ମନୁଷ୍ୟ କେବଳ ମୋକ୍ଷ ଏବଂ ମୁକ୍ତିର ଦୂତ ଭାବେ ଶରୀର ତ୍ୟାଗକୁ ଏକ ଯାତ୍ରା ଭାବରେ ଦେଖିଆସିଛି, ମଧ୍ୟଯୁଗୀୟ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ ହେଉ, ଅଥବା ନାଡୀ ସାଧନା, ପବନ, ଶୂନ୍ୟ ସାଧନା; ସର୍ବତ୍ର ବ୍ରହ୍ମଲୀନ ହେବା ଅବସ୍ଥାକୁ କଳ୍ପନାର ଚରମ ସିଦ୍ଧି, ଆତ୍ମାର ନୂତନ ଯାତ୍ରା ଭାବେ ଗ୍ରହଣ କରିଆସିଛି ! ମାତ୍ର ଆଧୁନିକ ନବଜାଗରଣ ପରବର୍ତ୍ତୀ ଚେତନାରେ ମୃତ୍ୟୁର ନୂତନ କାଳ୍ପନିକ ଭୂମିକା ମଧ୍ୟଯୁଗୀୟ ଇଉରୋପୀୟ ସାହିତ୍ୟ ଚେତନାରୁ ଉତ୍ତରଣ ହୋଇ ନୂତନ ରୂପେ ସଂଘର୍ଷରତ ପ୍ରତିଦ୍ୱନ୍ଦୀ ଭାବେ ଓଡିଆ ସାହିତ୍ୟକୁ ମଧ୍ୟ ସଞ୍ଚରି ଆସିଛି । ତଥାପି, ଭାରତୀୟ ସାହିତ୍ୟରେ ଏହି ଆଧୁନିକତା ମଧ୍ୟରେ ମୃତ୍ୟୁ ଚେତନାର ସ୍ୱାତନ୍ତ୍ର୍ୟ ଏବଂ ଭାରତୀୟ ଦର୍ଶନର ମୁକ୍ତି, ମୋକ୍ଷର ଛାୟା - ଆଲୋକର ଶୀତଳ ସ୍ପର୍ଶ ଅନୁଭବ କରାଯାଇପାରେ ।

ଉକ୍ତ ଆଲୋଚନାରେ ସମ୍ୱଲପୁରୀ କୋଶଲି ଭାଷାର ପ୍ରଚଣ୍ଡ ପ୍ରତିଭାଧର, ସାହିତ୍ୟ - ପ୍ରାଣ - ସମର୍ପିତ ପ୍ରଖ୍ୟାତ କବି, ସଫଳ ସର୍ଜନାଶୀଳ ସାରସ୍ୱତ ଶିଳ୍ପୀ କୋଶଳଶ୍ରୀ ଅମୃତଲାଲ ସାହୁଙ୍କ କବିତାରେ ମହାଭାରତୀୟ ମୃତ୍ୟୁଚେତନା ରୂପକ ଉତ୍ତରଆଧୁନିକ ଉପାଦାନର ଏକ ବିଶ୍ଳେଷଣତ୍ମକ ବିବରଣୀ ପ୍ରଦାନ କରାଯାଇଛି ।

କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ, ସମାଜସେବା ଐତିହ ତଥା ଶିକ୍ଷା କ୍ଷେତ୍ରରେ ଯେଉଁ କତିପୟ ସାରସ୍ୱତ ସାଧକ ସମ୍ୱଲପୁରୀ କୋଶଲି ଭାଷାରେ ଲେଖନୀ ଚାଳନାକରି ଯଶସ୍ୱୀ ହୋଇପାରିଛନ୍ତି ତନ୍ମଧ୍ୟରୁ କବି ଅମୃତଲାଲ ସାହୁ ଅନ୍ୟତମ । କାବ୍ୟ କ୍ଷୁଦ୍ରଗଳ୍ପ, ଉପନ୍ୟାସ, ନାଟକ, ସମାଲୋଚନା ମୂଳକ ପ୍ରବନ୍ଧ ଏବଂ ଆତ୍ମଜୀବନୀ ଆଦି ବିବିଧ ବିଭାଗରେ ୩୮ଖଣ୍ଡ ପୁସ୍ତକର ରଚୟିତା ଭାବେ ସମ୍ବଲପୁରୀ କୋଶଲି ଭାଷାର ଜଣେ ପ୍ରମୁଖ ସ୍ରଷ୍ଟା ରୂପେ ସେ ଅନେକ ଯଶ ଓ ପାଠକୀୟ ସ୍ୱୀକୃତି ସାଉଁଟି ପାରିଛନ୍ତି ।

'ଝଂକେର ରାତି ଝୁମରା ନାଇଁ' , 'ଝୁମରା ଘର' ଆଦି କୋଶଲି କବିତା ଗୁଚ୍ଛ ଗୁଡିକ ତାଙ୍କର ଭିନ୍ନ ସ୍ୱାଦ ତଥା ଦୃଷ୍ଟିକୋଣର ସାର୍ଥକ ପ୍ରତିଫଳନ ରୂପେ ସୁବିଦିତ । 'ଝୁମରା ଘର' ମୃତ୍ୟୁ ଚେତନା ଉପରେ ଆଧାରିତ ଏକ ଭିନ୍ନ ଦୃଷ୍ଟିକୋଣ ସମ୍ପନ୍ନ ରଚନା ରୂପେ ତାଙ୍କ ସାରସ୍ୱତ ସାଧନାର ବ୍ୟାପ୍ତି ତଥା ଗଭୀରତା ପ୍ରତିପାଦନ କରିବା ସହିତ,ଏହାର ଯଥାର୍ଥ ପରିଚୟ ପ୍ରଦାନ କରିଥାଏ ।

କବିଙ୍କ ରଚନାରେ ମୃତ୍ୟୁଚେତନାର ପ୍ରାଧାନ୍ୟ ତଥା ମୃତ୍ୟୁ ପ୍ରତି ଏକ ଭିନ୍ନ ଦୃଷ୍ଟିକୋଣ ନିହିତ ଥିବାରୁ କବିଙ୍କୁ ମୃତ୍ୟୁ ଚେତନାର କବି ଭାବେ ମଧ୍ୟ ପରିଚୟ ମିଳିଛି | କବି ସ୍ୱୀକାର କରନ୍ତି, ଭଗବାନଙ୍କର ସବୁ ଅବତାର ପରି ମୃତ୍ୟୁ ମଧ୍ୟ ଏକ ଅବତାରର ରୂପ । ମୃତ୍ୟୁ ଚେତନାରେ କବି ମୃତ୍ୟୁର ପୌରାଣିକ ଦେବତା ଯମଙ୍କୁ ପ୍ରେମିକ ରୂପରେ କଳ୍ପନା କରିବାର ଭୟହୀନ ଉତ୍ସାହ ପ୍ରଦର୍ଶନ କରିଛନ୍ତି । ମୃତ୍ୟୁ କବିଙ୍କ ବର୍ଣ୍ଣନାରେ ପ୍ରେମିକା, ପୁଣି କେତେବେଳେ ଯମ ମୁକ୍ତିର ଦୂତ ତଥା ଦେବତା ରୂପେ କଳ୍ପିତ । କବିଙ୍କ ବିଶେଷ, ସ୍ୱତନ୍ତ୍ର ମାତାନୁସାରେ "ମୃତ୍ୟୁ ଦୁଃଖ ନୁହେଁ, ବରଂ ମୃତ ବ୍ୟକ୍ତି ପାଇଁ ଏକ ପରମ ସୁଖ !"

ନାରୀ ଚରିତ୍ର ପ୍ରଚ୍ଛଦରେ କବି ଆପଣାକୁ ସଜାଇ ନିଜର ତିନିଟାଘର; ପ୍ରଥମ - ପିତ୍ରାଳୟ, ଦ୍ଵିତୀୟ - ପତିଗୃହ ଏବଂ ତୃତୀୟ ଘର ଟି ମାଟିର ନିବିଡ ବନ୍ଧନରେ ନିର୍ମିତ, ଅତି ଆପଣାର ମୁକ୍ତ, ଦିଗନ୍ତ ବ୍ୟାପ୍ତ ଶ୍ମଶାନଘର ! ସେହିଠାରେ ହିଁ ସେ ଅତ୍ୟନ୍ତ ଆନନ୍ଦରେ ନିଦ୍ରାଗତ ହୋଇପାରିବେ । ଏପରିକି କେହି ମଧ୍ୟ ତାଙ୍କ ନିଦ୍ରାର ଅସୀମ ଶାନ୍ତିପ୍ରଦ ଆସନରୁ ତାଙ୍କୁ ଜାଗ୍ରତ କରି ପାରିବେ ନାହିଁ!

ଏହା ହିଁ କବିଙ୍କ ମୃତ୍ୟୁ ଚେତନାର ସ୍ୱାତନ୍ତ୍ର୍ୟ ଏବଂ ସର୍ବତ୍ର ଭାରତୀୟ ଦର୍ଶନର ମୁକ୍ତି, ମୋକ୍ଷର ଛାୟା - ଆଲୋକର ଶୀତଳ ସ୍ପର୍ଶ ଅନୁଭବ କରାଯାଇପାରେ । ସେହିପରି ପ୍ରେମ ଭାବରେ ଶ୍ରୀକୃଷ୍ଣ ବଂଶୀ ବାଦନରେ, ବଂଶୀର କୃତଜ୍ଞ ବାର୍ତ୍ତାରେ ମଧୁର ଚୁମ୍ବନର ପ୍ରସଂଶା, ମାତୃ ସ୍ନେହର ନିବିଡ ସନ୍ତାନ ପ୍ରେମରେ, ବାତ୍ସଲ୍ୟ ମମତାରେ, ସନ୍ତାନର ମଧୁର ମାତୃପ୍ରୀତିର ବନ୍ଦନା ଦ୍ୱାରା ,ପତିପତ୍ନୀର ପ୍ରେମରେ ମାଧୁର୍ଯ୍ୟପୂର୍ଣ୍ଣ ପ୍ରୀତିର ସ୍ୱରୂପ ସର୍ବତ୍ର ସ୍ୱତନ୍ତ୍ର ହୋଇଥାଏ । ମାତ୍ର ଏସବୁ ଠାରୁ ଅନେକ ଦୂରରେ, ମୃତ୍ୟୁ ଦେବତା ଯମଙ୍କର ଆଲିଙ୍ଗନ ଅତଥା ମୃତ୍ୟୁ ପର୍ବରେ ଚୁମ୍ବନକୁ ସର୍ବୋତ୍ତମ ଏବଂ ସବୁଠାରୁ ମଧୁର ଭାବରେ କଳ୍ପନା କରିଛନ୍ତି । ଏହା ହିଁ କବିଙ୍କର ମୃତ୍ୟୁ ଚେତନାର ବିଶିଷ୍ଟ ଦିଗ ।

କବିଙ୍କର ଏହି ରଚନା ଓଡ଼ିଆ ସାହିତ୍ୟରେ ମୃତ୍ୟୁ ଚେତନାର କବି ଭାବେ ପରିଚିତ କବି ରମାକାନ୍ତ ରଥଙ୍କ "ସପ୍ତମ ଋତୁ"ରେ ସ୍ଥାନିତ କବିତାଗୁଡିକରେ ପ୍ରତିଫଳିତ ପ୍ରେମ ଓ ମୃତ୍ୟୁର ପ୍ରତିସ୍ପର୍ଦ୍ଧି ଚେତନଠାରୁ ମଧ୍ୟ ଭିନ୍ନ ଏକ ଦୃଷ୍ଟିରେ ସ୍ୱତନ୍ତ୍ର! ସେହିପରି, ଇଂରାଜୀ କବି John Donne ଙ୍କ 'Death be not Proud' କବିତାଟିରେ ମୃତ୍ୟୁ ଚେତନା, ମୃତ୍ୟୁ ପ୍ରତି ଏକ ତାଚ୍ଛଲ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବର ପ୍ରତିଫଳନ ସ୍ୱରୂପ, କବି ମୃତ୍ୟୁକୁ ସର୍ବଶକ୍ତିମାନ ରୂପେ ବୃଥା ଗର୍ବ ନକରିବାକୁ ପରାମର୍ଶ ଦେଇଛନ୍ତି! ସମାଜ ବା କେହି କେହି ମୃତ୍ୟୁକୁ ଶକ୍ତିଶାଳୀ, ଭୟଙ୍କର ରୂପରେ ବର୍ଣ୍ଣନା କରିପାରନ୍ତି, ମାତ୍ର କବିଙ୍କ ମତରେ ବାସ୍ତବିକ ରୂପେ ମୃତ୍ୟୁର ଲୀଳା ସେପରି ମହାନ ନୁହେଁ କବି ମୃତ୍ୟୁର ପ୍ରତୀତ ବୃଥା ଅହଂକାର ବିରୁଦ୍ଧରେ ସତେଯେପରି କ୍ରୋଧିତ! ମୃତ୍ୟୁ କଦାପି ବିଜେତା ହୋଇପାରିବନି! ଏହା କବିଙ୍କୁ କଦାପି ହତ୍ୟାକରିପାରିବନି, କେବଳ ତାଙ୍କ କ୍ଲାନ୍ତ ଶରୀରକୁ ବିଶ୍ରାମ ପ୍ରଦାନ ପୂର୍ବକ, ଆତ୍ମାକୁ ସ୍ୱର୍ଗାଗାମୀ କରି ମୁକ୍ତି ପ୍ରଦାନ କରିବାରେ ସମର୍ଥ ହୋଇପାରିବ ବୋଲି କବି ମତବ୍ୟକ୍ତ କରିଛନ୍ତି ।

ପୁଣି ମୃତ୍ୟୁର ଗର୍ବର ଭିତ୍ତିହୀନ ଦିଗଟି ଉନ୍ମେଷ କରିବାକୁ ଯାଇ କବି କହନ୍ତି -“ମୃତ୍ୟୁ କଦାପି ଏହାର ଶିକାରକୁ ବାଛି ପାରିନଥାଏ; କେବଳ ଭାଗ୍ୟ ଏବଂ ମାନବର ନିଷ୍ପତ୍ତି ଉପରେ ନିର୍ଭରଶୀଳ" । ତେଣୁ ମୃତ୍ୟୁ, ଅନନ୍ତ ଅବିନଶ୍ଵର ଆତ୍ମାକୁ ଆକ୍ରାନ୍ତ, ଭ୍ରଷ୍ଟ, କବଳିତ କରିବାରେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ।

କବିଙ୍କ ଭାଷାରେ –

“Death, be not proud, though some have called thee
Mighty and dreadful, for thou art not so;
For those whom thou think'st thou dost overthrow
Die not, poor Death, nor yet canst thou kill me.

One short sleep past, we wake eternally
And death shall be no more; Death, thou shalt die.” (1)

ତେଣୁ John Donne ଙ୍କ କବିତାରେ ମୃତ୍ୟୁ ବିରୁଦ୍ଧରେ ଯୁଦ୍ଧର ଆହ୍ୱାନ, ପରାଜିତ କରିବାର ସ୍ପର୍ଦ୍ଧା ତଥା ମୃତ୍ୟୁକୁ ଏକ ଦୁର୍ବଳ ପ୍ରତିପକ୍ଷ ଭାବେ ଚିତ୍ରଣ କରିବାର ଦୃଷ୍ଟିକୋଣ, ମାନସିକ ଚିତ୍ର ପ୍ରଦତ୍ତ । ଅଭୟ, ଅଜର, ଅମର ରହିବାରେ କବିପ୍ରାଣ ଆପଣାର ବିଚାର, ଲେଖନୀ, ବକ୍ତବ୍ୟ, ଯୁକ୍ତିଶୀଳତାର ରାସ୍ତା ବାଛି ନେଇଛନ୍ତି ।

ସେହିପରି William Shakespeare ତାଙ୍କର ଏକ ସୁପ୍ରସିଦ୍ଧ ସନେଟରେ ମୃତ୍ୟୁକୁ ସକଳ ସମାଜର ସାମ୍ୟ ତଥା ସମତୁଲ ଅବସ୍ଥା ପ୍ରତିପଦନରେ ଦୂତ ରୂପେ ସ୍ୱୀକାର କରିଛନ୍ତି । ଧନୀ, ଗରିବ, ଉଚ୍ଚନୀଚ୍ଚ, ଝାଡୁଦାର ଠାରୁ ରାଜା ପର୍ଯ୍ୟନ୍ତ, ସମସ୍ତେ ଦିନେ ନା ଦିନେ ଏହା ଦ୍ୱାରା କବଳିତ ହୋଇଥାନ୍ତି ! ଏହା ଭିନ୍ନ ଏକ ମୃତ୍ୟୁ ଚେତନା ।

ତେଣୁ କବି ଅମୃତଲାଲ ସାହୁଙ୍କ ମୃତ୍ୟୁ ଚେତନା ଯେ ସବୁଠାରୁ ଭିନ୍ନ ତଥା ସ୍ୱତନ୍ତ୍ର ଏହା ସ୍ୱୀକାର କରିବାକୁ ହେବ । ଉପରୋକ୍ତ ଆଲୋଚନାରୁ ଆହୁରି ମଧ୍ୟ ଏକ ନିଷ୍କର୍ଷ ରୂପେ ନିମ୍ନ ଅନୁଶୀଳନ ସମୀଚୀନ ମନେ ହୁଏ ।

କବି John Donne ମୃତ୍ୟୁକୁ ଦୁର୍ବଳ, ଗର୍ବୀ, ଅହଙ୍କାରୀ ତଥା ବାସ୍ତବିକତା ଠାରୁ ଢେର ଗୁଣା ଅଧିକ, ଆପଣାର ଶକ୍ତି ସମ୍ବନ୍ଧରେ ଆତ୍ମପ୍ରଚାର କରୁଥିବା, ଅପପ୍ରଚାର କରାଯାଉଥିବା ପ୍ରତିଦ୍ୱନ୍ଦ୍ୱୀ, ଏବଂ ଏହା ବିରୁଦ୍ଧରେ ବିଜୟ ସୁନିଶ୍ଚିତ କହିଥିବା ବେଳେ; କବି William Shakespeare ମୃତ୍ୟୁକୁ ସର୍ବସାମ୍ୟ, ସମଦର୍ଶୀ ତଥା ମାନବକୁ ନମ୍ର ହେବା ନିମନ୍ତେ ଶିକ୍ଷା ଦେଉଥିବା ପରୋକ୍ଷରେ କହିଛନ୍ତି । କବି ରମାକାନ୍ତ ରଥଙ୍କ "ସପ୍ତମଋତୁ"ରେ ମୃତ୍ୟୁ - ପ୍ରେମ ପରସ୍ପର ଚିର ପ୍ରତିଦ୍ୱନ୍ଦ୍ୱୀ, ତଥା ଅମରତ୍ୱ ପ୍ରାପ୍ତି ନିମନ୍ତେ ଚିର ଜାଗ୍ରତ, ସଂଘର୍ଷରତ ଥିବା ଚିତ୍ରିତ ହୋଇଛି ।

ଏହି ରଚନା ଗୁଡିକରେ କେହି ମୃତ୍ୟୁକୁ ଉଜ୍ଜ୍ଵଳ ସମ୍ଭାବନା ଭାବେ କଳ୍ପନା କରିଥିବା ବେଳେ, କେହି ପ୍ରତିଦ୍ୱନ୍ଦ୍ୱୀ, କେହି ସମାନତାର ପ୍ରବର୍ତ୍ତକ, ମୁକ୍ତିଦାତା ଭାବେ ଚିତ୍ରଣ କରିଛନ୍ତି । ମାତ୍ର, କବି ଅମୃତଲାଲଙ୍କ ମୃତ୍ୟୁ ଚେତନାରେ ତିଳେମାତ୍ର ଭୟ, ସଂଶୟ ବା ପରାଧୀନତାର ଲେଶମାତ୍ର ଆଶଙ୍କା ଦୃଶ୍ୟ ହୁଏନି । ସେ ମୃତ୍ୟୁକୁ କେବଳ ଉଜ୍ଜ୍ୱଳମୟ ସମ୍ଭାବନା ରୂପେ କଳ୍ପନା କରି ନାହାନ୍ତି; ବରଂ ଏହା ସର୍ବତ୍ର ମାଧୁର୍ଯ୍ୟପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ଏବଂ ପରମ ପ୍ରେମିକ ଭାବେ ତାଙ୍କ ରଚନାରେ ପ୍ରେମର ଏକ ଜୀବନ୍ତ ପ୍ରତୀକ ରୂପରେ ରୁପାୟିତ !

ତେଣୁ, କବିଙ୍କ ରଚନାରେ ମୃତ୍ୟୁ ଏକ ନୂତନ ଯାତ୍ରା, ଏକ ନବ ଆରମ୍ଭ ! ଅନେକ ଅସମାହିତ ଡେଇଁଯାଇ ସମାହିତ ଉତ୍ସାହିତ ପଥିକର ମାର୍ଗ ! ଏହା ହିଁ କବିଙ୍କ ଚେତନାର ସ୍ୱାତନ୍ତ୍ର୍ୟ, ଚିନ୍ତାର ମୌଳିକତା, ମହାଭାରତୀୟ ଦର୍ଶନର ସୁବିସ୍ତିର୍ଣ୍ଣ ପୃଷ୍ଠଭୂମି । ଏହା ହିଁ କବିଙ୍କର ସ୍ରଷ୍ଟାପଣର ସାଫଲ୍ୟ !

Reference:

  1. Poetry Foundation. (2021). Holy Sonnets: Death, be not proud by John Donne - https://www.poetryfoundation.org/poems/44107/holy-sonnets-death-be-not-proud