ଇତିହାସରେ ଏ ଧରଣର କଥା ମୋ ଜାଣିବାରେ ଆଗରୁ କେବେ ଘଟିନାହିଁ । ମନୋଜ ଦାସ ଯେ ଅନନ୍ୟ ଏକଥାର ପ୍ରମାଣ ତାଙ୍କ ସାହିତ୍ୟକୃତିରୁ ତ ମିଳେ ହିଁ, ମିଳେ ବି ତାଙ୍କ ପ୍ରତି ଏଭଳି ଅସାମାନ୍ୟ ଭଲପାଇବାର ନିଦର୍ଶନ ଦେଖି । ତାଙ୍କ ସାହିତ୍ୟର ପ୍ରଚାର, ପ୍ରସାର ଦିଗରେ ସମୀର ରଞ୍ଜନ ଦାସ ଓ ଏକ ନିଷ୍ଠାପର ପାଠକଗୋଷ୍ଠୀଙ୍କ ଭୂମିକା ଅତୁଳନୀୟ । ଓଡ଼ିଶା ତଥା ଓଡ଼ିଶା ବାହାରେ ମନୋଜ ଦାସଙ୍କ ବିଭିନ୍ନ ଭାଷଣ ବ୍ୟକ୍ତିଗତ ଉଦ୍ୟମରେ ରେକର୍ଡ କରି ରଖିବା, ତାଙ୍କ ଦୁଷ୍ପ୍ରାପ୍ୟ ଲେଖା ସବୁକୁ ଡିଜିଟାଇଜ୍ କରିବା, ତାଙ୍କ ଲେଖାର ଶ୍ରାବ୍ୟରୂପ ପ୍ରସ୍ତୁତ କରି ହଉ ବା ତାଙ୍କ ବହିର ମୁଦ୍ରିତ ରୂପ ହଉ, ଏସବୁକୁ ଲୋକଙ୍କ ପାଖରେ ପହଞ୍ଚେଇବା ଇତ୍ୟାଦି ଅନେକ ମୂଲ୍ୟବାନ କାମ ସମୀରବାବୁ ବହୁ ଆଗରୁ କରି ଆସୁଛନ୍ତି । ଗୋଟିଏ ବାକ୍ୟରେ କହିଲେ, ଜଣେ ମହାନ ସାହିତ୍ୟିକ ଓ ତାଙ୍କର କୃତି ପ୍ରତି ଆମର ସାମଗ୍ରିକ ଦାୟିତ୍ୱର ସ୍ୱରୂପ କଅଣ ହବା କଥା, ସେକଥା ସମୀରବାବୁ ଓ ତାଙ୍କ ସହଯୋଗୀମାନେ ନିଜ କାମ ମାଧ୍ୟମରେ ହିଁ ଦେଖେଇ ଦେଇଛନ୍ତି ।

ଏ କାମ ଯେ ସହଜ ତାହା ନୁହେଁ । ସମୀର ବାବୁ ଓ ଅନ୍ୟମାନେ ଏ କାମ କରିପାରୁଛନ୍ତି କେବଳ ମନୋଜ ଦାସଙ୍କ ପ୍ରତି ନିଃସ୍ୱାର୍ଥପର ଭଲପାଇବା ସକାଶେ । ତେବେ, ଭାବିବାର କଥା ହେଲା ସାହିତ୍ୟର ପ୍ରଚାର, ପ୍ରସାର ତଥା ସାହିତ୍ୟିକମାନଙ୍କ ସ୍ମୃତିରକ୍ଷା ପାଇଁ ଗଠିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନେ କଣ ଏ ଧରଣର କାମ କରିପାରନ୍ତେ ନାହିଁ ? ଅନେକ ସାହିତ୍ୟିକ ଏମିତି ଅଛନ୍ତି ଯେଉଁମାନଙ୍କ ପ୍ରକାଶିତ/ଅପ୍ରକାଶିତ ଲେଖା ଯେତେ ଖୋଜିଲେ ବି ମିଳୁନାହିଁ (ସୃଜନିକା ଅବଶ୍ୟ ଏଦିଗରେ ଉଲ୍ଲେଖନୀୟ କାମ କରିପାରିଛି ଓଡ଼ିଆ ବିଭବ ୱେବସାଇଟ ମାଧ୍ୟମରେ) । ଏଇ ନିକଟରର ଟ୍ୱିଟରରେ ଦେଖିଲି ପ୍ରଖ୍ୟାତ ଗୀତିକାର ଶିବବ୍ରତ ଦାସଙ୍କ ହାତଲେଖା ଗୀତଖାତାର ଉଇଖିଆ ପୃଷ୍ଠାସବୁର ଡିଜିଟାଇଜେସନ କରୁଛନ୍ତି ଅଙ୍କିତ ପଟ୍ଟନାୟକ ବୋଲି ଜଣେ ଯୁବକ । ସେଥିପାଇଁ କିଛି ସରକାରୀ ବା ବେସରକାରୀ ସାହାଯ୍ୟ - ସହଯୋଗ ଏଯାଏଁ ତାଙ୍କୁ ମିଳିନାହିଁ ।

ଅନେକ କ୍ଷେତ୍ରରେ ଅବଶ୍ୟ ଏ ଧରଣର ସହଯୋଗ ସହ ଅସୁବିଧା ବି ଆସିପାରେ । କାମର ସ୍ୱରୂପ, ଶୈଳୀ, ମାଲିକାନା ଇତ୍ୟାଦି ଅନେକ ବିଷୟରେ ସାହାଯ୍ୟ ଦଉଥିବା ସଂସ୍ଥା ସହ ବିବାଦ ଉପୁଜିପାରେ । ସେ ଯାହା ହଉ, ଏ ଦିଗରେ ଯାହା ଉପଯୁକ୍ତ ହୁଅନ୍ତା ତାହା ହେଲା ଅନୁଦାନ । ଏ ଅନୁଦାନ ସରକାରୀ ସୂତ୍ରରୁ ଆସୁ ବା ବେସରକାରୀ ସୂତ୍ରରୁ, ଏହାର ଲକ୍ଷ୍ୟ ହୁଅନ୍ତା ଅତୀତର ମୂଲ୍ୟବାନ ସାହିତ୍ୟ କୃତି ଏବଂ ଲେଖକର ସ୍ମୃତି ବହନ କରୁଥିବା ଦସ୍ତାବେଜ ସବୁର ପରିରକ୍ଷଣ । ଏସବୁକୁ ନେଇ ପରବର୍ତ୍ତୀ ସମୟରେ ଅତି ଅଳ୍ପ ଖର୍ଚ୍ଚରେ ଆଭାସୀ (Virtual) ସଂଗ୍ରହାଳୟ କରାଯାଇପାରନ୍ତା (ଯେମିତି World of Manoj Das ୱେବସାଇଟରେ କରାଯାଇଛି) । ତେବେ, ଏସବୁର ରକ୍ଷଣାବେକ୍ଷଣ ବି ଲୋଡ଼ା । ନିଷ୍ଠା ଲୋଡ଼ା, ଆଗ୍ରହ ଲୋଡ଼ା, ଭଲପାଇବା ଲୋଡ଼ା ।

ଏ ସମାନ କଥା କେବଳ ସାହିତ୍ୟ କାହିଁକି, ଆମ ସଂସ୍କୃତିର ବିଭିନ୍ନ ଦିଗର ଶିଖର ବ୍ୟକ୍ତିତ୍ୱମାନଙ୍କ ପାଇଁ ବି କରାଯାଇପାରନ୍ତା । ଭାବି ଦେଖନ୍ତୁ, ହେମନ୍ତ ଦାସଙ୍କ ପାଇଁ, ସାମୁଏଲ ସାହୁଙ୍କ ପାଇଁ, ବାଳକୃଷ୍ଣ ଦାଶ, ସୁନନ୍ଦା ପଟ୍ଟନାୟକ, ସଂଯୁକ୍ତା ପାଣିଗ୍ରାହୀଙ୍କ ପାଇଁ ୱେବସାଇଟଟିଏ ଯୋଉଠି ତାଙ୍କର ହାତଲେଖା ଥିବ, ଫଟୋ ଥିବ, କଳା - ପ୍ରଦର୍ଶନ କରୁଥିବା ବେଳର କିଛି ସ୍ଥିର ବା ଚଳଚ୍ଚିତ୍ର ଥିବ, ସାକ୍ଷାତକାର ଥିବ । ସେମାନଙ୍କ ଉପରେ କିଛି ଲେଖା ଥିବ, ଅଧିକ ଜାଣିବାକୁ ଚାହୁଥିବା ଲୋକଟିଏ ପାଇଁ ଥିବ ପ୍ରାମାଣିକ ଉତ୍ସର ତାଲିକାଟିଏ । ପ୍ରତିବର୍ଷ ସେମାନଙ୍କ ଜୟନ୍ତୀ ବେଳେ ହଉଥିବା କାର୍ଯ୍ୟକ୍ରମର ଭିଡ଼ିଓ ରେକର୍ଡ଼ିଂ ବି । ବେଶୀ କଥା ତ ନୁହେଁ ଏତକ ? ସରକାର ହୁଅନ୍ତୁ ବା ଅନ୍ୟ କେହି, ଏତିକି କଣ ଆମେ ସାମଗ୍ରିକ ଭାବେ କରିପାରନ୍ତେ ନାହିଁ ?

'ସାବିତ୍ରୀ'ର ଅନୁବାଦ ପାଖକୁ ଫେରେ । ଏ ଯୋଉ ଅଢ଼େଇ ହଜାର ବହିର ଅଗ୍ରୀମ ବରାଦ ଦିଆସରିଚି ବହି ଛପାହେଇ ଆସିବା ପୂର୍ବରୁ ହିଁ, ଏତକ କିଛି "ପାଗଳ" ଲୋକ ହିଁ କରିଛନ୍ତି ନିଜ ଉଦ୍ୟମରେ । ଏ ଲୋକମାନେ ପାଗଳ ଏଇଥି ପାଇଁ ଯେ ଓଡ଼ିଶାରେ ଦୁଇ ଶହ - ପାଞ୍ଚ ଶହ ବହି ଛପା ହେଇ ବିକ୍ରି ହେଇପାରୁନଥିବା ବେଳେ ଏମାନେ ଅଢ଼େଇ ହଜାର ବହି ପାଇଁ ନିଜ ପକେଟରୁ କାଢ଼ି ଅଗ୍ରୀମ ଦେଇଛନ୍ତି ଏକାଥରକେ ଏବଂ ଆଶା କରିଛନ୍ତି ଯେ ଏତକ ବହିର ଗ୍ରାହକ ମିଳିଯିବେ ବୋଲି ! ଏ ଲୋକମାନେ ପାଗଳ ଏଇଥି ପାଇଁ ଯେ ଏମାନେ ଚାରିଦିଗରୁ ଶୁଭୁଥିବା 'ହେଇପାରିବନି'ର ହତାଶାବୋଧକୁ ଖାତିର କରିନାହାନ୍ତି । ଏମାନେ ହେଇପାରିବ - ହେଇପାରିବନିର ଶୁଖିଲା ବିଚାରକୁ ପଛକୁ ରଖିଦେଇ, କାମକୁ ହିଁ ଆଗକୁ ରଖିଆସିଛନ୍ତି । ସେଥିପାଇଁ ସେମାନେ ତାତ୍ସଲ୍ୟ ଓ ଉଦାସୀନତା ପାଇଛନ୍ତି ବେଶୀ, ବାହାବା ପାଇଛନ୍ତି କମ୍ । କିନ୍ତୁ ସେମାନେ ଅଟକିନାହାନ୍ତି । ସବୁ ଜିନିଷକୁ ତଉଲାତଉଲି କରି ବା ଖାଲି କଥା କହି ଏସବୁ କାମ କରିହବନି ଏକଥା ସେମାନେ ବୁଝିଛନ୍ତି । ଏଥିପାଇଁ ପାଗଳାମି ନିହାତି ଆବଶ୍ୟକ ଏକଥା ସେମାନେ ବୁଝିଛନ୍ତି ।

ଆପଣ ଯଦି ବାଇଶ ହଜାର ସଦସ୍ୟ ବିଶିଷ୍ଟ 'ମନୋଜ ଦାସ ଫ୍ୟାନ୍ସ' ଫେସବୁକ ଗ୍ରୁପର ପୃଷ୍ଠାକୁ ଯିବେ, ଦେଖିବାକୁ ପାଇବେ ଗ୍ରୁପର ଅନ୍ୟତମ ପରିଚାଳକ ସମୀର ବାବୁଙ୍କ ଉଦ୍ୟମରେ ତିଆରି ହେଇଚି "ମନୋଜ ସାହିତ୍ୟ ପ୍ରେମୀ" ବହି କ୍ଲବ୍ ଟିଏ । ଏହାର ଉଦ୍ଦେଶ୍ୟ ପ୍ରତି ସଦସ୍ୟ ମାସିକ ଦୁଇଶହ ଟଙ୍କା ଦେଇ ମନୋଜ ଦାସଙ୍କ ବହି କିଣିବେ ଏବଂ ବଞ୍ଚେଇ ରଖିବେ ମନୋଜ ଦାସଙ୍କ ସାହିତ୍ୟକୁ ମୁଦ୍ରିତ ରୂପରେ ବି । ଆପଣଙ୍କୁ ହୁଏତ ଏହା ଅବାସ୍ତବ କଳ୍ପନା ଲାଗିପାରେ । ଆପଣ ଏମାନଙ୍କୁ "ମନୋଜ ସାହିତ୍ୟ ପାଗଳ" ବି କହିପାରନ୍ତି । ସେମିତି ବି 'ପାଗଳ', 'ପ୍ରେମୀ' ଆଉ 'କବି' ଏକା ଶ୍ରେଣୀର ବୋଲି ସେକ୍ସପିଅରଙ୍କ ନାଟକ 'A Midsummer Night's Dream'ରେ ଥିସିଅସ୍ ଚରିତ୍ର କହିଛି । "The Lunatic, the lover, and the poet" - ସେକ୍ସପିଅରଙ୍କ ଏ ପ୍ରସିଦ୍ଧ ଉକ୍ତିଟି ଆମ ଭିତରୁ ଅନେକଙ୍କର ମନେ ଥିବ ନିଶ୍ଚୟ । ତେବେ ବାକ୍ୟଟି ସମ୍ପୂର୍ଣ୍ଣ ମନେ ରଖିବା କଥା ଆମର:

"The lunatic, the lover and the poet
Are of imagination all compact."

ଅର୍ଥାତ୍, "ପାଗଳ, ପ୍ରେମିକ ଓ କବି - ଏମାନଙ୍କର କଳ୍ପନା ଶକ୍ତି ଅପରିସୀମ ।"

ମୁଁ ଆପଣଙ୍କୁ କହୁନି ଆପଣ ବି ପାଗଳ କି ପ୍ରେମୀ ହେଇଯାଆନ୍ତୁ ବୋଲି । ସେଇଟି ଆପଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, ଆପଣଙ୍କ ବ୍ୟକ୍ତିଗତ ରୁଚିର ବିଷୟ । ମୁଁ ଖାଲି ଏତିକି କହୁଚି, ବ୍ୟକ୍ତିଗତ ଓ ସାମୂହିକ ଭାବରେ ଆସନ୍ତୁ ଏ ଧରଣର ବିରଳ "ପାଗଳାମି"ରେ ନିଜର ସହଯୋଗ ଦେବା । ଏଯାଏଁ ଆସିନଥିବା ଗୋଟେ ନୂଆ ସକାଳକୁ ମନ ଭିତରେ ଆଙ୍କିପାରୁଥିବା ଏ ଅପରିସୀମ କଳ୍ପନା ଶକ୍ତିକୁ ସମ୍ମାନ ଦେବା । ଆସନ୍ତୁ ଏମିତି ବାତାବରଣଟିଏ ଗଢ଼ିବାକୁ ଚେଷ୍ଟା କରିବା ଯେଉଁଠି କାଲିକି ଆହୁରି ପାଗଳ/ପ୍ରେମୀ ଉଧେଇ ପାରିବେ ।