Photo - Orissa: It's Geography, Statistics, History, Religion and Antiquities by Andrew Sterling, 1846

ଆରମ୍ଭରେ ଗୋଟିଏ କବିତାଂଶ ।

"ହଜାର ହଜାର ତୀର୍ଥଯାତ୍ରୀ
ହାତକୁ, ବାହାକୁ, ଛାତିକୁ ଆଉ ଜଙ୍ଘକୁ
ଯେତିକି ପାରିବେ ସେତିକି ପୁରାପୁରି ବାଜି ଲଗାଇ
ସେଇ ପବିତ୍ର ରଥକୁ ଟାଣୁଛନ୍ତି
ଆଉ ଯେଉଁ କେତେକ ଏଇ ମହାଭାର ଟାଣିବାରୁ ବିଚ୍ୟୁତ ଅଛନ୍ତି
ଡାକୁଛନ୍ତି ସେମାନଙ୍କର ପ୍ରିୟ ଦେବତାକୁ
ଆତ୍ମସମର୍ପଣର ଶରୀର ସେମାନଙ୍କର
ରଥ ଯେଉଁ ବାଟରେ ଯିବ ସେଇଠି ପଡିରହିଅଛି,
ହେ ଜଗନ୍ନାଥ, ସେମାନେ ଡାକନ୍ତି ,
ବିରାଟ ରଥ ଆସେ ଆଉ ସେମାନଙ୍କର ହାଡମାଂସ ଦଳିଚକଟି ଚାଲିଯାଏ ଆଗକୁ ।"

ମୂଳ କବିତାଟି ଇଂରେଜୀରେ ଲେଖା ଏବଂ ଏହାର ସମୟ କାଳ ହେଉଛି ଖ୍ରୀଅ ୧୮୦୯ । ରବର୍ଟ ସାଉଦି (୧୭୭୪-୧୮୪୩) ବୋଲି ଜଣେ ବ୍ରିଟିଶ କବିଙ୍କ କାଳ୍ପନିକ କବିତା "କେହମାର ଅଭିଶାପ" ବା "The Curse of Kehama" ର ଚତୁର୍ଦ୍ଦଶ ସ୍ତବକ ହେଉଛି ଉଲ୍ଲେଖ କରାଯାଇଥିବା କବିତାଂଶ । ଏହି କବିତାକୁ କାଳ୍ପନିକ କବିତା ଏଇଥିପାଇଁ କୁହାଯିବ ଯେ କବି ରବର୍ଟ ସାଉଦି କେବେ ବି ଜଗନ୍ନାଥଧାମ ପୁରୀକୁ କି ଓଡିଶାକୁ ଆସିନାହାଁନ୍ତି, ମାତ୍ର ତାଙ୍କର କବିତାରେ ଜଗନ୍ନାଥ ଦେବ ଏବଂ ରଥଯାତ୍ରାର ବର୍ଣ୍ଣନା ରହିଛି । ଏହା ବ୍ୟତୀତ ଏହି କବିତାର ବିଷୟବସ୍ତୁ ମଧ୍ୟ ଅତ୍ୟନ୍ତ ଅଦ୍ଭୁତ । କବିତାର କାହାଣୀ ଅନୁସାରେ କାଇଆଲ୍ ନାମରେ ଗୋଟିଏ ଅପରୂପ ସୁନ୍ଦରୀ ଥିଲା । ସେ ଲାଦୁରାଦ ନାମକ ଜଣେ ଧନାଢ୍ୟ ବ୍ୟକ୍ତିର ଏକମାତ୍ର ସନ୍ତାନ । ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରୁଥିବା କିଛି ସନ୍ୟାସୀ ତାହାକୁ ଅପହରଣ କରି ନିଅନ୍ତି ଏବଂ ନିଷ୍ପତ୍ତି ନିଅନ୍ତି ଯେ ତାହାର ବିବାହ "ଜଗନ-ନଥ" ସହ ହେବ । କାଇଆଲ୍ କୁ ତାହାପରେ "ଜଗନ-ନଥ"ର ଏକ କାଠ ପ୍ରତିମା ସହ ଏକାଠି ବସାଇ ଗୋଟିଏ ରଥରେ ନିଆଯାଏ, ଯାହାକୁ ତୀର୍ଥଯାତ୍ରୀମାନେ ହାତରେ ଟାଣିଟାଣି ନେଉଥାନ୍ତି । କାଇଆଲ୍ ତାହାର ଭାବି ସ୍ୱାମୀର କାଷ୍ଠ-ପ୍ରତିମା ସହ ଦେଖେ ଯେ ସେଇ ରଥର ଚକା ତଳେ ଅନେକ ଶୋଇପଡୁଛନ୍ତି ଆତ୍ମ ବିସର୍ଜନ ପାଇଁ ଏବଂ ସେହି ରଥ ସେମାନଙ୍କୁ ଦଳି ଚକଟି ଆଗେଇ ଯାଉଥାଏ ।

ଆମର ଅତ୍ୟନ୍ତ ପରିଚିତ କାଞ୍ଚି-କାବେରୀ କିମ୍ବଦନ୍ତୀର ଏହା ମୂଳ ଉତ୍ସ ବୋଲି କହିବି ନାହିଁ, ମାତ୍ର ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ଏଇଭଳି ଖ୍ରୀଅ ୧୮୦୯ର ଏକ ଉଲ୍ଲେଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଆମକୁ ମନେ ରଖିବାକୁ ହେବ ଯେ ଏହାର କିଛି ବର୍ଷ ପୂର୍ବରୁ ଅର୍ଥାତ୍ ଖ୍ରୀଅ ୧୮୦୩ରେ ଓଡିଶା ଈଷ୍ଟ ଇଣ୍ଡିଆ କମ୍ପାନୀର ଶାସନର ଅଧୀନକୁ ଆସିଥିଲା ଆଉ କମ୍ପାନୀର ପରିଚାଳନାର ଅଧିନରେ ରହିଥିଲା ପୁରୀର ପୃଥିବୀ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର । ତେଣୁ କବି ରବର୍ଟ ସାଉଦି ଇଂଲଣ୍ଡରେ ରହି କଂପାନୀର କର୍ମକର୍ତ୍ତାଙ୍କର କୌଣସି ବିବରଣୀରୁ ଶ୍ରୀଜଗନ୍ନାଥଙ୍କର ଏହିଭଳି ଏକ କାଷ୍ଠ - ପ୍ରତିମାର ରଥଯାତ୍ରା ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି ବୋଲି ଅନୁମାନ କରିବା ଆମ ପାଇଁ ସେତେ କଷ୍ଟକର ନୁହଁ । ଇତିହାସ ଦୃଷ୍ଟିରୁ ଦେଖିଲେ ଶ୍ରୀଜଗନ୍ନାଥ ମନ୍ଦିର ଖ୍ରୀଅ ୧୮୦୩ ରୁ ୧୮୭୭ ଯାଏ ଈଷ୍ଟଇଣ୍ଡିଆ କମ୍ପାନୀର ପରିଚାଳନାଧୀନରେ ରହିଥିଲା । ଖ୍ରୀଅ ୧୮୭୭ରେ ଯେତେବେଳେ ରାଣୀ ଏଲିଜାବେଥ୍ ସମଗ୍ର ଭାରତର ଅଧୀଶ୍ୱରୀ ହେଲେ ସେତେବେଳେ ସ୍ୱାଭାବିକ ଭାବରେ ସମଗ୍ର ଓଡିଶା ବ୍ରିଟିଶ ଶାସନର ଅନ୍ତର୍ଭୁକ୍ତ ହୋଇଗଲା ।

ଏଇ ଲେଖାରେ କଂପାନୀର ପରିଚାଳନାର ଅଧୀନରେ ଥିବା ସମୟକାଳରେ ଅନୁଷ୍ଠିତ ହୋଇଥିବା ଶ୍ରୀଜଗନ୍ନାଥଙ୍କର କିଛି ରଥଯାତ୍ରାର ପ୍ରାମାଣିକ ତଥ୍ୟମୂଳକ ବିବରଣୀ ଏଠାରେ ଉପସ୍ଥାପନ କରାଯିବ । ଆମ ଆଗରେ ଆଗ ତଥ୍ୟମାନ ରହୁ, ତାହାପରେ ବିଶ୍ଳେଷଣ ନିଶ୍ଚୟ ପଛକୁ ହେବ । ଏଇଠି କହିଦେବା ଉଚିତ୍ ହେବ ଯେ ଏଇ ଲେଖାରେ ଉପସ୍ଥାପିତ ସମସ୍ତ ତଥ୍ୟାବଳୀ ଈଷ୍ଟ ଇଣ୍ଡିଆ କଂପାନୀଙ୍କ କର୍ମଚାରୀମାନଙ୍କର ତଥା ମିଶନାରୀମାନଙ୍କର ବିଭିନ୍ନ ସ୍ମୃତି କଥା, ଚିଠି ତଥା ସମ୍ବାଦପତ୍ରର ଆଲେଖ ଆଦିରୁ ସଂଗ୍ରହ କରାଯାଇଛି । ଏଠାରେ କୌଣସି ସ୍ଥାନୀୟ ଉପାଦାନକୁ ଉଲ୍ଲେଖକୁ ନିଆଯାଇ ନାହିଁ । ସେ ଦୃଷ୍ଟିରୁ ଦେଖିଲେ ଏଇ ଲେଖାଟି ଏକଦେଶଦର୍ଶି ତଥା ଶ୍ରୀଜଗନ୍ନାଥ କହିଲେ ଇଂରେଜମାନଙ୍କର ଅବବୋଧ କ'ଣ ସେଇ କଥାକୁ କେବଳ ପ୍ରକାଶ କରିପାରେ । ତେଣୁ ଏହା ଭ୍ରମାତ୍ମକ ହେବା ସଂଭାବନା ଅଧିକ । ଏହି ଅଭିଯୋଗକୁ ଉପସ୍ଥିତ ଲେଖକ କିଛି ମାତ୍ରାରେ ସ୍ୱୀକାର କରିବା ସହ କହିବାକୁ ଚାହିଁବ ଯେ ସ୍ଥାନୀୟ ଉପାଦାନ ଆଉ ୟୁରୋପୀୟ ଉପାଦାନମାନଙ୍କ ଆଧାରରେ ଆମେ ଯେତେବେଳେ ଶ୍ରୀଜଗନ୍ନାଥ ଚର୍ଚ୍ଚା କରିବାକୁ ଯିବା ସେତେବେଳେ ଆମେ ଉଭୟ ଦେଶଜ ଏବଂ ଇଉରୋପୀୟ ଉପାଦାନମାନଙ୍କୁ ଏକାଠି ପଢିବସିବା, ସେତେବେଳେ ଦେଖିବା ଯେ ସ୍ଥାନୀୟ ଉପାଦାନମାନଙ୍କରେ କାଳାନୁକ୍ରମିକତା ଅପେକ୍ଷା ଶ୍ରୀଜଗନ୍ନାଥଙ୍କୁ ନେଇ ଆବେଗପ୍ରବଣତା ଅଧିକ ରହିଛି । ଏହା ବ୍ୟତୀତ ସ୍ଥାନୀୟ ଉପାଦାନମାନଙ୍କରେ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପାରିପାର୍ଶ୍ୱିକକୁ ସବୁବେଳେ କୌଣସି ନା କୌଣସି ପ୍ରତୀକତାରେ ଉପସ୍ଥାପନ କରିବାରେ ଆମର ଝୁଙ୍କ୍ ଟି ବି ଅଧିକ ରହିଥାଏ ।

ଏହାକୁ ଏହିପରି କହିଲେ ହୁଏତ ସଠିକ ହେବ ଯେ ଆମେ ଯେତେବେଳେ ସ୍ଥାନୀୟ ଦେଶଜ ଉତ୍ସକୁ ନେଇ ଶ୍ରୀଜଗନ୍ନାଥଙ୍କୁ ଚର୍ଚ୍ଚା କରୁ ସେତେବେଳେ ଶ୍ରୀଜଗନ୍ନାଥ କେଉଁ କେଉଁ ପ୍ରତୀକର ସମାହାର ସେଇ କଥାଟି ଆଗ ଖୋଜିବାକୁ ବସୁ । ଫଳତଃ ଶ୍ରୀଜଗନ୍ନାଥ ଧାରଣାର ବସ୍ତୁସ୍ଥିତି ତଥା ବିବର୍ତ୍ତନମୂଳକ ଦୃଷ୍ଟିଭଙ୍ଗୀକୁ ଆମେ ଆଡେଇଯାଉ । ଶ୍ରୀ ଜଗନ୍ନାଥଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସକୁ ଦୃଢ କରିବା ପାଇଁ ଏକପ୍ରକାର ପ୍ରତୀକାତ୍ମକତା ଅନ୍ୱେଷଣ ଏକାନ୍ତ ଆବଶ୍ୟକ ମାତ୍ର ଏହାଦ୍ୱାରା କାଳାନୁକ୍ରମିକ ଇତିହାସ ଚର୍ଚ୍ଚାରେ କିଛି ପରିମାଣରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଆପଣମାନେ ଜାଣନ୍ତି ବାସ୍ତବକୁ ପ୍ରତୀକ ଓ ପରମାର୍ଥ କରିବା ଅତି ସହଜ ମାତ୍ର ପ୍ରତୀକରୁ ବାସ୍ତବତା ଖୋଜିବା ପାଇଁ ଏକ ଆବେଗରହିତ ନିରପେକ୍ଷତା ଆବଶ୍ୟକ ହୋଇଥାଏ । ଅନ୍ୟପକ୍ଷରେ ୟୁରୋପୀୟ ଉପାଦାନକୁ ଆଧାର କରି ଶ୍ରୀଜଗନ୍ନାଥଙ୍କ ଅଧ୍ୟୟନ କଲେ ଆମେ ବସ୍ତୁସ୍ଥିତି ଓ କାଳାନୁକ୍ରମିକତା ହୁଏତ ବୁଝିପାରିବା ମାତ୍ର ତାହା ସହିତ ୟୁରୋପୀୟ - କେନ୍ଦ୍ରିତ ଭାରତର ଦେବ ଦେବୀଙ୍କ ପ୍ରତି ଅସୂୟା, ପୂର୍ବାଗ୍ରହ, ଅତିରଞ୍ଜନ ଏବଂ ନିଜର ଉଚ୍ଚସ୍ଥାନଟିଏ ରହିଛି ବୋଲି ଚତୁର ବିପଣନ ପ୍ରକ୍ରିୟାକୁ ବି ସହଜରେ ଦେଖିପାରିବା । ତେଣୁ ଜଣେ ଇତିହାସ ଛାତ୍ର ହିସାବରେ ଉପସ୍ଥିତ ଲେଖକ ପାଖରେ ସଂକଟ ରହିଛି, ସ୍ଥାନୀୟ ଉପାଦାନରେ ଆବେଗ ଆଉ ବାହାରର ଉପାଦାନରେ ପୂର୍ବାଗ୍ରହ ଆଉ ଦ୍ୱେଷ । ଏଇ ଦୁଇଟି କଥାକୁ ସାମ୍ନାରେ ରଖି ଉପସ୍ଥିତ ଲେଖକ ୟୁରୋପୀୟ ଉପାଦାନମାନଙ୍କୁ ଆଧାର କରି ଶ୍ରୀଜଗନ୍ନାଥଙ୍କର କେବଳ କାଳାନୁକ୍ରମିକତାକୁ ବୁଝିବାକୁ ପ୍ରୟାସ କରିଛି । ଯାହାକୁ ଇଂରେଜୀରେ କହନ୍ତି ସେହି ବୈଦେଶିକୀ ଉପାଦାନମାନଙ୍କରୁ "ବିଟୱିନ୍ ଦି ଲାଇନସ୍" କୁ ପଢିବା ଭଳି କିଛି ପଢିବା । ସେମାନଙ୍କ ଦ୍ୱେଷ, ବିସଂଗତି, ଅପପ୍ରଚାର ଓ ଅତିରଞ୍ଜନକୁ ବର୍ଜନ କରାଯିବ ।

ଇତିହାସତତ୍ତ୍ୱ ଅନୁସାରେ ଇତିହାସରେ ଦେବତାମାନେ ପୁରାଣ ଭଳି କୌଣସି ଆକ୍ଟିଭ୍ ଚରିତ୍ର ନୁହଁନ୍ତି । ଇତିହାସ କେବଳ କୌଣସି ଉପସ୍ଥିତ ଭୌଗୋଳିକ ଅଂଚଳ ନିର୍ଦ୍ଧାରିତ ମଣିଷର କାର୍ଯ୍ୟକଳାପର ଇତିବୃତ୍ତ । ଦେବତାମାନଙ୍କର କଥା ପ୍ରସଂଗ କ୍ରମେ ଇତିହାସକୁ ଆସେ ମାତ୍ର ମଣିଷ ସହ କୌଣସି ଅନୁପସ୍ଥିତ ଚରିତ୍ର ବା ବିଶ୍ୱାସ ପରି ରହିଥାଏ ସେ ଦେବତା, ମଣିଷ ପ୍ରାଧାନ୍ୟର ଏକ କ୍ରୀଡନକ ଆକାରରେ । ଖ୍ରୀପୂ ପଞ୍ଚମ ଶତାବ୍ଦୀରେ ଗ୍ରୀସ୍ ରେ ହେରୋଡଟସ୍ ଆଉ ଥୁକିଡାଇଡିସ୍ ଙ୍କ ସହିତ ଯେଉଁ ଇତିହାସତତ୍ତ୍ୱର ବିଚାର ଅର୍ଥାତ୍ ଇତିହାସରେ ଉପାଦାନ ଆକାରରେ କେଉଁ ପ୍ରସଙ୍ଗ ରହିବ ବିକଶିତ ହୋଇଥିଲା ତାହା ଅନୁସାରେ ରାଜା ରାଜାଙ୍କ ଭିତରେ ସଂଘଟିତ ଯୁଦ୍ଧ ହିଁ ଥିଲା ଏକମାତ୍ର ବିଷୟବସ୍ତୁ । ରାଜା ଆଉ ରାଜା ଭିତରେ ଯୁଦ୍ଧ ଏବଂ ତାହାର ଫଳାଫଳ ଇତିହାସର ବିଷୟବସ୍ତୁ ଥିଲା ଆଉ ସେଥିରେ ଦେବତାମାନଙ୍କର କୌଣସି ସକ୍ରିୟ ଭୂମିକା ରହୁ ନଥିଲା । ତାହାପରେ ଖ୍ରୀଷ୍ଟ ଜନ୍ମ ପରେ ଅର୍ଥାତ୍ ଗ୍ରୀକ୍-ରୋମାନ ଇତିହାସତତ୍ତ୍ୱର ପରବର୍ତ୍ତୀ କାଳରେ ଯେଉଁ ଇତିହାସତତ୍ତ୍ୱ ବିକଶିତ ହୋଇଥିଲା ତାହାକୁ "ଚର୍ଚ୍ଚ ଇତିହାସତତ୍ତ୍ୱ" ବୋଲି କୁହାଯାଏ । ସେହି ସମୟରେ ଗୋଟିଏ ଚର୍ଚ୍ଚକୁ ଆଧାର କରି ତାହାର ପ୍ରତିଷ୍ଠାତା ରାଜା, ସେହି ଚର୍ଚ୍ଚ ସହିତ ସଂପୃକ୍ତ ବ୍ୟକ୍ତି ବିଶେଷ, ସେହି ଚର୍ଚ୍ଚକୁ କେନ୍ଦ୍ର କରି ବ୍ୟାପକ ଅଂଚଳରେ ପ୍ରଭାବ ବିସ୍ତାର କରୁଥିବା ସଂଘଟିତ ଘଟଣାବଳୀ, ସେଇ ସବୁ କଥା ସେତେବେଳର ଇତିହାସ ଚର୍ଚ୍ଚାରେ ରହୁଥିଲା । କହିବା ବାହୁଲ୍ୟ ଏଇ "ଚର୍ଚ୍ଚ - ଇତିହାସତତ୍ତ୍ୱ" ରେ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀର ଚର୍ଚ୍ଚା ରହୁ ନଥିଲା । ଧର୍ମ ଚର୍ଚ୍ଚା ଅନ୍ୟତ୍ର ହେଉଥିଲା ମାତ୍ର ତାହା ଏଇ ନୂତନ ଇତିହାସ ଚର୍ଚ୍ଚାର ପରିସରଭୁକ୍ତ ଅନ୍ତତଃ ଧର୍ମବାଣୀ ବା ଧର୍ମାଚରଣ ଆକାରରେ ରହୁ ନଥିଲା । ଉପସ୍ଥିତ ଲେଖକ ଏଇଠି ଶ୍ରୀଜଗନ୍ନାଥଙ୍କ ସଂପର୍କରେ କିଛି ଆଲୋଚନା ସେକାଳର "ଚର୍ଚ୍ଚ-ଇତିହାସ ତତ୍ତ୍ୱ" ଆଧାରରେ କରିବା ପାଇଁ ଆଗ୍ରହୀ ।ଆମର ବିଶ୍ୱାସର ସର୍ବୋତ୍ତମ ପ୍ରତିଭୂ କାଳାତୀତ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଇଠେ ଏକ ପାମର ଜନସୁଲଭ କାଳ ଅନୁସାରେ ଦେଖିବାକୁ ଚେଷ୍ଟା କରାଯିବ ।

ହେ କାଳଗ୍ରାହୀ, ଆପଣ ଏ ଅକ୍ଷମକୁ ସେଥିପାଇଁ ଅନୁମତି ପ୍ରଦାନ କରନ୍ତୁ ଯାହା ଫଳରେ ସେ ଆପଣଙ୍କୁ ମଣିଷର କାଳକ୍ରମରେ ନିର୍ବିଘ୍ନରେ ଧାରଣ କରିପାରେ ଯେମିତି !

ଏକଥା ସ୍ପଷ୍ଟ ଯେ ଶ୍ରୀମନ୍ଦିରର ପରିଚାଳନା ଭାର ଖ୍ରୀଅ ୧୮୦୩ରେ ଈଷ୍ଟଇଣ୍ଡିଆ କଂପାନୀ ହାତରେ ରହିବା ପରଠାରୁ ସେଇ ପରିଚାଳନାଗତ ତଥା ବୃହତ୍ତର ଓଡିଶାର ଶାସନଗତ କାରଣରୁ ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥଙ୍କ ସଂପର୍କରେ ସମସ୍ତ ବିବରଣୀ ପ୍ରାୟତଃ ନଥିଭୁକ୍ତ ହୋଇ ରହିଲା । ଯାହା ଫଳରେ ଆଗରୁ ଯାହା ପରଂପରାରେ, ଚଳଣିରେ, ଦନ୍ତକଥାରେ, ଲୋକସ୍ମୃତିରେ ରହୁଥିଲା ତାହା ବିଧିବଦ୍ଧ ଭାବରେ ଲିପିବଦ୍ଧ ହୋଇ ରଖାଯିବାର ବ୍ୟବସ୍ଥାପନା ହେଲା । ଓଡିଶାରେ କଂପାନୀର ଶାସନ ପ୍ରତିଷ୍ଠା ହେବା ପରେ କଂପାନୀର କର୍ମଚାରୀଙ୍କ ମଧ୍ୟରେ ଶାସନଗତ ନିର୍ଦ୍ଦେଶାବଳୀ ହିସାବରେ, କଂପାନୀର କର୍ମକର୍ତ୍ତା ତଥା ଭିନ୍ନ ଭିନ୍ନ ପରିବ୍ରାଜକମାନଙ୍କ ସ୍ମୃତି କଥାରେ, ଶ୍ରୀମନ୍ଦିରର ଆୟବ୍ୟୟର ହିସାବ ତଥା ଏହାର ତନଖି ବିବରଣୀ ଆକାରରେ, ମିଶନାରୀମାନଙ୍କର ସ୍ମୃତି କଥା ତଥା ଖ୍ରୀଷ୍ଟଧର୍ମର ଓଡିଶା ସଂକ୍ରାନ୍ତ ବିବରଣୀରେ ଏବଂ କଲିକତା ତଥା ଇଂଲଣ୍ଡରୁ ପ୍ରକାଶିତ ହେଉଥିବା ଖବରକାଗଜମାନଙ୍କରେ ପ୍ରତିବେଦନ ଆକାରରେ ଶ୍ରୀଶ୍ରୀ ଜଗନ୍ନାଥ, ଶ୍ରୀମନ୍ଦିର ଓ ପୁରୀ ସଂପର୍କୀୟ ତଥ୍ୟମାନ ଉପଲବ୍ଧ ହେବାକୁ ଲାଗିଲା । ଆଗରୁ ଯାହା କହିଛି ଏହି ତଥ୍ୟମାନଙ୍କରେ ବିଦ୍ୱେଷ ଅଛି ,ଅତିରଞ୍ଜନ ରହିଛି, ନିଜର ଶାସକଦୃଷ୍ଟି ନିମନ୍ତେ ଅନେକ ମିଥ୍ୟାଭାଷଣ ବି ରହିଅଛି । ମାତ୍ର ଏହା ସହିତ ଅନେକ ପ୍ରାମାଣିକତା ବି ରହିଛି ଆଉ ତାହା ସହିତ ସ୍ପଷ୍ଟ କାଳାନୁକ୍ରମିକତା ବି ରହିଛି । ଏଠାରେ ଆମେ ଶ୍ରୀଜୀଉଙ୍କର ପ୍ରତି ଆମର ବିଶ୍ୱାସ, ତାଙ୍କର ଅଲୌକିକତା ତଥା ଅଧ୍ୟାତ୍ମର ଚର୍ଚ୍ଚା କରୁନାହୁଁ । ଶ୍ରୀମନ୍ଦିରର ଇତିହାସ ତଥା ଯେକୌଣସି ଇତିହାସକୁ ପଢିବସିବା ବେଳେ ଆମ ପାଇଁ କାଳାନୁକ୍ରମ ସବୁବେଳେ ପ୍ରମୁଖତା ଅର୍ଜନ କରିଥାଏ । ତେଣୁ ଆମକୁ ଆମର ବିଶ୍ୱାସରେ ଅଟଳ ରହି ୟୁରୋପୀୟ ସୂତ୍ରଗୁଡ଼ିକର ଆଧାରକୁ ଆମକୁ ବସ୍ତୁନିଷ୍ଠ ଭାବରେ ତର୍ଜମା କରିବାକୁ ପଡେ ।

କଂପାନୀମାନେ ଓଡିଶାକୁ ଆସିବା ପୂର୍ବରୁ ପୁରୀର ଶ୍ରୀମନ୍ଦିର ଖୋର୍ଦ୍ଧାର ରାଜାଙ୍କର ଅଧୀନରେ ଥିଲା । ଖୋର୍ଦ୍ଧାର ରାଜାଙ୍କର ନିୟତି ଇତିହାସର ଆଉ ଅନ୍ୟାନ୍ୟ ରାଜାଙ୍କର ନିୟତି ଭଳି ପାରସ୍ପରିକ ସନ୍ଧି - ବିଗ୍ରହ ଆଦି ଉପରେ ପର୍ଯ୍ୟବସିତ ଥିଲା ।ତେଣୁ ଅନ୍ୟ ଭାବରେ କହିଲେ ଖୋର୍ଦ୍ଧା ରାଜାଙ୍କର ନିୟତି ସହିତ ଶ୍ରୀମନ୍ଦିରର ନିୟତି ବି ଜଡିତ ଥିଲା । ଏଇଠି ଏଇ ପ୍ରସଙ୍ଗକୁ ଉଲ୍ଲେଖ କରିବା ଆବଶ୍ୟକ ଯେ ପୁରୀର ଶ୍ରୀଶ୍ରୀ ଜଗନ୍ନାଥଙ୍କ ଆସ୍ଥାନ ଶ୍ରୀମନ୍ଦିର ପୂର୍ବ-ଉପକୂଳରେ ଏକ ପ୍ରମୁଖ ଧର୍ମ ସ୍ଥାନ ଥିଲା । ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ ବାହାରୁ ଅନେକ ତୀର୍ଥଯାତ୍ରୀ ଆସୁଥିଲେ । ତୀର୍ଥଯାତ୍ରୀମାନେ ପୁରୀକୁ ଆସିବା ପଛରେ ରହିଥିବା ଧର୍ମଗତ ତଥା ଅଧ୍ୟାତ୍ମ କାରଣମାନକୁ ବାଦ ଦେଇ ନିହାତି ଏକ ସାଧାରଣ ଲୋକ ଦୃଷ୍ଟିରେ ଦେଖିଲେ ପୁରୀକୁ ତୀର୍ଥଯାତ୍ରୀମାନଙ୍କର ସମାଗମର ମୂଳ କାରଣ ଟି ଥିଲା, ଏଠିକାର ଦେବତା ଅନ୍ୟ ଦେବତାଙ୍କଠାରୁ ଦେଖିବାକୁ ଭିନ୍ନ ଆଉ ସେ ସବୁବେଳେ ବେଶ ହେଉଥାନ୍ତି । ଶ୍ରୀଶ୍ରୀ ଜଗନ୍ନାଥଙ୍କ ଦୃଶ୍ୟ - ଭିନ୍ନତା ଆଉ ବେଶଭୂଷାପ୍ରବଣତା ଏଇ ଦୁଇଟି ତୀର୍ଥଯାତ୍ରୀମାନଙ୍କର ଆକର୍ଷଣର ପ୍ରମୁଖ କାରଣ ଥିଲା । ଦ୍ୱିତୀୟରେ ଏହି ଅଦ୍ଭୁତ ବେଶଭୂଷା ବ୍ୟତୀତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଅନ୍ୟ ଏକ ଆକର୍ଷଣ । ଦେବବିଗ୍ରହମାନେ ମନ୍ଦିରର ବାହାରକୁ ରଥରେ ଚଢି ସର୍ବସାଧାରଣଙ୍କ ସାନ୍ନିଧ୍ୟକୁ ଆସିବା ଭଳି ଏକ ବିରଳ ଦେବାଚାରକୁ ଦେଖିବା ନିମନ୍ତେ ଏହି କ୍ଷେତ୍ର ପ୍ରବଳ ଜନ ସମାଗମ ହେଉଥିଲା । ପୁରୀକୁ ପ୍ରଚୁର ତୀର୍ଥଯାତ୍ରୀ ଆସିବା ପଛରେ ତୃତୀୟ ପ୍ରମୁଖ କାରଣ ହେଉଛି ପୁରୀ ହେଉଛି ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ଧର୍ମପୀଠ।

ଭାରତ ଇତିହାସର ଖ୍ରୀଷ୍ଟିୟ ଦ୍ୱିତୀୟ ଶତାବ୍ଦୀ ତଥା ପ୍ରାକ୍ ଶଙ୍କରାଚାର୍ଯ୍ୟ ଯୁଗର ବ୍ରାହ୍ମଣ୍ୟ ଧର୍ମ ଏବଂ ବୌଦ୍ଧ ଧର୍ମର ସଂଘାତ କାଳର କାଳିମାମୟର ଯୁଗର ଅନ୍ତ ପରେ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ସନାତନ ବ୍ରାହ୍ମଣଧର୍ମର ଯେଉଁ ଆଧ୍ୟାତ୍ମିକ ପୁନରୁତ୍ଥାନ ଘଟିଥିଲା (ସେଥିରେ ସଂଘର୍ଷ ଥିଲା ଓ ସମନ୍ୱୟ ବି ଥିଳା) ତାହାର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ସମଗ୍ର ଭାରତର ଏକ ଆଧ୍ୟାତ୍ମିକ ଏକତ୍ରୀକରଣ । ସେହି କାରଣରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଧର୍ମ - ବ୍ୟାଖ୍ୟାନ ପାଇଁ ସମଗ୍ର ଭାରତକୁ ଆଞ୍ଚଳିକ ଭିତ୍ତିରେ ଯେଉଁ ଚାରିଗୋଟି ପୀଠରେ ଭାଗ କରିଥିଲେ ସେଥିରୁ ଗୋଟିଏ ଥିଲା ପୁରୀ । ସେହି କାରଣରୁ ପୁରୀକୁ ଯଥେଷ୍ଟ ତୀର୍ଥଯାତ୍ରୀ ଆସୁଥିଲେ । ଏଠାରେ କହିବା କଥା ହେଉଛି ପୁରୀର ଶ୍ରୀଶ୍ରୀ ଜଗନ୍ନାଥଙ୍କ ଆସ୍ଥାନ ଶ୍ରୀମନ୍ଦିର ହିଁ ସମସ୍ତ ବାହ୍ୟ ରାଜନୈତିକ ଶକ୍ତି ପାଇଁ ଖୋର୍ଦ୍ଧା ରାଜାଙ୍କର ଅନ୍ୟାନ୍ୟ ରାଜଭାଗ ସମ୍ପତ୍ତି ତୁଳନାରେ ଅଧିକ ଆଗ୍ରହର ବସ୍ତୁ ଥିଲା। ତୀର୍ଥଯାତ୍ରୀ ମାନଙ୍କଠାରୁ ମାହାସୁଲ ଆଦାୟ ଏବଂ ପ୍ରଚୁର ତୀର୍ଥଯାତ୍ରୀମାନଙ୍କର ସମାଗମ ଫଳରେ ଅର୍ଥନୀତିର ନିରନ୍ତର ବିକାଶ ଦୃଷ୍ଟିରୁ ବାହାର ଶକ୍ତିମାନେ ଶ୍ରୀମନ୍ଦିରକୁ ନିଜର ପରିଚାଳନାଧୀନ କରିବାକୁ ଚାହୁଁଥିଲେ । ଶ୍ରୀମନ୍ଦିର ଜନିତ ଅର୍ଥନୀତି କାରଣରୁ ସମସ୍ତ ବାହାରର ଶକ୍ତି ତଥା ମୁସଲମାନ, ମରାଠା ଏବଂ ଇଂରେଜ ମାନେ ଶ୍ରୀମନ୍ଦିରକୁ ନିଜର ଅଧୀନରେ ରଖିବାକୁ ଚାହୁଁଥିଲେ ।

ମାଦଳା ପାଞ୍ଜିର ସୂଚନା ଅନୁସାରେ ଆମକୁ ଗୋଟିଏ ବିଶେଷ ତାରିଖକୁ ମନେ ରଖିବାକୁ ପଡିବ । ଯଦିଓ ମାଦଳା ପାଞ୍ଜି ବ୍ୟତୀତ ଏହାର ସେମିତି ଅନ୍ୟ କୌଣସି ସମର୍ଥନସୂଚକ ପ୍ରାମାଣିକ ତଥ୍ୟ ନାହିଁ ତଥାପି ଏମିତି ଗୋଟିଏ ତାରିଖ ଆମକୁ ମିଳିଗଲେ ଭାରି ଖୁସିଲାଗେ । ଗୋଟିଏ ଉତ୍ସବକୁ ବୁଝିବାକୁ ହେଲେ ଗୋଟିଏ ତାରିଖ କି ତିଥି ଲୋଡା ହୁଏ । ଶ୍ରୀମନ୍ଦିରର ଇତିହାସରେ ଇଏ ସେମିତି ଗୋଟିଏ ତାରିଖ ।

ତାରିଖଟି ଆମର ସ୍ମରଣରେ ରହୁ,
୧୭ ଜୁଲାଇ ୧୫୭୫ଖ୍ରୀଅ ।

ଏଇ ଦିନ ଟି ହେଉଛି ରାଜା ରାମଚନ୍ଦ୍ର ଦେବଙ୍କର ରାଜତ୍ୱର ଦଶମ ଅଂକ, କର୍କଟ ଅଠର ଦିନ। ଏହି ଦିନ ଖୋର୍ଦ୍ଧାର ରାଜା ରାମଚନ୍ଦ୍ର ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଥିଲେ । ତାହାପରଠାରୁ ଲୋକମୁଖରେ ସେ ପରିଚିତ ହେଲେ, ଦୁତି ଇନ୍ଦ୍ରଦ୍ୟୁମ୍ନ । ଅର୍ଥାତ୍ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱିତୀୟ । ଆପଣମାନେ ଜାଣନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କରି ସେଇଠି ଶ୍ରୀଶ୍ରୀ ଜଗନ୍ନାଥଙ୍କୁ ପ୍ରଥମେ ସ୍ଥାପନା କରିଥିଲେ । ମାତ୍ର ଆକ୍ରମଣକାରୀ କଳାପାହାଡର କବଳରୁ ବିଶର ମହାନ୍ତି ଶ୍ରୀଶ୍ରୀ ଜଗନ୍ନାଥଙ୍କର ବ୍ରହ୍ମଟିକୁ ଉଦ୍ଧାର କରି ଆଣିଥିଲା ଆଉ ସେଇ ବ୍ରହ୍ମଙ୍କୁ ନୂତନ ବିଗ୍ରହରେ ସଂସ୍ଥାପନ କରାଗଲା ପରେ ପୁନର୍ବାର ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ଏଇ କାମ ଦୁତି ରାମଚନ୍ଦ୍ରଙ୍କ କୃତିତ୍ବ । ଖୋର୍ଦ୍ଧାର ରାଜା ରାମଚନ୍ଦ୍ର ଶ୍ରୀଶ୍ରୀ ଜଗନ୍ନାଥଙ୍କୁ ବଙ୍ଗଳାର ନବାବଙ୍କ ଶ୍ୱେନଦୃଷ୍ଟିରୁ ରକ୍ଷା କରିବାପାଇଁ ମୋଗଲମାନଙ୍କ ସହ ସନ୍ଧି କରିଥିଲେ । ମୋଗଲ ସେନାପତି ରାଜା ମାନସିଂହ ଏବଂ ରାଜା ତୋଡରମଲ ତାଙ୍କୁ ଏକ୍ଷେତ୍ରରେ ସହାୟତା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମୋଗଲ ସମ୍ରାଟ ଏବଂ ବଂଗଳାର ନବାବଙ୍କ ମଧ୍ୟରେ ପାରସ୍ପରିକ ସଂପର୍କକୁ ନେଇ ଯାହା ଯାହା ରାଜନୈତିକ ପରିସ୍ଥିତି ସୃଷ୍ଟି ହେଉଥିଲା ତାହାର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡୁଥିଲା । ମୋଗଲ ସମ୍ରାଟ ଶକ୍ତିଶାଳୀ ଆଉ ବଙ୍ଗଳାର ନବାବ ଦୁର୍ବଳ ଆଉ ଅଧୀନସ୍ଥ ଥିଲା ବେଳେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲୁଥିଲା । ମାତ୍ର ବଙ୍ଗଳାର ନବାବମାନେ ଯେତେବେଳେ ମୋଗଲମାନଙ୍କଠାରୁ ନିଜକୁ ସ୍ୱାଧୀନ ମନେକରୁଥିଲେ ସେତେବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ ହେଉଥିଲା । ଯେତେବେଳେ ସେମାନଙ୍କୁ ଉପଯୁକ୍ତ ତୀର୍ଥଯାତ୍ରୀ କର ମିଳୁନଥିଲା ସେତେବେଳେ ସେମାନେ ଶ୍ରୀମନ୍ଦିରର ଗଚ୍ଛିତ ଧନ ଉପରେ ଦୃଷ୍ଟି ପକାଉଥିଲେ । ଶ୍ରୀମନ୍ଦିରରୁ ଆଦାୟ ରାଜସ୍ୱ ଉପରେ ସମସ୍ତଙ୍କର ନଜର ରହିଥିଲା । ୧୭୫୧ ଖ୍ରୀଅରେ ବଙ୍ଗଳାର ନବାବ ଆଉ ମରାଠାମାନଙ୍କ ଭିତରେ ଗୋଟିଏ ସନ୍ଧି ହୋଇଥିଲା । ତାହାଫଳରେ ଓଡିଶାରେ ମୁସଲମାନ ଶାସନର ଅନ୍ତ ଘଟିଲା ଏବଂ ଓଡିଶାରେ ମରାଠା ଶାସନର ଆରମ୍ଭ ହେଲା । କହିବାକୁ ଗଲେ ବଙ୍ଗଳାର ନବାବ ଆଲିବର୍ଦ୍ଦି ଖାଁ ଆଉ ମରାଠାମାନଙ୍କ ଭିତରେ ଚାଲିଥିବା ସଂଘର୍ଷ ସମୟରେ ଶ୍ରୀମନ୍ଦିର ଏକପ୍ରକାର ସୁରକ୍ଷିତ ରହିଥିଲା । ଏହି ଦୁଇ ଶକ୍ତି ମନ୍ଦିରର ପରିଚାଳନାରେ କୌଣସି ହସ୍ତକ୍ଷେପ କରୁନଥିଲେ । ଖୋର୍ଦ୍ଧାର ରାଜା ଶ୍ରୀବୀରକେଶରୀ ଦେବ (୧୭୩୯ ରୁ ୧୭୯୩ ଖ୍ରୀଅ ) ଶ୍ରୀମନ୍ଦିରର ପରିଚାଳନା କଥା ବୁଝୁଥିଲେ । ୧୭୬୦ ଖ୍ରୀଅରେ ଖେମୁଣ୍ଡିର ରାଜା ଶ୍ରୀଜଗନ୍ନାଥ ନାରାୟଣ ଦେବ ଖୋର୍ଦ୍ଧା ଆକ୍ରମଣ କରିଥିଲେ । ସେ ନିଜକୁ ପୁରୀର ଗଜପତିଙ୍କ ନ୍ୟାୟତଃ ବଂଶଧର ଏବଂ ସେହି କାରଣରୁ ତାଙ୍କର ଖୋର୍ଦ୍ଧାର ରାଜଗାଦି ଉପରେ ଦାବି ରହିଛି ବୋଲି କହୁଥିଲେ । ଖୋର୍ଦ୍ଧାର ରାଜା ବୀରକେଶରୀ ଦେବ ଏକ ଲକ୍ଷ ଟଙ୍କାର ପେଶକସ୍ ବିନିମୟରେ ଏଇ ଯୁଦ୍ଧରେ ସହାୟତା ପାଇଁ ମରାଠାମାନଙ୍କର ସାହାଯ୍ୟ ଭିକ୍ଷା କରିଥିଲେ । ମରାଠାମାନେ ଖେମୁଣ୍ଡି ରାଜାଙ୍କୁ ବିତାଡିତ କରିଦେଲେ ମାତ୍ର ତାହାପରେ ଯେଉଁ ଅଘଟଣଟି ଘଟିଗଲା ତାହା ଏହିପରି ।

ରାଜା ବୀରକେଶରୀ ନିଜର ସର୍ତ୍ତ ଅନୁସାରେ ଏକ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ହେଲେ ଏବଂ ତାହା ବଦଳରେ ମରାଠାମାନଙ୍କୁ ଚିଲିକାଠାରୁ ଦୟା ନଦୀ ମଧ୍ୟରେ ଚାରୋଟି "ମହଲ" ବା "ପ୍ରଗଣା" ପ୍ରଦାନ କରିଥିଲେ । ଏଇ ଚାରୋଟି "ମହଲ" ଭିତରେ ପୁରୁଷୋତ୍ତମ କ୍ଷେତ୍ର ରହିଥିଲା ଆଉ ତାହାର ଅନ୍ତର୍ଗତ ଥିଲା ଶ୍ରୀମନ୍ଦିର । ଶ୍ରୀମନ୍ଦିର ପରିଚାଳନା ଭାର ହାତରୁ ଚାଲିଯିବା କଥାଟି ରାଜା ବୀରକେଶରୀଙ୍କୁ ଏତେ ବ୍ୟଥିତ କରିଥିଲା ଯେ କ୍ରମଶଃ ତାଙ୍କର ମାନସିକ ଅବସ୍ଥା ଦୁର୍ବଳ ହେବାକୁ ଲାଗିଲା । ସେ ନିଜର ମାନସିକ ଭାରସାମ୍ୟ ଏତେ ପରିମାଣରେ ହରାଇ ବସିଥିଲେ ଯେ ସେ ଦିନେ ହଠାତ୍ ନିଜର ଚାରି ରାଜକୁମାରଙ୍କୁ ହତ୍ୟା କରିଥିଲେ । ଏଇ ଘଟଣାରେ ଖୋର୍ଦ୍ଧାବାସୀମାନେ ଏତେ ଭୟଭୀତ ହୋଇ ପଡିଥିଲେ ଯେ ସେମାନେ ବୀରକେଶରୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ମରାଠାମାନଙ୍କୁ ନିବେଦନ କରିଥିଲେ । ମରାଠାମାନଙ୍କର ତତ୍କାଳୀନ ଓଡିଶାର ସୁବେଦାର ରାଜାରାମ ପଣ୍ଡିତ (୧୭୭୮-୧୭୯୩) ଏହାପରେ ରାଜା ବୀରକେଶରୀଙ୍କୁ କଟକ ଦୁର୍ଗରେ ବନ୍ଦୀ କରି ରଖିଲେ । ଏବଂ ତାଙ୍କର ନାତି ଦିବ୍ୟସିଂହ ଦେବଙ୍କୁ ଖୋର୍ଦ୍ଧାର ରାଜା ହିସାବରେ ଘୋଷଣା କଲେ । ଏବଂ ସର୍ତ୍ତ ରହିଲା ଯେ ସେ ସର୍ବଦା ମରାଠାମାନଙ୍କ ପ୍ରତି ଆନୁଗତ୍ୟ ଏବଂ ସାମ୍ମାନିକ ଅର୍ଥ ପ୍ରଦାନ କରିବେ । ଏଇ ଘଟଣାରୁ ଆଉ ଯାହା କିଛି ହେଉ ନା କାହିଁକି ଖୋର୍ଦ୍ଧା ରାଜାଙ୍କର ହାତରେ ଥିବା ଶ୍ରୀମନ୍ଦିରର ପରିଚାଳନାଗତ କ୍ଷମତା କ୍ରମଶଃ ଯଥେଷ୍ଟ ସଂକୁଚିତ ହୋଇଯାଇଥିଲା । ୧୭୯୭ ଖ୍ରୀଅରେ ଦିବ୍ୟସିଂହ ଦେବଙ୍କ ପରେ ରାଜା ହେଲେ ମୁକୁନ୍ଦ ଦେବ ।

ଏହି ସମୟରେ ମରାଠାମାନେ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା ପ୍ରତି ଯଥେଷ୍ଟ ସଚେତନ ଓ ସତର୍କ ଥିଲେ । ଶ୍ରୀଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ଯେମିତି ଉପଯୁକ୍ତ ଭାବରେ ତଦାରଖ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେଉଥିଲେ । ବିଗତ ଦୁଇଶହ ବର୍ଷ ଭିତରେ ମୁସଲମାନ ଶାସନ ଅମଳର ଦୁସ୍ଥିତିରୁ ଶ୍ରୀମନ୍ଦିରକୁ ଯେମିତି ପୁନରୁତ୍ଥାନ କରାଯାଇପାରିବ ସେଥିପ୍ରତି ସଚେଷ୍ଟ ଥିଲେ ସେମାନେ । ମରାଠାମୂଖ୍ୟମାନେ ଅନେକ ସମୟରେ ଶ୍ରୀମନ୍ଦିରକୁ ପ୍ରଚୁର ଧନରତ୍ନ ଆଦି ପ୍ରଦାନ କରୁଥିଲେ । ମରାଠା ମୁଖ୍ୟ ଚିମନା ବାପୁ ଶ୍ରୀମନ୍ଦିରକୁ ଧନରତ୍ନ, ଶ୍ରୀଜୀଉଙ୍କ ପାଇଁ ପୋଷାକ ଏବଂ ଗୋଟିଏ ହାତୀ ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ଶ୍ରୀଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ଭୋଗ ଯାହାକୁ "ମୋହନ ଭୋଗ" ବୋଲି କୁହାଯାଏ ସେଇ ଭୋଗର ବ୍ୟବସ୍ଥାପନା ଅନ୍ୟ ଜଣେ ମରାଠା ପ୍ରମୁଖ ରଘୁଜୀ ଭୋସଁଲେଙ୍କ ମାଆ କରିଥିଲେ । ଏହି "ମୋହନ ଭୋଗ"ର ଖର୍ଚ୍ଚ ବ୍ୟବସ୍ଥା ପାଇଁ ରଘୁଜୀ ଭୋସଁଲେ ମହନ୍ତ ଜୟରାମ ଦାସଙ୍କ ହାତରେ ଗୋଟିଏ ପ୍ରଗଣା ଅର୍ପଣ କରିଥିଲେ । ଏହା ବ୍ୟତୀତ ମରାଠାମାନେ ପୁରୀର କିଛି ମଠର ମହନ୍ତମାନଙ୍କର ପ୍ରତିନିଧିମାନଙ୍କ ଜରିଆରେ କଲିକତାରେ ଥିବା ଜଗନ୍ନାଥ ଭକ୍ତମାନଙ୍କର ପ୍ରଦତ୍ତ ଅର୍ଥ ଏବଂ ଉପହାର ସାମଗ୍ରୀମାନଙ୍କୁ ସଂଗ୍ରହ କରୁଥିଲେ । କହିବାକୁ ଗଲେ ଶ୍ରୀଜଗନ୍ନାଥଙ୍କୁ ଉପହାର ସୂତ୍ରରେ ଖୋର୍ଦ୍ଧାର ବାହାରେ ଯାହା ଯାହା ଦାନସାମଗ୍ରୀ ମିଳୁଥିଲା ସେସବୁ ବିଧିବଦ୍ଧ ଭାବରେ ସଂଗ୍ରହ କରିବାର ବ୍ୟବସ୍ଥାପନା ଖୋର୍ଦ୍ଧା ରାଜାଙ୍କ ପାଖରେ ନଥିଲା । ମାତ୍ର ମରାଠାମାନଙ୍କ ସମୟରେ ଯେଉଁମାନେ ପୁରୀକୁ ଆସି ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବାକୁ ଅକ୍ଷମ ସେମାନଙ୍କ ଅର୍ପଣକୁ ଅନ୍ୟତ୍ର ସଂଗ୍ରହ କରିପାରିବାର ଏକପ୍ରକାର ବ୍ୟବସ୍ଥା ରହିଥିଲା । ଶ୍ରୀମନ୍ଦିର ଆର୍ଥିକ ପରିଚାଳନାରେ ନିବିଡ ଦୃଷ୍ଟି ରଖିବା ସହିତ ମରାଠାମାନେ ସେଠାରେ ପ୍ରଚଳିତ ଥିବା ରୀତିନୀତିରେ କୌଣସି ହସ୍ତକ୍ଷେପ କରୁ ନଥିଲେ। ଦୀର୍ଘକାଳରୁ ଯେଉଁ ପଦ୍ଧତି ଅନୁସରଣ କରାଯାଉଛି ସେଥିରେ ଯେମିତି କୌଣସି ବିଘ୍ନ ନ ଘଟେ ସେଥିପ୍ରତି ସେମାନେ ସତର୍କ ଥିଲେ । ମରାଠାମାନଙ୍କ ସମୟରେ ଶ୍ରୀମନ୍ଦିରର ପରିଚାଳନାରେ ପ୍ରମୁଖ ଥିଲେ "ପରିଚ୍ଛା" ସେବକମାନେ।

ବ୍ରିଟିଶ୍ ଈଷ୍ଟଇଣ୍ଡିଆ କମ୍ପାନୀ ମରାଠାମାନଙ୍କର ବିସ୍ତାରକୁ ପ୍ରତିହତ କରିବା ସହିତ ମରାଠା ଶକ୍ତିକୁ ସଂକୁଚିତ କରିବାକୁ ଲାଗିଲେ । ଦ୍ୱିତୀୟ ମରାଠା ସମର (୧୮୦୩-୧୮୦୫) ପରେ ମରାଠାମାନେ କଂପାନୀ ବିରୁଦ୍ଧରେ ଆଉ ସେମିତି ଶକ୍ତି ସଂଚୟ କରିବାକୁ ସମର୍ଥ ହେଲେ ନାହିଁ । ମରାଠାମାନେ ପରାସ୍ତ ହେବା ପରେ ସ୍ୱାଭାବିକ ଭାବରେ ଓଡିଶା ଈଷ୍ଟଇଣ୍ଡିଆ କଂପାନୀର ଅଧୀନକୁ ଆସିଗଲା । ଓଡିଶା କଂପାନୀର ଶାସନର ଅଧୀନକୁ ଆସିବାର ଅର୍ଥ ହେଉଛି ଏହା ସହିତ ପୁରୀ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ବି କଂପାନୀ ଶାସନର ବଳୟ ଭିତରକୁ ଆସିଗଲେ ।

ସେତେବେଳକୁ ସମୟ ୧୮୦୩ ସାଲ୍ । ସେତେବେଳକୁ ଗଭର୍ଣ୍ଣର ଜେନେରାଲ୍ ଲର୍ଡ ୱେଲେସଲି ।

ଏବଂ ସେତେବେଳକୁ ଶ୍ରୀଜଗନ୍ନାଥଙ୍କୁ ନେଇ କଂପାନୀ ସାମ୍ନାରେ ଏକ ଜଟିଳ ବିରୋଧାଭାସର ପ୍ରାରମ୍ଭିକ ପର୍ଯ୍ୟାୟ ।

ସେକଥା ଆର ଥରକୁ ।